Unknown

 

 

 

 

 

 

 

 

 

 

 

ରାଜନୀତିର ଭାରତ

ଚିତ୍ତରଞ୍ଜନ ଦାସ

 

ଦୁଇପଦ

 

ଗଲାବର୍ଷ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଦିବସ ପାଳିତ ହୋଇଥିଲା ଦି’ୟୁନିଭର୍ସରେ । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ବିଭାଗର ୧୦୬ ଜଣ ବନ୍ଧୁ ଯୋଗ ଦେଇଥିଲେ ନବବାବୁଙ୍କୁ ହେଜିବାପାଇଁ । ସେଇଦିନ, ୧୯୯୨ ମସିହା ନଭେମ୍ବର ୨୩ ତାରିଖ ଦିନ ନବବାବୁଙ୍କର ଏକ ଜୀବନୀ ମଧ୍ୟ ପ୍ରକାଶିତ ହୋଇଥିଲା । ନବବାବୁଙ୍କ ସହିତ କାମ କରିଥିବା ଏବଂ ତାଙ୍କର ଏକ ପାରିବାରିକ ବନ୍ଧୁ ଶ୍ରୀ ଚିତ୍ତରଞ୍ଜନ ଦାସ ବହିଟିକୁ ଲେଖିଥିଲେ । ନବବାବୁ ଓଡ଼ିଶାର ଏକ ବିସ୍ମୃତ ଚରିତ୍ର । ଏହା ସତ୍ତ୍ୱେ ସମୟ ଯେତିକି ଅତିକ୍ରାନ୍ତ ହେଉଛି ନବବାବୁଙ୍କୁ ତାଙ୍କର ସହକର୍ମୀ, ସହଯୋଦ୍ଧାମାନେ ସେତିକି ବେଶୀ ହେଜିବାକୁ ଆରମ୍ଭ କଲେଣି । ଏବେ ଦେଶରେ ପଞ୍ଚାୟତି ଶାସନ, ଜିଲ୍ଲାପରିଷଦର ଗଠନ ଆରମ୍ଭ ହୋଇଛି । କ୍ଷମତାର ବିକେନ୍ଦ୍ରୀକରଣ ନହେଲେ ଦେଶର ପ୍ରଗତି ଅସମ୍ଭବ । ସେଇ ପ୍ରକ୍ରିୟାର ଏକ ବୈପ୍ଳବିକ ପଦକ୍ଷେପ ହେଉଛି ପଞ୍ଚାୟତିରାଜ । କେତେକ ନିଜକୁ ଏହାର ସ୍ରଷ୍ଟାବୋଲି ଦାବି କରୁଛନ୍ତି ଏବଂ ସେଇପରି ଭାବରେ ଇତିହାସର ପୃଷ୍ଠାରେ ରହିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ଆଜିକୁ ୩୦।୩୫ ବର୍ଷ ତଳେ ଯେ ନବବାବୁ ଏହି ପରିକଳ୍ପନାର ରୂପ ଦେଇଥିଲେ ତାହା ସେମାନେ ଭୁଲିଯିବାକୁ ଚେଷ୍ଟା କରୁଛନ୍ତି । ବା ଅନ୍ୟମାନଙ୍କୁ ଭୁଲାଇବାପାଇଁ ଚେଷ୍ଟା କରୁଛନ୍ତି । ନବବାବୁ ଏହି ଯୋଜନା ଆରମ୍ଭ କଲାବେଳକୁ ସାମାଜିକ ଏବଂ ରାଜନୈତିକ ପ୍ରେମ ବହୁପରିମାଣରେ ସମ୍ବେଦନଶୀଳ ଏବଂ ସାଧୁଥିଲା । ସେତେବେଳେ ଏହାକୁ କାର୍ଯ୍ୟକାରୀ କରିଥିଲେ ଆଜି ସମାଜର ରୂପରେ ମୌଳିକ ପରିବର୍ତ୍ତନ ହୁଏତ ଦେଖାଦେଇଥାନ୍ତା । କିନ୍ତୁ ସେତେବେଳେ ଯେଉଁମାନେ ଏହାକୁ କରାଇଦେଲେ ନାହିଁ ବା ଅଧାରେ ରଖିଦେଲେ ସେଇମାନଙ୍କ ଭିତରୁ ଅନେକ ବର୍ତ୍ତମାନ ଏହି ଯୋଜନାର ଅଗ୍ରଭାଗରେ । କିନ୍ତୁ ସମାଜ ଓ ରାଜନୀତି କେଉଁଠି ଯାଇ ପହଞ୍ଚିଲାଣି ତାହା ଅନେକଙ୍କର ହୁଏତ ଖିଆଲ ନାହିଁ । କୌଣସି ଗୋଟିଏ ଭଲକଥା କରିବାକୁ ଚାହିଁଲେ ମଧ୍ୟ ତାହାର ଫଳ ଓଲଟା ହୋଇଯାଉଛି ।

ଏଇ ପରିପ୍ରେକ୍ଷୀରେ ନବବାବୁଙ୍କୁ ହେଜିବାପାଇଁ ସେଦିନ ଯେଉଁ ଶତାଧିକ ବ୍ୟକ୍ତି ଏକାଠି ହୋଇଥିଲେ ସେମାନେ ସ୍ଥିରକଲେ ଯେ ପ୍ରତିବର୍ଷ ନଭେମ୍ବର ମାସ ତୃତୀୟ ସପ୍ତାହରେ ନବବାବୁଙ୍କର ଜନ୍ମଦିବସ ଦି’ୟୁନିଭର୍ସରେ ପାଳିତ ହେବ ଏବଂ ଦେଶର ସମସାମୟିକ ପରିସ୍ଥିତି ଉପରେ ଖଣ୍ଡିଏ ବହି ପ୍ରକାଶିତ ହେବ । ସେଇ ହେବ ନବବାବୁଙ୍କର ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ଠିକ୍‍ ନଭେମ୍ବର ୨୩ ତାରିଖରେ ଅସୁବିଧା ଉପୁଜିପାରେ । ସେଇଯୋଗୁଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହେଲା ନାହିଁ । ନଭେମ୍ବର ୨୩ରେ ବିଭିନ୍ନ ସ୍ଥାନରେ ବିଶେଷତଃ ବାଜିରାଉତ ଛାତ୍ରାବାସରେ ନବବାବୁଙ୍କ ଜନ୍ମଦିବସ ପାଳିତ ହେଉଥିବାରୁ ଅନେକ ଅନ୍ୟଦିନରେ ଏହା ପାଳନ କରିବାପାଇଁ ଉଚିତ ମନେକଲେ ।

ସେମାନଙ୍କର ଇଚ୍ଛାନୁଯାୟୀ ନଭେମ୍ବର ୨୧ ତାରିଖରେ ଏହା ପାଳିତ ହେଉଛି ।

ଚଳିତବର୍ଷ “ରାଜନୀତିରେ ଭାରତ” ଶୀର୍ଷକ ପୁସ୍ତକ ପ୍ରକାଶନ ପାଇଁ ସ୍ଥିର କରାଗଲା ଏବଂ ବିଷୟବସ୍ତୁ ମନୋନୟନ, ଲେଖକମାନଙ୍କର ନାମ ସ୍ଥିର କରିବା ଏବଂ ଲେଖାଗୁଡ଼ିକର ସମ୍ପାଦନା ଦାୟିତ୍ଵ ଶ୍ରୀ ଚିତ୍ତରଞ୍ଜନ ଦାସ ତୁଲାଇଛନ୍ତି । ବହୁବ୍ୟକ୍ତିଙ୍କୁ ଲେଖାପାଇଁ ଅନୁରୋଧ ଜଣାଇ ନିବେଦନ ପଠାଯାଇଥିଲା । କେତେକ ଉତ୍ତର ମଧ୍ୟ ଦେଲେନାହିଁ । କେତେକ ଅନୁରୋଧ କରାଯାଇଥିବା ବିଷୟବସ୍ତୁ ଉପରେ ନଲେଖି ଅନ୍ୟ ବିଷୟରେ ଲେଖିବାପାଇଁ ଇଚ୍ଛାପ୍ରକାଶ କଲେ ଏବଂ ସବୁଠାରୁ ମଜାର କଥା ଯେ କେତେକ ନିବନ୍ଧ ପଠାଇବାପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ହଁ କରି ପଠାଇଲେ ନାହିଁ । ଅଥଚ ସେମାନଙ୍କ ମଧ୍ୟରୁ ଅନେକ ନବବାବୁଙ୍କର ଖୁବ୍ ନିକଟ ଲୋକ ଥିଲେ । ମୃତ୍ୟୁର ହାତ ଶୀତଳ ଯୋଗୁଁ ଏହେଲା ନାଁ ଅନ୍ୟ କିଛି କାରଣ ଏହାର ଥାଇପାରେ ତାହା ଜାଣିବା କଷ୍ଟକର । ତଥାପି ଯାହା ଲେଖା ଆସିଛି ତାହା ପ୍ରକାଶିତ ହୋଇଛି । ପାଠକମାନେ ତାହାର ବିଚାରକ ।

ଏହି ଜନ୍ମୋତ୍ସବ ଏବଂ ପୁସ୍ତକ ପ୍ରକାଶନ ଉତ୍ସବରେ ଯୋଗ ଦେବାପାଇଁ ବିଭିନ୍ନ ବିଭାଗର ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ ପଠାଇବାକୁ ଚେଷ୍ଟା କରିଛୁ । ତଥାପି ଅନେକ ରହିଯିବେ ହୁଏତ-। ସେମାନଙ୍କର ପାଖରେ ଆମେ କ୍ଷମା ମାଗିନେଉଛୁ ।

ଗଲାବର୍ଷ ସମବେତ ବନ୍ଧୁମାନେ ସ୍ଥିର କରିଥିଲେ ଯେ ପ୍ରତିବର୍ଷ ପୁସ୍ତକ ଉନ୍ମୋଚନ ସହିତ କୌଣସି ଏକ ସାମୂହିକ ବିଷୟ ଉପରେ ଏକ ସେମିନାର ଅନୁଷ୍ଠିତ ହେବ । ଦଳ ବା ଗୋଷ୍ଠୀଗତ ଦୃଷ୍ଟିରୁ ନୁହେଁ । ଜାତୀୟ ଦୃଷ୍ଟିକୋଣରୁ ସମସ୍ତେ ଏଥିରେ ଅଂଶ ଗ୍ରହଣ କରିବେ । ବିଭିନ୍ନ ଦଳ, ଗୋଷ୍ଠୀ, ବିଭାଗର ବ୍ୟକ୍ତିମାନଙ୍କର ମିଳିତ ନିଷ୍ପତ୍ତି ଶୁଭଙ୍କର । ଚଳିତବର୍ଷ ସେମିନାରର ବିଷୟବସ୍ତୁ “ଆଜିର ଭାରତ” ରଖା ଯାଇଛି । ଆଲୋଚନା ନିଶ୍ଚିତ ଭାବରେ ଦେଶପାଇଁ ସହାୟକ ହେବାର ଆଶା କରାଯାଏ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବନ୍ଧୁମାନଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଛନ୍ତି ଶ୍ରୀ ବିକାଶ ଚନ୍ଦ୍ର ସାହୁ । ସେଥିପାଇଁ ତାଙ୍କୁ ଧନ୍ୟବାଦ । ବହୁ ବନ୍ଧୁ ଆମର ନିମନ୍ତ୍ରଣ ରକ୍ଷାକରି ଏଥିରେ ଯୋଗଦେଇଥିବାରୁ ସେମାନଙ୍କ ପାଖରେ ଆମେ କୃତଜ୍ଞ । ନବକୃଷ୍ଣ ଚୌଧୁରୀ ଯେ ଦଳମତର ଊର୍ଦ୍ଧ୍ଵରେ ଏହା ତାହାର ଏକ ପ୍ରମାଣ ।

ତା ୨୧ । ୧୧ । ୯୩

–ୟୁନିଭର୍ସ ପରିବାର

 

ସୂଚୀପତ୍ର

 

୧.

ମୂଲ୍ୟବୋଧର ଅବକ୍ଷୟ

ଗିରିଜା ଭୂଷଣ ପଟ୍ଟନାୟକ

୨.

ବାଜିରାଉତର ଭୂତ

ଗଙ୍ଗାଧର ରଥ

୩.

ବ୍ୟର୍ଥତାରେ ସାର୍ଥକତାର ସନ୍ଦେଶ

ଗୁରୁଚରଣ ପଟ୍ଟନାୟକ

୪.

କମ୍ୟୁନିଜିମ୍‍ର ଆଦର୍ଶ

ଗୋବିନ୍ଦ ଚନ୍ଦ୍ର ମହାନ୍ତି

୫.

ସ୍ଵାଧୀନ ଭାରତର ଶାସକବର୍ଗ

ଡକ୍ଟର ବେଣୁଧର ପ୍ରଧାନ

୬.

ଅମଲାତନ୍ତ୍ର ଓ ଆମ ଦେଶ

ଦୀପକ କୁମାର ମିଶ୍ର

୭.

ସ୍ଵାଧୀନ ଭାରତର ଅର୍ଥନୈତିକ ବିକାଶ

ଡକ୍ଟର ବୈଦ୍ୟନାଥ ମିଶ୍ର

୮.

ଆମ ସମାଜ ଓ ମୂଲ୍ୟବୋଧ

ଅଧ୍ୟାପକ ରାଧାନାଥ ରଥ

୯.

ସ୍ଵାଧୀନ ଭାରତରେ ରାଜନୀତି

ପଦ୍ମ ଚରଣ ନାୟକ

୧୦.

ସ୍ଵାଧୀନ ଭାରତରେ ଜାତୀୟ କଂଗ୍ରେସ

ବଳରାମ ମହାନ୍ତି

୧୧.

ଭାରତରେ ସମାଜବାଦୀ ଆନ୍ଦୋଳନ

ପ୍ରୀତୀଶ ଆଚାର୍ଯ୍ୟ

୧୨.

ସମାଜବାଦୀ ଆନ୍ଦୋଳନ

ପ୍ରଦୀପ୍ତ କିଶୋର ଦାସ

୧୩.

ବିପ୍ଳବର କେତୋଟି ତାତ୍ତ୍ଵିକ ପ୍ରଶ୍ନ

ମନୋରଞ୍ଜନ ମହାନ୍ତି

୧୪.

ସର୍ବୋଦୟ-ସିଡ଼ି, ସେତୁ ଓ ବିକଳ୍ପ

ରବୀନ୍ଦ୍ର ନାଥ ସାହୁ

୧୫.

ସଂହତି ଓ ସଂଗ୍ରାମ

ଚିତ୍ତରଞ୍ଜନ ଦାସ

୧୬.

ସହସ୍ର ବିପ୍ଳବ

ଅନନ୍ତ ଗିରି

୧୭.

ପୃଷ୍ଠବନ୍ଧ

ଚିତ୍ତରଞ୍ଜନ ଦାସ

☆☆☆

 

ମୂଲ୍ୟବୋଧର ଅବକ୍ଷୟ

ଶ୍ରୀ ଗିରିଜାଭୂଷଣ ପଟ୍ଟନାୟକ

 

ଭାରତବର୍ଷ ସ୍ଵାଧୀନ ହେଲା ୧୯୪୭ ମସିହାରେ । ସେହି ଦିନଠାରୁ ଆଜି ଭିତରେ ଯଦି କୌଣସି ଗୋଟିଏ ବସ୍ତୁର ଅବକ୍ଷୟ ସାରା ଦେଶକୁ ଏବଂ ଜୀବନର ସବୁ ବିଭାଗକୁ ଗ୍ରାସ କରି ଯାଇଛି ତାହା ହେଉଛି ମୂଲ୍ୟବୋଧର ଅବକ୍ଷୟ । ଲୁଣ ପଡ଼ି ନ ଥିଲେ ଯେପରି ତରକାରୀ ସ୍ଵାଦହୀନ ହୋଇଯାଏ ଠିକ୍ ସେହିପରି ମୂଲ୍ୟବୋଧ ନ ଥିଲେ ଜୀବନର ସ୍ଵାଦ ରହେ ନାହିଁ । ପ୍ରତ୍ୟେକ ବ୍ୟକ୍ତି ଏହା ଅନୁଭବ କରୁଛନ୍ତି କିନ୍ତୁ ଏହାର ପୁନରୁଦ୍ଧାର ପାଇଁ ବାଟ ପାଉନାହାନ୍ତି ବା ସେଥିପାଇଁ ଆପଣାକୁ ଅସହାୟ ମନେ କରୁଛନ୍ତି । ଏକ ରୋଗର ଆକ୍ରମଣ ଆଗରେ ଅସହାୟ ହୋଇ ପଡ଼ିଲେ ଯେପରି ରୋଗୀର ଅବସ୍ଥା ବେଶୀ ଗୁରୁତର ହୋଇଯାଏ ଠିକ୍ ସେହିପରି ହୋଇଛି ଆମର ଅବସ୍ଥା ।

 

ଏହା ଯେ ଠିକ୍ ୧୯୪୭ ମସିହା ଅଗଷ୍ଟ ୧୫ ରାତି ଅଧରୁ ଆରମ୍ଭହେଲା ତାହା ନୁହେଁ-। ଏହାର ପ୍ରକ୍ରିୟା ବୋଧହୁଏ ତା’ ପୂର୍ବରୁ ମଧ୍ୟ ଆରମ୍ଭ ହୋଇ ଯାଇଥିଲା ।

 

ଏହି ଅବକ୍ଷୟ ପ୍ରଥମେ ରାଜନୈତିକ ପର୍ଯ୍ୟାୟକୁ ଗ୍ରାସ କଲା ଏବଂ ପରେ ପରେ ଏହା ଜୀବନର ଅନ୍ୟ ସବୁ ବିଭାଗକୁ ମଧ୍ୟ ସମ୍ପ୍ରସାରିତ ହେଲା । ଶାସନକଳ, ସାମାଜିକ ଜୀବନ, ଶିକ୍ଷା, ସଂସ୍କୃତି, ନ୍ୟାୟ ବା ବିଚାର ବିଭାଗ କେହି ସେଥିରୁ ମୁକ୍ତ ହୋଇ ରହି ପାରିଲେ ନାହିଁ ।

 

ଏହି ରୋଗ କ୍ରମଶଃ ଏପରି ପଚା ଘା’ପରି ବଢ଼ିବାକୁ ଲାଗିଲା ଯେ, ଏହାର ଆଉ ଉପଶମ ହେବା ସମ୍ଭବ ନୁହେଁ ଭାବି ସମସ୍ତେ ଏହାକୁ ଗ୍ରହଣ କରିନେଲେ । ଯେପରି କରପ୍‍ସନ୍‍ । କରପ୍‍ସନ୍‍ ସମାଜରେ ନ ଥିଲା ତା’ ନୁହେଁ। କିନ୍ତୁ ଏହା କ୍ଵଚିତ୍ ଦେଖାଯାଉଥିଲା ଏବଂ ଏହାକୁ ଲୋକେ ନିନ୍ଦନୀୟ ବୋଲି ବିଚାର କରୁଥିଲେ । ବର୍ତ୍ତମାନ ଏହା ସମାଜର ଏକ ଅଙ୍ଗ ଭାବରେ ଗୃହୀତ ହୋଇଯାଇଛି ଏବଂ ଏହାକୁ ଏଫିସିଏନ୍‍ସି ବା ଦକ୍ଷତାର ଏକ ପରିମାପକ ବୋଲି ବିଚାର କରାଯାଇଛି । କରପ୍‍ସନ୍‍କୁ ଅନେକ ତ ଇନଷ୍ଟିଚ୍ୟୁସନାଲାଇଜଡ଼ି କରି ସାରିଲେଣି । ଏହା ବିନା ସଂସାରର ପ୍ରଗତି ଅସମ୍ଭବ ବୋଲି ଘୋଷଣା ମଧ୍ୟ ହୋଇ ସାରିଲାଣି । କରପ୍‍ସନ୍‍କୁ ଏଫିସିଏନ୍‍ସି ସହିତ ଯୋଡ଼ି ଦିଆଯିବା ଫଳରେ ପାପକୁ ପବିତ୍ରୀକୃତ କରାଯାଇଛି ।

 

ଗୋଟିଏ ଦେଶ ବା ଗୋଟିଏ ସମାଜ କେତୋଟି ସ୍ତମ୍ଭ ଉପରେ ତିଷ୍ଠି ରହେ । ପ୍ରଥମେ ରାଜନୈତିକ ବ୍ୟକ୍ତିମାନେ ଗଲେ, ପରେ ସେମାନେ ଶାସନକଳକୁ ସେଇ ରୋଗରେ ସଂକ୍ରାମିତ କଲେ । ଏବଂ ଧୀରେ ଧୀରେ ଶିକ୍ଷା, ସଂସ୍କୃତି, ଆଇନ, ବିଚାର ସବୁ ସେଥିରେ ସଂକ୍ରାମିତ ହେବାକୁ ଲାଗିଲା । ଫଳରେ ବର୍ତ୍ତମାନ ସମଗ୍ର ଗଠନଟି ଭୁଷୁଡ଼ି ପଡ଼ିବା ଉପରେ ।

 

ଯେତେବେଳେ ସମାଜରେ ଗ୍ଳାନି ଭରିଯାଏ, ଅବକ୍ଷୟ ଦେଖାଦିଏ ଭୟାନକ ଭାବରେ, ସେତେବେଳେ ଦେଶର ଯୁବସମାଜ ସମାଜକୁ ସେଥିରୁ ରକ୍ଷା କରେ । ଯେଉଁ ପ୍ରବାହ ନ ବୋହିବା ହେତୁ ମ୍ୟୁନିସିପାଲିଟିର ନର୍ଦ୍ଦମା ପାଲଟିଯାଏ, ଯୁବସମାଜ ଆପଣାର ତ୍ୟାଗ ବଳରେ ସେଇ ଧାରାକୁ ପୁଣି ପ୍ରବାହିତ କରେ । କିନ୍ତୁ ଦୁର୍ଭାଗ୍ୟବଶତଃ ଆମ ଦେଶର ବରିଷ୍ଠ ବଂଶଧର ନିଜେ ଯେପରି ବିଷରେ ଜର୍ଜରିତ ହୋଇଛନ୍ତି, ଦେଶର ଯୁବସମାଜକୁ ମଧ୍ୟ ସେହି ବିଷରେ ଜର୍ଜରିତ କରିଛନ୍ତି । ଲାଇସେନ୍ସ, କୋଟା, ପରମିଟ କେବଳ ବୟସ୍କମାନଙ୍କୁ ଘାରିନାହିଁ, ଯୁବସମାଜର ଏକ ବିପୁଳାଂଶକୁ ମଧ୍ୟ ଘାରିଛି । ଯେଉଁମାନେ ସେଥିରୁ ମୁକ୍ତ ଏ ପର୍ଯ୍ୟନ୍ତ ରହିଛନ୍ତି ସେମାନେ ଅଭିନନ୍ଦନୀୟ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ବିପ୍ଳବକୁ ଆପଣାର ଆଲେଣ୍ଡା ବା କର୍ମସୂଚୀରେ ରଖିଥିବା ଦଳ, ବ୍ୟକ୍ତି ଏବଂ ଯୁବକମାନେ ମଧ୍ୟ ସେଇ ବିଷରେ ଜର୍ଜରିତ ହୋଇ ପଡ଼ୁଛନ୍ତି । ଏକ ବିପ୍ଳବୀ ସମାଜର ଏକ ଅଂଶବିଶେଷ, ତେଣୁ ସେଥିରୁ ସେ ମୁକ୍ତ ରହି ପାରେନା—ଏଇଭଳି ଏକ ଯୁକ୍ତି କେତେକ ବିପ୍ଳବୀ—ସେମାନଙ୍କର ଦଳ, ଗୋଷ୍ଠୀ ବା ସଭ୍ୟମାନଙ୍କର ଅଧୋପତନର ସମର୍ଥନରେ ଯୁକ୍ତି ବାଢ଼ନ୍ତି । ସେମାନେ ଭୁଲି ଯାଆନ୍ତି ଯେ ପୃଥିବୀରେ ଯେତେବେଳେ କୌଣସି ଦେଶରେ ବିପ୍ଳବ ସଂଘଟିତ ହୋଇଛି ସେତେବେଳେ ଉକ୍ତ ଦେଶରେ ଏକ ଆଦର୍ଶ ସମାଜ ନ ଥିଲା-। ଆଦର୍ଶ ସମାଜ ଥିଲେ ବିପ୍ଳବୀର ଆବଶ୍ୟକତା ପଡ଼ି ନ ଥାନ୍ତା । ଏକ ପଚମାନ ସମାଜରେ ପଙ୍କଜପରି ବିପ୍ଳବୀମାନେ ଏକ ନୂତନ ମୂଲ୍ୟବୋଧ ଏବଂ ଆଦର୍ଶରେ ଆପଣାକୁ ଅନୁପ୍ରାଣିତ କରି ହିଁ ସମାଜରେ ବିପ୍ଳବର ସଂଘଟିତ କରି ଯାଇଛନ୍ତି ।

 

ଶ୍ରୀ ନବକୃଷ୍ଣ ଚୌଧୁରୀ ଏହି ସର୍ବବ୍ୟାପୀ ଅବକ୍ଷୟ ଆଗରେ ଆପଣାକୁ ଅସହାୟ ମନେକରି କ୍ରମଶଃ ଅଧିକରୁ ଅଧିକ ନୈରାଶ୍ୟବାଦୀ ଏବଂ ସିନିକ୍ ହୋଇ ଯାଇଥିଲେ । ଠିକ୍ ସେହିପରି ଏକ ଆଗ୍ନୋଷ୍ଟିକ୍ କିନ୍ତୁ ରୋମାଣ୍ଟିକ ଜବାହରଲାଲ ନେହେରୁ ମଧ୍ୟ ଜୀବନର ଅପରାହ୍ନରେ କ୍ରମଶଃ ମିଷ୍ଟିକ୍ ବା ରହସ୍ୟବାଦୀ ହୋଇଯାଇଥିଲେ ।

 

ଏଇ ଅବକ୍ଷୟ କେବଳ ଭାରତବର୍ଷ ପାଇଁ ପ୍ରଯୁଜ୍ୟ ନୁହେଁ । ଅନେକ ଦେଶରେ ଏଇ ଅବକ୍ଷୟ ବିଭିନ୍ନ ରୂପରେ ଦେଖାଦେଇଛି ଏବଂ ଏହା ଫଳରେ ସାମାଜିକ ଜୀବନ ପ୍ରତିକୂଳ ଗତିରେ ବୋହିବାକୁ ଆରମ୍ଭ କରିଛି । ମଣିଷ ଭିତରେ ଥିବା ପୁରାତନ ସଂସ୍କାର, ଅନ୍ଧବିଶ୍ଵାସ, ପ୍ରତିକ୍ରିୟାଶୀଳ ଚିନ୍ତା ମୁଣ୍ଡ ଟେକିଛି । ଏହି ଅବକ୍ଷୟ ଯୋଗୁଁ ସୋଭିଏଟ ରୁଷ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଛି । ଏହାକୁ ଭାଙ୍ଗିବା ପାଇଁ ସି. ଆଇ. ଏ.ର “ଆବଶ୍ୟକତା” ପଡ଼ିନାହିଁ । ମାର୍ଶାଲ ଟିଟୋଙ୍କ ଯୁଗୋସ୍ଲାଭିଆ ମୁସଲମାନ, ଖ୍ରୀଷ୍ଟିଆନ ଅର୍ନ୍ତଯୁଦ୍ଧରେ ରକ୍ତ ଜୁଡ଼ୁବୁଡ଼ୁ ହୋଇଛି ଏବଂ ଫାସିବାଦର କନସେନଟ୍ରେଶନ କ୍ୟାମ୍ପକୁ ବିରୋଧ କରିଥିବା ବ୍ୟକ୍ତି ବା ସେମାନଙ୍କର ବଂଶଧରମାନେ ଠିକ୍ ସେଇପରି ବା ତା’ଠାରୁ ନଗ୍ନ ବିଭୀଷିକାମୟ କାଣ୍ଡ କରିବା ପାଇଁ ପଛେଇ ନାହାନ୍ତି । ଠିକ୍ ସେଇପରି ଆଲଜେରିଆ ଭଳି ଆଧୁନିକ ରାଷ୍ଟ୍ରରେ ମୌଳବାଦୀମାନେ ନିର୍ବାଚନରେ ବିଜୟ ହାସଲ କରିଛନ୍ତି । ଆଲଜେରିଆର ନାରୀସଂଖ୍ୟା ହେଉଛି ଜନସଂଖ୍ୟାର ଅର୍ଦ୍ଧେକରୁ କିଛି ବେଶୀ । ନାରୀମାନଙ୍କୁ ଦାସତ୍ଵ ଏବଂ ଅନ୍ଧକାର ଭିତରୁ ମୁକ୍ତି ଦେଇଥିବା ଆଧୁନିକ ଆଲଜିରୀୟ ସମାଜରେ ମୌଳବାଦୀମାନଙ୍କର ବିଜୟ କିପରି ସମ୍ଭବ ହେଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି । ଏହା ପ୍ରମାଣିତ କରିଛି ଯେ ଆଦର୍ଶଗତ ମୂଲ୍ୟବୋଧ ବ୍ୟତିରେକେ ଏକ ଆଧୁନିକ ସମାଜ ବହୁକାଳ ଧରି ମଣିଷକୁ ବାନ୍ଧି ରଖିପାରୁ ନାହିଁ । ଇଜିପ୍ଟ ବା ମିଶରରେ ମଧ୍ୟ ସେଇ ଅବସ୍ଥା । ଗାମେଲ ଅବଦୁଲ ନାସେର ମିଶରରେ ଏକ ଆଧୁନିକ ସମାଜ ପ୍ରତିଷ୍ଠା କରିଗଲେ । କିନ୍ତୁ ମୂଲ୍ୟବୋଧର ବିକାଶ ପରିବର୍ତ୍ତରେ ଅବକ୍ଷୟ ଆରମ୍ଭ ହୋଇଥିଲା । ଗୋଟିଏ ଉଦାହରଣରୁ ତାହା ଜଣାପଡ଼ିବ ।

 

ସମସ୍ତେ ଜାଣନ୍ତି ଯେ ସୁଇସ୍ ବ୍ୟାଙ୍କରେ ଜମା ଅର୍ଥ ଗୁପ୍ତ ରଖାଯାଏ । ଏହା ନାମରେ ନରହି କୋର୍ଡ଼ ନମ୍ବରରେ ରହିଥାଏ । ପ୍ରସିଦ୍ଧ ସୁଇସ୍ ଘଣ୍ଟାର ମାର୍କେଟ କମିଯିବା ପରେ ହୋଟେଲ ଏବଂ ଏଇ ସୁଇସ୍ ବ୍ୟାଙ୍କରେ ଡିପୋଜିଟ୍ ଉପରେ ଏହାର ଅର୍ଥନୈତିକ ସ୍ଵଚ୍ଛଳତା ନିର୍ଭର କରୁଛି । ଏହି ଡିପୋଜିଟ୍ ଏକ ଆନ୍ତର୍ଜାତିକ ସ୍କାଣ୍ଡାଲ । କେଉଁ ଦେଶର କେଉଁ ବ୍ୟକ୍ତିମାନେ ଏଥିରେ ଅର୍ଥ ଡିପୋଜିଟ୍ କରିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ରହସ୍ୟମୟ । ଭାରତବର୍ଷ ମଧ୍ୟ ସେ ସ୍କାଣ୍ଡାଲରୁ ମୁକ୍ତ ନୁହେଁ । ବୋଫର୍ସ କମାଣର ଖରିଦରେ କମିଶନ କିଏ କିଏ ନେଇଛନ୍ତି ଏବଂ ସେମାନେ ସୁଇସ୍ ବ୍ୟାଙ୍କରେ କେତେ ଟଙ୍କା ଡିପୋଜିଟ୍ କରିଛନ୍ତି ତାହାର ଅନୁସନ୍ଧାନ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି । ଏଇପରି ଏକ ସ୍କାଣ୍ଡାଲ ଇଜିପ୍ଟରେ ଦେଖାଦେଇଥିଲା । ନାସେର ଖବର ପାଇଲେ ଯେ ତାଙ୍କ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି, ସେନାପତି, ମନ୍ତ୍ରିମଣ୍ଡଳର ସଦସ୍ୟ ଏଇ ସୁଇସ୍ ବ୍ୟାଙ୍କରେ ପ୍ରଚୁର ପରିମାଣରେ ଅର୍ଥ ଡିପୋଜିଟ୍ କରିଛନ୍ତି । ସେ ସୁଇସ୍ ବ୍ୟାଙ୍କକୁ ସେମାନଙ୍କର ତାଲିକା ଦେବାକୁ ଅନୁରୋଧ କଲେ । ସୁଇସ୍ ବ୍ୟାଙ୍କ ସେଥିରେ ରାଜି ହେଲେ ନାହିଁ । ନାସେର ଧମକ ଦେଲେ ଯେ ସୁଇସ୍ ବ୍ୟାଙ୍କ ଯଦି ତାହା କରିବାକୁ ରାଜି ନହୁଏ ତା’ହେଲେ ସେ ତାଙ୍କର ପ୍ରଭାବ ବିସ୍ତାର କରି ସମଗ୍ର ଆରବ ଦେଶମାନଙ୍କର ଏଇ ସୁଇସ୍ ବ୍ୟାଙ୍କରେ ଥିବା ଡିପୋଜିଟମାନଙ୍କୁ ଉଠାଇ ଆଣିବେ-। ଆରବ ଦେଶମାନଙ୍କ ଉପରେ ନାସେରଙ୍କର ଅଖଣ୍ଡ ପ୍ରଭାବ ଏବଂ ଏଇ ଆରବ ଦେଶମାନଙ୍କର କୋଟି କୋଟି ପେଟ୍ରୋ-ଡେଲାର ସୁଇସ୍ ବ୍ୟାଙ୍କରେ ଡିପୋଜିଟ୍ ରହିଛି । ସେ ସବୁ ଯଦି ଉଠାଇ ନିଆଯାଏ ତା’ହେଲେ ସୁଇସବ୍ୟାଙ୍କ ଭୀଷଣ ବିପର୍ଯ୍ୟୟର ସମ୍ମୁଖୀନ ହେବେ । ତେଣୁ ସେମାନେ ଏକ ଅଭିନବ ପ୍ରସ୍ତାବ ଆଗତ କଲେ । ସୁଇସ୍ ବ୍ୟାଙ୍କ ପ୍ରସ୍ତାବ ଦେଲା ଯେ ମିଶରର ଯେତେ ବ୍ୟକ୍ତିଙ୍କର ଡିପୋଜିଟ୍ ରହିଛି ତାକୁ ସଂପୂର୍ଣ୍ଣ ଭାବରେ ପ୍ରକାଶ କରିଦେବେ ଗୋଟିଏ ସର୍ତ୍ତରେ-। ସେ ସର୍ତ୍ତ ହେଉଛି ଯେ ମିଶରର ସବୁ ମୁଖ୍ୟ ସମ୍ବାଦପତ୍ରମାନଙ୍କର ପ୍ରଥମ ପୃଷ୍ଠାରେ ଏହି ସଂପୂର୍ଣ୍ଣ ତାଲିକା ପ୍ରକାଶ ପାଇବ । ସେ ବାବଦରେ ଯାହା ଖର୍ଚ୍ଚ ହେବ ତାହା ସୁଇସ୍ ବ୍ୟାଙ୍କ ବହନ କରିବେ-

 

ଏଇ ପ୍ରସ୍ତାବ ଦେଲା ପରେ ନାସେର ଆଉ ସୁଇସ୍ ବ୍ୟାଙ୍କକୁ ତାଲିକା ମାଗିଲେ ନାହିଁ । କହିବା ବାହୁଲ୍ୟ ଯେ ନାସେର ନିଜେ ଜାଣିଥିଲେ ଯେ ସେ କିମ୍ବା ତାଙ୍କର ପରିବାରବର୍ଗ ମଧ୍ୟ ସୁଇସ୍ ବ୍ୟାଙ୍କରେ ବିପୁଳ ଅର୍ଥ ଡିପୋଜିଟ୍ କରିଛନ୍ତି ।

 

ଭାରତବର୍ଷ ମଧ୍ୟ ସେହିପରି ଏକ ପରିସ୍ଥିତିରୁ ମୁକ୍ତ ନୁହେଁ । ଅବକ୍ଷୟର ନିଦାନ ଜାଣିବା ତେଣୁ ବିଶେଷ କଷ୍ଟକର ନୁହେଁ । କିନ୍ତୁ ଏହାକୁ ଉତ୍ପାଟନ କରିବା ଅଧିକ କଷ୍ଟକର । ସେଥିପାଇଁ ଆଉ ଏକ ବିପ୍ଳବ ଆବଶ୍ୟକ ।

 

ଗାନ୍ଧିବାଦୀ ଶ୍ରୀ ନବକୃଷ୍ଣ ଚୌଧୁରୀ ଉତ୍ତର ଜୀବନରେ ସେହି ଯୋଗୁଁ ପ୍ରଥମେ ସର୍ବୋଦୟ ଆନ୍ଦୋଳନ ଭିତରେ, ପରେ ନକ୍ସଲବାଦୀ ଆନ୍ଦୋଳନ ଭିତରେ, “ସଂପୂର୍ଣ୍ଣକ୍ରାନ୍ତି”ର ବାଟ ଖୋଜୁଥିଲେ । ଆପଣାର ଗାନ୍ଧୀଆଶ୍ରମରେ ସେଇ ଯୋଗୁଁ ତାଙ୍କର ରହିବା ଘରେ ଲେନିନ୍ ଏବଂ ହୋ-ଚି-ମିନଙ୍କର ଫଟୋ ଝୁଲୁଥିଲା । କିନ୍ତୁ ସେତିକିରେ ତ ବିପ୍ଳବ ହୁଏ ନାହିଁ । ଲେନିନଙ୍କର ଅକ୍ଟୋବର ବିପ୍ଳବର ଅବସ୍ଥା ଦେଖିବା ପାଇଁ ନବବାବୁ ବଞ୍ଚିଥିଲେ ତାଙ୍କର ନୈରାଶ୍ୟ ବା ଫ୍ରଷ୍ଟ୍ରେସନ ଆହୁରି ବଢ଼ି ଯାଇଥାନ୍ତା । କିନ୍ତୁ ନବବାବୁ ଯେ ସ୍ଵାଧୀନତା ପରବର୍ତ୍ତୀ ଅବକ୍ଷୟରେ ତୀବ୍ର ଅସନ୍ତୁଷ୍ଟ ଥିଲେ ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ବିକଳ୍ପ ପଥ ପାଇବା ତାଙ୍କ ପକ୍ଷରେ ସମ୍ଭବ ହୋଇନଥିଲା । ବିକଳ୍ପ ପଥର ସନ୍ଧାନ ଭାରତବର୍ଷରେ ଏ ପର୍ଯ୍ୟନ୍ତ ମିଳି ନାହିଁ । ଯେଉଁମାନେ ଆଜି ଏକ ବିକଳ୍ପ ପନ୍ଥା କଥା କହୁଛନ୍ତି ସେମାନେ କାଲି ଗୋଷ୍ଠୀବିବାଦ, ନ୍ୟସ୍ତସ୍ଵାର୍ଥର ଶିକାର ହୋଇଯାଉଛନ୍ତି । ଯେଉଁ ସମାଜସେବୀମାନେ ଭାରତବର୍ଷର ବାମପନ୍ଥୀ ଆନ୍ଦୋଳନକୁ ବିକଳ୍ପ ବୋଲି ଗ୍ରହଣ କରିଥିଲେ, ସେମାନଙ୍କର ଅବସ୍ଥା ଆଜି କଣ ? ଏକଦା ସୋସାଲିଷ୍ଟ ପାର୍ଟି ଏବଂ ଏହାର ଆନ୍ଦୋଳନ ଭାରତବର୍ଷରେ ବେଶ୍ ପ୍ରଭାବ ବିସ୍ତାର କରିଥିଲା । ଆଚାର୍ଯ୍ୟ ନରେନ୍ଦ୍ର ଦେବ, ଡ: ରାମ ମନୋହର ଲୋହିଆ, ଜୟପ୍ରକାଶ ନାରାୟଣ ପ୍ରଭୃତି ଏକ ବିକଳ୍ପ “ରାସ୍ତା” ଦେଖାଇଥିଲେ-। କିନ୍ତୁ ଏହି ରାସ୍ତା ଏକ ଅନ୍ଧଗଳିରେ ପରିଣତ ହେଲା ଏବଂ ଏକଦା ସୋସାଲିଷ୍ଟ ପାର୍ଟିର ଅବଶିଷ୍ଟ ନାୟକମାନେ ଛିନଛତ୍ର ହୋଇ ବିଭିନ୍ନ ଦଳରେ ଆଶ୍ରୟ ଗ୍ରହଣ କରିଛନ୍ତି । ଠିକ୍ ସେହିପରି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଅବସ୍ଥା କୋହେଶନ୍ ବା ଆପଣାର ଐକ୍ୟ ପାଇଁ ଖ୍ୟାତ ଏଇ ଦଳ ବର୍ତ୍ତମାନ ବହୁଧା ବିଭକ୍ତ । ଅଗଣିତ କର୍ମୀ ଓ ନେତାଙ୍କର ବଳିଦାନରେ ପୁଷ୍ଟ ଏଇ ଦଳ କ୍ରମଶଃ ଆପଣାର “ବାଇଟିଙ୍ଗ ଟିଥ୍” ବା କାମୁଡ଼ାଦାନ୍ତକୁ ହରାଇ ବସିଲା ଓ ଦ୍ଵିଧା ବିଭକ୍ତ ହୋଇଗଲା-। ଏହାର ଏହି ବିପର୍ଯ୍ୟୟ କମ୍ୟୁନିଷ୍ଟ ବିରୋଧୀ ଆଚାର୍ଯ୍ୟ ତ୍ରିପଲାନୀକୁ ମଧ୍ୟ ବାଧିଲା ଏପରି ଭାବରେ ଯେ ସେ ଏକ ଲେଖାର ନାମକରଣ କଲେ “କାଲିର ବିପ୍ଳବୀମାନେ ଆଜି ଭଦ୍ରଲୋକ” (Revolutionaries of yesterday have become gentleman of today) । ଠିକ୍ ସେହିପରି ଅବସ୍ଥା ନକ୍ସଲବାଦୀ ଆନ୍ଦୋଳନର । ଏହି ଆନ୍ଦୋଳନର କର୍ମୀ ବା ନେତାମାନଙ୍କର ଆପଣା ଦେଶପ୍ରେମ ସମ୍ପର୍କରେ କାହାରି ସନ୍ଦେହ ନାହିଁ । କିନ୍ତୁ କେବଳ ସେତିକି ଯଥେଷ୍ଟ ନୁହେଁ । ଯଥେଷ୍ଟ ହୋଇଥିଲେ ଏହି ଆନ୍ଦୋଳନ ବହୁଧା ବିଭକ୍ତ ହୋଇ ଯାଇନଥାନ୍ତା-। ଏହା ପ୍ରମାଣ କରୁଛି ଯେ ଏ ସବୁ ସତ୍ତ୍ୱେ ଭାରତୀୟ ସମାଜ ପାଇଁ ଏକ ଯଥାର୍ଥ ବିକଳ୍ପର ରାସ୍ତା କେହି ନେବା ପାଇଁ ସକ୍ଷମ ହୋଇପାରୁନାହାନ୍ତି । ସେମାନଙ୍କର ତ୍ୟାଗ, ପ୍ରଚେଷ୍ଟା, ବଳିଦାନ ସତ୍ତ୍ୱେ ଅଗ୍ରଗତି ସମ୍ଭବ ହୋଇପାରୁନାହିଁ । ସମାଜରେ ଏକ ବୈପ୍ଳବିକ ପରିସ୍ଥିତି ନାହିଁ । ମୃତ୍ୟୁର କିଛିଦିନ ପୂର୍ବରୁ ଏକଦା ଅବିଭକ୍ତ କମ୍ୟୁନିଷ୍ଟ ଆନ୍ଦୋଳନର ସମ୍ପାଦକ ଶ୍ରୀ ପି.ସି.ଯୋଶୀ ଏଇ ଲେଖକକୁ ସେହି ଖେଦୋକ୍ତି ପ୍ରକାଶ କରି କହିଥିଲେ ଯେ ଦୁର୍ଭାଗ୍ୟବଶତଃ ବୈପ୍ଳବିକ ପରିସ୍ଥିତି ଦେଶରେ ନାହିଁ । ଥିଲେ, ଏକ ଭଗ୍ନ ହୃଦୟ (Broken heart) ନେଇ ସେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁନଥାନ୍ତେ । ଠିକ୍ ସେଇପରି ଏକ ଉକ୍ତି ଏଇ ଲେଖକ ଶୁଣିବାକୁ ପାଇଥିଲା ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କଠାରୁ । କଣ ଲାଭ ଆପଣାର ସ୍ମୃତି ଲେଖି ? ସେ ସବୁ ତ ମଇଳାଗଦାର ବସ୍ତ୍ର । ମୃତ୍ୟୁର କିଛି ସମୟ ପୂର୍ବରୁ ଏଇ ଲେଖକର ଜଣେ ସିନିଅର ସହଯୋଦ୍ଧା କହିଲେ ଯେ, “ବୟସ ହୋଇଗଲା, ସମୟ ମଧ୍ୟ ଗଡ଼ିଗଲା, କଣ ଗୋଟାଏ ଗଣ୍ଡଗୋଳ ହୋଇଗଲା । ତା’ଭିତରେ କେବଳ ଆମେ ବର୍ତ୍ତମାନ ମାର୍କିଂ ଅଫ୍ ଟାଇମ କରି ଲେପ୍ଟ ରାଇଟ କରିଚାଲିଛୁ । ଫରୱାର୍ଡ଼ ମାର୍ଚ୍ଚ ଆମେ ଆଉ କରିବାକୁ ଅକ୍ଷମ । କାରଣ ଜୀବଦ୍ଦଶାକୁ ଯଦି କେତେଟା ନିର୍ବାଚନରେ ହିଁ ସୀମିତ କରି ଦିଆଯାଏ ତା’ହେଲେ କେବଳ ଆଗାମୀ ନିର୍ବାଚନରେ କେତେଟା ସ୍ଥାନ ଜିତିବୁ ।

 

ସେଇଥିରେ ହିଁ ଆମର କାମ ଶେଷ” । ସତକୁ ସତ ଏଇ ପ୍ରତିଭାଶାଳୀ ବିପ୍ଳବୀର ଆଉ ଗୋଟିଏ ନିର୍ବାଚନ ଦେଖିବା ପୂର୍ବରୁ ପରଲୋକ ହୋଇଗଲା ।

 

ଭାରତବର୍ଷର ସବୁ ବିପ୍ଳବୀ ଆସିଛନ୍ତି ମଧ୍ୟବିତ୍ତ ପରିବାର ବା ତଦୁର୍ଦ୍ଧ୍ଵ ପରିବାରରୁ । ସେମାନେ କହିଛନ୍ତି ସାଧାରଣ ମଣିଷର କଥା । କିନ୍ତୁ ଏଇ ମଣିଷ ସହିତ ସେମାନଙ୍କର କଣ ସମ୍ପର୍କ ରହିଛି ? ସବୁ ନେତାମାନଙ୍କର ଜୀବନଧାରଣର ମାନ ସହିତ ସାଧାରଣ ମଣିଷର ଜୀବନଧାରଣର ମାନର ସମ୍ପର୍କ ଏବଂ ବ୍ୟବଧାନ କେତେ ?

 

ଏହି ଅବକ୍ଷୟ କଣ ଠିକ୍ ସ୍ଵାଧୀନତା ପରଠାରୁ ଆରମ୍ଭ ହେଲା ନାଁ ତା’ ପୂର୍ବରୁ ମଧ୍ୟ ଦେଖା ଦେଇଥିଲା ? ଶ୍ରୀ ନବକୃଷ୍ଣ ଚୌଧୁରୀ ଗୋଟିଏ ଭଲକଥା କହୁଥିଲେ । ସେ କହୁଥିଲେ ଯେ ଆମେ ସ୍ଵାଧୀନତା ପାଇଲା ବେଳେ ପାଇଲୁ ଏକ ରନିଙ୍ଗ ମେସିନାରୀ ଅର୍ଥାତ୍ ଚଳୁଥିବା ଯନ୍ତ୍ର । ଏହା ଫଳରେ ଶାସନ ଚଳାଇବା ପାଇଁ ଆମକୁ ସୁବିଧା ହେଲା । କିନ୍ତୁ ଏହା ଫଳରେ ଏକ ବିରାଟ କ୍ଷତି ମଧ୍ୟ ହେଲା । ସେ କ୍ଷତି ହେଉଛି ଯେ ଭଲ ଆଉ ଭେଲର ପରଖ ହେଲା ନାହିଁ । କେବଳ ସାଇନ୍ ବୋର୍ଡ଼ ବଦଳି ଗଲା । ଗୋଟାଏ ବିପ୍ଳବ ଭିତରେ ସ୍ଵାଧୀନତା ଆସିଥିଲେ ଦୁଇଟା କଥା ହୋଇଥାନ୍ତା ନେତୃତ୍ଵର ପରଖ ଯେପରି ଶାଣିତ ହୋଇ ଯାଇଥାନ୍ତା ଠିକ୍ ସେଇପରି ଶାସନକଳରେ ଥିବା ବ୍ୟକ୍ତିମାନଙ୍କର ମଧ୍ୟ ପରଖ ହୋଇ ଯାଇଥାନ୍ତା । କିନ୍ତୁ କେବଳ ଉପର ସ୍ତରରେ କିଛି ପରିବର୍ତ୍ତନ ହେବା ଛଡ଼ା ଆଉ ବାକି ସମସ୍ତେ ସେଇପରି ରହିଗଲେ । ଗାଁ ଚୌକୀଦାରଠାରୁ ଆରମ୍ଭ କରି ସର୍ବୋଚ୍ଚ ସେନାଧ୍ୟକ୍ଷ, ସର୍ବୋଚ୍ଚ ବିଚାରପତି, ସର୍ବୋଚ୍ଚ ଅଫିସର ପର୍ଯ୍ୟନ୍ତ । ନବଲବ୍ଧ ସ୍ଵାଧୀନତାର ଆଦର୍ଶ ପ୍ରତି କାହାର କ’ଣ କମିଟମେଣ୍ଟ ରହିଛି ତାହାର କୌଣସି ପରଖ ହେଲା ନାହିଁ ।

 

କଥାଟି ସମ୍ପୂର୍ଣ୍ଣ ସତ୍ୟ । ଏବେ ଆମ ସମ୍ବିଧାନରେ ବହୁ ସଂଶୋଧନ ହେବା ଆବଶ୍ୟକ ପଡ଼ିଲା ପରେ ଏବଂ ପଞ୍ଚାୟତରାଜ ସମଗ୍ର ଶାସନ ଢାଞ୍ଚାକୁ ବଦଳାଇ ଦେବାର ଉପକ୍ରମ ଆରମ୍ଭ ହେଲାବେଳେ, ନେତାମାନେ ଗାନ୍ଧିଜୀଙ୍କର ବାଣୀକୁ ଉଦ୍ଧାର କରୁଛନ୍ତି । ଗାନ୍ଧିଜୀ କହିଥିଲେ ବ୍ରିଟିଶ ପାର୍ଲିଆମେଣ୍ଟାରୀ ପଦ୍ଧତି ଆମର ଅନୁକରଣୀୟ ନୁହେଁ । ତାହା ଏକ କେନ୍ଦ୍ରୀଭୂତ ଶାସନ । ପଞ୍ଚାୟତରାଜ ହେଉଛି କ୍ଷମତାର ବିକେନ୍ଦ୍ରୀକରଣ । ତାହା ହିଁ ଆମର ପ୍ରକୃତ ପନ୍ଥା ।

 

ଶ୍ରୀ ନବକୃଷ୍ଣ ଚୌଧୁରୀ ଆଜିକୁ ୪୦ ବର୍ଷ ତଳେ ପଞ୍ଚାୟତରାଜ ଏବଂ ଜିଲ୍ଲା ପରିଷଦର ଶୁଭ ଦେଇ ଯାଇଛନ୍ତି, ସେ କଥା କେହି କହୁନାହାନ୍ତି । କାରଣ ସେ କଥା କହିଲେ ଆପଣାର ଅରିଜିନାଲିଟି ବା ନୂତନତ୍ଵ ରହିବ ନାହିଁ । ଏବଂ ଏତେକାଳ ଧରି ଏକ ଅଚଳ ହୋଇ ଯାଉଥିବା ଶାସନକଳକୁ ଜାବୋଡ଼ି ଧରିବାର ପାପରେ ମଧ୍ୟ ସେମାନେ ଭାଗୀଦାର ହେବେ । ଏବେ କୁହାଯାଉଛି ଯେ ଅମୁକ ନେତା, ଅମୁକ ଦଳ ପଞ୍ଚାୟତରାଜର ଜନକ । ନିର୍ଲ୍ଲଜତା ଏବଂ ମିଥ୍ୟାର ଏକ ସୀମା ରହିବା ଉଚିତ । ଲିପିବଦ୍ଧ ଇତିହାସକୁ ଜନସ୍ମୃତିର କ୍ଷୀଣତା ଉପରେ ନିର୍ଭରକରି ଲିଭାଇ ଦେଇ ହେବ ନାହିଁ ।

 

ସମ୍ବିଧାନ ଏକ ଡାଇନାମିକ ବସ୍ତୁ । ଏହା ଷ୍ଟାଗ୍‍ନାଣ୍ଟ ବା ଅଚଳ ନୁହେଁ । ସେଇପରି ତଥାକଥିତ ପବିତ୍ର ମଧ୍ୟ ନୁହେଁ । ଦେଶର ଜନସାଧାରଣଙ୍କର ଆକାଂକ୍ଷା ଏବଂ ଅଭିଲିପ୍ସାର ଏହା ପ୍ରତିଫଳନ ଏବଂ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଯେଉଁମାନେ ଏହାର ପ୍ରତିନିଧିତ୍ଵ କରୁଥିଲେ ସେମାନଙ୍କର ନିଜସ୍ଵ ମତ ଏଥିରେ ପ୍ରକାଶ ପାଇଛି । ଏହା ପରିବର୍ତ୍ତିତ ପରିସ୍ଥିତି, ପରିବର୍ତ୍ତିତ ଆକାଂକ୍ଷା ଏବଂ ଅଭିଲିପ୍ସାରେ ପରିବର୍ତ୍ତିତ ହେବାକୁ ବାଧ୍ୟ । ତେଣୁ ସମ୍ବିଧାନର ପରିବର୍ତ୍ତନ ଦାବି କରିବା ବା ସମ୍ବିଧାନର ଆମୂଳଚୂଳ ସଂଶୋଧନ ଦାବି କରିବା ଦେଶଦ୍ରୋହ କାର୍ଯ୍ୟ ହୋଇ ନପାରେ-। କିନ୍ତୁ କ୍ଷମତାରେ ଥିବା ଶାସକମାନେ ନିଜର ସ୍ଵାର୍ଥ ହାସଲ କରୁଥିବା ପର୍ଯ୍ୟନ୍ତ ସମ୍ବିଧାନ ସମ୍ପର୍କରେ କୌଣସି ପ୍ରଶ୍ନ ଉଠାଇବାକୁ ମଧ୍ୟ ଦେଶଦ୍ରୋହ ବୋଲି ଆଖ୍ୟା ଦେଇଛନ୍ତି । ପରେ ଯେତେବେଳେ ତାଙ୍କୁ ସମ୍ବିଧାନର କୌଣସି କଥା ସୁହାଇ ନାହିଁ ସେତେବେଳେ ସମ୍ବିଧାନର ସଂଶୋଧନ ହୋଇଛି ବା ସମ୍ବିଧାନକୁ ଉଲଙ୍ଘନ କରାଯାଇଛି ନଗ୍ନ ଭାବରେ ।

 

ସମ୍ବିଧାନ ସଭାରେ ଭାରତବର୍ଷର ବହୁ ପଣ୍ଡିତ ଥିଲେ । ସେମାନଙ୍କ ମଧ୍ୟରୁ ଅନେକ, ପଣ୍ଡିତ ଜବାହରଲାଲଙ୍କଠାରୁ ଆରମ୍ଭ କରି ଡକ୍ଟର ଆମ୍ବେଦକରଙ୍କ ପର୍ଯ୍ୟନ୍ତ, ବ୍ରିଟିଶ ପାର୍ଲାମେଣ୍ଟାରୀ ଗଣତନ୍ତ୍ର ପ୍ରତି ଭୀଷଣ ଅନୁରାଗୀ ଥିଲେ । ଦେଶର ସାଧାରଣ ମଣିଷ ପ୍ରତି ସେମାନଙ୍କର ଏକ ରୋମାଣ୍ଟିକ ବା ଦାର୍ଶନିକ ଅନୁରାଗ ଥିଲା । କିନ୍ତୁ ସେମାନଙ୍କ ସହିତ ସମ୍ପର୍କ ଥିଲା ସେମାନଙ୍କର ବହୁତ କମ୍ । ଭାରତର କେତୋଟି ଶ୍ରମିକ ବା ଛୋଟ ଚାଷୀ, କେତୋଟି କିରାଣୀ ବା ଅଧ୍ୟାପକ ଭାରତୀୟ ସମ୍ବିଧାନ ସଭାର ସଭ୍ୟ ଥିଲେ ? ଅନେକେ ହୁଏତ ଦରିଦ୍ର ପରିବାରରେ ଜନ୍ମ ହୋଇଥିଲେ କିନ୍ତୁ ସମ୍ବିଧାନର ଚିଠା ବେଳକୁ ସେମାନଙ୍କର ସେ ଦାରିଦ୍ର୍ୟ ସହିତ କୌଣସି ସମ୍ପର୍କ ନଥିଲା । ଥିଲା ଏକ ନୋଷ୍ଟାଲଜିଆ ମାତ୍ର । ଭାରତର ଜାତୀୟ ଆନ୍ଦୋଳନ ମଧ୍ୟ ଏପରି ଭାବରେ ପ୍ରବାହିତ ହୋଇଥିଲା ଯେ ସାଧାରଣ ମଣିଷ ସେଥିରେ ସୈନିକ ଥିଲା କିନ୍ତୁ କ୍ଵଚିତ କ୍ଷେତ୍ରରେ ସେ ସେନାପତିତ୍ଵ ଗ୍ରହଣ କରିବାର ସୁଯୋଗ ପାଇଥିଲା । ନେତୃତ୍ଵ ସବୁ ଦଳ, ଗୋଷ୍ଠୀ ମଧ୍ୟରେ ସୀମିତ ରହିଥିଲା— ସମ୍ଭ୍ରାନ୍ତ, ଉଚ୍ଚ ଶିକ୍ଷିତ, ସାଆଁତିଆ ଲୋକଙ୍କ ଭିତରେ । ସେମାନଙ୍କ ମଧ୍ୟରେ ଅନେକ ଉଦାରଚେତା ଥିଲେ । ସାଧାରଣ ମଣିଷ ପ୍ରତି ସେମାନଙ୍କର ଦରଦ ଥିଲା ବହୁତ । କିନ୍ତୁ ସେ ଦରଦ ହେଉଛି ସାଆଁତିଆ ଦରଦ । ସେ ନେତା, ସେ ବେନିଫାକ୍ଟର ଏବଂ ସାଧାରଣ ମଣିଷ ତାଙ୍କର ନେତୃତ୍ଵରେ ପରିଚାଳିତ ଏବଂ ସେ ହେଉଛି ବେନିଫିସିଆରୀ । ଦାତା ଓ ଗ୍ରହୀତା ଭିତରେ ଯେଉଁ ଗ୍ୟାପ ରହିଯାଏ, ଯେଉଁ ବ୍ୟବଧାନ ରହିଯାଏ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ପ୍ରତିଫଳିତ ହେଉଛି ସରକାରୀ ଫାଇଲରେ, ଉନ୍ନୟନମୂଳକ କାର୍ଯ୍ୟରେ । ଜନସାଧାରଣଙ୍କ ପାଇଁ ଯେଉଁ ସବୁ ସାମାଜିକ ଜନମଙ୍ଗଳ କାର୍ଯ୍ୟ ବା ଯୋଜନା ଚାଲିଛି ସେ ସବୁଥିରେ ଏଇ ବେନିଫାକ୍ଟର—ବେନିଫିସିଆରୀ ଶବ୍ଦ ରହିଛି । ବେନିଫିସିଆରୀ ହେଉଛନ୍ତି ଆଧୁନିକ ଯୋଜନାରେ ଟାର୍ଜେଟ୍ ଗ୍ରୁପ୍-। ସେମାନଙ୍କର କଲ୍ୟାଣ ପାଇଁ, ସେମାନଙ୍କର ସେବାପାଇଁ ଆସୁଛନ୍ତି ସୁଟ୍ ଟାଇ ପିନ୍ଧି ଉଚ୍ଚ ଡିଗ୍ରୀଧାରୀ ବ୍ୟକ୍ତିମାନେ, ଆସୁଛନ୍ତି ଉଡ଼ାଜାହାଜରେ, ରହୁଛନ୍ତି ପଞ୍ଚତାରକା (ଷଷ୍ଠ ତାରକା ନଥିଲେ) ହୋଟେଲରେ ଏବଂ ସେମାନଙ୍କର ଟାର୍ଜେଟ୍ ଗ୍ରୁପ୍ ହେଉଛନ୍ତି ସ୍ଳମରେ ଥିବା ଜନସାଧାରଣ । ସେମାନଙ୍କୁ ‘ଉଦ୍ଧାର’ କରିବା ପାଇଁ ଏହି ଅବତାରମାନେ ହଜାର ହଜାର ଟଙ୍କା ଦରମା ପାଆନ୍ତି । ସ୍ଳମରୁ ଫେରି ସେମାନେ ଲାଭେଣ୍ଡର ଢାଳି ହୁଅନ୍ତି ଦେହରେ । ସ୍ଳମ ଭିତରେ ଏମାନେ ଦିନେ ମଧ୍ୟ ରହିପାରିବେ ନାହିଁ । ଏହା ସତ୍ତ୍ୱେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ ଜନକଲ୍ୟାଣ ପାଇଁ । ଗଣର କଲ୍ୟାଣ ହେଉ ବା ନହେଉ କେତେଜଣଙ୍କର କଲ୍ୟାଣ ନିଶ୍ଚିତ ଭାବରେ ହୋଇଯିବ । ଏଥିରେ କୌଣସି ଆଦର୍ଶଗତ କମିଟମେଣ୍ଟ ନାହିଁ, ଆଇଡ଼ିଓଲେଜି ନାହିଁ-। ଏହା ହେଉଛି ପ୍ରଫେସନାଲ ଜନସେବା ।

 

ଜନସେବାର ଏଇ ପ୍ରଫେସନାଲିଜମ୍ କିଛି ପରିମାଣରେ ଭାରତୀୟ ଜାତୀୟ ଆନ୍ଦୋଳନ ଭିତରେ ଅଙ୍କୁର ଭାବରେ ରହିଥିଲା । ସାଧାରଣ ମଣିଷ ପାଇଁ ଏକ ୟୁଟୋପିଆନ୍ ଇମୋସନାଲିଜମ ଭାରତବର୍ଷର ଲିବରାଲ ନେତୃତ୍ଵ ଭିତରେ ବେଶ ଜମାଟ ବାନ୍ଧିଥିଲା । ସେଇ ଯୋଗୁଁ ଗାନ୍ଧିଜୀଙ୍କର ଅନେକ କଥାକୁ ସେମାନେ ଗ୍ରହଣ କଲେନାହିଁ । ସ୍ଵାଧୀନତାର କୌଣସି ସ୍ଵାଦ ଗାନ୍ଧିଜୀଙ୍କ ପାଇଁ ନ ଥିଲା । ଦୂରଦ୍ରଷ୍ଟା ଭାବରେ ଏବଂ ସାଧାରଣ ମଣିଷର ଚିନ୍ତା, ଆଶା, ଆକାଂକ୍ଷା ଜାଣି ପାରୁଥିବା ମଣିଷ ଭାବରେ ସେ ଭାରତର ଭବିଷ୍ୟତ ପ୍ରତି ସନ୍ଦିହାନ ହୋଇ ଉଠିଥିଲେ । ସେଇଯୋଗୁଁ ସେ ପରୀକ୍ଷାମୂଳକ ଭାବରେ ଜାତୀୟ କଂଗ୍ରେସକୁ ରାଜନୈତିକ ଦଳ ଭାବରେ ଭାଙ୍ଗିଦେଇ ଏକ ସେବା ଅନୁଷ୍ଠାନରେ ପରିଣତ କରିବାକୁ ଚାହିଁଥିଲେ । କିନ୍ତୁ ଆସନ୍ନ କ୍ଷମତାର ଲୋଭରୁ ଆଉ ଭାବୀ ଶାସକମାନେ ଆପଣାକୁ ନିବୃତ୍ତ କରି ରଖି ପାରିଲେ ନାହିଁ । ଗାନ୍ଧିଜୀ ପ୍ରସ୍ତାବ ଦେଇଥିଲେ ଯେ ଜିନ୍ନାଙ୍କୁ ଭାରତର ପ୍ରଧାନମନ୍ତ୍ରୀ କରାଯାଇ ଦେଶକୁ ବିଭକ୍ତ ନ କରି ଏକାଠି ରଖାଯାଉ । ଏହି ପ୍ରସ୍ତାବ କଂଗ୍ରେସ ଗ୍ରହଣ କରିଥିଲେ ଦେଶ ବିଭକ୍ତ ହୋଇ ନ ଥାନ୍ତା ଏବଂ ସମଗ୍ର ଦେଶର ରୂପରେଖ ବଦଳି ଯାଇଥାନ୍ତା । କାରଣ ୧୯୪୮ର ଅଗଷ୍ଟ ପନ୍ଦର ଦେଖିବାକୁ ଜିନ୍ନା ନଥାନ୍ତେ ଏବଂ ହୁଏତ ଆମକୁ ଗାନ୍ଧିଜୀଙ୍କୁ ହରାଇବାକୁ ପଡ଼ିନଥାନ୍ତା ! କିନ୍ତୁ ଜାତୀୟ କଂଗ୍ରେସ କାହିଁକି ଏ ପ୍ରସ୍ତାବ ଗ୍ରହଣ କଲା ନାହିଁ ? କାରଣ ପୂର୍ଣ୍ଣ କ୍ଷମତା ପାଇବାର ଉପକଣ୍ଠରେ ଦୀର୍ଘକାଳ ଧରି ଲଢ଼ିଥିବା ସଂଗ୍ରାମୀମାନେ ଆଉ ବିନା କ୍ଷମତାରେ ଅଧିକକାଳ ରହିବା ପାଇଁ ଇଚ୍ଛୁକ ନଥିଲେ । କ୍ଷମତା ମଣିଷର ଏକ ସ୍ଵାଭାବିକ ଆକାଂକ୍ଷା ଏପରିକି ସାମ୍ୟ ବା ସମାନତାରେ ବିଶ୍ଵାସ କରୁଥିବା ଅନେକ ବ୍ୟକ୍ତିଙ୍କର ଲୁକ୍କାୟିତ କାମନା ହେଉଛି ସମସ୍ତେ ସମାନ ହୁଅନ୍ତୁ କିନ୍ତୁ ନିଜକୁ ମିଶାଇ କିଛି ଲୋକ ଟିକିଏ ଅଧିକା ସମାନ ହୁଅନ୍ତୁ । ମଣିଷର ଏଇ ଆଦିମ ପ୍ରବୃତ୍ତି ଆନିମାଲ ଫାର୍ମ ଉପନ୍ୟାସରେ ଚମତ୍କାର ଭାବରେ ବର୍ଣ୍ଣିତ ହୋଇଛି । ସବୁ ପଶୁ ସମାନ, କେବଳ କେତେକ ଅଧିକା ସମାନ । ଏଇ ଅଧିକା ସମାନର ପ୍ରଚେଷ୍ଟା ସ୍ଵାଧୀନତା ଆନ୍ଦୋଳନ ଭିତରେ ବି ଦେଖାଯାଇଥିଲା । ଯେଉଁ ଉଦାରପନ୍ଥୀ ବା ମଡ଼ରେଟମାନେ ଆନ୍ଦୋଳନାତ୍ମକ ପନ୍ଥା ପରିହାର କରି ଶାସନଗାଦୀକୁ ଗଲେ, ସେମାନଙ୍କର ଚରମପନ୍ଥୀମାନଙ୍କ ସହିତ କଣ ମୌଳିକ ମତ ଭେଦ ରହିଥିଲା ? ଏବଂ ସବୁ ଉଦାରପନ୍ଥୀମାନେ ଉଦାର କିନ୍ତୁ ସାଆଁତିଆ ପ୍ରକୃତିର ବ୍ୟକ୍ତି ଥିଲେ । ସେମାନଙ୍କର ପ୍ରତିଭା ସହିତ ଏହି ଅଧିକା-ସାମ୍ୟର ମନୋଭାବ ଜଡ଼ିତ ରହିଥିଲା । ଜାତୀୟ ଆନ୍ଦୋଳନ ଏକ ପ୍ରବାହ । ଏହି ପ୍ରବାହ ଭିତରେ ଇମିତି ଅନେକ ବ୍ୟକ୍ତି ଥିଲେ ଯେଉଁମାନେ ଜାତୀୟ ଆନ୍ଦୋଳନ ଭିତରେ ଥିଲେ ସତ୍ୟ କିନ୍ତୁ ନିଜର ପ୍ରକୃତି ସେଇପରି ରହିଥିଲା । ଜାତୀୟ ଆନ୍ଦୋଳନ ବହୁ ଡକାୟତକୁ ଜନନାୟକରେ ପରିଣତ କରିଛି । ଏହାର କାଉଁରୀ ସ୍ପର୍ଶରେ ବହୁ ଅସାମାଜିକ ବ୍ୟକ୍ତି ସାମାଜିକରେ ପରିଣତ ହୋଇଛନ୍ତି । କିନ୍ତୁ ଏଇ ସମ୍ଭ୍ରାନ୍ତ, ସାଆଁତିଆମାନଙ୍କର ଚରିତ୍ରରେ ପରିବର୍ତ୍ତନ ଘଟିନାହିଁ । ଜଣେ ଡକାୟତ ସନ୍ନ୍ୟାସୀ ପାଲଟି ଯାଇପାରେ କାରଣ ଦୁଇଟାଯାକ ଆତ୍ମ-ନିଗ୍ରହ ଉପରେ ପ୍ରତିଷ୍ଠିତ । କିନ୍ତୁ ସିନ୍ଧିଚୋର ବା ପକେଟମାରର ଚରିତ୍ରରେ ପରିବର୍ତ୍ତନ ହେବା ଅତ୍ୟନ୍ତ କଷ୍ଟକର ବ୍ୟାପାର । ସ୍ଵାଧୀନତା ଆନ୍ଦୋଳନ ଭିତରେ ରହିଥିବା ଏଇ “ମହାପୁରୁଷ”ମାନେ ପରବର୍ତ୍ତୀ ଜୀବନରେ ମୂଲ୍ୟବୋଧର ଅବକ୍ଷୟ ପାଇଁ ବହୁ ପରିମାଣରେ ଦାୟୀ । କାରଣ ମୁକ୍ତି ଆନ୍ଦୋଳନ ଭିତରେ ମଧ୍ୟ ଏମାନଙ୍କର ସେଇ ଚରିତ୍ର ରହିଥିଲା । ଓଡ଼ିଶାରେ ଏଇମାନଙ୍କ ସମ୍ପର୍କରେ ବିପ୍ଳବୀ ବନ୍ଦି କବି ଜେଲଖାନା ଭିତରେ ମଧ୍ୟ ଆପଣାର ମନ୍ତବ୍ୟ ଲିପିବଦ୍ଧ କରି ଯାଇଥିଲେ । ତାଙ୍କର ଐତିହାସିକ କବିତା “ତୁମେ କେତେଜଣ ଜୀବନକୁ ପାଣି ଛଡ଼ାଇ ନଦେଲେ ଚଳିବକି ?” ରେ ସେ “ଗେରୁଆ ବସନ, ମଧୁର ବଚନ, ତୁମେ ଶୁଣି ତାହା ଭୁଲିବକି ?” ବୋଲି ଚେତାବନୀ ଦେଇ ଯାଇଥିଲେ । ଏହା କେବଳ ଓଡ଼ିଶା ପାଇଁ ପ୍ରଯୁଜ୍ୟ ନଥିଲା । ସମଗ୍ର ଭାରତବର୍ଷ ପାଇଁ ଏହା ସେଇପରି ସତ୍ୟ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ ସବୁ ବିକାଶଶୀଳ ଦେଶମାନଙ୍କରେ ଏହା ଊଣା ଅଧିକେ ସତ୍ୟ । ଏବଂ ଅନେକ ସମାଜବାଦୀ ଦେଶରେ ମଧ୍ୟ ଏହି ଅବକ୍ଷୟ ଦେଖା ଦେଇଛି । ଫରକ ଏତିକି ଯେ ସମାଜବାଦୀ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଲା ଇଉରୋପରେ କିନ୍ତୁ ଭୁଷୁଡ଼ି ପଡ଼ିବା ପାଇଁ ଯେତିକି ଓଜନ ଦରକାର ତାହା ମଧ୍ୟ ଆମର ନାହିଁ । କୋଠାଘର ହେଲେ ଭୁଷୁଡ଼ି ପଡ଼ିବ । କିନ୍ତୁ ତାଳପଟିରେ ଘର ହୋଇଥିଲେ ଭୁଷୁଡ଼ି ପଡ଼ିବ ନାହିଁ, ଉଡ଼ିଯାଇପାରେ ଅବା !

 

ମୂଲ୍ୟବୋଧର ଅବକ୍ଷୟ ପ୍ରଥମେ ଦେଶର ନେତୃବୃନ୍ଦଙ୍କୁ ଗ୍ରାସ କଲା । ରାଜନୈତିକ ନେତାମାନେ ହେଲେ ଏହାର ପ୍ରଥମ ଶିକାର । ଭାରତବର୍ଷର ବୁରୋକ୍ରାସି ବା ଅମଲାତନ୍ତ୍ର ଖୁବ୍ ବିଚକ୍ଷଣ ଏବଂ ଶକ୍ତିଶାଳୀ । ଏହି ବୁରୋକ୍ରାସି ଆମେ ପାଇଛୁ ଉତ୍ତରାଧିକାରୀ ସୂତ୍ରରେ ବ୍ରିଟିଶ ମାନଙ୍କଠାରୁ । ବ୍ରିଟିଶ ବୁରୋକ୍ରାସି ନିରପେକ୍ଷ । କାରଣ ପ୍ରଥମତଃ ବିଲାତରେ ସମଗ୍ର ଦେଶର କାର୍ଯ୍ୟର ଖୁବ୍ କମ ଅଂଶ ସରକାରଙ୍କ ଦ୍ଵାରା ହୋଇଥାଏ । ଏକ ଜନମଙ୍ଗଳ ରାଷ୍ଟ୍ରରେ ବା ଭାରତବର୍ଷ ଭଳି ଦେଶରେ ସରକାର ସର୍ବବ୍ୟାପୀ । ଆଇନ ଶୃଙ୍ଖଳା, ଡାଳୁଅ ଚାଷ, ସଂସ୍କୃତି, କଳା, ଓଡ଼ିଶୀ ନାଚ, ଦଣ୍ଡନାଟ, ଏକାଡ଼େମୀ ଆୱାର୍ଡ଼, ପଦ୍ମଶ୍ରୀ ଉପାଧି, ଗ୍ରାଣ୍ଟ୍, ଏଡ଼୍, ପଞ୍ଚାୟତ ରାଜ, ରୋଜଗାର, ଯୋଜନା, ଶିଶୁକଲ୍ୟାଣ, ନାରୀମଙ୍ଗଳ, ଯୁବମଙ୍ଗଳ, ବାର୍ଦ୍ଧକ୍ୟ ଭତ୍ତା, ପେନସନ୍, ଫ୍ରିପାସ୍, ସ୍ଵାଧୀନତା ସଂଗ୍ରାମୀ ଭତ୍ତା ସବୁ ସରକାରଙ୍କ ହାତରେ । ସରକାରୀ ଚାକିରିମାନେ ନିରାପଦ ଚାକିରି । କାମକର, ନକର, ଯେତେ ପ୍ରକାର ପାରୁଛ ଠକ, ଏହା ସତ୍ତ୍ୱେ ମାସର ତିରିଶ ତାରିଖ ଦିନ ଦରମା ଥୁଆ, ଚାକିରି ପଚିଶ ବର୍ଷ, ସେଥିରୁ ଛୁଟି ଅଠର ବର୍ଷ, ଏହା ସତ୍ତ୍ୱେ ପ୍ରମୋଶନ ଠିକ୍ ସେହିପରି ଚାଲିବାରେ କୌଣସି ବାଧା ନାହିଁ । ତେଣୁ ବୁରୋକ୍ରାସି ଏ ଦେଶରେ ବେଶୀ ଶକ୍ତିଶାଳୀ ହେବାକୁ ବାଧ୍ୟ । କେବଳ ଶକ୍ତିଶାଳୀ ନୁହେଁ, ଏହା ଯୁବକର କାମ୍ୟ ମଧ୍ୟ ହୋଇ ଉଠିବାକୁ ବାଧ୍ୟ । ବୁରୋକ୍ରାସିର ସର୍ବୋଚ୍ଚ ଶିଖରରେ ଆଇ. ଏ. ଏସ୍. କ୍ୟାଡ଼ର । ସୁତରାଂ ତାହା ପାଇବାକୁ ଯୁବକ ସମାଜ ସବୁଠାରୁ ବେଶି ଆଗ୍ରହୀ । ୧୯୯୩ ମସିହାର ଆଇ: ଏ: ଏସ୍: ଫଳାଫଳରେ ଦେଖାଗଲା ଯେ ପ୍ରଥମ କୋଡ଼ିଏଟି ସ୍ଥାନରୁ ଆଇ. ଆଇ. ଟି. ର ଇଞ୍ଜିନିଅରମାନେ ପ୍ରଥମ ଉଣେଇଶଟି ସ୍ଥାନ ଅଧିକାର କରିଛନ୍ତି । ଗଠନକର୍ତ୍ତାମାନେ ଉଦ୍‍ଘାଟନ ହେବା ପାଇଁ ଚାହିଁବାରେ ଅସ୍ଵାଭାବିକତା କିଛି ନାହିଁ । କାରଣ ସ୍ଵାଧୀନତା ପରଠାରୁ ଦେଶରେ ବ୍ୟୁରୋକ୍ରାସି ରହିବ ନାହିଁ ବୋଲି ଚିତ୍କାର କରୁଥିବା ନେତୃବୃନ୍ଦ ନିଜେ ଏହି ବ୍ୟୁରୋକ୍ରାସିକୁ ସର୍ବବ୍ୟାପୀ ଏବଂ ସର୍ବଶକ୍ତିଶାଳୀ କରିଦେଲେ । ବିଲାତରେ ସରକାରଙ୍କ ହାତରେ ଦେଶର ସାମୂହିକ କାର୍ଯ୍ୟର ଖୁବ୍ କମ୍ ଅଂଶ ସମ୍ପାଦିତ ହୋଇଥାଏ । ଏହା ସତ୍ତ୍ୱେ ନିଓ ଡେସ୍‍ପଟିଜମ୍ (Neo-Despotism) ନାମକ ଏକ ଶବ୍ଦ ପ୍ରଚଳିତ ହେଲା; ଯେତେବେଳେ ବିଭିନ୍ନ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ନିୟମାବଳୀ ପ୍ରୟୋଗର ଦାୟିତ୍ଵ ଅମଲାତନ୍ତ୍ରକୁ ଦିଆଗଲା । ଏହା ଡେଲିଗେଟେଡ଼୍ ଲେଜିସଲେଶନ ନାମରେ ଖ୍ୟାତ । ସେ ଦେଶରେ ଏଇ ଅବସ୍ଥା । ଯେଉଁ ଦେଶରେ ଜୀବନର ସବୁ ବିଭାଗ ସରକାରଙ୍କ ହାତରେ ଏବଂ ସବୁଥିପାଇଁ ଆଇନ ପ୍ରଣୟନ ହେବା ଆରମ୍ଭ ହେଲା । ସେଠାରେ ନିଓ ଡେସ୍‍ପଟିଜିମ୍ କେଉଁ ସ୍ତରରେ ପହଞ୍ଚିବ ତାହା କଳନା କରିବା ଉଚିତ । କିନ୍ତୁ ମହାତ୍ମାଗାନ୍ଧୀଙ୍କର ଚେତାବନୀ ସତ୍ତ୍ୱେ ଭାରତୀୟ ନେତୃବର୍ଗଙ୍କର ସାଇବଙ୍କର ବ୍ୟୁରୋକ୍ରାସି ପ୍ରତି ଦରଦ ଥିଲା ପ୍ରଭୂତ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଜଣେ ରୋମାଣ୍ଟିକ, ୟୁଟୋପିଆନ, ଉଦାର ଫେବିଆନ ସୋସାଲିଷ୍ଟଙ୍କ ଭଳି ସୋସାଲିଷ୍ଟ ଏବଂ ବିଲାତୀ ଗଣତନ୍ତ୍ର ଓ ବ୍ୟୁରୋକ୍ରାସିର ଜଣେ ଭକ୍ତ ଥିଲେ । ଯଦିଓ ମୁହଁରେ ଅନେକ ସମୟରେ ସେ ଏଇ ବ୍ୟୁରୋକ୍ରାସିର ଶୃଙ୍ଖଳ ଉପରେ ଆପଣାର କ୍ରୋଧ ବା ବିରକ୍ତି ପ୍ରକାଶ କରୁଥିଲେ । କିନ୍ତୁ ସେ ବ୍ୟୁରୋକ୍ରାଟମାନଙ୍କ ଉପରେ ବିଶ୍ଵାସ ଓ ନିର୍ଭର ମଧ୍ୟ କରୁଥିଲେ । କଥିତ ଅଛି ଯେ ତାଙ୍କର ଅତି ପ୍ରିୟ ଓ ଘନିଷ୍ଠ ବ୍ୟୁରୋକ୍ରାଟ ଶ୍ରୀ ଏନ୍: ଆର୍: ପିଲାଇଙ୍କ ସହିତ ଆଲୋଚନା କଲାବେଳେ ଥରେ ବ୍ୟୁରୋକ୍ରାଟମାନଙ୍କର ସବୁ କଥାରେ ଇଫ୍ ଏବଂ ବଟ୍ ଦେଖି ଅସହିଷ୍ଣୁ ଜବାହାରଲାଲ ଟେବୁଲ ଉପରେ ଏକ ଶକ୍ତମୁଠା ପିଟି ଆପଣାର କଥାକୁ ଜାହିର କରିବାକୁ ଚାହିଁଲେ । ଟେବୁଲଟା ଥରି ଉଠିଲା । ସାଙ୍ଗେ ସାଙ୍ଗେ ବ୍ୟୁରୋକ୍ରାଟ ଉତ୍ତର ଦେଲେ ଯେ ଏଇଟା ଭାରତର ପ୍ରଧାନମନ୍ତ୍ରୀଙ୍କର ଟେବୁଲ । କୌଣସି ସାଧାରଣ ସଭାରେ ଭାଷଣ ଦେଉଥିବା ବକ୍ତାଙ୍କର ଟେବୁଲ ନୁହେଁ । ଏ ଟେବୁଲ ଥରିଗଲେ ସମଗ୍ର ଦେଶ ଥରିଯିବ । ଜବାହାରଲାଲଙ୍କର ମିଜାଜ୍ କୁଆଡ଼େ ଥଣ୍ଡା ହୋଇଗଲା । ଏବଂ ଏହା ଉକ୍ତ ବ୍ୟୁରୋକ୍ରାଟଙ୍କର ଜବାହାରଲାଲଙ୍କ ଉପରେ ପ୍ରଭାବର ପରିଚୟ ଭାବରେ ପ୍ରଚାରିତ ହେଲା ।

 

ଏବଂ ଭାରତର ଲୌହମାନବ ସର୍ଦ୍ଦାର ପଟେଲ ନିଜେ ହେଉଛନ୍ତି ବ୍ୟୁରୋକ୍ରାସିର ପ୍ରବକ୍ତା । ସେ ଥିଲେ କୁଲ୍ (cool), କାମ୍ (calm)ଏବଂ ଟିପିକାଲ୍‍ ବ୍ୟୁରୋକ୍ରାଟ । ବ୍ୟୁରୋକ୍ରାସିର ନାଇସିଟିଜ୍ (niceties) ବା ଟିକିଟିକି ପନ୍ଥା ମଧ୍ୟ ତାଙ୍କୁ ମାଲୁମ ଥିଲା । ଏବଂ ବ୍ୟୁରୋକ୍ରାଟମାନେ ତାଙ୍କୁ ଭୟ କରୁଥିଲେ ଯେମିତି, ନିଜ ଗୋଷ୍ଠୀର ଲୋକ ଭାବି ତାଙ୍କୁ ସମ୍ମାନ ଦେଉଥିଲେ ମଧ୍ୟ ସେମିତି । କଥିତ ଅଛି, ସର୍ଦ୍ଦାର ପଟେଲଙ୍କର ଏକ ଫାଇଲ ଗଲା ପ୍ରଧାନମନ୍ତ୍ରୀ ଜବାହାରଲାଲଙ୍କ ପାଖକୁ । ନିୟମ ଅନୁସାରେ ଫାଇଲର ସବା ଉପରେ ଏକ ନୋଟ ସିଟରେ ଜବାହାରଲାଲଙ୍କ ସେକ୍ରେଟେରୀ ତାଙ୍କୁ ମନ୍ତବ୍ୟ ଦେଇ ଜବାହାରଲାଲଙ୍କ ପାଖକୁ ପଠାଇଲେ । ସେକ୍ରେଟେରୀଙ୍କର ନୋଟସିଟରେ ସେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଦେଇଥିବା ମତର ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ । ସେକ୍ରେଟେରୀଙ୍କର ଦୁର୍ଭାଗ୍ୟ ଯେ ଜବାହାରଲାଲ ସେଇ ନୋଟସିଟ୍ ଉପରେ ସେକ୍ରେଟେରୀଙ୍କ ମତ ସହିତ ଏକମତ ବୋଲି ଚୂଡ଼ାନ୍ତ ଅର୍ଡ଼ର ଦେଇଥିଲେ । ଫାଇଲ ଫେରିଗଲା ପଟେଲଙ୍କ ପାଖକୁ । ଫାଇଲ ଦେଖି ସର୍ଦ୍ଦାର ପଟେଲ ତାଙ୍କ ସେକ୍ରେଟେରୀଙ୍କର ଉପସ୍ଥିତିରେ ମନ୍ତବ୍ୟ ଦେଲେ ଯେ କିଏ ଏଇ ବ୍ୟୁରୋକ୍ରାଟ, ଯେ ମୋ ଫାଇଲ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଭାବିତ କରୁଛି ? ପଟେଲଙ୍କ ସେକ୍ରେଟେରୀ ଜାଣିପାରିଲେ ଯେ ତାଙ୍କର ସହକର୍ମୀ ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟେରୀ ହେଲେ କଣ ହେବ ଭାରତବର୍ଷର ଘରୋଇ ମନ୍ତ୍ରୀଙ୍କ ରୋଷରେ ପଡ଼ିଲେ ତାଙ୍କର ରକ୍ଷା ନାହିଁ । ବ୍ୟୁରୋକ୍ରାସି ଭିତରେ ଏଇ ସଲିଡ଼ାରିଟି ପ୍ରବଳ ଏବଂ ବିଶେଷତଃ ଜଣେ ବିପଦରେ ପଡ଼ିଲେ ନ୍ୟାୟ ହେଉ ଅନ୍ୟାୟ ହେଉ ନଭାବି ବ୍ୟୁରୋକ୍ରାଟ ସଙ୍ଗେ ସଙ୍ଗେ ଏକାଠି ମିଳି ତାକୁ ରକ୍ଷା କରିନେବେ । ଦେଶର ସ୍ଵାର୍ଥ ଅପେକ୍ଷା ଆପଣା କ୍ୟାଡ଼ରର ସ୍ଵାର୍ଥ ବେଶୀ । ଦେଶ ହେଲା ୱାଟର ପାଣି, କ୍ୟାଡ଼ର ହେଲା ବ୍ଲଡ଼, ଆପଣାର ବା ରକ୍ତ । ଏବଂ ବ୍ଲଡ଼ ଇଜ୍ ଥିକର୍ ଦାନ୍ ୱାଟର । ଏହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । କିନ୍ତୁ ଊଣାଅଧିକେ ଏହା ସତ୍ୟ ଏବଂ ବହୁ ବ୍ୟୁରୋକ୍ରାଟ ଦିନ ଦି’ପହରେ ଲୁଟ କରିଥିବାର ବା ପ୍ରିୟାପ୍ରୀତି ତୋଷଣ କରିଥିବାର ଅକାଟ୍ୟ ପ୍ରମାଣ ସତ୍ତ୍ୱେ ସେମାନେ ସେଥିରୁ ରକ୍ଷା ପାଇ ବେଶ୍ ପ୍ରତିଷ୍ଠିତ ହୋଇ ରହିବାର ବହୁପ୍ରମାଣ ଜଳଜଳ ହୋଇ ଦେଖାଯାଏ । ସର୍ଦ୍ଦାର ପଟେଲଙ୍କର ସେକ୍ରେଟେରୀ ସେଇ ପରମ୍ପରା ଅନୁଯାୟୀ ଆପଣାର ସହକର୍ମୀଙ୍କୁ ବିପଦର ସଂକେତ ଦେଇ ଦେଲେ । ଯଥା ସମୟରେ ନେହେରୁଙ୍କର ସେକ୍ରେଟେରୀ ସର୍ଦ୍ଦାର ପଟେଲଙ୍କୁ ଦେଖାକରି ବ୍ୟୁରୋକ୍ରାସିର ଭୂମିକା ବୟାନ କଲେ । ସେ କହିଲେ ଯେ ଯେହେତୁ ସେ ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟେରୀ ସେହି ହେତୁ ପ୍ରତି ଫାଇଲ ଉପରେ ତାଙ୍କର ନୋଟ ଦେବାର ଅଧିକାର ରହିଛି । ଏବଂ ତାହା ତାଙ୍କର କର୍ତ୍ତବ୍ୟ । କିନ୍ତୁ ପ୍ରଧାନମନ୍ତ୍ରୀ ତାଙ୍କର ଚୂଡ଼ାନ୍ତ ଅର୍ଡ଼ର ଦେଲାବେଳେ ଏକ ସ୍ଵତନ୍ତ୍ର ନୋଟ ସିଟରେ ତାହା ଦେବା ଉଚିତ ଥିଲା ଏବଂ ସେକ୍ରେଟେରୀଙ୍କର ନୋଟ ସିଟକୁ କାଢ଼ି ଚିରିଦେବା ଉଚିତଥିଲା । କିନ୍ତୁ ଜବାହରଲାଲ ଏହି ପାରମ୍ପରିକ ପଦ୍ଧତି ଅନୁସରଣ ନ କରିବା ସେକ୍ରେଟେରୀଙ୍କ ପାଇଁ ବ୍ୟକ୍ତିଗତ ଦୁର୍ଭାଗ୍ୟ । ସର୍ଦ୍ଦାର ପଟେଲ ଏହି ଉତ୍ତରରେ କୁଆଡ଼େ ପ୍ରୀତ ହେଲେ ଏବଂ ପରବର୍ତ୍ତୀ କାଳରେ ଜବାହାରଲାଲଙ୍କର ଉକ୍ତ ସେକ୍ରେଟେରୀ ପଟେଲଙ୍କର ମଧ୍ୟ ବିଶ୍ଵସ୍ତ ହେଲେ ।

 

ଏକଥା ସତ୍ୟ ଯେ ଭାରତର ସ୍ଵାଧୀନତା ବେଳକୁ ବ୍ୟୁରୋକ୍ରାଟମାନଙ୍କର ସଂଖ୍ୟା ବେଶୀ ନଥିଲା । ସେମାନଙ୍କର ଦରମା ଜାତୀୟସ୍ତର ତୁଳନାରେ ବେଶ୍ ଉଚ୍ଚରେ ଥିଲା । ନଗଦ ଟଙ୍କା କାରବାର ଆଇନଶୃଙ୍ଖଳା ସମ୍ଭାଳୁଥିବା ବ୍ୟୁରୋକ୍ରାଟମାନଙ୍କର ବେଶୀ ନ ଥିଲା । ବିଲାତି ଅମଲାତନ୍ତ୍ରର ନିରପେକ୍ଷତା ଏବଂ ସାଧୁତା ଅନେକ ବ୍ୟୁରୋକ୍ରାଟମାନଙ୍କର ଥିଲା । ସରକାରୀ ଚାକିରିରେ ଥାଇ ସସପେଣ୍ଡ ହେବା, ଦଣ୍ଡିତ ହେବାକୁ ଅନେକ ଆତ୍ମ-ସମ୍ମାନର ଗୁରୁତର ଆଘାତ ବୋଲି ବିଚାରୁଥିଲେ । ବର୍ତ୍ତମାନ ସରକାର ମଧ୍ୟ କହୁଛନ୍ତି ଯେ ସସପେଣ୍ଡ ହେବା ଏକ ଦଣ୍ଡ ନୁହେଁ (ନିଜ ଛଡ଼ା) ।

 

ଏହାଛଡ଼ା ଭାରତର ଅଧିକାଂଶ ନେତୃବୃନ୍ଦ ନିଜେ ବ୍ୟକ୍ତିଗତ ଭାବରେ ଅସାଧୁ ନ ଥିଲେ-। କେବଳ ସେତିକି ନୁହେଁ, ନେତାର ଏକ ବିରାଟ ବ୍ୟକ୍ତିତ୍ଵ ଓ ପାଣ୍ଡିତ୍ୟ ଥିଲା । ସେଇ ବ୍ୟକ୍ତିତ୍ଵ ଆଗରେ ବ୍ୟୁରୋକ୍ରାଟମାନେ ଡ୍ୱାର୍ଫ ବା ବାମନ ହୋଇ ଯାଉଥିଲେ । କେତେଜଣ ବ୍ୟୁରୋକ୍ରାଟଙ୍କର ଜବାହରଲାଲ, ପଟେଲ, ବିଧାନଚନ୍ଦ୍ର ରାୟ, ଶ୍ରୀକୃଷ୍ଣ ସିଂହ, ଗୋବିନ୍ଦବଲ୍ଲଭ ପନ୍ଥ ପ୍ରଭୃତିଙ୍କ ଆଗରେ ଠିଆ ହେବାର ସାହସ ଥିଲା ? ସେଇଯୋଗୁଁ ଯଦିଓ ଦେଶରେ ଏକ ଶକ୍ତିଶାଳୀ ବ୍ୟୁରୋକ୍ରାସି ଥିଲା, ବ୍ୟୁରୋକ୍ରାଟମାନେ ରାଜନୈତିକ ନେତୃତ୍ଵ ଆଗରେ ଆପଣାକୁ କମ କ୍ଷମତାଶାଳୀ ମନେ କରୁଥିଲେ ।

 

ଏହାର ବହୁ ଉଦାହରଣ ଅଛି । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡଃ ହରେକୃଷ୍ଣ ମହତାବ ଯେପରି ଭାବରେ କିଲ୍ଲା ପଡ଼ିଆରେ ବସି ଅଫିସରମାନଙ୍କୁ ଡକାଇ ପ୍ରସ୍ତାବିତ ବାରବାଟୀ ଷ୍ଟାଡ଼ିଅମ୍ ପାଇଁ ଜମି ଦେଇ ପାରିଲେ, ଯେପରି ଭାବରେ ବିହାରର ମୁଖ୍ୟମନ୍ତ୍ରୀ ଶ୍ରୀକୃଷ୍ଣ ସିଂହ ମ୍ୟାପ ଉପରେ କମ୍ପାସ ରାଉଣ୍ଡର ବୁଲାଇ ପାଟନା ବିଶ୍ୱବିଦ୍ୟାଳୟ ପାଇଁ ଜମି ନେଇଥିଲେ ବା ଯେପରି ଭାବରେ ଡାକ୍ତର ବିଧାନଚନ୍ଦ୍ର ରାୟ ବ୍ୟୁରୋକ୍ରାସିର ବ୍ୟୁହଭେଦ କରି ପାରୁଥିଲେ ସେ ସବୁ ଇତିହାସର କଥା ।

 

କିନ୍ତୁ ସମୟ ଅତିକ୍ରାନ୍ତ ହେବା ସହିତ ସେ ଚାରିସ୍‍ମାଟିକ ନେତୃତ୍ଵ ଆଉ ରହିଲା ନାହିଁ । ଯେଉଁମାନେ ଆସିଲେ ସେମାନେ ହେଲେ ମେଡ଼ିଓକର ଏବଂ କେବଳ ସେତିକି ନୁହେଁ ସେମାନଙ୍କ ମଧ୍ୟରୁ ଅନେକଙ୍କର ବ୍ୟକ୍ତିଗତ ସାଧୁତା ରହିଲା ନାହିଁ । ଜାତୀୟ ନେତୃତ୍ଵ ପରିବର୍ତ୍ତରେ ଗ୍ରୁପର ନେତୃତ୍ଵ ବା ଗୋଷ୍ଠୀର ନେତୃତ୍ଵ ଜନ୍ମଲାଭ କଲା ।

 

ବ୍ୟୁରୋକ୍ରାସି ଠିକ୍‍ ଯେପରି ଏହାକୁହିଁ ଅପେକ୍ଷା କରୁଥିଲା । ଦକ୍ଷତାହୀନ ଏବଂ ଅସାଧୁ ନେତୃତ୍ଵ ବ୍ୟୁରୋକ୍ରାସି ଉପରେ ଅଧିକରୁ ଅଧିକ ନିର୍ଭର କଲା । ବ୍ୟୁରୋକ୍ରାସିର ଚରିତ୍ର ମଧ୍ୟ କ୍ରମଶଃ ବଦଳିବାକୁ ଆରମ୍ଭକଲା । ଯେଉଁଭଳି ଟିପିକାଲ ବ୍ୟୁରୋକ୍ରାଟ ବ୍ରିଟିଶ ଶାସନ ଦେଇଥିଲା, ସେ ବ୍ୟୁରୋକ୍ରାସି ମଧ୍ୟ ରହିଲା ନାହିଁ । ବ୍ୟୁରୋକ୍ରାସିକୁ ‘କମିଟେଡ଼୍’ କରିବାକୁ ଯାଇ, ନେତୃତ୍ଵ ବ୍ୟୁରୋକ୍ରାସିକୁ ଆପଣାର କରପ୍‍ସନ୍‍ର ଅନ୍ତର୍ଭୁକ୍ତ କରିବାକୁ ଚାହିଁଲା । ଯେଉଁମାନେ ସେଥିରେ ଅଂଶୀଦାର ହେଲେ ନାହିଁ ସେମାନେ ନେତୃତ୍ଵର ଶୁଭଦୃଷ୍ଟିରେ ରହିଲେ ନାହିଁ । ବ୍ୟୁରୋକ୍ରାସିର ସଭ୍ୟମାନେ ଆସିଥିଲେ ଚାକିରି ପାଇଁ, ଦେଶସେବା ପାଇଁ ନୁହେଁ । ସେମାନେ ଏକ ନିଷ୍ଠାପର ଚାକିରିରେ ଆପଣାର ଭବିଷ୍ୟତ ବିପଦାପନ୍ନ ହେବା ଦେଖି ଶାସନକଳର ଅଂଶୀଦାର ପାଲଟିବାକୁ ଆରମ୍ଭ କଲେ । ଯେଉଁମାନେ ରହିଗଲେ ସେମାନେ ହେଲେ ବ୍ୟତିକ୍ରମ । ଅନେକ ବ୍ୟୁରୋକ୍ରାଟ କିଛି କିଛି କ୍ଵାସି-ପଲିଟିକାଲ ଶକ୍ତି ପାଇବା ପାଇଁ ଏବଂ ପାୱାର କରିଡ଼ର ପାଖରେ ରହିବାପାଇଁ ଶ୍ରେୟ ମନେ କଲେ ।

 

ଏପରି ଦେଖାଗଲା ଯେ ଅନେକ ବ୍ୟୁରୋକ୍ରାଟ ଚାକିରି ଜୀବନର ଆଦ୍ୟ କାଳରେ ସାଧୁ ବା ନିଷ୍ଠାପର ଥିଲେ । କିନ୍ତୁ କାଳକ୍ରମେ ତାହା କ୍ରମଶଃ ଲୋପ ପାଇଗଲା ଏବଂ ସେମାନେ ଏଫିସିଏଣ୍ଟ କିନ୍ତୁ କରପଟ ହେବାକୁ ଶ୍ରେୟ ମନେକଲେ । ଆପଣାର ପାରିବାରିକ ପ୍ରଭାବ (ବିଶେଷତଃ ଶକ୍ତିଶାଳୀ ସ୍ତ୍ରୀ, ଶଳାମାନଙ୍କର ପ୍ରଭାବ), ସିନିଅରମାନଙ୍କର ପ୍ରଭାବ ଏବଂ ସର୍ବୋପରି ରାଜନୈତିକ ନେତାମାନଙ୍କର ପ୍ରରୋଚନା ଏବଂ ଆବଶ୍ୟକତା ସେମାନଙ୍କୁ ସେଥିପାଇଁ ସାହାଯ୍ୟ କଲା । ଦେଖାଗଲା ଯେ ବ୍ୟୁରୋକ୍ରାଟମାନେ ପାୱାରକରିଡ଼ର ପାଖରେ ରହି କ୍ରମେ କ୍ରମେ ଆପଣା ହାତକୁ ରାଜନୈତିକ କ୍ଷମତା ଆଣିବା ପାଇଁ ସୁଖକର ମଣୁଛନ୍ତି । କାରଣ ପଦୋନ୍ନତି ଆଉ ସିନିଅରିଟି ଭିତ୍ତିରେ ହେଉ ନାହିଁ । ରାଜନୈତିକ ଶକ୍ତିର ମର୍ଜି ଉପରେ ହେଉଛି । ତେଣୁ ଅବକ୍ଷୟ ରାଜନୈତିକ ଶକ୍ତି ସହିତ ବ୍ୟୁରୋକ୍ରାସିକୁ ମଧ୍ୟ ଗ୍ରାସ କଲା ।

 

ଯେଉଁମାନେ ଏ ଧାରାରେ ପଡ଼ିଲେ ନାହିଁ ସେମାନେ ବ୍ୟତିକ୍ରମ ଭାବରେ ବିବେଚିତ ହେଲେ, ନିୟମର ଅନ୍ତର୍ଭୁକ୍ତ ହେଲେ ନାହିଁ ।

 

ଶ୍ରୀ ନବକୃଷ୍ଣ ଚୌଧୁରୀ ଏହି ବ୍ୟତିକ୍ରମର ଅନ୍ତର୍ଭୁକ୍ତ ଥିଲେ । ରାଜନୈତିକ ଅବକ୍ଷୟ ସହିତ ବ୍ୟୁରୋକ୍ରାସିର ଅବକ୍ଷୟ ମଧ୍ୟ ସେ ଦେଖୁଥିଲେ । ରାଜନୈତିକ ଶକ୍ତି କିପରି ବ୍ୟୁରୋକ୍ରାସି ଉପରେ ନିର୍ଭରଶୀଳ ହୋଇଯାଉଛି ତାହା ମଧ୍ୟ ସେ ଦେଖିଥିଲେ । କିନ୍ତୁ କରିବାର କିଛି ଉପାୟ ସେ ଖୋଜି ବାହାର କରି ପାରି ନଥିଲେ । ତେଣୁ ପଳାୟନ କରିବା ଛଡ଼ା ବୋଧହୁଏ ତାଙ୍କ ପାଇଁ ଆଉ କୌଣସି ଗତ୍ୟନ୍ତର ନ ଥିଲା ।

 

ଅବକ୍ଷୟରୁ ଅନେକ ଦିନ ପର୍ଯ୍ୟନ୍ତ ବିଚାର ବିଭାଗ ମୁକ୍ତ ଥିଲା । ମୁକ୍ତ ଥିଲା ବୋଲି କହିଲେ ଠିକ୍ ହେବ ନାହିଁ । ସମ୍ବିଧାନ ଗଢ଼ା ହୋଇଗଲା ସିନା କିନ୍ତୁ ଦେଶର ଆଇନ କାନୁନ ଥିଲା ପୁରାତନ, ବହୁ ପୁରାତନ । କ୍ରମଶଃ ନୂତନ ନୂତନ ଆଇନ ଗଢ଼ାହେଲା କିନ୍ତୁ ତାହାର ପ୍ରୟୋଗାତ୍ମକ ପ୍ରତିକ୍ରିୟା ଅନେକ ସମୟରେ ସହଜ ହେଲା ନାହିଁ । ସମ୍ବିଧାନର ଅନୁକୂଳ ନା ପ୍ରତିକୂଳ ତାହାର ପରଖ ବଢ଼ିବାକୁ ଲାଗିଲା । ବିଚାରକ ଗୋଷ୍ଠୀ, ବିଶେଷତଃ ଉଚ୍ଚ ନ୍ୟାୟାଧିଶମାନେ ପ୍ରାୟତଃ ସମାଜର ଧାରାରୁ ବାହାରେ ରହୁଥିଲେ ଆପଣାକୁ ନିରପେକ୍ଷ ରଖିବା ପାଇଁ । ଅତ୍ୟଧିକ ବାହାରେ ରହିବା ଯୋଗୁଁ ଅନେକ ସମୟରେ ରାୟସବୁ ସ୍ଥିତାବସ୍ଥାର ଅନୁକୂଳ ହୋଇ ଯାଉଥିଲା । କିନ୍ତୁ ବ୍ୟକ୍ତିଗତ ଅସାଧୁତାର ଆକ୍ଷେପ ନଥିଲା । ପରବର୍ତ୍ତୀ କାଳରେ ଯେଉଁ ଅବକ୍ଷୟ ଦେଖାଗଲା ତାହାର ନମୁନା ବିଚାରପତି ରାମସ୍ଵାମୀଙ୍କ କ୍ଷେତ୍ରରେ ପ୍ରତିଫଳିତ ହେଲା । ରାମସ୍ଵାମୀ ଏକ ଉଦାହରଣ ମାତ୍ର । ବିଚାରପତିମାନେ ଦିନେ ସାମାଜିକ ଧାରାର ବାହାରେ ରହିବାକୁ ଚାହୁଁଥିଲେ । ସମୟ ବଦଳି ଗଲା । ବିଚାରପତି ସବୁପ୍ରକାର ସଭାରେ ଆସନ ଅଳଙ୍କୃତ କରିବା ପାଇଁ, ଫୁଲମାଳ ପିନ୍ଧିବା ପାଇଁ ଆଗ୍ରହ ପ୍ରକାଶ କଲେ । ଉପାଧି ପାଇବା ପାଇଁ ଏବଂ ସର୍ବୋପରି ବିଚାରପତି ଚାକିରି ପରେ ପୁନରାୟ ଅନ୍ୟ ନିଯୁକ୍ତି ପାଇଁ ଉଦ୍ୟମ ଅନେକ ବିଚାରପତିଙ୍କୁ ଘାରିଲା । ଆଖିବୁଜି ଅନେକ ବିଚାରପତି ବିଭିନ୍ନ ଧର୍ମ ସଭାମାନଙ୍କରେ ଯେପରି ନିର୍ଜଳା ମିଥ୍ୟା କହି ଚାଲିଲେ, ବିଚାରକ ଭାବରେ ରାୟ ଦେଲାବେଳେ ମଧ୍ୟ ସେଇପରି ପକ୍ଷପାତିତା ଦେଖାଗଲା । ବହୁ ରାୟମାନଙ୍କର ଉପର କୋର୍ଟରେ କିଭଳି ମନ୍ତବ୍ୟ ଲାଭ କରିଛି ତାହାହିଁ ରାୟମାନଙ୍କର ନିରପେକ୍ଷତା ପ୍ରମାଣ କରେ । ଏହି ଅବକ୍ଷୟର ଏକ ପରିଣତି ରାମସ୍ଵାମୀଙ୍କ କେଶରେ ପ୍ରତିଫଳିତ ହେଲା । ପ୍ରତିଫଳିତ ହେବା ଛଡ଼ା ଦେଶର ରାଜନୈତିକ ଶକ୍ତି କିଭଳି ବିଚାରପତିର ସାଧୁତା ଏବଂ ସଚୋଟତା ଉପରେ ଉତ୍ତର–ଦକ୍ଷିଣ ସଂକୀର୍ଣ୍ଣତାରେ ବିଭକ୍ତ ହୋଇଯାଇ ପାରେ ତାହାର ଏକ ଉଲଗ୍ନ ଉଦାହରଣ ଦେଶ ଆଗରେ ରାଜନୈତିକ ନେତାମାନେ ଥୋଇଦେଲେ ।

 

ବିଚାର ବିଭାଗର ଏଇ ଅବକ୍ଷୟ ଦେଶ ପାଇଁ ଅଶୁଭ ସଂକେତ ବହନ କରିଆଣୁଛି । କାରଣ ନ୍ୟାୟ ପାଇଁ ମଣିଷର ଶେଷ ଆଶ୍ରା ହେଉଛି ବିଚାରାଳୟ ।

 

ଦୁର୍ଭାଗ୍ୟବଶତଃ, ଦେଶର ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ଏହି ଅବକ୍ଷୟରୁ ମଧ୍ୟ ମୁକ୍ତି ପାଇଲେ ନାହିଁ । ବିଗତ ପାର୍ଲିଆମେଣ୍ଟ ତାହାର ଏକ ଉଦାହରଣ । ଉକ୍ତ ପାର୍ଲିଆମେଣ୍ଟ ଭାଙ୍ଗିଗଲା ବର୍ଷକରେ । ପୂରା ସମୟ ବା ପାଞ୍ଚବର୍ଷ ପୁରା ନ ହେଲେ ପାର୍ଲିଆମେଣ୍ଟ ସଭ୍ୟମାନେ ପେନସନ ପାଇବା ପାଇଁ ହକଦାର ନୁହନ୍ତି । ସୁତରାଂ ଉକ୍ତ ପାର୍ଲିଆମେଣ୍ଟର ସଭ୍ୟମାନେ ପେନସନ୍ ପାଇବା ପାଇଁ ହକ୍‍ଦାର ହେବେ ନାହିଁ । ହଠାତ୍ ଦେଖାଗଲା ଯେ ପାର୍ଲିଆମେଣ୍ଟ ଭାଙ୍ଗିବାର ଅବ୍ୟବହିତ ପୂର୍ବରୁ ଏକ ପ୍ରସ୍ତାବ ସର୍ବସମ୍ମତି କ୍ରମେ ବିନା ଆଲୋଚନାରେ ଗୃହୀତ ହୋଇଯାଇଛି । ସେଥିରେ କୁହାଯାଇଛି ଯେ ପାର୍ଲିଆମେଣ୍ଟର କାର୍ଯ୍ୟକାଳ ଏକବର୍ଷ ହେଲେ ମଧ୍ୟ ସଭ୍ୟମାନେ ପୂରା ପେନସନ୍‍ ପାଇବେ । ଏହାଛଡ଼ା ଏହି ପ୍ରସ୍ତାବରେ ଅନ୍ୟାନ୍ୟ ଅନେକ ସୁବିଧା କଥା ଉଲ୍ଲେଖ ଥିଲା । ମାତ୍ର ଜଣେ ପାର୍ଲିଆମେଣ୍ଟ ସଭ୍ୟ ଏହାର ପ୍ରତିବାଦ କରିଥିଲେ । ତାଙ୍କର ବକ୍ତବ୍ୟ ଥିଲା ଯେ ନିଜର ଦରମା, ପେନସନ୍‍ ବା ସୁବିଧା ନିଜେ ବୃଦ୍ଧି କରିବାର ପରମ୍ପରା କେଉଁଠି ନାହିଁ । ଏହା ଅସୁନ୍ଦର ଏବଂ ଅଯୌକ୍ତିକ । କିନ୍ତୁ ତାକୁ କେହି କର୍ଣ୍ଣପାତ କଲେ ନାହିଁ । ପରୋକ୍ଷ ବିଷୋଦଗାରର ଫଳ ସ୍ୱରୂପ ସେ ପରବର୍ତ୍ତୀ ନିର୍ବାଚନରେ ପରାଜିତ ହେଲେ । କାରଣ ଏହି ପ୍ରସ୍ତାବ ସବୁ ଦଳର ପାର୍ଲିଆମେଣ୍ଟ ସଭ୍ୟମାନଙ୍କର ସମର୍ଥନ ଲାଭ କରିଥିଲା । ଆପଣକୁ ବିଦଳିତ ମଣିଷର ପ୍ରତିନିଧି ବୋଲାଉଥିବା ଶାସକ ଦଳର କରପ୍‍ସନ୍‍ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରୁଥିବା ଧର୍ମ, ନ୍ୟାୟ ସମ୍ପର୍କରେ ପ୍ରତିଦିନ ବକ୍ତୃତା ଦେଉଥିବା ସବୁ ଦଳର ସଭ୍ୟମାନେ ଆପଣାର ସ୍ଵାର୍ଥ ପାଇଁ ଏକାଠି ହୋଇଗଲେ । ବାକି ସବୁ ନୀତି, ତତ୍ତ୍ଵ ରହିଗଲା ପଛରେ ।

 

ଠିକ୍ ସେହିପରି ପ୍ରତ୍ୟେକ ପାର୍ଲିଆମେଣ୍ଟ ସଭ୍ୟଙ୍କୁ ଏକ କୋଟି ଲେଖାଏଁ ଟଙ୍କା ଅନ୍ ଟାଏଡ଼ଫଣ୍ଡ ବାବଦରେ ଦେବାପାଇଁ ପ୍ରସ୍ତାବ ପରବର୍ତ୍ତୀକାଳରେ ମଧ୍ୟ ଘୋଷିତ ହୋଇଥିଲା । ସୁଖର କଥା କୌଣସି କାରଣରୁ ଦୁଇଟିଯାକ ପ୍ରସ୍ତାବ କାର୍ଯ୍ୟକାରୀ ହୋଇନାହିଁ ଏପର୍ଯ୍ୟନ୍ତ । ସେମାନଙ୍କ ଦେଖାଦେଖି ବହୁ ବିଧାନସଭା ସଭ୍ୟମାନଙ୍କୁ ସମାନ ସୁବିଧା ଦେବାପାଇଁ ଦାବି ହେଲାଣି ।

 

ଜାତୀୟ ଜୀବନର ଏଇ ସାମୂହିକ ଅବକ୍ଷୟର ଶେଷ ଗୋଷ୍ଠୀ ହେଉଛି ସମ୍ବାଦପତ୍ର ଏବଂ ସାମ୍ବାଦିକ । ଅସୀ ଅପେକ୍ଷା ମସୀ ଶକ୍ତି ହେଉଛି ଅଧିକ ଏବଂ ସେଥିଯୋଗୁ ଦୁର୍ନୀତିଗ୍ରସ୍ତ ରାଜନୈତିକ ଶକ୍ତି ଏବଂ ବ୍ୟୁରୋକ୍ରାସି ସାମ୍ବାଦିକମାନଙ୍କୁ ମଧ୍ୟ ଛାଡ଼ିଲେ ନାହିଁ । ଭାରତର ବହୁ ସାମ୍ବାଦିକଙ୍କୁ ନାନା ଲୋଭରେ, ଜମିଠାରୁ ଘର ପର୍ଯ୍ୟନ୍ତ, ଉତ୍କୋଚଠାରୁ ଅନ୍ୟାନ୍ୟ ବହୁ ପ୍ରକାର ଲୋଭର ଶିକାର କରିବାକୁ ଉଦ୍ୟମ ହୋଇଛି । ଅନେକ ସାମ୍ବାଦିକ ତାହାର ଶିକାର ହୋଇଥିଲେହେଁ ଅନେକ ଏପର୍ଯ୍ୟନ୍ତ ଆପଣାର ନିର୍ଭୀକ ସାମ୍ବାଦିକତା ପରିତ୍ୟାଗ କରି ନାହାନ୍ତି ଏବଂ ତାହା ଫଳରେ ଦେଶର ବହୁ ଦୁର୍ନୀତି, ଜାତୀୟ ଜୀବନର ବହୁ କଳଙ୍କ ପଦାରେ ପଡ଼ିଯାଇଛି । କିନ୍ତୁ ସାମ୍ବାଦିକ, ବିଶେଷତଃ ଯେଉଁମାନେ ରୀତିମତ ପେଶାଦାର ସାମ୍ବାଦିକ (ରିପୋର୍ଟର ହେବା ସହଜ, କିନ୍ତୁ ସାମ୍ବାଦିକ ହେବା କଠିନ) ଆପଣାର ଖବର କାଗଜର ମାଲିକ, ପରିଚାଳନା ନୀତି ମାନିବାକୁ ବାଧ୍ୟ ।

 

ଦେଶର ସାମ୍ବାଦିକତା କ୍ଷେତ୍ରରେ ଯେଉଁ ଅବକ୍ଷୟ ଦେଖାଦେଇଛି ଏବଂ ଏହା ଯେ ବିପଦଜ୍ଜନକ ସ୍ତରକୁ ଯାଇଛି ତାହା ନିଜେ ଦକ୍ଷ ସାମ୍ବାଦିକମାନେ ସ୍ଵୀକାର କରିଛନ୍ତି । କାମଳ ସମ୍ବାଦିକତା ଯଥାର୍ଥ ସମ୍ବାଦିକତାକୁ ଗ୍ରାସ କରିବାକୁ ଆରମ୍ଭ କରିଛି ।

 

ଶ୍ରୀ ନବକୃଷ୍ଣ ଚୌଧୁରୀ ଜଣେ ସୁଲେଖକ ଥିଲେ । ଅନେକ ଲେଖା ତାଙ୍କର ତୀକ୍ଷ୍ଣ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣର ଅଭିଲେଖ ବହନ କରିଥିଲା । କିନ୍ତୁ ଜାତୀୟ ଅବକ୍ଷୟରେ ମ୍ଳାନ ଏବଂ କ୍ଳାନ୍ତ ସେନାପତି ଆଉ ବୋଧହୁଏ ରଣକ୍ଷେତ୍ରକୁ ଓହ୍ଲାଇବାକୁ ସାହସ ପାଇଲେ ନାହିଁ । ନିଜେ ସିନିକ୍ ହୋଇଗଲେ ।

 

ପରିଶେଷରେ ସ୍ଵାଧୀନତା ସଂଗ୍ରାମୀମାନଙ୍କର କାହାଣୀ । ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଜୟପ୍ରକାଶ ଏବଂ ନବକୃଷ୍ଣ ଚୌଧୁରୀ ଦ୍ଵିତୀୟ ସ୍ଵାଧୀନତା ସଂଗ୍ରାମରେ ଅବତରଣ କରିବାକୁ ଆହ୍ଵାନ ଦେଇଥିଲେ । କିନ୍ତୁ କେତେଜଣ ସ୍ଵାଧୀନତା ସଂଗ୍ରାମୀ ଏଇ ଦ୍ଵିତୀୟ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଲେ ? ଦେଶରେ ରାଜନୈତିକ ସ୍ଵାଧୀନତା ଆସିଛି କିନ୍ତୁ ଅର୍ଥନୈତିକ ସ୍ଵାଧୀନତା ଆସି ନାହିଁ ଏବଂ ରାଜନୈତିକ ସ୍ଵାଧୀନତା, ଦେଶର ସାର୍ବଭୌମତ୍ଵ ବିପଦାପନ୍ନ ହେବାକୁ ଲାଗିଛି । କିନ୍ତୁ ବୋଧହୁଏ ସ୍ଵାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଅଧିକାଂଶ ରଣକ୍ଳାନ୍ତ । ନିଜର ଭତ୍ତା ବୃଦ୍ଧି, ଫ୍ରି ପାସ୍ ଏବଂ ଅନ୍ୟାନ୍ୟ ଅଧିକରୁ ଅଧିକ ସୁବିଧା ଅଧିକାଂଶ ସ୍ଵାଧୀନତା ସଂଗ୍ରାମୀମାନଙ୍କର କାର୍ଯ୍ୟସୂଚୀରେ ସ୍ଥାନ ପାଇଛି । ଦେଶ, ଜାତିର ସ୍ଥାନ ତଳକୁ ଖସି ଯାଇଛି ।

 

ପ୍ରବୃଦ୍ଧ ସ୍ଵାଧୀନତା ସଂଗ୍ରାମୀ ଶ୍ରୀ ନବକୃଷ୍ଣ ଚୌଧୁରୀ ସେଇ ଯୋଗୁଁ ଉତ୍ତର ଜୀବନରେ ବିବ୍ରତ ଏବଂ ଅସ୍ଥିର ହୋଇ ଉଠିଥିଲେ । ଜେଲଖାନା ଯିବା ବଡ଼ କଥା ନୁହେଁ, ମୁକ୍ତ ଭାରତବର୍ଷରେ ଯେ ତାଙ୍କୁ ପୁଣି ଜେଲଖାନା ଯିବାକୁ ପଡ଼ିବ, ସେନସିଟିଭ ବା ସ୍ପର୍ଶକାତର ନବକୃଷ୍ଣ ଚୌଧୁରୀଙ୍କ ପ୍ରତି ତାହା ଥିଲା ଅସହ୍ୟ । ସେ ଆଘାତକୁ ନବବାବୁ ସହ୍ୟ କରିପାରିଲେ ନାହିଁ ।

 

ଏଇ ସାମୂହିକ ଅବକ୍ଷୟର କେବଳ ଦୁଇଟି ଶୁଭ ସୂଚନା ରହିଛି । ଭାରତବର୍ଷର ସବୁ ନାଗରିକ କେବଳ ବର୍ତ୍ତମାନର ପରିସ୍ଥିତିକୁ ଅଶୁଭ ବୋଲି ମନେକରୁ ନାହାନ୍ତି, ଏକ ବିକଳ୍ପର ଆବଶ୍ୟକତା ମଧ୍ୟ ଅନୁଭବ କରୁଛନ୍ତି ।

 

କିନ୍ତୁ ଅନୁଭବତ କେବଳ ଯଥେଷ୍ଟ ନୁହେଁ । ଅନୁଭବ ଅନୁଯାୟୀ କାର୍ଯ୍ୟ ଆବଶ୍ୟକ । ପ୍ରତିଷ୍ଠିତ ଏବଂ ପାରମ୍ପରିକ ରାଜନୈତିକ ଫ୍ରେମ ଭିତରେ ତାହା ବୋଧହୁଏ ଆଉ ସମ୍ଭବ ନୁହେଁ । ଏଥିପାଇଁ ବିକଳ୍ପ ତା ବାହାରେ ଖୋଜିବାକୁ ପଡ଼ିବ । ସେ ଖୋଜା ଚାଲିଛି । ଭାରତବର୍ଷର ସବୁ ଦିଗରେ, କିନ୍ତୁ ବିକ୍ଷିପ୍ତ ଭାବରେ । ସୁନ୍ଦରଲାଲ ବହୁଗୁଣାଙ୍କ ଠାରୁ ବାବା ଆମତେ । ମେଧା ପାଟକରଙ୍କଠାରୁ ଆରମ୍ଭ କରି ଅଚ୍ୟୁତ ଦାସଙ୍କ ପର୍ଯ୍ୟନ୍ତ, ଜଷ୍ଟିସ ଭି. ଆର୍. କ୍ରିଷ୍ଣା ଆୟାରଙ୍କଠାରୁ ଆରମ୍ଭ କରି ବସ୍ତରର ଆଦିବାସୀମାନଙ୍କର ବିକାଶ ପାଇଁ କାର୍ଯ୍ୟ କରୁଥିବା ଆଇ.ଏ.ଏସ୍. ଅଫିସରଙ୍କ ପର୍ଯ୍ୟନ୍ତ ତାହା ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକୁଛି । କିନ୍ତୁ ଏପର୍ଯ୍ୟନ୍ତ ଏଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଏବଂ ସଂଗଠିତ ସର୍ବଭାରତୀୟ ଆନ୍ଦୋଳନରେ ରୂପାୟିତ ହୋଇପାରି ନାହିଁ ।

 

ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପରି ବିକଳ୍ପର ସନ୍ଧାନରେ ଅନେକ ।

☆☆☆

 

ବାଜି ରାଉତର ଭୂତ

ଶ୍ରୀ ଗଙ୍ଗାଧର ରଥ

 

ନବକୃଷ୍ଣ ଚୌଧୁରୀ ଓଡ଼ିଶାକୁ ସାମ୍ୟବାଦର ବାର୍ତ୍ତା ବହି ଆଣିଥିଲେ । ସେ ଥିଲେ ଏ ରାଜ୍ୟରେ ସମାଜବାଦୀ ଚିନ୍ତାଧାରାର ପ୍ରଥମ ପ୍ରବର୍ତ୍ତକ । କାଠଯୋଡ଼ି କୂଳରେ ଥିବା ତାଙ୍କର ଏକମହଲା ଘରଟି ଥିଲା ସବୁପ୍ରକାର ବୌଦ୍ଧିକ ବିଚାର ଆଲୋଚନା ଓ ଆନ୍ଦୋଳନର ପ୍ରାଣକେନ୍ଦ୍ର । ୧୯୩୮ ସେପ୍ଟେମ୍ବର ଆଡ଼କୁ ଢେଙ୍କାନାଳରେ ଯେଉଁ ପ୍ରଜା ବିଦ୍ରୋହ ମୁଣ୍ଡ ଟେକିଲା, ତାହା ମଧ୍ୟ ଏହି କାଠଯୋଡ଼ିକୂଳ ଘରୁ କେତେକାଂଶରେ ନିୟନ୍ତ୍ରିତ ହେଉଥିଲା । ଏହିଠାରେ ମିଳିତ ହୋଇ ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ, ଭଗବତୀ ଚରଣ ପାଣିଗ୍ରାହୀ, ସାରଙ୍ଗଧର ଦାସ, ଅନନ୍ତ ପଟ୍ଟନାୟକ ଓ ହରମୋହନ ପଟ୍ଟନାୟକ ପ୍ରମୁଖ ଆନ୍ଦୋଳନର ଲକ୍ଷ୍ୟ, ରୂପରେଖ ଓ ଗତିବିଧି ବିଷୟରେ ଆଲୋଚନା କରୁଥିଲେ ଓ ନିଷ୍ପତ୍ତି ନେଉଥିଲେ ମୁଁ ସେତେବେଳେ କଲେଜିଏଟ୍ ସ୍କୁଲର ଛାତ୍ର । ଛାତ୍ର ନେତା ସଚ୍ଚି ରାଉତରାୟ, ବିଶ୍ଵନାଥ ପଶାୟତ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ମୁଁ, ଜଗତକୃଷ୍ଣ ଦାସ (ଟିକଭାଇ), ସତ୍ୟବାଦୀ ମିଶ୍ର ଓ ଅନ୍ୟ ଅନେକେ ନବବାବୁଙ୍କ ଘରେ ଏକାଠି ହୋଇ ଛାତ୍ରମାନଙ୍କ ତରଫରୁ ପ୍ରଜାମଣ୍ଡଳ ଆନ୍ଦୋଳନକୁ କିପରି ସାହାଯ୍ୟ କରାଯାଇପାରିବ, ତାର ଯୋଜନା କରୁଥିଲୁ ।

 

ଭାରତର ବ୍ରିଟିଶ-ଶାସିତ ଅଞ୍ଚଳରେ କଂଗ୍ରେସ ଆନ୍ଦୋଳନ ଏବଂ ସମାଜବାଦୀ ଓ କମ୍ୟୁନିଷ୍ଟ ନେତୃତ୍ଵରେ ପରିଚାଳିତ କୃଷକ ଆନ୍ଦୋଳନର ପ୍ରଭାବ, ଦେଶୀୟ ରାଜ୍ୟ ପ୍ରଜାମାନଙ୍କ ଉପରେ ପଡ଼ୁଥାଏ । ୧୯୩୭ ଜୁଲାଇରେ ବିଭିନ୍ନ ପ୍ରଦେଶରେ କଂଗ୍ରେସ ସରକାର ଗଠିତ ହେବାପରେ ଗଡ଼ଜାତ କର୍ମୀମାନଙ୍କର ସାହସ ବଢ଼ିଲା ଓ ଆନ୍ଦୋଳନ ଅଧିକ ଶକ୍ତିଶାଳୀ ହେଲା । ଗଡ଼ଜାତର ପ୍ରଜାମାନେ ରାଜ ଅତ୍ୟାଚାର ବିରୁଦ୍ଧରେ ସଙ୍ଗଠିତ ସଂଘର୍ଷ ଆରମ୍ଭ କଲେ । ଓଡ଼ିଶାରେ ମଧ୍ୟ ଏହି ସମୟରେ ଗଡ଼ଜାତ ପ୍ରଜା ସମ୍ମିଳନୀ ପୁର୍ନଗଠିତ ହେଲା । ଆମେରିକାରୁ ଉଚ୍ଚଶିକ୍ଷା ଲାଭ କରି ଫେରିଥିବା ଢେଙ୍କାନାଳର ସାରଙ୍ଗଧର ଦାସ ଏହାର ସମ୍ପାଦକ ହେଲେ । ଏହାର ଶାଖାମାନ ବିଭିନ୍ନ ରାଜ୍ୟରେ ଗଠିତ ହେଲା । ଆଠଗଡ଼, ନୀଳଗିରି, ଢେଙ୍କାନାଳ, ତାଳଚେର, ରଣପୁର, ନୟାଗଡ଼, ବଡ଼ମ୍ବା, ଓ ବାମଣ୍ଡା ପ୍ରଭୃତି ସବୁ ଗଡ଼ଜାତରେ ପ୍ରଜାମଣ୍ଡଳ ମୁଣ୍ଡ ଟେକିଲା ।

 

ଲେଖକଙ୍କର ଅପ୍ରକାଶିତ ପୁସ୍ତକ “ଭୁଲି ନାହିଁ”ର ଗୋଟିଏ ଅଧ୍ୟାୟ ।

 

ଆଠଗଡ଼ ପ୍ରଜାମଣ୍ଡଳର ସଭାପତି ଥିଲେ ଶ୍ରୀ ରାଧାନାଥ ରଥ (ଡକ୍ଟର ରାଧାନାଥ ରଥ, ସମ୍ପାଦକ, ସମାଜ) ଓ ସମ୍ପାଦକ ବ୍ରଜକିଶୋର ପଟ୍ଟନାୟକ, ତାଳଚେର ପ୍ରଜାମଣ୍ଡଳର ସଭାପତି ଶ୍ରୀ ପବିତ୍ର ମୋହନ ପ୍ରଧାନ (ଭବିଷ୍ୟତରେ ଉପମୁଖ୍ୟମନ୍ତ୍ରୀ) ନୀଳଗିରି ପ୍ରଜାମଣ୍ଡଳର ସଭାପତି ଶ୍ରୀ କୈଳାସ ଚନ୍ଦ୍ର ମହାନ୍ତି ଓ ସମ୍ପାଦକ ଶ୍ରୀ ବନମାଳୀ ଦାସ, ଢେଙ୍କାନାଳ ପ୍ରଜାମଣ୍ଡଳର ସଭାପତି ଶ୍ରୀ ହର ମୋହନ ପଟ୍ଟନାୟକ ଓ ସମ୍ପାଦକ ଲକ୍ଷ୍ମୀଧର ସାହୁ ଓ ତାଙ୍କର ସହଯୋଗୀ ଥିଲେ ବୀର ବୈଷ୍ଣବ ପଟ୍ଟନାୟକ (ଭବିଷ୍ୟତରେ ଏମ୍.ପି) ବ୍ରଜକିଶୋର ଧଳ, ମୂଷା ମଳିକ ଓ ଆଉ ଅନେକେ । ମହେଶ୍ଵର ସୁବାହୁ ସିଂହ ଥିଲେ ଢେଙ୍କାନାଳ ପ୍ରଜା ଆନ୍ଦୋଳନର ପ୍ରାଣ ପ୍ରତିଷ୍ଠାତା-। ବାମଣ୍ଡା ଆନ୍ଦୋଳନର ନେତା ଥିଲେ ଦୟାନନ୍ଦ ଶତପଥୀ ଓ ରଣପୁର ପ୍ରଜାମଣ୍ଡଳର ସଭାପତି ଥିଲେ ଆଡ଼ଭୋକେଟ ରାମଚନ୍ଦ୍ର ରାମଙ୍କ ପିତା ବନମାଳୀ ରାମ ।

 

ପ୍ରଥମେ ନୀଳଗିରିରେ ସଂଘର୍ଷ ଆରମ୍ଭ ହେଲା । ନୀଳଗିରିରେ ସଭା, ଶୋଭାଯାତ୍ରା ବନ୍ଦ କରିଦିଆ ହେଲା । ଯେଉଁମାନେ ବିରୋଧ କଲେ, ସେମାନଙ୍କୁ ମାଡ଼ ଦେଇ ଜେଲରେ ଭର୍ତ୍ତି କରାଗଲା । କିନ୍ତୁ ଆନ୍ଦୋଳନ ଏତେ ବ୍ୟାପକ ହେଲା ଯେ, ନୀଳଗିରି ପୋଲିସ ଅବସ୍ଥା ସମ୍ଭାଳି ପାରିଲେ ନାହିଁ । ଯୁବକ ବନମାଳୀ ଦାସ ଥିଲେ ଏହି ଆନ୍ଦୋଳନର ସଙ୍ଗଠକ । ସେତେବେଳର ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ଶ୍ରୀ ହରେକୃଷ୍ଣ ମହତାବଙ୍କ ହସ୍ତକ୍ଷେପ ଫଳରେ ରାଜପକ୍ଷ ପ୍ରଜାମାନଙ୍କର କେତେକ ଦାବି ଗ୍ରହଣ କରିବାକୁ ସମ୍ମତ ହେଲେ । ଏକପ୍ରକାରର ସମାଧାନ ହେଲା । ଏହାପରେ ବନମାଳୀ ଦାସ କାର୍ଯ୍ୟବଶତଃ କଟକ ଆସିଥିଲେ । ତାଙ୍କର ବୀରୋଚିତ କାର୍ଯ୍ୟ ପାଇଁ ତାଙ୍କୁ ଟାଉନହଲରେ ଛାତ୍ରସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ପବିତ୍ର ମୋହନ ପ୍ରଧାନଙ୍କ ନେତୃତ୍ଵରେ ତାଳଚେର ଆନ୍ଦୋଳନ ଏକ ଭିନ୍ନ ରୂପ ନେଲା-। ରାଜଦରବାରଙ୍କ ଉତ୍ପୀଡ଼ନରେ ଉତକ୍ଷିପ୍ତ ହୋଇ ପ୍ରାୟ ୩୦ ହଜାର ଲୋକ ତାଳଚେର ଛାଡ଼ି ମୋଗଲବନ୍ଦୀ ଅଞ୍ଚଳ ଅନୁଗୁଳରେ ଆଶ୍ରୟ ନେଲେ । ଡକ୍ଟର ମହତାବ ତାଙ୍କ “ସାଧନାରପଥେ” ପୁସ୍ତକରେ ଲେଖିଛନ୍ତି ଯେ ଗାନ୍ଧିଜୀଙ୍କ ପରାମର୍ଶ ଅନୁଯାୟୀ ସେ ଏପରି ନିଷ୍ପତ୍ତି ନେଇଥିଲେ-। ଅନୁଗୁଳରେ ଖୋଲା ପଡ଼ିଆରେ ରହି ଲୋକେ ବହୁତ କଷ୍ଟ ପାଇଲେ । ପରେ ଭାରତ ସରକାରଙ୍କ ରାଜନୈତିକ ବିଭାଗର ସହାୟତାରେ ତାଳଚେର ରଜାଙ୍କ ଉପରେ ଚାପ ଦିଆଗଲା ଓ ସେ କେତେକ ସର୍ତ୍ତ ଗ୍ରହଣ କରିବାକୁ ରାଜି ହେବାରେ, ଏହି ପଳାତକମାନେ ରାଜ୍ୟକୁ ଫେରିଲେ-

କିନ୍ତୁ ଢେଙ୍କାନାଳ ଆନ୍ଦୋଳନ ଥିଲା ସବୁଠାରୁ ଶକ୍ତିଶାଳୀ, ଏକ ସୁସଙ୍ଗଠିତ ବିରାଟ ଜନ ଆନ୍ଦୋଳନ । ଢେଙ୍କାନାଳର ତତ୍କାଳୀନ ରାଜା ଶଙ୍କର ପ୍ରତାପ ବାହାଦୂର ଥିଲେ ସବୁଠାରୁ ବେଶି ଅତ୍ୟାଚାରୀ ଓ ପ୍ରଜାପୀଡ଼କ । ୧୯୩୭ ମସିହା ଓଡ଼ିଶା ଗଡ଼ଜାତ ପ୍ରଜା ସମ୍ମିଳନୀରେ ସଭାପତିତ୍ଵ କରି କଂଗ୍ରେସ ସଭାପତି ଡକ୍ଟର ପଟ୍ଟାଭି ସୀତାରାମାୟା କଟକ ଟାଉନ ହଲରେ ରାଜା ଶଙ୍କର ପ୍ରତାପଙ୍କ କୁତ୍ସିତ ମନ ଓ ବିକୃତ ଯୌନପ୍ରୀତି ସମ୍ପର୍କରେ କଠୋର ମନ୍ତବ୍ୟ କରିଥିଲେ ବୋଲି ହରମୋହନ ପଟ୍ଟନାୟକଙ୍କ ଲିଖିତ ‘ଢେଙ୍କାନାଳ ଆନ୍ଦୋଳନ” ବହିରେ ଉଲ୍ଲେଖ ଅଛି । କେତେକ କ୍ଷେତ୍ରରେ ସାମାନ୍ୟ ତ୍ରୁଟି ବିଚ୍ୟୁତି ବା ମନାନ୍ତର ହେତୁ, ସେ ନିକଟତମ ବନ୍ଧୁଙ୍କୁ ମଧ୍ୟ କଠୋର ନିର୍ଯ୍ୟାତନା ଓ ଅପମାନ ଦିଅନ୍ତି । ଏପରିକି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଣେତା ରାୟ ବାହାଦୂର ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପରି ବ୍ରିଟିଶ ସମର୍ଥକ ମଧ୍ୟ ପଣ୍ଡିତ ନୀଳକଣ୍ଠଙ୍କ ନବଭାରତ ପତ୍ରିକାରେ “ସ୍ଵପ୍ନରେ ରାଜଯୋଗ” ଶୀର୍ଷକ ଲେଖାରେ ରାଜଦରବାରଙ୍କ ଅତ୍ୟାଚାର କାହାଣୀ ବର୍ଣ୍ଣନା କରୁଥାଆନ୍ତି ।

ସେପ୍ଟେମ୍ବର ପହିଲାରେ ବ୍ରାହ୍ମଣୀ ନଦୀକୂଳ ଜେନାପୁର ନିକଟରେ ସେ ବର୍ଷର ଚାଷୀ ଦିବସ ପାଳିତ ହେଲା । ଏହି ସଭାରେ ପ୍ରାୟ ପଚାଶ ହଜାର ଲୋକ ଯୋଗ ଦେଇଥାନ୍ତି । ବ୍ରାହ୍ମଣୀ ନଦୀ ଆର ପଟ ଢେଙ୍କାନାଳ ସୀମାକୁ ଲାଗିଛି । ଢେଙ୍କାନାଳରୁ ମଧ୍ୟ ମହେଶ୍ଵର ସୁବାହୁ ସିଂଙ୍କ ପରି ବହୁ ନେତା ଓ ସାଧାରଣ ଲୋକ ଏ ସଭାରେ ଯୋଗ ଦେଇଥିଲେ । ନବବାବୁ, ମୋହନ ଦାସ, ଭଗବତୀ ଚରଣ ପାଣିଗ୍ରାହୀ ଓ ଡାକ୍ତର ଫନୀ ପାଲ ପ୍ରମୁଖ ବହୁ କଂଗ୍ରେସ ସମାଜବାଦୀ, କମ୍ୟୁନିଷ୍ଟ ଓ କୃଷକ ଆନ୍ଦୋଳନର ନେତା ଚାଷୀମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିବାକୁ ଯାଇ ଢେଙ୍କାନାଳ ପ୍ରଜାମାନଙ୍କର ଦାବି ଉପରେ ମଧ୍ୟ ଭାଷଣ ଦେଇଥିଲେ । ଏହି ସଭାର ବିବରଣୀ ଢେଙ୍କାନାଳ ସାରା ବିଜୁଳି ବେଗରେ ବ୍ୟାପିଗଲା । ଚାରିଆଡ଼େ ସଭା ସମିତି ହୋଇ ଦାବିପତ୍ର ରାଜାଙ୍କ ନିକଟକୁ ପଠାଗଲା । ରାଜା ବାହାଦୂର ଦାବି ଗ୍ରହଣ କରିବା ପରିବର୍ତ୍ତେ ପ୍ରଜାମଣ୍ଡଳ କର୍ମକର୍ତ୍ତାମାନଙ୍କୁ ଜେଲରେ ଭର୍ତ୍ତି କଲେ । ଏହାର ପ୍ରତିବାଦରେ ସେପ୍ଟେମ୍ବର ବାର ତାରିଖ ଦିନ ଢେଙ୍କାନାଳ ସହରରେ ବିରାଟ ପ୍ରତିବାଦ ଆନ୍ଦୋଳନ ଆରମ୍ଭ ହେଲା । ରାଜ୍ୟ ସାରା ଚାରିଆଡ଼ୁ ଲୋକେ ଚୁଡ଼ା, ଚାଉଳ ବାନ୍ଧି ଢେଙ୍କାନାଳରେ ଜମାଟ ବାନ୍ଧିଲେ । ଜନ ସମାବେଶ କ୍ରମେ ବଢ଼ିବାକୁ ଲାଗିଲା । ଲୋକେ ସ୍ଲୋଗାନ ଦେଇ ଗୀତ ଗାଇ ସହର ସାରା ଶୋଭାଯାତ୍ରା କଲେ । ଢେଙ୍କାନାଳ ରାଜା ହାତୀ ମତାଇ ଜନ ସମୁଦ୍ରକୁ ଛିନ୍ ଛତ୍ର କରିବାକୁ ଉଦ୍ୟମ କଲେ, ଲାଠି ପ୍ରହାର ବଳରେ ଜନତାକୁ ଭୟଭୀତ କରିବାକୁ ଚେଷ୍ଟାକଲେ । କିନ୍ତୁ ତାଙ୍କର ଉଦ୍ୟମ ସଫଳ ହେଲା ନାହିଁ । ସନ୍ଧ୍ୟା ପରେ ଖୋଦ୍ ରାଜ ସରକାରଙ୍କର ଭୟ ବଢ଼ିବାକୁ ଲାଗିଲା । ଅନ୍ୟ ଉପାୟ ନ ଦେଖି, ରାତିରେ ପ୍ରଜାମଣ୍ଡଳ ନେତାମାନଙ୍କୁ ଜେଲରୁ ମୁକ୍ତକରି ଦିଆଗଲା । ଢେଙ୍କାନାଳ ହାଇସ୍କୁଲର ଛାତ୍ରମାନେ ମଧ୍ୟ ଏହି ଆନ୍ଦୋଳନରେ ଭାଗ ନେଇଥିଲେ । ତହିଁପର ଦିନ ଛାତ୍ରସଂଘର ସମ୍ପାଦକ ବିଶ୍ଵନାଥ ପଶାୟତ ଓ ଗୋବିନ୍ଦ ଚନ୍ଦ୍ର ମହାନ୍ତି ଢେଙ୍କାନାଳ ଯାଇ ଛାତ୍ରମାନଙ୍କୁ ଉଦବୋଧନ ଦେଲେ-। କିନ୍ତୁ ସମସ୍ତେ ଜାଣିଥିଲେ ରାଜାଙ୍କର ଏ ପଛଘୁଞ୍ଚା ଅତି ସାମୟିକ ଏବଂ ପରେ ସେ ଯେଉଁ ପ୍ରତି ଆକ୍ରମଣ ଆରମ୍ଭ କରିବେ, ତାହା ହେବ ବନ୍ଧୁକ ଗୁଳିରେ ।

 

କବି ଅନନ୍ତ ପଟ୍ଟନାୟକ ଲିଖିତ ଗୋଟିଏ ଗୀତ ଢେଙ୍କାନାଳରେ ଖୁବ୍ ଜନପ୍ରିୟ ହୋଇଥିଲା । ଆନ୍ଦୋଳକାରୀମାନେ ଏ ଗୀତଟି ଗାଇ ଗାଇ ଶୋଭାଯାତ୍ରା କରନ୍ତି । ସବୁ ଦୁଃଖ କଷ୍ଟ ଭିତରେ ଏ ଗୀତଟି ସେମାନଙ୍କୁ ଅବାରିତ ପ୍ରେରଣା ଦିଏ । ଗୀତର ପ୍ରଥମ କେତୋଟି ଧାଡ଼ି ମନେ ପଡ଼ୁଛି :–

 

“ଚାଲରେ ଚାଲରେ ଚାଲ୍

ମୁଲକ ଯାକର ମାଲିକ ଚାଷୀ

ମଜୁରିଆ କୁଲି ହେ ଉପବାସୀ

ତୋଳି ଧର ତୋର ପତାକା ଆସି

ତୋହରି ରକତେ ଲାଲ ।”

 

ଏହି ସମୟରେ ପ୍ରଜାମଣ୍ଡଳକୁ ସମର୍ଥନ କରି କଟକରେ ପ୍ରାୟ ପ୍ରତି ସପ୍ତାହରେ ସଭା ଶୋଭାଯାତ୍ରା ହୁଏ । ଏହାର ଆୟୋଜନ କରିବାର ଦାୟିତ୍ଵ ଆମପରି ଛାତ୍ରମାନଙ୍କ ଉପରେ । ବକ୍ତା ଥିଲେ ନବବାବୁ, ସାରଙ୍ଗଧର ବାବୁ ଓ ଭଗବତୀ ବାବୁ ଇତ୍ୟାଦି । ଏହି ସବୁ କାର୍ଯ୍ୟରେ ବ୍ୟସ୍ତ ରହି ମୋର ପଢ଼ାପଢ଼ିରେ ବହୁତ କ୍ଷତି ହେଉଥାଏ । କେତେକ ଶୁଭାକାଂକ୍ଷୀ ଶିକ୍ଷକ ମୋତେ ବାରଣ କରନ୍ତି । କିନ୍ତୁ ଆମେ ତ ଆନ୍ଦୋଳନ ନିଶାରେ ଜର୍ଜରିତ, ଆଗକୁ ଯିବା ଆମର ଲକ୍ଷ୍ୟ, ପଛକୁ ଫେରିବୁ କିପରି ?

 

କବି ସଚ୍ଚି ରାଉତରାୟ ସେତେବେଳେ ରେଭେନ୍‍ସା କଲେଜର ଛାତ୍ର । ସେ ମଧ୍ୟ ଆନ୍ଦୋଳନ ସହିତ ଘନିଷ୍ଟ ଭାବରେ ଜଡ଼ିତ । ତାଙ୍କ ଲିଖିତ ଗୋଟିଏ କବିତା ସାପ୍ତାହିକ “କୃଷକ”ରେ ପ୍ରକାଶିତ ହୋଇଥାଏ ଏବଂ ତାହା ଥିଲା ଢେଙ୍କାନାଳରେ ଆନ୍ଦୋଳନକାରୀମାନଙ୍କର ମାର୍ଚ୍ଚିଂ ସଙ୍ଗ୍ ବା ଯାତ୍ରା ସଙ୍ଗୀତ । କଟକରେ ଥରେ ଗୋଟିଏ ଶୋଭାଯାତ୍ରାରେ ସେ କବିତାଟିକୁ ସଙ୍ଗୀତ ରୂପଦେଇ ଉଚ୍ଚ ଗଳାରେ ମିଳିତ କଣ୍ଠରେ ଗାଇ ଆମେ ପ୍ରଜାମଣ୍ଡଳ ପାଇଁ ଚାନ୍ଦା ସଂଗ୍ରହ କରିଥିଲୁ । ପ୍ରାୟ ଅଢ଼େଇଶହ ଟଙ୍କା ଆଦାୟ ହେଲା । ବର୍ତ୍ତମାନ ତାର ମୂଲ୍ୟ ହେବ ପ୍ରାୟ ବାର ହଜାର ଟଙ୍କା । ଆନ୍ଦୋଳନ ପଛରେ ସାଧାରଣ ଲୋକଙ୍କ ସମର୍ଥନର ବ୍ୟାପକତା ଏଥିରୁ ବୁଝା ପଡ଼ିବ । ସେ କବିତାର ପ୍ରଥମ କେତୋଟି ପଂକ୍ତି ହେଲା :

 

“ମାର ତୁ ଯେତେ ଗୁଳି

ମରିବୁ ପଛେ ଡରିବୁ ନାହିଁ, ଯାଅନା ଏହା ଭୁଲି ।

ଘୋଡ଼ା ସବାର ସିପାହୀ ତୋର, ଚଢ଼ାଉ ଯେତେ କର

ପତାଇ ଦେଇ ଛାତିର ହାଡ଼, ହୋଇବୁ ଆଗଭର ।

ରଖ୍ ତୋର ଲାଠି, କାଠର ଲାଠି, ଲୁହାର ଆମ ଛାତି

ମରଣ ଆମ ମୈତ୍ର ଜାଣ, କଷଣ ଆମ ସାଥୀ ।”

 

କବିତା ଗୁଡ଼ିକରେ ଦଳିତ, ଶୋଷିତ, ଗୁଳି ଲାଠି ମରଣ କଷଣ ଆଦି ଶବ୍ଦର ପ୍ରୟୋଗ ଆଧୁନିକ ପାଠକ ସମାଜରେ କେତେଦୂର ଗ୍ରହଣୀୟ ହେବ ଜାଣେ ନାହିଁ । ସୁଖ ସ୍ଵାଚ୍ଛନ୍ଦ୍ୟ ଓ ସମୃଦ୍ଧି ଭିତରେ ବଢ଼ିଥିବା ସଜ୍ଜନମାନଙ୍କ ଦୃଷ୍ଟିରେ ଏହା ଆଦୃତ ହୋଇ ନ ପାରେ । କିନ୍ତୁ ବ୍ରିଟିଶ ସାମ୍ରାଜ୍ୟବାଦ ଏବଂ ଗଡ଼ଜାତ ଅତ୍ୟାଚାର–ବିରୋଧୀ ସଂଗ୍ରାମର ଏହାହିଁ ଥିଲା ଭାବନା, କଳ୍ପନା ଓ ଅଗ୍ରଗତିର ମୂଳମନ୍ତ୍ର । ସେଥିପାଇଁ ସେ କବିତାସବୁ ଥିଲା ଅଗ୍ନି ବର୍ଷୀ, ଜ୍ଵାଳାମୟୀ–ଛନ୍ଦ ଥିଲା ଉଗ୍ର ତାଣ୍ଡବ ।

 

ସେପ୍ଟେମ୍ବର ବାର ତାରିଖର ପଛଘୁଞ୍ଚା ପରେ ରାଜଶକ୍ତି ପୁନର୍ବାର ନିଜକୁ ଗୁଳି ଗୋଳାରେ ସଜ୍ଜିତ କରି ପ୍ରଜା ଆନ୍ଦୋଳନକୁ ନିଶ୍ଚିହ୍ନ କରିବା ପାଇଁ ଆଗେଇ ଆସିଲେ । ଦୁଇ ଦିନ ପରେ ଗୋରା ଫଉଜ କଟକ ବାଟ ଦେଇ ଢେଙ୍କାନାଳ ଗଲେ । ପଞ୍ଜାବୀ ଫୌଜ ଓ ହାଇଦରାବାଦ ଫୌଜ ଓ ଅନ୍ୟ କେତେକ ଦେଶୀୟ ରାଜ୍ୟର ପୋଲିସଙ୍କୁ ଭାରତ ସରକାରଙ୍କ ରାଜନୈତିକ ଦପ୍ତର ଢେଙ୍କାନାଳ ପଠାଇଲେ । ଏହାପରେ ଆରମ୍ଭ ହେଲା ବର୍ବର ଦମନ-ଲୀଳା । ଗାଁ ଗାଁରେ ଗିରଫଦାରୀ, ଲାଠି ମାଡ଼ ଓ ପୋଲିସ ଗୁଳି । ଗୋଡ଼ିଡ଼ିହ, ତୁମସିଙ୍ଗା, ପରଜଙ୍ଗର, କଳସିଂହା ଓ ଭୁବନ ଆଦି ଅନେକ ସ୍ଥାନରେ ଗୁଳିରେ ଅନେକ ଲୋକ ମଲେ । ଭୁବନ ଗୁଳିକାଣ୍ଡ ପରେ ପୋଲିସ ଫୌଜ ବ୍ରାହ୍ମଣୀ କୂଳ ନୀଳକଣ୍ଠପୁର ଘାଟରେ ପହଞ୍ଚିଲେ ଓ ସେଠାରେ ଡଙ୍ଗା ପାରିହୋଇ ଆର ପାରିକୁ ଯିବାକୁ ଚେଷ୍ଟା କଲେ । ବାଜିରାଉତ ଓ ଆଉ କେତେଜଣ ପ୍ରଜାମଣ୍ଡଳ କର୍ମୀ ଏହାର ପ୍ରତିରୋଧ କଲେ ଓ ଡଙ୍ଗା ଛାଡ଼ିଲେ ନାହିଁ । ପୋଲିସ ଜବରଦସ୍ତି ଡଙ୍ଗା ଛଡ଼ାଇ ନେଲେ ଓ ଡଙ୍ଗାରେ ବସି କୂଳରେ ଥିବା ପ୍ରତିରୋଧକାରୀମାନଙ୍କୁ ଆଖିବୁଜା ଗୁଳି କଲେ । ସେହି ଗୁଳିରେ ବାଜି ରାଉତ ଓ ଅନ୍ୟ ପାଞ୍ଚ ଜଣ କର୍ମୀ ଟଳି ପଡ଼ିଲେ । ଛ’ ଜଣ ଶହୀଦଙ୍କ ଉଷ୍ମ ରକ୍ତରେ ବ୍ରାହ୍ମଣୀ ନଦୀର କୂଳ ଲାଲ ହୋଇଗଲା । ଏହା ଅକ୍ଟୋବର ଦଶ ତାରିଖର ଘଟଣା ।

 

କିନ୍ତୁ ସବୁ ଲାଠିମାଡ଼, ଗୁଳି, ବାଜିରାଉତର ହତ୍ୟା ଓ ନିର୍ଯ୍ୟାତନା ସତ୍ତ୍ୱେ ଆନ୍ଦୋଳନ ଦବିଗଲା ନାହିଁ । ମୋଗଲ ବଂଶର ସାହାଯ୍ୟକାରୀମାନେ ମଧ୍ୟ ସେମାନଙ୍କ ଉଦ୍ୟମରୁ ବିରତ ହେଲେ ନାହିଁ । ବାଜିରାଉତ ଗୁଳିକାଣ୍ଡର ପ୍ରାୟ ମାସକ ପରେ ବୈଦ୍ୟନାଥ ରଥ ଓ ଅନନ୍ତ ପଟ୍ଟନାୟକ ଗୋଟିଏ ସଭାରୁ ଫେରୁଥିବା ସମୟରେ ଢେଙ୍କାନାଳ ରାଜାର ଗୁଣ୍ଡାମାନେ କବାଟବନ୍ଧଠାରେ ଏମାନଙ୍କୁ ଧରିବା ପାଇଁ ଲୁଚି ରହିଥିଲେ । ବୈଦ୍ୟନାଥ ରଥଙ୍କୁ ସେମାନେ ଧରି ପାରିଲେ ନାହିଁ, ସେ ସାଇକଲ ଛୁଟାଇ ଚାଲି ଆସିଲେ । ଅନନ୍ତ ପଟ୍ଟନାୟକଙ୍କୁ ସେମାନେ ମାଡ଼ି ବସିଲେ । ମଢ଼ି ଜେଲରେ ତାଙ୍କୁ ବନ୍ଦୀ କରି ରଖାଗଲା, ମେଡ଼ିକାଲ ଛାତ୍ର ରଦିଘୋଷ ଆନ୍ଦୋଳନ ସଂକ୍ରାନ୍ତରେ ଅନୁଗୁଳ ଯିବା ବାଟରେ ମେରାମୁଣ୍ଡଳୀଠାରେ ବେଆଇନ ଭାବରେ ରେଳବାଇ ଇଲାକାରୁ ଗିରଫ ହେଲେ । ଚାଷୀନେତା ଗୌରାଙ୍ଗ ଚରଣ ଦାସଙ୍କୁ ଢେଙ୍କାନାଳ ପୋଲିସ ଗିରଫ କରି ବାଡ଼େଇ ବାଡ଼େଇ ସେ ମରିଗଲେ ବୋଲି ଛାଡ଼ି ଦେଇ ଯାଇଥିଲେ । ପରେ ସେ ଜୀବିତ ଥିବାର ଜାଣି ତାଙ୍କୁ ନେଇ ଜେଲରେ ବନ୍ଦୀ କଲେ । ଏମାନେ ସମସ୍ତେ ଓ ଆହୁରି ଅନେକ ଢେଙ୍କାନାଳର ବିଭିନ୍ନ ଜେଲରେ ବର୍ଷାଧିକ କାଳ ଅକଥନୀୟ ଦୁର୍ଦ୍ଦଶା ଭୋଗିଥିଲେ-ବିନା ବିଚାରରେ ।

 

ନୀଳକଣ୍ଠପୁର ବ୍ରାହ୍ମଣୀ ଘାଟରେ ବାଜିରାଉତ ହତ୍ୟାକାଣ୍ଡ ପରେ କଟକରେ ଚହଳ ପଡ଼ିଯାଇଥିଲା । ଜେନାପୁରର କଂଗ୍ରେସ ନେତା ଶ୍ରୀ ବଳଦେବ ଲାଲା ଓ ଚାଷୀନେତା ଡାକ୍ତର ଫନୀ ପାଲ ଏ ଶହୀଦମାନଙ୍କର ଶବକୁ ଜେନାପୁର ପର୍ଯ୍ୟନ୍ତ ଡଙ୍ଗାରେ ନେଇ ଆସିଲେ । ଜେନାପୁରରେ ବୈଷ୍ଣବ ପଟ୍ଟନାୟକ ଓ ରବିଘୋଷଙ୍କ ସାହାଯ୍ୟରେ ଶବଗୁଡ଼ିକୁ ଟ୍ରେନ ୱାଗନରେ କଟକ ଅଣାହେଲା । ପୋଷ୍ଟମର୍ଟମ ପରେ ତୃତୀୟ ଦିନ ଛ’ଟି ଶଗଡ଼ ଗାଡ଼ିରେ ଶବଗୁଡ଼ିକୁ ରଖି, ଖାନନଗରକୁ ଶବ ଶୋଭାଯାତ୍ରା ଆରମ୍ଭ ହେଲା ।

 

ଶବବାହୀ ଶଗଡ଼ର ଚାଳକ ଥିଲେ ଅନନ୍ତ ପଟ୍ଟନାୟକ, ସଚ୍ଚିଦାନନ୍ଦ ରାଉତରାୟ, ବିଶ୍ଵନାଥ ପଶାୟତ, ଗୋବିନ୍ଦ ଚନ୍ଦ୍ର ମହାନ୍ତି ଓ ମେଡ଼ିକାଲ ଛାତ୍ର ରବି ଘୋଷ ଓ ମୋତିଲାଲ ତ୍ରିପାଠୀ । ଶବବାହୀ ଗାଡ଼ି ପଛରେ ଚାଲିଥାନ୍ତି ନବକୃଷ୍ଣ ଚୋଧୁରୀ, ପଣ୍ଡିତ ପ୍ରାଣକୃଷ୍ଣ ପଢ଼ିଆରୀ, ଭଗବତୀ ପାଣିଗ୍ରାହୀ, ସୁରେନ୍ଦ୍ର ନାଥ ଦ୍ଵିବେଦୀ, ଗୌରାଙ୍ଗ ଚରଣ ଦାସ, ସାରଙ୍ଗଧର ଦାସ, ବୈଷ୍ଣବ ଚରଣ ପଟ୍ଟନାୟକ ଓ ଅନ୍ୟମାନେ । ଆମେ କେତେଜଣ ହଜାର ହଜାର ଲୋକଙ୍କର ଏହି ବିରାଟ ଶୋଭାଯାତ୍ରାକୁ ନିୟନ୍ତ୍ରଣ କରି ଚାଲିଥାଉ । ଖାନନଗର ଶ୍ମଶାନ ପାଖରେ ପହଞ୍ଚିଲାବେଳକୁ ଦେଖିଲି, କେତେଜଣ ଫ୍ରକପିନ୍ଧା ଝିଅ ମଧ୍ୟ ଶୋଭାଯାତ୍ରା ପଛରେ ଚାଲିଛନ୍ତି । ସେମାନଙ୍କ ମଧ୍ୟରେ ଥିଲେ ନିରୁପମା (ଡାକ୍ତର ନିରୁପମା ରଥ) ‘ମନୁ’ (ସ୍ଵର୍ଗୀୟା ଡାକ୍ତର ସରୋଜିନୀ ପ୍ରଧାନ) ଓ ନବବାବୁ ଏବଂ ମାଳତୀ ଦେବୀଙ୍କ ଝିଅ ‘ବୁବୁ’ (ସ୍ଵର୍ଗୀୟା ଉତ୍ତରା ଦେଶାଇ) । କେହି କେହି କହୁଥାନ୍ତି ମଧୁସୂଦନ ଦାସଙ୍କ ଶବ ଶୋଭାଯାତ୍ରା ପରେ ଏତେ ବଡ଼ ଶୋଭାଯାତ୍ରା କଟକରେ ହୋଇନାହିଁ । ଶ୍ମଶାନରେ ଛ’ଟି ଶବକୁ ଗୋଟିଏ ଚିତାରେ ରଖି ମୁଖାଗ୍ନି ଦିଆହେଲା । ସମବେତ ଜନତାର କଣ୍ଠରେ ସେହି ଗୋଟିଏ ନାରା “ସାମ୍ରାଜ୍ୟବାଦ ଧ୍ଵଂସ ହେଉ–ଢେଙ୍କାନାଳୀ ଅତ୍ୟାଚାର ବନ୍ଦ ହେଉ ।”

 

ବାଜିରାଉତ ଓ ଅନ୍ୟ ଶହୀଦମାନଙ୍କର ଅନ୍ତିମ ଯାତ୍ରା ପରେ, କବି ସଚ୍ଚି ରାଉତରାୟ ଯେଉଁ କବିତା ଲେଖିଥିଲେ, କବିଙ୍କ ଭାଷାରେ ତାର ନାୟକ କୌଣସି ବିଖ୍ୟାତ ସେନାପତି, ଜନନାୟକ କିମ୍ବା ମଧ୍ୟଯୁଗୀୟ ସର୍ଦ୍ଦାର ନୁହେଁ । ବାଜିରାଉତ ନାମକ ଏକ ଛୋଟ ବାରବର୍ଷର ନାଉରୀ ପିଲା ଏ କବିତାର ପ୍ରଧାନ ଉପଜୀବ୍ୟ ।

 

ଦେଶର ଅଗଣିତ ସ୍ଵାଧୀନତା ସଂଗ୍ରାମୀଙ୍କର ଅନ୍ତରର ବେଦନାକୁ ଏ କବିତା ଯଥାର୍ଥ ରୂପ ଦେଇଥିଲା । କବିତାର ପ୍ରଥମ କେତୋଟି ଧାଡ଼ି ଉଦ୍ଧାର କରୁଛି :

 

“ନୁହେଁ ବନ୍ଧୁ, ନୁହେଁ ଏହା ଚିତା

ଏ ଦେଶ ତିମିର ତଳେ

ଏ ଅଲିଭା ମୁକତି ସଳିତା ।

ନୁହେଁ ଏହା ଜଳିଯିବା ପାଇଁ

ଏହାର ଜନମ ଏଥି, ଜାଳି ପୋଡ଼ି

ଦେବାକୁ ଧସାଇ ।।

ଏ ଶିଖା ଦେଇଚି ଆଜି

ଇତିହାସେ ହାତଟେକି ଦାନ

ଶତାବ୍ଦୀର ଶ୍ରେଷ୍ଠ ଫୁଲ

ମୁକୁଳିତ ମୃତ୍ୟୁହୀନ ପ୍ରାଣ

ଜ୍ଵଳନ୍ତ ଏ ଲେଲିହାନ, ସ୍ଵାହାହୀନ ଶିଖାର ଅନ୍ତରେ

ଜୀବନର ମାଲ୍ୟ ଥରେ, ମରଣର ଚାରୁ ସ୍ଵୟମ୍ବରେ

ରଚିବାକୁ ସୃଷ୍ଟିର ଭୂମିକା;

ଉଷାର ଗୋପନ ଅର୍ଥ ରଜନୀର ଲୁପ୍ତ ପାଦଟୀକା

ରଖେ ଯଥା ଧରି,

ଆପଣା ମୁତ୍ୟୁରେ ଫୁଟେ, ଆଜି ସେତ ଝରି ସେଇପରି ।

…… ……… …………’’

 

ପ୍ରଖ୍ୟାତ କବି କାଳନ୍ଦୀ ଚରଣ ପାଣିଗ୍ରାହୀଙ୍କ ‘କୃଷକ’ ପତ୍ରିକାରେ ଛଦ୍ମ ନାମରେ ନିମ୍ନଲିଖିତ କବିତା ଲେଖିଥିଲେ :

 

ଝାଳଦେଇ ତୁରେ ଗଢ଼ିଲୁ ରାଇଜ ରଜା

ଲହୁ ଢାଳି ଆଜି ହତିଆର ତୋର ପଜା

ବେଳ ଏହି ବେଳ ଏହି

ଗଢ଼ିଥିଲୁ ଯା’ କୁ ତଡ଼ିବୁ ତାହାକୁ ନ ଶୁଅରେ ଆଉ ଚେଇଁ

କୋଣାରକ ଠାରୁ ଗଢ଼ିଲୁ ଦେଉଳ ବଡ଼

ନ ମାନିଲୁ ରାଜା ଗୁଳି ବନ୍ଧୁକ ଝଡ଼

ଏଡ଼େ ଅବିନୀତ ଟୋକା

ଢେଙ୍କାନାଳର କଙ୍କାଳ ଟାଣି ବଜାଇଲୁ ଜୟ ଡକା ।

ବଜାଇଲୁ ତୁ ତ ଦୁନିଆ ଉପରେ ବାଜା

ଛାତିକି ଫୁଲାଇ “ନାହିଁ ରାଜା ! ନାହିଁ ରାଜା !”

କାହୁଁ ଶିଖିଲୁ ଏ କଥା

କହ କହ ବାଜି କାହା ଲାଗି ଆଜି

ବଳିଦେଲୁ ନିଜ ମଥା ।

 

ଶବଦାହର ପରଦିନ, ଟାଉନ ହଲ ପଡ଼ିଆରେ ଏକ ବିରାଟ ପ୍ରତିବାଦ ସଭା ହେଲା । ସାରଙ୍ଗଧର ଦାସ ବା ଭଗବତୀ ପାଣିଗ୍ରାହୀ, କିଏ ସଭାପତି ହୋଇଥିଲେ ତାହା ମନେ ପଡ଼ୁ ନାହିଁ । ମୁଖ୍ୟବକ୍ତା ଥିଲେ ନବକୃଷ୍ଣ ଚୌଧୁରୀ । ସଭା ଆରମ୍ଭରେ ଖବର ମିଳିଲା ଯେ ରାଜା ଶଙ୍କର ପ୍ରତାପ ସାମରିକ ପୋଲିସ ପହରାରେ ତାଳଚେର ଟ୍ରେନରେ ଆସି କଟକରୁ ପୁରୀ ଏକ୍ସପ୍ରେସରେ କଲିକତା ଯାଉଛନ୍ତି ଏବଂ ତାଙ୍କ ପାଇଁ ଏକ ଫାଷ୍ଟ କ୍ଳାସ୍ କମ୍ପାର୍ଟମେଣ୍ଟ ରିଜର୍ଭ କରାଯାଇଛି । ନବବାବୁ ଉତକ୍ଷିପ୍ତ ହୋଇ ଭାଷଣ ଆରମ୍ଭ କଲେ, ରାଜା ଫାଷ୍ଟ କ୍ଳାସ କମ୍ପାର୍ଟମେଣ୍ଟର ଦରଜା ଭିତରୁ ନିଜକୁ ବନ୍ଦ କରି ମନେ କରୁଛି, ସେ ଏଥର ନିରାପଦ । ଅନ୍ତତଃ ପାଖ ଡବାରେ ବନ୍ଧୁକଧାରୀ ପୋଲିସ ଅଛନ୍ତି । କିନ୍ତୁ ସେ ଜାଣେନା କମ୍ପାର୍ଟମେଣ୍ଟ ଭିତରେ ଅଛି ଭୂତ...ଶହୀଦ ବାଜି ରାଉତର ଭୂତ । ଭୂତ ଚିତ୍କାର କରୁଛି, ତୁ ଆମର ଘାତକ, ତୁ ଆମର ହତ୍ୟାକାରୀ—ଏଥର ତୋ’ ମୁକ୍ତି ନାଇଁ ଏଥର ପରିତ୍ରାଣ ନାଇଁ, ଭୟ ଆତଙ୍କରେ ରାଜା ଆଖି ବନ୍ଦ କରି ଦେଉଛି । କିନ୍ତୁ ନିଦ୍ରା ନାହିଁ ? ଆଖି ଖୋଲିବା ମାତ୍ରେ ଦେଖୁଛି, କେବଳ କଙ୍କାଳ, ତାଣ୍ଡବ ନୃତ୍ୟରତ ଶହ ଶହ ମଣିଷର କଙ୍କାଳ ।

 

ବାଜି, ହୁରୁଷି, ରଘୁ, ଗୁରି, ନଟ ଓ ଲକ୍ଷ୍ମଣର କଙ୍କାଳ–ବିକଟ ଅଟ୍ଟହାସ୍ୟରେ କମ୍ପାର୍ଟମେଣ୍ଟ ଫାଟି ପଡ଼ୁଛି...ଇତ୍ୟାଦି ଇତ୍ୟାଦି ।

 

ସେକ୍‍ସପିଅରଙ୍କ “ଜୁଲିଅସ ସିଜର” ନାଟକରେ ସିଜରଙ୍କ ମୃତ୍ୟୁ ପରେ, ହତ୍ୟାକାରୀ ବ୍ରୁଟସକୁ ଆକ୍ଷେପ କରି ସିଜରଙ୍କ ବନ୍ଧୁ ଆଣ୍ଟୋନୀ ଯେଉଁ ବକ୍ତୃତା ଦେଇ ଥିବାର ଉଲ୍ଲେଖ ଅଛି, ଇଂରାଜୀ ସାହିତ୍ୟରେ ତାହା ଏକ ଅବିସ୍ମରଣୀୟ ରଚନା । କିନ୍ତୁ ବାଳକ ବାଜି ରାଉତର ହତ୍ୟା ଉପରେ ନବବାବୁଙ୍କର ଭାଷଣ ଥିଲା ତା’ଠାରୁ ଆହୁରି ତୀକ୍ଷ୍ଣ, ଆହୁରି ଶାଣିତ, ଆହୁରି ଉତ୍ତେଜକ ଓ ଶକ୍ତିମାନ । ମୁଁ ଜୀବନରେ ନବବାବୁଙ୍କର ଶହ ଶହ ବକ୍ତୃତା ଶୁଣିଛି । ସ୍ଵାଧୀନତା ସଂଗ୍ରାମ କାଳରେ କ୍ଷମତାକୁ ଆସିବା ପରେ ଏବଂ ପୁଣି ସ୍ଵେଚ୍ଛାରେ କ୍ଷମତା ଛାଡ଼ି ଜନ ସେବାରେ ଆତ୍ମୋତ୍ସର୍ଗ କରିବା ପରେ । କିନ୍ତୁ ବାଜି ରାଉତ ଶୋକ ସଭାରେ ଏହି ବକ୍ତୃତା ଥିଲା ସବୁଠାରୁ ବେଶୀ ମର୍ମଭେଦୀ, ସବୁଠାରୁ ବେଶୀ ପ୍ରାଣସ୍ପର୍ଶୀ ।

☆☆☆

 

Unknown

ବ୍ୟର୍ଥତାରେ ସାର୍ଥକତାର ସନ୍ଦେଶ

ଶ୍ରୀ ଗୁରୁଚରଣ ପଟ୍ଟନାୟକ

 

ଜନ୍ମବାର୍ଷିକୀ ଓ ଶ୍ରାଦ୍ଧଦିବସ ଉପଲକ୍ଷେ ବ୍ୟକ୍ତିବିଶେଷଙ୍କ ପ୍ରଶସ୍ତିଗାନ ଏକ ଗତାନୁଗତିକ ବିଷୟ । ତାହା ଅତି ସହଜ ଓ ନିରାପଦ ବ୍ୟାପାର । ପ୍ରଶସ୍ତିଗାନ ଯେତେ ପର୍ଯ୍ୟାପ୍ତ ହେଲେ ବି ତାହା ଦାହ୍ୟ ଶକ୍ତିହୀନ, ଅନ୍ୟକୁ ପ୍ରଜ୍ଜ୍ଵଳିତ କରିବାର କ୍ଷମତା ତାର ନାହିଁ । ଅଥଚ ଜୀବନରେ ତାର ସେଇ ଶକ୍ତି ଓ କାର୍ଯ୍ୟ ଯୋଗୁ ହିଁ ଜଣେ ବିଶିଷ୍ଟ ବ୍ୟକ୍ତିରେ ଗଣ୍ୟ । ମଣିଷର ସେଇ ବୈଶିଷ୍ଟ୍ୟର ଉପଲବ୍ଧିର ଏକମାତ୍ର ମାର୍ଗ ହେଉଛି ତାର ସେଇ ଦାହ୍ୟ ପ୍ରଜ୍ଜ୍ଵଳିତ ଶକ୍ତିର ପ୍ରକୃତିକୁ ଉଦଘାଟନ କରିବା । ତା’ ଯେପରି ଏକ ଦୂରୁହ ବ୍ୟାପାର ସେହିପରି ଏକ ଦୁଃସାହସିକ କାର୍ଯ୍ୟ । ଯେହେତୁ ତାହା ଅନୁରୁପ କାର୍ଯ୍ୟକୁ ଆହ୍ଵାନ କରେ–ଅର୍ଥାତ୍ ‘ଦୁଷ୍ଟୃତ’ଙ୍କ ଦହନ ଓ ‘ସାଧୁଙ୍କ’ ପ୍ରଜ୍ଜ୍ଵଳନକୁ ଉତ୍ସାହିତ କରେ । ତାହା ହିଁ ହୁଏ ଅଗ୍ରଗତିର ପଥ । ସେଇ ପଥର ଅଗ୍ରଣୀ ଭାବେ ନବବାବୁଙ୍କ ଜୀବନର ଆରମ୍ଭ ।

 

ସେଇ ଦହନ, ପ୍ରଜ୍ଜ୍ଵଳନ ଶକ୍ତିର ଏକମାତ୍ର ଉଦ୍ଦେଶ୍ୟ ହେଲା ମାନବକୁ ତାର ଲକ୍ଷ୍ୟ, ସମାଜକୁ ତାର ଗତି ଓ ଯୁଗକୁ ତାର ବକ୍ତବ୍ୟ ପ୍ରଦାନ କରିବା । ଯିଏ ଯୁଗକୁ ତାର ବକ୍ତବ୍ୟ ପ୍ରଦାନ କରେ, ଯୁଗ ତାକୁ ବୈଶିଷ୍ଟ୍ୟ ପଥରେ ଘେନିଯାଏ । ତା’ କରିବାରେ ନିଜେ ସମାଜରେ ବିଶେଷ ସ୍ଥାନ ଅଧିକାର କରେ । ସେଇ ବୈଶିଷ୍ଟ୍ୟର ରୂପାୟନରେ ଯୁଗର ଚେହେରା ବଦଳେ । ସମାଜର ପ୍ରକୃତିରେ ପରିବର୍ତ୍ତନ ଘଟେ; ଲୋକ ଆଗ ତୁଳନାରେ ନିଜେ ନୂତନ ଭୂମିକା ଗ୍ରହଣ କରେ । ତା’ ହୁଏ ଏକ ଗୁଣାତ୍ମକ ପରିବର୍ତ୍ତନ–ସେଇ ଦହନ ଓ ପ୍ରଜ୍ଜ୍ଵଳନ ପ୍ରକ୍ରିୟାର ପରିଣତି । ତଦ୍ଦ୍ୱାରା ମଣିଷ ଅନ୍ୟର–ସମାଜର–ମର୍ମକୁ ପ୍ରଜ୍ଜ୍ଵଳନ କରିବାରେ ନିଜର ମାନବିକ ମର୍ମକୁ ପ୍ରଜ୍ଜ୍ଵଳିତ କରେ । ଆଉ ଠିକ୍ ସେଇ ପ୍ରକ୍ରିୟା ଭିତରେ ନବବାବୁଙ୍କ ଜନ୍ମ । ଠିକ୍ ସେଇ ପ୍ରକ୍ରିୟାକୁ ପରିହାର କରିବାରେ ତାଙ୍କର ଲକ୍ଷ୍ୟ ପଥହରା ହୁଏ ଦିଶହରା ତାଙ୍କର ଗତି ଏବଂ ଶେଷକୁ ଆତ୍ମହରା ହୁଏ ତାଙ୍କର ଜୀବନ ।

 

ନବବାବୁଙ୍କ ଜୀବନକାଳ ୧୯୦୧ ରୁ ୧୯୮୪ ମଧ୍ୟରେ ସୀମିତ । ୧୯୨୧ରେ କଲେଜ ଛାଡ଼ି ଅସହଯୋଗ ଆନ୍ଦୋଳନରେ ଯୋଗଦିଅନ୍ତି । ସେଇଠି ତାଙ୍କର ରାଜନୈତିକ ଜୀବନର ଆରମ୍ଭ । ତାର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୁଏ ୧୯୩୨ ଆନ୍ଦୋଳନର ବିଫଳତାର ଉତ୍ତାରୁ । ସେତେବେଳେ ଚାରିଆଡ଼େ ହତାଶାର ଭାବ । ଯୁବକଙ୍କ ମଧ୍ୟରେ ପଥର ସଠିକତା ନେଇ ପ୍ରଶ୍ନ । ବୁଦ୍ଧିଜୀବୀଗଣ ଆତ୍ମବିଶ୍ଵାସହୀନ, ସଂଶୟଯୁକ୍ତ । କୃଷିଜୀବୀ ଶ୍ରେଣୀ ଅର୍ଥନୈତିକ ସଙ୍କଟରେ ତଳିତଳାନ୍ତ । ଚତୁଃଦିଗରେ ବ୍ରିଟିଶ ଶୋଷଣରେ ଉତ୍‍ପୀଡ଼ିତ । ରାଜା, ଜମିଦାରଙ୍କ ଅତ୍ୟାଚାରରେ ଲୋକେ ନିର୍ବାକ୍, କିଂକର୍ତ୍ତବ୍ୟ ବିମୂଢ଼ । ଠିକ୍ ଏତିକିବେଳେ ନବବାବୁ ତାଙ୍କର “ସାରଥି” ଜରିଆରେ ଡାକ ଦିଅନ୍ତି–“ଦୁନିଆର ମଜଦୂର ଏକ ହୁଅ–ଶୃଙ୍ଖଳ ଛଡ଼ା ତୋର ହରାଇବାର ଆଉ କିଛି ନାହିଁ ।”

 

ସେଥିସହିତ, ଜନ୍ମଲଭେ ସମାଜବାଦୀ କର୍ମୀ ସଂଘ । ତା’ ୧୯୩୪ରେ ରୂପାୟିତ ହୁଏ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ । ଏହି ପର୍ଯ୍ୟାୟଟି ୧୯୩୩ ରୁ ୧୯୩୯ ଯାଏ–ପ୍ରାୟ ସାତବର୍ଷ ଚାଲିଛି । ଏହି ସମୟ ହେଉଛି ଓଡ଼ିଶାର ଘୋର ଉଦବେଳନ ସମୟ । ଯୁବକ, ଛାତ୍ର, କୃଷକ, ଗଡ଼ଜାତ ପ୍ରଜା ଆଦି ପ୍ରତ୍ୟେକ ସ୍ତରର ଲୋକେ ଆନ୍ଦୋଳନରେ ଜାଗିଉଠିଛନ୍ତି । ଅନ୍ୟମାନଙ୍କ ସହିତ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ, ସେହି ସବୁର ପୁରୋଭାଗରେ ରହିଛନ୍ତି ନବବାବୁ ।

 

ଏହି ପର୍ଯ୍ୟାୟର ଅବସାନ ଓ ସୋସିଆଲିଷ୍ଟ ପାର୍ଟିର ବିଭାଜନ ଘଟେ ଦ୍ଵିତୀୟ ମହାଯୁଦ୍ଧ ଓ ୧୯୪୨ର ଆନ୍ଦୋଳନ ବେଳକୁ । ଜୟପ୍ରକାଶ ନାରାୟଣ, ଅଧ୍ୟାପକ ବଳଭଦ୍ର ପ୍ରସାଦଙ୍କ ଘରେ ଏକ କର୍ମୀ ସମ୍ମିଳନୀରେ ସୋସିଆଲିଷ୍ଟ ପାର୍ଟିକୁ ଭାଙ୍ଗି ନବବାବୁଙ୍କ ଉପରେ ସମସ୍ତ ଭାର ଅର୍ପଣ କରି ଯାଆନ୍ତି । ସେଠୁ ଅଗଷ୍ଟ ଆନ୍ଦୋଳନ, ଜେଲ ଦମନ ଆଦି ପରେ ଆଉ ଏକ ପର୍ଯ୍ୟାୟର ସୂତ୍ରପାତ୍ର ହୁଏ ୧୯୪୭ରେ । ସ୍ଵାଧୀନତା ପରେ ୧୯୪୭ରୁ ୧୯୫୬ ଯାଏ–ତାହା ହେଉଛି ନବବାବୁଙ୍କ କ୍ଷମତାର ପର୍ଯ୍ୟାୟ । ତା’ ଭିତରେ ସେ ମନ୍ତ୍ରୀତ୍ଵକୁ ଯାଇଛନ୍ତି, ତାକୁ ଛାଡ଼ିଛନ୍ତି ଓ ପୁଣି ସେଠାକୁ ଫେରିଛନ୍ତି । ଜନୈକ ମନ୍ତ୍ରୀରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୧୯୫୬ ଶେଷ ଆଡ଼କୁ ନଅବର୍ଷ ପରେ ସେ ସବୁଦିନ ପାଇଁ ଶାସନ କ୍ଷମତାରୁ ବିଦାୟ ନେଇଛନ୍ତି ।

 

ସେ ଶାସନରେ ଥିବାବେଳେ ଏବଂ ପରେ ମଧ୍ୟ ସର୍ବୋଦୟ, ଭୂଦାନ, ନବଜୀବନ ମଣ୍ଡଳ ଓ ମୌଳିକ ଶିକ୍ଷା ଆଦି ବିଭିନ୍ନ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଶେଷରେ ତାହାର ନଅ ବର୍ଷ ପରେ, ୧୯୬୫ରେ ତାଙ୍କର ସମସ୍ତ ମୋହ ଭାଙ୍ଗିଯାଇଛି । ୧୯୬୫ ଏପ୍ରିଲ ମାସରେ ସେ ନାଗାଲାଣ୍ଡରୁ ଗୋଟିଏ ପତ୍ରରେ ଲେଖିଛନ୍ତି “ଜୀବନଟା ଦିନକୁ ଦିନ ଶୂନ୍ୟ ହୋଇଯାଉଛି । ଖାଲି ବଞ୍ଚିରହିବା ଛଡ଼ା ମୋର ଆଉ କରିବାର କିଛି ନାହିଁ । ...ଏଇ ଅନୁଭୂତି ସ୍ପଷ୍ଟରୁ ସ୍ପଷ୍ଟତର ହେଉଛି ସାରାଜୀବନ କେତେ କଳ୍ପନାରେ ମାତି ରହିଥିଲି, ଦେଶରେ–ଦୁନିଆରେ ମସ୍ତବଡ଼ ବିପ୍ଳବ ଆଣିବାରେ ସାହାଯ୍ୟ କରୁଛି ବୋଲି ଭାବୁଥିଲି...ମନେ ହେଉଛି ଯେଉଁ ଡାଳରେ ବସିଲି ସେ ଡାଳ ଭାଙ୍ଗିପଡ଼ିଲା କ୍ରୋଧରେ ମୋର ମନ ଜଳିପୋଡ଼ି ପାଉଁଶ ହେବାକୁ ବସିଲାଣି...ରଠୁ ଗଲେ ତ ପିଲା ଛୁଆଙ୍କୁ ନେଇ ପଡ଼ି ରହିବା ଛଡ଼ା ଆଉ କିଛି ନାହିଁ । ସଂକ୍ଷେପରେ ଏଇ ହେଲା ନବବାବୁଙ୍କ ଜୀବନୀ–ଯାହାଙ୍କର ଆହ୍ଵାନ ଦିନେ ଓଡ଼ିଶାର ସବୁଶ୍ରେଣୀର ଲୋକଙ୍କୁ ଉଦ୍‍ବୁଦ୍ଧ ଓ ଅନୁପ୍ରାଣିତ କରୁଥିଲା, ଯିଏ ଦିନେ ସବୁ ଶ୍ରେଣୀର ଲୋକଙ୍କୁ ନେତୃତ୍ଵ ଦେଇ ଏକ ନୂତନ ଯୁଗର ସନ୍ଧାନରେ ମାତିଥିଲେ–ଶେଷରେ ଏହାହିଁ ହେଲା ସେଇ ଜୀବନର ଦୁଃଖଦାୟକ ପରିଣତି । କି ମର୍ମାନ୍ତୁକ ଆତ୍ମଗ୍ଳାନି !

 

ତାହା ଜଣାଇଦିଏ, ନବବାବୁ ପୂରାପୂରି ବିଭ୍ରାନ୍ତ, ସଂପୂର୍ଣ୍ଣ ଆତ୍ମବିଶ୍ଵାସ ଶୂନ୍ୟ । ହତାଶ, ନୈରାଶ୍ୟର ଅତଳ ସାଗରରେ ବିଲୀନ କିଂକର୍ତ୍ତବ୍ୟ ବିମୂଢ଼ । ଏ ହେଲା ୧୯୪୭ ରୁ ୧୯୬୫ବର୍ଷ ସକ୍ରିୟ ଜୀବନର ଅଭିଜ୍ଞତା । ଏତିକିବେଳେ ସେ କ୍ଷମତାର ଭିତରେ ଓ ବାହାରେ ଥାଇ ନିଜର ମତ ଆଦର୍ଶ ଓ ଅଭିଳାଷକୁ କାର୍ଯ୍ୟକାରୀ କରିବାରେ ଅପୂର୍ବ ସୁଯୋଗ ପାଇଛନ୍ତି, ଅତି ନିଷ୍ଠା ଓ ତ୍ୟାଗ ଭିତରେ ସେ ଦିଗରେ ଅନବରତ ଉଦ୍ୟମ ଚଳାଇଛନ୍ତି । ସେଥିଲାଗି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମାର୍ଗ ଓ ପନ୍ଥା ଗ୍ରହଣ କରିଛନ୍ତି । ଶେଷରେ ସେ ସବୁର ପରିସମାପ୍ତି ଘଟିଛି ଚରମ ବ୍ୟର୍ଥତାରେ ।

 

ଏହାପରେ ଅବଶ୍ୟ, ନବବାବୁ ଆଉ ୧୯ ବର୍ଷ ବଞ୍ଚିଛନ୍ତି । ବାର୍ଦ୍ଧକ୍ୟକୁ ବାଦଦେଲେ ସେ କେବେ ଚୁପ୍‍ ହୋଇ ବସି ନାହାନ୍ତି । ଜୟପ୍ରକାଶଙ୍କ କ୍ରାନ୍ତିରେ ଭାଗ ନେବ କଂଗ୍ରେସ କୁଶାସନର ବିରୋଧ କରିବା, ଦମନର ଶିକାର ହେବା, ଆଦିବାସୀଙ୍କ ଭିତରେ ସେବାମୂଳକ କାର୍ଯ୍ୟରେ ଲିପ୍ତ ରହିବା ଏବଂ ଶେଷରେ କ୍ରୋଧରେ ନକ୍ସଲ ପନ୍ଥୀଙ୍କୁ ସମର୍ଥନ ଦେବା ଆଦିରେ ପହଞ୍ଚିଛନ୍ତି । ଏସବୁ କିନ୍ତୁ ଏକ ନିଷ୍ପ୍ରଭ ପ୍ରଦୀପର ନିଷ୍ଫଳ ଜ୍ୟୋତିଭଳି, ଏକ ଦିଶାହରା ତରଣୀର ଲକ୍ଷ୍ୟହୀନ ଯାତ୍ରା । ସେ ଘୂରି ଚାଲିଛନ୍ତି ତାଙ୍କ ପୂର୍ବରାତିର ଇନରସିୟାରେ ।

 

ମଣିଷର ଜୀବନ ଯେତେ ତୁଚ୍ଛ ବା ମହାନ ହେଲେ ବି ତାହା ଇତିହାସର ବହିର୍ଭୂତ ନୁହେଁ । ଇତିହାସର ପ୍ରଭାବରୁ ତାକୁ ବିଚ୍ଛିନ୍ନ କରି ଦେଖିବାକୁ ଯିବା ଅର୍ଥ ତାକୁ ଜଳହୀନ ମୀନରେ ପରିଣତ କରିବା । ସେଠି ଜୀବନର ସମୀକ୍ଷା ଆଲୋକର ବର୍ତ୍ତିକା ହେବା ପରିବର୍ତ୍ତେ ଏକ ଅନ୍ଧ ଦିଗନ୍ତର ବର୍ତ୍ତୁରେ ହେଁ ପର୍ଯ୍ୟବେସିତ ହେବ । ନବବାବୁଙ୍କ ଜୀବନର ଆଲୋଚନାରେ ଅନେକଠି ସେପରି ବିଭ୍ରାଟ ଘଟିବାର ଦେଖାଯାଏ । ତାଙ୍କୁ ଇତିହାସର ଅବଦାନ ଭାବେ ନ ଦେଖି ନିଜର ମନୋଗତ ଆଦର୍ଶର ବିଚାର କରୁ । ଅନ୍ୟର ବିଚାର ହେଉଛି ମୂଳତଃ ନିଜର ବିଚାର ବୋଧର ପରିଚୟ ।

 

ନବକୃଷ୍ଣ ଚୌ ଧୁରୀ ଜଣେ ଇତିହାସର ପୁରୁଷ । ଇତିହାସ ତାକୁ ଯେପରି ସୃଷ୍ଟି କରିଛି ସେ ଚାହୁଁଛନ୍ତି ଇତିହାସକୁ ସେହିପରି ଗଢ଼ିବାକୁ । ତାଙ୍କର ସେ ଇତିହାସ ଏକ ଦେଶ, ସ୍ଥାନ, କାଳାତୀତ ବିମୂର୍ତ୍ତ ବିଷୟ ନୁହେଁ । ତା ଅତି ବାସ୍ତବ । ନିର୍ଦ୍ଦିଷ୍ଟ ଦେଶ, କାଳ ସ୍ଥାନରେ ସୀମାବଦ୍ଧ–ସେହି ଠାରର ମଣିଷମାନଙ୍କ ଜୀବନର ଗଠନର କାହାଣୀ । କିନ୍ତୁ କେଉଁ ମାର୍ଗରେ ? ସେ ମାର୍ଗର ଅନ୍ଵେଷଣ ହୋଇଛି ତାଙ୍କ ଜୀବନର ଏକମାତ୍ର ଧ୍ୟେୟ ।

 

ସେ ଦିଗରେ ତାଙ୍କର ସାଧନା ପୌରଣିକ ମୁନି ଋଷିଙ୍କ ତପସ୍ୟା ସହ ତୁଳନୀୟ । ସେ ଯେତେବେଳେ ଯେଉଁ ଆଦର୍ଶକୁ ଧରିଛନ୍ତି ଦୃଢ଼ ନିଷ୍ଠା, ଅଟଳ ବିଶ୍ଵାସ ଓ ଅବିଚଳିତ ଚିତ୍ତରେ ତାକୁ କାର୍ଯ୍ୟକାରୀ କରିବାରେ ଲାଗିଛନ୍ତି ତାହା ସେ କରିଛନ୍ତି, ବିଫଳତାର ତାକୁ ପରିହାର କରି ପୁଣି ଅନ୍ୟ ଏକ ପଥରେ ପାଦ ଦେଇଛନ୍ତି । ଏକମାତ୍ର ଉଦ୍ଦେଶ୍ୟ ନେଇ–ମଣିଷର ବିଶେଷ କରି ଚିରଶୋଷିତ, ନିର୍ଯ୍ୟାତିତ ଅବହେଳିତ ଲୋକର ସର୍ବାଙ୍ଗୀନ ଉନ୍ନତି, ମୁକ୍ତି ଓ କଲ୍ୟାଣ ଦୃଷ୍ଟିରୁ ।

 

ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଲେ ବି ସିଏ ସେଇଠି ସୀମିତ ନୁହନ୍ତି । ସାମ୍ୟବାଦ ଦିଗକୁ ତାଙ୍କର ବିସ୍ତାର । କିନ୍ତୁ ସ୍ଵାଧୀନତା ପ୍ରାପ୍ତିପରେ ସେ ସାମ୍ୟବାଦକୁ ପରିହାର କରିଛନ୍ତି । ସାମ୍ୟବାଦୀମାନେ ତାଙ୍କୁ ଯେତେ ଧରିବାକୁ ଚେଷ୍ଟାକଲେ ବି, ସେ ଧରାଛୁଆଁ ଦେଇନାହାନ୍ତି । କ୍ଷମତାର ସର୍ବୋଚ୍ଚ ଶିଖରରେ ରହି ବିଶେଷ ସୁଯୋଗ ଶକ୍ତିର ବଳରେ ସେ ତାଙ୍କର ପରୀକ୍ଷା ଚଳାଇଛନ୍ତି । ସୁଦୂର ଉପେକ୍ଷିତ ଆଦିବାସୀ ପଲ୍ଲୀର ଅନ୍ଧକାର ରୁଟୀର ପର୍ଯ୍ୟନ୍ତ ତାଙ୍କର ସେଇ ସାଧନା ଅବ୍ୟାହତ ରହିଛି । ତାଙ୍କର ଆଦର୍ଶର ରୂପାୟନରେ, ସେ ସରକାରୀ ଶାସନ କଳ, ସରକାରୀ ଆଇନ, ଭୂଦାନ, ସର୍ବୋଦୟ, ନବଜୀବନ ମଣ୍ଡଳ, ମୌଳିକ ଶିକ୍ଷା ଓ ନାନାଦି ଉନ୍ନୟନମୂଳକ କାର୍ଯ୍ୟର ଆଶ୍ରୟ ନେଇଛନ୍ତି ।

 

ତାଙ୍କ ଯାତ୍ରା ପଥରେ ନବବାବୁ ଗାନ୍ଧୀବାଦ, ସାମ୍ୟବାଦ, ହିଂସା, ଅହିଂସା, କାହାକୁ ହେଲେ ଧର୍ମଭାବେ ଜାବୁଡ଼ି ଧରିନାହାନ୍ତି । ସବୁ ଧର୍ମବିଶ୍ୱାସ ଓ ଅନ୍ଧଧାରଣା ତାଙ୍କ ପାଖକୁ ସ୍ଵତଃ ଦୂରେଇଯାଇଛି । କୌଣସି ସ୍ଵାର୍ଥ ଲାଳସା, ହିଂସା, ଅହମିକା ତାଙ୍କୁ ସ୍ପର୍ଶ କରିନାହିଁ । କୌଣସି ପ୍ରକାରର ପ୍ରଲୋଭନ, ଆତ୍ମସୁଖ, ବା ଉଚ୍ଚ ଆକାଂକ୍ଷା ତାଙ୍କୁ ଗ୍ରାସ କରିନାହିଁ । ତାଙ୍କର ସମସ୍ତ ଶକ୍ତି ଓ ସମୟ ନିୟୋଜିତ ହୋଇଛି ସେଇ ଅବହେଳିତ ଲୋକଙ୍କର ସେବାରେ ଓ କଲ୍ୟାଣ କାମନାରେ-। ସର୍ବୋପରି ସେ ଜଣେ ମାନବବାଦୀ । କିନ୍ତୁ ତାଙ୍କର ମାନବବାଦ ଧର୍ମର ମାନବ ପ୍ରେମ ନୁହେଁ, କି କବିଙ୍କର ସୁନେଲି ସ୍ଵପ୍ନର କାହାଣୀ ନୁହେଁ କିମ୍ବା ସାଧୁ, ସନ୍ଥ, ସ୍ଵାର୍ଥନ୍ଧମାନଙ୍କର ମାନବିକ ବ୍ୟଞ୍ଜନା ନୁହେଁ । ତାହା ମୁଖ୍ୟତଃ ସେବା ଓ ମୁକ୍ତିମୂଳକ । ମାନବିକ ମର୍ଯ୍ୟାଦା, ଅଧିକାର ଓ ଚେତନାର ପ୍ରତିଷ୍ଠା ଦିଗରେ ଉଦ୍ଦିଷ୍ଟ । କିନ୍ତୁ ମାନବିକତା ଏକ ବିମୂର୍ତ୍ତ ଧାରଣା । ତାହା ବିମୁକ୍ତ ହୁଏ ସାମାଜିକ ସମ୍ପର୍କର ବିକାଶ ଭିତରେ । ସେଇ ଉପଲବ୍ଧିର ଅଭାବ ହେଉଛି ନବବାବୁଙ୍କର ଆତ୍ମବିଶ୍ଵାସ ଅଭାବର ମୁଖ୍ୟ କାରଣ । ତାଙ୍କ ମାନସିକ ଯନ୍ତ୍ରଣାର ହେତୁ ।

 

ନବବାବୁଙ୍କ ଜୀବନୀ ଲେଖକ ଶ୍ରୀ ଚିତ୍ତରଞ୍ଜନ ଦାସ ଯଥାର୍ଥରେ ଲେଖିଛନ୍ତି–“ଜୀବନରେ ସେ ଏଇପରି କେତେ ତୁଠ ହେଲେ କେତେ ଗୋଠ ହେଲେ ଅସନ୍ତୋଷ–ଯା ହେଉ ବୋଲି ସେ ଚାହୁଁଛନ୍ତି ସେଥିପାଇଁ କିଛି ନ କରି ପାରିବାର ଅସନ୍ତୋଷ–ଶେଷରେ ତାକୁ କ୍ରୁଦ୍ଧ ବି କରି ପକାଇଲା... । ଆପଣାକୁ ଯଥାର୍ଥଭାବେ ଦେଇ ନ ପାରିବାର ଦହନରେ ଦହିହେଲେ ପଛେ, ମାତ୍ର ନିଜର ସ୍ଵତନ୍ତ୍ର ଗାରଟିକୁ ଟାଣି ଅନ୍ୟ ଏକ ନେତୃତ୍ଵ ସମ୍ଭବ ବୋଲି ଦେଖାଇ ପାରିଲେ ନାହିଁ...ସେ ସମୀକ୍ଷକମାନଙ୍କ ଲାଗି ହୁଏତ ଅନେକ ବିସ୍ମୟର କାରଣ ହୋଇରହିବେ....” ।

 

ପ୍ରକୃତରେ ତାଙ୍କର ସେଇ ‘ବିସ୍ମୟ’ ହେଉଛି ଐତିହାସିକ ବିଭ୍ରାନ୍ତିର ଏକ ଅନାହୂତ ବିଡ଼ମ୍ବନା । ଭାରତ ସାମାଜିକ ବିକାଶ ପ୍ରଚେଷ୍ଟାର ସିଏ ଏକ ନିଖୁଣ ଚିତ୍ର, ହାତୀ ଜୀଇଁଲେ ଲକ୍ଷେ, ମଲେ ଲକ୍ଷେ ଭଳି ନବବାବୁ ଏକ ଅମୂଲ୍ୟ ସମ୍ପଦ, କାରଣ ସଫଳତାର ନିଦ୍ଦେର୍ଷ ଅପେକ୍ଷା ବିଫଳତାର ନିଷେଧାଜ୍ଞ କମ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ । ନବବାବୁଙ୍କ ଜୀବନ ସେଇ ଦୁହିଁଙ୍କର ସମାବେଶ-। ଭବିଷ୍ୟତ–ନିର୍ମାତାଙ୍କ ପକ୍ଷରେ ତାଙ୍କର ସେଇ ଅଭିଜ୍ଞତା ଅତୀବ ଶିକ୍ଷାପ୍ରଦ । ସେଇ ‘ବିସ୍ମୟ’ ଏପରି ଏକ ଜୀବନର ଅବୋଧ୍ୟ କାହାଣୀ–ଯାହାର ପ୍ରାଣ ଚିର ନିପୀଡ଼ିତ, ଅବହେଳିତ ଲୋକଙ୍କର ତ୍ଵରିତ କଲ୍ୟାଣ ଲାଗି ସଦାବ୍ୟାକୁଳ, ଯିଏ ସେ ଦିଗରେ ଇପ୍ସିତ ପଥର ସନ୍ଧାନରେ ସଦା ବ୍ୟସ୍ତ ଏବଂ ସେଥିଲାଗି ସର୍ବସ୍ଵ ତ୍ୟାଗ କରିବା ପାଇଁ ସର୍ବଥା ପ୍ରସ୍ତୁତ । ସେହିପରି ଜଣେ ବ୍ୟକ୍ତି ଭଗ୍ନହୃଦୟ, ଶୂନ୍ୟଦୃଷ୍ଟି ଓ ଆତ୍ମଗ୍ଳାନିର ଯନ୍ତ୍ରଣାରେ ପୀଡ଼ିତ ଓ ଅସ୍ଥିର । ତାଙ୍କର ସେଇ କାହାଣୀକୁ ବୋଧଗମ୍ୟ ନ କରି କେହି କଣ କେବେ ତାଙ୍କ ଜୀବନକୁ ବୁଝିପାରେ–ତାଙ୍କର ମହାନ ଲକ୍ଷ୍ୟ ପୂରଣ କରିବାରେ କିଏବା ସମର୍ଥ ହୋଇପାରେ ? ବିସ୍ମୟକୁ ବୋଧଗମ୍ୟ କହିବାର ଏକମାତ୍ର ବାଟ, ବିଜ୍ଞାନ । ତାହାହିଁ ବିଜ୍ଞାନର ସ୍ଵାଭାବିକ ଚରିତ୍ର । ଏ କ୍ଷେତ୍ରରେ ସେଇ ବିଜ୍ଞାନ ହେଉଛି ସାମାଜିକ ବିଜ୍ଞାନ । ସାମାଜିକ ବିକାଶରେ–ତାର ନିୟମ ଶାସିତ ପରିବର୍ତ୍ତନର ଅପରିହାର୍ଯ୍ୟ ମାର୍ଗ-

 

ନବବାବୁଙ୍କର ସେଇ ସମୟ ଏକ ବିରାଟ ପରିବର୍ତ୍ତନର ସମୟ । ଦେଶ ପରାଧୀନତାର ଫାଶ ଛିନ୍ନ କରି ସ୍ଵାଧୀନ ହୋଇଛି । ଏଇ ଗୁଣାତ୍ମକ ପରିବର୍ତ୍ତନ ସମାଜର ପ୍ରତ୍ୟେକ ସ୍ତରକୁ ପ୍ରଭାବିତ କରି ସ୍ଵାଧୀନତା ସହିତ ଯେଉଁମାନେ ପ୍ରତ୍ୟକ୍ଷଭାବେ ସମ୍ପୃକ୍ତ ତାହା ସେମାନଙ୍କୁ ଅଧିକ ପ୍ରଭାବିତ ଓ ପୁରସ୍କୃତ କରିଛି । କଂଗ୍ରେସ ଲୋକେ ଜେଲରୁ ସିଧା ଶାସନ ଗାଦୀକୁ ଆସିଛନ୍ତି । ଯେତେ ସାମ୍ୟବାଦୀ ହେଲେ ମଧ୍ୟ ନବବାବୁ ଓଡ଼ିଶାର ତୁଙ୍ଗ କଂଗ୍ରେସ ନେତାଙ୍କ ମଧ୍ୟରୁ ଅନ୍ୟତମ । ତେଣୁ ସିଏ ସେଥିରୁ ବାଦ ପଡ଼ିନାହାନ୍ତି । କଂଗ୍ରେସ ଶାସକ ହେବାରେ, ନିଜର କଥାକୁ କାର୍ଯ୍ୟରେ କରି ଦର୍ଶାଇବାର ଅବସ୍ଥା ସୃଷ୍ଟି ହୋଇଗଲା । ଲୋକଙ୍କ ଲାଗି ମୌଳିକ ପରିବର୍ତ୍ତନର ବାଟ ଖୋଲିଲା । ତା ସହିତ ମଧ୍ୟ ଅନ୍ୟ ଦିଗରେ ଉନ୍ମୁକ୍ତ ହୋଇଗଲା ତ୍ୟାଗରୁ ଭୋଗ, ଦୀନତାରୁ ମାନ୍ୟତା, ଜନସେବାରୁ ଆତ୍ମସେବା ଦିଗରେ ଅପାର ସୁଯୋଗର ପଥ ।

 

କ୍ଷମତାର ଭୋଗକୁ ଯେଉଁମାନେ ନିଜ ସାଧନାର ସିଦ୍ଧି ବୋଲି ଧରିନେଲେ ତାଙ୍କ ପକ୍ଷରେ ଆଉ କୌଣସି ଦ୍ଵନ୍ଦର କାରଣ ରହିଲା ନାହିଁ । ସେ ଦୃଷ୍ଟିରୁ ସବୁ ଅକରଣୀୟ କାର୍ଯ୍ୟ ବି କରଣୀୟ ହେଲା । ସ୍ଵାଧୀନତା ପ୍ରାପ୍ତିକୁ ଯେଉଁମାନେ ଉତ୍ତରୋତ୍ତର ସାଧନାର ସୋପାନ ବୋଲି ବିଚାରିଲେ ତାଙ୍କ ମନରେ ସଦା ଦ୍ଵନ୍ଦ୍ଵ ଓ କାର୍ଯ୍ୟରେ ଜଟିଳତା ଦେଖାଦେଲା । ସେ ଦୃଷ୍ଟିର ସେମାନେ ପ୍ରତ୍ୟେକ ଜିନିଷକୁ ତଉଲିବାରେ ଲାଗିଲେ । ପ୍ରଥମଟିର ଲକ୍ଷ୍ୟହେଲା ଯାହା ମିଳିଛି ତାର ଚଉହଦି ଭିତରେ ଲୋକଙ୍କୁ ବାନ୍ଧିଦେବା । ସେଇଠି ତାଙ୍କର ଚେତନା ଓ ଆଭିମୁଖ୍ୟର ସମାପ୍ତି ଘୋଷଣା କରିବା । ତାର ବିରୋଧ କଲେ, ତାଙ୍କୁ ଜବତ କରିବା । ଅନ୍ୟଟିର ଲକ୍ଷ୍ୟ ରହିଲା ସେଇ ଚଉହଦିର ସୀମାକୁ କିପରି ଅତିକ୍ରମ କରିବା । ସେ ଦିଗରେ ଆବଶ୍ୟକ ଚେତନା, ଆଭିମୁଖ୍ୟ ସୃଷ୍ଟି କରିବା–ଜାଗରଣ ଆଣିବା–ଯେହେତୁ ତା ବିନା ସାମ୍ୟବାଦକୁ ଗତି ନାହିଁ ।

 

ଏଇଠି ହେଲା ସୀମାରେଖା । ନବବାବୁଙ୍କ ପୂର୍ବର ସମସ୍ତ ଆହ୍ଵାନ ସ୍ଵାଧୀନତା ଡେଇଁ ସାମ୍ୟବାଦ ଦିଗରେ ପ୍ରସାରିତ । ସେ ଦିଗରୁ ସିଏ ଲୋକଙ୍କ ନିକଟରେ ଅଙ୍ଗୀକାରବଦ୍ଧ । ୧୯୩୩ରୁ ୧୯୪୦ ଭିତରେ ଯୁବକ, ଛାତ୍ର, ବୁଦ୍ଧିଜୀବୀ, କୃଷକ, ଗଡ଼ଜାତ ପ୍ରଜା ଓ ଦେଶପ୍ରେମୀଙ୍କର ଯେତେ ଆନ୍ଦୋଳନ ସେସବୁ ସହିତ ନବବାବୁ ସମ୍ପୃକ୍ତ । ସେମାନଙ୍କ ପ୍ରତି ତାଙ୍କର ତିନୋଟି କଥା ବେଶ୍ ପରିସ୍ଫୁଟ । ପ୍ରଥମତଃ–ଲୋକଙ୍କର ନଗଦ ଦାବି ଓ ସମସ୍ୟା । ଯଥା–ରାଜା, ଜମିଦାରଙ୍କ ଅତ୍ୟାଚାରର ବିଲୋପ, ଦ୍ଵିତୀୟରେ ବ୍ରିଟିଶ ଶାସନର ଧ୍ଵଂସ ଓ ସ୍ଵାଧୀନତା । ତୃତୀୟରେ ସାମ୍ୟବାଦ । ମଣିଷ ଦ୍ଵାରା ମଣିଷର ଶୋଷରେ ବିଲୋପ । ଏସବୁକୁ ଏକାଠି କରି ଥୋଇଲାବେଳେ ସେ ସାମ୍ୟବାଦକୁ ମଣିଷର ଅନ୍ତିମ ଓ ଅପରିହାର୍ଯ୍ୟ ଲକ୍ଷ୍ୟଭାବେ ଦର୍ଶାଇ ଆସିଛନ୍ତି । ତାହା ଲୋକଙ୍କୁ ସଂଗ୍ରାମରେ ଯେପରି ଉଦ୍‍ବୁଦ୍ଧ କରିଛି, ସେହିପରି ନବବାବୁଙ୍କୁ ଅନ୍ୟ କଂଗ୍ରେସ ନେତାଙ୍କଠାରୁ ପୃଥକ କରି ଦେଇଛି । ତାଙ୍କୁ ଉଦୀୟମାନ ନେତୃତ୍ଵର ଅପ୍ରତିଦ୍ଵନ୍ଦୀ ଆସନ ଘେନି ଯାଇଛି । ସେ ଲୋକଙ୍କୁ ଯେପରି ଆଭିମୁଖ୍ୟ ଦେଇ ସଚେତନ ଓ ସଙ୍ଗଠିତ କରିବାକୁ ଚେଷ୍ଟା କରିଛନ୍ତି, ଲୋକେ ସେହିପରି ତାଙ୍କୁ ନବକୃଷ୍ଣ ଚୌଧୁରୀରୁ “ନବବାବୁ” କରି ଗଢ଼ିଛନ୍ତି । ସେତେବେଳର ତାଙ୍କର ସେଇ ଆଭିମୁଖ୍ୟ, ଚେତନା ଓ ଆନ୍ଦୋଳନକୁ ବାଦଦେଲେ ନବବାବୁ ନିଜସ୍ଵହୀନ, ସାତନ୍ତ୍ର୍ୟଶୂନ୍ୟ ଜଣେ ଅବୈଶିଷ୍ଠ୍ୟ ବ୍ୟକ୍ତି । ଅନ୍ୟସବୁଙ୍କ ଭଳି ଇତିହାସର ସ୍ରୋତରେ ଏକ ଭାସମାନ ସତ୍ତା । ସେ ଇତିହାସର ପ୍ରଭାବକାରୀ ଶକ୍ତି ନୁହନ୍ତି, ଘଟଣାବଳୀର କୌଣସି ଏକ ଗଡ୍‍ଡ଼ାଳିକା ମାତ୍ର ।

 

ତାଙ୍କ ମତାଦର୍ଶରେ ସେତେବେଳେ ସେ ମାକ୍ସବାଦ ଆଡ଼କୁ ଗତି ଆରମ୍ଭ କରନ୍ତି । “ବୈଜ୍ଞାନିକ ସାମ୍ୟବାଦ (୧)” ଶିରୋନାମାରେ ୧୯୩୬ ଜୁଲାଇ “ଆଧିୁନିକ”ରେ ସେ ଲେଖିଛନ୍ତି, “ବାସ୍ତବ ଜୀବନଠାରୁ ବିଚ୍ଛିନ୍ନ କରି ମାର୍କସୀୟ ଦର୍ଶନର ସାର୍ଥକତା ଖୋଜିଲେ ମିଳିବ ନାହିଁ । ମାର୍କସୀୟ ଡାଇଲେକ୍‍ଟିକାଲ ବସ୍ତୁବାଦ ଦୃଷ୍ଟିରେ ଇତିହାସର ଜଟିଳତାଗୁଡ଼ିକ ଆଲୋଚନା କଲେ, ଇତିହାସର ନିୟମଗୁଡ଼ିକ ପରିସ୍ଫୁଟ ହୁଏ । ଯାହା ଆକସ୍ମିକ କାରଣ ବୋଲି ବୋଧହେଉଥିଲା, ତାହା ସାମାଜିକ, ଆର୍ଥିକ ବ୍ୟବସ୍ଥାର ଅବଶ୍ୟମ୍ଭାବୀ ପରିଣାମ–ନିଶ୍ଚିତ ଭାବେ ଜଣାପଡ଼େ ।” ତେଣୁ ତାଙ୍କର ଚିନ୍ତାଧାରା ଇତିହାସର ସେଇ ନିୟମର ଅନୁଶୀଳନରେ ତାର ଅବଶ୍ୟମ୍ଭାବୀ ପରିଣାମକୁ ଖୋଜିବାର ଚେଷ୍ଟାରେ ଥିଲା ।

 

ଅତଏବ ବିଭିନ୍ନ ଶ୍ରେଣୀ ସମ୍ପ୍ରଦାୟଙ୍କର ବ୍ୟାପକ ଗଣ ଆନ୍ଦୋଳନ ଓ ସଂଗ୍ରାମ, ସୋସାଲିଷ୍ଟ ଦଳ ଗଠନ ଏବଂ ମାର୍କସବାଦୀ ମତାଦର୍ଶ ପ୍ରତି ତାଙ୍କର ଆକର୍ଷଣ–ଏ ସବୁର ସମିଶ୍ରଣରେ ନବବାବୁଙ୍କର ସେଇ ଦହନ ଓ ପ୍ରଜ୍ଜ୍ଵଳନ ଶକ୍ତିର ବିକାଶ । ପରବର୍ତ୍ତୀ କାଳରେ ସେଇ ସମୟ ବଦଳିଛି, ସେଇ ଆନ୍ଦୋଳନ ଓ ସୋସାଲିଷ୍ଟ ଦଳ ଭାଙ୍ଗିଛି, ସେ ସେଠାରୁ ବାହାରି ଯାଇଛନ୍ତି-। ମାର୍କସବାଦରୁ ଦୂରେଇଯାଇ, ଇତିହାସର ନିୟମକୁ ଅନୁଶୀଳନ କରିବାରେ ପଛେଇଛନ୍ତି-। ସ୍ଵାଧୀନତାପ୍ରାପ୍ତି ପରେ, ଅପର ପକ୍ଷର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ତାଙ୍କର ସେଇ ପ୍ରଜ୍ଜ୍ଵଳନ ଶକ୍ତି ଅନ୍ୟକୁ ପ୍ରଜ୍ଜ୍ଵଳିତ କରିବା ପରିବର୍ତ୍ତେ ନିଜେ ନିର୍ବାପିତ ହୋଇଛି । ନବବାବୁ ବିପରୀତ ଗିଅରରେ ଗଡ଼ିବା ଆରମ୍ଭ କରିଛନ୍ତି ।

 

କ୍ଷମତାରେ ରହି, କଂଗ୍ରେସ ନୀତି ନିୟମ ମାନି, ଅମଲାତନ୍ତ୍ର ଦ୍ଵାରା ସରକାରୀ ଦଳ ଜରିଆରେ ସେ ତାଙ୍କର ଆଦର୍ଶ, ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ ଚେଷ୍ଟା କରିଛନ୍ତି । ତାହା କାର୍ଯ୍ୟତଃ କଂଗ୍ରେସର ନୀତି, ବୃତ୍ତି, ଗତି ଓ ପରିଣତି ଭାବେ ଦେଖାଦେବା ସ୍ଵାଭାବିକ । କଂଗ୍ରେସର ଅନ୍ୟ ରାଜ୍ୟର ଶାସକ ଓ ଶାସନଠାରୁ ତାହା କୌଣସି ଗୁଣରେ ଭିନ୍ନ ନୁହେଁ । ନବବାବୁ ତାଙ୍କର ପୂର୍ବର ବୈଶିଷ୍ଟ୍ୟ ହରାଇଛନ୍ତି । ଦାରିଦ୍ର୍ୟ, ଦୁର୍ନୀତି, ଭେଦାଭେଦ, ଅସାମ୍ୟ ଓ ଦୁର୍ଦ୍ଦଶାର ବୃଦ୍ଧି ଆଦି ଯାହା ଅନ୍ୟତ୍ର ରହିଛି, ତାହା ମଧ୍ୟ ଏଠାରେ ଘଟିଛି । ବରଂ କେତେକ କାରଣରୁ ଅଧିକ ବୃଦ୍ଧି ପାଇଛି, ଏପରିକି ନବବାବୁ ନିଜ ଦୃଷ୍ଟିରୁ ଯେଉଁ ଲୋକଙ୍କୁ ଦିନେ ରାଜନୀତିରେ ରୋପଣ କରିଥିଲେ, ସେହିମାନେ ଶେଷରେ ଦୁର୍ନୀତି ଭ୍ରଷ୍ଟାଚାରର ମହାଦ୍ରମରେ ପରିଣତ ହୋଇଛନ୍ତି । ସେ ଯାହା ଚାହିଁଥିଲେ ତାର ଓଲଟା ଫଳ ଫଳିଛି । ସେ ନିଜେ ନିଜର ବିପରୀତରେ ପରିଣତ ହେଇଛନ୍ତି ।

 

ଶେଷରେ କ୍ଷମତା ବଳରେ ଲକ୍ଷ୍ୟ ସାଧନର ମୋହ ତୁଟିଛି । ସେ ସେଠୁ ଅପସରି ଯାଇଛନ୍ତି । ସେ କ୍ଷମତାରେ ଥିଲାବେଳେ ଭୂଦାନ ପ୍ରତି ଆକୃଷ୍ଟ ହୋଇଥିଲେ । ଜନଜାଗରଣ ବା କ୍ଷମତା ବଳରେ ଯାହା ପାଇନାହାନ୍ତି ତାକୁ ଭୂଦାନ ଦ୍ଵାରା ପାଇବାର ଆଶା କରିଛନ୍ତି । ବିନୋବାଜୀଙ୍କ ଦ୍ଵାରା ଏତେଦୂର ପ୍ରଭାବିତ ହୋଇପଡ଼ିଥିଲେ ଯେ, ସେ ସରକାରୀ ବେସରକାରୀ ତାଙ୍କର ସବୁ ଶକ୍ତିକୁ ଖଟାଇ ଦେଇଥିଲେ । ଏମିତିକି ନିଜେ ବିନୋବାଜୀଙ୍କ କାଠ ମୂର୍ତ୍ତିକୁ କାଖେଇବାରେ ଲାଗିଲେ । (ନୀଳମଣି ରାଉତରାୟ) । ଶେଷରେ ଭୂଦାନ ଭାଙ୍ଗିଲା । ବିନୋବାଜୀଙ୍କ ଜଣେ ସରକାରୀ “ସାଧୁ” ବୋଲି ପରିଣତ ହେଲେ । ତାଙ୍କପ୍ରତି ନବବାବୁଙ୍କର ମୋହତୁଟିଲା । ସେ ବିନୋବାଜୀଙ୍କୁ ଅତି କଟୁଭାବେ ଥଟ୍ଟା ବିଦ୍ରୂପ କରିବାକୁ ଲାଗିଲେ । ଚିତ୍ତରଞ୍ଜନ ଦାସଙ୍କ ଭାଷାରେ “ସତକୁ ସତ ଏଇ ବିଦ୍ରୂପ ପୌନାରବାବା ବିନୋବାଜୀଙ୍କ ପ୍ରତି ଉଦ୍ଦିଷ୍ଟ ନୁହେଁ । ଏହାର ମର୍ମ ତାଙ୍କ ନିଜପ୍ରତି ଅଭିପ୍ରେତ । ମୋହରେ ପଡ଼ିଥିବା ମଣିଷ ମୋହଭଙ୍ଗ ପରେ ଅନ୍ୟକୁ ବା ହାୱାମାନଙ୍କୁ ବିଦ୍ରୂପ କରୁଥିବା ଆଳରେ ପ୍ରକୃତରେ ନିଜକୁହିଁ ମାଡ଼ ମାରୁଥାଏ ।” ଏ ହେଲା ନବବାବୁଙ୍କର ବିପରୀତରେ ପରିଣତ ହେବାରେ ଏକ ଦୃଷ୍ଟାନ୍ତ

 

କୁହାଯାଏ, ଭୂଦାନ ଲକ୍ଷ୍ୟ କେବଳ ଭୂମି ବଣ୍ଟନ ନୁହେଁ, ଗଣଚେତନା, ଗଣଜାଗରଣ ସୃଷ୍ଟି କରିବା ତା’ର ଉଦ୍ଦେଶ୍ୟ । କିନ୍ତୁ ତା’ର ସଫଳ ସବୁବେଳେ ଓଲଟା ହୋଇଛି । କାରଣ ଫଳ ସଦାସର୍ବଦା ତାର କାରଣ ଭିତରେ ନିହିତ । ଭୂଦାନର ଭାବନାର ଆରମ୍ଭ ତେଲେଙ୍ଗାନାରୁ, କମ୍ୟୁନିଷ୍ଟ ନେତୃତ୍ୱରେ ଚାଳିତ ଭୂମି ଦଖଲ ଆନ୍ଦୋଳନର ପ୍ରତିକାର ଭାବେ । ହିଂସାର ଦ୍ଵାହିଦେଇ, ଜନଜାଗରଣ, ଜନଚେତନାକୁ ବିପଥଗାମୀ କରିବା ତାର ଉଦ୍ଦେଶ୍ୟ । ଜମି ଦଖଲ ପରିବର୍ତ୍ତେ ମାଲିକର ଦୟା ଉପରେ ନିର୍ଭର କରିବା ହେଲା ତାର ମାର୍ଗ । ଭୂଦାନରୁ ଗ୍ରାମଦାନ, ସମ୍ପର୍ତ୍ତିଦାନ, ଶେଷରେ ଜୀବନଦାନ ଆଦି ନାନା କଥା ପ୍ରଚାରିତ ହେଲା । ସବୁଦାନ ବ୍ୟକ୍ତିର ଇଚ୍ଛା ଓ ମର୍ଜିର ବିଷୟ । ତାର ମନ ଓ ସ୍ଵାର୍ଥର କଥା । ତା’ର ଇଙ୍ଗିତ ହେଲା, କିଛି ଦାନ କରି ନିଜର ଅବଶିଷ୍ଟ ସ୍ଵାର୍ଥରକ୍ଷା କର । ଲୋକଙ୍କ ମଧ୍ୟରେ ଅନ୍ୟାୟର ପ୍ରତିକାର, ତାଙ୍କର ହକ୍ ଅଧିକାର ସାବ୍ୟସ୍ତ କରିବା ଉଦ୍ୟମର ତାହା ପରିପନ୍ଥୀ । ଯେଉଁ ଜନଜାଗରଣ, ଜନଚେତନା ସୃଷ୍ଟିଲାଗି ନବବାବୁ ଏତେ ଉଦବିଗ୍ନ, ଠିକ୍ ତାକୁହିଁ ତାହା ଶେଷରେ ପ୍ରତିହତ କରେ । ଫଳରେ, ତାଙ୍କ ମନରେ ଘୋର ନୈରାଶ୍ୟ, ପ୍ରାଣରେ ବ୍ୟର୍ଥତାର ଅଫୁରନ୍ତ ବେଦନା । ପଦେ କଥାରେ କହିଲେ, ଶୋଷକ ଓ ଶୋଷିତ ଶ୍ରେଣୀର ଐକ୍ୟ ଓ ମିଳନ ଲାଗି ତାହା ଶ୍ରେଣୀ ଚେତନାକୁ ବଳିଦିଏ ।

 

ଦାନ ଓ ଦାଖଲ, ଏ ଦୁହେଁ ପରସ୍ପର ବିରୋଧୀ । ଭୃସତ୍ୟାଗ୍ରହ ଯେତେ ଅହଂସାତ୍ମକ ହେଲେ ବି ତାହା ଗୋଟାଏ ପ୍ରକାରର ଦଖଲ । ନ୍ୟାୟ ଓ ହକ୍ ସାବ୍ୟସ୍ତ କରିବା ଦିଗରେ ସଂଗ୍ରାମର ଅନ୍ୟ ଏକ ଉପାୟ, ତା ମାଲିକର ଦୟାକୁ ଉପେକ୍ଷା କରି ଭୂମିହୀନଙ୍କର ଚେତନାକୁ ଜାଗ୍ରତ କରେ, ତାହା ତାଙ୍କ ସଙ୍ଗଠିତ ଶକ୍ତି ଉପରେ ନିର୍ଭର କରେ । ସେ ଦୁହିଁଙ୍କର ପାର୍ଥକ୍ୟକୁ ଭୂଦାନବିଦଗଣ ଖୁବ୍ ଭଲକରି ଜାଣନ୍ତି । ତେଣୁ ଭୂସତ୍ୟାଗ୍ରହକୁ ସେମାନେ ପଦେ ପଦେ ପ୍ରତିହତ କରି ଆସିଛନ୍ତି । ଓଡ଼ିଶାରେ “ଭୂସତ୍ୟାଗ୍ରହୀ ସମାଜ” ଗଠିତ ହେଲାପରେ ଭୂଦାନ ଆସିଛି, ସେହି ସମାଜ, ‘ଅହିଂସା ସଂଗ୍ରାମ ସତ୍ୟାଗ୍ରହ” ପନ୍ଥାରେ ତାର ପ୍ରସ୍ତୁତି ଆରମ୍ଭ କରିଛି । ୧୯୫୧ ନଭେମ୍ବର ୨୨ ତାରିଖ, ସେହି ସମାଜ ତାର ପ୍ରସ୍ତାବରେ କହେ, “ଲୋକେ ନାନା ନିର୍ଯ୍ୟାତନା ସହି ସହି ପ୍ରତିକ୍ରିୟାଶୀଳ ହୋଇ ଆସୁଥିବାର ଜଣାପଡ଼ୁଥିଲା । ଚଳିତ ବର୍ଷ ହଳ ଆରମ୍ଭ ସମୟରେ ଅତ୍ୟଧିକ ଲୋକ ଜମିରେ ପ୍ରବେଶ କରିବାକୁ ଆଗ୍ରହାନିତ୍ଵ ହୋଇ ପଡ଼ୁଥିଲେ । ତେଣୁ କ୍ରମେ ଧନୀମାନଙ୍କ ଧନପ୍ରତି ସେମାନଙ୍କର ବିଦ୍ଵେଷ ବଢ଼ି ଉଠୁଥିବାର ଜଣାପଡ଼ୁଥିଲା । ଏପରି ପ୍ରତିକ୍ରିୟା ବଢ଼ି ଯଦି ଲୋକେ ହିଂସାର ପଥ ବରଣ କରି ନିଅନ୍ତି ଓ କୌଣସି ପ୍ରକାରେ କମ୍ୟୁନିଷ୍ଟମାନେ ସେ ସୁଯୋଗରୁ ଲୋକଙ୍କ ଭିତରେ ପଶି ସେମାନଙ୍କୁ ହିଂସାତ୍ମକ ପନ୍ଥାରେ ପରିଚାଳିତ କରନ୍ତି, ତେବେ ଏ ଅଞ୍ଚଳର ଅବସ୍ଥା ସାଂଘାତିକ ହୋଇପଡ଼ିବ । ଏହି ଆଶଙ୍କାରେ ଏଠାରେ ସ୍ଥାନୀୟ କର୍ମୀମାନେ ପ୍ରଥମରୁ ଏହାର ପ୍ରତିକାର ଉଦ୍ୟମ କଲେ ।” (କୋରାପୁଟର କୁଜେନ୍ଦ୍ରୀ ବୈଠକରେ ସର୍ବଶ୍ରୀ ବିଶ୍ଵନାଥ ପଟ୍ଟନାୟକ, ରତନ ଦାସ ଓ ଈଶ୍ୱରଲାଲ ବ୍ୟାସ ଆଦିଙ୍କ ଉପସ୍ଥିତିରେ ନିଷ୍ପତ୍ତି) ।

 

ଏଣୁ ଜମିରେ ହଳ ପୂରାଇବା ଅର୍ଥାତ୍ ଜମି ଦଖଲ ଲାଗି ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା, ଧନୀକ ବିରୋଧରେ ବିଦ୍ଵେଷର ବୃଦ୍ଧି ଓ କମ୍ୟୁନିଷ୍ଟମାନେ ତାର ସୁଯୋଗ ନେବାର ଆଶଙ୍କା, ଆଉ ତାର ପ୍ରତିକାର ସ୍ୱରୂପ ଯେ ଭୂ-ସତ୍ୟାଗ୍ରହ, ତାହା ଉପରୋକ୍ତ ପ୍ରସ୍ତାବରେ ବେଶ୍ ପରିସ୍ଫୁଟ । ଭୂ-ସତ୍ୟାଗ୍ରହ, ଯେତେ ଅହିଂସାତ୍ମକ ହେଲେ ମଧ୍ୟ ଭୂଦାନୀମାନେ ତାକୁ ସହ୍ୟ କରିବାକୁ ପ୍ରସ୍ତୁତ ନୁହନ୍ତି । ତାର କାରଣ ଅତି ପରିଷ୍କାର । ସେହି ସତ୍ୟାଗ୍ରହ ପ୍ରସ୍ତାବ ଶୁଣିଲାକ୍ଷଣି ଶ୍ରୀ ଗୋପବନ୍ଧୁ ଚୌଧୁରୀଙ୍କର କୋରାପୁଟ ଗସ୍ତ ବଦଳିଗଲା । ଭୂ-ଦାନ ଓ ଭୂ-ସତ୍ୟାଗ୍ରହ ମିଶନ୍ତି ନାହିଁ କହି ସେ କୋରାପୁଟ ଛାଡ଼ି କଳାହାଣ୍ଡି ଚାଲିଗଲେ ।

 

ସେତେବେଳେ ନବବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ସତ୍ୟାଗ୍ରହର ନୀତି ହେଲା ସରକାରଙ୍କୁ ଜଣାଇ କାର୍ଯ୍ୟ କରିବା । ଭୂ–ସତ୍ୟାଗ୍ରହ ସମାଜ ତେଣୁ ତା୪।୬।୫୨ ପତ୍ରରେ ଜଣାଇଦେଲେ... “ଯେତେବେଳେ ବାରମ୍ବାର ଆପତ୍ତି ସତ୍ତ୍ୱେ ଆପଣମାନେ ଆମର ନିଜର ଲୋକ ହୋଇ ମଧ୍ୟ ଆମର ଦୁଃଖ ଗୁହାରି ଶୁଣିଲେ ନାହିଁ, ଆମ ପାଇଁ କିଛି କଲେ ନାହିଁ, ଅଧିକନ୍ତୁ ଧନୀକ ଶ୍ରେଣୀ ଓ ସରକାରୀ କର୍ମଚାରୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଲା, ସେତେବେଳେ ଅନନ୍ୟୋପାୟ ହୋଇ ଆମେ ଭଗବାନଙ୍କ ନାମ ନେଇ ସତ୍ୟ ଓ ଅହିଂସା ଉପାୟରେ ଏ ସବୁର ପ୍ରତିକାର କରିବାକୁ ବାହାରିଛୁ...ଭୂମିରେ ସମସ୍ତଙ୍କର ସମାନ ଅଧିକାର । ଏହି ସତ୍ୟର ପାଳନ ପାଇଁ ଯେଉଁ ମାଟିରୂପୀ ମାଆକୁ ଅନ୍ୟମାନେ ଜବରଦସ୍ତି ଅଧିକାର କରି ବସିଛନ୍ତି, ସେମାନଙ୍କୁ ନାନା ଅନୁନୟ ପରେ ନ୍ୟାୟ ନପାଇ ସରକାର ଓ ସାହୁକାରଙ୍କୁ ଜଣାଇ ଭୂମିରେ ପ୍ରବେଶ କରିବାକୁ ଭୂ-ସତ୍ୟାଗ୍ରାହୀ ସମାଜ ନିର୍ଦ୍ଦେଶ ଦେବାକୁ ବାଧ୍ୟ ହେଲା ।”

 

“ଆପଣମାନଙ୍କର ଆଇନ ଆମକୁ ସାହାଯ୍ୟ କରିପାରିଲା ନାହିଁ । ତେଣୁ ଭଗବାନଙ୍କ ନାମ ଧରି ସତ୍ୟ, ଅହିଂସା ବାଟରେ ଆମେ ଉଦ୍ୟମ ଆରମ୍ଭ କରିଛୁ...ସତ୍ୟର ଧର୍ମ ରକ୍ଷା ପାଇଁ...ଆମକୁ ସହାୟକ ହୋଇ ବାଧିତ କରିବେ ।”

 

ନବବାବୁ ଯେତେ ଆପଣାର ହୁଅନ୍ତୁ, ନିବେଦନ ଯେତେ ମର୍ମସ୍ଫର୍ଶୀ ଓ ନ୍ୟାୟସଙ୍ଗତ ହେଉ, ପଥ ଯେତେ ସତ୍ୟ ଓ ଅହିଂସା ହୋଇଥାଉ ପଛେ ଏବଂ ଭଗବାନଙ୍କ ନାମ ଯେତେ ନିଆଗଲେ ବି ଶ୍ରେଣୀ ସ୍ଵାର୍ଥ ଆଗରେ ସେ ସବୁ ମୂଲ୍ୟହୀନ, ନିରର୍ଥକ । ସେହି ସ୍ଵାର୍ଥର ରକ୍ଷକ ମୁଖ୍ୟମନ୍ତ୍ରୀ ଭାବେ ନବବାବୁ ନିରୁପାୟ ।

 

“ମୁଁ ତୁମକୁ ବୁଝାଇ କହିଥିଲି । —ଆଇନ ଅମାନ୍ୟ କରି ଜମି ଦାଖଲ କରି ସମସ୍ୟାର ସମାଧାନ ହେବ ନାହିଁ । ...ଜବରଦସ୍ତି ବିନା କ୍ଷତିପୂରଣରେ ଜମି ଦେଇହେବ ନାହିଁ ।” ଜଣେ ଭଲ ଅଫିସର ପଠାଇ ତାଙ୍କୁ ପରୀକ୍ଷା କରିବାକୁ ପରାମର୍ଶ ଦେଇ ସେ କହଛନ୍ତି “...ତାହା ନକରି ଯଦି ତମେମାନେ ଅସହଯୋଗ ସତ୍ୟାଗ୍ରହ ଅର୍ଥାତ୍ ଆଇନ ଅମାନ୍ୟ କରି ଜାଣିଶୁଣି ଦଣ୍ଡବରଣ କରିବ...ସେ’ୟା ହେବ । ଆଇନ ଅନୁସାରେ ଦଣ୍ଡ ଦିଆହେବା ପାଇଁ ଯେଉଁମାନେ ଅଛନ୍ତି ସେମାନେ ତାହା କରିବେ ।” ଏହାହେଲା ନବବାବୁଙ୍କ ୧।୬।୫୨ ତାରିଖର ବିଶ୍ଵନାଥ ପଟ୍ଟନାୟକଙ୍କୁ ପତ୍ର ।

 

ଯେତେ ନିରୂପାୟ ହେଲେ ବି ମୁଖ୍ୟମନ୍ତ୍ରୀ ଭାବେ ନବବାବୁଙ୍କ ଭଳି ଲୋକଙ୍କ ଉପସ୍ଥିତି ତାର ଉପାୟ ଆଣିଦେଲା । ଭୂ-ସତ୍ୟାଗ୍ରହୀ ସମାଜ ନରମିଗଲେ । ଅନିର୍ଦ୍ଦିଷ୍ଟ କାଳପାଇଁ ସତ୍ୟାଗ୍ରହ ସ୍ଥଗିତ ହେଲା । ତାହା ତା’ର ୧୨ ।୧୦ ।୫୨ ପ୍ରସ୍ତାବରେ ଉଲ୍ଲେଖ କଲା ଯେ ସରକାରଙ୍କୁ ଧନ୍ୟବାଦ ଦିଆଗଲା ।” କାରଣ ସେ “ଆଦିବାସୀଙ୍କ ପ୍ରକୃତ ଅବସ୍ଥା ଅନୁଭବ କରି ତା’ର ପ୍ରତିକାର ଦିଗରେ ଚେଷ୍ଟା କରନ୍ତି ।” ବିନୋବାଜୀଙ୍କ ଭୂଦାନକୁ “ସ୍ଵାଗତ କରାଗଲା ।” କାରଣ “ଏହା ଅହିଂସା ସମାଜ ଗଢ଼ିବାର ଏକମାତ୍ର ବାଟ” ଏବଂ “ଧନୀମାନଙ୍କର ହୃଦୟ ପରୀକ୍ଷାର ଗୋଟିଏ ପ୍ରକୃଷ୍ଟ ସମୟ ଓ ସ୍ଥାନ ।

 

ଏସବୁଥିରେ ଆମ୍ଭମାନଙ୍କର ଆକାଂକ୍ଷା ପୂରଣ ହେଲେ ଓ ଅପରପକ୍ଷରେ ନ୍ୟସ୍ତସ୍ଵାର୍ଥ ଲୋକଙ୍କର ହୃଦୟରେ ଦୟା ଓ କାମରେ ସହାନୁଭୂତି ପ୍ରକାଶ ପାଇଲେ, ସରକାର ଉତ୍ତରୋତ୍ତର ନିଃସ୍ଵ ଆଦିବାସୀଙ୍କ ଉନ୍ନତ କଳ୍ପନା କରି କାର୍ଯ୍ୟ କଲେ ଭବିଷ୍ୟତରେ ଆନ୍ଦୋଳନର କୌଣସି ଅବକାଶ ରହିବ ନାହିଁ ।” (ଏ ସମସ୍ତ ବିବରଣୀ ଶ୍ରୀ ଚିତ୍ତରଞ୍ଜନ ଦାସଙ୍କ ଲିଖିତ, “ଶ୍ରୀ ନବକୃଷ୍ଣ ଚୌଧୁରୀ” ପୁସ୍ତକରୁ ଗୃହୀତ) ।

 

ଏହାହେଲା ଠିକ୍ ବର୍ଷକଠି ଭୂସତ୍ୟାଗ୍ରହ ପ୍ରସ୍ତୁତିର ଶେଷ ପରିଣତି–ଭୂଦାନର ପ୍ରଭାବରେ ଏବେ ତାହା ସ୍ଥଗିତ ହେଲା–ଭବିଷ୍ୟତରେ ଧନୀକଙ୍କ ହୃଦୟରେ ଦୟା ଓ ସରକାରଙ୍କ କାମ ଉପରେ ଭରସା ରଖି ଅନ୍ୟାୟକୁ ବିଲୋପ କରିବା ବଦଳରେ ଏବେ ତାହା ଅନ୍ୟାୟକୁ ଆବୃତ୍ତ କଲା, ନ୍ୟାଯ୍ୟ ଅଧିକାରକୁ ସାବ୍ୟସ୍ତ କରିବା ବଦଳରେ ମୂଳରୁ ନ୍ୟାୟକୁ ଉଡ଼ାଇ ନେଲା, ଚେତନା ଓ ଆତ୍ମବିଶ୍ଵାସକୁ ଜାଗ୍ରତ କରିବା ବଦଳରେ, ତାହା ତାକୁ ଜାଗ୍ରତ ମନରୁ ପୋଛିବାରେ ଲାଗିଲା । ଶେଷରେ ଲୋକଙ୍କର ସେଇ ଦୁର୍ଦ୍ଦଶା ଦୂର କରିବାର ବିଫଳତା ନବବାବୁଙ୍କ ପ୍ରାଣରେ ପ୍ରତିଫଳିତ ହେଲା ଘୋର ନୈରାଶ୍ୟ ଓ ବ୍ୟର୍ଥତାର ରୂପରେ–ଯେହେତୁ ସେ କେବଳ ସେ ପକ୍ରିୟା ଜଡ଼ିତ ନୁହନ୍ତି, କେତେକାଂଶରେ ତା’ର କର୍ତ୍ତା ମଧ୍ୟ । କିନ୍ତୁ ଓଡ଼ିଶାର ରାଜନୀତିରେ ଯେହେତୁ ସେ ଜଣେ ସର୍ବଠୁଁ ସାଧୁ, ସଚ୍ଚୋଟ, ନିସ୍ଵାର୍ଥପର, ଶଠତା ହୀନମାନ୍ୟତା ଓ ପ୍ରତାରଣା ଆଦି ଯାହାକୁ ଛୁଇଁନାହିଁ, ନିଜ ସ୍ଵାର୍ଥ ଲାଗି ଦଳ ଗଠନ ଓ ପ୍ରତିଶୋଧ ପରାୟଣତାକୁ ଯିଏ ପ୍ରତ୍ୟାଖ୍ୟାନ କରେ, ଅବହେଳିତ, ଦଳିତ ଲୋକଙ୍କୁ ଭଲ ପାଇବାରେ ଯେ ନିଷ୍କପଟ, ଆବିଳତାଶୂନ୍ୟ ଓ ଉଦ୍ଦେଶ୍ୟହୀନ–ସେହିପରି ଲୋକ କେବଳ ସେଥିରେ ବିବ୍ରତ, ବିଚଳିତ ଓ ବିଷାଦଗ୍ରସ୍ତ ହୋଇପାରେ । ଆପଣାର ବିଫଳତା ଲାଗି ନିଜକୁ ଧିକକାର କରିପାରେ–ଯାହା କି ସାଧାରଣ ରାଜନୀତି କ୍ଷେତ୍ରରେ ବିରଳ ।

 

ନବବାବୁ ତାଙ୍କ ଜୀବନରେ କ’ଣ ନ ପାଇଛନ୍ତି ? ଲୋକଙ୍କର ସ୍ନେହ, ଶ୍ରଦ୍ଧା, ସାଧାରଣରେ ମାନ, ସମ୍ମାନ, ସରକାରରେ ସର୍ବୋଚ୍ଚ ପଦବୀ ଓ କ୍ଷମତା, ନେତୃତ୍ଵର ଶ୍ରେଷ୍ଠ ଆସନ ଓ ଅଧିକାର–ଯାହା ସାଧାରଣ ଜୀବନର କାମ୍ୟ । ବିଶେଷକରି ରାଜନୈତିକ ଜୀବନରେ ଚରମ ସଫଳତା ନିଦର୍ଶନ–ସେସବୁ ଲାଭ କରିଛନ୍ତି । ତେବେ ସେଇ କୃତାର୍ଥ ଜୀବନ ବ୍ୟର୍ଥତାରେ କାନ୍ଦିଉଠେ କାହିଁକି ? କାରଣ ସେ ସମସ୍ତ ବିଷୟ ନିଜ ପାଇଁ, ଉଦ୍ଦିଷ୍ଟ–ଅନ୍ୟପାଇଁ ନୁହେଁ, ସମାଜ ପାଇଁ ନୁହେଁ । ଅନ୍ୟମାନଙ୍କ ସହିତ ନବବାବୁଙ୍କର ଏଇଠି ଗୁଣାତ୍ମକ ପାର୍ଥକ୍ୟ । ଅନ୍ୟମାନଙ୍କ କ୍ଷେତ୍ରରେ ଯାହା ସର୍ବଶ୍ରେଷ୍ଠ ସାର୍ଥକତା, ନବବାବୁଙ୍କ କ୍ଷେତ୍ରରେ ତାହା ଘୋର ଦୁଃଖ ଓ ବ୍ୟଥାର କାରଣ । ସେ ଯାହା ଚାହିଁଛନ୍ତି, ଯାହାପାଇଁ ଜୀବନ ସାରା ଧାଇଁଛନ୍ତି ସେ ତାହା ପାଇପାରି ନାହାନ୍ତି-। ସେଥିଲାଗି ସେ ବିଭିନ୍ନ ମତ ଓ ପନ୍ଥା ଧରିଛନ୍ତି । କିନ୍ତୁ କେଉଁଠି ହେଲେ ତାଙ୍କର ସଫଳତା ନାହିଁ-। ତାହାହେଲେ ବିଫଳତା କ’ଣ ସେଇ ବ୍ୟଥା ଓ ବ୍ୟର୍ଥତାର କାରଣ ? ଦୁନିଆରେ କେତେ ମହତ୍ ଆନ୍ଦୋଳନ ବା କାର୍ଯ୍ୟ ବିଫଳ ନ ହେଉଛି ? ତାହା କ’ଣ ମଣିଷ ମନରେ ବ୍ୟର୍ଥତାର ଗ୍ଳାନି ସୃଷ୍ଟି କରେ ? ବିଫଳତା ମଧ୍ୟରେ ମଧ୍ୟ ମଣିଷ ସାର୍ଥକ ଜୀବନର ସ୍ଵାଦ ଆସ୍ଵାଦାନ କରେ । ବ୍ୟର୍ଥତା ଭିତରେ ବି ସେ ଅଟଳ ବିଶ୍ଵାସ ସହ ଫାଶୀଖୁଣ୍ଟରେ ମଧ୍ୟ ଝୁଲେ । କାରଣ ସେ ତାର ଅନୁସୃତ ନୀତି, ମତ ଓ ପଥର ସତ୍ୟତା ସମ୍ବନ୍ଧରେ ଦୃଢ଼ ନିଶ୍ଚିତ । ନିଜର ଅନ୍ତିମ ବିଷୟରେ ଅଟଳ ଆସ୍ଥାବାନ୍ । ସେଠି ମଣିଷ ମୃତ୍ୟୁମୁଖରେ ବି ବ୍ୟର୍ଥତାର ଗ୍ଳାନି ପରିବର୍ତ୍ତେ ଜୀବନରେ ସାର୍ଥକତାର ଗୌରବ ଅନୁଭବ କରେ । କିନ୍ତୁ ନବବାବୁ ହେଉଛନ୍ତି ଗୋଟାଏ ଅନାବିଳ ଜନଦରଦୀ ପ୍ରାଣର ଅନୁରୂପ ଦିଗଦର୍ଶନଶୂନ୍ୟ ଆଭିମୁଖ୍ୟର ଏକ ଦୁଃଖମୟ ପରିଣତି ।

 

ନବବାବୁଙ୍କ ସମସ୍ୟା ମୂଳତଃ ମତାଦର୍ଶଗତ । ତାଙ୍କ ଜୀବନର ଲକ୍ଷ୍ୟ ହେଲା ଶୋଷିତ, ଅବହେଳିତ ଲୋକଙ୍କର ସର୍ବାଙ୍ଗୀନ ସୁଖ, ସର୍ବୋଚ୍ଚ ବିକାଶ ଓ ସର୍ବଶ୍ରେଷ୍ଠ କଲ୍ୟାଣ । ତାଙ୍କର ସେଇସ୍ଵପ୍ନ କେବଳ ସାମ୍ୟବାଦରେହିଁ ସମ୍ଭବ । ଯେହେତୁ ଅସାମ୍ୟ ସବୁ ସାମାଜିକବ୍ୟାଧିର ମୂଳ, ତେଣୁ ସାମ୍ୟବିନା କାହାରି କୌଣସି ମୌଳିକ ସମାଧାନ ନାହିଁ ତାଛଡ଼ା, ମଣିଷ ଏ ପର୍ଯ୍ୟନ୍ତ ଅନ୍ୟ କୌଣସି ପନ୍ଥା ନିର୍ଣ୍ଣୟ କରିନାହିଁ । ସେଇ ମତାଦର୍ଶ ପ୍ରତି ଦୃଢ଼ତାର ଅଭାବ ତାଙ୍କୁ ସର୍ବଦା ଅସ୍ଥିର ଓ ଦୋଦୁଲ୍ୟମାନ କରି ରଖିଛି । ନିଜର କାମନା ପୂରଣଲାଗି ସେ ବାରଦ୍ଵାର ହୋଇଛନ୍ତି । ତାଙ୍କର ଜୀବିତାବସ୍ଥାରେ ସୋଭିଏତ୍ ୟୁନିୟନର ପତନ ଘଟିନାହିଁ । ସେଥିଯୋଗୁ ସାମ୍ୟବାଦ ପ୍ରତି ଆସ୍ଥାହରାଇବା ପ୍ରଶ୍ନନାହିଁ । ତେବେ ସୋଭିଏତ୍ ଯୁନିୟନ ଯିଏ ମାନବ ସମାଜର ନୂତନ ସଭ୍ୟତାର ସୂତ୍ରପାତ କରିଛି, ବିଶ୍ଵର ଚେହେରାକୁ ବଦଳେଇ ଦେଇଛି ଏବଂ ନୂତନ ଇତିହାସ ସୃଷ୍ଟି କରିଛି, ତାର ସେଇ ପତନ ଯେତେ ଦୁଃଖଦାୟକ ହେଲେ ବି ଅସାମ୍ୟ ଲାଗିଥିବା ପର୍ଯ୍ୟନ୍ତ ସାମ୍ୟବାଦର ଆବଶ୍ୟକତାକୁ ତାହା ଅନ୍ୟଥା କରେନାହିଁ । ତାହା କେବଳ ଜଣାଇଦିଏ ଯେ, ଯାର ନିର୍ମାଣ ବୈଜ୍ଞାନିକ ନୁହେଁ ସେ ଯେତେ ବିରାଟ ଶକ୍ତିଶାଳୀ ହେଲେ ବି ତାହା ଭରିପଡ଼ିବ । ସେଇ ତ୍ରୁଟିର ନିରାକରଣ ନ ହେଲା ପର୍ଯ୍ୟନ୍ତ ତାର ସଫଳତା ନାହିଁ ତାର ଏବଂ ମଣିଷ ତାକୁ ନିରାକରଣ କରିବା ବିନା ଅନ୍ୟ ପନ୍ଥା ବି ନାହିଁ । ସେଥିଯୋଗୁ ଏବେ ବି କେତେ ଦେଶ ସେହି ପଥର ଯାତ୍ରୀ–ସମାଜବାଦ ନିର୍ମାଣରେ ବ୍ୟସ୍ତ । ଏବେ ବି ମାନବ ସମାଜର ଭବିଷ୍ୟତ ସମାଜବାଦ ବୋଲି ସ୍ଵୀକୃତ-। ତାହା ମଧ୍ୟ ଆମ ସମ୍ବିଧାନରେ ଲିପିବଦ୍ଧ ।

 

ତେଣୁ ସମାଜବାଦ ନିର୍ମାଣକୁ ବୈଜ୍ଞାନିକ କରିବାକୁ ହେବ ବା ବୈଜ୍ଞାନିକ ସମାଜବାଦର ତତ୍ତ୍ଵ, ନୀତି, ନିୟମ ଓ ଚରିତ୍ରକୁ ନିର୍ଭୁଲଭାବେ ପ୍ରୟୋଗ କରିବାକୁ ପଡ଼ିବ । ତାହାହିଁ ମାନବ ସମାଜ ପ୍ରତି ସୋଭିଏତର ଆବିର୍ଭାବ ଓ ପତନର ଏକ ଅପରିହାର୍ଯ୍ୟ ଶିକ୍ଷା । ସେଇଯୋଗୁଁ ମାର୍କସ ତାଙ୍କ ସାମ୍ୟବାଦର ନାମ ଦେଇଥିଲେ ‘ବୈଜ୍ଞାନିକ ସମାଜବାଦ’ । ସେଇଥିଯୋଗୁଁ ନବବାବୁ ତାଙ୍କ ସ୍ଵପ୍ନର ସଫଳତା ଦିଗରେ ତାକୁ ବୁଝିବାକୁ ଓ ବୁଝେଇବାକୁ ଚେଷ୍ଟା କରିଛନ୍ତି, ‘ଆଧୁନିକ ବୈଜ୍ଞାନିକ ସମାଜବାଦର’ ଆଲୋଚନାରେ । କିନ୍ତୁ ତାହା କେବଳ ଉପକ୍ରମରେ ରହିଯାଇଛି । ସେଥିସହିତ ରହିଯାଇଛି ସେ ଦିଗରେ ତାଙ୍କର ଉପଲବ୍ଧି ଓ ଅଗ୍ରଗତିର ଅଭାବ, ଯାହାକି ପରବର୍ତ୍ତୀ କାଳରେ “ବ୍ୟର୍ଥତା” ଭାବରେ ପ୍ରକଟିତ,–“ଯେଉଁଠି ଜୀବନଟା ଦିନକୁ ଦିନ ଶୂନ୍ୟ”–“ଯେଉଁଠି ନିଜପ୍ରତି–କ୍ରୋଧରେ ମନ ଜଳିପୋଡ଼ି ପାଉଁଶ ହୁଏ”–ଯେହେତୁ ସ୍ଵପ୍ନର ସାର୍ଥକ ହେବା ଦିଗନ୍ତ ଅନ୍ଧକାର,–ଭବିଷ୍ୟତ ପଥଶୂନ୍ୟ ।

 

ନବବାବୁ ଏକ ଅଦ୍ଭୁତ ପରିବାରର ଲୋକ । ସ୍ଵାଧୀନତା ଇତିହାସର ଏକ ଅଧ୍ୟାୟ ସେହି ପରିବାରର ପୃଷ୍ଠାରେ ଲିଖିତ । ତାଙ୍କର ଭାଇ, ଭାଉଜ ତାଙ୍କ ପୁଅଝିଅ ଦେଶ ପ୍ରତି ପ୍ରତ୍ୟେକଙ୍କର ଅବଦାନ ଅନସ୍ଵୀକାର୍ଯ୍ୟ । ସ୍ଵାଧୀନତା ସଂଗ୍ରାମରେ ସେମାନଙ୍କ ଦାନ, ଜନସେବାରେ ତାଙ୍କର ନିଷ୍ଠା, ନିସ୍ଵାର୍ଥ ତ୍ୟାଗରେ ତାଙ୍କର ଦୃଷ୍ଟାନ୍ତ–ଓଡ଼ିଶାରେ ଅଦ୍ଵିତୀୟ । ସେମାନେ ତାଙ୍କ ମତରେ ଯେତେ ଭିନ୍ନ ହେଲେ ବି, ପ୍ରତ୍ୟାଶାଶୂନ୍ୟ ଦାନ ହେଉଛି ସେହି ପରିବାରର ବୈଶିଷ୍ଟ୍ୟ । ତାଙ୍କ ଭିତରେ ମାଳତୀ ଦେବୀ ଯେପରି ଅନ୍ୟନ୍ୟ । ସେହିପରି ତାଙ୍କ ବିନା ନବବାବୁଙ୍କ ଜୀବନ ଅପୂର୍ଣ୍ଣ–ଦୁହେଁ ପରସ୍ପରର ପରିପୂରକ । କେତେଠି ମାଳତୀ ଦେବୀ ଅପେକ୍ଷାକୃତ ଅଧିକ ଦୃଢ଼ପ୍ରତିଜ୍ଞ କର୍ମ ତତ୍ପର, ସମବେଦନାଶୀଳ ଓ ଭାବପ୍ରବଣ । କାଳି ଦାସଙ୍କ ଭାଷାରେ “ବାଗାର୍ଥ ବିବ ସମ୍ପୃକ୍ତେ-। ବାଗାର୍ଥ ପ୍ରତିପ୍ରତୟେ”, ଶବ୍ଦ ଅର୍ଥଭଳି ନିତ୍ୟ ସମ୍ବଦ୍ଧଯୁକ୍ତ ଅଭିନ୍ନ ସେମାନେ । ସେ ଆଉ ଏକ ଅଧ୍ୟାୟ ।

 

ନବବାବୁଙ୍କ ସହିତ ମୋର ସମ୍ବଦ୍ଧ ଟିକେ ସ୍ଵତନ୍ତ୍ର ଧରଣର । ଯେତିକି ନିକଟତର, ସେତିକି ଦୂରବର୍ତ୍ତୀ । ତାହା ଉଭୟ ଶିକ୍ଷାଦାୟକ ସମାଲୋଚନାପ୍ରଦ । ସେ ମୋତେ ଯେମିତି ଗଢ଼ିଛନ୍ତି, ମୁଁ ସେମିତି ଭାଙ୍ଗିବାକୁ ଚାହିଁଛି ତାଙ୍କର ସେହି ମତବାଦକୁ । ୧୯୩୩-୩୪ରୁ୧୯୩୯-ସେ ସମୟଟା କେଟେ ତାଙ୍କରି ଘରେ । ତାଙ୍କର ପ୍ରଭାବରେ ତାଙ୍କରି ନେତୃତ୍ଵରେ ଗଢ଼ିଉଠିଛି ମୋର ଜୀବନ–ସେଇ କାଳର ଆନ୍ଦୋଳନ ଭିତରେ । ତାଙ୍କରି ପ୍ରେରଣାରେ ମୁଁ କଲମ ଧରିଛି । ମୋର ପ୍ରଥମ ଲେଖା ପ୍ରକାଶ ପାଏ ତାଙ୍କରି ସମ୍ପାଦିତ “ସାରଥି”ରେ ୧୯୩୩ରେ । ତା ଆଗରୁ ୧୯୩୦-୩୨ ଆନ୍ଦୋଳନରେ ଯଦିଓ ମୁଁ ଯୋଗ ଦେଇଥିଲି, ମୋର ପ୍ରକୃତ ରାଜନୈତିକ ଶିକ୍ଷା ଆରମ୍ଭ ହୁଏ ସେଇଠି । କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ଥିଲାବେଳେ ମୋର କମ୍ୟୁନିଷ୍ଟ ମନୋଭାବ ବିଷୟରେ ନବବାବୁ ପ୍ରଥମରୁ ଅବଗତ । ତାଙ୍କୁ ତାର ପ୍ରଥମ ସୂଚନା ଦିଅନ୍ତି ମୋର ଗୁରୁ ଆଚାର୍ଯ୍ୟ ନରେନ୍ଦ୍ରଦେବ । ତାପରେ ନିତ୍ୟାନନ୍ଦ କାନୁନଗୋ ଘରୋଇ ମନ୍ତ୍ରୀ ଥିଲାବେଳେ ପୁଲିସ ଜବତ କରିଥିବା କମ୍ୟୁନିଷ୍ଟଙ୍କ ଗୋପନ ଚିଠିପତ୍ର ବିଷୟ ତାଙ୍କୁ ଜଣାନ୍ତି (ସେ ଚିଠିଗୁଡ଼ାକ ପରେ କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମାମଲାରେ, ଆମ ବିରୁଦ୍ଧରେ ଥୁଆ ହୁଏ । ଅଥଚ ଦିନେ ହେଲେ ନବବାବୁ ସେ ଘେନି ମୋତେ ପ୍ରଶ୍ନ କରି ନାହାନ୍ତି କି ମୋ ପ୍ରତି ତାଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରିନାହିଁ । କାହାପ୍ରତି ବିଦ୍ଵେଷ ଭାବ ପୋଷଣ ତାଙ୍କ ଚରିତ୍ରର ବହିର୍ଭୂତ ।

 

ସେଇ ସମୟଟା ହେଉଛି, ନବବାବୁଙ୍କ ଜୀବନରେ ପ୍ରକୃତ କ୍ରାନ୍ତିର ସମୟ । ସେତିକିବେଳେ ବିଦେଶୀ ଶାସନ ସାଙ୍ଗକୁ ତାଙ୍କ ଏଜେଣ୍ଟ ରାଜ, ରାଜୁଡ଼ାଙ୍କ ବିରୁଦ୍ଧରେ ବିଦ୍ରୋହ । ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ମଧ୍ୟରେ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ବ୍ୟାପକ ଗଣ ଜାଗରଣ, ଯୁବକଙ୍କ ମଧ୍ୟରେ ଅନ୍ଧବିଶ୍ଵାସ ପ୍ରତି ଆଘାତ ଓ ନୂତନ ପଥର ଅନ୍ଵେଷଣ ଆଦି ଆବର୍ତ୍ତନ ଭିତରେ ଆତ୍ମପ୍ରକାଶ କରିଛି ସମାଜବାଦୀ ମତାଦର୍ଶ । ରୁଷରେ ଶୋଷଣର ବିଲୋପ, ସମାଜବାଦ ନିର୍ମାଣରେ ଅଗ୍ରଗତି ସେହି ପ୍ରକ୍ରିୟାକୁ ଅଧିକ ପ୍ରଭାବିତ ଓ ଅନୁପ୍ରାଣିତ କରିଛି । ତାହାହିଁ ଗଠନ କରିଛି ନବବାବୁଙ୍କ ଜୀବନରେ ସାର୍ଥକତାର ସୋପାନ–ସେଇ ଆଦର୍ଶ ଲାଭ ଦିଗରେ ସେତେବେଳେ ଘଟିଛି ତତ୍ତ୍ଵ ଓ କର୍ମ ନୀତି ଓ ଲକ୍ଷ୍ୟର ସମନ୍ଵୟ । ତାହା ପରେ ତା ଭାଙ୍ଗିଛି ।

 

ସ୍ଵାଧୀନତା ପରେ ସେଇ ସୋପାନ–ସମାଜବାଦୀ ମତାଦର୍ଶର ସୋପାନ–ଆରୋହଣର ଅବସାନ ଘଟିଛି । ଆରମ୍ଭ ହୋଇଛି ତାର ଅବରୋହଣ । ନବବାବୁ ତାଙ୍କ ପୂର୍ବ ଆଦର୍ଶରେ ଆଉ ଅଟଳ ନୁହନ୍ତି । ନୂତନ ଅବସ୍ଥାରେ ତାର ପ୍ରୟୋଗର ଉଦ୍ୟମ କରିନାହାନ୍ତି । ଏକ ଦିଗରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୁଦ୍ଧରେ ଜନଚେତନା ସୃଷ୍ଟି କରିବା,–ଜନଶକ୍ତିକୁ ଜାଗ୍ରତ କରିବା ଏବଂ ଅନ୍ୟ ଦିଗରେ ଶାସନ ଗାଦିରେ ବସିଲା ପରେ ତାର ନିର୍ଦ୍ଧାରିତ ରେଖାକୁ ଟପିବାକୁ ଛାଡ଼ି ନ ଦେବା ବା ତାକୁ ଟପିବାକୁ ଆରମ୍ଭ କଲା ମାତ୍ରେ ଲୋକଙ୍କୁ ଦମନ କରିବା–ତାହା ଏକ ବିରୁଦ୍ଧାତ୍ମକ କାର୍ଯ୍ୟ । ଏବେ ଦେଶର ନ୍ୟସ୍ତସ୍ଵାର୍ଥବାଦୀଙ୍କ ବିରୁଦ୍ଧରେ ଅଗ୍ରସର ନ ହୋଇ ସମାଜବାଦ ଦିଗରେ ଗତି କରିବା ସମ୍ଭବ ନୁହେଁ । ସେହି ଦ୍ଵନ୍ଦ୍ଵର ମୁକାବିଲା ନ କରି ତାର ସମାଧାନର ଉପାୟ ଖୋଜୁଛନ୍ତି ନବବାବୁ । ତାଙ୍କର ଜୀବନ ହୋଇଛି ତାରି ପ୍ରତିଫଳନ ।

ସ୍ଵାଧୀନତା ପ୍ରାପ୍ତି ପରେ ସମାଜବାଦକୁ ଅଗ୍ରସର ହେବାକୁ ହେଲେ ଆଗ ଗଣତାନ୍ତ୍ରିକ ବିପ୍ଳବର କାର୍ଯ୍ୟ ପୂରଣ କରି ସମାଜବାଦ ଭିତ୍ତି ନିର୍ମାଣ କରିବା, ଅବଶ୍ୟ ଏକ ଦୁରୂହ ଦୀର୍ଘକାଳୀନ ପ୍ରକ୍ରିୟା, ତାହା ଏକ ଅମଡ଼ାବାଟ । ନୂତନ ସ୍ଵାଧୀନ ଦେଶମାନଙ୍କ ମଧ୍ୟରେ କେବଳ ଚୀନ ଓ ଭିଏତନାମ, ନାନା ଉତ୍ଥାନ ପତନ ଭିତରେ ବାଟକାଟି ଚାଲିଛନ୍ତି । କିନ୍ତୁ ଏଠି ଶାସକ ଦଳ କଂଗ୍ରେସର ମତ, ନୀତି ଓ ଆଦର୍ଶ ସେହି ପନ୍ଥାର ପରିପନ୍ଥୀ । ତା’ ଭିତରେ ନବବାବୁ ଯେତେ “ଦରିଦ୍ର-ପ୍ରାଣ” ହେଲେ ବି, ତାଙ୍କର ତତ୍ତ୍ଵ ମତାଦର୍ଶର ଦାରିଦ୍ର୍ୟ ତାଙ୍କୁ ବିଭ୍ରାନ୍ତ ଓ ବିପଥଗାମୀ କରି ରଖିଛି ।

ତାପରେ, କୌଣସି ବାଧାର ସମ୍ମୁଖୀନ ହେବାରେ ନବବାବୁ ସଦା ପଶ୍ଚାତପଦ । ସଂଘର୍ଷକୁ ଆଡ଼େଇ ଯିବା ତାଙ୍କର ସ୍ଵାଭାବିକ ଚରିତ୍ର । କିନ୍ତୁ ରାଜନୀତିରେ ପ୍ରତିପକ୍ଷ ବିରୁଦ୍ଧରେ ବିନା ସଂଘର୍ଷରେ ବିଜୟ ନାହିଁ । ଯିଏ ନିଜର ମତାଦର୍ଶରେ ଦୃଢ଼, କିମ୍ବା (ଯିଏ ନିଜର ବ୍ୟକ୍ତିଗତ ଉଗ୍ର ଆକାଙକ୍ଷା ବା ଆତ୍ମସ୍ଵାର୍ଥ ଲାଗି ବଦ୍ଧପରିକର) ସେହି କେବଳ ସଂଘର୍ଷରେ ଠିଆ ହୋଇପାରେ । କିନ୍ତୁ ଯିଏ ତାର ନୀତି ଓ ମତାଦର୍ଶରେ ଦୃଢ଼ ନୁହେଁ, ଯିଏ ନିଜେ ନିଜର ମନ ଓ ପଥକୁ ଜାଣେନା, ବା ନିଜ ଉପରେ ଯାହାର ଭରସାର ଅଭାବ, ତାକୁ ଭରସା କରି କିଏ ବା ତା ପଛରେ ଠିଆହେବାକୁ ଯିବ ?

ସମସ୍ତ ବିଚ୍ୟୁତି, ବିଫଳତା ଭିତରେ ନବବାବୁ ଏକ ବ୍ୟତିକ୍ରମ, ପ୍ରକୃତ ମାନବ ପ୍ରେମୀଙ୍କ ଲାଗି ଏକ ଅଭ୍ରାନ୍ତ ସନ୍ଦେଶ, ଏକ ଅବହେଳିତ ନିର୍ଯ୍ୟାତିତ ମଣିଷଙ୍କ ପ୍ରତି ଅନାବିଳ ପ୍ରେମର ପ୍ରତୀକ ହୋଇ ମଧ୍ୟ ସାମାଜିକ-ବିକାଶ-ବିଜ୍ଞାନ ପ୍ରତି ବିମୁଖତାର ଏକ ଅପରିହାର୍ଯ୍ୟ ପରିଣାମ ।

ତେଣୁ ବ୍ୟାକୁଳ ହୃଦୟରେ, ବିଭ୍ରାନ୍ତ ଚିନ୍ତା ଭିତରେ ବିଷର୍ଣ୍ଣ ଦୃଷ୍ଟିନେଇ ସେ ଖୋଜିଛନ୍ତି ସେଇ ମୁକ୍ତିର ପଥକୁ । ନବବାବୁଙ୍କ ଜୀବନର ମହାନ୍ ଅଭିଜ୍ଞତା ଜଣାଇଦିଏ ଲୋକଙ୍କୁ ଭଲପାଇବା କେବଳ ଯଥେଷ୍ଟ ନୁହେଁ, ତାକୁ କାର୍ଯ୍ୟରେ ରୂପାୟିତ କରିବାକୁ ହେଲେ ଅନୁରୂପ ମତାଦର୍ଶରେ ସେହିପରି ଦୀକ୍ଷିତ ଓ ଦୃଢ଼ ହେବା ଦରକାର ।

ନବବାବୁଙ୍କ ଜୀବନର ପ୍ରଥମ ପୂର୍ବ ଯେପରି ସେହି ନିଃସ୍ଵ, ଅବହେଳିତଙ୍କ ମୁକ୍ତି ଦିଗରେ ପ୍ରେରଣାର ନିର୍ଦ୍ଦେଶ ଦିଏ, ସେହିପରି ତାଙ୍କର ଜୀବନର ଦ୍ଵିତୀୟ ପର୍ଯ୍ୟାୟ ସେହି ପଥକୁ ତାଙ୍କର ସ୍ଖଳନ,–ପଳାୟନ ବା ଶେଷରେ ତାର ପ୍ରତ୍ୟାଖ୍ୟାନକୁ ଘୋଷଣା କରେ । ତାଙ୍କ ଜୀବନ ଏକ ଦିଗରେ ପ୍ରେରଣାର ଉତ୍ସ ହେଲାବେଳେ ଅନ୍ୟ ଦିଗରେ ବିଭ୍ରାନ୍ତି ପ୍ରତି ସର୍ବଦା ସତର୍କତାର ସଂକେତ ହୋଇ ରହିବ ।

ଲୋକଙ୍କ ପ୍ରତି ଗଭୀର ଶ୍ରଦ୍ଧା, ବଳିଷ୍ଠ ନିଷ୍ଠା ଓ ସାଧୁତାର ପ୍ରତୀକ ରୂପେ ତାଙ୍କ ଜୀବନର ନାସ୍ତିତ୍ଵ ଅସ୍ତିତ୍ଵର ସନ୍ଦେଶ ଭବିଷ୍ୟତ ବଂଶଧରଙ୍କ ଲାଗି ସଦା ପଥ ନିର୍ଦ୍ଦେଶକ ହୋଇ ରହିଥିବ । ତେଣୁ କବିଗୁରୁ ରବୀନ୍ଦ୍ରନାଥଙ୍କ ଭାଷାରେ ମୋର ଶ୍ରଦ୍ଧାଞ୍ଜଳୀ–

“ଆପନାରେ ତୁମି ସହଜେ ଭୁଲିୟା ଥାକ,

ଆମରା, ତୋମାରେ ଭୁଲିତେ ପାରିନା ତାଇ ।

ସବାର ପିଛୁନେ ନିଜେରେ ଗୋପନେ ରାଖ

ଆମରା ତୋମାରେ ପ୍ରକାଶ କରିତେ ଚାଇ ॥

ଛୋଟୋରେ କଖନୋ ଛୋଟୋ ନାଇ କର ମନେ

ଆଦର କରିତେ ଜାନ ଅନାଦୃତ ଜନେ,

ପ୍ରୀତି ତବ କିଛୁ ନ ଚାହେ ନିଜେର ଜନ୍ୟ

ତୋମାରେ ଆଦରି, ଆପନାରେ କରି ଧନ୍ୟ ॥”

☆☆☆

 

କମ୍ୟୁନିଜିମର ଆଦର୍ଶ

ଶ୍ରୀ ଗୋବିନ୍ଦଚନ୍ଦ୍ର ମହାନ୍ତି

 

ଓଡ଼ିଶା ରାଜନୀତିରେ ଆମୃତ୍ୟୁ ନବକୃଷ୍ଣ ଚୌଧୁରୀ ଏକ ବିରଳ ବ୍ୟକ୍ତିତ୍ଵ । ଚୌଧୁରୀ ଚାହିଁଥିଲେ ସେ ଏପରି ବ୍ୟକ୍ତି ନୁହେଁ, ଯେ ତାଙ୍କର ଜୀବନର ଚୟି କେହି କରିବ । ନିଜକୁ ଓ ନିଜ କର୍ମମୟ ଜୀବନକୁ ସେ ବିସ୍ମୃତିର ଗର୍ଭରେ ସ୍ଵାଭାବିକ ଭାବରେ ଲୀନ ହୋଇଯାଉ ବୋଲି ବିଚାରି ରାଜ୍ୟ ଓ ଦେଶକୁ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ସହିତ କରିଥିବା ଅସଂଖ୍ୟ ପତ୍ରାଳାପକୁ ପୋଡ଼ି ଧ୍ଵଂସ କରିଥିଲେ ।

 

ରାଜନୈତିକ ଜୀବନରେ ବହୁ ଆଦର୍ଶ ପଛରେ ଯାଇ ସେ ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକଦା ଉପାସ୍ୟ ହୋଇଥିଲେ । ଆଜିବି ଯେଉଁମାନେ ତାଙ୍କ କାଳର ବଞ୍ଚିଛନ୍ତି ଅବା ତାଙ୍କ ପରବର୍ତ୍ତୀ ଜୀବନ କାଳରେ ତାଙ୍କ ସଂସ୍ପର୍ଶରେ ବିଭିନ୍ନ କ୍ଷେତ୍ରରେ ଆସିଛନ୍ତି; ସେପରି ଅଧିକାଂଶଙ୍କ ବିଚାରରେ ସେ ଅନ୍ୟ ଅନେକଙ୍କଠାରୁ ଏକ ଭିନ୍ନ ମଣିଷ ଥିଲେ । ବ୍ୟକ୍ତିଗତ ଆକାଂକ୍ଷା ନଥିବା ମଣିଷଟି ଏକ ଅକପଟ, କଳୁଷରହିତ ରାଜନୀତିଜ୍ଞ, ପ୍ରଶାସକ ଓ ସମାଜସେବୀ ଥିଲେ । ଅବଶ୍ୟ କେତେକଙ୍କ ପକ୍ଷରେ ଯେ ସେ ଅନାଦୃତ, ଅପାଙ୍କତେୟ ଥିଲେ । ଏହା ମଧ୍ୟ ସତ୍ୟ । ତାର କାରଣ ସେମାନେ ତାଙ୍କ ତୁଳନାରେ ନିଜକୁ ନିଷ୍ପ୍ରଭ ହୋଇଯିବେ ବୋଲି ଆଶଙ୍କା କରୁଥିଲେ । ଅଭିଜ୍ଞତାଗୁଡ଼ିକ ଲିପିବଦ୍ଧ କରିଦିଅ, ନଚେତ ଢାକିଦିଅ ବୋଲି କେତେ ଗବେଷକଙ୍କୁ ସେ ନିରାଶ କରିଛନ୍ତି; ମୃଦୁ ବନ୍ଧୁ ସୁଲଭ ଭତ୍ସର୍ନା କରି ଏପରି ଖୋସାମତିଆ କେବେଠାରୁ ହେଲ’ ବୋଲି କଟାକ୍ଷ କରିଛନ୍ତି ।

 

ଦଳିତ, ଶୋଷିତ, ନିର୍ଯ୍ୟାତିତ, ବଞ୍ଚିତ ଓ ପ୍ରବଞ୍ଚିତ ଓଡ଼ିଶା ଓ ଭାରତବର୍ଷର ମଣିଷର ସ୍ଵାଧୀନତା ପ୍ରାପ୍ତି ସାଙ୍ଗକୁ ସାମାଜିକ–ଅର୍ଥନୈତିକ ମୁକ୍ତି ଲାଗି ସେ ବିଭିନ୍ନ ବାଟ ଅଣ୍ଡାଳି ହୋଇଛନ୍ତି-। ୧୯୩୦-୩୨ରୁ କାରାବାସରୁ ମୁକ୍ତିପରେ ସେ ମଧ୍ୟ ମାର୍କସବାଦ ଆଡ଼କୁ ମୁହଁ ବଢ଼େଇଥିଲେ-। ନିଜ ପରିବାର ଓଡ଼ିଶାରେ ଏକ ଅନନୁକରଣୀୟ ସ୍ଵାଧୀନତା ସଂଗ୍ରାମୀ ପରିବାର । ସେ ନିଜେ ଗାନ୍ଧିଜୀଙ୍କ ପରମ ଉପାସକ । ଭାଇ ଗୋପବନ୍ଧୁ ଚୌଧୁରୀ, ଭାତୃଜାୟା ରମାଦେବୀ, ପୁତୁରାଝିଆରୀ, ଝିଅ ଝିଆରୀ ଜ୍ଵାଇଁ ଏବଂ ପତ୍ନୀ ମାଳତୀଦେବୀ ସମସ୍ତେ ଦୀର୍ଘ କାରାବାସ ଭୋଗିଛନ୍ତି । ବ୍ୟକ୍ତିଗତ ଓ ପାରିବାରିକ ଆଗର ଏକ ବିରଳ ଦୃଷ୍ଟାନ୍ତ । ପୁଅକୁ, ନାତିକୁ ହରାଇଛନ୍ତି-। ବହୁ ବ୍ୟକ୍ତିଗତ ଝଡ଼ର ସାମନା କରି ମାଳତୀ ଚୌଧୁରୀଙ୍କ ପରି ବିପ୍ଳବିନୀ ପତ୍ନୀ ଉଭୟ ଏକଦା ମାର୍କସ-ଏଙ୍ଗଲସ ଲେନିନ ଓ କମ୍ୟୁନିଜିମ ପ୍ରତି ଆକୃଷ୍ଟ ହୋଇଥିଲେ ।

 

ସେଥିଯୋଗୁଁ ୧୯୩୪ରେ ସେ କଟକଜିଲ୍ଲା ତରିକୁନ୍ଦ ଚାଷଘରେ ସାମ୍ୟବାଦୀ କର୍ମୀ ସଂଘ ଗଠନ ଓ ତାର ମୁଖପତ୍ର ‘ସାରଥି’ର ସମ୍ପାଦନାରେ ଅଗ୍ରଣୀ ଭୂମିକା ନେଇଥିଲେ । ୧୯୩୫ରେ ଯେତେବେଳେ ଭାରତରେ କଂଗ୍ରେସ ସାମ୍ୟବାଦୀ ଦଳ ଗଠିତ ହେଲା, ସେଥିରେ ଶୀର୍ଷ ସ୍ଥାନରେ ଅବସ୍ଥାପିତ ହୋଇ ଓଡ଼ିଶାରେ ସୋସଲିଷ୍ଟ-କମ୍ୟୁନିଷ୍ଟ ଯୁବକ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଧରି କଂଗ୍ରେସ ସାମ୍ୟବାଦୀ ଦଳ ପ୍ରତିଷ୍ଠାରେ ଅଗ୍ରଣୀ ଭୂମିକା ନେଇଥିଲେ । ତାର ମାସିକ ମୁଖପତ୍ର ‘ଆଧୁନିକ’ ଓ ସାପ୍ତାହିକ ମୁଖପତ୍ର ‘କୃଷକ’ ପ୍ରକାଶନରେ ଉଦ୍‍ଗାତ ହୋଇ ତତ୍କାଳୀନ ବିରାଟ ଚାଷୀ ଆନ୍ଦୋଳନର ଜଣେ କର୍ଣ୍ଣଧାର ହୋଇଥିଲେ ।

 

ନବକୃଷ୍ଣ ଚୌଧୁରୀ କମ୍ୟୁନିଜିମ ଆଡ଼େ ମନ ବଳାଇଥିଲେ । କମ୍ୟୁନିଜିମ ଦର୍ଶନ ଆବିର୍ଭାବର ଦେଢ଼ଶହ ବର୍ଷ ଭିତରେ ଯେଉଁ ଦର୍ଶନ, ରାଜନୀତି ଓ ଅର୍ଥନୀତି ପୃଥିବୀର ଦେଶ ମହାଦେଶରେ ଏକ ପ୍ରଚଣ୍ଡ ପ୍ରଖର ଘୂର୍ଣ୍ଣି ସୃଷ୍ଟି କରିଥିଲା, ସେହି ଦର୍ଶନ ସମ୍ପର୍କରେ ଏକ କ୍ଷୁଦ୍ର ଲେଖାରେ ସବୁ ପ୍ରକାଶ କରିବା ସହଜ ହେବ ନାହିଁ ।

 

୧୮୪୮ରେ ମାର୍କସ-ଏଙ୍ଗେଲସ୍ କମ୍ୟୁନିଷ୍ଟ ଇସ୍ତାହାର—କମ୍ୟୁନିଷ୍ଟ ମାନିଫେଷ୍ଟୋ ରଚନା କରି ପ୍ରଥମ ଧାଡ଼ିରେ ଲେଖିଥିଲେ, ଆଜି ୟୁରୋପକୁ ଏକ ଭୂତ ଗ୍ରାସ କରିଛି । ତାହା କମ୍ୟୁନିଜିମର ଭୂତ । ସେହି କମ୍ୟୁନିଜିମ ସମ୍ପର୍କରେ ଲେଖିଲାବେଳେ ସୋଭିଏତ ୟୁନିଅନରେ ୭୦ ବର୍ଷର କମ୍ୟୁନିଷ୍ଟ ଶାସନର ଅବସାନ ଘଟିଛି । ସେହି ବିଶାଳ ଦେଶ ଓ ପୂର୍ବ ୟୁରୋପରେ ସମାଜବାଦ ପରିବର୍ତ୍ତେ ପୁଞ୍ଜିବାଦର ପୁନଃପ୍ରବର୍ତ୍ତନ କରାଯାଉଛି । ସେତେବେଳେ ଦେଖାଯାଇଥିବା ଭୂତକୁ ଆକଟ କରିବା ଲାଗି ସମାଜପତି ଓ ଶାସନାଧିପତିମାନେ କେତେ ଗୁଣିଗାରେଡ଼ି, ପୂଜାଅର୍ଚ୍ଚନା, ନରବଳି (ହତ୍ୟା ଅର୍ଥରେ) କଲେ ସୁଦ୍ଧା ସେହି ଭୂତ ଦେଶ ଦେଶାନ୍ତରକୁ ପୃଥିବୀର ସବୁ ମହାଦେଶକୁ ଘୋଟିଗଲା । କମ୍ୟୁନିଜିମର ଭୂତକୁ ଆପଣାର ତ୍ରାଣକର୍ତ୍ତା ବୋଲି ସବୁ ଦେଶର ଅଗଣିତ ଶୋଷିତ, ନିର୍ଯ୍ୟାତିତ, ପରାଧୀନ ଲୋକେ ବିଚାର କଲେ, ସେଥିଲାଗି ପ୍ରାଣପାତ କଲେ । ଆଉ ବନାଗ୍ନି ପରି ବ୍ୟାପି ଯାଉଥିବା ଏହି ଭୂତକୁ ଜବତ କରି ତାର ଜୀବନ ନାଟିକାକୁ ଚିପି ଦେବା ଲାଗି ଏସବୁ ଦେଶର ଶାସନପତି, ସମାଜପତିମାନେ ଚେଷ୍ଟାରୁ ବିରତ ହେଲେ ନାହିଁ ।

 

ମାର୍କସ—ଏଙ୍ଗେଲସ୍‍ଙ୍କ କମ୍ୟୁନିଷ୍ଟ ଇସ୍ତାହାର, ତାଙ୍କର ସଂଗ୍ରାମ ଓ ଅନ୍ୟାନ୍ୟ ବୈଜ୍ଞାନିକ ଆବିଷ୍କାରକୁ ସେହିକାଳରୁ ଏ ଅବଧି ଆମ ଦେଶ ସମେତ ପୃଥିବୀର ବହୁ ବିଶିଷ୍ଟ ବିଶ୍ଵପ୍ରସିଦ୍ଧ ବିଜ୍ଞାନୀ, କବି, ଚିତ୍ରଶିଳ୍ପୀ, ଲେଖକ, ଦାର୍ଶନିକ, ସ୍ଵାଗତ କରି ଆସିଛନ୍ତି । ସେହି ଆଦର୍ଶକୁ ଅନୁସରଣ କରି ସେହି କାଳରୁ ପ୍ରାୟ ପ୍ରତ୍ୟେକଟି ଦେଶରେ କେତେ ଫାଶି ପାଇଛନ୍ତି, ଗୁଳିରେ ନିହତ ହୋଇଛନ୍ତି—ଦୀର୍ଘ କାରାବାସ ଓ ନିର୍ବାସନ ଦଣ୍ଡ ଭୋଗିଛନ୍ତି ।

 

ସୋଭିଏତ ୟୁନିଅନରେ କମ୍ୟୁନିଜିମର ଅବସାନ ସାଙ୍ଗକୁ କମ୍ୟୁନିଜିମ ଆଦର୍ଶ, ତାର ଦର୍ଶନ, ତାର ଅର୍ଥନୀତି, ତାର ସମାଜ ବ୍ୟବସ୍ଥାକୁ ଅବସାନ ଆଣି ଦେଇଛି ବୋଲି ତୁମୁଳ ପ୍ରଚାର ଅଭିଯାନ ଚାଲିଛି ।

 

ସୋଭିଏତ୍ ୟୁନିଅନରେ ଏହି ବିପର୍ଯ୍ୟୟର କାରଣ ଏଠାରେ ଆଲୋଚିତ ହୋଇପାରିବ ନାହିଁ । ତେବେ କମ୍ୟୁନିଜିମର ପ୍ରତିଷ୍ଠାତାମାନଙ୍କ ଆବିଷ୍କାରଗୁଡ଼ିକୁ ଯେଉଁମାନେ କାର୍ଯ୍ୟରେ ଲଗେଇବାରେ ତ୍ରୁଟି କଲେ, ସେମାନଙ୍କ ଲାଗି କ’ଣ ଆବିଷ୍କାରଗୁଡ଼ିକ ଦାୟୀ ? ବିଜ୍ଞାନାଗାରରେ ବିଜ୍ଞାନର ନିୟମଗୁଡ଼ିକୁ ଠିକଣା ଭାବରେ ପ୍ରୟୋଗ ନକଲେ । ଯେପରି ବିପର୍ଯ୍ୟୟ ଘଟେ । ସେମିତି ମାର୍କସ-ଏଙ୍ଗେଲସଙ୍କ ବୈଜ୍ଞାନିକ ଆବିଷ୍କାରଗୁଡ଼ିକୁ ସ୍ଥାନ, କାଳ, ପାତ୍ର ଅନୁସାରେ ଠିକଣା ଭାବରେ ପ୍ରୟୋଗ ନ କଲେ ଏପରି ବିପର୍ଯ୍ୟୟ ଘଟିବ ବୋଲି କମ୍ୟୁନିଜିମ ଆଦର୍ଶର ପ୍ରତିଷ୍ଠାତାମାନେ ପ୍ରମାଣ କରି ଯାଇଛନ୍ତି ।

 

କମ୍ୟୁନିଜିମ୍ କ’ଣ ?

 

ସମାଜରେ ଅସାମ୍ୟଠାରୁ ସାମ୍ୟକୁ ଆସିବାର ବୈଜ୍ଞାନିକ ତତ୍ତ୍ଵ ହେଲା କମ୍ୟୁନିଜିମ୍ । ଏକଦା ଆଦିମ ସମାଜରେ ସାମାଜିକ ସମତା ଥିଲା ଅତି ନିକୃଷ୍ଟ, ଅନଗ୍ରସର ସେ ସମାଜ । ଅସାମ୍ୟ ଆସିଲା, ଅସାମ୍ୟର ପରିମାଣଗତ ବୃଦ୍ଧି ହୋଇ-ଚାଲିଲା । ଗୋଟିଏ ନିର୍ଦ୍ଦିଷ୍ଟ ସ୍ତରରେ ଏହି ଅସାମ୍ୟର ଅବସାନ ଘଟିବ ଏବଂ ସାମ୍ୟ ପ୍ରତିଷ୍ଠିତ ହେବ । ସେପରି ସାମ୍ୟ ସମାଜ ଉନ୍ନତିର ଚରମ ଶିଖରରେ ପହଞ୍ଚି ଅଧିକରୁ ଅଧିକ ଉତ୍କର୍ଷ ଲାଭ କରିବ । କାହିଁକି ସାମ୍ୟ ଥିଲା, ଅସାମ୍ୟ ଆସିଲା । ସେହି ଅସାମ୍ୟ କାହିଁକି, କିପରି ସେହି ସମାଜ ଭିତରର କାରଣଗୁଡ଼ିକ ହେତୁ ଦୂର ହେବ-। ସେହି ତତ୍ତ୍ଵ ସିଦ୍ଧାନ୍ତଗୁଡ଼ିକ ଦର୍ଶାଏ କମ୍ୟୁନିଜିମର ଆଦର୍ଶ ।

 

ମାନବ ସଭ୍ୟତାର ବହୁ ସହସ୍ରାବ୍ଦ ପରେ ମାତ୍ର ଦେଢ଼ଶହ ବର୍ଷ ପୂର୍ବେ ମାର୍କସ-ଏଙ୍ଗେଲସଙ୍କ ଆବିଷ୍କାର ଓ ଏହି ଆବିଷ୍କାରଗୁଡ଼ିକର ଲେନିନଙ୍କ ଦ୍ଵାରା ସମୃଦ୍ଧୀ-କରଣ ହୋଇଥିଲା-

 

ଏହା ନୁହେଁ ଯେ ଏହିମାନେ ହିଁ ସମାଜରେ ଅସାମ୍ୟ ହେତୁ ଅନ୍ୟାୟ, ଶୋଷଣ ଆସିଛି ବୋଲି ଚିହ୍ନଟ କଲେ । ସମାଜରେ ଅସାମ୍ୟକୁ ଦେଖି ପୂର୍ବର ଅତି ନିମ୍ନସ୍ତରର ସାମ୍ୟ ସମାଜକୁ ହେଜି ବସି ପ୍ରତ୍ୟେକଟି ସମାଜର ପ୍ରତ୍ୟେକଟି ଦେଶର ସେ କାଳର ମାନବହିତୈଷୀ, ଚିନ୍ତାଶୀଳ ଦାର୍ଶନିକ, ରୁଷିମୁନି, ସନ୍ଥ ସାଧକ ମହାପୁରୁଷ ରୂପେ ବିବେଚିତ ବ୍ୟକ୍ତିମାନେ ସାମ୍ୟର ଗୁଣଗାନ କରିଛନ୍ତି । ସମାଜରୁ ଆସାମୀର କଳଙ୍କ ଦୂର କରିବା ଲାଗି କେତେ ପ୍ରବଚନ, ଉପଦେଶ, ଶ୍ଳୋକ, ମନ୍ତ୍ର ସମାଜକୁ ଦେଇଛନ୍ତି । ଆମ ନିଜ ଦେଶର ଅତୀତକୁ ସ୍ମରଣ କରାଇଦିଏ, ଯଜ୍ଞ । ଆଜି ଯଜ୍ଞ, ହୋମ, ବଳିଦାନ, ପୂଜା ଅର୍ଚ୍ଚନାର ବିକୃତ ରୂପ ନେଇଛି ସତ, ମାତ୍ର ଏହା ଆଦିମ ସାମ୍ୟବାଦୀ ସମାଜର ସମୂହ ଉତ୍ପାଦନ ଓ ସମୂହ ଉପଭୋଗର ଅନୁଷ୍ଠାନ ଥିଲା । ବାଛବିଚାର, ତୋର ମୋର ନଥିଲା । ବ୍ୟକ୍ତିଗତ ସମ୍ପତ୍ତିର ଉଦ୍‍ଭବ ଘଟିନଥିଲା । ଶିକାର ହେଉ, ଫଳମୂଳ ସଂଗ୍ରହ ହେଉ ବା ପଶୁପାଳନ ହେଉ ଏସବୁ ସାମାଜିକ କାମ ଥିଲା । ସାମୂହିକ, ତେଣୁ ସୀମିତ ଏହି ସବୁକୁ ସାମୂହିକ ଭାବରେ ଉପଭୋଗ କରିବାର ସମାଜବିଧି, ସ୍ଵାଭାବିକ ଭାବରେ ପ୍ରଚଳିତ ଥିଲା । ଚାଷ, ପଶୁପାଳନ ଫସଲ ଉତାରିବାର ସମାଜ ପୂର୍ବ ସମାଜରୁ ଉଦ୍‍ଭବ ହେଲା । ସଚୟ ଉତ୍ପାଦନ ଓ ଉତ୍ପାଦନରେ ଲାଗୁଥିବା ସାଧନ ରୂପେ ଜମିଠାରୁ ଆରମ୍ଭ କରି ମଇଁଷି ଗୋରୁ, ଓଟ ଘୋଡ଼ା ଆଉ କାଠ ଲଙ୍ଗଳ ଇତ୍ୟାଦିର ବ୍ୟବହାର ଯୋଗୁଁ ଅଧିକ ଉତ୍ପାଦନ ହେଲା । ସଞ୍ଚୟର ଆବିର୍ଭାବ ଘଟିଲା-। ସମାଜର ଉନ୍ନତି ସାଙ୍ଗକୁ ଆସିଗଲା ଅସାମ୍ୟ । ଏଇଥିରୁ ଜାତ ପ୍ରଭୁ-ଦାସ ସମାଜ-। ସଂଖ୍ୟାଲଘିଷ୍ଠ ପ୍ରଭୁ ଓ ସଂଖ୍ୟାଗରିଷ୍ଠ ଦାସ । ସଂଖ୍ୟାଲଘିଷ୍ଠ ଉତ୍ପାଦନର ସମସ୍ତ ସାଧନର ମାଲିକ, ସଂଖ୍ୟାଗରିଷ୍ଠ ସେ ସବୁରୁ ବଞ୍ଚିତ । ପ୍ରଭୁ ଘରେ ଗୁହାଳବନ୍ଧା ଦାସ ମଣିଷ । ଶ୍ରେଣୀ ଆଗରୁ ନଥିଲା-। ସମାଜ ଶ୍ରେଣୀ ବିଭକ୍ତ ହୋଇଗଲା ।

 

ଏହି ପ୍ରଭୁ ଦାସ ସମାଜ ଅଭ୍ୟନ୍ତରରେ ଉତ୍ପାଦିକା ଶକ୍ତିଗୁଡ଼ିକର ଉତ୍ପାଦନ କରିବାର ସାଧନ ବା ଯନ୍ତ୍ରପାତିର ଉଦଭବ ଘଟିଲା । ପ୍ରଭୁଦାସ ସମାଜ ଆଉ ରହିପାରିଲା ନାହିଁ । ନିର୍ଯ୍ୟାତିତ, ବନ୍ଧା ଶୋଷିତ ଦାସମାନଙ୍କ ବିଦ୍ରୋହ ଘଟିଲା । ଆସିଲା ନୂଆ ସମାଜ । ସାମନ୍ତବାଦୀ, ରାଜା, ସମ୍ରାଟ, ସମ୍ଭ୍ରାନ୍ତମାନଙ୍କ ଆଧିପତ୍ୟ ଥିବା ସମାଜ ବ୍ୟବସ୍ଥା । ଦାସ ମୁକ୍ତ ହେଲେ ଦାସତ୍ଵରୁ ସତ ମାତ୍ର ନୂତନ ସାମନ୍ତବାଦୀ ସମାଜରେ ଅର୍ଦ୍ଧ ଦାସରେ ପରିଣତ ହେଲେ । ଅର୍ଦ୍ଧଦାସରେ ପରିଣତ ହେଲେ । ସାମନ୍ତ-ବାଦହିଁ ଚାଷୀଙ୍କ ଉତ୍ପାଦିତ ପଦାର୍ଥର ଅଧିକାଂଶ ଶୋଷଣ କଲା । ସେମାନଙ୍କୁ ବେଠି, ବେଗାରୀରେ ଲଗାଇଲା । ଶୋଷଣର ମାତ୍ରା ବଢ଼ିଗଲା ମାତ୍ର ଶୋଷଣ ଅଧିକ ସୂକ୍ଷ୍ମ ଓ ପ୍ରଚ୍ଛନ୍ନ ହେଲା । ଏହି ସମାଜର ଉତ୍ପାଦିକା ଶକ୍ତିଗୁଡ଼ିକର ବିକାଶ ଘଟିଲା । ସମାଜରେ କ୍ଷୁଦ୍ର, କୁଟୀର ଶିଳ୍ପ ଓ କାରଖାନା ଶିଳ୍ପର ବିକାଶ ଘଟିଲା । ନୂଆ ଏକ ଶ୍ରେଣୀର ଉଦଭବ ହେଲା । ଯାହାଙ୍କୁ ସେ ସମାଜର ବୁର୍ଜୁଆଶ୍ରେଣୀ ବୋଲି ଅଭିହିତ କରାଯାଏ । ସେମାନେ ପ୍ରତି ପଦେ ପଦେ ସାମନ୍ତୀୟ ଶୋଷଣ, ଅତ୍ୟାଚାର, ଜୋରଜବରଦସ୍ତିର ଶିକାର ହେଲେ । ବଜାର ବଢ଼ିଲା । ନାନା ଆବିଷ୍କାର ଉଦ୍ଭାବନ ଘଟି ସମାଜର ଅଗ୍ରଗତି ହେଲା । ମାତ୍ର ଶୋଷଣ ନୂଆ ରୂପ ନେଲା । ସମାଜରେ ସଙ୍ଘାତ ଘଟିଲା । ଆଗୁଆ ଶ୍ରେଣୀ ପ୍ରବଞ୍ଚିତ ଚାଷୀମାନଙ୍କୁ ସଙ୍ଗରେ ଧରି ବିଦ୍ରୋହ, ବିପ୍ଳବ କଲେ । ସାମନ୍ତବାଦୀ ସମାଜର ମୁଖ୍ୟତଃ ଅବସାନ ଘଟିଲା । ତାର କାରଣ ଉତ୍ପାଦିକା ଶକ୍ତି ଓ ଉତ୍ପାଦନ ସମ୍ପର୍କରେ ସଙ୍ଘାତ ।

 

ଆସିଲା ପୁଞ୍ଜିବାଦୀ ସମାଜ । ବିଜ୍ଞାନ, କାରିଗରୀ କୌଶଳ, ବାଷ୍ଟର ବ୍ୟବହାର, ଯନ୍ତ୍ରପାତି ଉଦ୍ଭାବନ ଉତ୍ପାଦନକୁ ଅଧିକରୁ ଅଧିକ ବଢ଼େଇଲା । ଆଗରୁ ଦୁଇଟିଯାକ ସମାଜ ଅର୍ଥାତ୍ ପ୍ରଭୁଦାସ ସମାଜ ଓ ସାମନ୍ତବାଦୀ ସମାଜରେ ଯେଉଁ ଶ୍ରେଣୀ ନଥିଲା । ସେପରି ଏକ ନୂଆ ଶ୍ରେଣୀ, ଶ୍ରମିକ ଶ୍ରେଣୀର ଜନ୍ମ ହେଲା । ଏସବୁ ସମାଜରେ ଉତ୍ପାଦନ ସାମୂହିକ, ସମଭାଗୀ ହେଉଥିବା ବେଳେ ଉପଭୋଗ ଅଧିକରୁ ଅଧିକ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ହୋଇ ଚାଲିଲା । ଏଇଥିରେ ହିଁ ନୂତନ ଶ୍ରେଣୀ ସଂଗ୍ରାମର ବୀଜ ନିହିତ । ନୂତନ ଶ୍ରମିକ ଓ ଅନ୍ୟାନ୍ୟ ଶ୍ରମଜୀବୀ ଶ୍ରେଣୀ ସଂପ୍ରଦାୟ ଉତ୍ପାଦନର ସମସ୍ତ ସାମଗ୍ରୀ, ହାତହତିଆର, ଜମି, କୁଟୀରଶିଳ୍ପ ଇତ୍ୟାଦିରୁ ବଞ୍ଚିତ ହେଲେ । ଶ୍ରମିକ ଶ୍ରେଣୀର ବଞ୍ଚି ରହିବାର ଏକମାତ୍ର ସମ୍ବଳ, ଆୟୁଧ ହେଲା ତାର ଶ୍ରମ କରିବାର ଶକ୍ତି । ଉତ୍ପାଦନ ଏମିତି ସମଷ୍ଟିଗତ ହେଲା ଯେ ଖାଲି ଗୋଟିଏ ଅଞ୍ଚଳର ନୁହେଁ କୌଣସି ଏକ ଦେଶର ସୀମା ସରହଦ ନୁହେଁ, ସମଗ୍ର ପୃଥିବୀରେ ତାହା ସମଷ୍ଟିଗତ ରୂପନେଲା । ଶହ ନୁହେଁ, ହଜାର ନୁହେଁ, ଲକ୍ଷ ଲକ୍ଷ ଲୋକ ନିଜ ଜନ୍ମସ୍ଥଳୀ, ବାସସ୍ଥଳୀ, ବାସଗୃହ, ଗାଁ ବା ଦେଶ ଛାଡ଼ି ଖଣି, କଳକାରଖାନାରେ ଉତ୍ପାଦନ କଲେ । ଉତ୍ପାଦନ ଅତ୍ୟନ୍ତ ସମଷ୍ଟି-ଗତ, ସାମୂହିକ । ମାତ୍ର ଉପଭୋଗ ଅତ୍ୟନ୍ତ ଗୋଷ୍ଠୀଗତ । ଯିଏ ଉତ୍ପାଦିକା ଶକ୍ତି, ଉତ୍ପାଦନର ସାଧନଗୁଡ଼ିକର ମାଲିକ ହେଲେ ସେମାନେ ପୁଞ୍ଜିପତି ଶ୍ରେଣୀ । ସେଥିରୁ ବଞ୍ଚିତ ମାତ୍ର ଯେଉଁମାନଙ୍କ ବିନା କୌଣସି ବସ୍ତ୍ର ଉତ୍ପାଦନ ହୋଇପାରିବ ନାହିଁ, ସେମାନେ ହେଲେ ଶ୍ରମିକ, ଶ୍ରମଜୀବୀ ଶ୍ରେଣୀ । ଖୋଦ ଶ୍ରମିକ କେବଳ ନୁହେଁ, ସେହି ଶ୍ରମିକକୁ ଉତ୍ପାଦନରେ ସାହାଯ୍ୟ କରୁଥିବା ଚାଷୀ, ବୁଦ୍ଧିଜୀବୀ, କାରିଗର-କର୍ମଚାରୀ ସମସ୍ତେ ହେଲେ ପୁଞ୍ଜିବାଦୀ ଶୋଷଣ, ଶଠତା ନିର୍ଯ୍ୟାତନାର ଶରବ୍ୟ । ସମାଜର ଉତ୍ପାଦିକା ଶକ୍ତି-ଉତ୍ପାଦନର ସାଧନ, ଉତ୍ପାଦନର ଗୁଣଗତ ବିକାଶ ସମାଜରେ ଅଗ୍ରଗତି ସାଧନ କଲା ସବୁ କ୍ଷେତ୍ରରେ । ଜ୍ଞାନ-ବିଜ୍ଞାନ, ସାହିତ୍ୟକଳା, ସମସ୍ତ କ୍ଷେତ୍ରରେ ଅଗ୍ରଗତି ସାଧିତ ହେଲା । ମାତ୍ର ଶୋଷଣ, ନିର୍ଯ୍ୟାତନା, ପ୍ରବଞ୍ଚନା, ଅଭାବ ଅନାଟନ, ବେକାରୀ ଆଉ ଯାବତୀୟ ସାମାଜିକ କଳଙ୍କର ଶତଗୁଣ ବୃଦ୍ଧି ଘଟିଲା । ଏକ ଦିଗରେ ମୁଷ୍ଟିମେୟ ପୁଞ୍ଜିପତି ବୃହତ ପୁଞ୍ଜିପତି, ଏକଚାଟିଆ ପୁଞ୍ଜିପତି ପ୍ରଭୃତସମ୍ପଦର ମାଲିକ । ହେଲେ ଅବଶିଷ୍ଟ ସମଗ୍ର ସମାଜର ଦୁଃଖ ଦୁର୍ଦ୍ଦଶାର ଅନ୍ତ ରହିଲା ନାହିଁ ।

 

ସମାଜ ବିକାଶର ଏପରି ସଂକ୍ଷିପ୍ତ ଇତିବୃତ୍ତର ବର୍ଣ୍ଣନା ଆବଶ୍ୟକ, କାରଣ ସମାଜ ପୁଞ୍ଜିବାଦୀ ବିକାଶର ସ୍ତରରେ ପହଞ୍ଚିବାରୁ ହିଁ କମ୍ୟୁନିଜିମର ବୈଜ୍ଞାନିକ ମତାଦର୍ଶର ଜନ୍ମହେଲା । ସମାଜରୁ ଅସାମ୍ୟ ଦୂର କରିବା ଲାଗି ଅତୀତର ସମସ୍ତ ବିଦ୍ରୋହ, ବିପ୍ଳବ, ମାନବବାଦୀ ମନୀଷମାନଙ୍କର ଆହ୍ଵାନ, ଆବେଦନ, ଲୋଭମୋହ ପରିତ୍ୟାଗ କରିବା ଲାଗି ହୃଦୟ ପରିବର୍ତ୍ତନର ଆହ୍ଵାନ ସତ୍ତ୍ୱେ ସମାଜରେ ବିଭିନ୍ନ ଅର୍ଥନୈତିକ ସାମାଜିକ ଶ୍ରେଣୀ ଜନ୍ମ ନେଇଛନ୍ତି, ଅସାମ୍ୟ ସୂକ୍ଷ୍ମରୁ ସୂକ୍ଷ୍ମତର ହୋଇ ବଢ଼ିଛି । ମାତ୍ର ପୁଞ୍ଜିବାଦୀ ବିକାଶର ସ୍ତରରେ ହିଁ ସେହି ସମାଜ ଭିତରେ ଅସାମ୍ୟକୁ ଚିରଦିନ ଲାଗି ଦୂର କରି ସାମ୍ୟବାଦୀ କମ୍ୟୁନିଷ୍ଟ ସମାଜ ପ୍ରତିଷ୍ଠା କରିବାର ଉପାଦାନମାନ ରହିଛି ବୋଲି କମ୍ୟୁନିଜିମ ମତାଦର୍ଶ ଆବିଷ୍କାର କଲା ।

 

ସେହି ଉପାଦାନଗୁଡ଼ିକର ବିଶ୍ଳେଷଣ କରି, ଅତୀତ ସମାଜଗୁଡ଼ିକର ବିଜ୍ଞାନ-ସମ୍ମତ ଅନୁଶୀଳନ କରି ମାର୍କସ-ଏଥେଲସ କମ୍ୟୁନିଜିମର ଦର୍ଶନ, ମତାଦର୍ଶର ମୌଲିକ ତତ୍ତ୍ଵଗୁଡ଼ିକ ଆବିଷ୍କାର କରିଥିଲେ ।

 

ସେମାନଙ୍କ ସିଦ୍ଧାନ୍ତ ହେଲା, ଅତୀତ ସମାଜଗୁଡ଼ିକରେ ଉତ୍ପାଦିକା ଶକ୍ତି ଓ ଉତ୍ପାଦନ ପ୍ରକ୍ରିୟାରେ ଏକ ମାନବଗୋଷ୍ଠୀ ଯିଏ ସଂଖ୍ୟାନ୍ୟୁନ ଏବଂ ଆଉ ଏକ ମାନବ-ଗୋଷ୍ଠୀ, ଯିଏ ସଂଖ୍ୟାଗରିଷ୍ଠ, ସେମାନଙ୍କ ଭିତରେ ଗଢ଼ି ଉଠିଥିବା ସମ୍ପର୍କର ସଙ୍ଘାତ ହେତୁ ଶ୍ରେଣୀ ସଂଗ୍ରାମ ଜନ୍ମ ନେଇଛି । ଏହି ସମ୍ପର୍କକୁ ଭାଙ୍ଗିବା ଲାଗି ଶ୍ରେଣୀ ସଂଘର୍ଷ ହୋଇ ଆଦିମ ସାମ୍ୟବାଦୀ ସମାଜ ପରବର୍ତ୍ତୀ ଶ୍ରେଣୀ ବିଭକ୍ତ ପ୍ରଭୁଦାସ ସମାଜ, ସାମନ୍ତ, ସାମନ୍ତ-ବାଦୀ ସମାଜର ଅବସାନ ଘଟି ପୁଞ୍ଜିବାଦୀ ଶ୍ରେଣୀ ବିଭକ୍ତ ସମାଜମାନ ଆସିଛି । ସମାଜର ଥୋକେ ଲୋକ ଖରାପ ହୋଇଗଲେ, ମାନବିକତା ହରେଇଲେ, ଲୋଭୀ, ଲାଭଖୋର ହୋଇଗଲେ ବୋଲି ସମାଜରେ ଅସାମ୍ୟ ଆସିଲା, ଏହି ତତ୍ତ୍ଵ ଭାରି ଉପର ଠାଉରିଆ । ଥୋକେ ମଣିଷଙ୍କଠାରେ ଏପରି ଦୁର୍ଗୁଣଆସିବା କଥାଟି ସମାଜ ବିକାଶରେ ବ୍ୟକ୍ତିଗତ ସମ୍ପତ୍ତିର ଆବିର୍ଭାବ, ତାହାର ବଢ଼ତି ହେତୁ ଘଟିଛି ଓ ବଢ଼ି ବଢ଼ି ଚାଲିଛି । ସମାଜର ବିକାଶରେ ବିଭିନ୍ନ ସ୍ତରର ବସ୍ତ୍ରଗତ ବା ବାସ୍ତବତାବାଦୀ ଅନୁଶୀଳନ କରି ମାର୍କସ-ଏଙ୍ଗେଲସ ସମାଜର ଏକ ସ୍ତରରୁ ଅନ୍ୟଏକ ସ୍ତରର ଉତ୍ତରଣ ବା ଊର୍ଦ୍ଧ୍ଵଗତିରେ ଶ୍ରେଣୀ ସଂଗ୍ରାମର ଭୂମିକାକୁ ଆବିଷ୍କାର କରିଛନ୍ତି । ଏହା ସମାଜ ବିକାଶରେ ନିହିତ ଏକ ମାର୍କସବାଦୀ ତତ୍ତ୍ଵର ଆବିଷ୍କାର ରୂପେ ପରିଚିତ ।

 

କମ୍ୟୁନିଜିମର ଆଉ ଏକ ଆବିଷ୍କାର ହେଲା, ଶ୍ରମ ଏକ ପଣ୍ୟ । ପୁଞ୍ଜିବାଦୀ ସମାଜରେ ଯାବତୀୟ ଉତ୍ପାଦିତ ପଦାର୍ଥ ବଜାରପାଇଁ ବିନିମୟ ପାଇଁ, ପୁଞ୍ଜିପତିମାନଙ୍କର ନିଜସ୍ଵ ବ୍ୟବହାର ପାଇଁ ନୁହେଁ । କଳକାରଖାନା, ଜମି, କୋଠାବାଡ଼ି, କଞ୍ଚାମାଲ,ଇନ୍ଧନ ସବୁ ଯୋଗାଡ଼ ହୋଇ ରହିଲେ ବି ସେଥିରେ ଆଉ ଏକ ଉପାଦାନ ନ ଲାଗିଲେ, ସେସବୁ ଦାରୁଭୂତୋ ମୁରାରି ପରି ପଡ଼ିରହିବେ । କିନ୍ତୁ ଉତ୍ପନ୍ନ ହେବ ନାହିଁ । ସେହି ଉପାଦାନ ଯୋଗାଏ ଶ୍ରମିକ ତାର ଶ୍ରମଶକ୍ତିକୁ ପୁଞ୍ଜିପତିଙ୍କୁ ବିକ୍ରୟ କରି । ବଜାରରେ ସବୁ ପଣ୍ୟର ବିନିମୟ ପରି ଶ୍ରମିକର ଶ୍ରମଶକ୍ତିର ବିନିମୟ ହୁଏ । ମାତ୍ର ଏହା ଏକ ସ୍ଵତନ୍ତ୍ରଧରଣର ପଣ୍ୟ । ଏହା ଦୃଶ୍ୟ ନୁହେଁ, ସ୍ପର୍ଶ କରିହୁଏନା । ଓଜନରେ ବା ଫିତାରେ ମାପି ତା’ର ବିନିମୟ ମୂଲ୍ୟ ସ୍ଥିର ହୋଇପାରେନା । ମାଲିକ ଓ ଶ୍ରମିକ ମଧ୍ୟରେ ମଜୁରୀ, ଅନ୍ୟାନ୍ୟ ଭତ୍ତା ଆକାରରେ ମୂଲ୍ୟ ସ୍ଥିର କରାଯାଏ । ଶ୍ରମିକ ତା’ର ଶ୍ରମଶକ୍ତିକୁ ବିକ୍ରୟ କରିବ ନ କରିବ ତାହା ତା’ର ଇଚ୍ଛା । ସେ ବାହାରକୁ ଦେଖିଲେ ମୁକ୍ତ ସ୍ଵାଧୀନ । ମାତ୍ର ସେ ଉତ୍ପାଦନର ସମସ୍ତ ସାଧନରୁ ବି ମୁକ୍ତ ହୋଇଯାଇଥାଏ । ବଞ୍ଚିବାକୁ ହେଲେ, ପରିବାରକୁ ବଞ୍ଚେଇବାକୁ ହେଲେ ଶ୍ରମଶକ୍ତି ବିକ୍ରି କରିବାକୁ ସେ ବାଧ୍ୟ । ଏହା ଏହି ସମାଜର ସାମାଜିକ, ଅର୍ଥନୈତିକ ନିୟମରେ ପରିଣତ ହୁଏ । ଏହି ଶ୍ରମଶକ୍ତିର ବିନିମୟ ବା ବିକ୍ରୟର ଗଭୀର ଅନୁଶୀଳନ କରି ମାର୍କସ ଏଙ୍ଗେଲସଙ୍କ କମ୍ୟୁନିଜିମ, ଶୋଷଣର ସନ୍ତ୍ର ଓ ଶୋଷଣର ମୂଳ ତତ୍ତ୍ଵକୁ ଆବିଷ୍କାର କଲେ ।

 

ଏପର୍ଯ୍ୟନ୍ତ ଶୋଷଣ ହେଉଛି, ଶୋଷଣର ଅବସାନ କରାଯାଉ, ମାନବ ସମାଜରୁ ଏହି କଳଙ୍କ ଦୂର ହେଉ, ସାମ୍ୟବାଦ ଏହାକୁ ଦୂର କରିଦେବ ବୋଲି ପୃଥିବୀର ବହୁ ମନୀଷୀ ଓ ସମାଜ ବିଜ୍ଞାନୀମାନେ କହି ଆସିଛନ୍ତି । ଶୋଷଣର ବାହ୍ୟରୂପଗୁଡ଼ିକୁ ଠାବ କରିଛନ୍ତି । ମାତ୍ର ଶୋଷଣର ଅନ୍ତଃସାର, ଉତ୍ସ, ତାହାର କାରଣ ଆବିଷ୍କୃତ ହୋଇନଥିଲା ।

 

କମ୍ୟୁନିଜିମର ପ୍ରତିଷ୍ଠାତା ମାର୍କସଙ୍କ ଅନେକ ଆବିଷ୍କାର ଭିତରେ ଅନ୍ୟ ଏକ ଶ୍ରେଷ୍ଠ ଆବିଷ୍କାର ହେଲା ଶ୍ରମଶକ୍ତି ବିକ୍ରୟ ପ୍ରକ୍ରିୟାରେ ଶ୍ରମିକର ଉଦବୃତ୍ତ ଶ୍ରମ ହିଁ ଲାଭ, ମୁନାଫା ଆଣେ । ଶୋଷଣ ଆଣେ । ସେହି ବ୍ୟବସ୍ଥାକୁ ବଜାୟ ରଖିବାକୁ ରାଷ୍ଟ୍ରର କ୍ଷମତାକୁ ପୁଞ୍ଜିବାଦ ପ୍ରୟୋଗ କରେ ।

 

ଉଦବୃତ୍ତ ଶ୍ରମହିଁ ଉଦବୃତ୍ତ ମୂଲ୍ୟ ସୃଷ୍ଟି କରେ । ଅର୍ଥାତ୍ ମୂଲଚାଲ କଲାବେଳେ ଶ୍ରମିକ ଯେତିକି ସମୟ ଲାଗି ଶ୍ରମଶକ୍ତି ଦେବ ତାହା ଓଜନ ନ ହୋଇପାରୁଥିବାରୁ, ଦେଖାଯାଉ ନଥିବାରୁ, ମପାଯାଇ ପାରୁ ନଥିବାରୁ ତାହାର ମୂଲ ଠିକଣା ଭାବରେ ପାଏ ନାହିଁ । ଶ୍ରମଶକ୍ତି ବିକ୍ରୟର ସମୟ ଭିତରୁ କିଛି ଅଂଶ ମୂଲ୍ୟ ନପାଇ ସେ ମାଲିକ ପାଇଁ ବିନିଯୋଗ କରେ । ତାହାହିଁ ଉଦବୃତ୍ତ ମୂଲ୍ୟ ଆଣିଦିଏ । ତେଣୁ ଦେଖାଯାଏ, ଗୋଟିଏ ଗୋଟିଏ ପୁଞ୍ଜିପତି ସାମାନ୍ୟ ସଂଖ୍ୟକ ଶ୍ରମିକ ନିଯୁକ୍ତ କରି ଏହି ଉଦବୃତ୍ତ ମୂଲ୍ୟରେ ଲକ୍ଷ ଲକ୍ଷ ଶ୍ରମିକଙ୍କୁ ନୂତନ ନୂତନ ଉଦ୍ୟୋଗରେ ନିଯୁକ୍ତ କରି ଅଧିକ ଉଦବୃତ୍ତ ମୂଲ୍ୟ ପାଇଥାନ୍ତି । ଏଇଠି ଆସନ୍ତି ବୃହତ ଏକଚାଟିଆ ଓ ଆନ୍ତର୍ଜାତିକ ବହୁଦେଶୀୟ ପୁଞ୍ଜିପତି ।

 

ମାର୍କସ ଓ ଏଙ୍ଗେଲସ୍ ଏହି ତତ୍ତ୍ଵର ଆବିଷ୍କାର କରି ଏବଂ ସମାଜରେ ବିକାଶରେ ଉତ୍ତରଣ ପ୍ରକ୍ରିୟା ଅର୍ଥାତ୍ ଗୋଟିଏ ସାମାଜିକ, ଅର୍ଥନୈତିକ ଗଠନରୁ ଆଉ ଏକ ଅର୍ଥନୈତିକ, ସାମାଜିକ ବ୍ୟବସ୍ଥାର ଉଦ୍ଭବର ନିୟମଗୁଡ଼ିକୁ ଅନୁଶୀଳନ କରି ସିଦ୍ଧାନ୍ତ ହେଲେ ଯେ ପୁଞ୍ଜିବାଦୀ ସମାଜର ପରେ ଆସିବ ଏକ ଶ୍ରେଣୀ ବିହୀନ, ଶୋଷଣ ବିହୀନ ସମାଜ, ସାମ୍ୟବାଦ ବା କମ୍ୟୁନିଜିମ । ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥା କେବଳ ଉତ୍ପାଦନରେ ସକ୍ରିୟ ଭାଗ ନେଉଥିବା ଶ୍ରମିକ-ଶ୍ରମଜୀବୀ ଶ୍ରେଣୀକୁ ନୁହେଁ, ତାହା ବଜାର, ସରକାର, ରାଷ୍ଟ୍ରର ଉପଯୋଗରେ, ସମାଜର ଅନ୍ୟ ସମସ୍ତ ଶ୍ରେଣୀକୁ ଶୋଷଣ କରିଥାଏ ।

 

ତାହାର ପରିଣାମ ରୂପେ ଶ୍ରେଣୀ ସଂଘର୍ଷ ତୀବ୍ରରୁ ତୀବ୍ରତର ହୋଇଛି, ହୁଏ, ହେବ ବୋଲି ତତ୍ତ୍ଵର ଆବିଷ୍କାର ହେଲା ।

 

ଏହି ସମାଜରେ ଉତ୍ପାଦିକା ଶକ୍ତି ଓ ଉତ୍ପାଦନ ସମ୍ପର୍କ ମଧ୍ୟରେ ଯେଉଁ ସଙ୍ଘାତ ରହିଛି । ସେହି ଦ୍ଵନ୍ଦ୍ଵ ବିରୋଧକୁ ଦୂର କରିଦେଲେ ଉତ୍ପାଦିକା ଶକ୍ତି ଓ ଉତ୍ପାଦନର ସାଧନ ହେବ ସାମାଜିକ ଓ ଉପଭୋଗ ହେବ ସାମାଜିକ । ଆଉ ଶ୍ରେଣୀ ସଂଘର୍ଷ, ଶ୍ରେଣୀ ଦ୍ଵନ୍ଦ୍ଵର କାରଣ ରହିବ ନାହିଁ । ତାର ଅବକାଶ ରହିବ ନାହିଁ ।

 

ସମାଜ ହେବ ଶ୍ରେଣୀ ବିହୀନ, ଶୋଷଣ ରହିତ । ତେବେ ମାନବ ସମାଜର ଦ୍ଵନ୍ଦ୍ୱାତ୍ମକ ବିକାଶରେ ଶ୍ରେଣୀ ଦ୍ଵନ୍ଦ୍ଵ ଚାଲିଗଲେବି ତାର ବିକାଶ ଅଧିକରୁ ଅଧିକ ଉଚ୍ଛ୍ଵସିତ ଲାଗି ଗୋଟିଏ ସ୍ଥାୟୀ ଦ୍ଵନ୍ଦ୍ଵ ସର୍ବଦା ରହିବ । ଉକ୍ତ ଦ୍ଵନ୍ଦ୍ଵଟି ହେଉଛି ସମଗ୍ର ମାନବ ସମାଜ ଓ ତାର ଚାରିପାର୍ଶ୍ଵର ପ୍ରକୃତି । ପ୍ରକୃତି ସହିତ ଆବହମାନ କାଳରୁ ମାନବ ସମାଜ ସେହି ପ୍ରକୃତିର ଏକ ଅଭିନ୍ନ ଅଙ୍ଗ ହୋଇଛି । ଦ୍ଵନ୍ଦ୍ଵକରି ଆସିଛି । ଏହି ଦ୍ଵନ୍ଦ୍ଵ ସମଗ୍ର ସମାଜର ଊର୍ଦ୍ଧ୍ଵଗତି, ଉତ୍ତରଣର ଏକ ମୌଲିକ ଉପାଦାନ ହୋଇଆସିଛି । ପ୍ରକୃତିକୁ ମାନବ ସମାଜର ସେବାରେ ଲଗେଇବା ଲାଗି ତାର ସମସ୍ତ ରହସ୍ୟ ଉଦଘାଟିତ ହୋଇଚାଲିଛି ଏହି ମାନବ ଦ୍ଵାରା । କେବଳ ଏହି ଧରାପୃଷ୍ଠ, ଧରା ଅଭ୍ୟନ୍ତର ନୁହେଁ, ସମଗ୍ର ବିଶ୍ଵବ୍ରହ୍ମାଣ୍ଡର ଅନ୍ତର୍ନିହିତ ଲୁକାୟିତ ରହସ୍ୟ ଉଦଘାଟନ କରି ପ୍ରକୃତି ସହିତ ମାନବ ସମାଜର ସନ୍ତୁଳନ ରକ୍ଷା କରି ମାନବ ସମାଜ ଯାବତୀୟ କ୍ଷେତ୍ରରେ ଉନ୍ନତିର ଚରମ ସୀମାରେ ପହଞ୍ଚି ଚାଲିବ ।

 

ସେପରି ଏକ ସମାଜର କଳ୍ପନା ଭାବବାଦୀ କଲ୍ପନା ନୁହେଁ, ବସ୍ତୁବାଦୀ, ବାସ୍ତବତାବାଦୀ ସତ୍ୟ ବୋଲି କମ୍ୟୁନିଜିମର ବାର୍ତ୍ତା । ମାର୍କସ-ଲେନିନଙ୍କ ଆବିଷ୍କାର, ବ୍ୟାଖ୍ୟା । ଏହି ସମାଜର ଉତ୍ତରଣ ସିଧା ସଳଖ ହେବ ନାହିଁ । ପୁଞ୍ଜିବାଦୀ ସମାଜ ପରେ ଉତ୍ତରଣର ପର୍ଯ୍ୟାୟ ହେବ ସମାଜବାଦ । ପ୍ରତ୍ୟେକ ନିଜ ଶକ୍ତି ଅନୁସାରେ ଶ୍ରମ ଦେବେ ଓ ଶ୍ରମ ଅନୁସାରେ, ସମାଜର ସମୂହ ସ୍ଵାର୍ଥଲାଗି କିଛି ଶ୍ରମଶକ୍ତି ଅର୍ପଣକରି ଶ୍ରମ ଅନୁସାରେ ପ୍ରାପ୍ୟ ପାଇବେ ।

 

ଏହି ପ୍ରକାର ଦୀର୍ଘ ପ୍ରକ୍ରିୟାରେ ସମାଜର ଉତ୍ପାଦିକା ଶକ୍ତିଗୁଡ଼ିକର ଅଧିକରୁ ଅଧିକତର ବିକାଶ ଓ ସମୂହର ସକଳ ଚାହିଦା ପୂରଣ କରିବା ଲାଗି ଉତ୍ପାଦିକା ଶକ୍ତି ସମର୍ଥ ହେଲେ ସାମ୍ୟବାଦୀ ବା କମ୍ୟୁନିଜିମର ଉତ୍ତରଣ ପର୍ଯ୍ୟାୟ ଉପସ୍ଥିତ ହେବ । ମାନବର ସମ୍ବନ୍ଧରେ ଓ ପ୍ରକୃତିରେ ଆମୂଳ ପରିବର୍ତ୍ତନ ଆସିବ । ନିଜ ପାଇଁ ଓ ନିଜେ ରହିବାକୁ ହେଲେ ସମାଜ ପାଇଁ ତାର ଚିନ୍ତା ଚେତନାର ବିକାଶ ଘଟିବ । ସେତେବେଳେ ଯାଇ ପ୍ରତ୍ୟେକ ବ୍ୟକ୍ତି ଆପଣାର ଶକ୍ତି ଅନୁସାରେ ଶ୍ରମ ଦେବେ ଓ ଆବଶ୍ୟକତା ଅନୁସାରେ ସମାଜଠାରୁ ଗ୍ରହଣ କରିବେ ।

 

ଏହାହିଁ କମ୍ୟୁନିଜିମର ଦର୍ଶନ । ସେ ସମାଜରେ ଶୋଷଣ, ନିର୍ଯ୍ୟାତନା, ଯୁଦ୍ଧ ବିଗ୍ରହ, ହତ୍ୟା, ଲୁଣ୍ଠନ, ଭ୍ରଷ୍ଟାଚାରର କାରଣମାନ ରହିବ ନାହିଁ । ମାନବ ସମାଜର ପରିପୂର୍ଣ୍ଣ ମାନବିକତାର ବିକାଶ ଘଟିବ ।

 

କିନ୍ତୁ ମାର୍କସ-ଏଙ୍ଗେଲସ୍ ଯେଉଁ ଭୂତ ଘୋଟିବା କଥା କହିଥିଲେ, ସେହି ଭୂତ ଚାରିଆଡ଼େ ଦେଖାଗଲା । ମାର୍କସ-ଏଙ୍ଗେଲସ୍ ଲେନିନଙ୍କ ଦର୍ଶନ ମତାଦର୍ଶନକୁ ମାନବ ସମାଜର ସବୁଠାରୁ ବଡ଼ ଶତ୍ରୁ ବୋଲି ବିଚାରିବା ଭୂତ-ସମ୍ପଦର ମାଲିକମାନଙ୍କୁ ଘୋଟିଲା । ସେହେତୁ କମ୍ୟୁନିଜିମ ଏକ ମାନବ ଦ୍ରୋହୀ, ଈଶ୍ଵରଦ୍ରୋହୀ ଆଦର୍ଶ, ଏହା ମଣିଷକୁ ଯନ୍ତ୍ର କରିଦେବ, ତାର ସମସ୍ତ ବୁଦ୍ଧିବିବେକର ଅନ୍ତ ଘଟାଇଛି, ସମାଜର ଶୃଙ୍ଖଳାକୁ ଧୂଳିସାତ୍ କରିଦେବ, ତେଣୁ ତାକୁ ମୂଳରୁ ମାରିଦେବା ଲାଗି ଅଭିଯାନ ଚଳାହୋଇଆସୁଅଛି । ଏହା ମଧ୍ୟ ସମାଜ ବିକାଶର ଏଯ ନିର୍ଦ୍ଦିଷ୍ଟ ପର୍ଯ୍ୟାୟର ଧାରା ବୋଲି ମାର୍କସବାଦୀ ବିଜ୍ଞାନ ଦର୍ଶାଏ । ସେମିତି ଦର୍ଶାଏ ଯେ ଏହି ବିରୋଧ ଓ ଅଭିଯାନର ମଧ୍ୟ ପରିସମାପ୍ତି ଘଟିବ ।

 

କମ୍ୟୁନିଜିମର ଦର୍ଶନ

 

ମାର୍କସ ଏଙ୍ଗେଲସ ସମାଜବାଦକୁ ବୈଜ୍ଞାନିକ ସାମ୍ୟବାଦ ଓ ଆଧୁନିକ ମାର୍କିସପନ୍ଥୀମାନେ ମାର୍କସବାଦ–ଲେନିନବାଦ ଆଖ୍ୟା ଦେଇଥାନ୍ତି, ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ହିଁ ମାର୍କସବାଦୀ ଦର୍ଶନର ଆବିର୍ଭାବ । ଏପରି ଦାର୍ଶନିକ ଚିନ୍ତାର ତିନୋଟି ଉତ୍ସ ରହିଛି-। ଗୋଟିଏ ହେଲା ବ୍ରିଟିଶ ରାଜନୈତିକ ଅର୍ଥନୀତି, ଦ୍ଵିତୀୟଟି ଜର୍ମାନ ବସ୍ତୁବାଦୀ ଦର୍ଶନ ଓ ତୃତୀୟଟି ଫରାସୀ ସମାଜବାଦ ।

 

ବୈଜ୍ଞାନିକ ସାମ୍ୟବାଦର ତିନୋଟି ପରସ୍ପର ସଂଯୋଜିତ ଅଭିନ୍ନ ଅଙ୍ଗ ହେଲା ଦ୍ଵନ୍ଦ୍ୱାତ୍ମକ ବସ୍ତୁବାଦ, ମାର୍କସୀୟ ରାଜନୈତିକ ଅର୍ଥନୀତି ଏବଂ ତୃତୀୟରେ ଶ୍ରେଣୀ ସଂଗ୍ରାମ ।

 

ଏହା ପ୍ରମାଣ କରିଦିଏ ଯେ ସମାଜର ଚିନ୍ତା ନେତା, ଦାର୍ଶନିକ ଚିନ୍ତା ଓ ସମାଜବାଦ ଲାଗି ପୂର୍ବର ସଂଗ୍ରାମ ସମାଜରେ ସେମାନଙ୍କ ପୂର୍ବରୁ ଦେଖାଦେଇଥିବା ଶ୍ରେଣୀ ସଂଗ୍ରାମର ଅଭିଜ୍ଞତାକୁ ଧରି ଅନୁଶୀଳନ ଦ୍ଵାରା ମାର୍କସ-ଏଙ୍ଗେଲସ ଲେନିନ ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ।

 

ବୈଜ୍ଞାନିକ ସାମ୍ୟବାଦ ଏକ ବିଜ୍ଞାନ । ବିଜ୍ଞାନର ଯେପରି ବିକାଶ ଘଟୁଛି, ସମ୍ୟବାଦୀ ବିଜ୍ଞାନର ବିକାଶ ଘଟିବ । ସମାଜ, ପ୍ରକୃତିରେ ହେପାରି ସମସ୍ତ ଜିନିଷ ଗତିଶୀଳ ଓ ସ୍ଥାଣୁ ନୁହେଁ, ସମ୍ୟବାଦୀ ବିଜ୍ଞାନ ସେପରି ସ୍ଥାଣୁ ନୁହେଁ, ଗତିଶୀଳ । ଏହା ମନ୍ତ୍ର ବା ଉପାସନାର ଶ୍ଳୋକ ନୁହଁ ସମାଜକୁ ବଦଳେଇବାକୁ, ପରିବର୍ତ୍ତନ ବିଧାନ କରିବାକୁ ଏହି ବିଜ୍ଞାନ ଏକ ମାର୍ଗସୂତ୍ର ପଥ ନିର୍ଦ୍ଦେଶକ ।

 

ବସ୍ତୁବାଦୀ ଓ ଭାବବାଦୀ ଏହି ଦୁଇପ୍ରକାର ଦାର୍ଶନିକ ଦୃଷ୍ଟିକୋଣରୁ ଅତୀତରେ ଓ ବର୍ତ୍ତମାନ ମଧ୍ୟ ସମାଜ, ମାନବ, ସୃଷ୍ଟି, ବିକାଶ, ବଳୟର ବିଚାର କରାହୋଇ ଆସିଛି । ଭାରତବର୍ଷରେ ଅତୀତରେ ଭାବବାଦ ଓ ବସ୍ତୁବାଦର ଚର୍ଚ୍ଚା ଓ ଦୃଷ୍ଟିକୋଣର ଦୃଷ୍ଟାନ୍ତ ବିରଳ ନୁହେଁ । ବୁଦ୍ଧଙ୍କଠାରୁ ନାଗାର୍ଜୁନ, ଉଦାଳକ ଅରୁଣିଙ୍କଠାରୁ ଚାର୍ବାକ, କପିଳ ଏମିତି ବହୁ ମୁନି ଋଷିଙ୍କର ଦୃଷ୍ଟାନ୍ତ ରହିଛି । ଗ୍ରୀସର ଡିମୋକ୍ରାଟିସଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକଟି ଦେଶରେ ବସ୍ତୁବାଦୀ ଦାର୍ଶନିକ ସୃଷ୍ଟିକୁ ବସ୍ତୁବାଦୀ ଦୃଷ୍ଟି-କୋଣରୁ ବ୍ୟାଖ୍ୟା କରିଛନ୍ତି । ମାର୍କସଏଙ୍ଗେଲସ ଲେନିନ ଏହି ବସ୍ତୁବାଦୀ ଦୃଷ୍ଟିକୋଣରୁ ସମାଜର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ବିଶ୍ଳେଷଣ କରିବାବେଳେ ଦ୍ଵନ୍ଦ୍ୱାତ୍ମକ ବସ୍ତ୍ରବାଦ ବା ଡାଇଲେକଟିକାଲ ମେଟେରିଆଲିଜମ ସିଦ୍ଧାନ୍ତକୁ ଗ୍ରହଣ କରିଛନ୍ତି । ବୁଦ୍ଧଙ୍କ କାରଣବାଦ ହେଗେଲଙ୍କ ଦ୍ଵନ୍ଦ୍ଵବାଦର ତତ୍ତ୍ଵକୁ ବସ୍ତୁବାଦୀ ଦର୍ଶନକୁ ଧରି ସେମାନେ ଦ୍ଵନ୍ଦ୍ୱାତ୍ମକ ବସ୍ତୁବାଦୀ ଦର୍ଶନରେ ପହଞ୍ଚିଛନ୍ତି ।

 

କଳ୍ପନାସର୍ବସ୍ଵ ସାମ୍ୟବାଦ

 

ମାର୍କସ-ଏଙ୍ଗେଲସ୍ ଲେନିନଙ୍କ ବୈଜ୍ଞାନିକ ସାମ୍ୟବାଦର ଦର୍ଶନ, ଅର୍ଥନୀତି, ସମାଜନୀତିର ପୂର୍ବରୁ ସାମ୍ୟବାଦ ପାଇଁ, ଶୋଷଣବିହୀନ ସମାଜ ପାଇଁ ବହୁ ଦାର୍ଶନିକ ସେମାନଙ୍କର ତତ୍ତ୍ଵ ପ୍ରଚାର କରି ଆସିଛନ୍ତି । ସେ ସବୁକୁ କଳ୍ପନାସର୍ବସ୍ଵ ସମାଜବାଦ ବା ଯୁଟୋପିଆନ ସୋସାଲିଜିମ ନାମରେ ଅଭିହିତ କରାଯାଏ । ଇତିହାସ ଦୃଷ୍ଟିରୁ ବିଚାର କଲେ ସମ୍ୟବାଦୀ ଚିନ୍ତାଧାରା କେବଳ ମାର୍କସ-ଏଙ୍ଗେଲସଙ୍କର ଚିନ୍ତାରୁ ପ୍ରସୂତ କୁହାଯିବ ନାହିଁ । ଉଭୟ ସେମାନଙ୍କ ପୂର୍ବସୁରୀ ଦାର୍ଶନିକ, ଚିନ୍ତାନାୟକ, ସମାଜ ପରିବର୍ତ୍ତନକାମୀମାନଙ୍କ ପ୍ରଚାରିତ ତତ୍ତ୍ଵଗୁଡ଼ିକୁ ଗଭୀର ଭାବରେ ଅନୁଶୀଳନ କରି ତାହାର ବିକାଶ ଘଟେଇ ବୈଜ୍ଞାନିକ ସାମ୍ୟବାଦର ପ୍ରତିଷ୍ଠା କରିଥିଲେ । ତାଙ୍କର ପୂର୍ବସୁରୀମାନଙ୍କ ସୁଦୂର ଭବିଷ୍ୟତ ସମାଜର ରୂପରେଖ ସମ୍ପର୍କରେ ମତାମତ ତତ୍କାଳୀନ ସମାଜ ବ୍ୟବସ୍ଥାରେ ଉଦଭବ ଘଟିଥିଲା । ତାହାହିଁ ମାର୍କସ-ଏଙ୍ଗେଲସଙ୍କ ଆବିଷ୍କାରକୁ ପ୍ରଭୂତ ପରିମାଣରେ ସାହାଯ୍ୟ କଲା ।

 

ଷୋଳଶହ ଶତାବ୍ଦୀରେ ବ୍ରିଟିଶ ଦାର୍ଶନିକ ସାର ଥୋମାସମୁର ଯିଏ ଇଂଲଣ୍ଡ ରାଜାଙ୍କ ଅଗ୍ରଗଣ୍ୟ ପ୍ରଶାସକ ଥିଲେ, ସେ ତାଙ୍କ ରଚନା “ୟୁଟୋପିଆ”ରେ ଏକ ଆଦର୍ଶ ଦ୍ଵୀପର ସମ ସମାଜର କଳ୍ପନା କରିଥିଲେ । ତାଙ୍କୁ ଫାଶିଦଣ୍ଡ ଭୋଗିବାକୁ ପଡ଼ିଥିଲା ।

 

ଥୋମାସମୁରଙ୍କ ଶହେବର୍ଷ ପରେ ତୋମାସୋ କାମ୍ପୋନେସି ଜଣେ ପାଦ୍ରୀ ୧୬୨୩ରେ ସ୍ପେନୀୟ ଓ ଇତାଲୀୟ ଧର୍ମାନ୍ଧମାନଙ୍କ ଦ୍ଵାରା ବନ୍ଦୀହୋଇ ଇଟାଲୀର ବନ୍ଦୀ-ଶାଳାରେ ରଚନା କଲେ “ସୂର୍ଯ୍ୟନଗରୀ” । ସେହି ନଗରୀରେ ସେ କଳ୍ପନା କଲେ ବ୍ୟକ୍ତିଗତ ସମ୍ପତ୍ତି ନାହିଁ । ସାମାଜିକ ବୈଷମ୍ୟ ନାହିଁ ।

 

ଇଂଲଣ୍ଡର ଲଙ୍କାସାୟାରର ଜି ଉଇନଷ୍ଠାନଲେ ସପ୍ତଦଶ ଶତାବ୍ଦୀରେ ଇଂଲଣ୍ଡର ରଜା ପ୍ରଥମ ଚାର୍ଲସଙ୍କ ଫାଶିଦଣ୍ଡ ଓ ଇଂରେଜ ବିପ୍ଳବ କାଳରେ ଭବିଷ୍ୟତ ସମାଜ ସାମ୍ୟବାଦୀ ସମାଜ ହେବ ବୋଲି ରଚନା କଲେ ‘ମୁକ୍ତିର ନିୟମ’ ଲ ଅଫ ଫ୍ରିଡ଼ମ୍ ।

 

ଏହି ପ୍ରକାର କଳ୍ପନାସର୍ବସ୍ଵ ସମାଜବାଦର ବିକାଶ ଘଟିଲା ଅଷ୍ଟାଦଶ ଶତାବ୍ଦୀରେ ଫରାସୀ ଗଣତାନ୍ତ୍ରିକ ବିପ୍ଳବ କାଳରେ ।

 

ଜଣେ ଗ୍ରାମ୍ୟ ପାଦ୍ରୀ ଜାଁ ମେସଲିୟର ତାଙ୍କ ଶେଷ ଉଇଲରେ ପ୍ରତିପାଦନ କଲେ ସବୁ ଶାସକ ପ୍ରଜା ଓ ରାଜପୁତ୍ର କ୍ରୂର, ନିଷ୍ଠୁର, ସବୁ ମଣିଷ ସମାନ ହୋଇ ଜନ୍ମ ହୋଇଛନ୍ତି । ବଞ୍ଚିବା ଓ ଜୀବନ ଉପଭୋଗ ପାଇଁ ସମସ୍ତଙ୍କର ସମାନ ଅଧିକାର ରହିଛି । ଗୀର୍ଜା ଆହୁରି ଭୟଙ୍କର, ପାଦ୍ରୀମାନେ ଚତୁର ମିଥ୍ୟା କହି ପ୍ରତାରିତ କରନ୍ତି ଇତ୍ୟାଦି । ସେ ଏକ ଆଦର୍ଶ କମ୍ୟୁନର କଳ୍ପନା କରିଥିଲେ । ନ୍ୟାୟର ସମାଜ ପ୍ରତିଷ୍ଠାତା ସେ କଳ୍ପନା କରିଥିଲେ ।

 

ଅଷ୍ଟାଦଶ ଶତାବ୍ଦୀରେ ଫରାସୀ କୁକୁଆ ଗଣତାନ୍ତ୍ରିକ ବିପ୍ଳବକୁ ବିଖ୍ୟାତ ଦାର୍ଶନିକ ରୁଷୋ ଡିଡ଼ିରୋ, ହଲବାକ୍ ଏକ ଭିନ୍ନ ଧରଣର ନୂତନ ସାମାଜିକ ବ୍ୟବସ୍ଥାର କଳ୍ପନା କରିଥିଲେ ।

 

ଗ୍ରାବିୟେଲ ବୋନ୍ନାଟଡ଼େ ମାବଲି ଏକ ଧର୍ମୀୟ ବିଦ୍ୟାଳୟର ଅଧ୍ୟୟନ କରି ଫ୍ରାନ୍ସ ବୈଦେଶିକ ବିଭାଗର ଚାକିରି ପରିତ୍ୟାଗ କଲେ । ଇତିହାସ, ଦର୍ଶନ, ଆଇନ ଶାସ୍ତ୍ର ଅନୁଶୀଳନ କରି ପ୍ରାକୃତିକ ସାମ୍ୟବାଦର ଚିନ୍ତାରେ ପହଞ୍ଚିଥିଲେ । ଏକ ନିର୍ଜନ ଦ୍ଵୀପରେ ଏକ ପ୍ରଜାତନ୍ତ୍ର ହେବ-। ସେଠାରେ କାହାରି କିଛି ସମ୍ପଦ ରହିବ ନାହିଁ । ସମସ୍ତେ ମିଶି ଉତ୍ପାଦନ କରିବେ ଓ ସାଧାରଣ ଭଣ୍ଡାର ଘରେ ରଖିବେ । ଭଣ୍ଡାରର କର୍ମକର୍ତ୍ତାମାନେ ନାଗରିକମାନଙ୍କୁ ସେମାନଙ୍କ ଆବଶ୍ୟକ ପଦାର୍ଥ ବାଣ୍ଟିବେ ଓ ସମ୍ପ୍ରଦାୟର ଭିତରେ କାମଦାମ ବାଣ୍ଟିବେ ।

 

ଆଉ ଜଣେ ବିଶିଷ୍ଟ ଫରାସୀ ଯାହାଙ୍କର ନାମ ଅଜଣା ମାତ୍ର ସେ ଛଦ୍ମ ନାମ ମୋରେଲେ ନାମରେ ସୁବିଦିତ । ଆଦିମ ସମାଜବାଦକୁ ସେ ଅଚେତନ ସ୍ଵର୍ଣ୍ଣଯୁଗ ବୋଲି ଦର୍ଶାଇ, ବ୍ୟକ୍ତିଗତ ସମ୍ପଦ ଲୋପକରି ସଚେତନ ସ୍ଵର୍ଣ୍ଣଯୁଗରେ ପହଞ୍ଚିବାକୁ ମାନବକୁ ସହସ୍ର ସହସ୍ର ପରୀକ୍ଷା ଦେଇଯିବାକୁ ହେବ ବୋଲି ତାଙ୍କର ଦାର୍ଶନିକ ଚିନ୍ତାକୁ ଉପଗତ କରାଇଥିଲେ ।

 

ଉତ୍ତର ଫ୍ରାନ୍ସରେ ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ନେପୋଲିଅନ ବୋନାପାର୍ଟଙ୍କ ଦମନ ଅତ୍ୟାଚାରପୂର୍ଣ୍ଣ ଶାସନ ବିରୁଦ୍ଧରେ ଜାଗ୍ରତ ସଂଗ୍ରାମଗୁଡ଼ିକୁ ଅନୁଶୀଳନ କରିଥିଲେ ଫ୍ରାନସିସ–ନୋଏଲ ବାବେୟୁଫ । ସେ ମଧ୍ୟ ସମାନଲୋକଙ୍କ ଏକ ପ୍ରଜାତନ୍ତ୍ର ଆଦର୍ଶ କମ୍ୟୁନିଷ୍ଟ ସମାଜର କଳ୍ପନା କରିଥିଲେ । ସବୁ ଶ୍ରମ ସମାନ ଓ ସବୁ ଉତ୍ପାଦିତ ପଦାର୍ଥ ସମାନ ଭାବରେ ବଣ୍ଟନର କଳ୍ପନା ସେ କରିଥିଲେ ।

 

ଊନ୍ନବିଂଶ ଶତାବ୍ଦୀର ପ୍ରଥମ ତିନିଦଶନ୍ଧିରେ ସମାଜବାଦୀ ସାମ୍ୟବାଦୀ ଚିନ୍ତାରେ ନୂତନତ୍ଵ ପରିଦୃଷ୍ଟ ହେଲା । ଏ କାଳର କଳ୍ପନାବାଦୀ ସମାଜବାଦର ପ୍ରବକ୍ତା ହେଲେ ହେଦରି ସେଣ୍ଟ–ସାଇମନ, ଚାର୍ଲସ ଫୁରିଏ ଏବଂ ରବର୍ଟ ଓଏନ । ସେମାନେ ନୂତନ ସାମାଜିକ ପୁଞ୍ଜିବାଦୀ ବ୍ୟବସ୍ଥାଗୁଡ଼ିକରେ ଥିବା ଦ୍ଵନ୍ଦ୍ଵ ବିରୋଧକୁ ପ୍ରକାଶ କଲେ ।

 

ପାରିସରେ ଏକ ସମ୍ଭ୍ରାନ୍ତ ପରିବାରରେ ୧୭୬୦ରେ ଜନ୍ମ ସେଣ୍ଟ ସାଇମନ ନିଜ ରାଜକୀୟ ପଦବୀ ପ୍ରତ୍ୟାଖ୍ୟାନ କରି ‘ବନ୍-ଅମ୍’ (ବା ନିର୍ବୋଧ) ନାମ ଧାରଣ କଲେ । ଏହାର ଉଦ୍ଦେଶ୍ୟ ନିଜକୁ ଦରିଦ୍ର ସାଧାରଣ ଲୋକଙ୍କ ସଙ୍ଗରେ ସାମିଲ କରିବା । ସେ ଏକ ନୂଆ ସମାଜ ବ୍ୟବସ୍ଥାର କଳ୍ପନା କଲେ । ତାର ନାମ ରଖିଲେ “ଶିଳ୍ପ ବ୍ୟବସ୍ଥା” । ମାନବ ସମାଜରେ ଶ୍ରେଣୀ ସଂଗ୍ରାମ ଏକ ସାର୍ବଜନୀନ ବିଷୟ ବୋଲି ସେ ପ୍ରତିପାଦନ କଲେ । ଭବିଷ୍ୟତ ଶିଳ୍ପସମାଜ ଶୋଷଣବିହିନ ହେବ ବୋଲି ତାଙ୍କର ମତ । ସେ ଜଣେ ଖ୍ରୀଷ୍ଟୀୟ ସନ୍ଥ ତାଙ୍କ ଭାବବାଦୀ ଦର୍ଶନରେ ସେ ବିଚାରିଲେ ଯେ ଜ୍ଞାନ ଓ ସଭ୍ୟତା ଶିଖରରେ ପହଞ୍ଚିଲେ ତାଙ୍କ କଳ୍ପିତ ଶିଳ୍ପବ୍ୟବସ୍ଥାର ସମାଜ ଆସିବ ।

 

ଅନ୍ୟତମ ଫରାସୀ କଳ୍ପନାବାଦୀ ସମାଜବାଦର ପ୍ରବକ୍ତା ଥିଲେ ଫୁରିଏ । ଭାବବାଦୀ ଏହି ସମାଜବାଦୀ ଚିନ୍ତକ କାମ କରିବାର ଅଧିକାର ଏକମାତ୍ର ସଠିକ ଅଧିକାର କହି ପ୍ରଚଳିତ ବୁର୍ଜୁଆ ସମାଜ ବ୍ୟବସ୍ଥାର ସମାଲୋଚନା କରିଥିଲେ ।

 

ବାବେୟୁଫଙ୍କର କଳ୍ପନା ଥିଲା, ଏକ ବିପ୍ଳବ ଭିତରୁ ସମାନ ସମାନ ଲୋକଙ୍କର ପ୍ରଜାତନ୍ତ୍ରର ଜନ୍ମହେବ । କମ୍ୟୁନିଷ୍ଟ ଚିନ୍ତାରେ ଏପରି ଏକ ସମାଜ କି ନୀତିରେ ଚାଲିବ ତାହା ସେ ଦର୍ଶାଇଥିଲେ । ତେବେ ଶୋଷିତମାନେ ଶୋଷକମାନଙ୍କ ବିରୁଦ୍ଧରେ ଅଭ୍ୟୁତ୍ଥାନ କରି ଏପରି ଏକ ସମାଜ ଆସିବ ବୋଲି ସେ ଓ ତାଙ୍କ ଅନୁଗାମୀମାନଙ୍କ ମତ ଥିଲା ।

 

ରବର୍ଟ ଓଏନ୍ ବ୍ରିଟିଶ ଦାର୍ଶନିକ, ଜନହିତୈଷୀ, କଳ୍ପନାସର୍ବସ୍ଵ ସମାଜବାଦର ଜଣେ ପ୍ରଥମ ଶ୍ରେଣୀର ନେତା ରୂପେ ଖ୍ୟାତି ଅର୍ଜନ କରିଥିଲେ । ବୁର୍ଜଆ ବ୍ୟକ୍ତିଗତ ସମ୍ପତ୍ତି ଓ ପୁଞ୍ଜିବାଦର ସେ ତୀବ୍ର ସମାଲୋଚନା କରିଥିଲେ ଏବଂ ଶ୍ରମିକ କମ୍ୟୁନ ଗଢ଼ି ସମାଜବାଦର କଳ୍ପନା କରିଥିଲେ ।

 

ୟୁରୋପର ଅନ୍ୟାନ୍ୟ ଦେଶର କଳ୍ପନାସର୍ବସ୍ଵ ସମାଜବାଦର ଚିନ୍ତାନାୟକଙ୍କ ମଧ୍ୟରେ ରୁଷିଆର ଆଲେକଜାଣ୍ଡର ଆଡ଼ିଶ୍ୱେଭ୍, ବେଲିନିସ୍ଵି, ଆଲେକ୍‍ଜାଣ୍ଡର ହବରିତ ଏବଂ ଜର୍ମାନୀର ବୈଜ୍ଞାନିକ ସାମ୍ୟବାଦର ଇଙ୍ଗିତ ଦେଇଥିବା ଲୁବୱିକ ପିଓରବାକ୍, ଥିଲେ । ଜର୍ମାନ ଦାର୍ଶନିକ ହେଗେଲଙ୍କ ଦ୍ଵନ୍ଦ୍ଵବାଦ ଏବଂ ପୂର୍ବସୂରୀ କଳ୍ପନାସର୍ବସ୍ଵ ସମାଜବାଦର ଦାର୍ଶନିକ ଓ ଚିନ୍ତାନାୟକମାନଙ୍କ ଦାର୍ଶନିକ ଅର୍ଥନୈତିକ, ସାମରିକ ଚିନ୍ତାର ବିଶ୍ଳେଷଣ କରି କାହିଁକି ତାହା ସବୁ କଳ୍ପନା ବିଳାସ ହୋଇରହିବ ବାସ୍ତବତାରେ ପରିଣତ ହୋଇପାରିବ ନାହିଁ, ତାହାକୁ ମାର୍କ୍ଳ–ଏଙ୍ଗେଲସ୍ ଦର୍ଶାଇ ଅତୀତ ସାମାଜିକ ବିବର୍ତ୍ତନର ଅଭିଜ୍ଞତା ଓ ଶିକ୍ଷାକୁ ଘେନି ଆବିଷ୍କାର ହେଲା ବୈଜ୍ଞାନିକ ସାମ୍ୟବାଦର ଦର୍ଶନ, ତତ୍ତ୍ୱ ଓ ସେଥିଲାଗି ସଂଗ୍ରାମର ସଂଗଠନ ଓ ସଂଗ୍ରାମ ।

 

ସମଗ୍ର ମାନବ ସାମରିକ ଶୋଷଣ, ଅତ୍ୟାଚାର, ନିପୀଡ଼ନରୁ ମୁକ୍ତ କରିବାର ଦର୍ଶନ, ଅର୍ଥନୀତି ଓ ସମାଜ ନୀତିର ଆବିଷ୍କାର ପାଇଁ ସମସ୍ତ ସାମାଜିକ ଉପାଦାନ ସମାଜରେ ଉଦ୍ଭବ ହେବାରୁ ମାର୍କସ-ଏଙ୍ଗେଲସ୍‍ଙ୍କ ତତ୍ତ୍ୱସବୁ ଆବିଷ୍କୃତ ହୋଇପାରିଲା ।

 

ମାର୍କସବାଦୀ ବିଜ୍ଞାନର ସିଦ୍ଧାନ୍ତରେ ଅଛି, ପ୍ରକୃତି ପରି ମାନବ ସମାଜର ବିକାଶ ଓ ତାର ଉତ୍ତରଣ ପର୍ଯ୍ୟାୟଗୁଡ଼ିକରେ ଦ୍ଵନ୍ଦ୍ଵଗୁଡ଼ିକର ଉଦ୍‍ଭବ ହୋଇଛି । ଦ୍ଵନ୍ଦ୍ଵଗୁଡ଼ିକର ସଙ୍ଘାତ ଘଟିଛି-। ସମାଜ ବଦଳିଛି । ପୁଣି ନୂତନ ଦ୍ଵନ୍ଦ୍ଵଗୁଡ଼ିକର ଉଦ୍ଭବ ହୋଇଛି । ଏହି ଦ୍ଵନ୍ଦ୍ଵ ଦୁଇପ୍ରକାର-। ଗୋଟିଏ ହେଉଚି ସମାଜ ଭିତରେ ବ୍ୟକ୍ତିଗତ ସମ୍ପଦ ସୃଷ୍ଟି କାଳରୁ ଉପୁଜିଥିବା ଦ୍ଵନ୍ଦ୍ଵ-ସଂଘର୍ଷ ଓ ସମାଜର ଉତ୍ତରଣ ମାତ୍ର ସ୍ଥାୟୀ ଦ୍ଵନ୍ଦ୍ଵ ହେଉଚି ମାନବ ସମାଜ ଓ ତାକୁ ଘେରିଥିବା ଓ ତାହାରି କୋଳରେ ଥିବା ମଣିଷ ସମାଜ ମଧ୍ୟରେ ଦ୍ଵନ୍ଦ୍ଵ । ପ୍ରକୃତିର ରହସ୍ୟ ଉଦ୍‍ଘାଟନ କରି, ପ୍ରାକୃତିକ ନିୟମଗୁଡ଼ିକୁ ଅନୁଶୀଳନ କରି ପ୍ରକୃତିକୁ ନିଜ ବ୍ୟବହାରରେ ଲଗାଇବା ପାଇଁ ମାନବ ସମାଜ ତା ସହିତ ଦ୍ଵନ୍ଦ୍ଵରେ ଆସି ସମସ୍ତ ଆବିଷ୍କାର, ଉଦ୍ଭାବନ କରି, ବ୍ରହ୍ନାଣ୍ଡର ରହସ୍ୟମାନ ଉଦ୍‍ଘାଟନ କରିଚାଲିଛି । ଭବିଷ୍ୟତ ସାମ୍ୟବାଦୀ ସମାଜରେ ସମାଜ ଅଭ୍ୟନ୍ତର ଶ୍ରେଣୀ ଦ୍ଵନ୍ଦ୍ଵଗୁଡ଼ିକର ଅବସାନ ଘଟିବ । ମାତ୍ର ସମଗ୍ର ମାନବ ସମାଜ ଓ ପ୍ରକୃତି ମଧ୍ୟରେ ଦ୍ଵନ୍ଦ୍ଵ ସ୍ଥାୟୀ ଦ୍ଵନ୍ଦ୍ଵ ହୋଇ ରହିବ ।

 

ମାର୍କସ ଏବଂ ଏଙ୍ଗେଲସ ସମସାମୟିକ । ମାର୍କସଙ୍କ ଜୀବନ କାଳ ୧୮୧୮ରୁ ୧୮୮୩, ଏଙ୍ଗେଲସଙ୍କର ୧୮୨୦ରୁ ୧୮୯୫, ଦୁହେଁ କେବଳ ତତ୍ତ୍ଵବିଦ ନୁହନ୍ତି, ଦୁଇବନ୍ଧୁ, ଅନ୍ତରଙ୍ଗ ସଖା, ବାପାଙ୍କ କାରଖାନା ଚଳେଇ ଏଙ୍ଗେଲସ ଶିକ୍ଷା କରନ୍ତି ସମାଜରୁ ଶୋଷଣ କିପରି ଯିବ, ତା’ର ତତ୍ତ୍ଵ । ତାଙ୍କର ସଖା ମାର୍କସ, ଯାହାଙ୍କୁ ସେ ଶ୍ରେଷ୍ଠ ଦାର୍ଶନିକ, ବିପ୍ଳବୀ ବୋଲି ଗଣ୍ୟ କରୁଥିଲେ, ସେହି ବ୍ୟକ୍ତିଙ୍କୁ ବଞ୍ଚିରହି ଆବିଷ୍କାର ଚଳେଇ ଯିବାକୁ ସେ ଆର୍ଥିକ ସାହାଯ୍ୟ କରନ୍ତି । ଉଭୟ ଉଭୟଙ୍କୁ ସାମାଜିକ ତତ୍ତ୍ଵ ଆବିଷ୍କାରରେ ସାହାଯ୍ୟ କରନ୍ତି । ଦୁହେଁ ଅଭିନ୍ନ, ସେଥିଯୋଗୁଁ ବୈଜ୍ଞାନିକ ସାମ୍ୟବାଦର ପ୍ରତିଷ୍ଠାତା ମାର୍କସ-ଏଙ୍ଗଲସକୁ ବିଚାର କରାଯାଏ ଏବଂ ତାଙ୍କ ପରେ ଲେନିନ ଏହି ୱେଇ ବିକାଶ ଘଟେଇ ଥିବାରୁ ବୈଜ୍ଞାନିକ ସାମ୍ୟବାଦକୁ ମାର୍କସବାଦ ଲେନିନବାଦ କୁହାଯାଏ ।

 

ମାର୍କସ-ଏଙ୍ଗେଲସ ଓ ପରବର୍ତ୍ତୀକାଳରେ ଲେନିନଙ୍କ ଏହି ମାର୍କସବାଦୀ ବିଜ୍ଞାନ ସଂପର୍କିତ ରଚନା ଅସୁମାରି ।

 

ମାର୍କସଙ୍କ ଡାସ୍ କାପିଟାଲ ବା ‘ପୁଞ୍ଜି’ ତିନିଖଣ୍ଡ ବିଶିଷ୍ଟ ଏକ ମହାନ ଗବେଷଣାମୂଳକ ଗ୍ରନ୍ଥ । ତାଙ୍କ ପ୍ରଣୀତ ଜର୍ମାନ ଦର୍ଶନ, ହୋଲି ଶଫାମିଲ, ଦର୍ଶନର ଦାରିଦ୍ର୍ୟ ଫ୍ରାନ୍ସରେ ଶ୍ରେଣୀ ସଂଘର୍ଷ, ଅଷ୍ଟାଦଶ କ୍ରୂମେୟାର, ଏଣ୍ଟି ଡୂହରିଙ୍ଗ, ଏଙ୍ଗେଲସଙ୍କ ପରିବାର, ବ୍ୟକ୍ତିଗତ ସମ୍ପତ୍ତି ଓ ରାଷ୍ଟ୍ର ଏମିତି ରଚନାବଳୀ ମାର୍କସବାଦୀ ସାହିତ୍ୟର ଅମୂଲ୍ୟ ଭଣ୍ଡାର । ମାର୍କସ କେବଳ ଚିନ୍ତା, ଗବେଷଣାରେ ସୀମିତ ନ ଥିଲେ ପ୍ରତିଭାବାନ ଦର୍ଶନଶାସ୍ତ୍ରୀ, ଅଧ୍ୟାପକ ସ୍ଵଦେଶ ଜର୍ମାନୀରେ କେବଳ ନୁହେଁ । ସେଠାରୁ ବିତାଡ଼ିତ ହୋଇ ଫ୍ରାନ୍ସ ପ୍ରଭୃତି ଦେଶରେ ବିତାଡ଼ିତ, ନିର୍ବାସିତ, କାରାଦଣ୍ଡିତ ହୋଇ ଶ୍ରମିକ ଶ୍ରେଣୀ ସଂଗ୍ରାମରେ ନିଜ ତତ୍ତ୍ଵ ଆବିଷ୍କାରଗୁଡ଼ିକୁ ପ୍ରୟୋଗ କରୁଥିଲେ । ଭଡ଼ା ନ ଦେଇପାରି ଘରୁ ଶୀତ ରାତିରେ ତଡ଼ା ହେଉଥିଲେ । ଶ୍ରମିକ ଶ୍ରେଣୀ ଆନ୍ଦୋଳନରୁ ସଂଗଠିତ, ନେତୃତ୍ଵ ଦେବାଲାଗି ସେ ଓ ଏଙ୍ଗେଲସ୍ କମ୍ୟୁନିଷ୍ଟ ଲିଗ୍, ତାପରେ ଆନ୍ତର୍ଜାତିକ ଶ୍ରମିକ ଆସୋସିଏସନ ପ୍ରତିଷ୍ଠା କରିଥିଲେ । ତାହାର ନାମ ପ୍ରଥମ ଆନ୍ତର୍ଜାତିକ । କମ୍ୟୁନିଷ୍ଟ ପାର୍ଟିଗୁଡ଼ିକ କିପରି ସଂଗଠିତ ହୋଇ ବିପ୍ଳବର ଚାଳକ ହେବ, ତାହାର ନକ୍ସା ଏହି ସଂଗଠନ ସୂଚିତ କରିଦେଲା-। ପରେ ପୃଥିବୀର ବିଭିନ୍ନ ଦେଶରେ ବୈଜ୍ଞାନିକ, ସାମ୍ୟବାଦ ପ୍ରତିଷ୍ଠାର ଲକ୍ଷ୍ୟ ଘେନି କମ୍ୟୁନିଷ୍ଟ ପାର୍ଟିଗୁଡ଼ିକ ପ୍ରତିଷ୍ଠିତ ହେଲା ।

 

ମାର୍କସ ଏଙ୍ଗେଲସ୍ ସାରା ପୃଥିବୀର ପରାଧୀନ ଦେଶମାନଙ୍କର ଜନତାର ସଂଗ୍ରାମ ସମ୍ପର୍କରେ ଅନୁଶୀଳନ କରିଥିଲେ । ଭାରତ ସମ୍ପର୍କରେ ମାର୍କସ ଏଙ୍ଗେଲସ୍‍ଙ୍କ ପତ୍ରାଳାପ, ଭାରତ ସମ୍ପର୍କରେ ମାର୍କସଙ୍କ ନୋଟ୍ ବହି ତାର ପ୍ରମାଣ ଦିଏ । ମାର୍କସ ହିଁ ପୃଥିବୀର ପ୍ରଥମ ଚିନ୍ତାନାୟକ, ଯିଏ ୧୮୫୭ର ତଥାକଥିତ ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ବୋଲି ଆଖ୍ୟା ଦେଇଥିଲେ ।

 

ମାନବ ସମାଜର ଭବିଷ୍ୟତ କ’ଣ

 

ମାନବ ସମାଜର ଏକମାତ୍ର ବର୍ତ୍ତମାନ ଓ ଭବିଷ୍ୟତ ପୁଞ୍ଜିବାଦ ବୋଲି ଏବେ ଖୁବ୍ ଜୋରରେ ପ୍ରଚାର କରାଯାଉଛି । ସୋଭିଏତ୍ ୟୁନିଅନର ଅବସାନ ଏହାକୁ ସାବ୍ୟସ୍ତ କରିଦେଇଛି ବୋଲି ଯୁକ୍ତି କରାଯାଇଛି । ଅକ୍ଟୋବର ସମାଜବାଦୀ ବିପ୍ଳବ ଏଠାରେ ଆଲୋଚ୍ୟ ନ ହେଲେ ବି ସେହି ବିପ୍ଳବରୁ ଜାତ ଏକ ସମାଜ ଯେ ପୁଞ୍ଜିପତି, ଜମିଦାରମାନଙ୍କୁ ସେମାନଙ୍କ ସମ୍ପଦରୁ ଚ୍ୟୁତ କରିପାରେ, ରାଷ୍ଟ୍ର ହାତରେ ସମସ୍ତ ସମ୍ପଦ ଠୁଳ କରିପାରେ, ତାହା ଦର୍ଶାଇ ଦେଇଛି । ତାହା ଯେ ପୁଞ୍ଜିବାଦୀ ଶୋଷଣକୁ ଲୋପ କରିପାରେ, ବେକାରୀ ଦୂର କରିପାରେ, ସବୁ ପରାଧୀନ ଦେଶକୁ ସାହାଯ୍ୟ କରିପାରେ । ନବ ସ୍ଵାଧୀନ ଦେଶକୁ ସାମ୍ରାଜ୍ୟବାଦୀ ଅର୍ଥ କୁବେରମାନଙ୍କ ଶୋଷଣରୁ ରକ୍ଷା କରିବାକୁ ସାହାଯ୍ୟ କରିପାରେ, ତାହା ପ୍ରମାଣିତ କରିଦେଇଛି । ନିଶ୍ଚିତ ସମାଜବାଦ ଗଢ଼ିବାରେ ମାନବକୃତ ଦୋଷତ୍ରୁଟି ଏବଂ ସମଗ୍ର ପୁଞ୍ଜିବାଦୀ ସମାଜର ଅନ୍ତର୍ଘାତ, ଅପପ୍ରଚାର ଷଡ଼ଯନ୍ତ୍ର ହେତୁ ଏହାର ପରାଜୟ ଘଟିଛି । ପୃଥିବୀର ଇତିହାସରେ ବହୁ ବିପ୍ଳବ ପ୍ରଥମ ପରାଜୟର ସମ୍ମୁଖୀନ ହୋଇ ପରେ ବିଜୟ ଲାଭ କରିଛି ।

 

ତେଣୁ ସୋଭିଏତ୍ ୟୁନିଅନର ପରାଜୟ ପରେ ଆଉ ଆଉ ସମାଜବାଦୀ ଦେଶ ନିଜର ଭୁଲ ତ୍ରୁଟି ଠାବ କରି ନୂତନ ପନ୍ଥା ଧରି ସମାଜବାଦ ନିର୍ମାଣରେ ଲାଗିଛନ୍ତି । ପ୍ରତ୍ୟେକଟି ଦେଶରେ କମ୍ୟୁନିଷ୍ଟପାର୍ଟି ରହିଛି । ସେମାନଙ୍କ ମଧ୍ୟରେ ଆଲୋଡ଼ନ ଚାଲିଛି । ନୂତନ ସାମାଜିକ ଓ ଗୋଲକୀୟ ପରିସ୍ଥିତିରେ ସମାଜବାଦର ରୂପରେଖ ନିଜ ନିଜ ଦେଶରେ କି ପ୍ରକାରର ସ୍ଵତନ୍ତ୍ର ବାଟ ଧରି ଆଗେଇବ, ତାହାର ବିଚାର ଚାଲିଛି ।

 

ପୁଞ୍ଜିବାଦ ସମାଜର ସର୍ବଶ୍ରେଷ୍ଠ, ପ୍ରଭୂତ ଧନଶାଳୀ ରାଷ୍ଟ୍ରରେ ବେକାରୀ, ଛଟେଇ, ବାସଗୃହହୀନତା, ଦୁର୍ନୀତି, ଶୋଷଣର ମାତ୍ରା କମିବା ଦୂରେ ଥାଉ ବଢ଼ିବାରେ ଲାଗିଛି । ଅନ୍ୟ ଅନୁନ୍ନତ ଓ ଅନଗ୍ରସର ଦେଶରେ ସମସ୍ତ ସମ୍ପଦକୁ ଶୋଷଣ କରିବା, ଗୃହଯୁଦ୍ଧ ସୃଷ୍ଟି କରିବା, ଅସ୍ଥିରତା ସୃଷ୍ଟି କରିବା, ଏବଂ ଅସ୍ତ୍ରଶସ୍ତ୍ର ଧରି ଅନ୍ୟ ଦେଶକୁ ଆମନ୍ତ୍ରଣ କରିବାର ବିରାମ ନାହିଁ । ପୁଞ୍ଜିବାଦର ଉନ୍ନତି ଅଧିକ ଶୋଷଣ, ଅତ୍ୟାଚାର ଲାଗି ଅଭିପ୍ରେତ । ଏହାର ଚରିତ୍ର ବଦଳି ଯାଇଛି-। ପୁଞ୍ଜିବାଦକୁ ଜନ ପୁଞ୍ଜିବାଦ, ଜନମଙ୍ଗଳକାରୀ ପୁଞ୍ଜିବାଦ ଆଖ୍ୟା ଦିଆଯାଇଛି । ଏହା କିଛିକାଳ ଲାଗି ସମାଜର ସାମ୍ୟବାଦ ଲାଗି ଅପ୍ରଗତିକୁ ଅବରୋଧ କରିପାରେ ମାତ୍ର ପୁଞ୍ଜିବାଦର ମୌଳିକ ଚରିତ୍ର ଉଦ୍‍ବୃତ୍ତ ଶ୍ରମରୁ, ଉଦ୍‍ବୃତ୍ତ ମୂଲ୍ୟ ମୁନାଫା, ପୁଞ୍ଜିବାଦୀ ସମାଜ ନିୟମର ଅନ୍ତର୍ନିହିତ କାରଣରୁ ଯିବନାହିଁ; ଯାଇନପାରେ । ତେଣୁ ପୁଞ୍ଜିବାଦ ନୁହେଁ । ମାନବ ଜାତିର ଭବିଷ୍ୟତ ବୈଜ୍ଞାନିକ ସାମ୍ୟବାଦ ବୋଲି ମାର୍କସବାଦୀମାନଙ୍କର ଦୃଢ଼ ବିଶ୍ଵାସ ।

 

ଏହା ହିଁ ସମଗ୍ର ମାନବଜାତିର ମୁକ୍ତିର ଏକମାତ୍ର ମାର୍ଗ, ମାନବ ସମାଜ ଚରମ ଉନ୍ନତିରେ ପହଞ୍ଚିବାର ଏକମାତ୍ର ବିଜ୍ଞାନସମ୍ମତ ପଥ ବୋଲି ମାର୍କସବାଦ, ଲେନିନବାଦର ସିଦ୍ଧାନ୍ତ ।

☆☆☆

 

ସ୍ଵାଧୀନ ଭାରତର ଶାସକବର୍ଗ

ଡକ୍ଟର ବେଣୁଧର ପ୍ରଧାନ

 

ଦେଶକାଳ ନିର୍ବିଶେଷରେ ପୃଥିବୀର ମନୀଷୀମାନେ ରାଷ୍ଟ୍ରର ସୁଶାସନ ନିମିତ୍ତ ଶାସକ ଓ ଶାସନ ବର୍ଗଙ୍କ ଭୂମିକା ଉପରେ ଗୁରୁତ୍ଵ ଆରୋପ କରୁଛନ୍ତି । ସେମାନଙ୍କ ମତରେ ରାଷ୍ଟ୍ରର ସୁଶାସନ, ତାର ଆର୍ଥିକ ଉନ୍ନତି, ସାମାଜିକ ଶାନ୍ତି ଓ ସ୍ଥିତି, ଆନ୍ତରାଷ୍ଟ୍ରୀୟ ସମ୍ମାନ ଓ ରାଷ୍ଟ୍ରର ଜନସାଧାରଣଙ୍କର ଆର୍ଥିକ ସ୍ଵଚ୍ଛଳତା, ନୈତିକ ବିକାଶ ଓ ସର୍ବୋପରି ରାଷ୍ଟ୍ରୀୟ ସଂହତି ଓ ସଂସ୍କୃତି ବହୁ ପରିମାଣରେ ଶାସକ ବା ଶାସକବର୍ଗଙ୍କ ବ୍ୟକ୍ତିତ୍ଵ ନୈତିକମାନ, ଶାସନ କୁଶଳତା, ପ୍ରଜାବତ୍ସଳତା ଓ ରାଷ୍ଟ୍ରର ସର୍ବବିଧ କଲ୍ୟାଣ ସାଧନ ମନୋବୃତ୍ତି ଉପରେ ନିର୍ଭରଶୀଳ । ଏହା ଅବଶ୍ୟ ସତ୍ୟ ଯେ ଯେକୌଣସି ସମୟର ଓ ଯେକୌଣସି ଦେଶର ଜନସାଧାରଣ, ଯେଭଳି ଶାସନ ପ୍ରଥା ଓ ଶାସକବର୍ଗ ପାଇବାର ହକଦାର, ସେହିଭଳି ଶାସନ ପ୍ରଥା ଓ ଶାସକବର୍ଗ ଲାଭ କରିଥାନ୍ତି । ଯଥା, ଯଦି କୌଣସି ଦେଶର ଜନସାଧାରଣ ନିଜ ନିଜର ବ୍ୟକ୍ତିଗତ ସ୍ଵାଧୀନତା, ନାଗରିକ ଅଧିକାର ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ବଦ୍ଧରେ ଅଚେତନ ବା ବୀତସ୍ପୃହ ତାହେଲେ ତାର ସୁଯୋଗ ନେଇ ଦେଶରେ ଉଦ୍ଭବ ଘଟେ ଏକଛତ୍ର, ସ୍ଵେଚ୍ଛାଚାରୀ ଶାସନ ପ୍ରଥା ଓ ଶାସକବର୍ଗଙ୍କର । ଅପର ପକ୍ଷରେ, ଯଦି କୌଣସି ଦେଶର ଜନସାଧାରଣ, ନିଜ ନିଜର ବ୍ୟକ୍ତିଗତ ସ୍ଵାଧୀନତା ନାଗରିକ ଅଧିକାର ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ବଦ୍ଧରେ ସଚେତନ ଓ ସେହି ମୂଲ୍ୟବୋଧ ଓ ସେହି ଅଧିକାର ସାବ୍ୟସ୍ତ କରିବା ନିମିତ୍ତ ସର୍ବଦା ଉଦ୍ୟମଶୀଳ, ସର୍ବଦା ଜାଗ୍ରତ ଓ ସେଥିନିମିତ୍ତ ଆବଶ୍ୟକ ତ୍ୟାଗ ସ୍ଵୀକାର କରିବା ନିମିତ୍ତ ସର୍ବଦା ଉଦ୍ୟମଶୀଳ, ସର୍ବଦା ଜାଗ୍ରତ ଓ ସେଥିନିମିତ୍ତ ଆବଶ୍ୟକ ତ୍ୟାଗ ସ୍ଵୀକାର କରିବା ନିମିତ୍ତ ସର୍ବଦା ପ୍ରସ୍ତୁତ, ତାହାହେଲେ ସେହି ଦେଶରେ ଗଣତନ୍ତ୍ର ଶାସନ ଯେ କେବଳ ପ୍ରଚଳିତ ହେବ ସେତିକି ନୁହେଁ, ତାହା ଚିରସ୍ଥାୟୀ ମଧ୍ୟ ହେବ । ତଥାପି ଏହା ମଧ୍ୟ ସତ୍ୟ ଯେ ଯେକୌଣସି ଦେଶର ଜନସାଧାରଣଙ୍କର ଆଚାର ଆଚରଣ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ମନୋଭାବ ଓ ଜାତୀୟ ସଂସ୍କୃତି ବହୁ ପରିମାଣରେ ନିର୍ଣ୍ଣିତ ହୋଇଥାଏ ଶାସକ ବା ଶାସକବର୍ଗଙ୍କର ଆଚାର ଆଚରଣ ରୀତିନୀତି, ଜୀବନ ଦର୍ଶନ ଓ ନୈତିକ ମୂଲ୍ୟବୋଧ ଦ୍ଵାରା । ତେଣୁ ଯୁଗେ ଯୁଗେ ବିଭିନ୍ନ ଦେଶର ମନୀଷୀମାନେ ଶାସକ ଓ ଶାସକବର୍ଗଙ୍କ ବ୍ୟକ୍ତିତ୍ୱ ଓ ଚରିତ୍ର, ନୈତିକମାନ ଓ କାର୍ଯ୍ୟଦକ୍ଷତା ଉପରେ ପ୍ରଭୂତ ଗୁରୁତ୍ଵ ଆରୋପ କରିଥାନ୍ତି ।

 

ଗ୍ରୀକ୍ ଦାର୍ଶନିକ ପ୍ଳେଟୋ (Plato) ପ୍ରାୟ ଅଢ଼େଇ ହଜାର ବର୍ଷ ପୂର୍ବେ ତାଙ୍କ ରଚିତ “ସାଧାରଣତନ୍ତ୍ର” (Republic) ପୁସ୍ତକରେ ଲିପିବଦ୍ଧ କରିଛନ୍ତି ଯେ, ତାଙ୍କ କଳ୍ପିତ ଆଦର୍ଶ ସମାଜ ସାକାର ହେବା ନିମିତ୍ତ ଓ ରାଷ୍ଟ୍ରମାନଙ୍କର ଦୁଃଖ ଦୁର୍ଦ୍ଦଶାର ଏପରିକି ମାନବ ସମାଜର ଦୁଃଖ ଦୁର୍ଦ୍ଦଶାର ଅବସାନ ଘଟିବା ନିମିତ୍ତ ନିତାନ୍ତ ଆବଶ୍ୟକ ଦାର୍ଶନିକମାନଙ୍କର ଶାସନ ଦାୟିତ୍ଵ ଗ୍ରହଣ କରିବା ବା ଶାସକମାନଙ୍କଠାରେ ଦାର୍ଶନିକ ମନୋବୃତ୍ତି ବିକଶିତ ହେବା । ତେଣୁ ତାଙ୍କ ମତରେ ଦେଶରେ ସୁଶାସନ, ଶାନ୍ତି ଓ ପ୍ରଗତି ନିମିତ୍ତ ଶାସକମାନେ ଦାର୍ଶନିକ ମନୋବୃତ୍ତି ସମ୍ପନ୍ନ ବ୍ୟକ୍ତି ହେବା ନିତାନ୍ତ ଆବଶ୍ୟକ । ଏହା ବ୍ୟତୀତ ଅନ୍ୟକୌଣସି ପନ୍ଥା ନାହିଁ ।

 

ଦାର୍ଶନିକ ଶବ୍ଦର ବ୍ୟାଖ୍ୟା କରିବାକୁ ଯାଇ ପ୍ଳେଟୋ ଦର୍ଶାଇଛନ୍ତି ଯେ, କେବଳ ବିଜ୍ଞବ୍ୟକ୍ତି ଓ ତତ୍ତ୍ଵଦର୍ଶୀମାନେ ହିଁ ଦାର୍ଶନିକ ପଦବାଚ୍ୟ । ତାଙ୍କ ମତରେ ଯେଉଁ ବ୍ୟକ୍ତିଙ୍କର ଜ୍ଞାନ ଆହରଣତାର ବାସନା ପ୍ରବଳ, ଯେଉଁ ବ୍ୟକ୍ତି ସତ୍ୟାନ୍ଵେଷୀ, ଜ୍ଞାନର ପ୍ରତ୍ୟେକ ବିଭାଗ ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ନିମିତ୍ତ, ଯେଉଁ ବ୍ୟକ୍ତି ବ୍ୟାକୁଳ ଓ ସୃଷ୍ଟିର ସମସ୍ତ ବସ୍ତୁ ସମ୍ବନ୍ଧରେ ସତ୍ୟାନୁସନ୍ଧାନ ଯାହାଙ୍କର ଲକ୍ଷ୍ୟ, ସେହି ବ୍ୟକ୍ତି ହିଁ ପ୍ରକୃତ ଦାର୍ଶନିକ ଓ ସେହି ବ୍ୟକ୍ତିହିଁ ଶାସକ ହେବା ନିମିତ୍ତ ଉପଯୁକ୍ତ ବ୍ୟକ୍ତି । ଏହିଭଳି ଦାର୍ଶନିକ ବ୍ୟକ୍ତିମାନେ ଶାସକ ହେଲେ ସେମାନେ ସମାଜର ଆଇନ୍ ଓ ଚଳଣିର ସୁରକ୍ଷା ନିମିତ୍ତ ଯତ୍ନବାନ ହେବେ ।

 

ଦାର୍ଶନିକ ଶାସକମାନଙ୍କ ଚରିତ୍ର ସମ୍ବନ୍ଧରେ ପ୍ଳେଟୋ ମତବ୍ୟକ୍ତ କରିଛନ୍ତି ଯେ, ଏହିଭଳି ଶାସକମାନେ ହେବେ ସତ୍ୟବାଦୀ । ଅସତ୍ୟକୁ ପ୍ରଶୟ ଦେବା ଦୂରେ ଥାଉ ସେମାନେ ଅସତ୍ୟ ପ୍ରତି ଘୃଣାଭାବ ପ୍ରଦର୍ଶନ କରିବେ । ସେମାନେ ହେବେ ଆତ୍ମସଂଯମୀ ଓ ଅର୍ଥଲୋଭର ସେମାନେ ବଶବର୍ତ୍ତୀ ହେବେ ନାହିଁ । ସେମାନେ ହେବେ ଉଚ୍ଚମନା ଓ ସାହସୀ । ସେମାନେ ହେବେ ବିଚାରବନ୍ତ ଓ ସମଦର୍ଶୀ । ସର୍ବୋପରି ସେମାନଙ୍କର ରହିବା ଆବଶ୍ୟକ “ତୀକ୍ଷଣ ସ୍ମରଣ ଶକ୍ତି, ଜ୍ଞାନ, ଆହରଣ ନିମିତ୍ତ ସ୍ଫୃହା, ଉଦାରତା, ପ୍ରସନ୍ନ ସ୍ଵଭାବ, ସତ୍ୟାନୁସନ୍ଧିତ୍ସା, ନ୍ୟାୟପରତା ଓ ଆତ୍ମସଂଯମ ଭାବ” ଓ ସେମାନେ ହେବେ “ସୁଶିକ୍ଷିତ ଓ ପରିପକ୍ଵ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ।”

 

ବୈଦିକ ଯୁଗରୁ ଆରମ୍ଭ କରି ଗାନ୍ଧୀଯୁଗ ପର୍ଯ୍ୟନ୍ତ ଏ ଦେଶର ଚିନ୍ତାନାୟକମାନେ ମଧ୍ୟ ଦେଶର ସୁଶାସନ ନିମିତ୍ତ ଶାସକମାନଙ୍କ ଚରିତ୍ର, ଶିକ୍ଷାଗତ ଯୋଗ୍ୟତା, ନୈତିକମାନ ଶୃଙ୍ଖଳାଜ୍ଞାନ, ଆତ୍ମସଂଯମ ଇତ୍ୟାଦି ଉପରେ ଗୁରୁତ୍ଵ ଆରୋପ କରିଛନ୍ତି ।

 

ବୈଦିକ ସଂହିତା ଓ ବ୍ରାହ୍ମଣମାନଙ୍କରେ ଶାସନମାନଙ୍କର ଧର୍ମନିଷ୍ଠା, ଚରିତ୍ରବତ୍ତା, କର୍ତ୍ତବ୍ୟ ପରାୟଣତା ଇତ୍ୟାଦି ଉପରେ ଗୁରୁତ୍ଵ ଆରୋପ କରାଯାଇଛି । ଏଭଳିକି ରୁକ୍ଷ ବାକ୍ୟ ପ୍ରୟୋଗ କରିବା ମଧ୍ୟ ଶାସକମାନଙ୍କର ପଦମର୍ଯ୍ୟାଦା କ୍ଷୁଣ୍ଣ କରୁଥିବା ବିବେଚିତ ହୋଇଛି । ସେହିଭଳି ପ୍ରାଚୀନ ସ୍ମୃତିଶାସ୍ତ୍ର ବା ଧର୍ମସୂତ୍ରମାନଙ୍କରେ ମଧ୍ୟ ଶାସକମାନଙ୍କ ଚରିତ୍ରବତ୍ତା, ଧର୍ମପରାୟଣତା ଓ ଶାସ୍ତ୍ରଜ୍ଞାନର ଗୁରୁତ୍ଵ ଉପଲବ୍ଧି କରାଯାଇଛି । ବିଶେଷତଃ ଗୌତମଙ୍କ ମତରେ ଶାସକ ବେଦଜ୍ଞ ବ୍ୟକ୍ତି ହେବା ଆବଶ୍ୟକ ଓ ଦର୍ଶନ ଶାସ୍ତ୍ରରେ ବ୍ୟୁତ୍ପତ୍ତି ହାସଲ କରିଥିବା ଉଚିତ । ଏହା ବ୍ୟତୀତ ଶାସକ ଆତ୍ମସଂଯମ ବିଶେଷତଃ ଇନ୍ଦ୍ରିୟସଂଯମ ଅଭ୍ୟାସ କରୁଥିବା ଉଚିତ । ବିଷ୍ଣୁଙ୍କ ମତରେ ଶାସକ ଶିକାର, ଜୁଆଖେଳ ଓ ନାରୀମାନଙ୍କ ପ୍ରତି ଆସକ୍ତ ହେବା ଉଚିତ ନୁହେଁ ।

 

ବ୍ୟାସଦେବ ତାଙ୍କ ରଚିତ ମହାଭାରତର ଶାନ୍ତିପର୍ବରେ ଆଦର୍ଶ ଶାସକଙ୍କ ସମ୍ବନ୍ଧରେ ମତବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଶାସକଙ୍କର ବ୍ୟକ୍ତିଗତ ଚରିତ୍ର, ଆଚାର ଆଚରଣ ଉପରେ ଯଥେଷ୍ଟ ଗୁରୁତ୍ଵ ଆରୋପ କରିଛନ୍ତି । ବିଶେଷତଃ ସେ ଶାସକଙ୍କର ଧର୍ମପରାୟଣତା, ନ୍ୟାୟପରାୟଣତା, କର୍ତ୍ତବ୍ୟପରାୟଣତା ଓ ପ୍ରଜାବତ୍ସଳତା ଇତ୍ୟାଦିକୁ ତାଙ୍କର ମହାର୍ଘ ଓ ମନୋଜ୍ଞ ଭୂଷଣଭାବେ ଗ୍ରହଣ କରିଛନ୍ତି । ଉତ୍‍ଶୃଙ୍ଖଳ ଓ ଅସଂଯତ ଆଚରଣକୁ ଶାସକୋଚିତ ନୁହେଁ ବୋଲି ମତବ୍ୟକ୍ତ କରିଛନ୍ତି । ତାଙ୍କ ମତରେ ଧର୍ମପ୍ରାଣ, ସତଚରିତ୍ର ଓ ସଦ୍‍ଗୁଣାବଳୀରେ ଭୂଷିତ ଶାସକମାନେ ଦେବ ପଦବାଚ୍ୟ । ଅପର ପକ୍ଷରେ ଧର୍ମଦ୍ରୋହୀ ଓ ଅସଦ୍‍ଗୁଣାବଳୀ ସମ୍ପନ୍ନ ଶାସକମାନେ ପାତାଳଗାମୀ ହେବା ସୁନିଶ୍ଚିତ ।

 

ବ୍ୟାସଦେବଙ୍କ ମତରେ ଧର୍ମଦ୍ଵେଷୀ ଓ ଅସଦାଚରଣଯୁକ୍ତ ଶାସକମାନେ ଅହଙ୍କାରୀ ହୋଇପଡ଼ନ୍ତି । ଅହଙ୍କାର ସେମାନଙ୍କର ଧ୍ଵଂସ ସାଧନର ପଥ ପରିଷ୍କାର କରେ । ତେଣୁ ତାଙ୍କ ମତରେ ଉନ୍ନତିକାମୀ ଶାସକମାନେ, ଅସଂଯତ, ଅଦୂରଦର୍ଶୀ, ଧର୍ମଦ୍ଵେଷୀ ଓ ନିଶାଦ୍ରବ୍ୟସେବୀମାନଙ୍କ ସଙ୍ଗର ପରିତ୍ୟାଗ କରିବା ଉଚିତ । ଏହିଭଳି ଶାସକମାନେ ଦରିଦ୍ରଙ୍କ ଧନ ଅନ୍ୟାୟରେ ଅପହରଣ କରିବେ ନାହିଁ । ବରଂ ସେମାନେ ଦୟାପରାୟଣ ହେବେ ଓ ଦରିଦ୍ର ଜନସାଧାରଣଙ୍କୁ କ୍ଷମତାନୁସାରେ ସାହାଯ୍ୟ କରିବେ । ସେମାନେ ମିଷ୍ଟଭାଷୀ ହେବେ, ଅହଙ୍କାର ଓ ଦ୍ଵେଷଭାବ ତ୍ୟାଗ କରିବେ । ତାଙ୍କ ମତରେ ଧର୍ମପରାୟଣତା ନ୍ୟାୟପରାୟଣତା, ନିର୍ଲୋଭତା, ଦୟା, କ୍ଷମା, ଧୈର୍ଯ୍ୟ ଇତ୍ୟାଦି ସଦ୍‍ଗୁଣାବଳୀର ଭୂଷିତ ଶାସକମାନଙ୍କର ଉନ୍ନତି, ଶତଶତ ନଦନଦୀର ଜଳ ନିଷ୍କାସିତ ହେଉଥିବା ସ୍ଫୀତବକ୍ଷା ମହୋଦଧି ଭଳି ଅବଧାରିତ । ଅପର ପକ୍ଷରେ ଧର୍ମଦ୍ଵେଷୀ ଓ ଅସଦ୍ଉପାୟରେ ବିତ୍ତ-ଆହରଣକାରୀ ଶାସକମାନଙ୍କର କ୍ଷମତା ଓ ବିତ୍ତ ବିଭବ କ୍ଷଣସ୍ଥାୟୀ ।

 

ମନୁସଂହିତାରେ ମଧ୍ୟ ଆଦର୍ଶ ଶାସକମାନଙ୍କର ବ୍ୟାଖ୍ୟା କରାଯାଇଛି । ମନୁଙ୍କ ମତରେ ଆଦର୍ଶ ଶାସକ ସତ୍ୟପରାୟଣ ହେବା ଆବଶ୍ୟକ । ସେ ହେବେ ନିରପେକ୍ଷ ଓ ଅପ୍ରବଞ୍ଚକ । ସେ ରହିବେ ଅନ୍ୟାୟ ମାର୍ଗରେ ଅର୍ଥଆହରଣାକାରୀଠାରୁ ଦୂରରେ । ସେ ହେବେ ନାହିଁ ଇନ୍ଦ୍ରିୟର ବଶବର୍ତ୍ତୀ, ସେ ହେବେ ନମ୍ର, ବିନୟୀ । ସେ ହେବେ ନାହିଁ ବିଳାସ ବ୍ୟସନର ଦାସ । ସେ ପଶୁଶିକାର, ଜୁଆଖେଳ, ଦିବାନିଦ୍ରା, ନିଶାଦ୍ରବ୍ୟ, ଅତ୍ୟଧିକ ମାତ୍ରାରେ ନୃତ୍ୟ, ଗୀତ, ହିଂସା, କ୍ରୋଧ, ଅନ୍ୟାୟରେ ଅର୍ଥଆହରଣ ଲୋଭ ଓ ବିଶ୍ଵାସଘାତକତାଠାରୁ ଦୂରରେ ରହିବେ ଓ ଅତ୍ୟଧିକ ମାତ୍ରାରେ ନାରୀମାନଙ୍କ ପ୍ରତି ଆସକ୍ତ ହେବେ ନାହିଁ । ସର୍ବୋପରି ମନୁଙ୍କ ମତରେ ଶାସକମାନଙ୍କ ପକ୍ଷେ ଅସତଚରିତ୍ର ହେବା ମୃତ୍ୟୁ ଅପେକ୍ଷା ଅଧିକ ମାରାତ୍ମକ । ଅସଦାଚାରୀ ଶାସକ ନରକଗାମୀ ହୁଅନ୍ତି । ସତପ୍ରକୃତିର ଶାସକଙ୍କର ସ୍ଵର୍ଗବାସ ସୁନିଶ୍ଚିତ ।

 

କୌଟିଲ୍ୟଙ୍କର ଅର୍ଥଶାସ୍ତ୍ର ଅବଶ୍ୟ କୂଟନୀତିରେ ପୂର୍ଣ୍ଣ । ସାମ୍ରାଜ୍ୟ ପ୍ରତିଷ୍ଠା ଓ ସୁରକ୍ଷା ନିମିତ୍ତ କୌଟିଲ୍ୟ ଅବଶ୍ୟ କୂଟନୀତି ପ୍ରୟୋଗକୁ କେବଳ ଅନୁମୋଦନ କରି ନାହାନ୍ତି, ଏହାର ସେ ହୋଇଛନ୍ତି ଏକ ମୁଖ୍ୟ ପ୍ରବକ୍ତା । ତଥାପି ଦେଶରେ ସୁଶାସନ ନିମିତ୍ତ ସେ ଧର୍ମପରାୟଣ, ନ୍ୟାୟପରାୟଣ, ଚରିତ୍ରବାନ, ଓ ସଦ୍‍ଗୁଣାବଳୀ ସମ୍ପନ୍ନ ଶାସକଙ୍କ ଆବଶ୍ୟକତା ଉପଲବ୍ଧି କରିଛନ୍ତି-। ବସ୍ତୁତଃ ଏକ ଆଦର୍ଶ ଶାସକଙ୍କ ନିମିତ୍ତ କୌଟିଲ୍ୟ ନିର୍ଦ୍ଧାରଣ କରିଛନ୍ତି କେତେକ ଯୋଗ୍ୟତା-। ବିଦେଶୀରାଷ୍ଟ୍ର ଓ ଶତୃରାଷ୍ଟ୍ରମାନଙ୍କ ସହ ସମ୍ପର୍କ କ୍ଷେତ୍ରରେ କୌଟିଲ୍ୟ କୂଟନୀତି, ହିଂସା, ଅନୈତିକ ଆଚରଣ ଇତ୍ୟାଦି ପ୍ରୟୋଗର ସପକ୍ଷରେ ହେଲେହେଁ, ରାଜ୍ୟର ସୁଶାସନ ନିମିତ୍ତ ଶାସକମାନେ ଯେ ନୀତିପରାୟଣ ଓ ଧର୍ମପରାୟଣ ହେବା ଆବଶ୍ୟକ, ଏଥିରେ ତାଙ୍କର ତିଳେମାତ୍ର ଦ୍ଵିଧା ନଥିଲା-। ତେଣୁ ସୁଶାସକ ହେବା ନିମିତ୍ତ ବେଦାନୁମୋଦିତ ଶାସ୍ତ୍ର ଅଧ୍ୟୟନ, ଯାଗ ଯଜ୍ଞ, ଦାନ ଇତ୍ୟାଦି କର୍ମ ଶାସକଙ୍କର ଅବଶ୍ୟ କରଣୀୟ । ଏହା ବ୍ୟତୀତ କୌଟିଲ୍ୟଙ୍କ ମତରେ ସୁଶାସକ ହେବା ନିମିତ୍ତ ଆବଶ୍ୟକ ସତ୍ୟବାଦିତା, ନିର୍ମଳ ସ୍ଵଭାବ ଓ ଚରିତ୍ର, ଅହିଂସକ ସ୍ଵଭାବ, ଦୟାଭାବ, କ୍ଷମାଭାବ-। ଶାସନ କ୍ଷେତ୍ରରେ ଏଭଳି ସଦ୍‍ଗୁଣାବଳୀ ପ୍ରଦର୍ଶନ ଓ ପ୍ରୟୋଗ ଫଳରେ ଶାସକ ସ୍ଵର୍ଗବାସ ଓ ପରମାନନ୍ଦ ଲାଭ କରିବାକୁ ସମର୍ଥ ହୁଅନ୍ତି ।

 

କୌଟିଲ୍ୟ ଶାସକଙ୍କର ଇନ୍ଦ୍ରିୟ-ସଂଯମ ଉପରେ ଯଥେଷ୍ଟ ଗୁରୁତ୍ଵ ଆରୋପ କରିଛନ୍ତି । ତାଙ୍କ ମତରେ ଅଧ୍ୟୟନରେ ସୁଫଳ ଲାଭ ଓ ଶୃଙ୍ଖଳିତ ଜୀବନ ଯାପନ ନିମିତ୍ତ, ଇନ୍ଦ୍ରିୟ ସଂଯମ ଅତ୍ୟାବଶ୍ୟକ । କାମ, କ୍ରୋଧ, ଲୋଭ, ମୋହ, ମଦ ଓ ମାତ୍ସର୍ଯ୍ୟ ଭଳି ରିପୁମାନଙ୍କୁ ବଶୀଭୂତ କରି ନ ପାରିଲେ ଜଣେ ଶାସକ ସମଗ୍ର ପୃଥିବୀର କର୍ଣ୍ଣଧାର ହେଲେ ହେଁ, ତାହା ସେ ଅଧିକ କାଳ ରକ୍ଷାକରି ପାରିବେ ନାହିଁ । ଶାସକ ଜଣେ ସୁଶାସକ ହେବା ନିମିତ୍ତ କେବଳ ଯେ ଇନ୍ଦ୍ରିୟ ସଂଯମ କରିବେ ସେତିକି ନୁହେଁ, ସେ ହେବେ ସତ୍ୟବାଦୀ, ସ୍ଥିରବୁଦ୍ଧି ସମ୍ପନ୍ନ ଓ ଅସଦାଚରଣର ଶତୃ । ସେ ହେବେ ଧର୍ମପରାୟଣ ଓ ନ୍ୟାୟପରାୟଣ ।

 

କୌଟିଲ୍ୟ ସୁଶାସକମାନଙ୍କ ନିମିତ୍ତ ନିର୍ଦ୍ଧାରଣ କରିଛନ୍ତି ଦୈନନ୍ଦିନ ଜୀବନରେ ଶୁଦ୍ଧ-ଶୃଙ୍ଖଳା-ଜ୍ଞାନର ପ୍ରୟୋଗ ସେମାନେ ଜୀବନରେ ଏଭଳି ଆତ୍ମସଂଯମ ଆଚରଣ କରିବେ ଯେ, ସେମାନେ ଦିବାରାତ୍ର ମଧ୍ୟରେ ଶୟନ କରିବେ କେବଳ ସାଢ଼େ ଚାରି ଘଣ୍ଟା ମାତ୍ର । ରାତ୍ର ସାଢ଼େ ଏକ ଘଣ୍ଟାଠାରୁ ଆରମ୍ଭ ହେବ ସେମାନଙ୍କର ଦିନଚର୍ଯ୍ୟା । ପ୍ରତ୍ୟୁଷ ପୂର୍ବରୁ ଏକାକୀ, କାହାରି ଦ୍ଵାରା ପ୍ରଭାବିତ ନହୋଇ, ସେ ଗ୍ରହଣ କରିବେ ଜଟିଳ ଶାସନଗତ ସମସ୍ୟା ସମ୍ବନ୍ଧରେ ନିଷ୍ପତ୍ତି । ସମସ୍ତ ନିତ୍ୟକର୍ମ ଶେଷକରି ପ୍ରତ୍ୟୁଷ ୬ ଘଣ୍ଟା ସମୟକୁ ସେ ଆସି ଉପସ୍ଥିତ ହେବେ ରାଜ ଦରବାରରେ । ରାଜଦରବାରରେ ଉପସ୍ଥିତ ହେବା ପୂର୍ବରୁ, ସେ ଆର୍ଶୀବାଦ ଲାଭ କରିବେ, ପୁରୋଧାଙ୍କର, ଗୁରୁଦେବଙ୍କର । ଗୋବତ୍ସାଙ୍କୁ ଜଣାଇବେ ସଶ୍ରଦ୍ଧ ପ୍ରଣାମ । ଶାସନଗତ ଦାୟିତ୍ଵ ସମ୍ପନ୍ନ କରିବା ସମୟରେ ସେ ବ୍ୟକ୍ତିଗତ ଭାବେ ସମାଧାନ କରିବେ, ଦେବଦେବୀ ସମ୍ବନ୍ଧୀୟ, ବୈଦିକ ପଣ୍ଡିତମାନଙ୍କ ସମ୍ବନ୍ଧୀୟ, ଗୋବିପ୍ର ସମ୍ବନ୍ଧୀୟ, ଶିଶୁ ଓ ବାର୍ଦ୍ଧକ୍ୟଗ୍ରସ୍ତ ବ୍ୟକ୍ତି ସମ୍ବନ୍ଧୀୟ, ଦୀନ, ଦୁଃଖୀ ସମ୍ବନ୍ଧୀୟ ଓ ମହିଳାମାନଙ୍କ ସମ୍ବନ୍ଧୀୟ ସମସ୍ୟାମାନ । ସର୍ବୋପରି ଜଣେ ସୁଶାସକ ରାଜନୀତି ଓ ଦଣ୍ଡନୀତିର ବ୍ୟୁତ୍ପତ୍ତି ହାସଲ ସହ, ଚାରି ବେଦରେ ମଧ୍ୟ ବ୍ୟୁତ୍ପତ୍ତିହାସଲ କରିବା ଉଚିତ ।

 

ଭାରତବର୍ଷର ମଧ୍ୟଯୁଗୀୟ ମନୀଷୀ ଶୁକ୍ର ତାଙ୍କର “ନୀତିସାର” ଗ୍ରନ୍ଥରେ ସୁଶାସକ ହେବା ନିମିତ୍ତ ଆବଶ୍ୟକ ସଦ୍‍ଗୁଣମାନଙ୍କର ବର୍ଣ୍ଣନା କରିଛନ୍ତି । ତାଙ୍କ ମତରେ ସୁଶାସକଙ୍କ ଗୁଣାବଳୀ ମଧ୍ୟରେ “ନୀତିସାର”ରେ ବ୍ୟୁତ୍ପତ୍ତି ସର୍ବୋତ୍ତମ । ଉଚ୍ଚବଂଶଜ ଓ ବିତ୍ତବାନ୍ ହୋଇ ମଧ୍ୟ ଯଦି ଜଣେ ଶାସକ “ନୀତି” ସମ୍ବନ୍ଧରେ ଅଜ୍ଞ, ତାହାହେଲେ ତାଙ୍କର ଅବନତି ଓ ଧ୍ଵଂସ ଅନିବାର୍ଯ୍ୟ । ତାଙ୍କ ମତରେ ନୀତି ସମ୍ବନ୍ଧରେ ଅଜ୍ଞ ଶାସକ ଛିଦ୍ରଯୁକ୍ତ ଜଳାଧାର ଭଳି ପରିତ୍ୟାଗଯୋଗ୍ୟ । ଅପର ପକ୍ଷରେ ଜଣେ ଶାସକ ଯଦି ନୀତିଶାସ୍ତ୍ରରେ ବିଜ୍ଞ, ତାହାହେଲେ ତାଙ୍କର ସର୍ବାଙ୍ଗୀନ ଉନ୍ନତି ସ୍ଵତଃସିଦ୍ଧ ।

 

ନୀତି ସମ୍ଭନ୍ଧରେ ବ୍ୟାଖ୍ୟା କରିବାକୁ ଯାଇ ଶୁକ୍ର, ଶାସକଙ୍କର ଶୃଙ୍ଖଳା ଜ୍ଞାନ ଉପରେ ଯଥେଷ୍ଟ ଗୁରୁତ୍ଵ ଆରୋପ କରିଛନ୍ତି । ବସ୍ତୁତଃ ଶୃଙ୍ଖଳା ଜ୍ଞାନ, ନୀତିମାନଙ୍କ ମଧ୍ୟରେ ଶ୍ରେଷ୍ଠତମ ଓ ଶୃଙ୍ଖଳାଜ୍ଞାନର କେନ୍ଦ୍ରବିନ୍ଦୁ ଆତ୍ମ ସଂଯମ । ତେଣୁ ଶୃଙ୍ଖଳା ଜ୍ଞାନ ଓ ଆତ୍ମସଂଯମ ସୁଶାସକଙ୍କର ଶ୍ରେଷ୍ଠତମ ଗୁଣ । କିନ୍ତୁ ଏହି ଶୃଙ୍ଖଳାଜ୍ଞାନ ଓ ଆତ୍ମସଂଯମ ଆହରଣ ନିମିତ୍ତ ଶାସକଙ୍କୁ ଶାସ୍ତ୍ରମାନଙ୍କରେ ବ୍ୟୁତ୍ପତ୍ତି ହାସଲ କରିବାକୁ ପଡ଼ିବ ।ଶାସ୍ତ୍ରଜ୍ଞାନରେ ବ୍ୟୁତ୍ପତ୍ତି, ଇନ୍ଦ୍ରିୟ ସଂଯମ ଓ ଆତ୍ମସଂଯମର ପଥ ପରିଷ୍କାର କରେ । ଫଳରେ ଶାସକଙ୍କର ଜାତ ହୁଏ ଶୃଙ୍ଖଳା ଜ୍ଞାନ ।

 

ଶୁକ୍ରଙ୍କ ମତରେ ଜଣେ ସୁଶାସକ ହେବା ନିମିତ୍ତ ଆକାଂକ୍ଷା ଥିବା ବ୍ୟକ୍ତି ପ୍ରଥମେ ନିଜର ଶୃଙ୍ଖଳା ଜ୍ଞାନକୁ ଶାଣିତ କରିବା ଉଚିତ । ଏହି ଭଳି ସୁଶାସକ ନିଜର ପୁତ୍ରଙ୍କୁ ଶୃଙ୍ଖଳିତ କରିବେ ଓ ନିଜର କର୍ମଚାରୀ ଓ ଭୃତ୍ୟମାନଙ୍କୁ ମଧ୍ୟ ଶୃଙ୍ଖଳିତ କରିବେ ।

 

ଶୁକ୍ରଙ୍କ ମତରେ ଇନ୍ଦ୍ରିୟମାନେ ସ୍ତ୍ରୀ ଭଳି, ଉପଭୋଗ୍ୟ ବସ୍ତୁରୂପକ ବିସ୍ତୀର୍ଣ୍ଣ ଅରଣ୍ୟରେ ଘୂରିବୁଲନ୍ତି ବ୍ୟକ୍ତିର ଧ୍ଵଂସସାଧନ କରିବା ନିମିତ୍ତ । କିନ୍ତୁ ଏହି ଇନ୍ଦ୍ରିୟ ରୂପକ ହସ୍ତୀମାନେ ମନରୂପକ ମୁନିବର ବଶୀଭୂତ । ମନରୁ ନିର୍ଦ୍ଦେଶ ଅନୁସାରେ ସେମାନେ ଘୂରିବୁଲନ୍ତି ଉପଭୋଗ୍ୟ ବସ୍ତୁ ରୂପକ ବିସ୍ତୀର୍ଣ୍ଣ ଅରଣ୍ୟରେ । ତେଣୁ ଇନ୍ଦ୍ରିୟ ରୂପକ ହସ୍ତୀମାନଙ୍କୁ ଧ୍ଵଂସସାଧନରୁ ନିବୃତ୍ତ କରିବା ନିମିତ୍ତ ପ୍ରାଥମିକ ଆବଶ୍ୟକତା, ମନ ରୂପକ ମୁନିବକୁ ଜ୍ଞାନରୂପକ ଅଙ୍କୁଶ ବ୍ୟବହାର କରିବା । ସେହି ଜ୍ଞାନରୂପକ ଅଙ୍କୁଶ ହାସଲ କରିବା ନିମିତ୍ତ ଆବଶ୍ୟକ ନୀତିଶାସ୍ତ୍ରରେ ବ୍ୟୁତ୍ପତ୍ତି ।

 

ଶୁକ୍ରଙ୍କ ମତରେ ଯେଉଁ ଶାସକ ଇନ୍ଦ୍ରିୟମାନଙ୍କର ବଶହୁଅନ୍ତି ସେ ବନ୍ୟହସ୍ତୀ ଭଳି ଫାଶରେ ପଡ଼ନ୍ତି । କର୍ଣ୍ଣ, ଚକ୍ଷୁ, ଜିହ୍ଵା, ନାସା ଓ ଚର୍ମର ଆକର୍ଷଣ ପ୍ରତ୍ୟେକ ଏକ ଏକ ବିଷ ଭଳି ଓ ପ୍ରତ୍ୟେକ ଶାସକଙ୍କର ଜୀବନ ନେବା ନିମିତ୍ତ ସକ୍ଷମ । ଯେତେବେଳେ ଏହି ସମସ୍ତ ଇନ୍ଦ୍ରିୟରୂପକ ବିଷ ଏକତ୍ରିତ ହୁଅନ୍ତି ସେତେବେଳେ ସେମାନଙ୍କର ମାରାତ୍ମକତା ସହଜରେ ଅନୁମେୟ ।

 

ସର୍ବୋପରି, ଶୁକ୍ର ଉପଦେଶ ପ୍ରଦାନ କରିଛନ୍ତି ଯେ ସୁଶାସକଙ୍କ ପକ୍ଷେ କେତେକ ସଦ୍‍ଗୁଣାବଳୀ ପରିତ୍ୟାଗ କରିବା ଓ କେତେକ ସଦ୍‍ଗୁଣାବଳୀ ଅର୍ଜନ କରିବା ଏକାନ୍ତ ବାଞ୍ଛନୀୟ । ତାଙ୍କ ମତରେ, ଜଣେ ସୁଶାସକ, ନିଶାଦ୍ରବ୍ୟ, ଜୁଆଖେଳ ପରିହାର କରିବେ ଓ ନାରୀମାନଙ୍କ ପ୍ରତି ଆସକ୍ତ ହେବେ ନାହିଁ । ସେମାନେ ଗାୟକ, ନର୍ତ୍ତକୀ, ବାରନାରୀ, ନପୁଂସକ, ନୀଚ ବଂଶୋଦ୍ଭବ ବ୍ୟକ୍ତିମାନଙ୍କ ଗହଣରେ କାଳାତିପାତ କରିବେ ନାହିଁ । ସେ ସୁଖ ସମ୍ଭୋଗ ଓ ବିଳାସ ବ୍ୟସନରେ ମଜ୍ଜିବେ ନାହିଁ । ସେ ହେବେ ନାହିଁ ଦାମ୍ଭିକ, ଲୋଭୀ, କ୍ରୋଧୀ ଓ ନିଶାସକ୍ତ । ତାଙ୍କର ରହିବ ନାହିଁ ଅନ୍ୟାୟରେ ଅର୍ଥ ଉପାର୍ଜନର ମମତା ଓ ବିତ୍ତ ବିଭବ ପ୍ରତି ଆସକ୍ତି । ସେ ହେବେ ନାହିଁ ସ୍ଵେଚ୍ଛାଚାରୀ ।

 

ଅପର ପକ୍ଷରେ ହେବେ କର୍ତ୍ତବ୍ୟ ପରାୟଣ । ସେ ଅଭ୍ୟାସ କରିବେ ବିଭିନ୍ନ ପ୍ରକାର ଯାଗଯଜ୍ଞ । ସେ ହେବେ ଉଦାର ହୃଦୟଯୁକ୍ତ ଓ ସହିଷ୍ଣୁ । ସେ ହେବେ କ୍ଷମାଶୀଳ । ସେ ଜନସାଧାରଣଙ୍କର ସୁଖ, ସମୃଦ୍ଧି ବୃଦ୍ଧି ନିମିତ୍ତ ସର୍ବଦା ତତ୍ପର ରହିବେ ।

 

ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର ଗାନ୍ଧିଜୀ ସ୍ଵାଧୀନତା ସମ୍ବନ୍ଧରେ ଚିନ୍ତା କରୁଥିବା ସମୟରେ ମଧ୍ୟ ଚିନ୍ତା କରୁଥିଲେ । ସ୍ଵାଧୀନ ଭାରତର ଶାସକମାନଙ୍କ ସମ୍ବନ୍ଧରେ ସେ ଉପଲବ୍ଧି କରୁଥିଲେ ଯେ କେବଳ ବ୍ରିଟିଶ ଶାସକମାନେ ଏ ଦେଶରୁ ଅପସରିଗଲେ ଓ ଭାରତୀୟମାନେ ସେମାନଙ୍କ ସ୍ଥାନ ପୂରଣ କଲେ ପ୍ରକୃତ ସ୍ଵରାଜ ବା ସ୍ଵାଧୀନତା ଜନସାଧାରଣଙ୍କର କରଗତ ହେବ ନାହିଁ । ଗାନ୍ଧିଜୀ କୌଣସି ମହତ୍ ଲକ୍ଷ୍ୟ ହାସଲ ନିମିତ୍ତ ସାଧନର ମହାନତା ଓ ମହତ୍ତ୍ଵ ଉପରେ ଯଥେଷ୍ଟ ଗୁରୁତ୍ଵ ଆରୋପ କରୁଥିଲେ । ତେଣୁ ସ୍ଵାଧୀନତା ହାସଲ ପରେ କିଭଳି ଶାସକମାନେ ପ୍ରକୃତ ସ୍ଵରାଜ, ଜନସାଧାରଣଙ୍କ ନିମିତ୍ତ ସ୍ଵରାଜ ପ୍ରତିଷ୍ଠା କରିବାକୁ ସମର୍ଥ ହେବେ, ସେ ସମ୍ବନ୍ଧରେ ତାଙ୍କର ନିର୍ଦ୍ଦିଷ୍ଟ ମତ ମଧ୍ୟ ଥିଲା । ଗୋରା ଶାସକମାନଙ୍କ ନିଷ୍ପେଷଣ ପରିବର୍ତ୍ତେ ଭାରତୀୟରାଜ-ରାଜୁଡ଼ାମାନଙ୍କର ନିଷ୍ପେଷଣ ତାଙ୍କର ସମର୍ଥନ ଲାଭ କରିବାକୁ ସମର୍ଥ ହୋଇ ନଥିଲା । ତେଣୁ ୧୯୪୭ ମସିହା ଜୁଲାଇ ୨୭ ତାରିଖ ‘ହରିଜନ’ରେ ସେ ମତବ୍ୟକ୍ତ କରିଥିଲେ । “ଭାରତ ବର୍ଷକୁ ପ୍ରକୃତଭାବେ ସ୍ଵାଧୀନ କରିବାକୁ ହେଲେ, ଆମମାନଙ୍କର ଲକ୍ଷ୍ୟ ହେବ କୌଣସି ପ୍ରତିଦାନର ବାସନା ପରିବର୍ତ୍ତେ ଓ କ୍ଷମତା ହାସଲର ଲୋଭ ପରିବର୍ତ୍ତେ । ନିଷ୍ଠାପର ସେବା ମନୋବୃତ୍ତି ଆମେମାନେ ନିଜ ନିଜର ସ୍ଵାର୍ଥ ସମ୍ବନ୍ଧରେ ଚିନ୍ତା ନକରି ଆମ ଦେଶ ସମ୍ବନ୍ଧରେ ଚିନ୍ତା କରିବା ।” ଏହା ବ୍ୟତୀତ ତାଙ୍କ ମତରେ, “ସ୍ଵାଧୀନ ଭାରତର ଶାସକମାନେ ହେବେ ଜନସାଧାରଣଙ୍କର ରକ୍ଷକ, ନ୍ୟାସୀ ଓ ବନ୍ଧୁ । ସେମାନଙ୍କ ଜୀବନଧାରଣର ମାନ ଓ ସାଧାରଣ କୃଷକଙ୍କର ଜୀବନଧାରଣର ମାନ ମଧ୍ୟରେ ଆକାଶ ପାତାଳ ପ୍ରଭେଦ ପରିଲକ୍ଷିତ ହେବନାହିଁ । ଶାସକମାନଙ୍କ ବାସଗୃହ ଓ କୃଷକମାନଙ୍କ କୁଟୀର ମଧ୍ୟରେ ପ୍ରଭେଦ ଅସହନୀୟହେବା ଉଚିତ ନୁହେଁ । ସେମାନଙ୍କର ଆବଶ୍ୟକତା ମଧ୍ୟରେ ପାର୍ଥକ୍ୟ ସାମାନ୍ୟ ହେବା ଆବଶ୍ୟକ ।”

 

ସ୍ଵାଧୀନତା ଦିବସ ଅବସରରେ ଗାନ୍ଧିଜୀ ପଶ୍ଚିମବଙ୍ଗଳାର ମନ୍ତ୍ରୀପରିଷଦର ସଭ୍ୟମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ, “ଆଜିଠାରୁ ତୁମମାନଙ୍କୁ କଣ୍ଟକାକୀର୍ଣ୍ଣ ରାଜମୁକୁଟ ପରିଧାନ କରିବାକୁ ପଡ଼ିବ । ସର୍ବଦା ଯତ୍ନବାନ ହୁଅ ସତ୍ୟ ଓ ଅହିଂସା ଅଭ୍ୟାସ କରିବା ନିମିତ୍ତ । ନମ୍ରହୁଅ, ସହନଶୀଳ ହୁଅ । ବର୍ତ୍ତମାନ ତୁମମାନଙ୍କୁ ପ୍ରତି ମୂହୁର୍ତ୍ତରେ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ । କ୍ଷମତା ସମ୍ବନ୍ଧରେ ସତର୍କ ରୁହ । କ୍ଷମତା କଳଙ୍କିତ କରେ । ଏହାର ଆଡ଼ମ୍ବର ଓ ପ୍ରଦର୍ଶନ ଭାବର ବଶବର୍ତ୍ତୀ ହୁଅନାହିଁ । ସ୍ମରଣ ରଖ, ତୁମେମାନେ କ୍ଷମତାକୁ ଆସିଛ ଭାରତ ବର୍ଷର ଦରିଦ୍ର ଗ୍ରାମବାସୀମାନଙ୍କର ସେବା କରିବା ନିମିତ୍ତ ।”

 

ଏହା ପୂର୍ବରୁ ୧୯୪୬ ମସିହା ମଇ ମାସ ୫ତାରିଖରେ ଗାନ୍ଧିଜୀ ହରିଜନ ପତ୍ରିକାରେ ମତବ୍ୟକ୍ତ କରିଥିଲେ । “ଯେଉଁମାନେ ମନ୍ତ୍ରୀ ପଦବୀରେ ଅଧିଷ୍ଠିତ ସେମାନେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନ୍ୟାୟ ଦେବା ନିମିତ୍ତ ଯତ୍ନବାନ ହେବା ଉଚିତ । ବିଶେଷତଃ ନିଷ୍ପେଷିତ ଓ ଅବହେଳିତମାନଙ୍କ ଉନ୍ନତି ନିମିତ୍ତ ସେମାନେ ଅଧିକ ଯତ୍ନବାନ ହେବେ । ସେମାନେ ନିଜ ନିଜର ଆଚରଣ ଫଳରେ ଜନସାଧାରଣଙ୍କ ମଧ୍ୟରେ ଯେପରି ପତିଆରା ସୃଷ୍ଟି କରିପାରନ୍ତି ଯେ, ସେମାନେ ଜାତିର ସେବକ ମୁନିବ ନୁହଁନ୍ତି । “୧୯୩୮ ମସିହା ଏପ୍ରିଲ ମାସ ୨୩ ତାରିଖରେ “ହରିଜନ” ପତ୍ରିକାରେ ସେ ମତବ୍ୟକ୍ତ କରିଥିଲେ, “ମନ୍ତ୍ରୀମାନେ ସେମାନଙ୍କ ବ୍ୟକ୍ତିଗତ ଓ ସାମାଜିକ ଆଚରଣ ସମ୍ବନ୍ଧରେ ସତର୍କ ରହିବା ଆବଶ୍ୟକ । “ସିଜର”ଙ୍କ ପତ୍ନୀଙ୍କ ଭଳି ସେମାନେ ସେମାନଙ୍କର ସମସ୍ତ ଆଚରଣରେ ସନ୍ଦେହର ଊର୍ଦ୍ଧ୍ଵରେ ରହିବା ଆବଶ୍ୟକ । ସେମାନେ ନିଜ ପାଇଁ ନିଜର ସମ୍ପର୍କୀୟମାନଙ୍କ ପାଇଁ ବା ନିଜର ଆତ୍ମୀୟମାନଙ୍କ ପାଇଁ କୌଣସି ବ୍ୟକ୍ତିଗତ ଲାଭ ଯେଭଳି ନ ଉଠାନ୍ତି । ଯଦି ସେମାନଙ୍କର ସମ୍ପର୍କୀୟ ବା ଆତ୍ମୀୟମାନେ କୌଣସି ନିଯୁକ୍ତି ଲାଭ କରନ୍ତି, ତାହାହେଲେ ତାର କାରଣ ହେବା ଉଚିତ ଯେ, ସେମାନେ ପ୍ରାର୍ଥୀମାନଙ୍କ ମଧ୍ୟରେ ଯୋଗ୍ୟତମ । ଅଥବା ସରକାରୀ ନିଯୁକ୍ତିରୁ ସେମାନେ ଯେତିକି ସୁବିଧା ବା ସୁଯୋଗ ଲାଭ କରନ୍ତି, ଖୋଲାବଜାରରେ ସେମାନଙ୍କ ମୂଲ୍ୟ ତା ଅପେକ୍ଷା ଅଧିକ । ନିଜ ନିଜର କର୍ତ୍ତବ୍ୟ ସମ୍ପାଦନରେ ସେମାନେ ନିର୍ଭୀକ ହେବା ଆବଶ୍ୟକ ଓ ନିଜର ପଦବୀ ହରାଇବା ନିମିତ୍ତ ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ ।” ୧୯୪୬ ମସିହା ସେପ୍ଟେମ୍ବର ୨୯ ତାରିଖ ‘ହରିଜନ’ରେ ସେ ମତବ୍ୟକ୍ତ କରିଥିଲେ “ମନ୍ତ୍ରୀମାନେ, ସାହେବମାନଙ୍କ ଭଳି ଜୀବନଧାରଣ କରିବା ଉଚିତ ନୁହେଁ । ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନ ନିମିତ୍ତ ପ୍ରଦତ୍ତ ସରକାରୀ ସୁବିଧା ସେମାନେ ବ୍ୟକ୍ତିଗତ କାର୍ଯ୍ୟରେ ବିନିଯୋଗ କରିବେ ନାହିଁ ।” ୧୯୪୭ ମସିହା ସେପ୍ଟେମ୍ବର ମାସ ୨୧ ତାରିଖ ‘ହରିଜନ’ରେ ସେ ମତବ୍ୟକ୍ତ କରିଥିଲେ ଯେ, ମନ୍ତ୍ରୀମାନେ ତୀବ୍ର ସମାଲୋଚନା ନିମିତ୍ତ ପ୍ରସ୍ତୁତ ରହିବେ । ସେମାନେ ସରଳ ନିରାଡ଼ମ୍ବର ଜୀବନଯାପନ କରିବେ । ସେମାନେ ହେବେ ସାହସୀ, ସଚ୍ଚୋଟ ଓ କାର୍ଯ୍ୟଦକ୍ଷ ।

 

ରାଜ୍ୟପାଳ ଆଚରଣ ସମ୍ଭନ୍ଧରେ ମଧ୍ୟ ଗାନ୍ଧିଜୀଙ୍କର ନିର୍ଦ୍ଦିଷ୍ଟ ମତ ଥିଲା । ୧୯୪୭ ମସିହା ଅଗଷ୍ଟ ମାସ ୨୪ ତାରିଖ ‘ହରିଜନ’ରେ ସେ ମତବ୍ୟକ୍ତ କରିଥିଲେ, “ଜଣେ ଭାରତୀୟ ରାଜ୍ୟପାଳ ନିଜର ଆଚରଣ ଓ ପରିବେଶରେ ଜଣେ ମଦ୍ୟପାନ ବିରୋଧୀ ହେବା ଆବଶ୍ୟକ । ଏହା ବ୍ୟତୀତ ଜଣେ ରାଜ୍ୟପାଳ ଜନସାଧାରଣ ତାଙ୍କ ନିକଟରେ ସହଜରେ ଉପସ୍ଥିତ ହୋଇ ପାରୁଥିବା ଭଳି ଏକ କୁଟୀରରେ ବାସ କରିବା ଉଚିତ୍ । ତାଙ୍କ ବାସଭବନରେ ଅତ୍ୟନ୍ତ ମୂଲ୍ୟବାନ ଦେଶୀ ବା ବିଦେଶୀ ଆସବାବପତ୍ରର ସ୍ଥାନ ରହିବ ନାହିଁ । ସରଳ ଜୀବନଯାପନ ଓ ମହତ୍ ଚିନ୍ତା ତାଙ୍କ ଜୀବନର ଲକ୍ଷ୍ୟ ହେବ ଓ ତାହା କେବଳ ଲୋକ ଦେଖାଣିଆ ନ ହୋଇ ତାଙ୍କ ଜୀବନରେ ପ୍ରତିଫଳିତ ହେବ ।

 

ତେଣୁ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ଭୂଖଣ୍ଡର ଚିନ୍ତାନାୟକମାନେ ଶାସକମାନଙ୍କ ନିମିତ୍ତ ନିର୍ଦ୍ଦିଷ୍ଟ ଆଚରଣ ବିଧି ପ୍ରଣୟନ କରିଛନ୍ତି । ସେହି ଆଚରଣବିଧି ଅନୁସରଣ, ଶାସକଙ୍କୁ ସୁଶାସକରେ ପରିଣତ କରେ । ପ୍ଳେଟୋଙ୍କଠାରୁ ଗାନ୍ଧିଜୀଙ୍କ ପର୍ଯ୍ୟନ୍ତ ମନୀଷୀମାନେ ଶାସକମାନଙ୍କୁ ଶୃଙ୍ଖଳିତ ଜୀବନଯାପନ ସଙ୍ଗେ ସଙ୍ଗେ, ଶାସନ କ୍ଷେତ୍ରରେ କେତେକ ନୈତିକ ଓ ମାନବିକ ମୂଲ୍ୟବୋଧ ପ୍ରଦର୍ଶନ ନିମିତ୍ତ ପରାମର୍ଶ ପ୍ରଦାନ କରିଛନ୍ତି । ବ୍ୟକ୍ତିଗତ ଜୀବନରେ ଇନ୍ଦ୍ରିୟ ସଂଯମୀ ଓ ଆତ୍ମସଂଯମୀ ହେବା ସଙ୍ଗେ ସଙ୍ଗେ ରାଷ୍ଟ୍ରଶାସକ କ୍ଷେତ୍ରରେ ସେମାନେ ହେବା ଆବଶ୍ୟକ–ସତ୍ୟନିଷ୍ଠ, ନ୍ୟାୟପରାୟଣ, ନିର୍ଲୋଭୀ । ଅନ୍ୟାୟ ଉପାୟରେ ଅର୍ଥ ଆହରଣପ୍ରତି ସେମାନଙ୍କର ରହିବ ବିତୃଷ୍ଣା । ପ୍ରିୟାପ୍ରୀତି ତୋଷଣ ଓ ପକ୍ଷପାତିତାଠାରୁ ସେମାନେ ରହିବେ ଦୂରରେ । ସରଳ ଓ ନିରାଡ଼ମ୍ବର ଜୀବନଯାପନ ଓ ଜନସେବା ହେବ ସେମାନଙ୍କ ଜୀବନର ବ୍ରତ । ପ୍ଳେଟୋ ଶାସକମାନଙ୍କର ଜ୍ଞାନ ଆହରଣ ନିମିତ୍ତ ବଳବତୀ ବାସନା ଓ ସତ୍ୟବ୍ରତ ଉପରେ ଯଥେଷ୍ଟ ଗୁରୁତ୍ଵ ଆରୋପ କରୁଥିବା ସ୍ଥଳେ ଭାରତୀୟ ମନୀଷୀମାନେ ଶାସକଙ୍କର ଧର୍ମଭାବ, ଧର୍ମଶାସ୍ତ୍ରରେ ବ୍ୟୁତ୍ପତ୍ତି ଓ ନ୍ୟାୟପରାୟଣତା ଉପରେ ଗୁରୁତ୍ଵ ଆରୋପ କରିଛନ୍ତି । ବିଶେଷତଃ ଗାନ୍ଧିଜୀଙ୍କର ଗୁରୁତ୍ଵ ଆରୋପ, ଅନ୍ୟାୟ ଉପାୟରେ ଅର୍ଥଉପାର୍ଜନ ନିମିତ୍ତ ବିତୃଷ୍ଣା, ଦୁର୍ନୀତିମୁକ୍ତ ସରଳ ଓ ନିରାଡ଼ମ୍ବର ଜୀବନଯାପନ ଓ ଜନସେବା ନିମିତ୍ତ ଉତ୍ସର୍ଗୀକୃତ ଜୀବନ ଉପରେ ।

 

ଉଲ୍ଲିଖିତ ପଟ୍ଟଭୂମି ଉପରେ ସ୍ଵାଧୀନତା-ପରବର୍ତ୍ତୀ କାଳର ଆମର ଶାସକମାନଙ୍କ ଆଚରଣକୁ ବିଚାରକୁ ନିଆଯାଉ । ପାଠକମାନେ ନିଶ୍ଚିତ ଉପଲବ୍ଧି କରିବେ ଯେ, ସେହି ମାନଦଣ୍ଡ ସାହାଯ୍ୟରେ ଆମର ଶାସକବର୍ଗଙ୍କର ମୂଲ୍ୟାୟନ କରିବାକୁ ଚେଷ୍ଟାକଲେ ସେମାନେ ବହୁ ପରିମାଣରେ ନିରାଶ ହେବେ । ଦୀର୍ଘ ପ୍ରାୟ ଅର୍ଦ୍ଧଶତାବ୍ଦୀ ସମୟ ମଧ୍ୟରେ ଉଭୟ କେନ୍ଦ୍ରୀୟ ସରକାର ଓ ରାଜ୍ୟ ସରକାରମାନଙ୍କର ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ହଜାର ହଜାର ଶାସକମାନଙ୍କ ମଧ୍ୟରୁ ଯଦି ସେମାନେ ଏକ ଡଜନ ଶାସକଙ୍କୁ ଓ ଉଲ୍ଲିଖିତ ସମସ୍ତ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ଭାବେ ଲାଭ କରନ୍ତି ତାହାହେଲେ ସେମାନେ ନିଜକୁ ଭାଗ୍ୟବାନ ମନେ କରିବା ଉଚିତ ।

 

ବର୍ତ୍ତମାନ ସ୍ଵାଧୀନତା-ପରବର୍ତ୍ତୀ କାଳର ଏ ଦେଶର ବିଶିଷ୍ଟ ଶାସକମାନଙ୍କୁ ବିଚାରକୁ ନିଆଯାଉ । ଏହି ବିଶିଷ୍ଟ ଶାସକ ଗୋଷ୍ଠୀରେ ନିଶ୍ଚିତଭାବେ ଅନ୍ତର୍ଭୁକ୍ତ ହେବେ ଶ୍ରୀ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଶ୍ରୀ ଲାଲବାହାଦୂର ଶାସ୍ତ୍ରୀ, ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ, ଡକ୍ଟର ଜାକୀର ହୁସେନ ଓ ଶ୍ରୀ ମୋରାରଜୀ ଦେଶାଇ, ତାପରେ ? ତାପରେ ଆପଣ ଚେଷ୍ଟା କରିବେ ଏହି ଚିଠାରେ ଅନ୍ତର୍ଭୁକ୍ତ କରିବା ନିମିତ୍ତ ଶ୍ରୀମତୀ ଇନ୍ଦିରାଗାନ୍ଧୀ, ଶ୍ରୀ ରାଜୀବଗାନ୍ଧିଙ୍କୁ ଓ ବହୁ ଅଧିକ ଆପଣଙ୍କର ପ୍ରିୟ ଶାସକବୃନ୍ଦଙ୍କୁ । ତଥାପି ଉଲ୍ଲିଖିତ ମାନଦଣ୍ଡ ସାହାଯ୍ୟରେ ସେମାନଙ୍କର ମୂଲ୍ୟାଙ୍କନ କଲେ ସେମାନେ ନିଶ୍ଚିତଭାବେ ଅକୃତକାର୍ଯ୍ୟ ହେବେ ଓ ଆପଣମାନେ ନିରାଶ ହେବେ ।

 

ସ୍ଵାଧୀନତା ପରବର୍ତ୍ତୀ ପ୍ରାୟ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଏ ଦେଶରେ ହଜାର ହଜାର ଶାସକ ଶାସନ କ୍ଷମତାକୁ ଆସିଥିଲେ ମଧ୍ୟ, ସେମାନଙ୍କ ମଧ୍ୟରୁ କେବଳ ମୁଷ୍ଟିମେୟ ଶାସକ ପାଶ୍ଚାତ୍ୟ ଓ ଭାରତୀୟ ମାନଦଣ୍ଡ ଅନୁସାରେ ଯେ ବିଶିଷ୍ଟ ଶାସକ ଗୋଷ୍ଠୀର ଅନ୍ତର୍ଭୁକ୍ତ ଏହାର କାରଣ କଣ ହୋଇପାରେ ? ଏକ ପକ୍ଷରେ ଏହାର କାରଣ ହୋଇପାରେ ଶାସନ କ୍ଷମତାକୁ ଆସୁଥିବା ବ୍ୟକ୍ତିମାନଙ୍କର ଉଚ୍ଚକୋଟୀର ଶାସକ ହେବା ନିମିତ୍ତ ଯେଉଁ ଯେଉଁ ଗୁଣ ଆହରଣ କରିବା ଉଚିତ ସେ ସମ୍ବନ୍ଧରେ ଅଜ୍ଞତା । ଅପର ପକ୍ଷରେ ଏହାର କାରଣ ହୋଇପାରେ ଯେ, କ୍ଷମତାସୀନ ଶାସକମାନଙ୍କର ସୁଶାସକଙ୍କ ସଦ୍‍ଗୁଣାବଳୀ ସମ୍ବନ୍ଧରେ ଜ୍ଞାନ ଥିଲେ ମଧ୍ୟ ସେମାନଙ୍କର ନୈତିକ ମୂଲ୍ୟବୋଧ ଓ ଆତ୍ମସଞ୍ଜମର ଅଭାବ । ଉଦାହରଣ ସ୍ୱରୂପ, ଆମର ଉଲ୍ଲିଖିତ ବିଶିଷ୍ଟ ଶାସକମାନଙ୍କ ମଧ୍ୟରୁ ତିନିଜଣ ପୁରାତନ ରାଷ୍ଟ୍ରପତି ଯଥା, ଡକ୍ଟର ରାଜେନ୍ଦ୍ରପ୍ରସାଦ, ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ଓ ଡକ୍ଟର ଜାକୀର ହୁସେନଙ୍କୁ ବିଚାରକୁ ନିଆଯାଉ । ସେମାନେ ସମସ୍ତେ ଥିଲେ ବିଦ୍ଵାନ, ସମସ୍ତେ ଉଚ୍ଚ ଶିକ୍ଷିତ । ଭାରତୀୟ ସଂସ୍କୃତି ଓ ପାଶ୍ଚାତ୍ୟ ସଭ୍ୟତା ସଂସ୍କୃତି, ଭାରତୀୟ ଐତିହ୍ୟ ଓ ପାଶ୍ଚାତ୍ୟ ରାଜନୈତିକ ଐତିହ୍ୟ ସମ୍ବନ୍ଧରେ ସମସ୍ତଙ୍କର ଥିଲା ଗଭୀର ଜ୍ଞାନ-। ସମସ୍ତଙ୍କର ଥିଲା ତ୍ୟାଗପୂତ ଚରିତ୍ର । ସମସ୍ତଙ୍କର ଥିଲା ଉଚ୍ଚ ମାନବିକ ମୂଲ୍ୟବୋଧ-। କ୍ଷମତା ଆହରଣ କରିବା ନିଧ୍ୟତ୍ତ ସେମାନଙ୍କର ନଥିଲା ଆଗ୍ରହ, ଉତ୍ସାହ । କ୍ଷମତା ସେମାନଙ୍କ ଉପରେ ଲଦିଦିଆଯାଇଥିଲା । ଦେଶ ସେବା ନିମିତ୍ତ ନିଜର ପଦପଦବୀକୁ ସେମାନେ ଗ୍ରହଣ କରି ନେଇଥିଲେ ଏକ ସୁଯୋଗ ଭାବେ । ଏହି ସୁଯୋଗର ଅପବ୍ୟବହାର କରି ଅସଦ୍ ଉପାୟରେ ଅର୍ଥ ଉପାର୍ଜନ କରିବା ସେମାନଙ୍କର ନଥିଲା ପଦପଦବୀ ମଣ୍ଡନ କରିବାର ଲକ୍ଷ୍ୟ । ସମସ୍ତଙ୍କର ଥିଲା ଧର୍ମଭାବ । ସମସ୍ତଙ୍କର ଥିଲା ସରଳ ଓ ନିରାଡ଼ମ୍ବର ଜୀବନ ପ୍ରଣାଳୀ ଉପରେ ବିଶ୍ୱାସ-। ତେଣୁ ସାର୍ଥକ ରାଷ୍ଟ୍ରପତି ହିସାବରେ, ବିଶିଷ୍ଟ ଜନନାୟକ ହିସାବରେ ବରେଣ୍ୟ ଶାସକ ହିସାବରେ ସେମାନଙ୍କର ନାମ ଜାତୀୟ ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

 

ବର୍ତ୍ତମାନ ବିଚାରକୁ ନିଆଯାଉ ଉଲ୍ଲିଖିତ ତିନିଜଣ ଭୂତପୂର୍ବ ବିଶିଷ୍ଟ ପ୍ରଧାନମନ୍ତ୍ରୀଙ୍କୁ, ଯଥା, ଜବାହରଲାଲ ନେହେରୁ, ଲାଲବାହାଦୂର ଶାସ୍ତ୍ରୀ ଓ ମୋରାରଜୀ ଦେଶାଇଙ୍କୁ । ଜବାହରଲାଲ ଥିଲେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତି ସହ ସୁପରିଚିତ । ଭାରତୀୟ ସଂସ୍କୃତିର ନୈତିକ ମୂଲ୍ୟବୋଧ ଉପରେ ଗୁରୁତ୍ଵ ଆରୋପ ଓ ପାଶ୍ଚାତ୍ୟ ସଂସ୍କୃତିର ଶାସକମାନଙ୍କର ଶାସନ ଦକ୍ଷତା ଓ ଧର୍ମନିରପେକ୍ଷତା ଉପରେ ଗୁରୁତ୍ଵ ଆରୋପ, ଉଭୟ ଭାବଧାରା ଦ୍ଵାରା ସେ ପ୍ରଭାବିତ ଓ ଅନୁପ୍ରାଣିତ ହୋଇଥିଲେ । ତାଙ୍କର ତ୍ୟାଗପୂତ ଜୀବନ; ନିସ୍ଵାର୍ଥପର ଓ ନିରଳସ କର୍ମତତ୍ପରତା, ଦେଶପ୍ରୀତି, ଉଚ୍ଚତର ମାନବିକ ମୂଲ୍ୟବୋଧ, ଜନକଲ୍ୟାଣ ସାଧନ ନିମିତ୍ତ ବ୍ୟାକୁଳତା, ତାଙ୍କୁ ପୃଥିବୀର ଯେ କୌଣସି ଦେଶର ଯେ କୌଣସି ସମୟର ବିଶିଷ୍ଟ ଏବଂ ଉଚ୍ଚତମ ସୋପାନର ଶାସକ ଗୋଷ୍ଠୀଭୁକ୍ତ କରିବାକୁ ସମର୍ଥ ହୋଇପାରିଥାନ୍ତା । ପ୍ଳେଟୋଙ୍କ ବ୍ୟାଖ୍ୟା ଅନୁସାରେ ସେ ଥିଲେ ଜଣେ ଦାର୍ଶନିକ, ଜଣେ ବିଜ୍ଞବ୍ୟକ୍ତି, ତତ୍ତ୍ଵଦର୍ଶୀ, ସତ୍ଵନ୍ୱେଷୀ । ସେ ଥିଲେ ପ୍ଳେଟୋଙ୍କ କଳ୍ପିତ ଦାର୍ଶନିକଙ୍କ ଭଳି ଉଚ୍ଚମନା, ସାହସୀ । ସେ ଅର୍ଥଲୋଭର କେବେହେଲେ ବଶବର୍ତ୍ତୀ ହୋଇନଥିଲେ-। ସେ ଥିଲେ ବିଚାରବନ୍ତ ଓ ସମଦର୍ଶୀ । ତାଙ୍କର ଥିଲା ଜ୍ଞାନ ଆହରଣ ନିମିତ୍ତ ସ୍ଫୃହା ଓ ଉଦାରତା-। ସେ ଥିଲେ ନ୍ୟାୟପର ଓ ପ୍ରସନ୍ନ ସ୍ୱଭାବଯୁକ୍ତ । ସର୍ବୋପରି ସେ ଥିଲେ ସୁଶିକ୍ଷିତ ଓ ପରିପକ୍ଵ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି । ଭାରତୀୟ ଚିନ୍ତାନାୟକମାନଙ୍କ ଦ୍ଵାରା ନିର୍ଦ୍ଦେଶିତ ବହୁ ସୁଗୁଣାବଳୀର ସେ ଥିଲେ ଅଧିକାରୀ । ତଥାପି ତାଙ୍କର ମଧ୍ୟ ଥିଲା ସାମାନ୍ୟ ଦୋଷ । ଉଚ୍ଚତମ ଶ୍ରେଣୀର ଶାସକଙ୍କର ଆବଶ୍ୟକତା ଇନ୍ଦ୍ରିୟ ସଞ୍ଜମରେ ତାଙ୍କର ସାମାନ୍ୟ ତ୍ରୁଟି ଥିଲା ।

 

ଶ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ବର୍ତ୍ତମାନ ବିଚାରକୁ ନିଆଯାଉ । ଅତ୍ୟନ୍ତ ଉଚ୍ଚଶିକ୍ଷିତ ଓ ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବରେ ଯଥେଷ୍ଟ ପରିମାଣରେ ନ ଆସିଥିଲେ ମଧ୍ୟ, ଲାଲବାହାଦୂର ଶାସ୍ତ୍ରୀ ଥିଲେ ଜଣେ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି । ଆଚାର, ଆଚରଣ, ଜୀବନଧାରଣ ପ୍ରଣାଳୀ, ସାମାଜିକ ସମ୍ପର୍କ, ବ୍ୟକ୍ତିଗତ ସମ୍ପର୍କ, ଶାସନଗତ ନୈତିକତା ସମସ୍ତ ଦିଗରୁ ବିଚାର କଲେ ଭାରତୀୟ ସଂସ୍କୃତି ଅନୁମୋଦିତ ସମସ୍ତ ଶାସକୋଚିତ ସଦ୍‍ଗୁଣାବଳୀରେ ସେ ଭୂଷିତ ଥିଲେ । ତାଙ୍କର ଥିଲା ଗଭୀର ଧର୍ମଭାବ ଓ ଧର୍ମଶାସ୍ତ୍ରରେ ବ୍ୟୁତ୍ପତ୍ତି । ତାଙ୍କର ସରଳ, ନିରାଡ଼ମ୍ବର ଓ ଦୁର୍ନୀତିମୁକ୍ତ ଜୀବନ ଥିଲା ଅସାଧାରଣ । ତାଙ୍କର ତ୍ୟାଗପୂତ ଓ ଜନସେବା ନିମିତ୍ତ ଉତ୍ସର୍ଗୀକୃତ ଜୀବନ ଥିଲା ଅନୁକରଣୀୟ । ବ୍ୟକ୍ତିଗତ ନମ୍ରତା ସହ ଶାସନଗତ ଦକ୍ଷତାର ତାଙ୍କଠାରେ ସମନ୍ଵୟ ଘଟିଥିଲା ।

 

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମୋରାରଜୀ ଦେଶାଇ । ସୁଶିକ୍ଷିତ ସେ, ଶାସନଗତ ଯୋଗ୍ୟତା, ଦୃଢ଼ତା ସହ ତାଙ୍କଠାରେ ସମନ୍ଵୟ ଘଟିଥିଲା ପୂର୍ଣ୍ଣ ଇନ୍ଦ୍ରିୟ ସଂଯମର, ଆତ୍ମ ସଂଯମର, ନିର୍ଭୀକତାର, ନିର୍ଲୋଭତାର ଓ ଦେଶପ୍ରୀତିର । ତ୍ୟାଗତିତିକ୍ଷାମୟ ଜୀବନର ସେ ଥିଲେ ମୂର୍ତ୍ତିବିଗ୍ରହ-। ଶାସନ କ୍ଷମତାର ଅପବ୍ୟବହାର ଓ ପ୍ରିୟାପ୍ରୀତି ତୋଷଣର ସେ ଥିଲେ ଯଥେଷ୍ଟ ଊର୍ଦ୍ଧ୍ୱରେ-। ବହୁ ବର୍ଷଧରି ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ପଦାସୀନ ହେବା ପରେ ଯେଉଁ ବ୍ୟକ୍ତି ସରକାରୀ ପଦବୀରୁ ବିଦାୟ ଗ୍ରହଣ ପରେ ବାସହୀନ, ତାଙ୍କ ଚରିତ୍ର ଉପରେ କି ମନ୍ତବ୍ୟ ବା ଦିଆଯାଇପାରେ ?

 

ଉପ-ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ । ଭାରତବର୍ଷର ଇଷ୍ପାତ୍ ମଣିଷ ସେ । ନିର୍ମଳ, ତ୍ୟାଗପୂତ, ଦୁର୍ନୀତିମୁକ୍ତ ଜୀବନ ତାଙ୍କର । ସରଳ, ନିରାଡ଼ମ୍ବର ଜୀବନଯାପନ ପ୍ରଣାଳୀ, ପ୍ରିୟାପ୍ରୀତି ତୋଷଣ ଓ ଅନ୍ୟାୟରେ ଅର୍ଥ ଉପାର୍ଜନ ପ୍ରତି ଗଭୀର ବିତୃଷ୍ଣା ତୀବ୍ର ଦେଶପ୍ରେମ ଓ ଶାସନଗତ ଦୃଢ଼ତା ସହ ସମନ୍ଵୟ ଘଟିଥିଲା ନୈତିକ ଅନମନୀୟତାର । ସେ ଥିଲେ ନିର୍ଭୀକ, କାର୍ଯ୍ୟଦକ୍ଷ ଓ ଶାସନଗତ କ୍ଷମତା ତାଙ୍କ ପକ୍ଷେ ନଥିଲା ବ୍ୟକ୍ତିଗତ ସ୍ଵାର୍ଥସିଦ୍ଧିର ନିଶୁଣୀ । ଏହା ଥିଲା ତାଙ୍କ ପକ୍ଷେ ଦେଶସେବା ଓ ଜନସେବାର ଯଜ୍ଞପୀଠ । ଶୃଙ୍ଖଳିତ ଜୀବନ ତାଙ୍କର ଥିଲା ଇନ୍ଦ୍ରିୟ ସଂଯମ ଓ ଆତ୍ମସଂଯମର ଏକ ପରିପୂର୍ଣ୍ଣ ନମୁନା । ସେ ନ ଥିଲେ କେବଳ ବରଦୋଳାଇ କୃଷକମାନଙ୍କ ସର୍ଦ୍ଦାର ସେ ଥିଲେ ସମଗ୍ର କୃଷକ ସମାଜର ଦରିଦ୍ର ନିଷ୍ପେଷିତ ଜନତାର ସର୍ଦ୍ଦାର । ତାଙ୍କର ସମଗ୍ର ଜୀବନ ଥିଲା ଦେଶସେବା ଓ ଜନସେବା ନିମିତ୍ତ ଏକ ଉତ୍ସର୍ଗୀକୃତ ଜୀବନ ।

 

ତଥାପି ସର୍ଦ୍ଦାର ପଟେଲଙ୍କ ବିରୁଦ୍ଧରେ ଅଭିଯୋଗ ହେଉଥିଲା ଯେ, ସେ ମୁସଲମାନ ବିଦ୍ଵେଷୀ ଓ ସାମ୍ପ୍ରଦାୟିକ ମନୋଭାବାପନ୍ନ ବ୍ୟକ୍ତି ଥିଲେ ।

 

ଉଲ୍ଲିଖିତ ବିଶିଷ୍ଟ ଶାସକବର୍ଗଙ୍କ ବ୍ୟତୀତ ଅବଶ୍ୟ, ଚକ୍ରବର୍ତ୍ତୀ ରାଜଗୋପାଳଚାରୀ, କେ. ଏମ୍. ମୁନସୀ ଗୋବିନ୍ଦବଲ୍ଲଭ ପନ୍ଥ, ପଣ୍ଡିତ ରବିଶଙ୍କର ଶୁକ୍ଳ, ଶ୍ରୀବିଶ୍ଵନାଥ ଦାସଙ୍କ ଭଳି ଦକ୍ଷ, ଚରିତ୍ରବାନ୍, ବିଜ୍ଞ, ଦେଶପ୍ରେମୀ ଓ ଜନସେବୀ, ସରଳ ନିରାଡ଼ମ୍ବର ଜୀବନଯାପନରେ ବିଶ୍ଵାସୀ ଶାସକମାନେ ଦେଶର ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଦେଶର ଶାସନ କ୍ଷେତ୍ରକୁ ସେମାନଙ୍କର ଅବଦାନ । ଯଥେଷ୍ଟ ତଥାପି ଏ ଦେଶର ଆକୃତି, ଏ ଦେଶର ସଂସ୍କୃତି, ଏ ଦେଶର ଜନସଂଖ୍ୟା ଓ ଏ ଦେଶର ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ଶାସକମାନଙ୍କ ସଂଖ୍ୟାକୁ ବିଚାରକୁ ନେଲେ ଏହା ସ୍ଵୀକାର କରିବାକୁ ପଡ଼ିବ ଯେ, ପ୍ରକୃତ ନୀତିବାନ, ଦକ୍ଷ, ଦୁର୍ନୀତି ମୁକ୍ତ, ଦେଶଗତପ୍ରାଣ, ଜନସେବା ନିମିତ୍ତ ଉତ୍ସର୍ଗୀକୃତ ଜୀବନ, ବିଜ୍ଞ, ସତ୍ୟନ୍ଵେଷୀ, ଇନ୍ଦ୍ରିୟ ସଂଯମୀ ଓ ଆତ୍ମସଂଯମୀ ଶାସକଙ୍କ ସଂଖ୍ୟା ସ୍ଵାଧୀନତା ପରବର୍ତ୍ତୀକାଳରେ ଅପେକ୍ଷାକୃତ ଅତ୍ୟନ୍ତ କମ୍, ଏପରିକି ନୈରାଶ୍ୟଜନକ ।

 

ସ୍ଵାଧୀନତା ପରବର୍ତ୍ତୀ ସମୟରେ ଯେଉଁ ଶାସକମାନେ ଦେଶର ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ହୋଇଛନ୍ତି ସେମାନଙ୍କୁ ତିନିଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ, ଯଥା ୧–ଯେଉଁମାନେ ଅସହଯୋଗ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହ ବା ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗଦାନ କରିଥିଲେ, ୨–ଯେଉଁମାନେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦାନ କରିଥିଲେ, ୩–ଯେଉଁମାନେ ସ୍ଵାଧୀନତା ପରବର୍ତ୍ତୀ ସମୟରେ ରାଜନୀତିରେ ଯୋଗଦାନ କରିଛନ୍ତି । ଏହି ତିନିଶ୍ରେଣୀ ମଧ୍ୟରୁ ଯେଉଁମାନେ ପ୍ରଥମ ଶ୍ରେଣୀଭୁକ୍ତ ବା ଯେଉଁମାନେ ଅସହଯୋଗ ଆନ୍ଦୋଳନ ବା ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗଦାନ କରିଥିଲେ ସେମାନେ ଥିଲେ ମୁଖ୍ୟତଃ ସ୍ଵଦେଶପ୍ରେମୀ ଓ ଉଚ୍ଚତର ରାଜନୈତିକ ମୂଲ୍ୟବୋଧରେ ବିଶ୍ଵାସୀ । ସେମାନେ ଗାନ୍ଧିଜୀଙ୍କ ଦର୍ଶନର ପ୍ରଭାବରେ ଆସି, ଗାନ୍ଧିଜୀଙ୍କ ଆନ୍ଦୋଳନରେ ସାମିଲ ହେବା ଫଳରେ, କେବଳ ଯେ ଜୀବନରେ ଅଶେଷ ତ୍ୟାଗ ସ୍ଵୀକାର କରିଥିଲେ ସେତିକି ନୁହେଁ, ସେମାନେ ତ୍ୟାଗଭାବାପନ୍ନ ଓ ସେବାଭାବାପନ୍ନ ହୋଇ ଉଠିଥିଲେ । ସେମାନଙ୍କର ଗାନ୍ଧୀବାଦୀ ଆନ୍ଦୋଳନରେ ଯୋଗଦାନ କରିବାର ପୃଷ୍ଠଭୂମିରେ ଅବଶ୍ୟ ବହୁ କ୍ଷେତ୍ରରେ ଥିଲା ସାମୟିକ ଭାବପ୍ରବଣତା । ତଥାପି ଏହି ଆନ୍ଦୋଳନରେ ଯୋଗଦାନ କରିବା ଫଳରେ ସେମାନଙ୍କର ନୈତିକ ଚରିତ୍ରରେ ଯେ ଉନ୍ନତି ଘଟିଥିଲା ତାହା ଅସ୍ଵୀକାର କରିହେବ ନାହିଁ । ତେଣୁ ସେମାନଙ୍କ ମଧ୍ୟରେ ଜବାହରଲାଲ ନେହେରୁ, ଡକ୍ଟର ରାଜେନ୍ଦ୍ରପ୍ରସାଦ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇତ୍ୟାଦିଙ୍କ ଭଳି ବୁଦ୍ଧିଜୀବୀ, ବିଜ୍ଞ, ଉଚ୍ଚଶିକ୍ଷିତ ବ୍ୟକ୍ତି ନହେଲେ ମଧ୍ୟ, ସେମାନଙ୍କର ଉଚ୍ଚତର ନୈତିକ ଓ ରାଜନୈତିକ ମୂଲ୍ୟବୋଧ ଉପରେ ବିଶ୍ଵାସ ଥିଲା । ବାରମ୍ବାର କାରାବାସ ଫଳରେ ଓ ସ୍ଵାଧୀନତା ସଂଗ୍ରାମରେ ଯୋଗଦାନ ହେତୁ ଭୂସମ୍ପତ୍ତି ବାଜ୍ୟାପ୍ତି ହେବା ଫଳରେ ସେମାନଙ୍କର ଜୀବନ ଧାରଣର ମାନ ହୋଇ ଉଠିଥିଲା ସରଳ ଓ ନିରାଡ଼ମ୍ବର । ସତ୍ୟାଗ୍ରହୀର ଜୀବନଯାପନ ଫଳରେ ତ୍ୟାଗଭାବ, ଆତ୍ମସଂଯମ ଓ ଇନ୍ଦ୍ରିୟ ସଂଯମ, ସେମାନଙ୍କ ଜୀବନରେ ପ୍ରତିଫଳିତ ହୋଇ ଉଠୁଥିଲା । ତେଣୁ ନେହେରୁ ଯୁଗରେ ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଶାସକ ପଦରେ ଅଧିରୂଢ଼ ହେଲେ ସେମାନଙ୍କର ନୈତିକମାନ ନିଶ୍ଚିତଭାବେ ପରବର୍ତ୍ତୀକାଳର ଶାସକମାନଙ୍କ ନୈତିକମାନ ତୁଳନାରେ ଉଚ୍ଚକୋଟୀର ଥିଲା । ଫଳରେ ସେମାନଙ୍କ ମଧ୍ୟରେ ଦୁର୍ନୀତିଗ୍ରସ୍ତ ଓ ଅନ୍ୟାୟ ଉପାୟରେ ଅର୍ଥଉପାର୍ଜନକାରୀ ଶାସକମାନଙ୍କ ସଂଖ୍ୟା ଥିଲା କମ୍ । ସେମାନେ ସମସ୍ତେ ପ୍ଳେଟୋଙ୍କ କଳ୍ପିତ ଦାର୍ଶନିକ ଶାସକ ବା ବ୍ୟାସ୍ତମନୁ କୌଟିଲ୍ୟ ବା ଶୁକ୍ରଙ୍କ କଳ୍ପିତ ଶାସକଙ୍କର ଗୁଣାବଳୀ ସହ ପରିଚିତ ନଥିଲେ ମଧ୍ୟ, ଗାନ୍ଧୀବାଦୀ ନୈତିକ ମୂଲ୍ୟବୋଧ ଓ ରାଜନୈତିକ ସାଧୁତା, କର୍ମତତ୍ପରତା, ତ୍ୟାଗ ଓ ସେବାଭାବ ଦ୍ଵାରା ଅନୁପ୍ରାଣିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ସମସ୍ତେ ଦକ୍ଷ ଶାସକ ନହେଲେ ମଧ୍ୟ ଅଧିକାଂଶ ଯେ ଦୁର୍ନୀତିମୁକ୍ତ ଶାସକ ଥିଲେ ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ଅସହଯୋଗ ଆନ୍ଦୋଳନଠାରୁ ଆରମ୍ଭ କରି ବିଭିନ୍ନ ଗାନ୍ଧୀବାଦୀ ଆନ୍ଦୋଳନ ଯଥା, ଆଇନ ଅମାନ୍ୟ ଆନ୍ଦୋଳନ, ବ୍ୟକ୍ତିଗତ ସତ୍ୟାଗ୍ରହ ଓ ଅଗଷ୍ଟ ବିପ୍ଳବରେ ଯେଉଁ ନେତୃବର୍ଗ ଯୋଗଦାନ କରିଥିଲେ, ସେମାନଙ୍କ ମଧ୍ୟରୁ କେତେକ ବିଶିଷ୍ଟ ବ୍ୟକ୍ତି ୧୯୩୫ ମସିହାର ଭାରତ ଶାସନ ଆଇନ ଅନୁଯାୟୀ ୧୯୩୭ ମସିହାରେ ଗଠିତ ପ୍ରାଦେଶିକ ବିଧାନସଭାର ସଭ୍ୟପଦ ଓ ସେହି ଆଇନ ଅନୁସାରେ ଗଠିତ ପ୍ରାଦେଶିକ ମନ୍ତ୍ରୀମଣ୍ଡଳର ସଭ୍ୟପଦ ଓ ସେହି ଆଇନ ଅନୁସାରେ ଗଠିତ ପ୍ରାଦେଶିକ ମନ୍ତ୍ରୀମଣ୍ଡଳର ସଭ୍ୟପଦ ଓ ଦ୍ଵିତୀୟ ମହାଯୁଦ୍ଧ ପରେ ୧୯୪୬ ମସିହାରେ ଗଠିତ କେନ୍ଦ୍ରୀୟ ବିଧାନ ପରିଷଦ ଓ ମନ୍ତ୍ରୀପରିଷଦ ଓ ପ୍ରାଦେଶିକ ବିଧାନସଭା ଓ ମନ୍ତ୍ରୀମଣ୍ଡଳର ସଭ୍ୟପଦମାନ ଗ୍ରହଣ କରିଥିଲେ । ୧୯୨୦ ମସିହାରେ ଅସହଯୋଗ ଆନ୍ଦୋଳନରେ ଯୋଗଦାନ କରିଥିବା ଏହି ବିଶିଷ୍ଟ ବ୍ୟକ୍ତିମାନେ ୧୯୪୬ ମସିହା ବେଳକୁ ଜୀବନର ଚଉଠ ଶତାବ୍ଦୀରୁ ଅଧିକ ସମୟ ସତ୍ୟାଗ୍ରହୀର ଅନିଶ୍ଚିତ ଜୀବନ ଓ କାରାଗାରର କଠିନ, ଦୁଃଖମୟ ନିସଙ୍ଗ ଜୀବନଯାପନ ଫଳରେ ଶ୍ରାନ୍ତ କ୍ଳାନ୍ତ, ଅବଶ । ସେମାନଙ୍କ ମଧ୍ୟରୁ କେହି କେହି ଜରାଗ୍ରସ୍ତ ବା ବାର୍ଦ୍ଧକ୍ୟର ଦ୍ଵାରଦେଶରେ । ତାଙ୍କର ଶରୀର, ତାଙ୍କ ମନ ଚାହେଁ କିଛି ପରିମାଣରେ ଆରାମ, କିଛି ପରିମାଣରେ ବିଶ୍ରାମ । କେନ୍ଦ୍ରୀୟ ବିଧାନ ପରିଷଦ ଓ ପ୍ରାଦେଶିକ ବିଧାନ ସଭାର ସଭ୍ୟପଦ ବା ମନ୍ତ୍ରୀପରିଷଦର ସଭ୍ୟପଦ ସେହି ବ୍ୟକ୍ତିମାନଙ୍କୁ ଆରମ ଓ ବିଶ୍ରାମ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ମଧ୍ୟରୁ କାହାରି କାହାରି ହୃଦୟରେ ଉଦ୍ରେକ କଲା ଭୋଗଲାଳସା । ତେଣୁ ସେହିମାନଙ୍କ ମଧ୍ୟରୁ କେହି କେହି ବ୍ୟକ୍ତିସ୍ଵାଧୀନତା ପରେ ଯେତେବେଳେ ଶାସକପଦରେ ଅଧିଷ୍ଠିତ ହେଲେ, ସେତେବେଳେ ସେମାନେ ନିଜନିଜର ଭୋଗଲାଳସା ଚରିତାର୍ଥ ନିମିତ୍ତ ତ୍ୟାଗକଲେ, ମନୋଭାବ ଜଳାଞ୍ଜଳି ଦେଲେ ଆତ୍ମସଂଯମ ଓ ରାଜନୈତିକ ନୈତିକତା । ଗାନ୍ଧିଜୀଙ୍କ ପ୍ରସ୍ତାବିତ ସରଳ ନିରାଡ଼ମ୍ବର ଜୀବନଯାପନ ପ୍ରଣାଳୀ ପରିବର୍ତ୍ତେ ଗ୍ରହଣ କରିନେଲେ ବିଳାସ ବାସନାମୟ ଜୀବନଯାପନ ପ୍ରଣାଳୀ । ଏହିଭଳି ଜୀବନଯାପନ ପ୍ରଣାଳୀକୁ ଖୋରାକ ଯୋଗାଇବା ନିମିତ୍ତ ସେମାନେ ଗ୍ରହଣ କରିନେଲେ ଦୁର୍ନୀତିପୂର୍ଣ୍ଣ ମାର୍ଗର ଓ ଅନ୍ୟାୟ ଉପାୟରେ ଅର୍ଥ ଉପାର୍ଜନର ପନ୍ଥା । ତେଣୁ ଅସହଯୋଗ ଆନ୍ଦୋଳନ ସମୟରୁ ଯେଉଁମାନେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସ୍ଵଦେଶ ପ୍ରେମ, ତ୍ୟାଗ, ଜନସେବା ସରଳ, ନିରାଡ଼ମ୍ବର ଓ ଦୁର୍ନୀତିମୁକ୍ତ ଜୀବନପ୍ରଣାଳୀ ଭଳି ଗାନ୍ଧୀବାଦୀ ଭାବଧାରା ଦ୍ଵାରା ଉଦ୍‍ବୁଦ ହୋଇ ଜୀବନରେ ବହୁ କିଛି ତ୍ୟାଗ ସ୍ଵୀକାର କରିଥିଲେ । ସେମାନଙ୍କ ମଧ୍ୟରୁ କେହି କେହି ଶାସକ ପଦରେ ଅଧିଷ୍ଠିତ ହେବାପରେ ସ୍ଵାଧୀନତା ପରବର୍ତ୍ତୀ ସମୟରେ ଦୁର୍ନୀତିଗ୍ରସ୍ତ ଶାସକରେ ପରିଣତ ହେଲେ ।

 

ବର୍ତ୍ତମାନ ବିଚାରକୁ ନିଆଯାଆନ୍ତୁ ଦ୍ଵିତୀୟ ଶ୍ରେଣୀର ଶାସକବର୍ଗଙ୍କୁ, ଯେଉଁମାନେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦାନ କରି ରାଜନୀତି କ୍ଷେତ୍ରରେ ପ୍ରଥମଥର ପାଇଁ ଅବତୀର୍ଣ୍ଣ ହୋଇ ପରବର୍ତ୍ତୀ ସମୟରେ ବିଭିନ୍ନ ସ୍ତରର ଶାସକରେ ପରିଣତ ହେଲେ । ଭାରତଛାଡ଼ ଆନ୍ଦୋଳନରେ ଯୋଗଦାନ କରିବାକୁ ଥିବା ସତ୍ୟାଗ୍ରହୀମାନଙ୍କ ନିମିତ୍ତ ଗାନ୍ଧିଜୀ ନିୟମାବଳୀ ପ୍ରଣୟନ କରିଥିଲେ ସତ, କିନ୍ତୁ ଗାନ୍ଧିଜୀ ପ୍ରକୃତରେ ଏହି ଆନ୍ଦୋଳନରେ ଯୋଗଦାନ କରିଥିବା ବ୍ୟକ୍ତିମାନଙ୍କର ଆଚରଣ ନିୟନ୍ତ୍ରିତ କରି ନଥିଲେ । ପ୍ରକୃତପକ୍ଷେ ଗାନ୍ଧିଜୀ ଏହି ଆନ୍ଦୋଳନ ଆରମ୍ଭ କରିବା ନିମିତ୍ତ ଚିନ୍ତା କରୁଥିବା ସମୟର ବହୁ ପୂର୍ବରୁ ଏହି ଆନ୍ଦୋଳନ ଆରମ୍ଭ ହୋଇ ଯାଇଥିଲା । ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ଗାନ୍ଧିଜୀ କାରାବାସରେ । ଯେଉଁମାନେ ଏହି ଆନ୍ଦୋଳନରେ ଯୋଗଦାନ କଲେ, ସେମାନଙ୍କୁ କେତୋଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ । ଯଥା, ଯେଉଁମାନଙ୍କ ହୃଦୟରେ ପ୍ରକୃତ ଦେଶ ପ୍ରେମର ବହ୍ନି ପ୍ରଜ୍ଵଳିତ ହୋଇଥିଲା ଓ ଯେଉଁମାନେ ଦେଶର ସ୍ଵାଧୀନତା ନିମିତ୍ତ ଅତ୍ୟନ୍ତ ବ୍ୟାକୁଳ ହୋଇ ଉଠିଥିଲେ, ଯେଉଁମାନେ ଗାନ୍ଧିଜୀଙ୍କୁ କାରାଗାରବଦ୍ଧ କରାଗଲା ପରେ ଗାନ୍ଧିଜୀଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ ଓ ବ୍ରିଟିଶ ସରକାରଙ୍କ ଆଚରଣ ପ୍ରତି ବିରକ୍ତ ଓ ଅଶ୍ରଦ୍ଧା ପ୍ରକାଶ କରି ଆନ୍ଦୋଳନରେ ଯୋଗଦାନ କରିଥିଲେ, ଯେଉଁମାନେ କେବଳ ଭାବ ପ୍ରବଣତା ବଶତଃ ଆନ୍ଦୋଳନରେ ଯୋଗଦାନ କରିଥିଲେ ଓ ଯେଉଁମାନେ ସ୍ଵପ୍ନ ଦେଖୁଥିଲେ ଯେ, ବ୍ରିଟିଶ ଶାସନର ଅବସାନ ଓ ଭାରତ ବର୍ଷର ସ୍ଵାଧୀନତା ଆସନ୍ନ ପ୍ରାୟ ଓ ତଦଜନିତ ରାଜନୈତିକ ଓ ଶାସନଗତ ଶୂନ୍ୟସ୍ଥାନ ପୂରଣ କରିବା ନିମିତ୍ତ ସେମାନଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ । ଏହା ବ୍ୟତୀତ ଏହି ଆନ୍ଦୋଳନରେ ଯୋଗଦାନ କରିଥିବା ବ୍ୟକ୍ତିମାନଙ୍କ ଉପରେ କାହାରି କୌଣସି ନୈତିକ ନିୟନ୍ତ୍ରଣ ନଥିଲା । ନୈତିକ ନିୟନ୍ତ୍ରଣର ଅଭାବ ଓ କେନ୍ଦ୍ରୀୟ ନେତୃତ୍ୱର ଅନୁପସ୍ଥିତି ହେତୁ ଏହି ଆନ୍ଦୋଳନ ଅତ୍ୟନ୍ତ ମାତ୍ରାରେ ହିଂସାତ୍ମକ ହୋଇପଡ଼ିଥିଲା । ତେଣୁ ଏହି ଆନ୍ଦୋଳନରୁ ଯେଉଁ ନେତୃତ୍ଵବର୍ଗଙ୍କର ଉଦ୍ଭବ ଘଟିଲା ଓ ଯେଉଁମାନେ ପରବର୍ତ୍ତୀ ସମୟରେ ସ୍ଵାଧୀନତା ପରେ ଦେଶର ଶାସକ ଦାୟିତ୍ଵ ବହନ କଲେ, ସେମାନଙ୍କ ପୃଷ୍ଠଭୂମିରେ ନଥିଲା କୌଣସି ନୈତିକ ଭାବଧାରା ବା ସେମାନଙ୍କ ଉପରେ ନଥିଲା କାହାରି ନୈତିକ ପ୍ରଭାବ । ଫଳରେ ଭାରତଛାଡ଼ ଆନ୍ଦୋଳନରୁ ଉଦ୍ଭୁତ ନେତୃବୃନ୍ଦଙ୍କ ମଧ୍ୟରୁ ଯେଉଁମାନେ ଶାସକର ଦାୟିତ୍ଵ ବହନ କଲେ ସେମାନଙ୍କ ଉପରେ ରହିଲା ନାହିଁ କୌଣସି ନୈତିକ ନିୟନ୍ତ୍ରଣ । ସେମାନଙ୍କ ପାଇଁ ଗାନ୍ଧୀବାଦୀ ନୈତିକ ଉଚ୍ଚତର ମୂଲ୍ୟବୋଧ ଯଥା ତ୍ୟାଗ, ଦେଶସେବା, ଜନସେବା, ନିର୍ମଳ, ଦୁର୍ନୀତିମୁକ୍ତ ରାଜନୀତିକ ଜୀବନ, ସରଳ, ନିରାଡ଼ମ୍ବର ଜୀବନଯାପନ ପ୍ରାଣାଳୀ ଇତ୍ୟାଦି ଅବାନ୍ତର ହୋଇପଡ଼ିଲା । ସେମାନେ ହେଲେ ନିର୍ମଳ କ୍ଷମତା ରାଜନୀତିରେ ବିଶ୍ଵାସୀ ଶାସକବୃନ୍ଦ । କ୍ଷମତା ହାସଲ ନିମିତ୍ତ ଓ କ୍ଷମତାରେ ଅଧିକକାଳ ରହିବା ନିମିତ୍ତ ଯେକୌଣସି ଅନୈତିକ ପନ୍ଥା ଅବଲମ୍ବନ କରିବାକୁ ସେମାନେ କୁଣ୍ଠାବୋଧ କଲେନାହିଁ । କ୍ଷମତାସୀନ ହେବା ନିମିତ୍ତ ସେମାନେ ଦୁର୍ନୀତିପୂର୍ଣ୍ଣ ପନ୍ଥା ଅନୁସରଣ କଲେ । କ୍ଷମତାସୀନ ହେବାପରେ ଦୁର୍ନୀତିପୂର୍ଣ୍ଣ ପନ୍ଥା ଅବଲମ୍ବନ କରି ଅର୍ଥଉପାର୍ଜନ ଓ ଠୁଳକଲେ । ଏହି ଶ୍ରେଣୀର ଶାସକମାନଙ୍କ ମଧ୍ୟରେ ଶ୍ରୀମତୀ ଇନ୍ଦିରାଗାନ୍ଧୀ ଓ ତାଙ୍କର ସହକର୍ମୀମାନେ ଅଗ୍ରଗଣ୍ୟ ।

 

ବସ୍ତୁତଃ ଶ୍ରୀମତୀ ଇନ୍ଦିରାଗାନ୍ଧୀ ଅଧିକକାଳ କ୍ଷମତାରେ ରହିବା ନିମିତ୍ତ ଭାରତୀୟ ଜାତୀୟ କଂଗ୍ରେସର ବିଭାଜନ କରି ଯେଉଁ ନୀତିହୀନ ରାଜନୀତିର ପ୍ରବର୍ତ୍ତନ କଲେ, ତା’ ଫଳରେ ଏ ଦେଶରେ ସୃଷ୍ଟି ହେଲେ ଏକ ନୀତିହୀନ ବ୍ୟକ୍ତି କୈନ୍ଦ୍ରିକ କ୍ଷମତାଲିପ୍ସୁ ଶାସକଗୋଷ୍ଠୀ । ଜାତୀୟ ଜରୁରୀକାଳୀନ ପରିସ୍ଥତି ଘୋଷଣା କରି ସେ ଯେଉଁ ଏକଛତ୍ରବାଦୀ ଶାସନର ଅୟମାରମ୍ଭ କଲେ ତାହାର ଅନ୍ତିମ ପରିଣତି ହେଲା ଏକ ତୋଷାମଦକାରୀ ଶାସକ ଶ୍ରେଣୀ ।

 

ବର୍ତ୍ତମାନ ସ୍ୱାଧୀନତା ପରବର୍ତ୍ତୀ ସମୟରେ ରାଜନୀତି କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିବା ଶାସକମାନଙ୍କୁ ବିଚାରକୁ ନିଆଯାଉ । ଏହି ଶ୍ରେଣୀର ଶାସକ ଗୋଷ୍ଠୀର ପୃଷ୍ଠଭୂମିରେ ଦେଶସେବା ଜନସେବା ଇତ୍ୟାଦି ଉଚ୍ଚତର ରାଜନୀତିକ ମୂଲ୍ୟବୋଧ, ବା ଦୁର୍ନୀତିମୁକ୍ତ ସ୍ଵାର୍ଥରହିତ ନୈତିକ ମୁଲ୍ୟବୋଧ ଉପରେ ପ୍ରତିଷ୍ଠିତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିବାର ବାସନା ନାହିଁ । ଏ ଗୋଷ୍ଠୀର ଶାସକବୃନ୍ଦ ରାଜନୀତିକୁ ଏକ ପେଶା ଭାବେ ଗ୍ରହଣ କରି ନେଇଛନ୍ତି । ଏମାନଙ୍କ ପକ୍ଷେ ଅନ୍ୟ ଯେ କୌଣସି ପେଶାଭଳି ଶାସକ କାର୍ଯ୍ୟ ପରିଚାଳନା ଏକ ପେଶା । ଏହି ପେଶାଦାରୀ ଶାସକଶ୍ରେଣୀଙ୍କ ପକ୍ଷେ ନୈତିକତାର କୌଣସି ମୂଲ୍ୟ ନାହିଁ । ସେମାନଙ୍କ ପକ୍ଷେ ଉଚ୍ଚତର ରାଜନୀତିକ ମୂଲ୍ୟବୋଧ ଏକ ଅବାନ୍ତର କଥା । ରାଜନୀତି, କ୍ଷମତା ରାଜନୀତି ବ୍ୟତୀତ ଅନ୍ୟକିଛି ହୋଇ ନପାରେ । ଏହି ଲକ୍ଷ୍ୟ ହାସଲ କରିବା ନିମିତ୍ତ ଯେକୌଣସି ପନ୍ଥା ଅବଲମ୍ବନ କରାଯାଇପାରେ । ସେମାନଙ୍କ ପକ୍ଷେ କେବଳ ପ୍ରେମ ଓ ଯୁଦ୍ଧ ନୁହେଁ, ରାଜନୈତିକ କ୍ଷମତା ଆହରଣ, ସଂରକ୍ଷଣ ଓ ସମ୍ବର୍ଦ୍ଧନା କ୍ଷେତ୍ରରେ ମଧ୍ୟ ସବୁ କିସମର ପନ୍ଥା ଅନୁସରଣୀୟ । ଏଠାରେ ନ୍ୟାୟ, ଅନ୍ୟାୟ, ନୈତିକ, ଅନୈତିକର ବିଚାରନାହିଁ ।

 

ଏହି ଶ୍ରେଣୀର ଶାସକବୃନ୍ଦଙ୍କ ପକ୍ଷେ, ଅନ୍ୟ ଯେକୌଣସି ପେଶାରେ ଅର୍ଥ ବିନିଯୋଗ ଭଳି ରାଜନୀତି କ୍ଷେତ୍ରରେ ମଧ୍ୟ ଅର୍ଥ ବିନିଯୋଗ କରାଯାଇପାରେ, ଶାସନ କ୍ଷମତା ହାସଲ ନିମିତ୍ତ-। ଅନ୍ୟ ପେଶାଭଳି ଏହି କ୍ଷେତ୍ରରେ ଅର୍ଥବିନିଯୋଗ ମୁନାଫା ଆଶାରେ, ମୁନାଫା ଲୋଭରେ-। ତେଣୁ ଏମାନଙ୍କ ପକ୍ଷେ, ଶାସନ କ୍ଷମତା ହାସଲର ମୁଖ୍ୟ ଲକ୍ଷ୍ୟ ମୁନାଫା, ଅଧିକ ମୁନାଫା–ବ୍ୟକ୍ତିଗତ ମୁନାଫା, ପାରିବାରିକ ମୁନାଫା, ଆତ୍ମୀୟସ୍ଵଜନମାନଙ୍କର ମୁନାଫା, ଦଳୀୟ ମୁନାଫା-। ଅନ୍ୟ ପେଶାରେ ବିନିଯୋଗ କରାଯାଉଥିବା ଅର୍ଥର ଅଭାବ ଅନୁଭୂତି ହେଲେ ସେହି ଅର୍ଥ ବ୍ୟାଙ୍କ ବା ଅନ୍ୟାନ୍ୟ ଅର୍ଥନୈତିକ ସଂସ୍ଥାମାନଙ୍କରୁ ଋଣ ହିସାବରେ ଗ୍ରହଣ କରାଯାଥାଏ । ଏହି ରଣ ପରିଶୋଧ କରିବାକୁ ପଡ଼େ ସୁଧ ସହ । ଏହି ଋଣ ପାଇବା ନିମିତ୍ତ ଦେବାକୁ ପଡ଼େ ସିକ୍ୟୁରିଟି, ବନ୍ଧକ । ପେଶାଦାରୀ ଶାସକବୃନ୍ଦଙ୍କର ରାଜନୀତି କ୍ଷେତ୍ରରେ ଅର୍ଥବିନିଯୋଗର ଅଭାବ ଅନୁଭୂତ ହେଲେ ତାହା ଗ୍ରହଣ କରାଯାଇଥାଏ ବ୍ୟବସାୟ ପ୍ରତିଷ୍ଠାନ ବା ଶିଳ୍ପ ପ୍ରତିଷ୍ଠାମାନଙ୍କଠାରୁ-। ଏହି ଅର୍ଥ ନିମିତ୍ତ ପେଶାଦାରୀ ଶାସକବୃନ୍ଦଙ୍କୁ ବ୍ୟକ୍ତିଗତଭାବେ ସୁଧ ଦେବାକୁ ପଡ଼େନାହିଁ-। କିନ୍ତୁ ସେଥିନିମିତ୍ତ ଜାତୀୟ ଅର୍ଥନୀତି ଓ ଦେଶର ରାଜକୋଷ ବହୁପରିମାଣରେ କ୍ଷତିଗ୍ରସ୍ତ ହୋଇଥାଏ-। ପେଶାଦାରୀ ଶାସକଙ୍କୁ ଆର୍ଥିକ ସାହାଯ୍ୟ ନିମିତ୍ତ ଶିଳ୍ପାନୁଷ୍ଠାନ ଓ ବ୍ୟବସାୟ ଅନୁଷ୍ଠାନମାନ ଜାତୀୟ ଅର୍ଥନୀତିରୁ ଅନ୍ୟାୟ ଉପାୟରେ, ଅବାଞ୍ଛିତ ଢଙ୍ଗରେ ବହୁ ସୁବିଧା ହାସଲ କରିଥାନ୍ତି ।

 

ତେଣୁ ସ୍ଵାଧୀନତା ପରବର୍ତ୍ତୀକାଳରେ ଏ ଦେଶରେ ଯେଉଁ ବ୍ୟକ୍ତିମାନେ ରାଜନୀତି କ୍ଷେତ୍ରରେ ଅବତୀର୍ଣ୍ଣ ହେଲେ ସେମାନେ ଯେ କେବଳ ଅନୈତିକ ପନ୍ଥା ଅବଲମ୍ବନ କରି କ୍ଷମତାସୀନ ହେଲେ ବା ଶାସନ କଲେ ସେତିକି ନୁହେଁ, ସେମାନେ ଦେଶରେ ଅର୍ଥନୀତିକୁ ବିପର୍ଯ୍ୟସ୍ତ କଲେ, ତା’ର ପରିଣତି ବୋଫର୍ସ ମାମଲା ବା ସିକ୍ୟୁରିଟି ବଜାରରେ ହଟଚମଟ । ଏହି ଶାସକମାନେ ଦୁର୍ନୀତିର କୀର୍ତ୍ତିସ୍ତମ୍ଭମାନ ପାଲଟିଲେ । ଏମାନଙ୍କ ମଧ୍ୟରେ ରାଜୀବଗାନ୍ଧୀଙ୍କୁ ମୁଖ୍ୟଭାବେ ଗ୍ରହଣ କରାଯାଇପାରେ ।

 

ଏହା ବ୍ୟତୀତ ଏହି ଶାସକମାନଙ୍କର ଚରିତ୍ରର ଅନ୍ୟ ଏକ ଦିଗ ରହିଛି । ଗାନ୍ଧୀଯୁଗରେ ଯେଉଁମାନେ ରାଜନୀତି କ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ପରବର୍ତ୍ତୀକାଳରେ ଶାସକ ହେଲେ, ସେମାନଙ୍କର ଅହିଂସାତ୍ମକ ପନ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ଵାସ ଥାଉ ନ ଥାଉ, ସେମାନେ ଏହାକୁ ଯୁଗଧର୍ମ ଭାବେ ଗ୍ରହଣ କରି ନେଉଥିଲେ । ଫଳରେ ଶାସନ କ୍ଷମତା ହାସଲ କରିବା ନିମିତ୍ତ ସେମାନେ ହିଂସାତ୍ମକ ପନ୍ଥା ଅବଲମ୍ବନ କରିବା ନିମିତ୍ତ କୁଣ୍ଠାବୋଧ କରୁଥିଲେ । କିନ୍ତୁ ସ୍ଵାଧୀନତା ପରବର୍ତ୍ତୀକାଳରେ ଯେଉଁମାନେ ରାଜନୀତି କ୍ଷେତ୍ରରେ ଅବତୀର୍ଣ୍ଣ ହେଲେ, ସେମାନଙ୍କର ଗାନ୍ଧୀଯୁଗର ଅହିଂସାତ୍ମକ ପନ୍ଥା ସମ୍ବନ୍ଧରେ ଏହାର କାର୍ଯ୍ୟକାରିତା ସମ୍ବନ୍ଧରେ, ଏହାର ବୈଶିଷ୍ଟ୍ୟ ସମ୍ବନ୍ଧରେ ଧାରଣା ଖୁବ୍ କମ୍ ଏବଂ ଯେଉଁ ସ୍ୱଳ୍ପ ଧାରଣା ତାହା କେବଳ ପୁସ୍ତକଗତ ଅନୁଭୂତିଗତ ନୁହେଁ । ଯେଉଁ କେତେଜଣ ଅବା ବିଶିଷ୍ଟ ବୟୋଜ୍ୟେଷ୍ଠ ଗାନ୍ଧୀବାଦୀମାନଙ୍କ ସଂସ୍ପର୍ଶରେ ଆସିଲେ ବା ସେ ଯୁଗ ଦ୍ଵାରା ପ୍ରଭାବିତ ଶାସକମାନଙ୍କ ସମ୍ପର୍କରେ ଆସିଲେ, ସେମାନଙ୍କ ପକ୍ଷେ ଅହିଂସାତ୍ମକ ପନ୍ଥା ପରିବର୍ତ୍ତେ ହିଂସାତ୍ମକ ପନ୍ଥାର ଆକର୍ଷଣ ଅଧିକ ଅନୁଭୂତ ହେଲା । ଏହାର ମୁଖ୍ୟ କାରଣ ହେଲା ଅହିଂସାତ୍ମକ ପନ୍ଥା ସାହାଯ୍ୟରେ ଅଧିକୃତ ଫଳ, ଅଧିକକାଳ ସ୍ଥାୟୀ ଓ ସୁଦୂରପ୍ରସାରୀ ହେଲେହେଁ ତତ୍କାଳିକ ସୁବିଧା ସୁଯୋଗ ଦୃଷ୍ଟିରୁ ହିଂସାତ୍ମକ ପନ୍ଥା ଆଶୁଫଳଦାୟୀ । ତେଣୁ ପେଶାଦାରୀ ଶାସକମାନଙ୍କ ପକ୍ଷେ, ଏହି ପନ୍ଥା ହେଲା ଅଧିକ ଆକର୍ଷଣୀୟ, ଅନୁସରଣୀୟ । ଫଳରେ ଏହି ପେଶାଦାରୀ ଶାସନବଳ ଅଧିକାର ନିମିତ୍ତ ଗ୍ରହଣ କରି ନେଉଛନ୍ତି ହିଂସାତ୍ମକ ପନ୍ଥା, ଯଥା ନିର୍ବାଚନ ବୁଥ୍ ଦଖଲ ବା ପ୍ରତିଦ୍ଵନ୍ଦୀମାନଙ୍କୁ ହତ୍ୟା, ବା ପ୍ରତିଦ୍ଵନ୍ଦୀ ପକ୍ଷର କର୍ମୀମାନଙ୍କ ଉପରେ ସଶସ୍ତ୍ର ଆକ୍ରମଣ । ଆଜି ଏହିଭଳି ଶାସକଙ୍କ ସଂଖ୍ୟା ଅଧିକ ।

 

ତେଣୁ ଆଜି ଦେଶ ସମକ୍ଷରେ ମୁଖ୍ୟ ସମସ୍ୟା, ଏକ କ୍ଷମତା କୈନ୍ଦ୍ରୀକ, କ୍ଷମତା ସର୍ବସ୍ଵ, ଜାତୀୟ ଲକ୍ଷ୍ୟହୀନ, ନୈତିକତା ବିମୁଖ ଶାସକଶ୍ରେଣୀ । ଏହି ଶାସକଶ୍ରେଣୀର ଅନୈତିକ ଆଚରଣ ଫଳରେ ଦେଶରେ ଅର୍ଥନୀତି ବିପର୍ଯ୍ୟସ୍ତ, ପ୍ରଗତି ବାଧାପ୍ରାପ୍ତ, ସାମାଜିକ ମୂଲ୍ୟବୋଧ, ଅବଲୁଣ୍ଠିତ ଓ ଜାତୀୟ ସ୍ଵାଭିମାନ ପ୍ରତିହିତ । ଏହିଭଳି ଏକ ଘଡ଼ିସନ୍ଧି ସମୟରେ ଚୀନ ଦେଶରେ ସୃଷ୍ଟି ହୋଇଥିଲା ଏକ ସାଂସ୍କୃତିକ ବିପ୍ଳବ । ଆମ ଦେଶରେ ଏହି ସମସ୍ୟାର ମୁକାବିଲା ନିମିତ୍ତ ଜୟପ୍ରକାଶ ନାରାୟଣଙ୍କର ଥିଲା ସଂପୂର୍ଣ୍ଣ ବିପ୍ଳବର ଆହ୍ଵାନ । ଏବେ ଆମ ଦେଶରେ ଏହି ଅମୀମାଂସିତ ସମସ୍ୟାର ସମାଧାନ ନିମିତ୍ତ କିଏ ନେତୃତ୍ଵ ନେବ ? ସେଥିନିମିତ୍ତ କିଏ ପ୍ରସ୍ତୁତ ? ଏଠାରେ ଏକ ବିପ୍ଳବର ଆବଶ୍ୟକତା ପଡ଼ିଲାଣି କି ?

☆☆☆

 

Unknown

ଅମଲାତନ୍ତ୍ର ଓ ଆମ ଦେଶ

ଶ୍ରୀ ଦୀପକ କୁମାର ମିଶ୍ର

 

ସ୍ୱାଧୀନୋତ୍ତର ଭାରତବର୍ଷରେ ଜାତି ନିର୍ମାଣର ସଚେତନ ଉଦ୍ୟମରେ ଅମଲାତନ୍ତ୍ରର ବିଶେଷ ଭୂମିକାକୁ ସ୍ଵୀକାର କରାଯାଇଥିଲା । ଏକ ଗଣତାନ୍ତ୍ରିକ ଓ ଜନକଲ୍ୟାଣକାରୀ ପ୍ରଶାସନ ହିଁ ସାଧାରଣ ଜନତାକୁ ନ୍ୟାୟ, ସମାନତା ଓ ସମୃଦ୍ଧି ଆଣିଦେଇ ପାରିବ ବୋଲି ବିଶ୍ଵାସ କରଯାଇଥିଲା । ଚାରି ଦଶକର ଗଣତାନ୍ତ୍ରିକ ଶାସନ ଓ ପରିବର୍ତ୍ତନ ଆଣିବାର ବହୁବିଧ ଉଦ୍ୟମ ପରେ ବର୍ତ୍ତମାନ ଅମଲାତନ୍ତ୍ରର ପ୍ରକୃତ ସ୍ଵରୂପ ଓ ସ୍ୱାଧୀନୋତ୍ତର ଭାରତବର୍ଷକୁ ତା’ର ଅବଦାନ ସମ୍ପର୍କରେ ସମୀକ୍ଷା କରାଯିବା ଆବଶ୍ୟକ ।

 

ଅମଲାତନ୍ତ୍ର ଓ ଆମ ଦେଶ ଦୁଇଟି ବିଚ୍ଛିନ୍ନ ସମଷ୍ଟି ନୁହନ୍ତି, ଦେଶର ସାମଗ୍ରିକ ଅଭ୍ୟୁଦୟ ମଧ୍ୟରେ ଅମଲାତନ୍ତ୍ରର ସ୍ଵରୂପ ନିର୍ଦ୍ଧାରିତ ହୋଇଛି । ବ୍ରିଟିଶ୍ ସାମ୍ରାଜ୍ୟବାଦୀଙ୍କ ରାଜନୈତିକ ଓ ଅର୍ଥନୈତିକ ସ୍ଵାର୍ଥରୁ ହିଁ ଆମ ଦେଶରେ ଅମଲାତନ୍ତ୍ରର ସୃଷ୍ଟି । ବର୍ତ୍ତମାନର ଅମଲାତନ୍ତ୍ର ମୂଳତଃ ବ୍ରିଟିଶ୍ ପ୍ରଶାସନ ଦ୍ଵାରା ସ୍ଥାପିତ ଓ ସଂଗଠିତ ଅମଲାତନ୍ତ୍ରର ଏକ ଦାୟାଦ ହୋଇଥିବାରୁ ସାମ୍ରାଜ୍ୟବାଦୀ-ଉପନିବେଶବାଦୀ ଆଭିମୁଖ୍ୟରୁ ସୃଷ୍ଟ ଅମଲାତନ୍ତ୍ରକୁ ପ୍ରଥମେ ଚିହ୍ନି ରଖିବା ଆବଶ୍ୟକ । ଶୋଷଣର ମୂଳଭିତ୍ତି ଉପରେ ପ୍ରତିଷ୍ଠିତ ସାମ୍ରାଜ୍ୟବାଦୀ ଶାସନ ଆମ ଦେଶକୁ କୌଣସି ସେବା ମନୋବୃତ୍ତି ନେଇ ଶାସନ କରିବାକୁ ଆସି ନ ଥିଲା । ସଭ୍ୟତାର ମହାନ୍ ଆଲୋକର କେନ୍ଦ୍ରବିନ୍ଦୁ ୟୁରୋପରୁ ଜ୍ଞାନ-ବିଜ୍ଞାନର ବିତରଣ ପାଇଁ ଅନ୍ଧାରି ମୂଲକକୁ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ଅନ୍ୟମାନେ କଦାପି ଆସି ନ ଥିଲେ । ଏକ କ୍ଷୟିଷ୍ଣ ଓ ପତନାଭୀମୁଖୀ ଅର୍ଥନୈତିକ ବ୍ୟବସ୍ଥାକୁ ତା’ର ସ୍ଵାଭାବିକ ମୃତ୍ୟୁରୁ ରକ୍ଷା କରିବାକୁ ଏକାନ୍ତ ଆବଶ୍ୟକୀୟ ଥିଲା ବଜାର ଓ କଞ୍ଚାମାଲ । ସେଇ ମୂଳଲକ୍ଷ୍ୟ ହିଁ ଶେଷପର୍ଯ୍ୟନ୍ତ ବ୍ରିଟିଶ ଶାସନର ସମସ୍ତ ନୀତିର ମୂଳଆଧାର ହୋଇ ରହିଥିଲା । ଏ ବାହ୍ୟ-ରାଜ୍ୟତ୍ଵ ପ୍ରତି ସିପାହୀବିଦ୍ରୋହ ଥିଲା ଭାରତୀୟମାନଙ୍କର ପ୍ରଥମ ପ୍ରତିକ୍ରିୟା ଏବଂ ଏ ପ୍ରତିକ୍ରିୟାରୁ ବ୍ରିଟିଶ ପ୍ରଶାସନ ଭଲ ଭାବରେ ବୁଝିଗଲେ ଯେ ଶାସିତ ସମାଜର ବିଭାଗୀକରଣ କରି ସାମ୍ରାଜ୍ୟବାଦର ଦଲାଲ୍ ଶ୍ରେଣୀଟିଏ ସୃଷ୍ଟି କରା ନ ଗଲେ, ଏକ ସ୍ଵତନ୍ତ୍ର ସାମାଜିକ ସାଂସ୍କୃତିକ ଧାରାରେ ପରିପୁଷ୍ଟ ଭାରତୀୟମାନଙ୍କୁ ଶାସନ କରିବା ସୁବିଧାଜନକ ହେବ ନାହିଁ । ଭାରତୀୟ ସମାଜ ଯଦିଓ ବହୁ ଉତ୍ଥାନ–ପତ୍ତନ ଦେଇ ଗତି କରି ଆସିଥିଲା ତା’ର ଏକ ସ୍ଵତନ୍ତ୍ର ଓ ସ୍ଥାନୀୟ ଦୃଷ୍ଟିଭଙ୍ଗୀ ରହି ଆସିଥିଲା । ୟୁରୋପୀୟ ଦୃଷ୍ଟିକୋଶ ଓ ସାମ୍ରାଜ୍ୟବାଦୀ ସ୍ଵାର୍ଥରୁ ଯେଉଁ ବ୍ୟବସ୍ଥାର ବିନ୍ୟାସ କରଗଲା ସେ ଏକ ଭିନ୍ନ ଓ ବିଚ୍ଛିନ୍ନ ବ୍ୟବସ୍ଥା ଥିଲା । ଶାସିତ ଭାରତୀୟମାନଙ୍କୁ ସେ ବ୍ୟବସ୍ଥାକୁ ସ୍ଵୀକାର କରିବାକୁ କେବଳ ସଙ୍ଗୀନ୍ ମୁନରେ ଆଦେଶ ଦିଆଯାଇଥିଲା ତାହା ନୁହେଁ, ପୁରସ୍କାର ଓ ସଂଯୁକ୍ତ-ସ୍ଵାର୍ଥର ଲାଳସା ମଧ୍ୟ ଦେଖାଯାଇଥିଲା । ତତ୍କାଳୀନ ଦେଶୀୟ ଶାସକ ଓ ସଂଭ୍ରାନ୍ତ ଶ୍ରେଣୀକୁ ପ୍ରଲୋଭିତ କରିବାକୁ ହୁଏତ ବେଶୀ ପରିଶ୍ରମର ଆବଶ୍ୟକତା ନ ଥିଲା; କିନ୍ତୁ ଆଭିଜାତ୍ୟ ଓ ପ୍ରତିପତ୍ତି ସେମାନଙ୍କୁ ମଧ୍ୟ ସାଧାରଣ ଜନତାଠାରୁ ବିଚ୍ଛିନ୍ନ କରି ରଖିଥିଲା । ବ୍ରିଟିଶ ଶାସନର ପ୍ରଥମ ଦୁର୍ଗ ବଙ୍ଗ ପ୍ରଦେଶରେ ଯେଉଁ ଇଂରାଜୀ-ପଢ଼ୁଆ, ଚାକିରିଆ, ସହରୀ-ମଧ୍ୟବିତ୍ତ ଶ୍ରେଣୀର ସୃଷ୍ଟି ହେଲା ସେମାନେ ହିଁ ପ୍ରଥମ ସଫଳ ଯୋଗସୂତ୍ର ଥିଲେ ଜନତା ଓ କ୍ଷମତା ମଧ୍ୟରେ । ଏ କିରାଣୀ ଶ୍ରେଣୀକୁ ସାମାଜିକ ମର୍ଯ୍ୟାଦା ଦେବାପାଇଁ ସମ୍ରାଜ୍ୟବାଦୀ ପ୍ରଶାସନ କିଛି କ୍ଷମତା ଓ ଆଧିପତ୍ୟ ଜାହିର କରିବାର ସୁଯୋଗ ଦେଇଥଲା ସତ, ମାତ୍ର ଉଲ୍ଲେଖଯୋଗ୍ୟ ଯେ ଏଇ ତଳପାହିଆ ଅମଲାତନ୍ତ୍ରର ସୃଷ୍ଟିର ପ୍ରଥମ ଦିନରୁ ହିଁ ଉଚ୍ଚ-ନୀଚର ସ୍ପଷ୍ଟରେଖା ଅଙ୍କିତ ହେଇ ସାରିଥିଲା । ‘ନୌକରୀ’, ‘ଚାକିରି’ ଭଳି ଶବ୍ଦରୁ ହିଁ ଶାସକ-ଶାସିତ ପରିଚିତ ଓ ତତ୍‍ସହିତ ସମ୍ପର୍କିତ ଦ୍ଵନ୍ଦ ପରିଷ୍କାର ହେଇଥାଏ । ଏହା ଏକ ଭିନ୍ନ ପ୍ରସଙ୍ଗ ଯେ ବଙ୍ଗୀୟ ନବଜାଗରଣର ଭିତ୍ତି ମଧ୍ୟ ଏଇ ଇଂରାଜୀ ପଢ଼ୁଆଶ୍ରେଣୀ ଥିଲେ କିନ୍ତୁ ଯେତେବେଳେ ପ୍ରଶାସନର ଚରିତ୍ର ଓ ତା’ର ସଙ୍ଗଠନିକ ଭିଭାଗୀକରଣର ପ୍ରଶ୍ନ ଉଠେ, ସେତେବେଳେ ଏକଥା ଅନସ୍ଵୀକାର୍ଯ୍ୟ ଯେ “ଜନକଲ୍ୟାଣକାରୀ ରାଷ୍ଟ୍ରର ଜନତାଙ୍କ ପ୍ରତି ଦାୟିତ୍ଵ” ଭଳି ନୈତିକ ଦୃଷ୍ଟିକୋଣରୁ ଅମଲାତନ୍ତ୍ର ସୃଷ୍ଟି କରାଯାଇ ନ ଥଲା । ବ୍ୟବସ୍ଥାରେ କୌଣସି ଗଣସ୍ଵାର୍ଥ ଭିତ୍ତିକ ପରିବର୍ତ୍ତନ ଘଟାଇବା ପାଇଁ ନୁହେଁ, ବରଂ ବହୁବିଧ ସାମ୍ରାଜ୍ୟବାଦୀ ଦୃଷ୍ଟିକୋଣକୁ କଳେ-ବଳେ-କୌଶଳେ ଶାସିତ ଜନତା ପାଖରେ ଗ୍ରହଣୀୟ କରେଇ ନେବା ପାଇଁ, ଏବଂ ଶୋଷଣରେ ସାହାଯ୍ୟ କରିବା ପାଇଁ ଅମଲାତନ୍ତ୍ରର ସୃଷ୍ଟି । ବହୁ ଅଣପାରମ୍ପାରିକ, ବିଦେଶୀ ଓ ଅପରିଚିତ ଦୃଷ୍ଟିକୋଣ କ୍ରମଶଃ ଏଇ ଯୋଗସୂତ୍ର ରକ୍ଷାକାରୀ ଅମଲାତନ୍ତ୍ର ମାଧ୍ୟମରେ ବୃହତ୍ତର ଜନତା ପାଖରେ ପହିଞ୍ଚିଲା । ଯଦିଓ ବିଦେଶୀ ବୋଲି ସମସ୍ତ ଦୃଷ୍ଟିକୋଣ ବା ଦର୍ଶନ ସାଧାରଣ ଜନତାର ସ୍ଵାର୍ଥ-ବିରୋଧୀ ଥିଲା କହିବା ମୂର୍ଖାମି ହେବ, ଏକଥା ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଯେ ଏକ ବିଚ୍ଛିନ୍ନ, ଅପରିଚିତ ସଭ୍ୟତା ସହ ପାରମ୍ପାରିକ ଭାରତୀୟ ଜୀବନର ସଂହତି ଆଦୌ ସ୍ଵାଭାବିକ ଓ ସ୍ଵାଧୀନ ନଥିଲା, ତାହା ସାମ୍ରାଜ୍ୟବାଦୀ ଦୃଷ୍ଟିକୋଣ ଓ ସାମ୍ରାଜ୍ୟବାଦୀ ସ୍ଵାର୍ଥ ଦ୍ଵାରା ନିର୍ଦ୍ଦେଶିତ ହୋଇଥିଲା । ଏଠାରେ ଅମଲାତନ୍ତ୍ରର ଏକ ଜନ୍ମଜାତ ସୀମାବଦ୍ଧତା ପରିଷ୍କାର ହୋଇଯାଏ ଏବଂ ସେଇ ସୀମାରେଖା ମଧ୍ୟରେ ହିଁ ଅମଲାତନ୍ତ୍ର ନିଃଶ୍ଵାସ ନେଇପାରେ, ହାଇମାରିପାରେ ବା ପରିବର୍ତ୍ତନର କ୍ଷେତ୍ର ପ୍ରସ୍ତୁତ କରିପାରେ ।

 

ବର୍ତ୍ତମାନ ସ୍ୱାଧୀନୋତ୍ତର ଭାରତବର୍ଷର ଘୋଷିତ ଲକ୍ଷ୍ୟ, ଆଦର୍ଶ ଏବଂ ଅମଲାତନ୍ତ୍ରର ତତ୍‍ସହିତ ଯୋଗସୂତ୍ର କଥା ବିଚାରକୁ ଅଣାଯାଇପାରେ । ଯଦିଓ ସ୍ଵାଧୀନତା ପରବର୍ତ୍ତୀ ଅମଲାତନ୍ତ୍ର କୌଣସି ଗୁଣରୁ ନୂତନ ନଥିଲା, ତା’ର ଲକ୍ଷ୍ୟ, କାର୍ଯ୍ୟ ପରିସର ଓ ତା’ର ତଳେ ଉପରେ ଥିବା ପରିବେଶରେ ପରିବର୍ତ୍ତନ ଆସି ସାରିଥିଲା । ଏକ ଶୋଷଣଭିତ୍ତିକ ବ୍ୟବସ୍ଥାର ବଶମ୍ବଦ ସାହାଯ୍ୟକର୍ତ୍ତା ଭାବରେ କାମ କରି ଆସିଥିବା ଅମଲାତନ୍ତ୍ରକୁ ନେଇ ଏକ ନବ୍ୟସ୍ଵାଧୀନ ରାଷ୍ଟ୍ର ସାମନାରେ ଥିବା ଆହ୍ଵାନକୁ ଗ୍ରହଣ କରିବାବେଳେ ଏକ ଅନ୍ତର୍ନିହିତ ସଂଶୟ ପରିଷ୍କାର ହେଇଯାଏ । ଘୋଷିତ ଲକ୍ଷ୍ୟ ଓ ବାସ୍ତବିକତା ମଧ୍ୟରେ ଥିବା ବିରାଟ ଫାଟକକୁ ଅତିକ୍ରମ କରାଯିବାର ରାଜନୈତିକ ଆକାଂକ୍ଷା ତତ୍କାଳୀନ ନେତୃବର୍ଗଙ୍କ ଥିଲା କି ନାହିଁ ସେ ଏକ ବିତର୍କିତ ପ୍ରଶ୍ନ । କିନ୍ତୁ ଅମଲାତନ୍ତ୍ରକୁ ପରିବର୍ତ୍ତନର ଏଜେଣ୍ଟ ରୂପେ ଗ୍ରହଣ କରିଯିବା ମଧ୍ୟ ସମାନ ଭାବରେ ଏକ ବିବାଦମାନ ନିଷ୍ପତି ଥିଲା । କଂଗ୍ରେସ ନେତୃତ୍ଵରେ ପରିଚାଳିତ ସ୍ଵାଧୀନତା ସଂଗ୍ରାମ ସମୟରୁ ହିଁ ସ୍ଵାଧୀନ ଭାରତବର୍ଷର ଲକ୍ଷ୍ୟ ଏକ ନିର୍ଦ୍ଦିଷ୍ଟ ରୂପରେଖ ନେଇ ସାରିଥିଲା ଏବଂ ସ୍ଵାଧୀନତା ପରେ ଶୋଷଣମୁକ୍ତ, ସମାଜବାଦୀ, ଗଣତାନ୍ତ୍ରିକ ବ୍ୟବସ୍ଥାଟିଏ ସ୍ଥାପିତ ହେବା ଦରକାର ବୋଲି ଏକ ସମ୍ମତି ପ୍ରତିଷ୍ଠିତ ହୋଇ ସାରିଥିଲା । ଏଭଳି ଏକ ଉଚ୍ଚ ଆକାଂକ୍ଷାର ପ୍ରାସଙ୍ଗିକତା ନେଇ କୌଣସି ଦ୍ଵିମତ ରହି ନପାରେ, କିନ୍ତୁ ରାଜନୈତିକ ଭାଷଣବାଦୀର ଊର୍ଦ୍ଧ୍ଵରେ ଏକ ସଚେତନ ରାଷ୍ଟ୍ର ନିର୍ମାଣର ଦିଗ୍‍ଦର୍ଶନ ଭାବରେ ଏହାକୁ ଗ୍ରହଣ କଲେ, ସେଇ ପ୍ରକ୍ରିୟାର ମଧ୍ୟ ବିଶ୍ଳେଷଣ ଆବଶ୍ୟକ, ଯାହାକୁ ନେଇ ଲକ୍ଷ୍ୟ ସାଧନ କରାଯାଇ ପାରିବ ବୋଲି ଚିନ୍ତା କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ ପରିଚାଳିତ କଂଗ୍ରେସ କେବଳ ସ୍ଵାଧୀନତା ପ୍ରାପ୍ତିପାଇଁ ଏକ ସଂଗ୍ରାମରେ ହିଁ ନିଜକୁ ସୀମିତ କରି ନଥିଲା । ଭାରତୀୟ ସମାଜରେ ଥିବା ବହୁଦିନର କୁ-ସଂସ୍କାର, ବିଦ୍ଵେଷ ଓ ଉତ୍ପୀଡ଼ନକୁ ନେଇ ଗଠନମୂଳକ ହସ୍ତକ୍ଷେପ କରାଯିବା ମଧ୍ୟ ସମାନ ଭାବରେ ଗୁରୁତ୍ଵପୂର୍ଣ୍ଣ ବୋଲି ବିଚାର କରାଯାଉଥିଲା । ସ୍ଵାଧୀନତା ପ୍ରାପ୍ତି ପରର କଂଗ୍ରେସ କେବଳ କ୍ଷମତା ରାଜନୀତିର ଦୌଡ଼ରେ ଭାଗ ନେଉଥିବା ଅନ୍ୟତମ ଦଳ ହୋଇ ରହିଗଲା, କୌଣସି ସାମାଜିକ ପରିବର୍ତ୍ତନ ପାଇଁ ଉଦ୍ୟମ ତା’ର କାର୍ଯ୍ୟସୂଚୀରେ ରହିଲା ନାହିଁ । ତେଣୁ ଯାହାକିଛି ପରିବର୍ତ୍ତନର ଆବଶ୍ୟକତା ଅନୁଭବ କରାଗଲା ସେଥିପାଇଁ ଏକମାତ୍ର ମାଧ୍ୟମ ହେଲା ରାଷ୍ଟ୍ରାୟତ୍ତ ଅମଲାତନ୍ତ୍ର । ଗୋଷ୍ଠୀ ଉନ୍ନୟନ, ନଦୀବନ୍ଧ ଯୋଜନା, ଶିଳ୍ପାୟନ, ପୌଢ଼ ଶିକ୍ଷା–ଯାହା କିଛି କାର୍ଯ୍ୟକ୍ରମ ରାଜନୈତିକ ସ୍ଵାର୍ଥରୁ ଘୋଷିତ ହେଲା ତା’ର ରୂପାୟନ ନିର୍ଭରଶୀଳ ହେଲା ଏଇ ଅମଲାତନ୍ତ୍ର ଉପରେ । ରାଷ୍ଟ୍ରର ଦାୟିତ୍ଵ ଓ କାର୍ଯ୍ୟପରିସର ଯେତିକି ବଢ଼ିଲା, ଅମଲାତନ୍ତ୍ର ସେତିକି ସ୍ଫୀତ ହେଲା । ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ରାଷ୍ଟ୍ରର ଏକ ନିୟାମକ ଭୂମିକା ରହିଛି ବୋଲି ପ୍ରଥମ-ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା କାଳରେ ବହୁମତ ରହିଥିଲା ଏବଂ ଆମର ବର୍ତ୍ତମାନ ଅବସ୍ଥାକୁ ସେହି ଅବଧାରଣାର ପରିପ୍ରେକ୍ଷୀରେ ବିଚାର କରାଯିବା ଆବଶ୍ୟକ ।

 

ଯେଉଁସବୁ ପରିବର୍ତ୍ତନର ଉଦ୍ଦେଶ୍ୟ ରଖି ଅମଲାତନ୍ତ୍ରକୁ ବିଶାଳ ଓ ଶକ୍ତିଶାଳୀ କରାଯାଉଛି ବୋଲି ସରକାରୀ ସ୍ତରରେ ଘୋଷିତ ହୋଇଥିଲା, କାର୍ଯ୍ୟତଃ ଅମଲାତନ୍ତ୍ର କେତେଦୂର ସେ ଲକ୍ଷ୍ୟ ସାଧନରେ ସଫଳ ହୋଇଛି ? ରାଜନୈତିକ କ୍ଷମତାଧାରୀ ଓ ଅମଲାତନ୍ତ୍ରର ସ୍ଵାର୍ଥ ଯେତେବେଳେ ଘୋଷିତ ନୀତିର ବିରୁଦ୍ଧାଚରଣ କରେ, ସେତେବେଳେ ବହୁ ଆଡ଼ମ୍ବର ମଧ୍ୟରେ ଘୋଷିତ ଯୋଜନାକୁ କାର୍ଯ୍ୟତଃ କିଭଳି ଶୀତଳ ଭଣ୍ଡାରରେ ରଖି ଦିଆଯାଇପାରେ ତା’ର ଏକ ବହୁ ଚର୍ଚ୍ଚିତ ଉଦାହରଣ ହେଉଛି ଭୂ-ସଂସ୍କାର । କୃଷି କ୍ଷେତ୍ରରେ ବ୍ୟବସ୍ଥାଗତ ପୁନର୍ଗଠନ ଯେକୌଣସି ବିକାଶମୁଖୀ ଅର୍ଥନୀତିର ପ୍ରଥମ ପାହାଚ । ଦାରିଦ୍ର୍ୟ ସୀମାରେଖା ତଳେ ବହୁ ଉତ୍ପୀଡ଼ନର ଶିକାର ହୋଇ ଆସିଥିବା ଗରିବ ଚାଷୀ, ନାମମାତ୍ର ଚାଷୀ ଓ କୃଷିଶ୍ରମିକଙ୍କୁ ବଞ୍ଚି ରହିବାର ସର୍ବନିମ୍ନ ଅଧିକାର ଦେବାପାଇଁ ବ୍ୟାପକ ଭୂ-ସଂସ୍କାରର ଆବଶ୍ୟକତା ରହିଥିଲା କୃଷି କ୍ଷେତ୍ରରେ ସାମନ୍ତବାଦୀ ସାମାଜିକ ସମ୍ପର୍କର ଉଚ୍ଛେଦ କରି ଜମି ବଣ୍ଟନରେ ଅସମାନତା ଦୂର କରାଯିବା ଏକ ଘୋଷିତ ଲକ୍ଷ୍ୟ ହୋଇଥିବା ସତ୍ତ୍ୱେ ତତ୍କାଳୀନ ରାଜନୈତିକ-ପ୍ରଶାସନିକ କ୍ଷମତାର କର୍ଣ୍ଣଧାର ଜମିମାଲିକ ଗୋଷ୍ଠୀ ଏ ଯୋଜନାକୁ କାର୍ଯ୍ୟକାରୀ କରାଇ ନ ଦେବାପାଇଁ ବଦ୍ଧପରିକର ଥିଲେ । କେବଳ ଆଇନ ପ୍ରଣୟନ ବେଳେ ନୁହେଁ, ବାସ୍ତବକ୍ଷେତ୍ରରେ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ମଧ୍ୟ ଅମଲାତନ୍ତ୍ରର ସାହାଯ୍ୟ ନେଇ ଭୂସଂସ୍କାରକୁ ଏକ ପ୍ରହସନରେ ପରିଣତ କରାଗଲା । କିନ୍ତୁ ଅମଲାତାନ୍ତ୍ରିକ ଜଡ଼ତା ଓ ପକ୍ଷପାଦିତାର ଇଏ କେବଳ ଏକ ଆଂଶିକ ସ୍ଵରୂପ ।

 

ବସ୍ତୁତଃ ଶାସକ-ଶାସିତର ପରିଭାଷା ନେଇ ଉପନିବେଷବାଦୀ ପ୍ରଶାସନର କାର୍ଯ୍ୟ ପରିସର ଓ ସାଧାରଣ ଜନତା ସହ ସମ୍ପର୍କ ନିର୍ଦ୍ଧାରିତ ହୋଇଥିଲା । ଦୁଃଖର ବିଷୟ ସ୍ଵାଧୀନ ଭାରତବର୍ଷରେ ଅମଲାତନ୍ତ୍ରର ସାଧାରଣ ଜନତା ସହ ସମ୍ପର୍କ ମଧ୍ୟ ସେଇ ପରିଭାଷାରେ ନିର୍ଦ୍ଧାରିତ-। ତଳରୁ ଉପରଯାଏ ଅନେକ ପାହାଚରେ ବିକେନ୍ଦ୍ରିତ କ୍ଷମତା ସେଇ ଗୋଟିଏ ସର୍ବଶକ୍ତିମାନ ସଭାର ହିଁ ପ୍ରତିନିଧିତ୍ଵ କରେ–ରାଷ୍ଟ୍ର ! ତମାମ୍ ଘୋଷଣା, ବାଦାନୁବାଦ, ଆଇନକାନୁନ, ସମ୍ବିଧାନ ସତ୍ତ୍ୱେ ବିଚାର ସାଧାରଣ ମଣିଷଟି ଏକଥା ବୁଝିପାରେ ନାହିଁ–ଏଇ ଚେହେରାହୀନ ଓ ସମ୍ବେଦନଶୀଳତାହୀନ ସମଷ୍ଟିର ନିର୍ମାଣ କଲା କିଏ ?

 

ଆମ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ସ୍ଵରୂପ ସମ୍ପର୍କରେ କୌଣସି ଉପସଂହାରରେ ପହଞ୍ଚିବା ପୂର୍ବରୁ ଯେକୌଣସି ଶାସନ ବ୍ୟବସ୍ଥାରେ ଅନ୍ତର୍ନିହିତ ଏକ ଦ୍ଵନ୍ଦ ସମ୍ପର୍କରେ ଚିନ୍ତା କରାଯାଇପାରେ । ଶାସିତ ଜନତାର ଦୃଷ୍ଟିଭଙ୍ଗୀ ଓ ଶାସକର ଦୃଷ୍ଟୀଭଙ୍ଗୀ ସର୍ବଦା ସମାନ ନ ହେବାର ମୂଳକାରଣ ସେମାନଙ୍କର ସ୍ଵାର୍ଥ ପରସ୍ପରର ପରିପନ୍ଥୀ । ଯେଉଁଠି ଶାସକର ଚାବିକାଠି ଏକ ଶକ୍ତିଶାଳୀ ଅମଲାତନ୍ତ୍ର ହାତରେ ସେଠି ଏ ଦ୍ଵନ୍ଦର ପରିସୀମା ଆହୁରି ଜଟିଳ ଓ ବ୍ୟାପକ ମଧ୍ୟ-। ଅମଲାତାନ୍ତ୍ରିକ ଦୃଷ୍ଟିକୋଣ ନେଇ କୌଣସି ସମସ୍ୟାର ପର୍ଯ୍ୟାଲୋଚନା ଯଦି ପ୍ରକୃତ ତଥ୍ୟ ଉପରେ ପର୍ଯ୍ୟବେସିତ ନ ହୋଇ ଶାସକବର୍ଗଙ୍କ ସ୍ଵାର୍ଥ ଦ୍ଵାରା ନିର୍ଦ୍ଧାରିତ ହୁଏ ତାହେଲେ ଯେଉଁ ସଙ୍କଟ ଘନୀଭୂତ ହୁଏ ସେ ସଙ୍କଟ ରାଷ୍ଟ୍ରର ଜନକଲ୍ୟାଣକାରୀ ଚରିତ୍ର ଉପରେ କେବଳ ପ୍ରଶ୍ନଚିହ୍ନଟିଏ ଆଙ୍କି ଦେଇ ଚୁପରହିଯାଏ ନାହିଁ, ବରଂ ସଚେତନ ଭାବରେ ରାଷ୍ଟ୍ରର ଚରିତ୍ର ବଦଳେଇବାର ଓ ତାକୁ ଜନାଭିମୂଖୀ କରିବା ଆକାଙକ୍ଷାର ରୂପାୟନ ପାଇଁ ସଙ୍ଘର୍ଷ ମଧ୍ୟ କରେ-। ଅମଲାତାନ୍ତ୍ରିକ ଦୃଷ୍ଟିକୋଣ ଓ ବାସ୍ତବିକତା ଭିତରେ ଦୂରତ୍ଵ ଯେତିକି ବୃଦ୍ଧି ପାଇବା ରାଷ୍ଟ୍ରର ପ୍ରତ୍ୟେକ ଅଭିବ୍ୟକ୍ତି ସେତିକି ପରିମାଣରେ ଜନତା ପାଇଁ ଅଗ୍ରହଣୀୟ ହେବ । ସ୍ଵାଧୀନୋତ୍ତର ଭାରତବର୍ଷର କେତେକ ବହୁଚର୍ଚ୍ଚିତ ଯୋଜନାର ଉଦାହରଣ ନେଇ ଏ ଦ୍ଵନ୍ଦଟିକୁ ଅଧିକ ସ୍ପଷ୍ଟ କରାଯାଇପାରେ ।

 

‘ନର୍ମଦା ବଚାଓ ଆନ୍ଦୋଳନ’ ସମଗ୍ର ବିଶ୍ଵର ଦୃଷ୍ଟି ଆକର୍ଷଣ କରିସାରିଛି । ଅନ୍ତତଃ ବୃହତ୍ ନଦୀବନ୍ଧ ଯୋଜନାକୁ ନେଇ ଯେଉଁ ବିଶ୍ଵବ୍ୟାପୀ ଉନ୍ମାଦନା ଏକଦା ଥିଲା ଆଜି ଆଉ ତାହା ନାହିଁ । ବୃହତଶିଳ୍ପ, ନଦୀବନ୍ଧ ଯୋଜନାର କଲ୍ୟାଣକାରୀ ଫଳାଫଳ ସହ ସମାଜ ଓ ପ୍ରକୃତିକୁ ସେଥିପାଇଁ ଯୋଉ ମୂଲ୍ୟ ଦେବାକୁ ହେଉଛି ତାହା ମଧ୍ୟ ଆଜି ବିଚାରକୁ ନିଆଯାଉଛି । ହୀରାକୁଦ ନଦୀବନ୍ଧ ଯୋଜନା ଦ୍ଵାରା ଚାଷଜମିକୁ ଜଳ ଯୋଗାଇ ଦିଆଗଲା, ବିଦ୍ୟୁତଶକ୍ତି ମଧ୍ୟ ଉତ୍ପାଦିତ ହେଲା ଓ ଏଥିରୁ କିଛି ଲୋକ ନିଶ୍ଚିତ ଭାବରେ ଉପକୃତ ହେଲେ, କିନ୍ତୁ ଯୋଉମାନେ ଏ ନଦୀବନ୍ଧ ଯୋଜନା ପାଇଁ ଉଦ୍‍ବାସ୍ତୁ ହେଲେ ସେମାନେ ଏଥିରୁ ପାଇଲେ କ’ଣ ? ଯେକୌଣସି ସଭ୍ୟ ରାଷ୍ଟ୍ର ତାର ନାଗରିକମାନଙ୍କୁ ବାସଚ୍ୟୁତ କଲାବେଳେ ସେମାନଙ୍କର ଉପଯୁକ୍ତ ଥଇଥାନ କରିବା ନାଗରିକମାନଙ୍କ ସର୍ବନିମ୍ନ ଅଧିକାର ପରିସରଭୁକ୍ତ । କିନ୍ତୁ ସରକାରୀ ନଥିପତ୍ରରେ ଆଜି ମଧ୍ୟ ସେ ଲୋକଙ୍କର କୌଣସି ପତ୍ତା ନାହିଁ, ଯୋଉମାନଙ୍କୁ ଏକଦା ରାଷ୍ଟ୍ର ପାଇଁ ତ୍ୟାଗ କରିବାକୁ ଉପଦେଶ ଦିଆଯାଇ ବାସଚ୍ୟୁତ କରଯାଇଥିଲା । ପୁଣି ଉଦ୍‍ବାସ୍ତୁଙ୍କ ମଧ୍ୟରେ ଯୋଉମାନେ ଭୂମିହୀନ ଶ୍ରମିକ, ହରିଜନ, ଆଦିବାସୀ ଶ୍ରେଣୀର ଥିଲେ ସେମାନଙ୍କୁ ଅପେକ୍ଷାକୃତ ଅଧିକ ଅସୁବିଧାର ସାମନା କରିବାକୁ ପଡ଼ିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏ ଉଦ୍‍ବାସ୍ତୁ ଲୋକଙ୍କ ମଧ୍ୟରୁ କେତେକ ଲବ୍ ଉପତ୍ୟକାରେ ଖଣିଖନନ ଯୋଗୁଁ ନିକଟ ଭବିଷ୍ୟତରେ ଦ୍ଵିତୀୟବାର ବାସଚ୍ୟୁତ ହେବେ । ଏଇଠି ପ୍ରଶାସନର ଜନହିତକାରୀ ମୁଖାଟି ଖୋଲିଯାଏ । ହୀରାକୁଦ ନଦୀବନ୍ଧ ଯୋଜନାରେ ବାସଚ୍ୟୁତ ଲୋକଙ୍କୁ ଇବ୍ ଉପତ୍ୟକାରେ ବସବାସ କରାଇଲାବେଳେ ଅନ୍ତତଃ ଏତକ ପ୍ରଶାସନକୁ ଜଣାଥିଲା ଯେ ସେଠି ପ୍ରଚୁର କୋଇଲା ରହିଛି ଓ ଭବିଷ୍ୟତରେ ସେଠୁ ପୁଣି ଲୋକଙ୍କୁ ବାସଚ୍ୟୁତ କରାଯିବାର ସମ୍ଭାବନା ରହିଛି । ଏଭଳି ଦାୟିତ୍ଵହୀନତା ତଥା ସ୍ୱଳ୍ପମିଆଦୀ ସମାଧାନ ପାଇଁ ଉଦ୍ୟମ ଭିତରେ ଅମଲାତନ୍ତ୍ର ରାଉରକେଲା, ରେଙ୍ଗାଲି, ଇନ୍ଦ୍ରାବତୀ ଓ ଅନ୍ୟାନ୍ୟ ସ୍ଥାନରେ ଜନକଲ୍ୟାଣକାରୀ ଯୋଜନା ସବୁକୁ ଜନସ୍ଵାର୍ଥବିରୋଧୀ କରିବାରେ ସହାୟକ ହୋଇଛି । ବହୁ ବାଗାଡ଼ମ୍ବର ଓ ରାଜନୈତିକ ହଟଚମଟ ଭିତରେ ଘୋଷିତ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଉପରେ କରାଯାଇଥିବା ଅଧିକାଂଶ ଗବେଷଣା ଅମଲାତାନ୍ତ୍ରିକ ଦାୟିତ୍ଵହୀନତା ଓ ସମ୍ବେଦନଶୀଳତାର ଅଭାବକୁ କାର୍ଯ୍ୟକ୍ରମର ବିଫଳତା ପାଇଁ ଦାୟୀ କରାଯାଇଛି ।

 

ପରିବର୍ତ୍ତନ ପାଇଁ ଗଠନମୂଳକ ହସ୍ତକ୍ଷେପ କରିବାର ଦାୟିତ୍ଵ ଯେତେବେଳେ ଅମଲାତନ୍ତ୍ର ହାତରେ ନ୍ୟସ୍ତ, ଅମଲାତନ୍ତ୍ରର ନିଜସ୍ଵ ବିଭାଗୀକରଣ ଓ ଆଭ୍ୟନ୍ତରୀଣ ଚରିତ୍ର ଉପରେ ମଧ୍ୟ ଆଲୋକପାତ କରାଯିବା ଆବଶ୍ୟକ । ଆମ ଦେଶର ଅମଲାତନ୍ତ୍ର ମୂଳତଃ ଏକ ବିପ୍ରବାଦୀ ଦର୍ଶନ ଉପରେ ଆସ୍ଥାଶୀଳ । ତଳସ୍ତରର ସମସ୍ତ ପରିବର୍ତ୍ତନର ସ୍ଵରୂପ ଓ ଦିଗ ଏଠି ଉପର ସ୍ତରରେ ହିଁ ନିର୍ଦ୍ଧାରିତ ହୁଏ । ଜ୍ଞାନ ବା ଅଧିକାର ତଳସ୍ତରକୁ ସିଧାସଳଖ ଆସେ ନାହିଁ, କ୍ଷମତାତନ୍ତ୍ରର ସିଡ଼ିର ପାହାଚ ଓହ୍ଲେଇ ଓହ୍ଲେଇ ଆସେ । ଅମଲାତାନ୍ତ୍ରିକ ଅହଂ କେବେ ଏକଥା ସ୍ଵୀକାର କରେ ନାହିଁ ଯେ ତଳସ୍ତରରେ ବି ଲୋକଙ୍କର କିଛି କହିବାର ଅଛି, ସେମାନଙ୍କର ସୀମାବଦ୍ଧତା ଭିତରେ ବି ନିଜପାଇଁ କିଛି ଆକାଂକ୍ଷା ଅଛି । ସେଥିପାଇଁ ଗୋଟେ ଛୋଟ ଗାଁରେ ଦାରିଦ୍ର୍ୟ ଦୂରୀକରଣ ନାମରେ ଏକା ସାଙ୍ଗରେ ଦଶଟି ସିଲେଇ ମେସିନ୍ ବା ମାଇକସେଟ ଯୋଗେଇ ଦିଆଯାଏ ଯାହା ଲାଭପ୍ରଦ ହୁଏ ନାହିଁ । ପୁଣି ପିଇବା ପାଣି ମିଳୁ ନ ଥିବା ଗାଁରେ ଦଶ ଏକର ଜମିରେ ଗଛ ଲଗାଯାଇଥାଏ, କାରଣ ଉପରୁ ସେମିତି ନିର୍ଦ୍ଦେଶ ଆସିଥାଏ । ଆମ ଦେଶରେ ଯୋଜନା ସବୁ ଜନକେନ୍ଦ୍ରିକ ହୋଇ ନ ପାରିବାର କାରଣ ଉପର ସ୍ତରରେ ଯୋଜନା ନିର୍ଦ୍ଧାରିତ ହେବା ସମଶରୁ ହିଁ ଏକ ଦର୍ଶନ ସ୍ୱୀକୃତ ହୋଇ ସାରିଥାଏ ଯେ ବିକାଶ ଉପରସ୍ତରରୁ ତଳକୁ ପାଣି ଭଳି ଗଡ଼ିଯାଏ । ସମ୍ପୂର୍ଣ୍ଣ ସାକ୍ଷରତା କାର୍ଯ୍ୟକ୍ରମକୁ ଅନ୍ୟ ଏକ ଉଦାହରଣ ଭାବରେ ନିଆଯାଇପାରେ । ଏ ତଥାକଥିତ ସାକ୍ଷରତାର ବିଚାର (concept) ହିଁ ଏକ ଉପନିବେଶବାଦୀ ଦୃଷ୍ଟିକୋଣରୁ ଆନୀତ । ନିରକ୍ଷରତା ଓ ସାକ୍ଷରତାର ସଂଜ୍ଞାହିଁ ନିର୍ଦ୍ଧାରିତ ହୁଏ ଏକ ପାଶ୍ଚାତ୍ୟ ମଡ଼େଲଦ୍ଵାରା, ଯେଉଁଠି ପାରମ୍ପରିକ ମୌଖିକ ଜ୍ଞାନ ଉପେକ୍ଷିତ ହୁଏ ଏବଂ ଲିଖିତ ଜ୍ଞାନ ହିଁ ଶ୍ରେଷ୍ଠତମ ବୋଲି ବିଚାର କରାଯାଏ । ଏ ସ୍ଥାଣୁତ୍ଵ ଓ ସୀମାବଦ୍ଧତା ମଧ୍ୟରେ ହଜାର ହଜାର ବର୍ଷର ପରମ୍ପରା ସମ୍ଭୂତ ଲୋକକଳା, ଲୋକ ସାହିତ୍ୟର ଜ୍ଞାନ ଥିବା ଲୋକଟା ମୂର୍ଖ ବୋଲି ପରିଗଣିତ ହୁଏ ଏବଂ କେବଳ ନିଜ ନାଁଟିକୁ ଲିପିବଦ୍ଧ କରିପାରିଲେ ସେ ମୋକ୍ଷ ଲାଭ କରିବା ଭଳି ବିଶ୍ଵାସ ତା’ଠାରେ ଜନ୍ମ କରାଯାଏ । ହୁଏତ ସେ ଲୋକଟିର ଆକ୍ଷରିକ ସାକ୍ଷରତାଠାରୁ ଅଧିକ ଆବଶ୍ୟକ ଥାଏ ରାଜନୈତିକ ସାକ୍ଷରତା । ସମସ୍ତ ପାରମ୍ପରିକ ଜ୍ଞାନ ଓ ଲୋକ ଜ୍ଞାନକୁ ଅବହେଳା କରିବା ପାଶ୍ଚାତ୍ୟ ଶିକ୍ଷା ପଦ୍ଧତିର ଏକ ଅବଦାନ । ଦୁଃଖର ବିଷୟ ଆମର ସ୍ଥାନୀୟ ବିଶେଷତ୍ଵ ଓ ଆବଶ୍ୟକତାକୁ ଅବହେଳା କରି ଆମେ ଏବେ ମଧ୍ୟ ସେ କିରାଣୀ ସୃଷ୍ଟିକାରୀ ଶିକ୍ଷା ଉପରେ ଆସ୍ଥାଶୀଳ । ଏ ବିପ୍ରବାଦୀ ଦର୍ଶନରେ ଉଚ୍ଚ-ନୀଚର ସ୍ତର ନିର୍ଦ୍ଧାରିତ ହୋଇ ରହିଥାଏ ଏବଂ ସେଇଥିପାଇଁ ସାଧାରଣ ଲୋକଙ୍କୁ ଉପେକ୍ଷା କରିବା ବା ଭୟ ଦେଖାଇବା କେବଳ ଏକ ସାମୟିକ ପ୍ରବୃତ୍ତି ନୁହେଁ ବରଂ ପ୍ରଶାସନକୁ କଠୋର କାର୍ଯ୍ୟକ୍ଷମ କରାଇବା ପାଇଁ ଏକାନ୍ତ ଆବଶ୍ୟକୀୟ ବୋଲି ବିବେଚିତ ହୁଏ ।

 

ସରକାର ବାହାଦୂରଙ୍କ ସର୍ବଶକ୍ତିମାନ ସଭାର ଏକ ବିଶେଷ ଅଂଶର ପ୍ରତିନିଧିତ୍ଵ କରୁଥିବାର ଅମଲାତନ୍ତ୍ର ସାମାଜିକ କ୍ଷେତ୍ରରେ ଅନେକ ସମ୍ମାନ ଓ ପ୍ରତିପତ୍ତିର ଅଧିକାରୀ । ବହୁଧା ବିଭକ୍ତ ଭାରତୀୟ ସମାଜରେ ଅମଲାତନ୍ତ୍ରର ଜାତିଗତ ଚରିତ୍ର ଉପରେ ମଧ୍ୟ ଆଲୋକପାତ କରାଯିବା ଆବଶ୍ୟକ । ଅମଲାତନ୍ତ୍ର ନିଶ୍ଚିତ ଭାବରେ ଏକ ସୁବିଧାଭୋଗୀ ଶ୍ରେଣୀର ପ୍ରତିନିଧିତ୍ଵ କରେ । ପହି ଶ୍ରେଣୀର ଜାତିଗତ ଆନୁଗତ୍ୟ ଗତ ମଣ୍ଡଳ କମିଶନ ବିରୋଧି ଆନ୍ଦୋଳନ ସମୟରେ ପରିଷ୍କାର ହୋଇଯାଇଥିଲା । ପୁଣି ରାମଜନ୍ମଭୂମି-ବାବରୀ ମସଜିଦ୍ ବିବାଦକୁ କେନ୍ଦ୍ର କରି ଗଲା କେଇ ବର୍ଷ ହେଲା ସଂଘଟିତ ହେଉଥିବା ଦେଶବ୍ୟାପୀ ବଙ୍ଗା ଏବଂ ବିଶେଷ କରି ଡିସେମ୍ବର ୬ ଏବଂ ତତ୍ପରବର୍ତ୍ତୀ ସାଂପ୍ରଦାୟିକ ନରସଂହାରର ବିଭିନ୍ନ ଚରଣରେ ଅମଲାତନ୍ତ୍ର ତା’ର ଧର୍ମନିରପେକ୍ଷ ଚରିତ୍ର ବଜାୟ ରଖି ପାରିନାହିଁ । ପୋଲିସ ପ୍ରଶାସନ ଅନେକ ସମୟରେ ସଂପୂର୍ଣ୍ଣ ଦାୟିତ୍ଵହୀନ ଭାବରେ ନିଷ୍ପତ୍ତି ଗ୍ରହଣ କରିଛି । ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଶିଖ୍ ବିରୋଧି ଦଙ୍ଗା ସମୟରେ ମଧ୍ୟ ସମାନ ଘଟଣା ଘଟିଥିଲା । ସଂଖ୍ୟାଲଘୁ ସଂପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ଠିକଣା ଉପାୟରେ ମୁକାବିଲା କରି ନ ପାରିବାରେ ଅମଲାତନ୍ତ୍ରର ଯୋଗଦାନ ଗୁରୂତ୍ୱହୀନ ନୁହେଁ । ନାରୀ ଓ ଶିଶୁମାନଙ୍କ ଅଧିକାର ନେଇ ମୁଣ୍ଡ ଖେଲେଇବାରେ ଏ ଦେଶର ଅମଲାତନ୍ତ୍ର ତା’ର ସମୟ ନଷ୍ଟ କରେ ନାହିଁ । ଏସବୁର ତାତ୍ପର୍ଯ୍ୟ ହେଉଛି ସାଂପ୍ରତିକ ବିଶ୍ୱରେ ଯେଉଁ ଗଣତାନ୍ତ୍ରିକ, ମାନବବାଦୀ ମୂଲ୍ୟବୋଧ ସମୂହ ଉପରେ ଏକ ସଭ୍ୟ ରାଷ୍ଟ୍ରର ଭିତ୍ତି ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ବିଚାର କରାଯାଏ ଆମ ଅମଲାତନ୍ତ୍ର ସେସବୁ ମୂଲ୍ୟବୋଧ ଅପେକ୍ଷା ରୁଢ଼ିବାଦୀ କୁସଂସ୍କାରାଚ୍ଛନ୍ନ, ବିପ୍ରବାଦୀ ମୂଲ୍ୟବୋଧକୁ ଅଧିକ ସହଜ ଭାବରେ ଗ୍ରହଣ କରେ । ଅମଲାତନ୍ତ୍ରର ପ୍ରଗତିଶୀଳ ଚରିତ୍ର ନାହିଁ ଅଛି ଏକ ରୁଢ଼ିବାଦୀ, ସ୍ଥିତିବାଦୀ ଚରିତ୍ର । କେବଳ ସେତିକି ନୁହେଁ, ଅମଲାତନ୍ତ୍ର ନିଜକୁ ଏଭଳି ପରିବର୍ତ୍ତନର ପ୍ରତିପକ୍ଷ କରି ରଖିବାଦ୍ଵାରା ସମସ୍ତ ପ୍ରଗତିଶୀଳ ଦର୍ଶନ, ଆନ୍ଦୋଳନ ବା କାର୍ଯ୍ୟକ୍ରମର ବିରୋଧରେ ହିଁ ଛିଡ଼ା ହୋଇଛି । ଯେକୌଣସି ନୂତନ ବ୍ୟବସ୍ଥା ପୁରାତନ ବ୍ୟବସ୍ଥାର କବର ଉପରେ ହିଁ ତିଆରି କରାଯାଇପାରେ । ସାଂପ୍ରତିକ ବାସ୍ତବିକତା ଏଇଆ ଯେ ଏ ଅମଲାତନ୍ତ୍ର ଓ ଏ ଅମଲାତନ୍ତ୍ର ବିଶ୍ଵାସ କରୁଥିବା ସମସ୍ତ ମୂଲ୍ୟବୋଧକୁ ଅସ୍ଵୀକାର ନ କରିବା ଯାଏଁ କୌଣସି ଗୁଣାତ୍ମକ ପୁନର୍ଗଠନର ସମ୍ଭାବନା ନାହିଁ ।

☆☆☆

 

ସ୍ଵାଧୀନ ଭାରତର ଅର୍ଥନୈତିକ ବିକାଶ

ଡକ୍ଟର ବୈଦ୍ୟନାଥ ମିଶ୍ର

 

ଗତ ୪୦ । ୪୫ ବର୍ଷ ଭିତରେ ଭାରତର ଅର୍ଥନୀତିରେ ଯେ ଅନେକ ଉନ୍ନତି ହୋଇଛି, ଏଥିରେ କୌଣସି ସନ୍ଦେହ ନାହିଁ । କୃଷି ଉତ୍ପାଦନ ଅନେକ ବଢ଼ିଛି । ଶିଳ୍ପର ଅଗ୍ରଗତି ହୋଇଛି । ଆଧାରିକ ସରଞ୍ଚନାର ପରିବର୍ତ୍ତନ ହୋଇଛି । ଶିକ୍ଷା ଓ ସ୍ଵାସ୍ଥ୍ୟର ପ୍ରସାର ହୋଇଛି । ଭାରତକୁ କେହି ଏବେ ଏକ ଅନୁନ୍ନତ ଦେଶ ବୋଲି କହୁ ନାହାନ୍ତି । ଏହା ଏକ ବିକାଶଶୀଳ ଦେଶ ହିସାବରେ ଅଭିହିତ ହେଉଛି । ସାଧାରଣତଃ ଅର୍ଥନୈତିକ ପ୍ରଗତିକୁ ବ୍ୟକ୍ତିଗତ ଆୟ ଦୃଷ୍ଟିରୁ ବିଚାର କରାଯାଏ-। ୧୯୫୦-୫୧ ଠାରୁ ୧୯୯୦-୯୧ ଭିତରେ ଜାତୀୟ ଆୟ ମୋଟାମୋଟି ଭାବରେ ବାର୍ଷିକ ଶତକଡ଼ା ୪ଭାଗରୁ ସାମାନ୍ୟ କିଛି କମ୍ ହାରରେ ବୃଦ୍ଧି ପାଇଛି । ୧୯୫୧ ରୁ ୧୯୮୦ ପର୍ଯ୍ୟନ୍ତ ଶତକଡ଼ା ବାର୍ଷିକ ୩.୫ ହାରରେ ଏବଂ ୧୯୮୦ ଠାରୁ ୧୯୯୦ ପର୍ଯ୍ୟନ୍ତ ଶତକଡ଼ା ବାର୍ଷିକ ୫.୩ ରୁ ୫.୪ ହାରରେ ବୃଦ୍ଧି ପାଇଛି । ଏହି ବୃଦ୍ଧି ଯୋଗୁଁ ବ୍ୟକ୍ତିଗତ ଆୟରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ୧୯୮୦-୮୧ ମୂଲ୍ୟସୂଚୀ ଅନୁସାରେ ଏବେ ହାରାହାରି ବାର୍ଷିକ ବ୍ୟକ୍ତି ପିଛା ଆୟ ପ୍ରାୟ ୨ ହଜାର ଦୁଇଶହ ଟଙ୍କା ବୋଲି ହିସାବ କରାଯାଉଛି । ୧୯୫୦-୫୧ର ହିସାବକୁ ଏହା ସହିତ ତୁଳନା କରାଯାଇ ପାରିବ ନାହିଁ । କାରଣ ସେତେବେଳେ ଜିନିଷପତ୍ର ମୂଲ୍ୟ ଯାହା ଥିଲା, ତାହାର ଏବେ ଅନେକ ବୃଦ୍ଧି ହୋଇଛି । ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ମୋଟାମୋଟି ଭାବରେ ଜନସାଧାରଣଙ୍କର ଆର୍ଥିକ ସ୍ଥିତିରେ ଅନେକ ଉନ୍ନତି ହୋଇଛି ।

 

ଅର୍ଥନୈତିକ ପ୍ରଗତି ପାଇଁ ସଞ୍ଚୟ ଓ ବିବେକର ଆବଶ୍ୟକତା ଅନେକ ଅଧିକ । ଯେତେ ଅଧିକ ନିବେଶ ହେବ, ପୁଞ୍ଜିଗଠନର ମାତ୍ରା ସେତେ ଅଧିକ ହେବ । ପୁଞ୍ଜିଗଠନ ଉପରେ ଅର୍ଥନୈତିକ ପ୍ରଗତି ନିର୍ଭର କରେ । ପୁଞ୍ଜିଗଠନ ଅର୍ଥ ରାସ୍ତାଘାଟର ଉନ୍ନତି, କଳକାରଖାନାର ଉନ୍ନତି, ଅଧିକ ବିଦ୍ୟୁତଶକ୍ତି ଉତ୍ପାଦନ, ଅଧିକ ଜଳସେଚନର ବ୍ୟବସ୍ଥା ଇତ୍ୟାଦି । କାରଣ ଏ ସବୁ ନହେଲେ କୃଷି ଶିଳ୍ପ କି ବ୍ୟବସାୟ ବାଣିଜ୍ୟର ଉନ୍ନତି ହୋଇପାରେ ନାହିଁ । ୧୯୫୦-୫୧ ବେଳକୁ ଆମ ଦେଶରେ ସଞ୍ଚୟ ଓ ନିବେଶର ମାତ୍ରା ଜାତୀୟ ଆୟର ଶତକଡ଼ା ୧୦ ଭାଗରୁ କମ୍ ଥିଲା । ଏବେ ସଞ୍ଚୟର ମାତ୍ରା ୨୦।୨୧ ଭାଗକୁ ବୃଦ୍ଧି ହୋଇଛି ଓ ନିବେଶର ମାତ୍ରା ୨୩।୨୪ ଭାଗକୁ ବୃଦ୍ଧି ହୋଇଛି ।ଏଥିଯୋଗୁଁ କୃଷି, ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟରେ ଅନେକ ପରିବର୍ତ୍ତନ ହୋଇଛି । ୧୯୫୦-୫୧ ବେଳକୁ ଆମେ କୃଷି ଓ କୃଷି ସମ୍ପର୍କୀୟ ଅନ୍ୟାନ୍ୟ ଧନ୍ଦାରୁ ଜାତୀୟ ଆୟର ଶତକଡ଼ା ପ୍ରାୟ ୬୦ଭାଗ ଅଂଶ ଗ୍ରହଣ କରିଥିଲୁ । ଏବେ କୃଷି ତୁଳନାରେ ଶିଳ୍ପ ଓ ବ୍ୟବସାୟର ପ୍ରାଧାନ୍ୟ ଅନେକ ବୃଦ୍ଧି ହୋଇଛି । ଏହା ଫଳରେ କୃଷି ଓ କୃଷି ସମ୍ପର୍କୀୟ ଧନ୍ଦାର ମୋଟ ଆୟ ଅନେକ କମିଛି । ଜାତୀୟ ଆୟର ପ୍ରାୟ ଏକ ତୃତୀୟାଂଶ ଏହି ସବୁ ଧନ୍ଦାରୁ ସଂଗୃହୀତ ହେଉଛି । ଅଥଚ ଶିଳ୍ପରୁ ଜାତୀୟ ଆୟର ପ୍ରାୟ ୨୭।୨୮ ଭାଗ ମିଳୁଛି । ଏହା ବ୍ୟତୀତ ଅନେକ ନୂଆ ନୂଆ ଧନ୍ଦା ସୃଷ୍ଟି ହୋଇଛି, ଯାହାକୁ ସେବା ବିଭାଗ (Service Sector କିମ୍ବା Tertiary sector) ବୋଲି କୁହାଯାଇଛି । ଏହି ବିଭାଗରୁ ଜାତୀୟ ଆୟର ଶତକଡ଼ା ୩୯।୪୦ ଭାଗ ସଂଗୃହୀତ ହେଉଛି । ଏହା ଅର୍ଥନୀତିର ଏକ ଆଧୂନିକୀକରଣ ବୋଲି କୁହାଯାଇ ପାରିବ ।

 

ଅର୍ଥନୈତିକ ପରିବର୍ତ୍ତନ ପାଇଁ ଟେକ୍ନୋଲୋଜି ଏକ ପ୍ରଧାନ ଉପାଦାନ ବୋଲି କୁହାଯାଏ । ଯେଉଁସବୁ ଦେଶ ଅର୍ଥନୈତିକ କ୍ଷେତ୍ରରେ ଅନେକ ପ୍ରଗତି କରିଛନ୍ତି, ସେମାନେ ଟେକ୍ନୋଲୋଜିର ସାହାଯ୍ୟ ନେଇ ଖୁବ କମ୍ ଖର୍ଚ୍ଚରେ ଅନେକ ଜଟିଳ ଦ୍ରବ୍ୟ ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି । ସ୍ଵାଧୀନତା ବେଳକୁ ଭାରତର ଗୋଟିଏ ପିନ୍, ବ୍ଲେଡ୍‍ କି ଛୁରୀ ପ୍ରଭୁତି ସାଧାରଣ ଜିନିଷ ଉତ୍ପାଦନ କରିବାକୁ ମଧ୍ୟ କ୍ଷମତା ନଥିଲା । ଆମେ ଅଧିକାଂଶ ଶିଳ୍ପଜାତ ଦ୍ରବ୍ୟ ବିଦେଶରୁ ଆମଦାନୀ କରୁଥିଲୁ । ଆମର ସବୁ କଞ୍ଚାମାଲ ବିଦେଶକୁ ରପ୍ତାନୀହୋଇ ଯାଉଥିଲା । ଗତ ୩୦।୪୦ ବର୍ଷ ଭିତରେ ଟେକ୍ନୋଲୋଜିର ଅନେକ ପରିବର୍ତ୍ତନ ହୋଇଛି । କେବଳ ପିନ୍ କି ବ୍ଲେଡ୍‍ ନୁହେଁ, ଅନେକ ଜଟିଳ (Sophisticated) ଦ୍ରବ୍ୟ ଉତ୍ପାଦନ କରିବାକୁ ଆମର କାରିଗରମାନେ ସମର୍ଥ ହୋଇଛନ୍ତି–ମଟର ଗାଡ଼ି, ରେଳ ଇଞ୍ଜିନଠାରୁ ଆରମ୍ଭ କରି ଉଡ଼ାଜାହାଜ ପର୍ଯ୍ୟନ୍ତ । ଆମ ଦେଶରେ କାରିଗରୀ କୌଶଳର ଅଭାବ ନାହିଁ । ଅନେକ ଖୁବ୍ ଉଚ୍ଚ ଶିକ୍ଷାବିତ୍, ବୈଜ୍ଞାନିକ, ଇଞ୍ଜିନିୟର, ଡାକ୍ତର ଅଛନ୍ତି ଯେଉଁମାନେ କି ବିଦେଶର ଯେ କୌଣସି ଦେଶ ସହିତ ସଫଳତାର ସହିତ ପ୍ରତିଯୋଗିତା କରି ପାରିବେ । ଗତ ୨୫।୩୦ ବର୍ଷ ଭିତରେ ଯେତେ ସବୁ ବିଜ୍ଞାନାଗାର ପ୍ରତିଷ୍ଠିତ ହୋଇଛି, ସେଥିରୁ ଅନେକ ଉଚ୍ଚମାନର ଗବେଷଣା ଲବ୍ଧ ଜ୍ଞାନ ସଂଗୃହୀତ ହୋଇପାରୁଛି । ଜ୍ଞାନର ଅଭାବ ନାହିଁ । ଯନ୍ତ୍ରପାତିରେ ମଧ୍ୟ ବେଶିକିଛି ଅଭାବ ନାହିଁ । କୌଣସି ଦେଶ ସବୁ କ୍ଷେତ୍ରରେ ସ୍ୱାବଲମ୍ବନ ହୋଇପାରିବ ନାହିଁ । ଆମେରିକା ମଧ୍ୟ ଜାପାନରୁ ଜଟିଳ ଦ୍ରବ୍ୟ ଆମଦାନୀ କରିଛି । ଆମେରିକାର ବିଶେଷଜ୍ଞମାନେ ମଧ୍ୟ ଜାପାନରୁ ଟେକ୍ନୋଲୋଜି ସଂଗ୍ରହ କରୁଛନ୍ତି । ତେଣୁ ଭାରତ ଆମେରିକା, ରୁଷିଆ ବା ଜାପାନରୁ କିଛି ଯନ୍ତ୍ରପାତି ଆମଦାନୀ କଲେ ଭାରତର ଟେକ୍ନୋଲୋଜିର କିଛି ଉନ୍ନତି ହୋଇନାହିଁ ବୋଲି କହିବା ଭୁଲ ହେବ ।

 

ସେହିପରି ଗତ ୪୦ ବର୍ଷ ଭିତରେ ଆଧାରିତ ସଂରଚନା (Infrastructure)ର ଅନେକ ପରିବର୍ତ୍ତନ ହୋଇଛି । ସେ ସବୁ ହିସାବ ଏଠାରେ ମୁଁ ଦେବାକୁ ଚାହୁନାହିଁ । କିନ୍ତୁ ଦେଶର ଏବେ ଯେତେ ଯାନବାହାନ ଟ୍ରକ୍, ମଟର ଗାଡ଼ି, ବସ୍, ଉଡ଼ାଜାହାଜ ଚାଲିଛି ତାକୁ ଦେଖିଲେ କେହି କହିବ ନାହିଁ ଯେ ଆଧାରିକ ସଂରଚନାର ଅଭାବ ଅଛି, ସ୍ଵାଧୀନତା ସମୟରେ କେହି ପରିବେଶ କଥା ଚିନ୍ତା କରୁନଥିଲେ । ଏବେତ ପରିବେଶର ଦୂଷିତକରଣ ଏକ ବଡ଼ ସମସ୍ୟା ହୋଇଛି ଏବଂ ଯାହାକୁ ଆମେ ସାମାଜିକ ପୁଞ୍ଜି (Social overhead capital) ବୋଲି କହୁଛୁ । ସେ ପୁଞ୍ଜିର ଗୁରୁତ୍ଵ ଏହା ଭିତରେ ବହୁତ ବଢ଼ିଯାଇଛି । ପୂର୍ବରୁ କେବଳ ଭୌତିକ ପୁଞ୍ଜି (Physical Capital) ଉପରେ ଗୁରୁତ୍ଵ ଦିଆଯାଉଥିଲା । ଭୌତିକ ପୁଞ୍ଜି ନ ହେଲେ ପୁଞ୍ଜିଗଠନ ସହଜ ହେବ ନାହିଁ ବୋଲି କାରିଗରମାନେ ମତ ଦେଇଥିଲେ । କିନ୍ତୁ ଏହି ଭୌତିକ ପୁଞ୍ଜିକୁ କାର୍ଯ୍ୟକାରୀ କରିବା ପାଇଁ ସାମାଜିକ ପୁଞ୍ଜି ଦରକାର । ତେଣୁ ସମାଜବିଜ୍ଞାନୀମାନେ ଏହି ସାମାଜିକ ପୁଞ୍ଜିର ଗୁରୁତ୍ଵ ଅନୁଭବ କରୁଛନ୍ତି । ଏଥିପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଚିକିତ୍ସା ପ୍ରଣାଳୀ ପ୍ରଭୃତିର ଉନ୍ନତି ଦରକାର । ସେ ଦିଗରେ ମଧ୍ୟ ଭାରତ ଅନେକ ଅଗ୍ରଗତି କରିଛି ଯଦିଓ ଯେତେ ଦରକାର, ସେତେ ଉନ୍ନତି ହୋଇପାରି ନାହିଁ । ତେବେ ଯେତେ ଉନ୍ନତି ହୋଇଛି, ତାକୁ ସଂପୂର୍ଣ୍ଣ ଗୌଣ ବୋଲି କହିହେବ ନାହିଁ ।

 

ତଥାପି ଏସବୁ ପରିବର୍ତ୍ତନ ସତ୍ତ୍ୱେ ଭାତରକୁ କେହି ଏକ ଆଗୁଆ ଦେଶ ବୋଲି କହିବାକୁ ପସନ୍ଦ କରୁ ନାହାନ୍ତି । ବିକାଶଶୀଳ ଦେଶ, କିନ୍ତୁ ଉନ୍ନତ ଦେଶ ନୁହେଁ । ପ୍ରଚୁର ବିଭବ ଅଛି, କିନ୍ତୁ ବିଭବର ଉପଯୁକ୍ତ ବିନିଯୋଗ ହେଉନାହିଁ । ଅର୍ଥାତ୍ ଅନେକ ପୁଞ୍ଜି ଭିନ୍ନ ଭିନ୍ନ ଅର୍ଥନୈତିକ ବିଭାଗରେ ବିନିଯୋଗ ହେଉଛି, କିନ୍ତୁ ସେଥିରୁ ଯେତିକି ଲାଭ ମିଳିବା କଥା, ସେତିକି ଲାଭ ମିଳିପାରୁ ନାହିଁ । ଭାରତୀୟ ବିଶେଷଜ୍ଞମାନେ ବିଦେଶକୁ ଗଲେ ଯେପରି ପାରଦର୍ଶିତା ଦେଖାଉଛନ୍ତି, ଭାରତରେ ସେତିକି ଦେଖେଇ ପାରୁ ନାହାନ୍ତି । କେନ୍ଦ୍ର ସରକାର ଏବେ ଏକ ମୁକ୍ତ ବଜାର ସୃଷ୍ଟି କରି ବିଦେଶୀ ପୁଞ୍ଜି ନିୟନ୍ତ୍ରଣ କରିବାରେ ଲାଗିଛନ୍ତି । ସେଥିପାଇଁ ଅନେକ ସମାଲୋଚନା ହେଉଛି । କିନ୍ତୁ ଚୀନକୁ ଯେତେ ବିଦେଶୀ ପୁଞ୍ଜି ଆସୁଛି, ଭାରତକୁ ସେତେ ଆସିପାରୁ ନାହିଁ । ବିଦେଶୀ ଶିଳ୍ପପତିମାନେ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁ ନାହାନ୍ତି । କାରଣ ଅର୍ଥନୀତି ଭିତରେ ଅମଲାତନ୍ତ୍ର ଓ ରାଜନୀତିଜ୍ଞମାନଙ୍କର ହସ୍ତକ୍ଷେପ ଏତେ ଅଧିକ ଯେ ସେଥିରୁ ସହଜରେ କେହି ମୁକୁଳି ପାରୁ ନାହାନ୍ତି । ନିୟନ୍ତ୍ରଣ କମ୍ ହେବ ବୋଲି ନିଷ୍ପତି ହୋଇଛି, କିନ୍ତୁ ନିୟନ୍ତ୍ରଣକାରୀମାନେ କମି ନାହାନ୍ତି କି ସେମାନେ ସେହିସବୁ ନିୟନ୍ତ୍ରଣ କମ୍ କରିବାକୁ ଚାହୁଁ ନାହାନ୍ତି । ପୂର୍ବରୁ ସରକାରୀ ସ୍ତରରେ ନିଷ୍ପତି ହୋଇଥିଲା ଯେ ଦେଶରେ ଏକ ସମାଜବାଦୀ ପ୍ରଥା ପ୍ରଚଳିତ ହେବ । ପ୍ରସ୍ତାବ ଆକାରରେ ସରକାରୀ ସ୍ତରରେ ଯାହା ଗ୍ରହଣ କରାଯାଏ, କିନ୍ତୁ ବାସ୍ତବ କ୍ଷେତ୍ରରେ ସେହି ପ୍ରସ୍ତାବ ବା ନିଷ୍ପତିକୁ କେହି କାର୍ଯ୍ୟକାରୀ କରନ୍ତି ନାହିଁ । ସେଥିପାଇଁ “ଗୁନାର ମିର୍ଡ଼ାଲ ଥରେ କହିଥିଲେ ଯେ ଭାରତରେ ଏକ କୋହଳ ରାଷ୍ଟ୍ର (Soft State) ଅଛି । ଏଥିରେ କୌଣସି ସିଦ୍ଧାନ୍ତ ସହଜରେ କାର୍ଯ୍ୟକାରୀ କରାଯାଏ ନାହିଁ । ତେବେ ଯେଉଁ ଗୋଟିଏ ସିଦ୍ଧାନ୍ତ ଖୁବ୍‍ କଠୋର ଭାବରେ କାର୍ଯ୍ୟକାରୀ କରାଯାଏ—ତାହା ହେଉଛି ସରକାରୀ ନିୟନ୍ତ୍ରଣ । କାରଣ ଏଥିରୁ ନିୟନ୍ତ୍ରଣକାରୀମାନଙ୍କୁ ବେଶ୍ କିଛି ଆଉ ମିଳିପାରେ । ଭାରତରେ ଯେ ଏକ ତୃତୀୟାଂଶ କଳାଧନ ଅଛି, ତାହା ଏହି ଲାଇସେନ୍ସ ଓ ଘରମିଟ୍ ଯୋଗୁଁ, ଆମେ କହୁଛୁ । ଏକ ତୃତୀୟାଂଶ ଅନେକ ବିଶେଷଜ୍ଞ ତ ଏହାକୁ ଶତକଡ଼ା ୫୦ଭାଗ ବୋଲି କହୁଛନ୍ତି । କଳାଧନର ତ କେହି ସଠିକ୍‍ ହିସାବ ଦେଇପାରିବେ ନାହିଁ । କେହି ବି ନିୟନ୍ତ୍ରଣ କରିବାକୁ ଚାହିଁବେ ନାହିଁ, କାରଣ ଏଥିରେ ନିୟନ୍ତ୍ରଣକାରୀମାନଙ୍କର ଅନେକ ନ୍ୟସ୍ତସ୍ଵାର୍ଥ ଅଛି । ଯେଉଁ ସମାଜବାଦ କଥା ଆମ ଦେଶରେ ଏପର୍ଯ୍ୟନ୍ତ ପ୍ରଚାର ହେଉଥିଲା, ତାକୁ ଗଲବ୍ରେଥ୍ ଠିକ ରକମ ଚିହ୍ନି ପାରିଛନ୍ତି, ସେଥିପାଇଁ ତାକୁ ସେ ପୋଷ୍ଟଅଫିସ ସୋସିଆଲିଜିମ (Post-office Socialisim) ବୋଲି ଆଖ୍ୟା ଦେଇଛନ୍ତି । ଏହା ପ୍ରଚାର ପାଇଁ, କାର୍ଯ୍ୟକାରୀ କରାଯିବାପାଇଁ ନୁହେଁ ।

 

ଫଳ ହୋଇଛି ଯେ ୪୨।୪୩ ବର୍ଷର ଅର୍ଥନୈତିକ ଯୋଜନା—ପ୍ରଚୁର ପୁଞ୍ଜି ବିନିଯୋଗ ଓ କୋଡ଼ିଏ ବାଇଶି ବର୍ଷର ଦାରିଦ୍ର୍ୟ ଦୂରୀକରଣ ସତ୍ତ୍ୱେ ଦେଶରେ ଶତକଡ଼ା ପ୍ରାୟ ୪୦ଭାଗ ଲୋକ ଦାରିଦ୍ର୍ୟର ସୀମାରେଖାର ନିମ୍ନରେ ଅଛନ୍ତି । ଯୋଜନା କମିଶନଙ୍କ ହିସାବ ଅନୁସାରେ ୩୦ ଭାଗ, ଅର୍ଥନୀତିଜ୍ଞମାନଙ୍କର ହିସାବ ଅନୁସାରେ ୪୦ ଭାଗ । ଏହା ଅର୍ଥ ପ୍ରାୟ ୩୦।୩୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାର ନିମ୍ନରେ ଅଛନ୍ତି । ଏହା ଯୁକ୍ତରାଷ୍ଟ୍ର ଆମେରିକାର ଜନସଂଖ୍ୟାଠାରୁ ଅଧିକ । ପୁଣି ଏହି ଦାରିଦ୍ର୍ୟର ହିସାବ କେବଳ କାଲରି ହିସାବରେ ? ହିସାବ କରାଯାଉଛି । ଅର୍ଥାତ ସହରରେ ଯେଉଁମାନେ ଦୈନିକ ୨୧୦୦ କାଲରି ଓ ମଫସଲରେ ୨୪୦୦ କାଲରି ଖାଇବାକୁ ପାଉଛନ୍ତି, ସେମାନେ ଦାରିଦ୍ର୍ୟ ସୀମାରେଖାର ନିମ୍ନରେ ନାହାନ୍ତି । ଯେଉଁ ଦେଶରେ ଶତକଡ଼ା ୪୦ ଭାଗ ଲୋକ ଦାରିଦ୍ର୍ୟ ସୀମାରେଖାର ନିମ୍ନରେ ଅଛନ୍ତି ବୋଲି ହିସାବ ବାହାରିବ, ସେ ଦେଶର ଅର୍ଥନୀତି ଏକ ପ୍ରଗତିଶୀଳ ଅର୍ଥନୀତି ବୋଲି କେହି କହିବେ ନାହିଁ-। ଆମେ ପୂର୍ବରୁ କହିଛୁ, ଦେଶରେ ଅନେକ ଅର୍ଥନୈତିକ ଅଗ୍ରଗତି ହୋଇଛି । କିନ୍ତୁ ଏହି ଅଗ୍ରଗତି କେତେକ ମୁଷ୍ଟିମେୟ ଲୋକଙ୍କ ଭିତରେ ସୀମିତ ହୋଇ ରହିଛି । ଏପରିକି ଆମ ଦେଶରେ ଯେତେ ଅର୍ଥନୈତିକ ବିଭେଦ ଅଛି, ଆମେରିକା କି ଜାପାନ ପରି ପୁଞ୍ଜିବାଦୀ ଦେଶରେ ମଧ୍ୟ ସେତେ ନଥିବ । ଏହାର ପ୍ରଧାନ କାରଣ ହେଉଛି ଯେ ଯୋଜନା ପାଇଁ ଯେତେ ଖର୍ଚ୍ଚ ହେଉଛି, ତାର ଅଧିକାଂଶ ଭାଗ କଣା ବାଟେ ବାହାରି ଯାଉଛି । ଭାରତର ପୂର୍ବତନ ପ୍ରାଧାନମନ୍ତ୍ରୀ ରାଜୀବଗାନ୍ଧୀ ଥରେ କହିଥିଲେ ଯେ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ଶତକଡ଼ା ୮୦ ଭାଗ ଏହିପରି ବାହାରି ଯାଉଛି । ଜଣେ ପ୍ରଧାନମନ୍ତ୍ରୀଙ୍କ କଥାକୁ ଅବିଶ୍ଵାସ କରିବାରେ ସାହାସ ଆମର ନାହିଁ ।

 

ଭାରତରେ ଯେତେ ଅର୍ଥନୈତିକ ବିଭେଦ ଅଛି, ତାର ହିସାବ ଦେଲେ ଏକ ବିରାଟ ଗ୍ରନ୍ଥ ହେବ । ସେ ଗ୍ରନ୍ଥ ଲେଖିବାକୁ ଆମେ ଚାହୁଁ ନାହୁଁ । ତେବେ ଏଠାରେ ଗୋଟିଏ କଥା ଅବଶ୍ୟ ଉଲ୍ଲେଖ କରାଯିବ ଯେ ସହର ଓ ମଫସଲ ଭିତରେ ବିଭେଦ ବଢ଼ିଛି ପଛେ କମିନାହିଁ । ମଫସଲ ଅଞ୍ଚଳରେ ଶତକଡ଼ା ପ୍ରାୟ ୭୫ ଭାଗ ଲୋକ ବାସ କରୁଛନ୍ତି । ଯେଉଁ କୃଷିର ଆୟ ଏବେ କମିଯାଇଛି, ସେଥିରେ ଲୋକ ଭିଡ଼ କମିନାହିଁ । ୧୯୬୦-୬୧ରେ ସେହି କୃଷିରେ ୭୦ ଭାଗ କାର୍ଯ୍ୟଦକ୍ଷ ଲୋକ କାମ କରୁଥିଲେ, ଏବେ ସେମାନଙ୍କର ସଂଖ୍ୟା ୬୫/୬୬ ଭାଗକୁ କମିଛି । ଶତକଡ଼ା ହାରରେ, ସଂଖ୍ୟାରେ ନୁହେଁ । ଭାରତର ଜଣେ ବିଶିଷ୍ଟ ଅର୍ଥଶାସ୍ତ୍ରୀ ଡାକ୍ତର କେ. ଏନ. ରାଜ ହିସାବ କରି କହିଛନ୍ତି ଯେ ୧୯୫୦-୫୧ ବେଳକୁ ମଫସଲ ଲୋକଙ୍କର ବ୍ୟକ୍ତିପିଛା ହାରାହାରି ଆୟ ସହର ଲୋକଙ୍କର ହାରାହାରି ବ୍ୟକ୍ତିପିଛା ଆୟ ପରିମାଣ ପ୍ରାୟ ଅଧେ ଥିଲା । ୧୯୮୫ ବେଳକୁ ଅର୍ଥନୈତିକ ଉନ୍ନତି ଏତେ ହେଲା ଯେ ମଫସଲର ଜଣେ ଲୋକର ଆୟ ସହରର ଜଣେ ଲୋକର ଆୟ ଏକ ତୃତୀୟାଂଶକୁ ଖସି ଆସିଲା । ଡକ୍ଟର ରାଜଙ୍କ ହିସାବ ଅନୁସାରେ ଏହି ସମୟ ଭିତରେ ସହରରେ ବ୍ୟକ୍ତିପିଛା ଆଯ ଶତକଡ଼ା ୧୩୫ ଭାଗ ବୃଦ୍ଧି ହେବା ବେଳକୁ ମଫସଲରେ ମୋଟେ ଶତକଡ଼ା ୩୦ ଭାଗ ବୃଦ୍ଧି ହୋଇଛି । ଏହି ବିଭେଦର ଏକ ପ୍ରଧାନ କାରଣ ହେଉଛି ଯେ ଆମର ଯୋଜନା ଏ ପର୍ଯ୍ୟନ୍ତ କେନ୍ଦ୍ରୀଭୂତ ହୋଇ ରହିଛି । ଅବଶ୍ୟ ପ୍ରସ୍ତାବରେ ବିକେନ୍ଦ୍ରିତ ଅର୍ଥନୀତିକୁ ଆମେ ଏକ ନୀତି ହିସାବରେ ଗ୍ରହଣ କରିଛୁ । କିନ୍ତୁ ସେହି ନୀତି ସରକାରୀ ଫାଇଲ୍‍ ଭିତରୁ ପଦାକୁ ଆସି ପାରିନାହିଁ । ସରକାରୀ ଫାଇଲ ଭିତରେ ଏତେ ଗଣ୍ଠି ଯେ ସେ ଗଣ୍ଠି ସହଜରେ ଖୋଲି ହେଉନାହିଁ । ସେଥିପାଇଁ ଯେଉଁ ରାଜନୀତିକ ନେତୃତ୍ଵ ଦରକାର, ସେ ନେତୃତ୍ଵ ଆମ ଦେଶରେ ନାହିଁ । ରାଜନୀତିଜ୍ଞ ନେତାମାନେ ମଧ୍ୟ ଗାଁ । ଗହଳକୁ କ୍ଷମତା ଦେବାକୁ ଚାହୁନାହାନ୍ତି, କାରଣ ସେଥିରେ ସେମାନଙ୍କର କର୍ତ୍ତୃତ୍ଵ କମିଯିବ, ଚେଲାମାନଙ୍କର କର୍ତ୍ତୃତ୍ଵ ବଢ଼ିଯିବ-

 

ଦ୍ଵିତୀୟ ସମସ୍ୟା ହେଉଛି ବେକାରୀ । ଏଥିପାଇଁ ଅବଶ୍ୟ ଜନସଂଖ୍ୟା ବୃଦ୍ଧି ଏକ ପ୍ରଧାନ କାରଣ । ୧୯୫୦-୫୧ ବେଳକୁ ଭାରତର ଜନସଂଖ୍ୟା ପ୍ରାୟ ୩୬ କୋଟି ଥିଲା । ୧୯୯୧ ହିସାବରେ ଦେଖାଯାଉଛି ଯେ ଭାରତର ଜନସଂଖ୍ୟା ପ୍ରାୟ ୮୫ କୋଟି । ପ୍ରତିବର୍ଷ ଜନସଂଖ୍ୟା ପ୍ରାୟ ଏକ କୋଟି ୬୦ ଲକ୍ଷ ହିସାବରେ ବୃଦ୍ଧି ପାଉଛି । ପରିବାର ନିୟନ୍ତ୍ରଣ ଯେତେ ଖର୍ଚ୍ଚ ହେଉଛି, ତାହା ସେହି ହିସାବରେ ରଖାଯାଉଛି । ତେବେ ଜନସଂଖ୍ୟା ନିୟନ୍ତ୍ରଣ ତ କେବଳ ପାରିବାରିକ ନିୟନ୍ତ୍ରଣ ଯୋଜନାରେ ସଫଳ ହୁଏ ନାହିଁ । ସେଥିପାଇଁ ଶିକ୍ଷାର ପ୍ରସାର, ସ୍ୱାସ୍ଥ୍ୟର ଉନ୍ନତି ଓ ଅର୍ଥନୈତିକ ପ୍ରଗତି ଦରକାର । କେରଳରେ ୧୯୯୧ ହିସାବ ଅନୁସାରେ ଶତକଡ଼ା ୮୭ ଭାଗ ମହିଳା ସ୍ଵାକ୍ଷର ବୋଲି ଦେଖାଯାଇଥିଲା । ସେଥିପାଇଁ ଜନସଂଖ୍ୟା ବୃଦ୍ଧି ହାର ସେଠାରେ ବାର୍ଷିକ ୧.୩ ବୋଲି ହିସାବ ବାହାରିଛି । ଭାରତରେ ଏବେ ଶତକଡ଼ା ୫୦ ଭାଗ ନିରକ୍ଷର, ମହିଳା ନିରକ୍ଷରଙ୍କ ସଂଖ୍ୟା ତ ବହୁତ ଅଧିକ । ପୁଣି ଭାରତରେ ଶିଶୁ ମୃତ୍ୟୁହାର ହଜାରେ ପିଛା ଅଶୀ । ଶିଶୁଙ୍କ ମୃତ୍ୟୁହାର ଅଧିକ ହେଲେ କୌଣସି ପରିବାର ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଚାହିଁବେ ନାହିଁ । ସେଥିପାଇଁ ଚିକିତ୍ସାର ଉନ୍ନତି ଦରକାର । ସେହି ଉନ୍ନତି ଏ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ଓଡ଼ିଶାରେ ଶିଶୁ ମୃତ୍ୟୁହାର ହଜାରେ ପିଛା ୧୨୨ । ଅଧିକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ପ୍ରତ୍ୟେକ ବର୍ଷ ପ୍ରାୟ ୭୦/୮୦ ଲକ୍ଷ କାର୍ଯ୍ୟକ୍ଷମ ଲୋକ ଚାକିରି ଅନ୍ଵେଷଣରେ ବଜାରକୁ ଆସୁଛନ୍ତି । କୃଷି ସେମାନଙ୍କୁ କାମ ଯୋଗେଇ ପାରୁନାହିଁ । କୃଷିରେ ଅନେକ ବଳକା ଲୋକ ଅଛନ୍ତି-। କୃଷିରେ ଯେଉଁମାନେ ନିର୍ଭର କରି ରହୁଛନ୍ତି, ସେମାନଙ୍କୁ ବର୍ଷଯାକ କାମ ମିଳୁନାହିଁ-। ସେହି ସାମୟିକ ବେକାରଙ୍କ ସଂଖ୍ୟା କେତେ, ତାହା ହିସାବ କରିବା ସହଜ ନୁହେଁ । ଗାଁ ଗହଳର ଅନେକ ଲୋକ ସହରକୁ ଚାକିରି ଖୋଜିବାକୁ ଆସୁଛନ୍ତି, ଚାକିରି ନ ପାଇ ସହରରେ ବସ୍ତି ଅଞ୍ଚଳ ସୃଷ୍ଟି କରୁଛନ୍ତି । କଲିକତା, ବମ୍ବେ, ମାନ୍ଦ୍ରାଜ ପ୍ରଭୃତି ସହରରେ ଯେତେ ଲୋକ ଅଛନ୍ତି, ତାହା ଭିତରୁ ପ୍ରାୟ ଶତକଡ଼ା ୪୦ ଭାଗ ଲୋକ ବସ୍ତି ଅଞ୍ଚଳରେ ବାସ କରୁଛନ୍ତି ବୋଲି ହିସାବ ପ୍ରକାଶ ପାଉଛି-। ଏହି ବସ୍ତି ଅଞ୍ଚଳରେ ବାସ କରୁଥିବା ଅନେକ ଲୋକ ମଧ୍ୟ ସାମୟିକ ବେକାର । ଯେଉଁମାନେ ବା କିଛି କାମ ପାଉଛନ୍ତି, ସେମାନଙ୍କର ଆୟ ବହୁତ କମ୍ । ସରକାରୀ ହିସାବରୁ ପ୍ରକାଶ ପାଉଛି ଯେ ଯେତେ କାର୍ଯ୍ୟଦକ୍ଷ ଲୋକ ଚାକିରି କରୁଛନ୍ତି, ସେମାନଙ୍କ ଭିତରୁ ୧୦ ଭାଗ ସଂଗଠିତ ବିଭାଗରେ (Organised sector) ଓ ୯୦ ଭାଗ ଅସଂଗଠିତ ବିଭାଗରେ (unorganised କିମ୍ବା Informal sector)ରେ କାମ କରୁଛନ୍ତି । ଯେଉଁମାନେ ଅସଂଗଠିତ ବିଭାଗରେ କାମ କରୁଛନ୍ତି, ସେମାନଙ୍କର ଆୟ ଖାଲି କମ୍ ନୁହେଁ, ସେମାନଙ୍କୁ ଅନେକ ପ୍ରକାରରେ ଶୋଷଣ ମଧ୍ୟ କରାଯାଉଛି ।

 

ଯେତେ ବେକାର ଲୋକ ଅଛନ୍ତି, ପ୍ରାୟ ୧୦/୧୨ କୋଟି, ଜାପାନର ଲୋକ ସଂଖ୍ୟା ସଙ୍ଗେ ସମାନ, ସେମାନଙ୍କୁ ଥଇଥାନ କରିବାକୁ ହେଲେ କ୍ଷୁଦ୍ରଶିଳ୍ପ, ଗ୍ରାମଶିଳ୍ପ ଓ କୁଟୀରଶିଳ୍ପର ଉନ୍ନତି କରିବାକୁ ପଡ଼ିବ । ଏହିସବୁ ଶିଳ୍ପ ଏବେ କାହିଁକି ଉଧେଇ ପାରୁନାହିଁ । ଯେତେ କ୍ଷୁଦ୍ରଶିଳ୍ପ ସରକାରୀ ସାହାଯ୍ୟରେ ଗତ ୩୦/୩୫ ବର୍ଷ ଭିତରେ ପ୍ରତିଷ୍ଠିତ ହୋଇଛି, ସେଥିରୁ ଅଧିକାଂଶ ରୁଗ୍‍ଣ । ସେଥିରେ ପୁଣି ସେହି ଅମଲାତନ୍ତ୍ର ଓ ରାଜନୀତିଜ୍ଞମାନଙ୍କର ହସ୍ତକ୍ଷେପ । ଅନେକ ଲୋକ କେବଳ ସରକାରୀ ସବ୍‍ସିଡ଼ି ପାଇବା ପାଇଁ କ୍ଷୁଦ୍ରଶିଳ୍ପ ଆରମ୍ଭ କରୁଛନ୍ତି । ସରକାରୀ ସାହାଯ୍ୟ ମିଳିଗଲା ପରେ କ୍ଷୁଦ୍ରଶିଳ୍ପରୁ ରୁଗ୍‍ଣ କରିଦେଇ ନିଜର କୋଠାବାଡ଼ିରେ ସରକାରୀ ପୁଞ୍ଜି ଓ ବ୍ୟାଙ୍କଋଣ ବିନିଯୋଗ କରିବାରେ ଲାଗିଛନ୍ତି । ବ୍ୟାଙ୍କ ଋଣ ସୁଝିବା ଦରକାର ପଡ଼ୁନାହିଁ । ସେଥିରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ବୁଦ୍ଧିମାନ ଲୋକ ଅଛନ୍ତି । ସେହି ବୁଦ୍ଧିର ଅଭାବ ଆମ ଦେଶରେ ନାହିଁ । ଏହି ଶଠତା କିପରି ବନ୍ଦହେବ ? ସେଥିପାଇଁ ଏପର୍ଯ୍ୟନ୍ତ କୌଣସି ଉପାୟ ବାହାରି ପାରିନାହିଁ । କଳୁଷିତ ରାଜନୀତି ଅର୍ଥନୀତିକୁ କଳୁଷିତ କରୁଛି । ଜନସାଧାରଣଙ୍କ ହାତକୁ ରାଜନୈତିକ ଓ ଅର୍ଥନୈତିକ କ୍ଷମତା ଆସିଲେ ହୁଏତ ଏହାର କିଛି ପରିବର୍ତ୍ତନ ହୋଇପାରେ । କିନ୍ତୁ ସେ କ୍ଷମତା କଣ ସହଜରେ ଆସି ପାରିବ ? ସେଥିପାଇଁ ଗାନ୍ଧିଜୀଙ୍କ ପରି ଜଣେ ନେତା ଦରକାର । କିନ୍ତୁ ସେ ଗାନ୍ଧୀ କାହାନ୍ତି ?

 

ଗାନ୍ଧିଜୀଙ୍କ କଥା ମନେ ପଡ଼ିଲାବେଳେ ଆମ ଅର୍ଥନୀତିର ଆଉ ଗୋଟିଏ ଦୋଷ ଆମ ଆଖି ଆଗରେ ଭାସିଯାଉଛି । ଆମେ ଦେଶରେ ଅର୍ଥନୈତିକ ପ୍ରଗତି ନାମରେ ଆମେ ଏକ ଖାଉଟୀ ସମାଜ ସୃଷ୍ଟି କରିବାରେ ଲାଗିଛୁ । ଗାନ୍ଧିଜୀ ଅଭାବକୁ ନିୟନ୍ତ୍ରଣ କରିଦେଶର ସ୍ଵାଭିମାନ ବଜାୟ ରଖିବାକୁ ଚାହିଥିଲେ । ସ୍ଵାବଲମ୍ବନଶୀଳତା ଓ ସ୍ଵାଭିମାନ—ଏ ଦୁଇଟି ଆଦର୍ଶ ଉପରେ ଗାନ୍ଧିଜୀ ଅନେକ ଗୁରୁତ୍ଵ ଦେଇଥିଲେ । ବର୍ତ୍ତମାନ ଏ ଦୁଇଟିର ଚିହ୍ନବର୍ଣ୍ଣ ନାହିଁ । ଖାଉଟୀ ଜିନିଷକୁ ବଢ଼େଇବାକୁ ଚେଷ୍ଟାକରି ଦେଶରୁ ଓ ବିଦେଶରୁ କେବଳ ଋଣ ସଂଗ୍ରହ କରିବାରେ ଲାଗିଛୁ । ଅଭ୍ୟନ୍ତରୀଣ ଋଣରମାତ୍ରା ଏବେ ଜାତୀୟ ଆୟର ଶତକଡ଼ା ୬୦ ଭାଗ ଓ ବୈଦେଶିକ ଋଣର ମାତ୍ର ଶତକଡ଼ା ୧୦ ଭାଗ । ଏହି ଋଣ ଓ ଋଣର ସୁଧ ସୁଝିବା ପାଇଁ ସରକାରଙ୍କୁ ପୁଣି ଅଧିକ ମୁଦ୍ରା ପ୍ରଚଳନ କରିବାକୁ ପଡ଼ୁଛି ଯାହା ଫଳରେ ଦେଶରେ ଜିନିଷପତ୍ରର ଦର ବଢ଼ିବାରେ ଲାଗିଛି । ସରକାରୀ ହିସାବ ଅନୁସାରେ ୧୯୬୦-୭୧ରେ ଏକ ଟଙ୍କାର ମୂଲ୍ୟ ଯାହା ଥିଲା, ତାହା ଏବେ ୮।୯ ପଇସା ସଙ୍ଗେ ସମାନ ହୋଇଛି । ମୂଲ୍ୟ ସ୍ଫୀତିରେ ଶିଳ୍ପପତି ବା ବ୍ୟବସାୟୀଙ୍କର ଅସୁବିଧା ହୁଏ ନାହିଁ, ଅସୁବିଧା ହୁଏ ଦରିଦ୍ର ଜନସାଧାରଣଙ୍କର । ପୁଣି ବିଦେଶରୁ ଋଣ ସଂଗ୍ରହ କରିବା ପାଇଁ ନିଜର ସ୍ଵାଭିମାନକୁ ତ୍ୟାଗ କରିବାକୁ ପଡ଼େ । ଆଜି ଆମ ଦେଶ ଏହି ସଙ୍କଟର ସମ୍ମୁଖୀନ ହୋଇଛି-। ଅର୍ଥନୈତିକ ପ୍ରଗତି ପାଇଁ, ଖାଉଟି ଜିନିଷ ବୃଦ୍ଧି କରିବା ପାଇଁ, ଆମେ ବିଶ୍ଵବ୍ୟାଙ୍କ, ଅନ୍ତର୍ଜାତିକ ମୁଦ୍ରା ପାଣ୍ଠି ପାଖରେ ଶରଣ ପଶିବାକୁ ବାଧ୍ୟ ହେଉଛୁ । ଏଥିରେ ଆମର ସମ୍ମାନ ବଢ଼ୁନାହିଁ, ମର୍ଯ୍ୟାଦା ବଢ଼ୁନାହିଁ, ଅପମାନ ବଢ଼ୁଛି, ଲାଞ୍ଛନା ବଢ଼ୁଛି । ଏବେ ମଧ୍ୟ ସମୟ ଅଛି ଆମେ ଆମର ନୀତି ପରିବର୍ତ୍ତନ କରି ସ୍ଵାଭିମାନ ବଜାୟ ରଖିବା ପାଇଁ ଚେଷ୍ଟା କରିବା । ବହୁତ କଷ୍ଟ, କିନ୍ତୁ ଅପରିହାର୍ଯ୍ୟ ।

☆☆☆

 

Unknown

ଆମ ସମାଜ ଓ ମୂଲ୍ୟବୋଧ

ଅଧ୍ୟାପକ ରାଧାନାଥ ରଥ

 

ସାମାଜିକ ମୂଲ୍ୟବୋଧର ପରିସର ବହୁତ ବ୍ୟାପକ । ମନୁଷ୍ୟର କୌଣସି ସାମାଜିକ ଆଚରଣ ନାହିଁ ଯାହା ପଛରେ ସାମାଜିକ ମୂଲ୍ୟବୋଧର ପ୍ରତିଫଳନ ନାହିଁ । ଅବଶ୍ୟ କେତେକ ଲୋକଙ୍କଠାରେ ଏପରି ଆଚରଣ ରହିଥାଏ, ଯାହାକି ଲୋକଲୋଚନର ବାହାରେ । ଏହାର ବ୍ୟାବହାରିକ ପରିସର ବହୁତ ସଂକୀର୍ଣ୍ଣ । ଏହା ପ୍ରାୟତଃ ଗୋପନୀୟ ଭାବରେ ସମ୍ପାଦିତ ହୋଇଥାଏ । ଏହା ବ୍ୟକ୍ତିବିଶେଷର ନିବିଡ଼ ସ୍ଵାର୍ଥଗତ ବ୍ୟବହାର । ଯେଉଁ ବ୍ୟବହାର ଅନ୍ୟ କାହାକୁ, ଏପରିକି ନିଜ ପରିବାରର ଲୋକକୁ ମଧ୍ୟ ପ୍ରଭାବିତ ନ କରେ, ସେଥିରେ କାହାର କିଛି କହିବାର ନ ଥାଏ । ଧରାଯାଉ ଜଣେ ଅତି ନିରୋଳାରେ କିଛି ମଦ ପିଇଲା ଏବଂ ଏହି ମଦ୍ୟପାନ ଯୋଗୁଁ କୌଣସି ପ୍ରକାରର ଅସ୍ୱାଭାବିକ ସାମାଜିକ ପରିସ୍ଥିତି ସୃଷ୍ଟି ହେଲା ନାହିଁ କିମ୍ବା ଅନ୍ୟ କୌଣସି ଲୋକ ଏଥିରେ ପ୍ରଭାବିତ ହେଲାନାହିଁ । ତା’ହେଲେ ତାକୁ ପ୍ରାୟତଃ ସାମାଜିକ ଆଚରଣ ପର୍ଯ୍ୟାୟଭୁକ୍ତ କରାଯାଏ ନାହିଁ । ତଥାପି ତାର ମଦ ଅଭ୍ୟାସ ଯୋଗୁ ମଦ ବ୍ୟବସାୟୀର ସାମାଜିକ ଜୀବନରେ ନାନା ପ୍ରକାରର ଅସ୍ଵାଭାବିକ ପ୍ରାଭାବ ପାଇଁ ପ୍ରକାରାନ୍ତରେ ସେ ଦାୟୀ ହେବ, ତାହା ସାମାଜିକ ଆଚରଣକୁ ପରୋକ୍ଷ ଭାବରେ ପ୍ରଭାବିତ କରୁଛି ବୋଲି ଧରାଯିବ ।

 

ମୋଟାମୋଟି ଭାବରେ ଏହା ସର୍ବସମ୍ମତ ଯେ ସମାଜରେ ମନୁଷ୍ୟ ଯେଉଁ ଆଚରଣ ଦେଖାଏ ତାହା ସାମାଜିକ ଜୀବନକୁ ପ୍ରଭାବିତ କରୁଥିବାରୁ ଏହାର ଯଥାଯଥ ବିଚାର ସାମାଜିକ ମୂଲ୍ୟବୋଧଦ୍ଵାରା ନିର୍ଦ୍ଧାରିତ ହୋଇଥାଏ । ସମାଜରେ ପ୍ରଚଳିତ ଆଇନ କାନୁନ ନ୍ୟାୟାଳୟର ବିଚାର ପଦ୍ଧତି, ସାମ୍ବିଧାନିକ ନିର୍ଦ୍ଦେଶନା ତଥା ସମସ୍ତ ସାମାଜିକ ରୀତି ନୀତି ପଛରେ ନିର୍ଦ୍ଦିଷ୍ଟ ସାମାଜିକ ମୂଲ୍ୟବୋଧ କାମ କରୁଥାଏ । ସାମାଜିକ ପରିବର୍ତ୍ତନ ସହିତ ଏହି ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟକଳାପ ମଧ୍ୟ ପରିବର୍ତ୍ତିତ ହୋଇ ଚାଲିଥାଏ । କେତେକ ସମାଜରେ ଏହା ଧୀର ମନ୍ଥର ଗତିରେ ପରିବର୍ତ୍ତନଶୀଳ ପ୍ରକ୍ରିୟା ଭିତର ଦେଇ ଗତି କରୁଥାଏ । ଆଉ କେତେକ ଦେଶରେ ପୁରାତନ ଯୁଗରୁ ପ୍ରଚଳିତ ମୂଲ୍ୟବୋଧ ଜନିତ ଅନାଚାର, ଅତ୍ୟାଚାର ଓ ପ୍ରଚଳିତ ଆଇନଗତ ଅବିଚାର ସହିତ ନୂତନ ଯୁଗର ପରିବର୍ତ୍ତିତ ଚିନ୍ତାଧାରା ଯେଉଁ ଦ୍ଵନ୍ଦାତ୍ମକ ସଂଘର୍ଷ ସୃଷ୍ଟି କରେ, ତା’ ଫଳରେ ବିପ୍ଳବାତ୍ମକ ପରିବର୍ତ୍ତନ ଅତି ଦ୍ରୁତଗତିରେ ଦେଖାଦିଏ । ପୁରୁଣା ସମାଜ ନୂତନ ଯୁଗର ଆଶା ଆକାଂକ୍ଷାକୁ ପୂରଣ ନକରି ଭୁଷୁଡ଼ି ପଡ଼େ । ନୂଆ ଆଇନ କାନୁନ ନୂତନ ଦିଗଦର୍ଶନ ସୃଷ୍ଟି କରେ । କିନ୍ତୁ ପ୍ରତ୍ୟେକ ରାଜନୈତିକ ବିପ୍ଳବ ପରେ ଯେ ଠିକ୍ ଠିକ୍ ଭାବରେ ନୂତନ ଦିଗଦର୍ଶନ ତଥା ସାମାଜିକ ମୂଲ୍ୟବୋଧ ଦେଶରେ ପ୍ରତି ଫଳିତ ହୋଇଯାଏ, ତାହା ନୁହେଁ, ଅନେକ ସ୍ଥାନରେ ଯେଉଁମାନେ ବିପ୍ଳବର ନେତୃତ୍ଵ ନେଇଥାଆନ୍ତି, ସେମାନେ ସମାଜର ଏହି ନୂତନ ଆଶା ଆକାଂକ୍ଷାକୁ ପ୍ରତାରିତ କରିବାର ମଧ୍ୟ ଦେଖାଯାଏ । କିଛି କିଛି ନୂତନ ପରିବର୍ତ୍ତନ ନିଶ୍ଚିତ ଭାବରେ ହୋଇଥାଏ; କିନ୍ତୁ ଯେପରି ଭାବରେ ବଳିଷ୍ଟ ସାମାଜିକ ମୂଲ୍ୟବୋଧ ପ୍ରତିଷ୍ଠିତ ହେବା କଥା, ତାହା ଏହି ନେତାମାନଙ୍କ ଯୋଗୁଁ ହିଁ ସମ୍ଭବ ହୋଇ ପାରେ ନାହିଁ, ବିପ୍ଳବୀମାନେ ପୁରୁଣା ସମାଜର କେତେକ ନ୍ୟସ୍ତସ୍ଵାର୍ଥଗତ ଲୋଭନୀୟ ଆଚରଣକୁ ଛାଡ଼ିପାରନ୍ତି ନାହିଁ । କାରଣ ତାହା ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ କରିବାରେ ସାହାଯ୍ୟ କରେ, ଫଳରେ ବିପ୍ଳବର ଲକ୍ଷ୍ୟ ପ୍ରଚାରିତ ହୁଏ ଏବଂ ଏମାନେ କ୍ରମେ ଏକ ସୁବିଧାବାଦୀ ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀରେ ପରିଣତ ହୋଇଯାଆନ୍ତି । ନୂତନ ସାମାଜିକ ମୂଲ୍ୟବୋଧ ପ୍ରତିଷ୍ଠା ପାଇଁ ଯେଉଁ ବିପ୍ଳବ ଦେଖା ଦେଇଥାଏ ତାହା ଶେଷରେ ଏମାନଙ୍କଦ୍ଵାରା ଆଂଶିକ ବା ଅତ୍ୟଧିକ ପରିମାଣରେ ପ୍ରତାରିତ ହୋଇଥାଏ । ନୂତନ ସାମାଜିକ ମୂଲ୍ୟବୋଧ ସାମ୍ବିଧାନିକ ନିର୍ଦ୍ଦେଶନାରେ ସ୍ଥାନ ପାଇଲେ ସୁଦ୍ଧା ପ୍ରକୃତ କାର୍ଯ୍ୟକ୍ଷେତ୍ରରେ ତାହା ବିପର୍ଯ୍ୟସ୍ତ ଓ ବିକୃତ ହୋଇଯାଏ ।

 

ଫ୍ରାନ୍ସ ରୁଷିଆ ପ୍ରଭୃତି ଦେଶରେ ସଂପୂର୍ଣ୍ଣ ବିପ୍ଳବ ଦେଖା ଦେଇଥିଲେ ସୁଦ୍ଧା ଏହାର ନୂତନ ବଳିଷ୍ଠ ଦିଗଦର୍ଶନ ବହୁପରିମାଣରେ ପ୍ରତିହିତ ହୋଇଯାଇଥିଲା । ଆମ ଦେଶରେ ବ୍ରିଟିଶ ସାଶନ ପରେ ଯେଉଁ ସ୍ଵାଧୀନତା ହେଲା, ତାହାକୁ ଭାରତୀୟ ନେତାମାନେ ବିପ୍ଳବ ବୋଲି କହୁଥିଲେ ମଧ୍ୟ ଏହା ପ୍ରକୃତରେ ବିପ୍ଳବାତ୍ମକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇନାହିଁ । ସଂପୂର୍ଣ୍ଣ କ୍ରାନ୍ତିକାରୀ ପରିବର୍ତ୍ତନ ସ୍ଥାନରେ କ୍ଷମତାର ହସ୍ତାନ୍ତର ପଦ୍ଧତିଯୋଗୁ ବହୁତ ପ୍ରକାରର ନ୍ୟସ୍ତସ୍ଵାର୍ଥାଗତ ଆଚରଣ ରହିଗଲା । ସାମ୍ବିଧାନିକ ଓ ଆଇନିଗତ ସିଦ୍ଧାନ୍ତରେ କେତେକ ଯୁଗାନ୍ତକାରୀ ପରିବର୍ତ୍ତନର ରୂପରେଖ ପ୍ରବର୍ତ୍ତିତ ହୋଇଥିଲେ ମଧ୍ୟ ସୁବିଧାବାଦୀ ନେତୃତ୍ଵ ଓ ଔପନିବେଶିକ ଅମଲାତାନ୍ତ୍ରିକ ସଂସ୍କାର ଅନୀୟନ୍ତ୍ରିତ କ୍ଷମତା ଯୋଗୁ ନୂତନ ଯୁଗାନ୍ତକାରୀ ସାମାଜିକ ଅର୍ଥନୈତିକ ମୂଲ୍ୟବୋଧର ପ୍ରତିଷ୍ଠା ସମ୍ଭବ ହୋଇପାରିଲା ନାହିଁ । ଧଳା ଲୋକଙ୍କ ଜାଗାରେ ଭାରତୀୟମାନେ ଠିକ୍‍ ସେହିପରି ଭାବରେ ଶାସନ କରିବାକୁ ଲାଗିଲେ । ଦିଲ୍ଲୀ ରାଜଭବନରେ ମହାତ୍ମାଗାନ୍ଧୀଙ୍କର ସ୍ଵପ୍ନ ଅନୁଯାୟୀ ଗୋଟିଏ ହରିଜନ ସ୍ତ୍ରୀଲୋକ ସ୍ଥାନରେ ଭାରତର ରାଷ୍ଟ୍ରପତି ଠିକ୍ ସେହିପରିଭାବରେ ସମ୍ରାଟ ହେଲେ । ସେହି ରାଜକୀୟ ଆଡ଼ମ୍ବର ଚାରିଆଡ଼େ ଚାଲୁ ରହିଲା । ଏ ସବୁ ଗଦୀରେ ଇଂରେଜୀମାନଙ୍କ ପରି ବସି ରାଜତ୍ଵ କରିବାର ସ୍ଵପ୍ନ ଭାରତୀୟ ନେତାମାନଙ୍କଠାରେ ପ୍ରତିଫଳିତ ହେଲା ।

 

ଭାରତର ସମ୍ବିଧାନକୁ ଗୋଟିଏ ଉତ୍କୃଷ୍ଟ ଧରଣର ନୂତନ ଦିଗଦର୍ଶନ ନିର୍ଦ୍ଧାରିତ ଲିପିବଦ୍ଧ ଶାସ୍ତ୍ର ବୋଲି ଧରାଯାଏ । କିନ୍ତୁ ଏଥିରେ ନୂତନ ସାମାଜିକ ମୂଲ୍ୟବୋଧ ପ୍ରତିଷ୍ଠା ପାଇଁ ଯେଉଁ ମୌଳିକ ନୀତି ନିୟମ ନିର୍ଦ୍ଧାରିତ ହୋଇଛି, ତାହାକୁ କାର୍ଯ୍ୟରେ ପରିଣତ କରିବାରେ ରାଜନୈତିକ ନେତାମାନେ ଉଦ୍ୟମ ମଧ୍ୟ କଲେ ନାହିଁ, ଏଥିରେ ଅମଲାତାନ୍ତ୍ରିକ ସଂସ୍ଥା ସଂପୂର୍ଣ୍ଣ ରୂପେ ସାହାଯ୍ୟ କଲା, ବରଂ ଏହାକୁ ବିପରୀତ ମାର୍ଗୀ କରିବାରେ ଏମାନେ ସିଦ୍ଧହସ୍ତ ହୋଇଗଲେ । ଗଣତାନ୍ତ୍ରିକ ନିର୍ବାଚନ କେବଳ କେତେ ବର୍ଷରେ ଥରେ ଲୋକ-ପ୍ରତିନିଧି କରିବାରେ ସୀମିତ ରହିଲା ଓ ବାତିଲ ବି ହୋଇଗଲା । ଏହି ନିର୍ବାଚନ ଛଡ଼ା ଆଉ କୌଣସି କ୍ଷେତ୍ରରେ ଗଣତାନ୍ତ୍ରିକ ପଦ୍ଧତିର ଆବଶ୍ୟକତା ରହିଲା ନାହିଁ । ରାଜନୈତିକ ଦଳ ଭିତରେ ନେତା ନିର୍ବାଚନ ନ ହୋଇ ମନୋନୀତ କାର୍ଯ୍ୟ ବଳବତ୍ତର ରହିଲା । ରାଜାଙ୍କର ଅନୁଗତ ଲୋକେ ହିଁ ସବୁ କାର୍ଯ୍ୟ ପାଇଁ ମନୋନୀତ ହେଲେ । ବହୁ କ୍ଷେତ୍ରରେ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରି ଦିଆଗଲା; ଫଳରେ କ୍ଷମତା କେତେକ ମୁଷ୍ଟିମେୟ ଲୋକଙ୍କ ହାତରେ କେନ୍ଦ୍ରୀଭୂତ ହୋଇରହିଲା । ଦୈନନ୍ଦିନ ଶାସନ ଓ ଆଚରଣରେ ସାମନ୍ତବାଦୀ ଔଦ୍ଧତ୍ୟ ବଳବତ୍ତର ରହିଲା । ସଭାରେ ଏହିମାନେ ହିଁ କହିବେ, କେହି ସେମାନଙ୍କର ଚିନ୍ତାଧାରାକୁ ସଭାରେ ଆହ୍ଵାନ କଲେ ଦଳୀୟ ଗୁଣ୍ଡାମାନେ ସ୍ଵେଚ୍ଛାସେବୀ ଭାବରେ ମଞ୍ଚ ପାଖରେ ଥାଆନ୍ତି, ଏମାନଙ୍କର ଡାକବାଜୀ ଯନ୍ତ୍ରକୁ ବନ୍ଦ କରିବା ପାଇଁ ଏବଂ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରିବା ପାଇଁ, ଶାସନଗୋଷ୍ଠୀ ସମସ୍ତଙ୍କୁ ହତାଦର କରିବାରେ ସିଦ୍ଧହସ୍ତ ଅଫିସର ଶାସନକର୍ତ୍ତା, ସ୍କୁଲରେ ଶିକ୍ଷକ କଲେଜରେ ଅଧ୍ୟାପକ, ଡାକ୍ତରଖାନାରେ ଡାକ୍ତର, ଘରେ ସମସ୍ତ କ୍ଷମତାବାନ୍ ବାପ ବା ସ୍ଵାମୀ ଯୁଗ ଯୁଗ ଧରି ଚଳି ଆସୁଥିବା ସାମନ୍ତବାଦୀ ଔଦ୍ଧତ୍ୟକୁ ବଜାୟ ରଖିଲେ । ଫଳରେ ଗଣତାନ୍ତ୍ରିକ ମୂଲ୍ୟବୋଧ ସମାଜରେ ପ୍ରତିଫଳିତ ହୋଇପାରିଲା ନାହିଁ-। ଦେଶର ଶାସକ ଶ୍ରେଣୀ ଓ ଶିକ୍ଷିତ ବର୍ଗକୁ ଦେଶର ସଂଖ୍ୟାଧିକ ଜନତାକୁ ନିମ୍ନଦ୍ରବ୍ୟ କରିବାରେ ଏହା ସାହାଯ୍ୟ କଲା । ଗଣତାନ୍ତ୍ରିକ ବ୍ୟବହାର ଜାଗାରେ ବ୍ୟକ୍ତି ପ୍ରାଧାନ୍ୟ ଓ ଔଦ୍ଧତ୍ୟ ଆମର ସାମାଜିକ ମୂଲ୍ୟବୋଧର ମୁଖ୍ୟ ଭିତ୍ତି ହୋଇ ରହିଗଲା । ଯେଉଁମାନେ ଏହାର ଶିକାର ହେଲେ, ସେମାନେ ମଧ୍ୟ ଏହାର ପ୍ରତିରୋଧ କରିପାରିଲେ ନାହିଁ । କାରଣ ଆଜି ଯେ ଏହାର ଶିକାର କାଲି ଦି’ଅକ୍ଷର ପାଠପଢ଼ି ଦେଲେ ଚପରାଶି, ଶିକ୍ଷକ, ଅଫିସର କିମ୍ବା ଓକିଲ, ଡାକ୍ତର ହୋଇ ଏ ପ୍ରକାର ବ୍ୟକ୍ତି ପ୍ରାଧାନ୍ୟ ଔଦ୍ଧତ୍ୟ ଦେଖାଇବାର ସୁଯୋଗକୁ ଅପେକ୍ଷା କରି ରହିଲା ।

 

ଆଇନ କ୍ଷେତ୍ରରେ ଯେପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ସେହିପରି । ସେଠାରେ ଅଗଣତାନ୍ତ୍ରିକ ଏକମୁହାଁ ଆଦେଶଗତ ବ୍ୟବହାର ହିଁ ପରିଲକ୍ଷିତ ହେଉଛି । ଆଧୁନିକ ଯୁଗର ଶିକ୍ଷାପଦ୍ଧତି ପାରସ୍ପରିକ ପ୍ରଶ୍ନୋତ୍ତର ଭିତ୍ତିକ ବୈଜ୍ଞାନିକ ଚିନ୍ତାଧାରା ଉପରେ ପର୍ଯ୍ୟବେସିତ । ଫଳରେ ଆମର ପାଠ୍ୟକ୍ରମ ଚର୍ବିତ ଚର୍ବଣ ମୁଖସ୍ଥ ଶିକ୍ଷାରେ ପରିଣତ ହୋଇଯାଇଛି । ଉଚ୍ଚଶିକ୍ଷିତ ବିଜ୍ଞାନୀ ଯୁକ୍ତିଯୁକ୍ତ ବିଚାରଧାରା ପରିବର୍ତ୍ତେ ନାନା ପ୍ରକାରର ଅଯୌକ୍ତିକ କୁସଂସ୍କାର-ମୂଳକ କାର୍ଯ୍ୟରେ ଲିପ୍ତ ରହୁଛି । ଅବୈଜ୍ଞାନିକ ଶିକ୍ଷାଦାନ ପଦ୍ଧତି ଆମର ବୁଦ୍ଧି ଓ ବିବେକକୁ ନିଷ୍କ୍ରିୟ କରି ଦେଉଛି । ତେଣୁ ବୈଜ୍ଞାନିକ ଦୃଷ୍ଟିକୋଣ ଓ ଯୁକ୍ତିଯୁକ୍ତ ବିଚାର-ପଦ୍ଧତି ସମାଜରେ ପ୍ରଚଳିତ ହୋଇପାରିଲା ନାହିଁ । ବହୁ ମଧ୍ୟଯୁଗୀୟ କୁସଂସ୍କାରଗତ ମୂଲ୍ୟବୋଧ ହାସ୍ୟାସ୍ପଦ ଭାବରେ ଚାଲୁ ରହିଲା । ମନ୍ଦିର, ମସଜିଦ ପରି ଅବାନ୍ତର ପ୍ରଶ୍ନ ଜାତୀୟ ସମସ୍ୟାରେ ପରିଣତ ହେଲା । କେତେକ ନ୍ୟସ୍ତସ୍ଵାର୍ଥ ବାବାଜୀ ସରକାରୀ ସ୍ଵାମୀଜୀ ଭାବରେ ଅଖଣ୍ଡ କ୍ଷମତା ବିସ୍ତାର କଲେ । ସେମାନଙ୍କ ପରାମର୍ଶରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପ୍ରଭୃତି ସମାଜର ନେତାମାନେ କେତେବେଳେ ମନ୍ଦିରରେ ସାଇ ମୁଣ୍ଡ ଲଣ୍ଡା କଲେଣି ତ ଆଉ କେତେକ କାହାର ଝୁଲୁଥିବା ପାଦ ପାଖରେ ନିଜ ମୁଣ୍ଡ ଲଗାଇଲେଣି ବର୍ଷାପାଇଁ ଘିଅ ପୋଡ଼ା ଯଜ୍ଞର ସେମାନେ ପୁରୋଧା ହେଲେଣି । ଏହିପରି ବହୁ ଅବିବେକୀ କାର୍ଯ୍ୟ ସମାଜରେ ଦୃଢ଼ୀଭୂତ ହେବାରେ ଲାଗିଛି । ଏହା କିନ୍ତୁ ତରୁଣ ସମାଜରେ ନାନପ୍ରକାର ଦ୍ଵନ୍ଦାତ୍ମକ ମନୋଭାବ ସୃଷ୍ଟି କରିବାରେ ଲାଗିଛି । ଫଳରେ ଜନତାର ନୂତନ ଯୁଗୋପଯୋଗୀ ବିରାଟ ସୃଜନଶୀଳତାର ପରିପ୍ରକାଶ ସମ୍ଭବ ହୋଇପାରୁ ନାହିଁ ।

 

ଆମ ସମ୍ବିଧାନରେ ନିର୍ଦ୍ଦେଶନା ଥିଲା ଯେ ଦଶବର୍ଷ ଭିତରେ ସବୁ ଦେଶରେ ସାର୍ବଜନୀନ ପ୍ରାଥମିକ ଶିକ୍ଷା ପ୍ରଚଳିତ ହେବ । ସମସ୍ତେ ସାକ୍ଷର ହେବେ, କିନ୍ତୁ କୌଣସି ସରକାର ଏଥିରେ ଆନ୍ତରିକତା ପ୍ରଦର୍ଶନ କଲେନାହିଁ । କାରଣ ସରକାରୀ ଅଫିସର ଓ ନେତାମାନଙ୍କର ପିଲାଙ୍କ ପାଇ ଅଳ୍ପ ସଂଖ୍ୟକ ଖର୍ଚ୍ଚବହୁଳ ସ୍କୁଲ, କଲେଜ, ବିଶ୍ଵ-ବିଦ୍ୟାଳୟମାନ ପ୍ରତିଷ୍ଠା ହେଲେ ଯଥେଷ୍ଟ । ଗାଁ ଗଣ୍ଡାରେ ସମସ୍ତେ ଶିକ୍ଷା ପାଇଲେ ଏମାନଙ୍କର କ୍ଷତିଛଡ଼ା ଲାଭ ନାହିଁ । ଫଳରେ ପ୍ରାଥମିକ ଶିକ୍ଷା ସାର୍ବଜନୀନ ହୋଇପାରୁ ନାହିଁ । ଅଥଚ ଭାରତରେ ବହୁ ବିଶ୍ୱବିଦ୍ୟାଳୟ ଥିବା ସତ୍ତ୍ଵେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚରେ ଜବାହରନେହେରୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସମ୍ଭବ ହେଲା । ବଡ଼ ବଡ଼ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରି ଖୁବ୍ ମେଧାବୀ ଛାତ୍ରଙ୍କୁ ସେଠାରେ ଶିକ୍ଷା ଦେଇ ବାହାର ଦେଶକୁ ପଠାଇବାରେ ଆମର ସମ୍ବଳର ଅଭାବ ହେଲାନାହିଁ । କାରଣ ଏମାନଙ୍କ ଭିତରୁ ଅଧିକାଂଶ ଏହି ଶାସକ ଶ୍ରେଣୀଙ୍କର ସନ୍ତାନ । ତେଣୁ ସମ୍ଵିଧାନରେ ଥିବା ଶିକ୍ଷିତ ସମାଜ ଗଠନର ଲକ୍ଷ୍ୟକୁ ପ୍ରତିହତ ଲାଗୁହେଲା । ଅଳ୍ପ ଶିକ୍ଷିତ ଲୋକେ ଆଧ୍ୟାତ୍ମିକ ଅଶିକ୍ଷିତ ଲୋକଙ୍କ ଉପରେ ଆଧିପତ୍ୟ କରିବାର ସୁବିଧା ବଜାୟ ରଖାହେଲା । ଏହା ଧାରାବାହିକ ଭାବରେ ସବୁ କ୍ଷେତ୍ରରେ ଦେଖାଦେଲା । ତେଣୁ ସମାଜବାଦୀ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମ୍ପୂର୍ଣ୍ଣ ରୂପେ ବିକୃତ କରି ଦିଆଗଲା–ଶିକ୍ଷା କ୍ଷେତ୍ରରେ ପ୍ରଚଳିତ ବ୍ୟବଧାନ–ନୀତିକୁ ଦୃଢ଼ୀଭୂତ କରାହେଲା ।

 

ଜାତି ବର୍ଣ୍ଣଗତ, ସାମ୍ପ୍ରଦାୟିକ ଓ ଧର୍ମଗତ ବିଭେଦକୁ ସାମାଜିକ କ୍ଷେତ୍ରରେ ପ୍ରଶୟ ନଦେବା ଲାଗି ଆମର ବଳିଷ୍ଠ ଆଦର୍ଶ ଘୋଷିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ତାର ସମ୍ପୂର୍ଣ୍ଣ ବିପରୀତ ଭାବଧାରାକୁ ଶାସନ ଓ ରାଜନୈତିକ କ୍ଷେତ୍ରରେ କ୍ରମେ ବଳବତ୍ତର କରାହେଲା । ହରିଜନ ଆଦିବାସୀ, ବ୍ରାହ୍ମଣ ଚଷା, ବଢ଼େଇ, ହିନ୍ଦୁ ମୁସଲମାନ ଇତ୍ୟାଦି ଗୋଷ୍ଠୀଗତ ବିଭେଦକୁ ରାଜନୈତିକ ସ୍ତରରେ କେବଳ ଭୋଟପାଇଁ ଦୃଢ଼ୀଭୂତ କରାଯାଉଛି । ସମ୍ବିଧାନରେ ଯୁଗ ଯୁଗଧରି ଦଳିତ ହରିଜନ ଓ ଆଦିବାସୀଙ୍କର ସାମାଜିକ ମର୍ଯ୍ୟାଦା ବଢ଼ାଇବା ଲାଗି ଦଶବର୍ଷ ପାଇଁ କେତେକ ସ୍ଵତନ୍ତ୍ର ସୁବିଧା ଦିଆଯାଇଥିଲା । ବର୍ତ୍ତମାନ ତାହା ନ୍ୟସ୍ତ-ସ୍ଵାର୍ଥଗତ ସ୍ଥାୟୀ ନୀତିରେ ପରିଣତ ହେଲା-। ଜାତି ନାମରେ ଦଳିତ ଶ୍ରେଣୀର କିଛି ଶିକ୍ଷିତ ଓ ବୁଦ୍ଧିଜୀବୀଙ୍କୁ ଚାକିରି ଓ ଲୋକ ପ୍ରତିନିଧିତ୍ଵ ସୁବିଧା କରିନେଇ ସେମାନଙ୍କ ଜରିଆରେ ଦାରିଦ୍ର୍ୟ ସୀମାରେଖାତଳେ ଥିବା ସଂଖ୍ୟାଧିକ ଲୋକଙ୍କୁ ନିୟନ୍ତ୍ରଣ କରାହେଲା । ଏହି କେତେକ ଲୋକେ ବଂଶାନୁକ୍ରମେ ସୁବିଧା ଉପଭୋଗ କଲେ-। କିନ୍ତୁ ଏମାନଙ୍କ ତଳେଥିବା ଗରିବ ସେହିପରି ରହିଗଲେ । ଏମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ସମ୍ଭବ ହେଲାନାହିଁ । କାଁ ଭାଁ ଜଣେ ଦିଜଣ ଶିକ୍ଷିତ ହେଲାପରେ ସେମାନଙ୍କୁ ଲାଞ୍ଚ ଦେଲାପରି ଚାକିରି ନେଇ କରାୟତ୍ତ କରାହେଲା । ଯେଉଁ ମେଧାବୀ ହରିଜନ ଆଦିବାସୀ ଛାତ୍ରଛାତ୍ରୀ ନିଜ ବୁଦ୍ଧି ବଳରେ ସମାଜରେ ପ୍ରତିଷ୍ଠା କଲେ, ସେମାନଙ୍କ ମନରେ ସବୁବେଳେ ହୀନମନ୍ୟତା କାମ କଲା-। ସମାଜ ମଧ୍ୟ ଏମାନଙ୍କୁ ସୁବିଧାବାଦୀ ଓ ବୁଦ୍ଧିହୀନ ନାଗରିକ ହିସାବରେ ଦେଖିଲା । ଫଳରେ ଏହି ବର୍ଣ୍ଣଗତ ବିଭିନ୍ନତା ବଳବତ୍ତର ରହିଲା । ବର୍ତ୍ତମାନ ମଣ୍ଡଳ ରିପୋର୍ଟ କାର୍ଯ୍ୟକାରୀ ହେଲା ପରେ ସମାଜରେ ବର୍ତ୍ତମାନ ଖୋଜାଚାଲିଛି କିଏ କେଉଁ ଜାତି ଓ ବର୍ଣ୍ଣର ଲୋକ । ଲୋକେ କ୍ରମେ ଭୁଲି ଯାଇଥିବା ଜାତିବର୍ଣ୍ଣ ସଂଜ୍ଞା ପୁଣି ରାଜନୈତିକ ମର୍ଯ୍ୟାଦା ପାଇଲା । ସେହିପରି ହିନ୍ଦୁ ମୁସଲମାନ ଭିତରେ ଥିବା ଧର୍ମଗତ ବିଭେଦକୁ ଉତ୍ତେଜିତ କରି ରଖାଯାଉଛି । ଏସବୁ କେବଳ ଭୋଟ ପାଇଁ-। ଅଥଚ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ସମାନ ଧରଣର ନାଗରିକ ଆଇନ ହୋଇପାରୁ ନାହିଁ-। ସବୁବେଳେ କେବଳ ସଂଖ୍ୟାଲଘୁ ଓ ସଂଖ୍ୟାଧିକ ସାମ୍ପ୍ରଦାୟିକ ଆଲୋଚନା ଚାଲୁ ରହିଲା-। ଫଳରେ ଭାରତୀୟ ନାଗରିକତ୍ଵର ଉନ୍ନତ ଓ ମୂଲ୍ୟବୋଧ-ଚେତନାକୁ ଦୁର୍ବଳ କରି ଦିଆଗଲା-। ଏହା ଜାତୀୟ ସଂହତି ଓ ଅଖଣ୍ଡତା ଦିଗରେ ଗୋଟିଏ ଆତ୍ମଘାତୀ ପ୍ରକ୍ରିୟା ବୋଲି ଅଭିହିତ ହେଲେ ମଧ୍ୟ ମୁଷ୍ଟିମେୟ ଶାସକଗୋଷ୍ଠୀ ତଥା ସମସ୍ତ ରାଜନୈତିକ ଦଳ ଏହାକୁ ବଜାୟ ରଖିଲେ-

 

କେନ୍ଦ୍ରୀଭୂତ ସ୍ଵେଚ୍ଛାଚାରୀ ଶାସନ ଯୋଗୁ ଜାତୀୟ ସଂହତିଗତ ମୂଲ୍ୟବୋଧ ଦୃଢ଼ୀଭୂତ ହୋଇପାରୁ ନାହିଁ । ଗୋଟିଏ ରାଜନୈତିକ ଦଳର ବଂଶଗତ ଶାସନ ଯୋଗୁ ସମସ୍ତ କ୍ଷମତା ଜଣେ ଜଣେ ବ୍ୟକ୍ତିଙ୍କ ହାତରେ ଠୁଳ ହୋଇଗଲା । ମନ୍ତ୍ରୀମଣ୍ଡଳର ବିଚାର ଆଲୋଚନା ପ୍ରହସନରେ ପରିଣିତ ହେଲା । ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ଯାହା କହିଲେ ତାହା ଧ୍ରୂବ ସତ୍ୟ ବୋଲି ଧରାହେଲା । ରାଜ୍ୟମାନେ ପ୍ରଧାନମନ୍ତ୍ରୀ ଓ ଦିଲ୍ଲୀ ଶାସନର କରଦ ରାଜ୍ୟରେ ପରିଣିତ ହୋଇଗଲେ । ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଦିଲ୍ଲୀ ଦରବାରର ସୁବେଦାର ରୂପେ କାର୍ଯ୍ୟ କଲେ । ପ୍ରଧାନମନ୍ତ୍ରୀଙ୍କ ମନୋନୀତ ମୁଖ୍ୟମନ୍ତ୍ରୀମାନେ ରାଜ୍ୟ ବିଧାନସଭାକୁ ହେୟ ମନେ କଲେ । ବିଧାନସଭାର ସବୁ ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗଲେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ରହିପାରିବେ ବୋଲି ମୁଖ୍ୟମନ୍ତ୍ରୀମାନେ ଘୋଷଣା କଲେ । ବିଧାନସଭା ସଭ୍ୟମାନେ ନ୍ୟସ୍ତସ୍ଵାର୍ଥରେ ଏପରି ଜଡ଼ିତ ହୋଇ ରହିଲେ ଯେ ଏହାର ପ୍ରତିରୋଧ ସମ୍ଭବ ହେଲା ନାହିଁ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ସ୍ଵେଚ୍ଛାଚାରୀ ଶାସନକୁ ସମସ୍ତେ ମୁଣ୍ଡ ପୋତି ସହିନେଲେ । ଫଳରେ ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ଜାତୀୟ ସଂହିତିଗତ ମୂଲ୍ୟବୋଧ ମଧ୍ୟ କ୍ରମେ ଦୁର୍ବଳ ହୋଇପଡ଼ିଲା । ଶାସକବର୍ଗଙ୍କର ସାମନ୍ତବାଦୀ ଔଦ୍ଧତ୍ୟ ଦେଶର ପ୍ରଧାନ ମୂଲ୍ୟବୋଧରେ ପରିଣିତ ହୋଇଯାଇଛି ।

 

ଶାସକଗୋଷ୍ଠୀ କୌଣସି ଅର୍ଥନୈତିକ ଓ ଦୁର୍ନୀତି ପାଇଁ ଉଭୟ ଦାୟୀ ହେଲେ ନାହିଁ । ଖବର କାଗଜ ଯେତେ ନିର୍ଲଜ ବିବରଣୀ ପ୍ରକାଶ କଲେ ସୁଦ୍ଧା ଏମାନେ ଏତେ ଶକ୍ତିଶାଳୀ ଏବଂ ଲୋକପ୍ରତିନିଧିମାନେ ଏପରି ସ୍ଵାର୍ଥଗତ ଜଞ୍ଜାଳରେ ଲିପ୍ତ ରହିଲେ ଯେ, ସ୍ଵେଚ୍ଛାଚାରୀ ଶାସନ ଚାଲୁ ରହିପାରିଲା । ଏମାନଙ୍କ ପାଇଁ ନୀତିନିୟମ, ଆଇନ, କାନୁନ୍ ଅଲଗା–ବାଛ ବିଚାର ଅଲଗା । ଦୁର୍ନୀତି ଯେପରି ଏମାନଙ୍କର ଆଇନଗତ ଅଧିକାର । ଓକିଲ, ବିଚାରପତି, ଏପରିକି ସାଧାରଣ ବୁଦ୍ଧିଜୀବୀମାନେ ଏହାକୁ ସମର୍ଥନ କରିଗଲେ । ଫଳରେ ସାରା ସମାଜରେ ଦୁର୍ନୀତି ବ୍ୟାପିଗଲା । ଜନସାଧାରଣ ନେତାମାନଙ୍କର ଦୁର୍ନୀତିକୁ ଅନୁକରଣ କରିଗଲେ । କୌଣସି କାର୍ଯ୍ୟ ପାଇଁ କେହି ଉତ୍ତରଦାୟୀ ହେଲେ ନାହିଁ । ସରକାରୀ ସଂସ୍ଥାର ଗୋଟିଏ ମୁଖ୍ୟ କର୍ତ୍ତବ୍ୟ ହେଲା । ଉଚ୍ଚସ୍ତରରେ ଦୁର୍ନୀତିକୁ ପଦାରେ ନ ପକାଇ ଚାପି ରଖିବା । କାରଣ ଏମାନେ ସମସ୍ତେ ମିଳିମିଶି ଶତକଡ଼ା ନବେ ଭାଗ ଲୋକଙ୍କୁ କରାୟତ୍ତ କରି ରଖିପାରିଛନ୍ତି । ଏମାନଙ୍କର ସ୍ଵାର୍ଥ ଜନତାର ସ୍ଵାର୍ଥଠାରୁ ସମ୍ପୂର୍ଣ୍ଣ ଅଲଗା । ସେମାନଙ୍କର ଦରମା ବଢ଼ିବ, ଦର ବଢ଼ିଲେ ମହଙ୍ଗାଭତ୍ତା ବଢ଼ିବ, ପେନସନ ବଢ଼ିବ ଇତ୍ୟାଦି । ଅଥଚ ଏଣେ ସମାଜବାଦୀ ଆଦର୍ଶ ଗରିବୀ ହଟାଅ ରାଜନୈତିକ ଚାଲବାଜି । ଏପ୍ରକାର ଶଠତା ସାଧାରଣ ଜୀବନରେ ବିରାଟ ଅରାଜକତା ସୃଷ୍ଟି କରୁଛି । ଦେଶରେ ନାନା ପ୍ରକାରର ବିଶୃଙ୍ଖଳା, ବିଦ୍ରୋହାତ୍ମକ ଖଣ୍ଡଯୁଦ୍ଧ, ସାମାଜିକ ଅତ୍ୟାଚାର ଓ ନିଷ୍ଠୁରତା ଦେଖାଦେଉଛି । ଏପରି ପରିସ୍ଥିତିରେ ସାମ୍ବିଧାନିକ ସାମାଜିକ ନ୍ୟାୟ, ସାମ୍ୟବାଦୀ ନୀତିଗତ ମୂଲ୍ୟବୋଧର ସ୍ଥାନ କେଉଠି-?

 

ସର୍ବଶକ୍ତିମାନ ଏହି ମୁଷ୍ଟିମେୟ ଲୋକଙ୍କ ଦ୍ଵାରା ମଧ୍ୟ ଆମର ସାଂସ୍କୃତିକ ମୂଲ୍ୟବୋଧ ପରିଚାଳିତ ହେବାକୁ ବାଧ୍ୟ । ଏମାନଙ୍କର ମନୋରଣ୍ଡନ ହିଁ ଆମ ପ୍ରତିଭାଶୀଳ ଶିଳ୍ପୀମାନଙ୍କର ମୁଖ୍ୟ କାମ୍ୟ । ଫଳରେ ଅଧିକାଂଶ ଚଳଚିତ୍ରରେ ଖଣ୍ଡଯୁଦ୍ଧ, ନିଷ୍ଠୁରତା, ନାରୀଧର୍ଷଣ, ଓ ନିମ୍ନ ଧରଣର ନାରୀ ଚରିତ୍ର ଚିତ୍ରଣ ଓ ଅନ୍ୟାନ୍ୟ ଅପସଂସ୍କୃତିର ଉତ୍ପତ୍ତି । ଧନୀ ପାଶ୍ଚାତ୍ୟ ଦେଶମାନଙ୍କର ଆଚରଣ ଆମେ ବିନା ଦ୍ଵିଧାରେ ଗ୍ରହଣ କରିନେଉଛେ, ପ୍ରଭୂତ ସୌଖୀନ ଜିନିଷ ବିକ୍ରୀ ପାଇଁ ଅର୍ଦ୍ଧନଗ୍ନ ନାରୀର ଚାତୁରିପୂର୍ଣ୍ଣ ବିଜ୍ଞାପନ ଆମ ଜାତୀୟ ଦୂରଦର୍ଶନରେ ଅର୍ଥକାରୀ ପ୍ରଦର୍ଶନ । ଆମର ଚଳଚିତ୍ର ଅଭିନେତା ଓ ଅଭିନେତ୍ରୀମାନେ ଏହି ମୁଷ୍ଟିମେୟ ଲୋକଙ୍କର ଅର୍ଥରେ ପରିଚାଳିତ-। ଫଳରେ ‘ଚୋରୀ ମେରା କାମ’ । ‘‘ଚୋଲି ପିଛେ କ୍ୟା ହେ’’ ଗୀତ ଓ ଚଳଚିତ୍ର ଆମର ଜନପ୍ରିୟ ସାଂସ୍କୃତିକ ମୂଲ୍ୟବୋଧର ଚରମ ନିଦର୍ଶନ । ମଟର ସାଇକେଲରେ ଯାଉଥିବା ପ୍ରସିଦ୍ଧ ଅଭିନେତା ଜଣେ ବିଶିଷ୍ଟ ଅଭିନେତ୍ରୀ ଦେହରେ ଜାଣିଶୁଣି ମଟର ସାଇକେଲ ଲଗାଇବ । ନାୟିକା ପ୍ରଥମେ ବହୁତ ରାଗି ଯିବେ । ତାପରେ ସେମାନଙ୍କ ଭିତରେ ପ୍ରେମ ଜମିଉଠିବ । ଫଳରେ ଆମ ସହରମାନଙ୍କରେ ଜାଣିଶୁଣି ଯୁବକମାନେ ଯୁବତୀମାନଙ୍କ ଦେହରେ ସାଇକଲ ମଟର ସାଇକେଲ ଘଷି ଦେଇ ଯାଆନ୍ତି । ଜାଣି ଶୁଣି ଅଶ୍ଳୀଳ ଇଙ୍ଗିତ କରନ୍ତି । କାଳେ ପ୍ରେମ ହୋଇଯିବ ଭବିଷ୍ୟତରେ । ତେଣୁ ସ୍ତ୍ରୀମାନଙ୍କ ପ୍ରତି ପୁରୁଷମାନଙ୍କର ସାମାଜିକ ସମ୍ମାନ ଓ ମୂଲ୍ୟବୋଧ କଲ୍ୟାଣ ହୋଇପାରେ ?

 

ଯେଉଁଦେଶ ଯେତେ ଉନ୍ନତ ସେଠାକାର ଲୋକଙ୍କଠାରେ ସମୟାନୁବର୍ତ୍ତିତା ଓ କାର୍ଯ୍ୟଦକ୍ଷତା ସେତେ ଉଚ୍ଚଧରଣର । ପାଶ୍ଚାତ୍ୟ ଦେଶମାନଙ୍କରେ ଏହି ଦୁଇଟି ସାମାଜିକ ମୂଲ୍ୟବୋଧ ବହୁଦିନ ଧରି ଚରିତ୍ରଗତ ହୋଇଯାଇଛି । କିନ୍ତୁ ଚୀନ୍ ପରି ବିକାଶଶୀଳ ଦେଶରେ ଏହି ଦୁଇଟି ଗୁଣ ଲୋକଙ୍କଠାରେ ମାତ୍ର ୪୦ ବର୍ଷ ଭିତରେ ଯେପରି ଭାବରେ ଚରିତ୍ରଗତ ହୋଇଯାଇଛି । ତାହା ଭାରତରେ ସମ୍ଭବ ହୋଇପାରିଲା ନାହିଁ । ଏ କ୍ଷେତ୍ରରେ କୌଣସି ଦିଗଦର୍ଶନ ମଧ୍ୟ ନାହିଁ । ସାମନ୍ତବାଦୀ ସମାଜରେ ମାନ୍ୟଗଣ ବ୍ୟକ୍ତିମାନେ ବିଳମ୍ବରେ ଆସିବାକୁ ସେମାନଙ୍କ ପଦମର୍ଯ୍ୟାଦାର ଗୋଟିଏ ବିଶିଷ୍ଟ ଗୁଣ ବୋଲି ଧରାଯାଉଛି । ତେଣୁ ଆଧୁନିକ ସମାଜରେ ମନ୍ତ୍ରୀ ଓ ବଡ଼ ଅଫିସରମାନେ ସବୁବେଳେ ଡେରିରେ ଆସନ୍ତି । ଘଣ୍ଟାଏ ଅଧଘଣ୍ଟାଏ ବିଳମ୍ବ ତ କିଛି ନୁହେଁ, ଲୋକେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରନ୍ତି । ଏହା ଗୋଟିଏ ସ୍ଵାଭାବିକ ସାମାଜିକ ଘଟଣା ହିସାବରେ ଧରାଯାଉଛି । ତା’ ସହିତ ଆମର ଅପାରଗତା । ଅପାରଗ ଅଫିସର ଘନ ଘନ ପ୍ରମୋସନ ପାଏ, ଅପାରଗ ମନ୍ତ୍ରୀ ବାରମ୍ବାର ମନ୍ତ୍ରୀ ହେଉଥାଏ । ଅପାରଗତା କୌଣସି ଲଜ୍ଜାଜନକ କାର୍ଯ୍ୟ ବୋଲି ଧରାଯାଉନାହିଁ । ଅପାରଗତା ଓ ସମୟାନୁବର୍ତ୍ତିତା ଏକା ସାଙ୍ଗରେ ଦେଖାଯାଇଥାଏ ଏବଂ ପୃଥିବୀରେ ଆମ ଦେଶ ଏଥିପାଇଁ କୁଖ୍ୟାତି ଲାଭ କରିଛି ।

 

ଯେକୌଣସି ବିପ୍ଳବାତ୍ମକ ପରିବର୍ତ୍ତନ ଯୋଗୁ ରାଜନୈତିକ, ଅର୍ଥନୈତିକ, ସାମାଜିକ ତଥା ଶିକ୍ଷା ଓ ସାଂସ୍କୃତିକ ମୂଲ୍ୟବୋଧର ପ୍ରବର୍ତ୍ତନ ହୋଇଥାଏ । ରାଜନୈତିକ ଓ ଅର୍ଥନୈତିକ ସଂସ୍ଥା ଅନୁଯାୟୀ ଅନ୍ୟନ୍ୟ ସାମାଜିକ ପରିବର୍ତ୍ତନ ଦେଖା ଦେବା ସ୍ଵାଭାବିକ । ଆମ ଦେଶର ରାଜନୈତିକ ଓ ଅର୍ଥନୈତିକ ପଦ୍ଧତି ପୁରୁଣା ଔପନିବେଶିକ ଢାଞ୍ଚାରେ ଗୋଟିଏ କ୍ଷୁଦ୍ର ଗୋଷ୍ଠୀ ଦ୍ଵାରା ନିୟନ୍ତ୍ରିତ ହେଉଥିବାରୁ ଏମାନଙ୍କର ସାମନ୍ତବାଦୀ ଆବଶ୍ୟକତା ଓ ଚାଲିଚଳଣ ଅନୁସାରେ ଅନ୍ୟାନ୍ୟ ସାମାଜିକ ମୂଲ୍ୟବୋଧ ଦେଖାଦେବା ସ୍ଵାଭାବିକ । ସ୍ଵାଧୀନତା ପରଠାରୁ ହିଁ ସାମ୍ବିଧାନିକ ମହତ ଲକ୍ଷ୍ୟ ମୁଷ୍ଟିମେୟ ଲୋକଙ୍କ ସ୍ଵାର୍ଥସାଧନ ଲାଗି ଉଦ୍ଦିଷ୍ଟ ହୋଇଛି । ଦ୍ଵିତୀୟ ମହାଯୁଦ୍ଧ ପରେ ସମାଜବାଦୀ ଦେଶମାନେ ସାର୍ବଜନୀନ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶିଶୁକଲ୍ୟାଣ ଦିଗରେ ଯେପରି ବଳିଷ୍ଠ ପଦକ୍ଷେପ ନେଲେ ତା ଫଳରେ ସେମାନଙ୍କର ସାମାଜିକ ଓ ସାଂସ୍କୃତିକ ଚରିତ୍ର ବଡ଼ ଦ୍ରୁତ ଗତିରେ ବଦଳିଗଲା । ଜନକଲ୍ୟାଣ ଓ ମାନବିକ ମୂଲ୍ୟବୋଧର ବଳିଷ୍ଠ ଆଦର୍ଶ ସମାଜରେ ପ୍ରତିଷ୍ଠିତ ହୋଇ ପାରିଲା । ସେହି ଦୃଷ୍ଟିରୁ ଆମର ସ୍ଵାଧୀନତା ଆନ୍ଦୋଳନ ଲଜ୍ଜାଜନକ ଭାବରେ ପ୍ରତାରିତ ହୋଇ ରହିଲା । ମାନବୀୟ ଓ ଜାତୀୟ ସଂହତି ଦୃଷ୍ଟିରୁ ଜନକଲ୍ୟାଣକର ମାନବୀୟ ମୂଲ୍ୟବୋଧ ପରିବର୍ତ୍ତେ ଅସାମାଜିକ ଉଦାସୀନତା ବଢ଼ି ଚାଲିଲା । ତେଣୁ ଏହି ସଂଘର୍ଷାତ୍ମକ ଅରାଜକତା ଭିତରେ ଆମେ ଗତି କରୁଛେ । ତେଣୁ ଆମ ଦେଶରେ ଦ୍ଵିତୀୟ ସାମାଜିକ ବିପ୍ଳବ ଅବଶ୍ୟମ୍ଭାବୀ ହୋଇ ପଡ଼ିଛି । ତା ନ ହେଲେ ଆମ ଦେଶରେ ଲୋକ–ଚରିତ୍ରର ଅବକ୍ଷୟର ମାତ୍ରା ବଢ଼ି ଚାଲିଥିବ-। ନୂତନ ଯୁଗର ମାନବୀୟ ଦିଗଦର୍ଶନ ଅନୁପ୍ରାଣିତ ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧ ଆହୁରି ବେଶୀ ବିକୃତ ହୋଇଯିବ । ଦେଶର ସୃଜନଶୀଳତା ପ୍ରତିହିତ ହେବ ।

 

ଯୁଗାନ୍ତକରି ମୂଲ୍ୟବୋଧମାନ ସାରା ବିଶ୍ଵରେ ପ୍ରସାରିତ ତଥା ଆଦୃତ ହେଉଥିବା ବେଳେ ଭାରତ ମଧ୍ୟଯୁଗୀୟ ଆଚରଣ ଭିତରେ ରହି ପାରିବା ସମ୍ଭବ ନୁହେଁ । ଯାହା ଅବଶ୍ୟମ୍ଭାବୀ ତାକୁ ଯେଉଁ ଦେଶ ଯେତେ ଶୀଘ୍ର ଗ୍ରହଣ କରିନିଏ, ତାର ସେତେ ପ୍ରଖର ଅଗ୍ରଗତି ହୁଏ । ଅନ୍ୟମାନେ ପଛେଇ ଯାଆନ୍ତି–ସମୟର ମୁଖ୍ୟ ସ୍ରୋତରୁ ଅଲଗା ହୋଇଯାଆନ୍ତି । ଏପରି ଭାବରେ ପରାଭୂତ ବହୁ ସଭ୍ୟତାର ଧ୍ଵଂସାବିଶେଷ ଇତିହାସରେ ଦେଖିବାକୁ ମିଳିଥାଏ ।

☆☆☆

 

ସ୍ଵାଧୀନ ଭାରତରେ ରାଜନୀତି

ଶ୍ରୀ ପଦ୍ମଚରଣ ନାୟକ

 

ପିଲାଦିନେ ସମବୟସୀ ସାନ ମାମୁଁ କହିଲେ ସେ ଗାନ୍ଧୀଙ୍କୁ ଦେଖିବାକୁ ଗରାପୁର (କେନ୍ଦ୍ରପଡ଼ା ଉପକଣ୍ଠରେ) ଯାଇଥିଲେ, ଅଜା ତାଙ୍କୁ କାନ୍ଧରେ ବସାଇ ଗାନ୍ଧିଙ୍କୁ ଦେଖାଇଥିଲେ । ପଚାରିଲି ଗାନ୍ଧି କିଏ ? ସେ କହିଲେ ମହାତ୍ମା । ମହାତ୍ମା କଅଣ ? ଭଗବାନ ।

 

ସେହିଭଳି ଜଣେ ଭଗବାନ ଗାନ୍ଧୀ ବହୁଲୋକଙ୍କୁ ପାଗଳ କରିଥିଲା । ସେମାନେ ଘରଦ୍ଵାର ଓ ପରିବାର ପ୍ରତି ଲକ୍ଷ୍ୟ ନଦେଇ ଦେଶପାଇଁ ନିଜକୁ ଉତ୍ସର୍ଗ କରି ଦେଇଥିଲେ । ଲକ୍ଷ୍ୟ ଥିଲା ଦେଶ ସ୍ଵାଧୀନ ହେବ । ସେମାନେ ମନ୍ତ୍ରୀ ବା ଜିଲ୍ଲାବୋର୍ଡ଼ ମେମ୍ବରଟିଏ ହେବେ ଏ କଥା ସ୍ଵପ୍ନରେ ଭାବି ନଥିଲେ । ସେହି ସଂଗ୍ରାମରେ ବହୁବାର ଭଟ୍ଟା ଆସିଛି । ସେତେବେଳେ ସୈନିକମାନଙ୍କୁ ଉତ୍ସାହିତ କରିବାକୁ ଗୀତ ବୋଲା ଯାଇଛି–ଯୁଦ୍ଧ ସରିନାହିଁ, ଅରି ଫେରି ନାହିଁ.... । ଚାଷୀମାନଙ୍କ ସମର୍ଥନ ଓ ସହଯୋଗ ଲାଭ ପାଇଁ ଏବଂ ସାମ୍ରାଜ୍ୟବାଦ ତଥା ସାମନ୍ତବାଦ ବିରୋଧରେ ବ୍ୟାପକ ଜନମତ ଗଢ଼ିବା ଲାଗି ଗୀତ ରଚନା ହୋଇଛି–କି ହେବ ସେ ସ୍ଵରାଜ୍ୟ ନେଇ, ଯଦି ମୋର ନ ପୂରେ ପେଟ । ଏହିଭଳି ଭାବରେ ତିରିଶ ବର୍ଷ ଧରି କଂଗ୍ରେସ ସ୍ଵାଧୀନତା ସଂଗ୍ରାମରେ ବହୁଲୋକଙ୍କୁ ସଂଶ୍ଳିଷ୍ଟ କରି ରଖିଥିଲା ।

 

ସେହି ସଂଗ୍ରାମର ଶେଷ ପର୍ଯ୍ୟାୟ ସମୟରେ ଭାରତବର୍ଷର ୩୫ କୋଟି ଲୋକଙ୍କ ମଧ୍ୟରୁ ୬୦,୦୦୦ ଲୋକ ଆନ୍ଦୋଳନରେ ଝାସ ଦେଇଥିଲେ । ହିସାବ କରିବାକୁ ଗଲେ ୫୦୦୦ ଲୋକରେ ଜଣେ । ତାହା ସତ୍ତ୍ୱେ ଏହା ଥିଲା ଏକ ବିଦେଶୀ ଶତ୍ରୁ ବିରୋଧରେ ସବୁଠାରୁ ବ୍ୟାପକ ସଂଗ୍ରାମ । ଇତି ପୂର୍ବରୁ କୌଣସି ସଂଗ୍ରାମ ଭାରତବର୍ଷର ସବୁ ଅଞ୍ଚଳର ଲୋକଙ୍କୁ ସଂଶ୍ଳିଷ୍ଟ କରିପାରିନଥିଲା । ଯେଉଁମାନେ ସେଥିରେ ଯୋଗ ଦେଇଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ‘ଇଂରେଜ ହଟାଓ’ ଛଡ଼ା ଅଧିକ କିଛି କାର୍ଯ୍ୟକ୍ରମ ନଥିଲା । ଏଣୁ ଅଗଷ୍ଟ ବିପ୍ଳବ ପରେ ଅଧିକାଂଶଙ୍କ ପାଇଁ ଯୁଦ୍ଧ ସରିଯାଇଥିଲା । ଯେଉଁମାନଙ୍କ ପାଇଁ ସଂଗ୍ରାମ ସରିନଥିଲା, ସେମାନଙ୍କ ମଧ୍ୟରୁ ଗାନ୍ଧୀବାଦୀମାନେ ନିର୍ବାଚନରେ ଅଂଶ ଗ୍ରହଣ ନକରି ଗଠନମୂଳକ କାର୍ଯ୍ୟରେ ଲାଗିଲେ । କିନ୍ତୁ ଗାନ୍ଧିଜୀଙ୍କ ତିରୋଧାନ ସେମାନଙ୍କ ଲାଗି ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଥିଲା । ସ୍ଵାଧୀନତା ପରବର୍ତ୍ତୀକାଳରେ ସେମାନେ ବିନୋବାଙ୍କ ନେତୃତ୍ଵରେ ଯେଉଁ ଉଲ୍ଲେଖଯୋଗ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ ତାହା ହେଉଛି ଭୂଦାନ ଆନ୍ଦୋଳନ । ଗାନ୍ଧୀବାଦୀମାନେ ଇତିପୂର୍ବରୁ ଯେଉଁ ଆନ୍ଦୋଳନ କରିଥିଲେ, ସେଥିରେ ସେମାନେ ଯାହାଙ୍କ ପାଇଁ ଆନ୍ଦୋଳନ କରିଥିଲେ, ସେହି ଲୋକଙ୍କୁ ସକ୍ରିୟ ଭାବରେ ସଂଶ୍ଳିଷ୍ଟ କରାଇଥିଲେ । ଭୂ-ଦାନ ଆନ୍ଦୋଳନର ସ୍ତର ଥିଲା ସଂପୂର୍ଣ୍ଣ ଭିନ୍ନ । ଭୂ-ସମ୍ପତ୍ତି ଉପରେ ଜମି ମାଲିକର ନିବିଡ଼ ମୋହକୁ ବୁଝିବାକୁ ସେମାନେ ଅସମର୍ଥ ହୋଇଥିଲେ । ଯାହାଙ୍କ ପାଇଁ ଜମି ଦରକାର ସେମାନେ ବି ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରି ନଥିଲେ । ଆଇନ ହୋଇ ଭୂ-ସଂସ୍କାର ହେବ ପୂର୍ବରୁ ଏହି ଅଭିନବ ଧାରାରେ ଭୂମି ସମସ୍ୟାର ସମାଧାନ କରିବାର ଚେଷ୍ଟାକରି ଗାନ୍ଧୀବାଦୀମାନେ କାର୍ଯ୍ୟତଃ ବ୍ୟର୍ଥ ହେଲେ । ଏହି ଆନ୍ଦୋଳନ କାଳରେ ମିଳିଥିବା କିଛି ଗାଁ ଓ କିଛି ଜମିର ବଣ୍ଟନ ତଥା ଉନ୍ନୟନରେ ସେମାନଙ୍କ ମଧ୍ୟରୁ କିଛି ଗାନ୍ଧୀବାଦୀ ନିଜକୁ ନିୟୋଜିତ କରିଥିଲେ । ଗାନ୍ଧିଜୀଙ୍କ ତିରୋଧାନର ଏକ ଶତାବ୍ଦୀ ମଧ୍ୟରେ ଗାନ୍ଧୀବାଦୀମାନଙ୍କର କାର୍ଯ୍ୟ କହିବାକୁ ନିଶେଷ ହୋଇଯାଇଥିଲା ।

 

ସ୍ଵାଧୀନତା ପୂର୍ବରୁ ଗାନ୍ଧିଜୀ କଂଗ୍ରେସ ଖାତାରୁ ତ ନାମ କଟାଇ ଦେଇଥିଲେ, ସ୍ଵାଧୀନତା ପରେ ପରେ ସେ କଂଗ୍ରେସ ସଂଗଠନରୁ କ୍ରମେ ବିଚ୍ଛିନ୍ନ ହୋଇଯାଇଥିଲେ । ଏଣିକି କଂଗ୍ରେସର ନିୟାମକ ହେଲେ ନେହେରୁ-ପଟେଲ-ରାଜେନ୍ଦ୍ର ପ୍ରସାଦ କ୍ରୟୀ । ପଟେଲଙ୍କ ପରେ ନେହେରୁଙ୍କ ପ୍ରଭାବ ଓ ଦୃଷ୍ଟିକୋଣ ହିଁ କଂଗ୍ରେସ ସଙ୍ଗଠନରେ ରୂପାୟିତ ହୋଇଥିଲା । ନେହେରୁ ନିଜେ ଭଲ ସଙ୍ଗଠନ ନଥିଲେ ଓ ସଂଗଠନ ତାଙ୍କ ଅମଳରେ କ୍ରମେ ଗୌଣ ଭୂମିକା ଲାଭକଲା । କଂଗ୍ରେସରୁ ଗାନ୍ଧୀବାଦୀ ଓ ସମାଜବାଦୀମାନେ ଅଲଗା ହୋଇଯିବା ପରେ ସଙ୍ଗଠନରେ ଉତ୍ସର୍ଗୀକୃତ ଲୋକଙ୍କର ସଂଖ୍ୟା ଊଣା ହୋଇଗଲା ଏବଂ ସ୍ଵାଧୀନତା ପରବର୍ତ୍ତୀ କାଳରେ ଏପରି ଅନେକ ଲୋକ ସଙ୍ଗଠନରେ ଭିତରକୁ ଆସିଲେ, ଯେଉଁମାନେ ହୁଏତ ନେହେରୁଙ୍କ ସମାଜବାଦ ଢାଞ୍ଚାର ଉଦାରବାଦରେ ପ୍ରଭାବିତ ହୋଇ ଆସିଥିଲେ ଅଥବା କଂଗ୍ରେସ ସଙ୍ଗଠନ ଜରିଆରେ କିଛି ସୁବିଧା ହାସଲ କରିବା ମତଲବରେ ମିଶିଥିଲେ । କଂଗ୍ରେସ ମଧ୍ୟରେ ସୁବିଧାବାଦୀର ପ୍ରବେଶ ଓ ଆଦର୍ଶ ଅଗ୍ନିର ଅଭାବ ସତ୍ତ୍ୱେ ନେହେରୁଙ୍କ ଅମଳ ଦେଶ ନିର୍ମାଣ ଦିଗରେ କେତେକ ପରୀକ୍ଷା ଚଳାଇଥିଲା ।

 

ପରବର୍ତ୍ତୀ କାଳକୁ ଇନ୍ଦିରା-ସଞ୍ଜୟ-ରାଜୀବ ଯୁଗ କୁହାଯିବ । ଏହି ଯୁଗରେ ପୂର୍ବର କଂଗ୍ରେସର ଚେହେରା ସଂପୂର୍ଣ୍ଣ ବଦଳିଗଲା ଓ ଦଳ ବ୍ୟକ୍ତିକୁ କେନ୍ଦ୍ର କରି ଚାଲିଲା । ଏହି କାଳର ଶେଷକୁ ସୋଭିଏତ୍ ଗୋଷ୍ଠୀ ଛିନ୍ନବିଚ୍ଛିନ୍ନ ହୋଇଯିବା ଫଳରେ ସମାଜବାଦୀ ଢାଞ୍ଚା ଆଡ଼କୁ ମୁହାଁଇଛି । ରାଷ୍ଟ୍ରାୟତ ସଂସ୍ଥା ଦେଶ ପକ୍ଷରେ ଏକ ସମସ୍ୟା ହୋଇ ଉଠିଛି ଏବଂ ସେସବୁ ଆସ୍ତେ ଘରୋଇ ଉଦ୍ୟୋଗକୁ ବିକ୍ରି କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

 

ନେହେରୁ ପରବର୍ତ୍ତୀ ଯୁଗରେ ଉତ୍ସର୍ଗୀକୃତ କର୍ମୀ ଓ ନେତା ଦଳକୁ ଆସି ନାହାନ୍ତି; ଆସିଛନ୍ତି ସୁବିଧାବାଦୀ ଓ ଚାଟୁକାର ଗୋଷ୍ଠୀ । ଏଣୁ ଦଳକୁ ନିର୍ବାଚନରେ ଜୟଯୁକ୍ତ କରାଇବା ପାଇଁ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ପଡ଼ିଛି । ସେହି ଅର୍ଥ ପୁଞ୍ଜିପତିମାନଙ୍କଠାରୁ ଆଣିବା ଅପେକ୍ଷା ସରକାରୀ ସ୍ତରର ଖର୍ଦ୍ଦିବିକ୍ରି ପ୍ରକ୍ରିୟା ମଧ୍ୟରେ ସହଜରେ ସଂଗୃହୀତ ହୋଇଛି । ଦଳ ନିଜେ ଅର୍ଥଠୁଳ କରିବା ସଙ୍ଗେ ସଙ୍ଗେ ଧନୀ ଲୋକମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଦଳ ପକ୍ଷରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରାଇଛି । ଏହାରି ଫଳରେ ଦଳର ଚେହେରା ବଦଳିଛି । ଖାଲି ଟଙ୍କାରେ କ୍ଷମତାକୁ ରଖିବା ସମ୍ଭବପର ନହେବା ଦେଖି କଂଗ୍ରେସ ଦଳ ଜାତି, ଧର୍ମ, ଓ ବାହୁବଳ ଆଦିର ସହାୟତା ନେଇଛି । ସେସବୁ ସତ୍ତ୍ୱେ କଂଗ୍ରେସ ନେତୃତ୍ଵବିହୀନ ଓ କର୍ମବିହୀନ ଏବଂ ବିଲୀନମୁଖୀ ।

 

ଅନ୍ୟ ପକ୍ଷରେ ସମାଜବାଦୀ ଓ ସାମ୍ୟବାଦୀମାନେ ସେମାନଙ୍କ ଆନ୍ତର୍ଜାତୀୟ ଦୃଷ୍ଟିକୋଣରୁ ଗୁରୁତର ପାର୍ଥକ୍ୟ ଯୋଗୁ ପରସ୍ପର ବିରୋଧରେ ଲଢ଼ିଛନ୍ତି । ସ୍ଵାଧୀନତା ପରଠାରୁ ସାମ୍ୟବାଦୀମାନେ କଂଗ୍ରେସ ଦଳକୁ ଅଧିକ ସ୍ଫୃହଣୀୟ ମନେ କରୁଛନ୍ତି ଏବଂ କେତେକ ସମୟରେ ତାହା ସହିତ ମିଳିତ ନିର୍ବାଚନ ଲଢ଼ିଛନ୍ତି ତ ଆଉ କେତେକ ସମୟରେ ମିଳିତ ସରକାର ଗଢ଼ିଛନ୍ତି । ଅବଶ୍ୟ ଇତି ମଧ୍ୟରେ ସାମ୍ୟବାଦୀ ଶିବିରରେ ଫାଟ ଦେଖାଦେଇଛି ଏବଂ ସାମ୍ୟବାଦ ଦଳ ଦୁଇମୁଖ୍ୟ ଦଳରେ ପରିଣତ ହୋଇଛି । ଏହାଛଡ଼ା ସାମ୍ୟବାଦୀ ଶିବିରରୁ କିଛି କଂଗ୍ରେସଦଳରେ ମିଶିଛନ୍ତିତ କିଛି ନକ୍ସଲପନ୍ଥୀଙ୍କ ଭଳି କ୍ଷୁଦ୍ର ଦଳ ଗଠନ କରିଛନ୍ତି ।

 

କଂଗ୍ରେସ ସମାଜବାଦୀ ଦଳରୁ ସ୍ପଷ୍ଟ ସମାଜବାଦୀ ଦଳ ୧୯୫୨ ନିର୍ବାଚନରେ ଶୋଚନୀୟ ଭାବରେ ହାରିଗଲା ପରେ ତା’ ଭିତରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇ ଦଳ ବାରମ୍ବାର ବିଭାଜିତ ହୋଇଛି ଏବଂ ୧୯୭୨ ମସିହାରେ ଏହି ଦଳର ଏକ ବଡ଼ ଗୋଷ୍ଠୀ କଂଗ୍ରେସ ଦଳରେ ମିଶିଛନ୍ତି ।

 

୧୯୬୭ ମସିହାର କଂଗ୍ରେସ ହଟାଓ ବାସ୍ତବିକ ଭାବରେ ୧୯୭୭ ମସିହାରେ ରୂପାୟିତ ହୋଇଛି ଜନତା ସରକାର ପ୍ରତିଷ୍ଠାନର । ଏଥର କଂଗ୍ରେସ ପ୍ରଥମଥର ଦିଲ୍ଲୀରୁ ଶାସନ କରିବା ସୁଯୋଗ ହରାଇଛି । ଏହାର ପୁନରାବୃତ୍ତି ୧୯୮୯ ମସିହାରେ ହୋଇଥିଲେ ବି କଂଗ୍ରେସକୁ ଯେ ଗାଦିଚ୍ୟୁତ କରାଇ ହେବ ତାହା ହୃଦବୋଧ ହୋଇଛି । ଇତି ମଧ୍ୟରେ ଦେଶରେ ଗୋଟିଏ ଦିଗରେ ବାମପନ୍ଥୀ ଓ ମଧ୍ୟମ ପଥଗାମୀଙ୍କ ସମ୍ମିଳିତ ହେବାର ଉଦ୍ୟମ ଦେଖାଯିବା ସଙ୍ଗେ ସଙ୍ଗେ ଦକ୍ଷିଣପନ୍ଥୀ ଭାରତୀୟ ଜନତା ପାର୍ଟିର ଅଭ୍ୟୁଦୟ ହୋଇଛି । କିନ୍ତୁ ବାମପନ୍ଥୀମାନଙ୍କର ୪୦ ବର୍ଷ ଧରି ଚାଲି ଆସିଥିବା ‘ଭିନ୍ନ ହେଲା ଭାଇ ପଡ଼ିଶାଠୁଁ ହୀନ’ ନୀତି ଯୋଗୁ ବାମପନ୍ଥୀ ଗୋଷ୍ଠୀ ଆଜି ଛିନ୍ନବିଚ୍ଛିନ୍ନ ଓ ଆତ୍ମବିଶ୍ଵାସବିହୀନ । ଯେଉଁ ବାମପନ୍ଥୀମାନେ ଭାରତବର୍ଷରେ ରାଜନୀତିକ ଜାଗରଣ ସୃଷ୍ଟି କରିଥିଲେ ସେମାନଙ୍କର କଂଗ୍ରେସର ବିକଳ୍ପ ଶକ୍ତି ଭାବରେ ପ୍ରତିପାଦନ କରିବା ଭଳି ବିଶ୍ଵାସଭାଜନତା ନାହିଁ । ଏସବୁ ବାମପନ୍ଥୀ ଦଳକୁ ଉତ୍ସର୍ଗୀକୃତ ଲୋକ ଆସିବା ଭଳି ଲକ୍ଷ୍ୟ କରାଯାଉନାହିଁ । ସ୍ଵାଧୀନତା ପୂର୍ବର ବା ତାର ଅବ୍ୟବହିତ ପରବର୍ତ୍ତୀ କାଳର ଯେଉଁ କେତେକ ବାମପନ୍ଥୀ ଲୋକ ଅଛନ୍ତି, ସେମାନଙ୍କ ସଂଖ୍ୟା ନଗଣ୍ୟ ଓ ସେମାନଙ୍କ ମଧ୍ୟରୁ ଅନେକ ଉନ୍ମାଦନା ସୃଷ୍ଟି କରିବା ଦିଗରେ ଅକ୍ଷମ ।

 

ଗତ ୨୦ ବର୍ଷରେ ରାଜନୀତିକ ଶକ୍ତିର ପୁନର୍ବିନ୍ୟାସ ଭିତରେ ଭାରତୀୟ ଜନତା ଦଳର ଅଭ୍ୟୁଦୟ । ଏକାକୀ ନିର୍ବାଚନ ପାଇଁ ଅବତୀର୍ଣ୍ଣ । ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପୃଷ୍ଠପୋଷକତାରେ ଏହା ଯଥାର୍ଥରେ ଏକ ସର୍ବଭାରତୀୟ ଦଳ ଭାବରେ ନିଜକୁ ଆଗେଇବାରେ ଲାଗିଛି । ନକ୍ସଲପନ୍ଥୀ ଭଳି ଗୋଷ୍ଠୀ ଛଡ଼ା, ଅନ୍ୟ କୌଣସି ଗୋଷ୍ଠୀ ପ୍ରତି, ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଭଳି ଯୁବଗୋଷ୍ଠୀର ଉତ୍ସର୍ଗୀକୃତ ଆକର୍ଷଣ ଦେଖାଯାଏ ନାହିଁ । ଏହାହିଁ ଆଜି ବାମପନ୍ଥୀମାନଙ୍କ ପାଇଁ ମୁଣ୍ଡବଥାର କାରଣ ହୋଇଛି ।

 

ରାଜନୈତିକ ଦଳମାନଙ୍କର ଘଣ୍ଟାଚକଟା ଭିତରେ ସାଧାରଣ ଲୋକଙ୍କ ମଧ୍ୟରେ କୌଣସି ଦଳପ୍ରତି ଆସ୍ଥା ନାହିଁ । ବିଭିନ୍ନ ଦଳ ଅନେକ ସମୟରେ ଲୋକଙ୍କୁ ସେମାନଙ୍କ ମନ କିଣିବା ଲାଗି ତତ୍କାଳିକ ସୁବିଧା ଦେଇ ଦେଶର ଦୀର୍ଘ ମିଆଦ ସ୍ଵାର୍ଥକୁ ଜଳାଞ୍ଜଳି ଦେଉଛନ୍ତି । ଦେଶବାସୀ ତ୍ୟାଗ ବଦଳରେ ନେତାମାନଙ୍କ ଭୋଗକୁ ଦେଖି ନିଜେ କିଛି ସୁବିଧା ଉଠାଇବାରେ ବ୍ୟସ୍ତ—ସେ ସୁବିଧା ନମିଳୁ ପଛେ ।

 

ଦେଶରେ ଉତ୍ସର୍ଗୀକୃତ ନେତା ଓ ବିଶ୍ଵାସଭାଜନ ଦଳ ନଥିବାରୁ ଯେଉଁମାନେ ଯେତେ ସମୟ ଲାଗି କ୍ଷମତାରେ ରହୁଛନ୍ତି, ସେମାନେ ନିଜ ଗାଦିର ସୁରକ୍ଷା ପାଇଁ ପାଗଳ ଏବଂ ଏଥିଲାଗି ସବୁ ପ୍ରକାର ଅପକର୍ମ କରିବା ଲାଗି ଚେଷ୍ଟାଶୀଳ । ଏକ ଦୃଢ଼ ନେତୃତ୍ଵ ହିଁ ଦେଶବାସୀଙ୍କୁ ସମସ୍ୟାର ମୁକାବିଲା କରିବା ଦିଗରେ ମନେଇ ପାରନ୍ତା ଓ ତ୍ୟାଗ ପାଇଁ ଉଦ୍‍ବୁଦ୍ଧ କରି ପାରନ୍ତା । ତାହା ନଥିବାରୁ ଭବିଷ୍ୟତ ବଂଶଧରଙ୍କ ପାଇଁ ଖାଲି ଋଣଭାର ନୁହେଁ ସବୁପ୍ରକାର ସମସ୍ୟା ବଢ଼ି ବଢ଼ି ଚାଲିଛି । ଖାଲି ବିହାର ବା ଓଡ଼ିଶା ଅଥବା ପୂର୍ବୋତ୍ତର ରାଜ୍ୟମାନଙ୍କରେ ଆବଶ୍ୟକର ଦୁଇଗୁଣଠାରୁ ଅଧିକ ମନ୍ତ୍ରୀ ନାହାନ୍ତି, ଯିଏ ମନ୍ତ୍ରୀ ନ ହୋଇ ପାରିଲେ ସେମାନଙ୍କୁ ରାଜ୍ୟପାଳ ବା ରାଷ୍ଟ୍ରାୟତ୍ତ ସଂସ୍ଥାମାନଙ୍କରେ ଥଇଥାନ କରାଯାଉଛି । ଯିଏ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ଅବା ମନ୍ତ୍ରୀ ନହୋଇ ପାରିଲେ ସେ ଅନ୍ୟ ଦଳ ଗଢ଼ିଲେ ବା ଅନ୍ୟ ଦଳରେ ମିଶିଲେ ।

 

ସ୍ଵାଧୀନତାର ୪୫ ବର୍ଷ ଭିତରେ ରାଜନୀତି ଓ ବିଶେଷକରି ନିର୍ବାଚନ ରାଜନୀତି ଏଭଳି ଦୂଷିତ ହୋଇଛି ଯେ, ଯୋଗ୍ୟ ଏବଂ ଉତ୍ସର୍ଗୀକୃତ ଲୋକ ରାଜନୀତି ପ୍ରତି ବ୍ୟତସ୍ପୃହ ଏବଂ ଗୁଣ୍ଡା ତଥା ସମାଜର ଘୃଣିତ ଲୋକମାନେ ରାଜନୀତିର ଗୁରୁତ୍ଵପୂର୍ଣ୍ଣ ସ୍ଥାନମାନ ଅଧିକାର କରି ବସିଛନ୍ତି । ଦେଶବାସୀଙ୍କ ପାଇଁ ଏହା ଏକ ବିରାଟ ଆହ୍ଵାନ । ଦେଶର ଚିନ୍ତାଶୀଳ ଲୋକ ଏ ଦିଗରେ ସେମାନଙ୍କୁ ଆତ୍ମବିଶ୍ଵାସ ଭରସା ଦେବା ଆବଶ୍ୟକ । କାରଣ ସଂଖ୍ୟାଧିକ ଜନସାଧାରଣ ଦେଶର ଦୁର୍ନୀତି ଓ ଅତ୍ୟାଚାର ମଧ୍ୟରେ ନାହାନ୍ତି । ସେମାନଙ୍କ ଶକ୍ତି ସମ୍ପର୍କରେ ସେମାନଙ୍କୁ ଅବିହିତ କରିପାରିଲେ ସମ୍ଭବତଃ ଏକ ନୂତନ ଶକ୍ତିର ଉଦ୍‍ଭବ ହେବ ଏବଂ ନୂତନ ନେତୃତ୍ଵ ଜନ୍ମଲାଭ କରିବ ।

☆☆☆

 

ସ୍ଵାଧୀନ ଭାରତରେ ଜାତୀୟ କଂଗ୍ରେସ

ଶ୍ରୀ ବଳରାମ ମହାନ୍ତି

 

ଭାରତ ସ୍ଵାଧୀନ ହେବାର ୪୬ ବର୍ଷ ହେଲାଣି । ଏହି ୪୬ ବର୍ଷ ଭିତରେ ଜାତୀୟ କଂଗ୍ରେସର ଭୂମିକା ସଂକ୍ଷେପରେ ବର୍ଣ୍ଣନା କରିବା ସହଜ କଥା ନୁହେଁ । ଭାରତବର୍ଷର ଗତ ଅର୍ଦ୍ଧ ଶତାବ୍ଦୀର ଇତିହାସ ବସ୍ତୁତଃ କଂଗ୍ରେସର ଇତିହାସ । ଦିନେ କଳ୍ପନା କରି ହେଉନଥିଲା ଯେ ଜାତିର ପିତା ମହାତ୍ମାଗାନ୍ଧୀ ନେତା ପଣ୍ଡିତ ଜବାହାରଲାଲ ନେହେରୁଙ୍କ ବିନା ଭାରତବର୍ଷ କେମିତି ଚାଲିବ-? କିନ୍ତୁ ମହାତ୍ମାଗାନ୍ଧୀଙ୍କ ତିରୋଧାନରେ ୪୫ବର୍ଷ ହେଲା ଓ ପଣ୍ଡିତ ନେହେରୁଙ୍କ ତିରୋଧାନର ୨୯ବର୍ଷ ହେଲା ଭାରତବର୍ଷ ଚାଲିଛି । ସ୍ଵାଧନତା ପରେ ମହାତ୍ମାଗାନ୍ଧୀ ସୂଚନା ଦେଇଥିଲେ ଯେ, କଂଗ୍ରେସକୁ ଭାଙ୍ଗି ଦେଇ ଏହାକୁ ଏକ ସାମାଜିକ ସେବା ସଂସ୍ଥାରେ ପରିଣତ କରାଯିବ ବାଞ୍ଛନୀୟ-। ମାତ୍ର ସେତେବେଳର କଂଗ୍ରେସ ନେତୃବୃନ୍ଦ ଯେ କି ଭାରତରେ ସ୍ଵାଧୀନତା ସଂଗ୍ରାମର ନେତୃତ୍ଵ ନେଇଥିଲେ, ସେମାନେ ଗାନ୍ଧିଜୀଙ୍କ ପରାମର୍ଶ ଗ୍ରହଣ କଲେନାହିଁ । ସେମାନେ ସ୍ଵାଧୀନତା ସଂଗ୍ରାମ ବେଳେ ସମୃଦ୍ଧିଶାଳୀ ସ୍ଵାଧୀନ ଭାରତ ନିର୍ମାଣ କରିବା ପାଇଁ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଶାସନ ଦାୟିତ୍ଵରେ ରହି ତାହା କାର୍ଯ୍ୟକାରୀ କରିବା ପାଇଁ ଚାହିଁଥିଲେ । ସ୍ଵାଧୀନତା ପରେ ଗତ ୪୬ବର୍ଷ ଭିତରେ ପ୍ରାୟ ୫ ବର୍ଷ ଛାଡ଼ିଦେଲେ ଜାତୀୟ କଂଗ୍ରେସ ହିଁ ଶାସନ ଦାୟିତ୍ଵରେ ରହି ଆସିଛି । ଏଇ ଭିତରୁ ପଣ୍ଡିତ ନେହେରୁ ୧୭ବର୍ଷ ଓ ଶ୍ରୀମତୀ ଇନ୍ଦିରାଗାନ୍ଧୀ ପ୍ରାୟ ୧୫ ବର୍ଷ ଦେଶର ପ୍ରଧାନମନ୍ତ୍ରୀ ହୋଇ ରହିଥିଲେ ।

 

ଜନନାୟକ ପଣ୍ଡିତ ନେହେରୁଙ୍କୁ ଦୀର୍ଘ ୧୭ ବର୍ଷ କାଳ ଶାସନକାଳ ଭିତରେ ଜାତୀୟ କଂଗ୍ରେସ ଅନୁଷ୍ଠାନ ତାଙ୍କ ନେତୃତ୍ଵକୁ ଅନୁସରଣ କରିଥିଲା । ଗଣତନ୍ତ୍ର ଓ ବ୍ୟକ୍ତି ସ୍ଵାତନ୍ତ୍ରତାରେ ତାଙ୍କର ବିଶ୍ଵାସ ଥିବାରୁ ସେ ପରସ୍ପର–ବିରୋଧୀ ମତବାଦୀ ଲୋକଙ୍କୁ ନେଇ କଂଗ୍ରେସ ଅନୁଷ୍ଠାନ ତଥା ଶାସନ କାର୍ଯ୍ୟ ଚଳେଇଥିଲେ । ସେତେବେଳର ପୁରୁଣା କଂଗ୍ରେସ ନେତା ଏସ.କେ.ପଟିଲ. ଅତୁଲ୍ୟ ଘୋଷ, କାମରାଜ ଓ ନିଜଲିଙ୍ଗାପା ଯାହାଙ୍କୁ ଦକ୍ଷିଣପନ୍ଥୀ ଓ ଆମେରିକା ସମର୍ଥକ ବୋଲି କୁହାଯାଉଥିଲା ତଥା କୃଷ୍ଣମେନନ୍ ଯେ କି ସୋଭିଏଟ୍ ରୁଷର ସମର୍ଥକ ଥିଲେ—ସେ ସମସ୍ତଙ୍କୁ ନେଇ ପଣ୍ଡିତ ନେହେରୁ କଂଗ୍ରେସ ଅନୁଷ୍ଠାନ ଓ ଶାସନ ଚଳେଇଥିଲେ । ସ୍ଵାଧୀନତା ସଂଗ୍ରାମରେ ମହାନ୍ ଅବଦାନ, ବିରାଟ ବ୍ୟକ୍ତିତ୍ଵ ଓ ପାଣ୍ଡିତ୍ୟ ଓ ଗଣତାନ୍ତ୍ରିକ ଆଭିମୁଖ୍ୟ ଯୋଗୁଁ ଏହା ସମ୍ଭବ ହୋଇଥିଲା । ପଣ୍ଡିତ ନେହେରୁ ଭାରତରେ ଯୋଜନାବଦ୍ଧ ଅର୍ଥନୀତିକୁ କାର୍ଯ୍ୟକାରୀ କରି ଦେଶରେ ଆଧୁନିକ ଶିଳ୍ପ ଓ କୃଷିର ମୂଳଭିତ୍ତି ତଥା ସହାବସ୍ଥାନ ଭିତ୍ତିରେ ବୈଦେଶିକ ନୀତି ଅନୁସରଣ କରି ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶ ସହିତ ସୁସମ୍ପର୍କ ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ । ସେ ଦେଶର ଅର୍ଥନୀତି ତଥା ବୈଦେଶିକ ନୀତି କ୍ଷେତ୍ରରେ ସୁସ୍ଥ ପରମ୍ପରା ଛାଡ଼ିଦେଇ ଯାଇଥିଲେ ।

 

୧୯୬୪ ମସିହାରେ ଜନନାୟକ ଓ ସମ୍ମାନିତ ଦେଶ ଶାସନ ପଣ୍ଡିତ ନେହେରୁଙ୍କ ପରଲୋକ ହେଲା । ତାଙ୍କ ପରେ ଶ୍ରୀମତି ଇନ୍ଦିରାଗାନ୍ଧୀ ୧୯୬୬ରୁ ୧୯୭୭ ଓ ପୁଣି ୧୯୮୦ ରୁ ୧୯୮୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ଅନୁଷ୍ଠାନର କର୍ତ୍ତୃତ୍ଵରେ ରହିଲେ । ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିବାର ମାତ୍ର ଦୁଇବର୍ଷ ପରେ ସେ ଜାତୀୟ ଭାଗ ଭାଗ କରିଦେଲେ । କଂଗ୍ରେସର ପୁରୁଖା ନେତା–ଏସ.କେ.ପଟିଲ, ଅତୁଲ୍ୟ ଘୋଷ, ନିଜଲିଙ୍ଗାପା ଓ କାମରାଜ ଯାହାଙ୍କ ସହିତ ପଣ୍ଡିତ ହେହେରୁ କଂଗ୍ରେସ ଅନୁଷ୍ଠାନ ତଥା ଶାସନ କ୍ଷେତ୍ରରେ କାର୍ଯ୍ୟ କରି ଆସିଥିଲେ ସେମାନଙ୍କ ସହିତ ସେ କାମ କରିପାରିବେ ନାହିଁ ବୋଲି ମନସ୍ଥ କରି ଶ୍ରୀମତୀ ଇନ୍ଦିରାଗାନ୍ଧୀ କଂଗ୍ରେସର ବିଭାଜନ କଲେ । ତାଙ୍କ କର୍ତ୍ତୃତ୍ଵରେ ଯେଉଁ କଂଗ୍ରେସ ଅନୁଷ୍ଠାନ ଗଠିତ ହେଲା ତାର ନାମ ଦିଆଗଲା–କଂଗ୍ରେସ (ଇ) ଓ ଅନ୍ୟ କଂଗ୍ରେସର ନାମହେଲା–ସଙ୍ଗଠନ କଂଗ୍ରେସ ଏବଂ ଏହାର ସଭାପତି ହେଲେ ନିଜଲିଙ୍ଗାପା । ଜାତୀୟ ସ୍ତରରେ ଏହି ବିଭାଜନ ପରେ ରାଜ୍ୟମାନଙ୍କରେ କଂଗ୍ରେସ ଅନୁଷ୍ଠାନ ମଧ୍ୟ ବିଭାଜନ ହେଲା । ତେଣୁ ମୂଳ ଜାତୀୟ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇଗଲା । ସ୍ଵାଧୀନତା ସଂଗ୍ରାମର ଅପ୍ରତିଦ୍ଵନ୍ଦୀ ସେନାପତି ତଥା ବିରାଟ ବ୍ୟକ୍ତିତ୍ଵ ଯୋଗୁଁ ପଣ୍ଡିତ ନେହେରୁ ଦେଶର ବୁଦ୍ଧିଜୀବୀ ତଥା ଜନସାଧାରଣଙ୍କ ଭିତରେ ଯେପରି ଲୋକପ୍ରିୟ ଥିଲେ ଓ ତାଙ୍କର ପ୍ରତିଷ୍ଠା ଥିଲା, ସେପରି ଶ୍ରୀମତୀ ଗାନ୍ଧୀଙ୍କର ନଥିଲା । ସେ ପଣ୍ଡିତ ନେହେରୁଙ୍କୁ କନ୍ୟା ଭାବରେ ହିଁ ଲୋକଙ୍କର ଶ୍ରଦ୍ଧାଭାଜନ ହୋଇଥିଲା । ତାଙ୍କର ରାଜନୈତିକ ବିଚକ୍ଷଣତା ଓ ବ୍ୟକ୍ତିତ୍ଵ ତଥାପି ପ୍ରମାଣିତ ହୋଇନଥିଲା । ତେଣୁ ଯେଉଁମାନେ ତାଙ୍କ ନେତୃତ୍ଵକୁ ମାନି ଚଳିବେ ବୋଲି ତାଙ୍କର ବିଶ୍ଵାସ ହେଲା ସେହିମାନଙ୍କୁ ସେ କଂଗ୍ରେସ ଅନୁଷ୍ଠାନ ଓ ପ୍ରଶାସନ କାର୍ଯ୍ୟରେ ସ୍ଥାନ ଦେଲେ । କଂଗ୍ରେସ ଅନୁଷ୍ଠାନର ବିଭାଜନ ପରେ ଶ୍ରୀମତୀ ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ବ୍ୟାଙ୍କ ଜାତୀୟକରଣ ଓ ରାଜା ମହାରାଜାଙ୍କ ଭତ୍ତା କାଟଭଳି କେତେକ ପ୍ରଗତି ମୂଳକ କାର୍ଯ୍ୟ ଘୋଷଣା କରି ପ୍ରଗତିପନ୍ଥୀ ଯୁବକମାନଙ୍କ ସମର୍ଥକ ଲାଭ କରିଥିଲେ । ତାଙ୍କ ସୌଭାଗ୍ୟକୁ ୧୯୭୧ ରେ ଯେଉଁ ଭାରତ-ପାକିସ୍ଥାନ ଯୁଦ୍ଧ ହେଲା ସେଥିରେ ଭାରତ ବିଜୟୀ ହେବାରୁ ତାଙ୍କର ସ୍ଥିତି ଦୃଢ଼ ହୋଇଯାଇଥିଲା । ସେତେବେଳେ ସେ କଂଗ୍ରେସର ପୁରୁଖା ନେତାମାନଙ୍କୁ କଂଗ୍ରେସ ଅନୁଷ୍ଠାନରୁ ହଟାଇ କଂଗ୍ରେସକୁ ଏକ ବ୍ୟକ୍ତିକୈନ୍ଦ୍ରିକ ଅନୁଷ୍ଠାନରେ ପରିଣତ କରିବାରେ ସଫଳ ହେଲେ । ଅନ୍ୟମାନଙ୍କୁ ସେ କଂଗ୍ରେସ ଅନୁଷ୍ଠାନର ସଭାପତି କଲେ ଓ ସେମାନେ ତାଙ୍କୁ ମାନି ଚଳିଲେ ।

 

୧୯୭୨ ମସିହାରେ ଭାରତରେ ପଞ୍ଚମ ସାଧାରଣ (ମଧ୍ୟବର୍ତ୍ତୀକାଳୀନ) ନିର୍ବାଚକ ଅନୁଷ୍ଠିତ ହେଲା । ସେତେବେଳର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ପୂର୍ବରୁ ଶାସନ ଜରିଆରେ କେତେକ ପ୍ରଗତିମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରିଥିବାରୁ ତଥା ଅଳ୍ପକାଳ ପୂର୍ବରୁ ଭାରତ ପାକିସ୍ଥାନ ଯୁଦ୍ଧରେ ଭାରତ ପାକିସ୍ଥାନକୁ ପରାସ୍ତ କରିଥିବାରୁ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସର ସ୍ଥିତି ଦୃଢ଼ ହୋଇଯାଇଥିଲା । ତେଣୁ ତାଙ୍କ ନେତୃତ୍ଵରେ ଜାତୀୟ କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିଲେ । ଶ୍ରୀମତୀ ଇନ୍ଦିରା ଗାନ୍ଧୀ ପୁଣି କ୍ଷମତାସୀନ ହେଲେ, ସଙ୍ଗଠନ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇଯାଇଥିଲା । ଏହିପରି ଭାବରେ ଶ୍ରୀମତୀ ଗାନ୍ଧୀ କଂଗ୍ରେସ ଦଳର ଅପ୍ରତିଦ୍ଵନ୍ଦୀ ନେତ୍ରୀ ଭାବରେ ଶାସନ କାର୍ଯ୍ୟ ଚଳେଇବା ପରେ ୧୯୭୫ ଜୁନ୍ ମାସରେ ଏଲାହାବାଦ ହାଇକୋର୍ଟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ଦେଲେ । ସେତେବେଳେ ବିରୋଧୀଦଳ ଚାହିଁଲେ ଯେ, ସେ ଇସ୍ତଫା ଦେଇ ସୁପ୍ରିମକୋର୍ଟରେ ଅପିଲ କରନ୍ତୁ । ସେତେବେଳକୁ ତାଙ୍କ କନିଷ୍ଠ ପୁତ୍ର ସ୍ଵର୍ଗୀୟ ସଞ୍ଜୟ ଗାନ୍ଧୀ ସକ୍ରିୟ ରାଜନୀତି ଭିତରକୁ ଆସିଗଲେଣି । ସେ ଅନ୍ୟ ଯୁବକଂଗ୍ରେସ କର୍ମୀଙ୍କ ସହିତ ସଭାସମିତି କରି ଘୋଷଣା କଲେ ଯେ ଶ୍ରୀମତୀ ଗାନ୍ଧୀଙ୍କ ସପକ୍ଷରେ ଲୋକମତ ରହିଛି, ତେଣୁ ସେ ଇସ୍ତଫା ଦେବେ ନାହିଁ । ଶ୍ରୀମତୀ ଗାନ୍ଧୀ ଇସ୍ତଫା ଦେଲେ ନାହିଁ । ଏହି ସମୟରେ ଲୋକ ନାୟକ ଜୟପ୍ରକାଶ ନାରାୟଣ ବିରୋଧୀଦଳମାନଙ୍କୁ ଏକଜୁଟ କରି ତାଙ୍କ ବିରୁଦ୍ଧରେ ଚାରିଆଡ଼େ ଜନମତ ସୃଷ୍ଟି କଲେ ଓ ତାଙ୍କ ଇସ୍ତଫା ଦାବି କଲେ । ଏଥିପାଇଁ ସେ ଦିଲ୍ଲୀଠାରେ ମଧ୍ୟ ଏକ ସମାବେଶର ଆୟୋଜନ କରିଥିଲେ-। ଏ ସମସ୍ତ ବିରୋଧୀ ପ୍ରତି ଅସହିଷ୍ଣୁ ହୋଇ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୧୯୭୫ ମସିହା ଜୁନ ମାସରେ ସମଗ୍ର ଦେଶରେ ଜାରୁରୀକାଳୀନ ଅବସ୍ଥା ଜାରିକଲେ । ସମ୍ବିଧାନକୁ ସଂଶୋଧନ କରି ଲୋକଙ୍କ ମୌଳିକ ଅଧିକାରକୁ ଲୋପ କରିଦେଲେ । ଏହାର ବିରୋଧ କରି ବିଭିନ୍ନ ରାଜ୍ୟରେ ଲୁଚିଛପି ସଂଗ୍ରାମ ଚାଲିଲା । ଏଥିରେ ବିରୋଧୀ ଦଳର ବହୁଲୋକ ଗିରଫ ହେଲେ ଓ ଦୁଃଖବରଣ କଲେ । ସେତେବେଳେ ସ୍ଵେଚ୍ଛାଚାରି ଭାବରେ କାର୍ଯ୍ୟ କରିଯିବା ପାଇଁ କେତେକ ସରକାରୀ କର୍ମଚାରୀ ଓ କ୍ଷମତାଲିପସୁ କଂଗ୍ରେସୀ ଲୋକଙ୍କୁ ସୁଯୋଗ ମିଳିଲା । ଏହା ଫଳରେ ଜାତୀୟ କଂଗ୍ରେସ ଅନୁଷ୍ଠାନ ପୁଣି ଲୋକପ୍ରିୟତା ହରାଇଲା ଏବଂ ୧୯୭୭ ମସିହା ଶେଷ ଭାବରେ ଯେଉଁ ଲୋକସଭା ନିର୍ବାଚନ ହେଲା ସେଥିରେ ତାହା ପ୍ରମାଣ ହେଲା ।

 

୧୯୭୭ରେ ସମସ୍ତ ଆମେ କମ୍ୟୁନିଷ୍ଟ ରାଜନୈତିକଦଳ ମିଶି ଜନତାଦଳ ଗଠନ କଲେ । ବିଶିଷ୍ଟ ସ୍ଵାଧିନାତସଂଗ୍ରାମୀ ମୋରାରଜୀ ଦେଶାଇ ହେଲେ ଏହି ଦଳର ନେତା ।୧୯୭୭ ନିର୍ବାଚନରେ ଜନତାଦଳ ବିପୁଳ ବିଜୟ ହାସଲ କଲେ ଏବଂ କଂଗ୍ରେସ ଦଳ ପରାସ୍ତ ହୋଇ ସ୍ଵାଧୀନତା ପରେ ପ୍ରଥମଥର ପାଇଁ ବିରୋଧୀ ଦଳ ହୋଇ ରହିଲେ ଏହାପରେ ବିଭିନ୍ନ ରାଜ୍ୟରେ କଂଗ୍ରେସ ଦଳର ସ୍ଥିତି ଦୁର୍ବଳ ହୋଇଗଲା । ଓଡ଼ିଶା ଭଳି କେତେକ ରାଜ୍ୟରେ କଂଗ୍ରେସ ଅନୁଷ୍ଠାନର ସର୍ବାପେକ୍ଷା ପ୍ରଭାବଶାଳୀ ଗୋଷ୍ଠୀ ଇନ୍ଦିରାଗାନ୍ଧୀଙ୍କ ନେତୃତ୍ଵରେ ପରିଚାଳିତ କଂଗ୍ରେସ ଅନୁଷ୍ଠାନକୁ ତ୍ୟାଗକରି ଜନତାଦଳ ଗଠନ କରିଥିଲେ । ୧୯୭୭ରେ ଅଣକମ୍ୟୁନିଷ୍ଟ ବିରୋଧୀ ଦଳ ମିଶି ଯେଉଁ ଜନତା ଦଳ ଗଠନ କଲେ, ସେହି ଦଳ ମାତ୍ର ଦୁଇବର୍ଷ ୭ ମାସ କାଳ ଶାସନ ଦାୟିତ୍ଵରେ ଥିଲେ । ଏଇ ଭିତରୁ ମୋରାରଜୀ ଦେଶାଇ ଥିଲେ ପ୍ରାୟ ଦୁଇବର୍ଷ ୪ ମାସ, କଂଗ୍ରେସର ସ୍ଥିତି ସୁଦୃଢ଼ ହୋଇଥିବା ଯୋଗୁଁ ନୁହେ, ଜନତାଦଳ ଭିତରେ ବିବାଦ ଲାଗିଯିବା ଓ ଚରଣସିଂହଙ୍କର କ୍ଷମତା-ଲିପ୍‍ସା ଯୋଗୁ ଜନତାଦଳର ଲୋକପ୍ରିୟତା ହ୍ରାସ ପାଇଲା ଓ ଜନତା ଶାସନର ଅବସାନ ଘଟିଲା । ଜନତାଦଳର ଏହିଭଳି ଆଚରଣ ଯୋଗୁ ଲୋକେ ଏହି ଦଳ ଉପରେ କ୍ରୋଧାନ୍ୱିତ ହୋଇଥିଲେ । ତେଣୁ ୧୯୮୦ ମସିହାରେ ଯେଉଁ ଲୋକସଭା ନିର୍ବାଚନ ହେଲା ସେଥିରେ ଜନତାଦଳର ଘୋର ବିପର୍ଯ୍ୟୟ ଘଟିଲା ଓ କଂଗ୍ରେସ ଦଳ ବିପୁଳ ବିଜୟୀ ହେଲେ । ଜନତାଦଳ ଆସନର ଶେଷ ଭାଗରେ ସେତେବେଳେ ବିରୋଧୀଦଳର ନେତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଚରଣସିଂହଙ୍କୁ ସମର୍ଥନ କରିବା ପାଇଁ ପ୍ରତିଶ୍ରୁତି ଦେଇ ହଠାତ୍ ତାଙ୍କ ସମର୍ଥନ ପ୍ରତ୍ୟାହାର କରି ନେବାରୁ ଜନତା ଶାସନର ଅବସାନ ଘଟିଲା । ୧୯୮୦ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ଶ୍ରୀମତୀ ଇନ୍ଦିରାଗାନ୍ଧୀ କେନ୍ଦ୍ର ଶାସନ ତଥା କଂଗ୍ରେସ ଦଳ କର୍ତ୍ତୃତ୍ଵରେ ରହିଲେ । ୧୯୮୪ ରେ ଆତତାୟୀର ଗୁଳିରେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଶ୍ରୀମତୀ ଗାନ୍ଧୀ ଉଭୟ କଂଗ୍ରେସ ଅନୁଷ୍ଠାନ ଓ ଶାସନର ସଂପୂର୍ଣ୍ଣ କର୍ତ୍ତୃତ୍ଵରେ ଥିଲାବେଳେ ସେ ପ୍ରଥମେ ତାଙ୍କ ପୁତ୍ର ସଞ୍ଜୟଗାନ୍ଧୀଙ୍କୁ କଂଗ୍ରେସ ଅନୁଷ୍ଠାନରେ ଉଚ୍ଚସ୍ଥାନ ଦେଇଥିଲେ । ଦୁର୍ଭାଗ୍ୟବଶତଃ ତାଙ୍କର ଦୁର୍ଘଟଣାରେ ମୃତ୍ୟୁଘଟିଲା । ତାପରେ ସେ ତାଙ୍କର ଜ୍ୟେଷ୍ଠପୁତ୍ର ରାଜୀବଗାନ୍ଧୀଙ୍କୁ ବିମାନଚାଳକ କାର୍ଯ୍ୟରୁ ଆଣି କଂଗ୍ରେସ ସଭାପତି କରାଇଥିଲେ । ଶ୍ରୀମତୀ ଇନ୍ଦିରାଗାନ୍ଧୀଙ୍କ ମୃତ୍ୟୁପରେ ରାଜୀବଗାନ୍ଧୀ କଂଗ୍ରେସର ସଭାପତି ଓ ପ୍ରଧାନମନ୍ତ୍ରୀ ହୋଇ ରହିଲେ । ରାଜୀବଗାନ୍ଧୀ ତାଙ୍କ ଶାସନର ଶେଷଭାଗରେ ବଫର୍ସ ଲଞ୍ଚ ଘଟଣାରେ ଲୋକପ୍ରିୟତା ହରାଇଥିଲେ ।

୧୯୮୯ ନଭେମ୍ବର ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ବିପର୍ଯ୍ୟୟ ଘଟିଲା ଏବଂ କଂଗ୍ରେସ ଦଳ ଏକକ ବୃହତ୍ତମ ଦଳ ହୋଇ ରହିଲେ । ନିର୍ବାଚନର ଶେଷ ପର୍ଯ୍ୟୟରେ ଆତତାୟୀର ବୋମା ବିସ୍ଫୋରଣରେ ରାଜୀବଗାନ୍ଧୀ ମୃତ୍ୟୁ ଘଟିବାରୁ ରାଜୀବଗାନ୍ଧୀଙ୍କପ୍ରତି ସ୍ଵାଭାବିକଭାବରେ ଦେଶବାସୀ ସହାନୁଭୂତି ପ୍ରକାଶ କରିଥିଲେ । ତେଣୁ ନିର୍ବାଚନ ସ୍ଥଗିତ ରହି କିଛିଦିନପରେ ଯେତେବେଳେ ପୁଣି ନିର୍ବାଚନ ହେଲା, ସେଥିରେ ଅଧିକ ସଂଖ୍ୟାରେ କଂଗ୍ରେସ ସଭ୍ୟ ନିର୍ବାଚିତ ହେଲେ । ନିର୍ବାଚନରେ କଂଗ୍ରେସ ଦଳ ଏକକ ସଂଖ୍ୟାଗରିଷ୍ଠ ଦଳ ରୂପେ ନିର୍ବାଚିତ ହେଲେ ମଧ୍ୟ ଶାସନ କ୍ଷମତା ଗ୍ରହଣ କରିବାକୁ ରାଜି ନ ହେବାରୁ ଜନତାଦଳ ଅନ୍ୟ ବିରୋଧୀ ଦଳଙ୍କ ବାହାର ସମର୍ଥନରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗଠନ କରିଥିଲେ । ଏହି ନିର୍ବାଚନରେ ଲକ୍ଷ୍ୟ କରିବାର କଥା ଯେ କଂଗ୍ରେସ ଦଳର ସ୍ଥିତି ଉତ୍ତର ଭାରତ ବିଶେଷତଃ ଉତ୍ତର ପ୍ରଦେଶ, ବିହାର ଓ ମଧ୍ୟ ପ୍ରଦେଶରେ ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଥିଲା ମାତ୍ର ଦକ୍ଷିଣ ଭାରତରେ ବିଧାନସଭାମାନଙ୍କରେ କଂଗ୍ରେସ ପ୍ରତି ବିଶେଷ ସମର୍ଥନ ନ ଥିଲେ ମଧ୍ୟ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରତି ଅଧିକ ସମର୍ଥନ ପ୍ରକାଶ ପାଇଥିଲା । ଏହାଛଡ଼ା ସେତେବେଳେ ସମଗ୍ର ଦେଶରେ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇ ପଡ଼ିବାର ଅନ୍ୟ ଏକ କାରଣ ହେଲା ଯେ ରାଜୀବଗାନ୍ଧୀଙ୍କର କଂଗ୍ରେସ ଦଳରେ କୌଣସି ସକ୍ରିୟ ଭୂମିକା ନଥିବା ବେଳେ ତାଙ୍କୁ କଂଗ୍ରେସ ଅନୁଷ୍ଠାନରେ ହଠାତ୍ ଆଣି ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ କରାଯିବା କଂଗ୍ରେସର ଗୋଟିଏ ଗୋଷ୍ଠୀ ପକ୍ଷରେ ମଧ୍ୟ ଗ୍ରହଣୀୟ ହୋଇ ନଥିଲା । ବିରୋଧୀ ଦଳଙ୍କ ସହ ମଧ୍ୟ ଅନୁଭବ କରିଥିଲେ ଯେ ଏହା ଦ୍ଵାରା ବଂଶ ପରମ୍ପରା କ୍ରମେ କଂଗ୍ରେସ ତଥା ଆସନକୁ ନିୟନ୍ତ୍ରଣ କରିବା ପାଇଁ ଏହିଭଳି କୌଶଳ କରାଯାଉଛି । ବହୁ କଂଗ୍ରେସ ବ୍ୟକ୍ତି ରାଜୀବୀଗାନ୍ଧୀଙ୍କ ପରେ ତାଙ୍କ ଇଟାଲୀୟ ସହଧର୍ମିଣୀ ସୋନିଆଗାନ୍ଧୀଙ୍କୁ କଂଗ୍ରେସ ଅନୁଷ୍ଠାନରେ ତଥା ଶାସନରେ ଉଚ୍ଚସ୍ଥାନ ଦେବା ସପକ୍ଷରେ ନଥିଲେ । ତେଣୁ ସ୍ଵାଧୀନତା ସଂଗ୍ରାମରେ ଅବିସ୍ମରଣୀୟ ଅବଦାନ ଯୋଗୁ ନେହେରୁ ପରିବାରଙ୍କ ପ୍ରତି ଭାରତର ଜନସାଧାରଣଙ୍କର ଯେଉଁ ଶ୍ରଦ୍ଧା ଓ ଆନୁଗତ୍ୟ ଥିଲା ତାହା କ୍ରମଶଃ ହ୍ରାସ ପାଇଥିଲା ।

୧୯୮୯ ନିର୍ବାଚନ ପରେ କଂଗ୍ରେସ ଦଳ ଏକକ ସଂଖ୍ୟା ଗରିଷ୍ଠଦଳ ଭାବରେ ଶାସନ ଦାୟିତ୍ଵ ଗ୍ରହଣ କରିବା ପାଇଁ ରାଜି ନହେବାରୁ ଶେଷରେ ଜନତାଦଳ ଶ୍ରୀ ବିଶ୍ଵନାଥ ପ୍ରତାପସିଂହଙ୍କ ନେତୃତ୍ଵରେ ଶାସନ ଦାୟିତ୍ଵ ଗ୍ରହଣ କରିଥିଲେ ଏବଂ ତାପରେ ଜନତାଦଳ ବିଭାଜିତ ହୋଇ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ଭାବରେ ୧୯୯୧ ମଇମାସ ପର୍ଯ୍ୟନ୍ତ ଶାସନ କାର୍ଯ୍ୟ ଚଲେଇଲେ । ୧୯୯୧ ନିୟର୍ବାଚନରେ କଂଗ୍ରେସ ସଂଖ୍ୟାଗରିଷ୍ଠ ଦଳ ହୋଇପାରି ନଥିଲା ମାତ୍ର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଶାସନ ଦାୟିତ୍ଵ ଗ୍ରହଣ କଲେ । ପୂର୍ବରୁ ପରମ୍ପରା ଅନୁସରଣ କରି ପି.ଭି.ନରସିଂହ ରାଓ କଂଗ୍ରେସ ଅନୁଷ୍ଠାନ ତଥା ଶାସନକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି । ଜଣେ ବ୍ୟକ୍ତି ଦୁଇଟି ନିର୍ବାଚିତ ପଦବୀରେ ରହିପାରିବ ନାହିଁ ବୋଲି କଂଗ୍ରେସ ଅନୁଷ୍ଠାନ ନିୟମ କରିଥିଲେ ମଧ୍ୟ ତାହା ତାଙ୍କ ପ୍ରତି ଲାଗି ହେଉ ନାହିଁ । ଏହିପରି ଗତ ୪୬ ବର୍ଷ ଭିତରେ ଜାତୀୟ କଂଗ୍ରେସ ଏକ ରାଜନୈତିକ ଦଳ ଭାବରେ ଶାସନ ନୀତି ଓ ଅର୍ଥନୀତି କରି ଶାସନ ଦାୟିତ୍ଵରେ ରହି ତାହା କାର୍ଯ୍ୟକାରୀ କରିଆସିଛି ।

ଏଥି ଭିତରୁ କେବଳ ଜନତାଦଳ ପ୍ରାୟ ପାଞ୍ଚ ବର୍ଷ ଶାସନ ଦାୟିତ୍ଵ ଗ୍ରହଣ କରିଥିଲେ । ଜନତାଦଳ ଶାସନ ଦାୟିତ୍ଵରେ ଥିବା ମୋରାରଜୀ ଦେଶାଇ, ଚରଣ ସିଂହ, ବିଶ୍ଵନାଥ ପ୍ରତାପସିଂହ ଓ ଚନ୍ଦ୍ରଶେଖର ପ୍ରମୁଖ ବିଶିଷ୍ଟ ନେତୃବୃନ୍ଦ ମଧ୍ୟ ସ୍ଵାଧୀନତା ସଂଗ୍ରାମୀ ଥିଲେ ତଥା କଂଗ୍ରେସ ଅନୁଷ୍ଠାନରେ ଉଚ୍ଚସ୍ଥାନ ଅଧିକାର କରି ଆସି ଥିଲେ । ଯାହା ହେଉ ସ୍ଵାଧୀନତା ପରେ ଜାତୀୟ କଂଗ୍ରେସ ଦଳର ଯେଉଁମାନେ ରାଜନୀତି ତଥା ଶାସନ ଦାୟିତ୍ଵରେ ଥିଲେ ସେହିମାନେ ହିଁ ଦେଶର ଶାସନ ଓ ରାଜନୈତିକ ସଫଳତା ଓ ବିଫଳତା ପାଇଁ ଦାୟୀ । ସେହିମାନେ ସ୍ଵାଧୀନତା ପରେ ଆଠୋଟି ପଞ୍ଚବାର୍ଷିକ ଯୋଜନାଲାଭ ଭିତରେ ଦେଶର ଯୋଜନାବଦ୍ଧ ଅର୍ଥନୀତିକୁ କାର୍ଯ୍ୟକାରୀ କରି ଦେଶରେ ଆଧୁନିକ ଶିଳ୍ପ ଓ କୃଷିର ଭିତ୍ତି ସ୍ଥାପନ କରିଛନ୍ତି ଏବଂ ସହାବସାନ ଭିତ୍ତିରେ ପ୍ରଶଂସନୀୟ ବୈଦେଶିକନୀତି କାର୍ଯ୍ୟକାରୀ କରିଛନ୍ତି; ମାତ୍ର ଏବେ ମଧ୍ୟ ଦେଶର ଅର୍ଦ୍ଧାଧିକ ଲୋକ ଦାରିଦ୍ର୍ୟର ସୀମାରେଖା ତଳେ ତଥା ନିରକ୍ଷର ହୋଇ ରହିଛନ୍ତି । ଦେଶର ଦରିଦ୍ର ଓ ଅବହେଳିତ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ପରିକଳ୍ପନା ଦ୍ଵାରା ସେମାନେ ଉପକୃତ ହୋଇ ପାରିନାହାନ୍ତି । ସେ ବାବଦ ବହୁ ପରିମାଣ ଅର୍ଥ ବାଟମାରଣା ହୋଇଯାଉଛି । ଏଣେ ଦେଶର ଲୋକସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଦେଶର ଋଣଭାର ମଧ୍ୟ ଦୂତଗତିରେ ବୃଦ୍ଧିପାଉଛି । ରାଜନୀତି କ୍ଷେତ୍ରରେ ଓ ଶାସନ କ୍ଷେତ୍ରରେ ଦୁର୍ନୀତି ବୃଦ୍ଧି ପାଉଛି । ତେଣୁ ସ୍ଵାଧୀନତା ପରେ ଜାତୀୟ କଂଗ୍ରେସ ଦୀର୍ଘ ୩୦ ବର୍ଷ ଧରି ନିର୍ବାଚନରେ ଦୁଇ ତୃତୀୟାଂଶ ସ୍ଥାନ ଅଧିକାର କରି କେନ୍ଦ୍ରଶାସନ କର୍ତ୍ତୃତ୍ଵରେ ରହିଥିବା ସ୍ଥଳେ ବର୍ତ୍ତମାନ କଂଗ୍ରେସ କେବଳ ଏକ ସଂଖ୍ୟାଗରିଷ୍ଠ ଦଳ ହୋଇ ରହିଛି । ଦକ୍ଷିଣ ଭାରତରେ ଜାତୀୟ କଂଗ୍ରେସର ପୂର୍ବ ସ୍ଥିତି ନାହିଁ ଏବଂ ଉତ୍ତର ଭାରତରେ ଏହାର ସ୍ଥିତି ଅଧିକ ଦୁର୍ବଳ । ପଶ୍ଚିମବଙ୍ଗ ଓ ଓଡ଼ିଶା ଭଳି ରାଜ୍ୟରେ କଂଗ୍ରେସର ସ୍ଥିତି ସୁଧୁରିବାର କୌଣସି ଆଶା ଦୃଷ୍ଟି ଗୋଚର ହେଉନାହିଁ ।

☆☆☆

 

ଭାରତରେ ସମାଜବାଦୀ ଆନ୍ଦୋଳନ

ଶ୍ରୀ ପ୍ରୀତୀଶ ଆଚାର୍ଯ୍ୟ

 

୧୯୩୦ ମସିହାରେ କଂଗ୍ରେସର ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ ହେଲା । ୧୯୨୨ ମସିହାର ଅସହଯୋଗ ଆନ୍ଦୋଳନ ପରେ ପ୍ରାୟ ଦଶବର୍ଷ ଉତ୍ତାରୁ ଏହାହିଁ ଥିଲା । ପ୍ରଥମ ବ୍ରିଟିଶ ଉପନିବେଷବାଦ ବିରୋଧି ଗଣଆନ୍ଦୋଳନ । ମହାତ୍ମା ଗାନ୍ଧୀଙ୍କର ରଚନାତ୍ମକ କାର୍ଯ୍ୟକ୍ରମ ଏବଂ ସ୍ଵରାଜ ଦଳର ସଂସଦୀୟ କାର୍ଯ୍ୟପନ୍ଥା ଯେଉଁ ଯୁବଗୋଷ୍ଠୀକୁ ଜାତୀୟ ଆନ୍ଦୋଳନ ପ୍ରତି ଆକୃଷ୍ଟ କରି ପାରିନଥିଲା, ଆଇନ ଅମାନ୍ୟ, ଅତ୍ୟଳ୍ପ ସମୟରେ ସେମାନଙ୍କୁ ନିଜ ଭିତରେ ସକ୍ରିୟ କରି ପକାଇଲା । କଂଗ୍ରେସର ବର୍ଷୀଆନ୍ ନେତାଙ୍କ ସମସ୍କନ୍ଦ ହୋଇ ଯୁବକଗଣ ପିକେଟିଂ କଲେ, ଜେଲ୍ ଗଲେ । ମହାରାଷ୍ଟ୍ରର ନାସିକା ଜେଲରେ ଆବଦ୍ଧ କେତେଜଣ ଏଭଳିଆ ଯୁବ କଂଗ୍ରେସକୁ ଗମ୍ଭୀର ଆଲୋଚନାର ପରିଣାମ ସ୍ୱରୂପ ୧୯୩୪ ମସିହା ଅକ୍ଟୋବର ମାସରେ ବମ୍ବେଠାରେ ଗଢ଼ି ଉଠିଲା କଂଗ୍ରେସ ସୋସିଆଲିଷ୍ଟ ପାର୍ଟି । ପରବର୍ତ୍ତୀ ସମୟରେ ଭାରତ ଇତିହାସରେ ସମାଜବାଦୀ ଆନ୍ଦୋଳନର ଯେଉଁ ମୂଳଦୁଆ ପଡ଼ିଲା, ତାର କର୍ଣ୍ଣଧାର ଥିଲେ ଉକ୍ତ କଂଗ୍ରେସ ଗୋଷ୍ଠୀ ଏବଂ ସେମାନଙ୍କ ଦ୍ଵାରା ନବଗଠିତ କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ।

 

୧୯୭୭ ମସିହାରେ କଂଗ୍ରେସର ଏକଛତ୍ରବାଦ ଓ ଇନ୍ଦିରା ଗାନ୍ଧୀଙ୍କର ଜରୁରୀ ପରିସ୍ଥିତିର ବିରୋଧ କରି ଦେଶର ବିଭିନ୍ନ ଗଣତାନ୍ତ୍ରିକ ସଙ୍ଗଠନ ଏକଜୁଟ ହେଲେ । ନିର୍ବାଚନ ମାଧ୍ୟମରେ କଂଗ୍ରେସୀ ଅନ୍ଧାରୀ ଶାସନର ଉଚ୍ଛେଦ ନିମିତ୍ତ ସଙ୍ଗଠିତ ହେଲା ଜନତା ଦଳ । ୧୯୩୪ ମହିହାରେ ଜାତୀୟ କଂଗ୍ରେସର ସନ୍ତାନ ଏବଂ ଶକ୍ତବର୍ଦ୍ଧକ ସ୍ୱରୂପ ଜନ୍ମିଥିବା କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ଚାଳିଶି ବର୍ଷ ପରେ ୧୯୭୭ ମସିହା ବେଳକୁ କଂଗ୍ରେସକୁ ଶକ୍ତିହୀନ, କ୍ଷମତାଚ୍ୟୁତ କରିବା ନିମିତ୍ତ ଜନତା ଦଳର ମେରୁଦଣ୍ଡ ସାଜିଲା । ନିଜ ଅସ୍ଥିତ୍ଵ ପାଶୋରିଲା । ତା’ପରଠୁ ସମାଜବାଦୀ ଅଛନ୍ତି, ସୋସିଆଲିଷ୍ଟ ପାର୍ଟି ନାହିଁ । ବାଲ୍ୟାବସ୍ଥାଠାରୁ ଦୀର୍ଘ ଚାଳିଶି ବର୍ଷର ପୌଢ଼ତ୍ଵ ପ୍ରାପ୍ତି ପର୍ଯ୍ୟନ୍ତ ସୋସିଆଲିଷ୍ଟ ପାର୍ଟିର ଆନ୍ଦୋଳନ କଂଗ୍ରେସକୁ ବାଦ ଦେଇ ଅଧ୍ୟୟନ କରାଯାଇ ପାରେନା । କେବେ ତାହା ଜାତୀୟତାର ସନ୍ତକ କଂଗ୍ରେସକୁ ଆବୋରି ନେଇଛି ତ ଆଉ କେବେ ରକ୍ଷଣଶୀଳର ଜାଲରେ ଆବଦ୍ଧ କଂଗ୍ରେସଠାରୁ ଦୂରେଇ ଯାଇଛି । ତେଣୁ ସ୍ଵାଧୀନତା ପରବର୍ତ୍ତୀ ଭାରତ ଗଠନ ବା ପତନ ଦିଗରେ କଂଗ୍ରେସର ଯେଉଁ ଭୂମିକା, ସୋସିଆଲିଷ୍ଟ ପାର୍ଟି ଏବଂ ତାରି ନେତୃତ୍ଵରେ ପରିଚାଳିତ ସମାଜବାଦୀ ଆନ୍ଦୋଳନର ଭୂମିକା ତା’ଠାରୁ ମହତପୂର୍ଣ୍ଣ ହୋଇ ନପରେ । ଅର୍ଥାତ ତା’ର ସିଂହାବଲୋକନ ଅତ୍ୟାବଶ୍ୟକ ହୋଇ ନପାରେ, କିନ୍ତୁ ଅନାବଶ୍ୟକ ନୁହେଁ, ବରଂ ଭାବୀ ପୀତୃକ ଦିଗଦର୍ଶନ ଦେବାରେ ଅବଶ୍ୟ ସହାୟକ ହୋଇପାରେ ।

 

ଜାତୀୟ କଂଗ୍ରେସଦ୍ଵାରା ପରିଚାଳିତ ବ୍ରିଟିଶ ଉପନିବେଶବାଦ ବିରୋଧୀ ଆନ୍ଦୋଳନ ବା ଜାତୀୟ ଆନ୍ଦୋଳନ ପ୍ରାରମ୍ଭରୁ କେବେ ସମାଜବାଦୀ ନ ଥିଲା । ଉପନିବେଶବାଦ ଯେହେତୁ ଦେଶର ସମସ୍ତ ବର୍ଗର ବା ଶ୍ରେଣୀର ଶତ୍ରୁ, କଂଗ୍ରେସ ‘ଶ୍ରେଣୀ ଶତ୍ରୁ’ ବିରୁଦ୍ଧରେ ସଂଗ୍ରାମ ନକରି, ସମସ୍ତ ଶ୍ରେଣୀକୁ ଏକ ମିଳିତ ମଞ୍ଚରେ ଏକତ୍ରିତ ହୋଇ ଉପନିବେଶବାଦ ବିରୋଧରେ ସଂଗ୍ରାମ କରିବାକୁ ଆହ୍ଵାନ କରୁଥିଲା । ମାତ୍ର ଏଭଳି ସର୍ବଶ୍ରେଣୀୟ ଆନ୍ଦୋଳନ ସଂଗ୍ରାମରେ ସର୍ବଦା ସମାଜରେ ପ୍ରାଧାନ୍ୟ ଲାଭ କରିସାରିଥିବା ଉଚ୍ଚ ଧନୀକ ବର୍ଗ ହିଁ ସ୍ଵ-ପ୍ରଭୁତ୍ଵ ସ୍ଥାପନ କରିଥାନ୍ତି । ଗରିବ, ଅଶିକ୍ଷିତ ବର୍ଗର ଆଶା,ଆଙ୍କାକ୍ଷାର ପ୍ରତିଫଳନ ସେଠି ସମ୍ଭବପର ହୁଏନା । ପୁଣି ଉଚ୍ଚବର୍ଗର ପ୍ରଭୁତ୍ଵ ଯୋଗୁ ଗରିବ ବର୍ଗ ଉକ୍ତ ସର୍ବଶ୍ରେଣୀୟ ଆନ୍ଦୋଳନରେ ସକ୍ରିୟ ଭାବେ ନିଜକୁ ସାମିଲ ମଧ୍ୟ କରିପାରନ୍ତି ନାହିଁ । ଅନ୍ୟ ଅର୍ଥରେ ତଥାକଥିତ ସର୍ବଶ୍ରେଣୀୟ ଆନ୍ଦୋଳନ ସବୁ ଶ୍ରେଣୀର ସହଯୋଗ ନେବାରେ ତ ଆପତ୍ତି କରେନା; ହେଲେ ବିଭିନ୍ନ ଶ୍ରେଣୀକୁ ଯଥୋଚିତ ମହତ୍ତ୍ଵ ହେଲା ମଧ୍ୟ କରେ, କେବଳ ଉଚ୍ଚ ଧନୀକବର୍ଗର ହାତବାରିସି ହେବା ହିଁ ସାର ହୁଏ । ଫଳତଃ ଶୋଷିତ ବର୍ଗର ସ୍ଵାର୍ଥରକ୍ଷା ପାଇଁ ସ୍ଵତନ୍ତ୍ର ଶ୍ରେଣୀ-ସଙ୍ଗଠନ ଆବଶ୍ୟକ ହୋଇପଡ଼େ ।

 

ଏହି ପରିପ୍ରେକ୍ଷୀରେ ୧୯୨୫ ମସିହା ଡିସେମ୍ବର ମାସରେ, ଏକ ଶୋଷଣ ବିହୀନ ସାମ୍ୟବାଦୀ ସମାଜ ଗଠନ ଉଦ୍ଦେଶ୍ୟରେ କାନପୁରଠାରେ କମ୍ୟୁନିଷ୍ଟ ଦଳ ଗଠନରେ ଆବଶ୍ୟକତା ସ୍ପଷ୍ଟ ବୁଝାପଡ଼େ । ଦଳର ସଙ୍ଗଠନ ଥିଲେ ସତ୍ୟଭକ୍ତ, ମୁଜାଫର ଅହମ୍ମଦ, ଆୟେଙ୍ଗର, କେ. ଏନ. ଜୁ ଜୁଗେଲକର, ଏସ୍. ଭି. ଘାଟେ, ଆଯୋଧ୍ୟା ପ୍ରସାଦ ଓ ଅବଦୁଲ ମଜିଦ୍ ଇତ୍ୟାଦି । ମାର୍କସବାଦୀୟ ଶ୍ରେଣୀ ସଂଘର୍ଷର ଚିନ୍ତାଧାରାରେ ଉଦ୍‍ବୁଦ୍ଧ ଏହି ସାମ୍ୟବାଦୀ ଗୋଷ୍ଠୀ ଜାତୀୟ ଆନ୍ଦୋଳନର ଅନାବଶ୍ୟକତାକୁ ହୃଦୟଙ୍ଗମ କଲେ ବୋଲି କଂଗ୍ରେସର ବିକଳ୍ପ ରୂପେ ନିଜକୁ ପ୍ରସ୍ତୁତି କରିବା ଆରମ୍ଭ କଲେ । କଂଗ୍ରେସର ସମାନ୍ତରାଳ ସଙ୍ଗଠନ ଭାବେ ନିଜର ଅସ୍ତିତ୍ଵ ଖୋଜୁଥିବାରୁ ସେମାନେ କଂଗ୍ରେସ ଅଧିବେଶନ ସମୟରେ ହିଁ ଏକ ଭିନ୍ନ ରାଜନୈତିକ ମଞ୍ଚର ପ୍ରସ୍ତୁତି କଲେ ।

 

ପ୍ରକୃତରେ ଦେଖିବାକୁ ଗଲେ କମ୍ୟୁନିଷ୍ଟମାନଙ୍କର କଂଗ୍ରେସ ଓ ଜାତୀୟତା ବିରୋଧୀଭାବ ହିଁ ପରବର୍ତ୍ତୀ ସମୟରେ ସମାଜବାଦୀମାନଙ୍କୁ କମ୍ୟୁନିଷ୍ଟ ଦଳରେ ସାମିଲ ହେବାରୁ ବାରଣ କଲା । ନୋହିଲେ କମ୍ୟୁନିଷ୍ଟମାନଙ୍କ ପରି ଏକ ଶୋଷଣବିହୀନ ସମାଜ ଗଠନର ଲକ୍ଷ୍ୟ ଥିବା ସତ୍ତ୍ଵେ ସମାଜବାଦୀମାନେ କମ୍ୟୁନିଷ୍ଟ ଦଳ ସ୍ଥାପନର ପ୍ରାୟ ଏକ ଦଶନ୍ଧ ପରେ ୧୯୩୪ ମସିହାରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ନାମରେ ଏକ ଭିନ୍ନ ମଞ୍ଚ ନିର୍ମାଣ କରିବାର ଆବଶ୍ୟକତା ଅନୁଭବ କରି ନଥାନ୍ତେ । ସର୍ବଶ୍ରେଣୀୟ ଆନ୍ଦୋଳନ ଆଳରେ କଂଗ୍ରେସ ଦ୍ଵାରା ଶୋଷିତ ବର୍ଗର ଉପେକ୍ଷା ଯେମିତି କମ୍ୟୁନିଷ୍ଟମାନଙ୍କୁ ଜାତୀୟତା ବିଦ୍ଵେଷୀ କରି ଗଢ଼ି ତୋଳିଲା, କମ୍ୟୁନିଷ୍ଟମାନଙ୍କର ଜାତୀୟତା ବିରୋଧୀଭାବ ସେମିତି ସମାଜବାଦୀମାନଙ୍କୁ କମ୍ୟୁନିଷ୍ଟ–ବିରୋଧୀ ରୂପେ ପରିଚିତ କରାଇଲା । ତେଣୁ ଗୋଟିଏ ବାକ୍ୟରେ କହିବାକୁ ଗଲେ, ସାମ୍ୟବାଦରେ ଜାତୀୟତା ଓ ଜାତୀୟତା ଆନ୍ଦୋଳନରେ ସମତାଭାବ ପ୍ରତି ଆନ୍ତରିକତା ସୃଷ୍ଟି ଥିଲା ସମାଜବାଦୀ ଆନ୍ଦୋଳନର ଭିନ୍ନ ନାମ, ମୁଖ୍ୟ ଉଦ୍ଦେଶ୍ୟ ।

 

ଜାତୀୟତାର ପ୍ରଶ୍ନ ଯେ ସମାଜବାଦୀ ଓ କମ୍ୟୁନିଷ୍ଟମାନଙ୍କ ମଧ୍ୟରେ ଥିବା ପାର୍ଥକ୍ୟର ଏକମାତ୍ର କାରଣ—ଏହା କହିବା ସମୀଚୀନ ହେବ ନାହିଁ । ଜାତୀୟତାକୁ ବାଦଦେଇ ଅନ୍ୟ କେତେଗୋଟି ପ୍ରଶ୍ନରେ ମଧ୍ୟ ଉଭୟଙ୍କ ଦୃଷ୍ଟିକୋଣ ଥିଲା ଭିନ୍ନ ରକମର, ବିପରୀତମୁଖୀ । ତେଣୁ ଅଲଗା ଅଲଗା ମଞ୍ଚ ପ୍ରସ୍ତୁତି ଥିଲା ଉଭୟ ଗୋଷ୍ଠୀପାଇଁ ଅବଶ୍ୟମ୍ଭାବୀ ।

 

ଉଦାହରଣ ସ୍ୱରୂପ, ଲକ୍ଷ୍ୟସାଧନା ନିମନ୍ତେ ପନ୍ଥା ନିର୍ଣ୍ଣୟର ପ୍ରଶ୍ନକୁ ନିଆଯାଇ ପାରେ । କମ୍ୟୁନିଷ୍ଟମାନଙ୍କ ଦୃଷ୍ଟିରେ ପନ୍ଥା ଯାହା ହେଉନା କାହିଁକି ଲକ୍ଷ୍ୟ ମହତ ହେଲେ, ତାହାର ସାଧନା ନିମନ୍ତେ ପନ୍ଥା ମଧ୍ୟ ଆପେ ଆପେ ମହତ ହୋଇପଡ଼େ; ସଚେତନ ଭାବରେ ତାର ମହତ ହେବାର ଆବଶ୍ୟକତା ନଥାଏ । ମାତ୍ର ଅନ୍ୟ ପକ୍ଷରେ ସମାଜବାଦୀମାନଙ୍କ ବିଚାରରେ ମହତ ଲକ୍ଷ୍ୟ ସାଧନ ନିମନ୍ତେ ପନ୍ଥାର ମହତ ହେବା ଅତି ଆବଶ୍ୟକ । ପନ୍ଥା ମହତ ନ ହେଲେ ସାଧିତ ଲକ୍ଷ୍ୟ ମହତ ଲକ୍ଷ୍ୟ ମଧ୍ୟ ମହତ ହୋଇପାରେନା । ବାହ୍ୟ ଦୃଷ୍ଟିରେ ପାର୍ଥକ୍ୟଟି ଜଟିଳ ଜଣାପଢ଼ୁ ନଥିଲେ ସୁଦ୍ଧା ଆନ୍ଦୋଳନରେ ହିଂସା ବା ଅହିଂସାର ଉପଯୋଗିତା ପ୍ରଶ୍ନ ସହ ଜଡ଼ିତ ଥିବାରୁ ଏହା ବେଶ ମହତ୍ଵପୂର୍ଣ୍ଣ । ଶୋଷଣ ବିହୀନ ସମାଜ ଭଳି ଏକ ଲକ୍ଷ୍ୟ ସାଧନା ଉଦ୍ଦେଶ୍ୟରେ ହିଂସା ପରି ‘ଘୃଣ୍ୟ’ ପନ୍ଥାର ଆଶ୍ରୟ ନେବା ଥିଲା ସମାଜବାଦୀମାନଙ୍କ ପାଇଁ ଅଯୌକ୍ତିକ; ମାତ୍ର କମ୍ୟୁନିଷ୍ଟ ମାନଙ୍କ ପାଇଁ ଏହା ଥିଲା ଅପରିତ୍ୟଜ୍ୟ । ତେଣୁ ଶ୍ରୀ ଜୟପ୍ରକାଶ ନାରାୟଣ ନରେନ୍ଦ୍ରଦେବ ଆଦି ସମାଜବାଦୀ ନେତାମାନେ କାୟମନୋବାକ୍ୟରେ ମାକ୍‍ର୍ସବାଦୀୟ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇଥିଲେ ସୁଦ୍ଧା, ଅହିଂସା ପନ୍ଥାର ପରିପୋଷଣ କରୁଥିବା ଗାନ୍ଧୀବାଦ କେବେ ସେମାନଙ୍କ ଚିନ୍ତାର ପରିପନ୍ଥୀ ହୋଇ ପାରିନଥିଲା । ଅର୍ଥାତ୍ କମ୍ୟୁନିଷ୍ଟମାନଙ୍କ ଦୃଷ୍ଟିରେ ଗାନ୍ଧୀବାଦ, ଜାତୀୟତା ପରି, ଶୋଷଣବିହୀନ ସମାଜର ପରିପନ୍ଥୀ ହୋଇଥିବା ସ୍ଥଳେ, ସମାଜବାଦୀମାନଙ୍କ ଦୃଷ୍ଟିରେ ଅନୁପୂରକ ହୋଇ ରହିଥିଲା ।

 

ବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି ବେଳକୁ ବିଶ୍ଵ-ସ୍ତରରେ ରାଜନୈତିକ ପରିବର୍ତ୍ତନର ପ୍ରକ୍ରିୟା ଦୃଢ଼ୀଭୂତ ହେବାରେ ଲାଗିଥିଲା । ରୁଷ ବିପ୍ଳବ, ଚାରିଆଡ଼େ ସାମ୍ରାଜ୍ୟବାଦ ବିରୋଧୀ ସଂଗ୍ରାମ, ପୁଣି ୧୯୨୯ ମସିହାର ପୁଞ୍ଜି ବାଦୀୟ ସଙ୍କଟ ଦେଶରେ ବିଭିନ୍ନ ପ୍ରାନ୍ତରେ ଯୁବଗୋଷ୍ଠୀକୁ ପ୍ରଗତିଶୀଳ ଆଦର୍ଶ ପ୍ରତି ଆକୃଷ୍ଟ କରିବାରେ ଲାଗିଲେ । ରାଜନୀତିର ଏଭଳି କ୍ରମ-ସମାଜବାଦୀକରଣର ଧାରାକୁ ଜାତୀୟ କଂଗ୍ରେସ ଅସ୍ଵୀକାର କଲା ନାହିଁ; ବରଂ ପରୋକ୍ଷଭାବେ କେତେଗୋଟି ପ୍ରଗତିଶୀଳ କାର୍ଯ୍ୟକ୍ରମକୁ ନିଜ କାର୍ଯ୍ୟକ୍ରମର ଅନ୍ତର୍ଗତ କରି ରଖିଲା । ସମାଜବାଦୀମାନଙ୍କ କମ୍ୟୁନିଷ୍ଟ ଦଳରେ ସାମିଲ ନ ହୋଇ କଂଗ୍ରେସକୁ ଅଙ୍ଗୀକାର କରିବା ପଛରେ ଏଭଳି ଏକ କାରଣକୁ ମଧ୍ୟ ମୁଖ୍ୟ ବୋଲି କୁହାଯିବ ।

 

ସେତେବେଳେ କଂଗ୍ରେସ ଦଳ ଥିଲା ଏକ ମୁକ୍ତ ରାଜନୈତିକ ମଞ୍ଚ ସଦୃଶ ଉପନିବେଶବାଦ ବିରୋଧୀ ଆନ୍ଦୋଳନର ସଚା ପ୍ରତିନିଧି । ଏକ ପକ୍ଷରେ ଉଚ୍ଚବର୍ଗର ସେଥିରେ ପ୍ରାଧାନ୍ୟ ଥିଲା, ମାତ୍ର ଅନ୍ୟ ପକ୍ଷରେ ଅନ୍ୟାନ୍ୟ ବର୍ଗ ପାଇଁ ମଧ୍ୟ କେବେ ତାର ଦ୍ଵାର ବନ୍ଦ ନ ଥିଲା-। ଏହି ହେତୁ ପରିବର୍ତ୍ତିତ ପରିସ୍ଥିତିରେ ରାଜନୀତିର ପ୍ରଗତିଶୀଳ ମୋଡ଼କୁ ସ୍ଵୀକାର ତା’ ପକ୍ଷେ କଷ୍ଟକର ହେଲା ନାହିଁ । ବରଂ ଏହା ପ୍ରଗତିଶୀଳ ଯୁବ-କଂଗ୍ରେସୀ ଗୋଷ୍ଠୀକୁ ଧରି ରଖିବାରେ ତାଙ୍କୁ ବେଶ ସାହାଯ୍ୟ କରିଥିଲା ।

 

୧୯୩୧ ମସିହାରେ କରାଚି ଅଧିବେଶନ ସମୟରେ କଂଗ୍ରେସ ପ୍ରଥମଥର ପାଇଁ କୌଣସି ପ୍ରଗତିଶୀଳ କାର୍ଯ୍ୟକ୍ରମକୁ ଗ୍ରହଣ କରିବାର ସୁଯୋଗ ପାଇଲା । ସଶସ୍ତ୍ର ବିପ୍ଳବୀ ଭଗତ ସିଂ, ରାୟଗୁରୁ ଏବଂ ସୁଖଦେବଙ୍କୁ ଫାଶୀ ଆଦେଶ ହେବା ପରେ ଭାଇସରାୟ, ଇରୱିନଙ୍କ ସହ ଆଲୋଚନା ବେଳେ ଗାନ୍ଧୀଙ୍କର ଏ ସମ୍ପର୍କରେ ନୀରବତା ଏବଂ ତତ୍‍ଅନ୍ତେ ବିପ୍ଳବୀଗଣଙ୍କର ଫାଶୀ ସାଧାରଣ ମହଲରେ କଂଗ୍ରେସ ଓ ଗାନ୍ଧୀଙ୍କର ଭାବମୂର୍ତ୍ତିକୁ ଅନେକ ପରିମାଣରେ କ୍ଷୁଣ୍ଣ କରିଥାଏ । ଅଧିବେଶନ ପ୍ରାଙ୍ଗଣରେ ପହଞ୍ଚି ଗାନ୍ଧୀ ଓ ସର୍ଦ୍ଦାର ପଟେଲ ଯୁବଗୋଷ୍ଠୀ ଦ୍ଵାରା ପ୍ରଦର୍ଶିତ ଶୋଭାଯାତ୍ରାର ମଧ୍ୟ ସମ୍ମୁଖୀନ ହୋଇ ସାରିଥାନ୍ତି । ଏଭଳି ଏକ ଘଡ଼ସନ୍ଧି ମୁହୂର୍ତ୍ତରେ ଦେଶର ରାଜନୈତିକ ସ୍ଵାଧୀନତା ସହ ଜନସାଧାରଣଙ୍କ ଆର୍ଥିକ ସ୍ଵାଧୀନତା ପ୍ରଶ୍ନକୁ ମଧ୍ୟ ସାମିଲ କରି କଂଗ୍ରେସ ପ୍ରସ୍ତାବ ପାଇଗଲା । ସମାଜବାଦ ଦିଗରେ ଯଦି ଓ କଂଗ୍ରେସର ଏହା ଏକ ସାଧାରଣ ପଦକ୍ଷେପ ରୁଷ ଭୟରେ ଆକ୍ରାନ୍ତ ବ୍ରିଟିଶ ସରକାର ଏବଂ କଂଗ୍ରେସର ଧନୀକ ଶ୍ରେଣୀ ଏଥିରେ ପ୍ରମାଦ ଗଣିବାକୁ ଲାଗିଲେ । ଅନ୍ୟ ପକ୍ଷରେ ସମାଜବାଦୀମାନେ ମଧ୍ୟ କଂଗ୍ରେସର ପ୍ରଗତିଶୀଳତାରେ ଆତ୍ମସନ୍ତୋଷ ଅନୁଭବ କଲେ ।

 

ଜାତୀୟତା ସଂଗ୍ରାମ ସମାଜବାଦ ନିମନ୍ତେ କେବେ ପ୍ରତିଶ୍ରୁତିବଦ୍ଧ ନଥିଲା । କିନ୍ତୁ ଏହାର କେତେଗୁଡ଼ିଏ କାର୍ଯ୍ୟକ୍ରମ ଯେ ଆରମ୍ଭରୁ ସମାଜବାଦୀ ଆନ୍ଦୋଳନର ପରିପୂରକ ଥିଲା—ଏକଥା ଅସ୍ଵୀକାର କରାଯାଇ ନ ପାରେ । ଏହାର ଏକ ବଡ଼ ଉଦାହରଣ ହେଳା, ଜାତିପ୍ରଥାର ଛୁଆଁ-ଅଛୁଆଁ ଭାବ ବିରୁଦ୍ଧରେ ସଂଗ୍ରାମ । ନୀତିଗତ ଭାବେ ବାଲ୍ୟକାଳରୁ କଂଗ୍ରେସ ଜାତି ଆଳରେ କୁତ୍ସିତ ଅଛୁଆଁ ଅନୋଭାବ ବିରୋଧ କରି ଆସିଛି । ମହାତ୍ମାଗାନ୍ଧୀଙ୍କର ନେତୃତ୍ଵ ପରେ ଏହି ବିରୋଧୀ ତୀବ୍ର ରୂପ ଧାରଣ କଲା । ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଏଭଳି ଲୋକପ୍ରିୟ ଯେ ଖଦୀ ପରି, ଜାତୀୟତା ରାଜନୀତିର ଏହା ମୂଳମନ୍ତ୍ର ରୂପେ ଗଣାହେଲା । ପ୍ରକୃତରେ ଆନ୍ଦୋଳନ ଜାତିପ୍ରଥା ବିରୁଦ୍ଧରେ ପରିଲକ୍ଷିତ ହେବା କଥା, ତଥାପି ଜାତିପ୍ରଥାର ଏକ ମୁଖ୍ୟ ଅଙ୍ଗ ଛୁଆଁ ଅଛୁଆଁ ଭାବକୁ ଆଘାତ କରିଥିବାରୁ ସାମାଜିକ ସମତା ରକ୍ଷା ଦିଗରେ ଏହାର ଉପଯୋଗିତା ସମାଜବାଦୀ ଆନ୍ଦୋଳନକୁ ବେଶ ସହାୟକ ହେଲା ।

 

ଜାତି ଭଳି ବିଭିନ୍ନ ଧର୍ମ ନାମରେ ସାମାଜିକ ଅସମାନତା ଓ ବିଦ୍ଵେଷ ମଧ୍ୟ ଆମ ଦେଶର ଏକ ବିଶିଷ୍ଟ ଅବଗୁଣ । ସେ ସମାଜବାଦୀ ହୁଅନ୍ତୁ ବା ସାମ୍ୟବାଦୀ ସମସ୍ତଙ୍କର ଉଦ୍ଦେଶ୍ୟ ସମ୍ପ୍ରଦାୟିକ ସଦ୍‍ଭାବ ରକ୍ଷା । କାରଣ ଏହା ବ୍ୟତିରେକେ ସମତାବାଦୀ ବା ଶୋଷଣବିହୀନ ସମାଜର ସ୍ଵପ୍ନ କଳ୍ପନାବିଳାସ ମାତ୍ର । ଏକ ଦାୟିତ୍ଵ ସମ୍ପନ୍ନ ଦଳ ଭାବରେ ପ୍ରାରମ୍ଭରୁ କଂଗ୍ରେସ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ସଦ୍‍ଭାବ ସୃଷ୍ଟି ପାଇଁ କାର୍ଯ୍ୟରତ ରହି ଆସିଥିଲା । ଜାଲିୱାନୱାଲବାଗ୍ ହତ୍ୟାକାଣ୍ଡ ଏବଂ ଖାଲିଫାଙ୍କ (ମୁସଲମାନ ଧର୍ମଗୁରୁ) ଅପମାନ ବିରୁଦ୍ଧରେ ଆୟୋଜିତ ୧୯୨୧ ମସିହାର ଅସହଯୋଗ ଆନ୍ଦୋଳନ ସମୟରୁ ଜାତୀୟବାଦୀମାନଙ୍କର ଏ ଦିଗରେ ଉଦ୍ୟମ ଅଧିକ ପ୍ରଶଂସନୀୟ । ସଦ୍‍ଭାବ ରକ୍ଷାର ଉଦ୍ୟମ ସମାଜବାଦର ପଥ ସୁଗମ କଲା ବୋଲି ସମାଜବାଦୀମାନେ ମଧ୍ୟ କେବେ ଧର୍ମନିରପେକ୍ଷତାର ପ୍ରଶ୍ନ ଉପରେ କଂଗ୍ରେସକୁ ସହଯୋଗ ଦେବା ଭୁଲି ନାହାନ୍ତି । ଅର୍ଥାତ୍ ସଦ୍‍ଭାବ ରକ୍ଷାର ଉଦ୍ୟମ’ ଅତୀତରେ ଉଭୟ ସମାଜବାଦୀ ଓ ଜାତୀୟତାବାଦୀଙ୍କ ମଧ୍ୟରେ ସମ୍ପର୍କକୁ ସ୍ଥାୟୀ ହେବାରେ ସାହାଯ୍ୟ କରି ଆସିଛି ।

 

ସମାଜବାଦ ଓ କଂଗ୍ରେସ ମଧ୍ୟରେ ସାମଞ୍ଜସ୍ୟର ତୃତୀୟ ବିନ୍ଦୁ ଥିଲା ସମାଜରେ ନାରୀ ପାଇଁ ପୁରୁଷତୁଲ୍ୟ ଅଧିକାର ଦାବି । କେବଳ ମହାତ୍ମା ଗାନ୍ଧୀ କାହିଁକି ଊନବିଂଶ ଶତାବ୍ଦୀର ଜାତୀୟତାବାଦୀ ରାଜା ରାମମୋହନ ରାୟଙ୍କ ଭଳି ନେତୃବର୍ଗଙ୍କର ମଧ୍ୟ ଦୃଢ଼ ବିଶ୍ଵାସ ଯେ ଥିଲା ଆମ ସାମାଜିକ ଅଧୋଗତିର ଏକ ମୁଖ୍ୟ କାରଣ ହେଲା ନାରୀର ଅସମ୍ମାନ । ପୁରୁଷ କେନ୍ଦ୍ରିତ ସମାଜ ନାରୀକୁ ତା’ର ନ୍ୟାଯ୍ୟ ଅଧିକାର ଦେବା ଶିଖି ନାହିଁ । ନ ହେଉ କଂଗ୍ରେସର କଳ୍ପିତ ସମାଜ ସଂପୂର୍ଣ୍ଣ ଶୋଷଣମୁକ୍ତ,ମାତ୍ର ସେଥିରେ ନାରୀ ଉପରେ ପୁରୁଷାନୁକ୍ରମିକ ଶୋଷଣର ସ୍ଥାନ ନଥିଲା । ନାରୀ ପାଇଁ ସମାନତା ଦାବିର ପରିଣାମ ସ୍ୱରୂପ ବେଳୁବେଳ ଜାତୀୟ ଆନ୍ଦୋଳନ ଅଧିକାର ଅଧିକ ନାରୀ ସହଯୋଗ ଲାଭ କଲା । ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ତ ହଜାର ହଜାର ସଂଖ୍ୟାରେ ନାରୀ ପାରିବାରିକ ବନ୍ଧନରୁ ମୁକୁଳି ସକ୍ରିୟ ରାଜଦିତିରେ ଅଂଶ ଗ୍ରହଣ କଲେ, ପୁରୁଷ ପରି ଜେଲ ଗଲେ । ଏହା ଥିଲା ସମାଜବାଦୀ ଆନ୍ଦୋଳନର ସମ୍ପୂର୍ଣ୍ଣ ପରିପୂରକ ।

 

ସାମ୍ରାଜ୍ୟବାଦ କବଳରୁ ମୁକ୍ତି ଓ ସ୍ଵରାଜ୍ୟ ପାଇଁ ଗାନ୍ଧିଜୀ ସର୍ବଦା ଖଦୀ ଓ ଗ୍ରାମୋଦ୍ୟୋଗକୁ ଚାବିକାଠି ବୋଲି ମାନୁଥିଲେ । ଦେଶରୁ କଞ୍ଚା ମାଲ ରପ୍ତାନୀ ଓ ବିଦେଶରୁ କଳଲୁଗା ଆଦି ଶିଳ୍ପଜାତ ଦ୍ରବ୍ୟର ଆମଦାନୀ ଆଢ଼ୁଆଳରେ ଇଂରେଜମାନେ ଆର୍ଥିକ ଶୋଷଣର ଯେଉଁ ଅବିଚ୍ଛନ୍ନ ଧାରା ଆରମ୍ଭ କରିଥିଲେ ତାର ପୂର୍ଣ୍ଣାହୂତି ଦେବା ନିମିତ୍ତ ଉଦ୍ଦିଷ୍ଟ ଥିଲା ଗାନ୍ଧୀଙ୍କର ଖଦୀ ଆନ୍ଦୋଳନ । କେବଳ ସାମ୍ରାଜ୍ୟବାଦ ବା ଉପନିବେଶ ବାଦ କାହିଁକି, ଦେଶୀ ପୁଞ୍ଜିବାଦ ଏବଂ ଯାବତୀୟ ଆର୍ଥିକ ଶୋଷଣର ମଧ୍ୟ ଉଚିତ ପ୍ରତ୍ୟୁତ୍ତର ଥିଲା ଖଦୀ (ଓ ଗ୍ରାମୋଦ୍ୟୋଗ) ବହୁ ପୁଞ୍ଜି ଦ୍ଵାରା ବିନିଯୁକ୍ତ ଗୁରୁ ଶିଳ୍ପ ଯେ ଭାରତ ପରି ଏକ ଜନବହୁଳ ରାଷ୍ଟ୍ରର କୋଟି କୋଟି ଜନତାକୁ କାର୍ଯ୍ୟ ଯୋଗାଇ ନ ପାରି ଦରିଦ୍ରତା ଓ ବେକାରି ମୁହଁକୁ ଠେଲି ଦେବ—ଗାନ୍ଧୀ ଏକଥା ଉତ୍ତମରୂପେ ବୁଝିଥିଲେ । ତେଣୁ ଉପସ୍ଥିତ ଦୁଃସ୍ଥିତିରେ ଜନସାଧାରଣଙ୍କୁ ଭୌତିକ, ମାନସିକ ଏବଂ ଆଧ୍ୟାତ୍ମିକ ଦରିଦ୍ରତାରୁ ମୁକ୍ତି ଦେବା ପାଇଁ ଖଦୀ ଥିଲା ଏକ ଅମୋଘ ଔଷଧ ।

 

ସମାଜବାଦୀ ଦୃଷ୍ଟିକୋଣରୁ ପୁଞ୍ଜିବାଦୀ ବ୍ୟବସ୍ଥାକୁ ଏକ ବଡ଼ ଚରିତ୍ର ହେଲା ଶ୍ରମିକ ଓ କ୍ଷେତ ମଜଦୁର ହାତରେ ପୁଞ୍ଜିର ଅଭାବ ଏବଂ ସଂଖ୍ୟା-ଲଘୁ ଧନୀକ ଶ୍ରେଣୀ ପାଖରେ ପୁଞ୍ଜିର ଭଣ୍ଡାର । ଏହା ଅଭାବଗ୍ରସ୍ତ ସଂଖ୍ୟା ବହୁଳ ପୁଞ୍ଜିହୀନ ଗୋଷ୍ଠୀକୁ ପୁଞ୍ଜିବାଦୀ ଆଗରେ ହାତ ପତାଇବାକୁ ତଥା ଅତି ଅଳ୍ପ ମୂଲ୍ୟରେ ନିଜ ଶ୍ରମ ବିକ୍ରୀ କରିବାକୁ ବାଧ୍ୟକରେ, ଯାହାକି ଧନୀକ ପୁଞ୍ଜିବାଦୀକୁ ଅଧିକରୁ ଅଧିକ ଲାଭ ବା ପୁଞ୍ଜି ଆହରଣ କରିବାର ସୁଯୋଗ ଆଣିଦିଏ । ପୁଞ୍ଜି ବଳରେ ପୁଞ୍ଜିପତି ଅଧିକ ପୁଞ୍ଜି ଏକତ୍ର କରିପାରେ ଏବଂ ପୁଞ୍ଜି ହୀନତା ଦୋଷରୁ ପୁଞ୍ଜିହୀନ ସର୍ବସ୍ଵ ହରାଏ, ନିଃସ୍ଵ ହୁଏ । ମାତ୍ର ଖଦୀ ଭଳି ଲଘୁ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ପୁଞ୍ଜି ର ପରିମାଣ ଏତେ କମ୍ ଯେ ଗରିବ ଶ୍ରମିକ ମଧ୍ୟ ଶିଳ୍ପଟିର ମାଲିକ ହୋଇପାରେ । ପୁଞ୍ଜିବାଦର ଏକ ବଡ଼ ଅସ୍ତ୍ର–ସଂଖ୍ୟାବହୁଳ ଶ୍ରମିକ ହାତରୁ ପୁଞ୍ଜି ଅପହରଣ—ଖଦୀ ଆଗରେ ପଡ଼ି ମାଡ଼ ଖାଇଯାଏ ।

 

ପୁଞ୍ଜିବାଦ ବିରୁଦ୍ଧରେ ସମାଜବାଦୀଙ୍କର ଏକ ବଡ଼ ଅଭିଯୋଗ ଯେ, ଏହା ଉତ୍ପାଦକତାର ଅଶ୍ରୁ ବୁଦ୍ଧି ପ୍ରତି ସଚେଷ୍ଟ ରହେ, ମାତ୍ର ଉତ୍ସାଦିତ ଦ୍ରବ୍ୟର ସୁଚାରୁ ବଣ୍ଟନପ୍ରତି ଆଦୌ ଗୁରୁତ୍ଵ ଦିଏ ନାହିଁ । ତେଣୁ ସାମଗ୍ରିକ ଉତ୍ପାଦିତ ବୃଦ୍ଧି ପାଇବା ସତ୍ତ୍ଵେ, ତାର ଫଳ ଲାଭ କରିବାକୁ ସଂଖ୍ୟାବହୁଳ ଗୋଷ୍ଠୀ ବଞ୍ଚିତ ରହେ । ଅନ୍ୟ ପକ୍ଷରେ ସଂଖ୍ୟାନ୍ୟୂନ ଧନୀକ ବର୍ଗ ପାଖରେ ଉତ୍ପାଦିତ ସାମାଜିକ ସଂପତ୍ତି ଅବ୍ୟବହୁତ ବା ଅଧା-ବ୍ୟବହୃତ ହେବା ପାଇଁ କୁଢ଼ କୁଢ଼ ମାତ୍ରାରେ ଜମା ରହେ । ଅର୍ଥାତ ବହୁଳ ଉତ୍ପାଦିତ, ତା’ର ଅପବ୍ୟୟ ଏବଂ ଦାରିଦ୍ର୍ୟ ପୁଞ୍ଜିବାଦୀ ବ୍ୟବସ୍ଥାକୁ ମେରୁଦଣ୍ଡ ଭଳି କାର୍ଯ୍ୟ କରନ୍ତି । ପୁଞ୍ଜି ବାଦର ଉକ୍ତ ଅବଗୁଣ ଦୂରୀକରଣ ନିମିତ୍ତ ସମାଜବାଦୀ ଦୃଷ୍ଟି କୋଣରୁ ଖଦୀର ଭୂମିକା ଅତି ମହତ୍ଵପୂର୍ଣ୍ଣ । ଖଦୀ ବା କୁଟୀରଶିଳ୍ପ ଦାରିଦ୍ର୍ୟ ଦୂରୀକରଣ ପାଇଁ ସାମାଜିକ ଉତ୍ପାଦକତା ତ ବୃଦ୍ଧି ନଗଣ୍ୟ । ତେଣୁ କାହାରି ହାତରେ ବହୁ କଷ୍ଟୋପାର୍କିତ ଉତ୍ପାଦିତ ଦ୍ରବ୍ୟର ଜମାଟ ବାନ୍ଧିବାର ତଥା ଅପବ୍ୟୟ ହେବାର ଆଶଂକା ନ ଥାଏ । ପୁଣି ଖଦୀ ସାମାଜିକ ସବୁ ବର୍ଗ ପାଖରେ ଥିବାରୁ ଏବଂ (ଫଳରେ) ଶ୍ରମିକ ବିକା-କିଣା ପାଇଁ ସୁଯୋଗ ଦେଉ ନ ଥିବାରୁ, ଉତ୍ପାଦିତ ପରେ ବଣ୍ଟନରେ ମଧ୍ୟ ସମସ୍ୟା ରହେନାହିଁ । ଏ ସବୁ ସହିତ କୁଟୀରଶିଳ୍ପ ଦାରିଦ୍ର୍ୟରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ମଣିଷକୁ ଧନୀ ହେବାର ମଧ୍ୟ ସୁଯୋଗ ନ ଦେଇ ଧନ ପ୍ରତି ଲୋଭର ଦମନ, ଯେହେତୁ ବାଧ୍ୟ ବଳାତ୍କାର ଦ୍ଵାରା ସମ୍ଭବ ନୁହେଁ, ତାକୁ ଲାଗୁ କରିବା ପାଇଁ ‘ଆଗ୍ରହ’ ଏବଂ ‘ଅହିଂସା’ ର ଉପାଦେୟତା ଅନେକ ବେଶୀ ।

 

ସମାଜବାଦୀ ଆନ୍ଦୋଳନର ଅନେକ ବର୍ଷ ପରେ ଏବଂ ସୋଭିଏଟ୍ ସାମ୍ୟବାଦୀ ପତନର ଅନେକ ବର୍ଷ ପୂର୍ବରୁ ଷାଠିଏ ଦଶକରେ ଥରେ ପ୍ରଖ୍ୟାତ ସମାଜବାଦୀ ଡକ୍ଟର ରାମ ମନୋହର ଲୋହିଆ ଲେଖିଥିଲେ ଯେ, ବ୍ୟକ୍ତିଗତ ସଂପତ୍ତିର ଉଚ୍ଛେଦ ସହିତ ମାର୍କସବାଦ ଧନ ପ୍ରତି ଲୋଭର ଦମନ ପାଇଁ ଦୃଷ୍ଟି ଦେଇ ନଥିବାରୁ, ଯାହାକି ହିଂସାଦ୍ଵାରା ସମ୍ଭବ ନୁହେଁ, ଏହାର ବିଫଳତା ନିଶ୍ଚିତ । କେବଳ ଭୌତିକ ସ୍ତରରେ ସଂପତ୍ତିକୁ ପରିତ୍ୟାଗ କରି ବା କରିବାକୁ ବାଧ୍ୟ ହୋଇ, ମାନସିକ ସ୍ତରରେ ସଂପତ୍ତି ପ୍ରତି ବ୍ୟକ୍ତିର ଲୋଭ ବଳବତ୍ତର ରହିଲେ ସମାଜବାଦୀ ସମ୍ଭବ ହେବ ନାହିଁ ।୧ । ଅହିଂସା ଉପାୟରେ ଖଦୀର, ଯାହାକୁ କି କୁଟୀର ବା ଗ୍ରାମ ଶିଳ୍ପର ପ୍ରତୀକ ରୂପେ ନିଆଯାଇପାରେ, ପ୍ରସାର ଉଭୟ ସ୍ତରରେ ବ୍ୟକ୍ତିଗତ ସଂପତ୍ତିର ଗୌଣତା ପ୍ରତିପାଦିତ କରୁଥିବାରୁ ସମାଜବାଦୀମାନଙ୍କ ପାଇଁ ତାହା ଆଗ୍ରହର ଏକ କାରଣ ହୋଇ ରହିଥିଲା ।

 

ପ୍ରଚଳିତ ସାମାଜିକ ବ୍ୟବସ୍ଥାରେ ମାନସିକ ପରିଶ୍ରମ ତୁଳନାରେ ଶାରୀରିକ ପରିଶ୍ରମ ତୁଚ୍ଛ ବିବେଚିତ ହୁଏ । ଶାରୀରିକ ପରିଶ୍ରମ କଷ୍ଟଦାୟୀ ଏବଂ ଅନ୍ୟ ପକ୍ଷରେ ମାନସିକ ପରିଶ୍ରମ ଆରାମଦାୟୀ ହୋଇଥିବାରୁ ସାମାଜିକ ଗୋଟିଏ ବର୍ଗ ଶାରୀରିକ ପରିଶ୍ରମରୁ ଦୂରରେ ରହି, ଅନ୍ୟକୁ ଅଧିକ ମହତ୍ତ୍ଵପୂର୍ଣ୍ଣ ବୋଲି ପ୍ରଚାର କରନ୍ତି ଏବଂ ତା’ ପାଇଁ ଅଧିକ ପାରିଶ୍ରମିକ ଦାବି କରନ୍ତି-। ଯେହେତୁ ମାନସିକ ଶ୍ରମପକ୍ଷ ଉଭୟ ପ୍ରକାରର ପରିଶ୍ରମର ମୂଲ୍ୟ ନିର୍ଦ୍ଧାରଣ କରିଥାନ୍ତି, ସେମାନଙ୍କ ଦାବି ସ୍ୱୀକୃତି ହୁଏ । ଅର୍ଥାତ ଶାରୀରିକ ପରିଶ୍ରମୀ ଅଧିକ କଷ୍ଟ କରି କମ୍ ପରିଶ୍ରମିକ ନେବାକୁ ବାଧ୍ୟ ହୁଏ । ଏହା ସାମାଜିକ ବିଷମତାକୁ ବୁଦ୍ଧି କରିବା ସଙ୍ଗେ ସଙ୍ଗେ ଶାରୀରିକ ପରଶ୍ରମ ପ୍ରତି ସମସ୍ତଙ୍କ ମନରେ ତୁଚ୍ଛ ଭାବ ଏବଂ ମାନସିକ ପରିଶ୍ରମ ପ୍ରତି ଏକ ଗୁରୁଭାବ ଜାତ କରେ ।

 

କଳ୍ପିତ ବର୍ଗହୀନ ସମାଜବାଦକୁ ତିଷ୍ଠି ରହିବା ପାଇଁ ମଧ୍ୟ ଉଭୟ ପରିଶ୍ରମର ଆବଶ୍ୟକତା ରହିଛି । ମାତ୍ର ଉଭୟଙ୍କ ମଧ୍ୟରେ ରହିଥିବା ଅସନ୍ତୁଳନ ଏବଂ ଭେଦଭାବ ଶାରୀରିକ ପରିଶ୍ରମ ପ୍ରତି ବ୍ୟକ୍ତିମନରେ ଆଗ୍ରହ ସୃଷ୍ଟି କରି ପାରିବ ନାହିଁ । ଏହି ପରିପ୍ରେକ୍ଷୀରେ ଖଦୀ ସମସ୍ତଙ୍କୁ ଶାରୀରିକ ପରିଶ୍ରମ–ସେ ପୁଣି ଏକା ଧରଣର କରିବାକୁ ପ୍ରୋତ୍ସାହିତ କରି ଉଭୟ ପରିଶ୍ରମ ଭିତରେ ଭାରସାମ୍ୟ ରକ୍ଷା କରେ ସମାଜବାଦୀଙ୍କ ଚିନ୍ତାଧାରାକୁ ପରିପୃଷ୍ଟ କରେ ।

 

ଡକ୍ଟର ଲୋହିଆ ‘ଈଶୋପନିଷଦ’ ରୁ ଏକ ଶ୍ଳୋକ ଉଦ୍ଧାର କରି କହିଛନ୍ତି । ଏ ଦୁନିଆଁ କେବଳ ତୁମର ବୋଲି ଭାବି ନାହିଁ । ସମଗ୍ର ପୃଥିବୀକୁ ନିଜ ବ୍ୟକ୍ତିଗତ ସମ୍ପତ୍ତି ବୋଲି ଭାବି ସ୍ଵାର୍ଥପର ଭଳି ସବୁକିଛି ଉପଭୋଗ କରିପକାଅ ନାହିଁ ।୨ । ଲୋହିଆଙ୍କ ପରବର୍ତ୍ତୀ ସମୟରେ ସମାଜବାଦୀମାନେ ଭୂସମ୍ପଦର ଦୁରୁପୟୋଗ ବିରୁଦ୍ଧରେ ଅଧିକ ମୁଖର ହୋଇଥିଲେ । ଏଥିପାଇଁ ଆଧୁନିକ ଶିଳ୍ପବିପ୍ଳବ ଏବଂ ପୁଞ୍ଜିବାଦକୁ ହିଁ ସେମାନେ ଦୋଷୀ କରିଛନ୍ତି ।୩ । ପ୍ରକୃତରେ ‘ଆଧୁନିକ’ ବ୍ୟବସ୍ଥା କେବଳ ଗୋଟାଏ ବର୍ଗଦ୍ଵାରା ଅନ୍ୟ ବର୍ଗର ଶୋଷଣକୁ ସ୍ୱୀକୃତି ଦିଏ ନାହିଁ; ତା’ ବାହାରେ ପ୍ରକୃତିର ଗୋଟିଏ ଉପାଦାନ–ମଣିଷଦ୍ଵାରା ଅନ୍ୟ ଉପାଦାନମାନଙ୍କର (ଯଥା ପ୍ରଶ୍ନ ପକ୍ଷୀ, ବୃକ୍ଷ ଲତା, ପାଣି ପବନ ଆଦି) ମଧ୍ୟ ଶୋଷଣକୁ ଯଥାର୍ଥ ବୋଲି ମିଥ୍ୟା ପ୍ରଚାର ବୋଲି ଆତ୍ମତୃପ୍ତି ଅନୁଭବ କରେ । ମାତ୍ର ମଣିଷ ଯଦି ଏକ ସାମାଜିକ ପ୍ରାଣୀ ତଥା ପ୍ରକୃତି ପରିବାରର ଅନ୍ୟତମ ପ୍ରତିନିଧି, ପ୍ରକୃତି ଉପରେ ତା’ର ପ୍ରଭୁତ୍ଵର ଆବଶ୍ୟକତା କାହିଁକି ? ସାମାଜିକ ସମୃଦ୍ଧି ପାଇଁ ଏହା କ’ଣ ଅବଶ୍ୟମ୍ଭାବୀ ? ପାରିବାରିକ ସମୃଦ୍ଧି ନିମନ୍ତେ ପରିବାରର ସ୍ତ୍ରୀ, କନ୍ୟା, ପୁତ୍ର, ବୁଢ଼ା, ବୁଢ଼ୀଙ୍କ ଉପରେ ବ୍ୟକ୍ତି କ’ଣ ନିଜ ପ୍ରଭୁତ୍ଵ ଜାହିର କରିବା ନିହାତି ଆବଶ୍ୟକ ?

 

ପ୍ରକୃତିସୃଷ୍ଟ ଉପାଦାନଗୁଡ଼ିକର ଅସ୍ତିତ୍ଵ ମଣିଷ ଅବସ୍ଥିତିର ପରିପୂରକ ପରିପନ୍ଥୀ ନୁହେଁ–ଏକଥା ସମାଜବାଦୀମାନଙ୍କ ପୂର୍ବରୁ ଗାନ୍ଧୀ ହୃଦୟଙ୍ଗମ କରି ସାରିଥିଲେ । ଖଦୀ ପ୍ରକୃତିର କୌଣସି ଦୁରୁପଯୋଗ ନ କରି ବା ଶିଳ୍ପ ବିପ୍ଳବ ତୁଳନାରେ ଅତି ଅଳ୍ପ କ୍ଷତି ସାଧନା କରି ଉଭୟଙ୍କ ପରିପୂରକତାକୁ ସ୍ପଷ୍ଟ କରେ ବୋଲି ଗାନ୍ଧୀଙ୍କ ବିଚାରରେ ତା’ର ଆଦୃତ । ତେଣୁ ସମାଜବାଦୀମାନେ ଗାନ୍ଧୀ ବା ଖଦୀକୁ ବାଦ ଦେଇ ବିକଳ୍ପ ବ୍ୟବସ୍ଥା ଖୋଜିବା କାହିଁକି ? ଉଭୟ ମାନବ ଓ ପ୍ରକୃତିକୁ ଦରିଦ୍ରତାରୁ ରକ୍ଷା କଲା ଭଳି ବିକଳ୍ପଟିଏ ପାଶ୍ଚାତ୍ୟ ବିକାଶ ପଦ୍ଧତିରେ ମିଳୁଛି ବା କେତେକ ?

 

ଯୁବ ସମାଜବାଦୀଙ୍କୁ ପାଇଁ ଜାତୀୟ ଆନ୍ଦୋଳନର ସବୁଠାରୁ ଆକର୍ଷଣର ପାତ୍ର ଥିଲେ ସ୍ଵୟଂ ଗାନ୍ଧୀ ଏବଂ ତାଙ୍କର ଆଦର୍ଶ ବ୍ୟକ୍ତିତ୍ଵ । ନ ହୁଅନ୍ତୁ ପଛେ ସେ ଜଣେ ଘୋଷିତ ସମାଜବାଦୀ, ହେଲେ ତାଙ୍କ ସରଳ ଆଡ଼ମ୍ବରଶୂନ୍ୟ ଖାଦ୍ୟପେୟ, ବେଶଭୁଷା ଓ ଜୀବନପ୍ରଣାଳୀରେ ସମାଜବାଦୀ ଜନତାର ପ୍ରତିରୂପ ଦେଖିବାକୁ ମିଳୁଥିବା । ଏକ ବର୍ଗ ହୀନ ସମାଜ ଗଠନ ନିମନ୍ତେ ଏହା ଥିଲା ଏକ ପ୍ରେରଣାର ଉତ୍ସ ସଦୃଶ ।

 

ଜନ-ପ୍ରତିନିଧିଙ୍କ ବ୍ୟକ୍ତିଗତ ଜୀବନଯାପନ ସର୍ବଦା ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇଥାଏ ।–ପ୍ରତିନିଧିଙ୍କୁ ସେମାନେ ‘ମଡ଼େଲ’ ବା ଆଦର୍ଶ ପୁରୁଷ ମନେକରି ପ୍ରେରିତ ହୁଅନ୍ତି, ଅନୁକରଣ କରନ୍ତି । ପ୍ରତିନିଧିଙ୍କ ଜୀବନରୀତିରେ ଆଡ଼ମ୍ବରପୂର୍ଣ୍ଣତା ଜନତା ମନରେ ଭୟ ଓ ଜନତାଠାରୁ ଦୂରତା ସୃଷ୍ଟି କରେ । ଏଭଳି ପ୍ରତିନିଧି ଜନତାର ପ୍ରକୃତି ପ୍ରତିନିଧିତ୍ଵ କରିପାରନ୍ତି ନାହିଁ, ନେତା ହୋଇ ରହିଯାଆନ୍ତି । ମାତ୍ର ତାହା ଭାରତର ସାମ୍ୟବାଦୀମାନଙ୍କୁ ମଧ୍ୟ ବେଶୀ ଆକୃଷ୍ଟ କରି ପାରି ନାହିଁ । ‘ବ୍ୟକ୍ତିଗତ ପ୍ରଶ୍ନ’ର ତର୍କ ଦେଇ ସେମାନେ ନିଜ ଉଚ୍ଚବର୍ଗୀୟ ରହଣିସହଣିର ଯୁକ୍ତିଯୁକ୍ତତା ବାଢ଼ିବାକୁ ଚେଷ୍ଟା କରିଛି । ହେଲେ ସମାଜବାଦୀମାନଙ୍କୁ ପ୍ରଶ୍ନଟି ବାରମ୍ବାର ଉଦବେଳିତ କରିଛି । ସେଥିପାଇଁ ଶ୍ରୀ ଜୟପ୍ରକାଶ ପାଶ୍ଚାତ୍ୟ ବେଶଭୂଷାର ଦୂରରେ ରହି ଏକ ସାଧାରଣ ଭାରତୀୟର ରହଣିସହଣିକି ଆବୋରି ନେଇଛନ୍ତି ଏବଂ ଲୋହିଆ ପ୍ରଧାନମନ୍ତ୍ରୀ ତଥା ଅନ୍ୟ ମନ୍ତ୍ରୀ ଆଦିଙ୍କର ଦୈନିକ ଖର୍ଚ୍ଚକାଟ ପ୍ରଶ୍ନ ଉଠାଇଛନ୍ତି ।୪ । ଲୋହିଆ ପରବର୍ତ୍ତୀ ସମୟରେ ମଧ୍ୟ ସମାଜବାଦୀମାନେ ଏହି ଆଦର୍ଶରୁ ବିଚ୍ୟୁତ ହୋଇନାହାନ୍ତି ।୫ । ଏହି ପରିପ୍ରେକ୍ଷୀରେ ଗାନ୍ଧୀ ସେମାନଙ୍କର ଆଦର୍ଶ ପୁରୁଷ ହେବ ସ୍ଵାଭାବିକ । ଫଳରେ ଜାତୀୟ ଆନ୍ଦୋଳନରେ କେତେଗୋଟି ଘଡ଼ିସନ୍ଧି ମୁହୂର୍ତ୍ତରେ ମଧ୍ୟ ଗାନ୍ଧୀ ସମାଜବାଦୀମାନଙ୍କଠାରୁ ପୂର୍ଣ୍ଣ ସହଯୋଗ ଲାଭ କରିଛନ୍ତି ।

 

ପ୍ରଶ୍ନ ଉଠେ, ଗାନ୍ଧୀ ଜୀବନ, ଦର୍ଶନ ଓ ଜାତୀୟତା ଆନ୍ଦୋଳନ ସହ ସମାଜବାଦୀ ଚିନ୍ତାଧାରା ଏତେ ସାମଞ୍ଜସ୍ୟ ଥିବା ସତ୍ତ୍ଵେ ଏକ ଭିନ୍ନ ମଞ୍ଚ ସୋସିଆଲିଷ୍ଟ ପାର୍ଟି—ଗଠନର ଆବଶ୍ୟକତା ଆସିଲା କେଉଁଠୁ ?

 

କଂଗ୍ରେସ ବିଭିନ୍ନ ଜାତୀୟତାବାଦୀ ସମୂହର ସମ୍ମିଳିତ ଶକ୍ତି ହେବା ସତ୍ତ୍ଵେ ବଲ୍ଲଭ ଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ, ମୋତିଲାଲ ନେହେରୁ ଆଦି ରକ୍ଷଣଶୀଳ ସମୂହର ସମ୍ପୂର୍ଣ୍ଣ କର୍ତ୍ତୃତ୍ଵାଧୀନ ହୋଇ ରହିଥିଲା । ପ୍ରକାରାନ୍ତରେ ଗାନ୍ଧୀ ଥିଲେ ଉକ୍ତ ସମୂହ ହାତରେ ଅସ୍ତ୍ର ସଦୃଶ । ପୁଣି ଉକ୍ତ ଗୋଷ୍ଠୀ ଥିଲା ଗାନ୍ଧୀଙ୍କର ଏକାନ୍ତ ଅନୁଗତ । ପ୍ରଗତିଶୀଳ ଗୋଷ୍ଠୀର ଉତ୍ଥାନ ପରେ, ଯହିଁରେ ଯୁବ ସମାଜବାଦୀ ଶ୍ରୀ ସୁଭାଷ ବୋଷ ଏବଂ ଜବାହାରଲାଲ ନେହେରୁ ସାମିଲ, ଜାତୀୟତା ଆନ୍ଦୋଳନକୁ ଆଗେଇ ନେବା ପାଇଁ ଉଭୟ ରକ୍ଷଣଶୀଳ ଓ ପ୍ରଗତିଶୀଳ ଗୋଷ୍ଠୀ ମଧ୍ୟରେ ଭାରସାମ୍ୟ ରକ୍ଷା କରିବା କଂଗ୍ରେସ ଓ ଗାନ୍ଧୀ ପାଇଁ ଅତ୍ୟାବଶ୍ୟକ ଥିଲା । ଏଥିରେ କର୍ତ୍ତୃତ୍ଵ ଜାହିର କରି ଆସିଥିବା ରକ୍ଷଣଶୀଳ ଗୋଷ୍ଠୀର ପ୍ରଗତିଶୀଳ ହାତକୁ କର୍ତ୍ତୃତ୍ଵ ଚାଲିଯିବାଜନିତ ସଂଶୟ ଓ ଆଦର୍ଶଗତ ସାମଞ୍ଜ୍ୟସ ଯୋଗୁଁ ପ୍ରଗତିଶୀଳ ବା ଯୁବସମାଜବାଦୀ ଗୋଷ୍ଠୀର ଗାନ୍ଧୀଙ୍କଠାରୁ ଅଧିକ ସହଯୋଗ ଲାଭଜନକ ତୀବ୍ର ଆଶା ଥିଲା ଅତି ସ୍ଵାଭାବିକ । ଏଆଡ଼େ ଦୁଇ ଗୋଷ୍ଠୀକୁ ଧରି ରଖିବା ଉଦ୍ଦେଶ୍ୟରେ ଖଣ୍ଡାଧାରରେ ଚଳୁଥିବା ଗାନ୍ଧୀ ଓ କଂଗ୍ରେସ ପାଇଁ କୌଣସି ନା କୌଣସି ଗୋଷ୍ଠୀକୁ ସନ୍ତୁଷ୍ଟ କରି ନ ପାରିବା ଥିଲା ଅବଶ୍ୟମ୍ଭାବୀ । ଶେଷରେ ୧୯୩୪ ମସିହାରେ ଅସନ୍ତୁଷ୍ଟ ଯୁବ ସମାଜବାଦୀ ସୋସୋଆଲିଷ୍ଟ ପାର୍ଟି ଗଠନ ପାଇଁ ବାଧ୍ୟ ହେଲେ, ଠିକ୍ ଯେମିତି ତା’ର କେତେ ବର୍ଷ ପରେ ସୁଭାଷ ବୋଷ କଂଗ୍ରେସ ଚାହିଁ ଫରୱାର୍ଡ଼ ବ୍ଳକ୍‍ ଗଠନ ପାଇଁ ନିଷ୍ପତ୍ତି ନେଲେ, କଂଗ୍ରେସରେ ରକ୍ଷଣଶୀଳତାର ବିଜୟ ହେଲା ।

 

ଅସନ୍ତୋଷର ଏକ ମୁଖ୍ୟ କାରଣ ଥିଲା ୧୯୨୯ ମସିହାରେ ଆୟୋଜିତ ଲାହୋର କଂଗ୍ରେସ ଅଧିବେଶନ । ପୂର୍ଣ୍ଣ ସ୍ଵରାଜର ପ୍ରସ୍ତାବ ଏବଂ ଯୁବ ପ୍ରଗତିଶୀଳ ନେହେରୁଙ୍କୁ ସଭାପତିତ୍ଵ ଥିଲା ଲାହୋର କଂଗ୍ରେସର ଦୁଇଟି ଆକର୍ଷଣ । ପ୍ରଗତିଶୀଳ ଗୋଷ୍ଠୀ ମତ ଦେଲେ, ପୂର୍ଣ୍ଣ ସ୍ଵରାଜର ପନ୍ଥା ରୂପେ ସବୁଆଡ଼େ ଚାଷୀମଜୁରିଆର ସମାନ୍ତରାଳ ସରକାର ମଧ୍ୟ ଗଠନ ହେଉ । ହେଲେ ଗାନ୍ଧୀ ପ୍ରସ୍ତାବଟିର ବିରୋଧ କଲେ; ଫଳରେ ତାହା କଂଗ୍ରେସରେ ଗୃହୀତ ହୋଇ ପାରିଲା ନାହିଁ । ଅର୍ଥାତ ପ୍ରଗତିଶୀଳ ନେହେରୁ କଂଗ୍ରେସ ସଭାପତି ନିଯୁକ୍ତି ହେଲେ । ପୂର୍ଣ୍ଣ ସ୍ଵରାଜ ପାଇଁ କଂଗ୍ରେସ ତରଫରୁ କୌଣସି ବୈକଳ୍ପିତ ବ୍ୟବସ୍ଥା ଗ୍ରହଣ କରାଗଲା ନାହିଁ । ପ୍ରଗତିଶୀଳ ଯୁବଗୋଷ୍ଠୀକୁ ଏହା ହତପ୍ରଭ କଲା । ହେଲେ ଏହା ଥିଲା ଜାତୀୟତାବାଦର ରାଜନୀତି, ଉଭୟ ଗୋଷ୍ଠୀ ଭିତରେ ଭାରସାମ୍ୟ ରକ୍ଷା କରିବାର ପରିଣାମ ।

 

୧୯୩୧ ମସିହା ଜୁଲାଇ ମାସରେ ଜୟପ୍ରକାଶ ନାରାୟଣ, ଫୁଲନପ୍ରସାଦ ବର୍ମା ଓ ରାହୁଲ ସାଂକୃତ୍ୟାୟନ, ଆଦିଙ୍କୁ ପ୍ରଚେଷ୍ଟାରେ ବିହାର ସୋସିଆଲିଷ୍ଟ ପାର୍ଟିର ଗଠନ ହୋଇଥିଲା । ମାର୍କସବାଦୀରେ ପ୍ରଭାବିତ ଯୁବକ ଜୟପ୍ରକାଶ ଆଦି ‘ଶ୍ରେଣୀ ସଂଘର୍ଷ’ ତଥା ବ୍ୟକ୍ତିଗତ ସମ୍ପତ୍ତିର ଉଚ୍ଛେଦକୁ ଦଳର ଲକ୍ଷ୍ୟ ବୋଲି ଘୋଷଣା କରିଥିଲେ । ରକ୍ଷଣଶୀଳ ଗୋଷ୍ଠୀ ପାଇଁ ଏହା ଥିଲା ଅତ୍ୟନ୍ତ ଅସହ୍ୟ । ତେଣୁ ସେହି ବର୍ଷ ଡିସେମ୍ବର ମାସରେ ଆୟୋଜିତ କରାଚି କଂଗ୍ରେସରେ ରକ୍ଷଣଶୀଳ ଗୋଷ୍ଠୀର ନିର୍ଦ୍ଦେଶରେ ପ୍ରସ୍ତାବ ଗୃହୀତ ହେଲା—’ଶ୍ରେଣୀ ସଂଘର୍ଷ’ ବା ‘ବ୍ୟକ୍ତିଗତ ସମ୍ପତ୍ତିର ଉଚ୍ଛେଦ’ କେବେ କଂଗ୍ରେସର ଲକ୍ଷ୍ୟ ନୁହେଁ । ଯେଉଁ କରାଚି କଂଗ୍ରେସ ସାମୂହିକ ଭାବେ ପ୍ରଗତିଶୀଳ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା ପାଇଁ ରାଜନୈତିକ ସ୍ଵାଧିନତା ସହ ଆର୍ଥିକ ମୁକ୍ତିର ସମ୍ପର୍କ ଯୋଡ଼ିଥିଲା, ତାହା ପୁଣି ସମାଜବାଦୀ ଜୟପ୍ରକାଶ ଗୋଷ୍ଠୀକୁ ନିରୁତ୍ସାହିତ କରିବାପାଇଁ ବାହାର ସୋସିଆଲିଷ୍ଟ ପାର୍ଟିର ଆଦର୍ଶ ବିରୁଦ୍ଧରେ ପ୍ରସ୍ତାବ ଗ୍ରହଣ କଲା । ଯୁବଗୋଷ୍ଠୀ ସମାଜବାଦ ବଦଳରେ କଂଗ୍ରେସ ପ୍ରତି ନିଜର ନିରୁତ୍ସାହ ଜଣାଇଲେ । ରକ୍ଷଣଶୀଳ ଗୋଷ୍ଠୀ କଂଗ୍ରେସର ମୁଖ୍ୟ ସ୍ରୋତ ସାଜିଲେ ।

 

୧୯୩୦-୩୨ ମସିହାରେ ଆଇନ ଅମାନ୍ୟ ଆନ୍ଦୋଳନର ବିଫଳତା ଏବଂ ତା’ପରେ କଂଗ୍ରେସ ଦଳରେ ବଢ଼ୁଥିବା ଗୋଷ୍ଠୀ ବିବାଦ ଓ କନ୍ଦଳ ପରୋକ୍ଷରେ ସମାଜବାଦୀ ଆନ୍ଦୋଳନକୁ ତେଜୀୟାନ କଲା । ୧୯୦୫ ମସିହାର ବଙ୍ଗଭଙ୍ଗ ଆନ୍ଦୋଳନ ଓ ୧୯୨୦-୨୧ ମସିହାର ଅସହଯୋଗ ଆନ୍ଦୋଳନର ତତ୍କାଳିକ ବିଫଳତା ଯେମିତି ଯୁବଗୋଷ୍ଠୀକୁ ସଶସ୍ତ୍ର ବିପ୍ଳବ ପ୍ରତି ଆକୃଷ୍ଟ କରିଥିଲା, ‘ଆଇନ ଅମାନ୍ୟ’ ସେମିତି ସମାଜବାଦୀ ଆନ୍ଦୋଳନକୁ ସାହାଯ୍ୟ କଲା । ସମାଜବାଦ ବ୍ୟତୀତ ଏହାର ଅନ୍ୟତମ ଉଦ୍ଦେଶ୍ୟ ଥିଲା ଜାତୀୟତା ଆନ୍ଦୋଳନକୁ ବିପ୍ଳବାତ୍ମକ ମୋଡ଼ଦେବା, ବ୍ରିଟିଶ ଉପନିବେଶବାଦର ସାମ୍ବିଧାନିକ ଜାଲରୁ ମୁକ୍ତି କରିବା ।

 

ସୋସିଆଲିଷ୍ଟ ପାର୍ଟି ଗଠନର ଅନ୍ୟତମ ମୁଖ୍ୟ କାରଣ ଥିଲା ଗାନ୍ଧୀଙ୍କ ସହ ସମାଜବାଦୀଙ୍କ ମତଭେଦ । ଗାନ୍ଧୀଙ୍କୁ ନିଜର ଆଦର୍ଶ ପୁରୁଷ ରୂପେ ଗ୍ରହଣ କରିବା ସତ୍ତ୍ଵେ ସମାଜବାଦୀ କେବେ ଗାନ୍ଧୀବାଦୀର ପୂର୍ଣ୍ଣ ସମର୍ଥକ ନଥିଲେ । ଗାନ୍ଧୀବାଦର ଭଲ ରୁଲ୍‍ ବିଚାର କରି ପନ୍ଥା ନିର୍ଦ୍ଧାରଣ କରିବାକୁ ନିଜର କର୍ତ୍ତବ୍ୟ ବୋଲି ସେମାନେ ଭାବୁଥିଲେ, ଏହି ସମ୍ପର୍କରେ ଲୋହିଆଙ୍କ ମତ ପ୍ରଣିଧାନଯୋଗ୍ୟ । ଲୋହିଆ ଲେଖିଥିଲେ, ସଂପୂର୍ଣ୍ଣ ମାର୍କସବାଦୀ ବା ମାର୍କସବାଦ ବିରୋଧୀ ହେବା ଜଣେ ବ୍ୟକ୍ତି ପକ୍ଷରେ ଯେତିକି ମାତ୍ରାରେ ହାନିକାରକ ଅନ୍ଧ ଗାନ୍ଧୀବାଦୀ ବା ଗାନ୍ଧୀବାଦ-ବିରୋଧୀ ହେବା ମଧ୍ୟ ତତୋଽଧିକ ମାତ୍ରାରେ ଅନାବଶ୍ୟକ ।୬। ନିଜର ବିବେକକୁ ପଚାରି ପନ୍ଥା ନିର୍ଦ୍ଧାରଣ କରିବା ହେଉଛି ସବୁଠାରୁ ଉତ୍କୃଷ୍ଟ କାର୍ଯ୍ୟ । ପରିଣାମ ସ୍ୱରୂପ ଭାରତୀୟ ସମାଜବାଦ କେବଳ ଗାନ୍ଧୀ ବାଦରେ ସୀମିତ ନ ରହି, ମାର୍କସ୍‍ବାଦ ଏବଂ ପାଶ୍ଚାତ୍ୟ ଆଦର୍ଶ ଦ୍ଵାରା ମଧ୍ୟ, ଅଜାଣତରେ ହେଉ ପଛେ, କେତେକାଂଶରେ ପ୍ରଭାବିତ ଥିଲା । ଅର୍ଥାତ୍ ମାର୍କସ୍‍ବାଦ, ଗାନ୍ଧୀବାଦ ଓ ପାଶ୍ଚାତ୍ୟ ଆଦର୍ଶକୁ ଆହରଣ କରି ତହିଁରୁ ବାଟ ଖୋଜୁଥିବା କତିପୟ ଶିକ୍ଷିତ ଯୁବକଙ୍କ ସମ୍ମିଳିତ ଉଦ୍ୟମର ଭିନ୍ନ ନାମ ଥିଲା ସମାଜବାଦୀ ଆନ୍ଦୋଳନ କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ।

 

ଗାନ୍ଧୀ ଚିନ୍ତାଧାରା ସହ ସମାଜବାଦୀ ମତଭେଦର କେନ୍ଦ୍ରବିନ୍ଦୁ ଥିଲା—ଟ୍ରଷ୍ଟି ବ୍ୟବସ୍ଥା’ ଗାନ୍ଧୀ କହୁଥିଲେ ଧନୀକବର୍ଗ ନିଜ ବ୍ୟକ୍ତିଗତ ସମ୍ପତ୍ତିର ‘ଟ୍ରଷ୍ଟି’ ରୂପେ କାର୍ଯ୍ୟ କରିବେ । ଅର୍ଥାତ୍ ନାମକୁ ମାତ୍ର ସମ୍ପତ୍ତି ସୂଚାରୁ ରକ୍ଷଣାବେକ୍ଷଣ ନିମିତ୍ତ ବ୍ୟକ୍ତିଗତ ହେବ; କିନ୍ତୁ ତାର ଉପଯୋଗ ସର୍ବଦା ସାମାଜିକ ରହିବ । ମାର୍କସ୍‍ବାଦୀୟ ‘ଶ୍ରେଣୀ ସଂଘର୍ଷ’ରେ ଉଦ୍‍ବୁଦ୍ଧ ସମାଜବାଦୀ ମୁଖ୍ୟ ନେତା ଜୟପ୍ରକାଶ ବା ନରେନ୍ଦ୍ର ଦେବ ଏଥିରେ କଦାପି ରାଜୀ ହୁଅନ୍ତେ ନାହିଁ ? ସମ୍ପତ୍ତି ହେଲା ସମାଜର, ପ୍ରକୃତିଦତ୍ତ । ଧନୀ ଚାଲାକି ବଳରେ ଯଦି କୁଢ଼ କୁଢ଼ ସମ୍ପତ୍ତି ଠୁଳ କରିଛି, ଗରିବ ନିମନ୍ତେ ପନ୍ଥା ହେଲା ଅନ୍ୟଠାରୁ ସ୍ଵଭାଗ ସମ୍ପତ୍ତି ଛଡ଼ାଇ ଆଣିବା ଏବଂ ସମାଜବାଦୀର କର୍ତ୍ତବ୍ୟ ହେଲା ଗରିବକୁ ସେହି ଦିଗରେ ପ୍ରରୋଚିତ କରିବା । ଜୟପ୍ରକାଶ ଓ ଏଥିପାଇଁ ସୀମିତ ମାତ୍ରାରେ ହିଂସାର ଉପଯୋଗକୁ ସ୍ଵୀକୃତି ଦେଇଛନ୍ତି । ସମାଜର ଅଶୀ ପ୍ରତିଶତ ସାଧାରଣ ଲୋକଙ୍କର ମଙ୍ଗଳ ପାଇଁ କୋଡ଼ିଏ ପ୍ରତିଶତ ଧନୀକ ଶ୍ରେଣୀ ଉପରେ ବାଧ୍ୟ ବଳତ୍କାର କଲେ କ୍ଷତି କ’ଣ ? କିନ୍ତୁ ସତୁରି ପ୍ରତିଶତ ଲୋକଙ୍କର ସ୍ୱମଙ୍ଗଳ ନିମନ୍ତେ ମଧ୍ୟ ବାଧ୍ୟ ବଳତ୍କାର କରାଯିବା ଅନୁଚିତ (୭) । ବିବେକର ଦଂଶନ କି କେବେ ଧନୀକ ହାତରେ ସମ୍ପତ୍ତିର ବ୍ୟକ୍ତିଗତ ‘ଅପବ୍ୟୟ’କୁ ବାଧା ଦେଇ ପାରିବ ? ଅର୍ଥାତ୍ ସମ୍ପତ୍ତିର ସାମାଜିକୀକରଣ ପାଇଁ ଗାନ୍ଧୀ ‘ଟ୍ରଷ୍ଟି’ ବ୍ୟବସ୍ଥା ଓ ବିବେକର ଦଂଶନକୁ ପାଥେୟ କଲାବେଳେ, ଯାହାକି ଅହିଂସା ଦ୍ଵାରା ସମ୍ଭବ, ସମାଜବାଦୀମାନେ ସେଥିପାଇଁ ସୀମିତ ମାତ୍ରାରେ ହିଂସାର ଅନିବାର୍ଯ୍ୟତାକୁ ସ୍ଵୀକାର କଲେ ।

 

‘ଟ୍ରଷ୍ଟି ବ୍ୟବସ୍ଥା’କୁ ନେଇ ମତଭେଦ ଯେମିତି ସମାଜବାଦୀଙ୍କ ଅହିଂସା ପ୍ରତି ପୂର୍ଣ୍ଣ ଆସ୍ଥା ନଥିବା ପ୍ରମାଣ କଲା, ଖଦୀ ପ୍ରତି ସଞ୍ଚୟ ସେମିତି କୁଟୀର ଶିଳ୍ପ ଉପରେ ସେମାନଙ୍କର ସଂପୂର୍ଣ୍ଣ ବିଶ୍ଵାସ ନଥିବାକୁ ସ୍ପଷ୍ଟ କରିଦେଲା । ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ଏବଂ ଶିଳ୍ପ ବିପ୍ଳବର ଅବଗୁଣ ସମ୍ପର୍କରେ ଅଧା-ପରିଚିତ ଯୁବଗୋଷ୍ଠୀର ପାଶ୍ଚାତ୍ୟ ବିକାଶ ପଦ୍ଧତି ଓ ଶିଳ୍ପ ବିପ୍ଳବ ପ୍ରତି ସଂପୂର୍ଣ୍ଣ ମୋହଭଙ୍ଗ ଘଟି ନଥିଲା । ତେଣୁ ଗୁରୁଶିଳ୍ପ ଓ ବ୍ୟାପକ ଉତ୍ପାଦନର ବିରୋଧୀ ହେଲେ ସୁଦ୍ଧା, କ୍ଷୁଦ୍ର ମେସିନ-ଶିଳ୍ପର ସ୍ଥାପନ, କୃଷି ଓ ଜଳସେଚନ ଆଦି କ୍ଷେତ୍ରରେ ବୈଜ୍ଞାନିକ ପ୍ରୟୋଗ ଏବଂ ତା ଦ୍ଵାରା ଦେଶର ଉତ୍ପାଦନା କ୍ଷମତା ବୃଦ୍ଧି ପାଇବାରେ ସେମାନଙ୍କର ଆପତ୍ତି ନଥିଲା । ଅର୍ଥାତ୍ ପୁଞ୍ଜିବାଦୀ ବ୍ୟାପକ ଉତ୍ପାଦକତା ଏବଂ ଗାନ୍ଧୀବାଦୀ ଉତ୍ପାଦନର ସ୍ଥିରତା ମଝିରେ କାହିଁ କେଉଁଠି ସେମାନେ ଏକ ବିକଳ୍ପ ଖୋଜୁଥିଲେ । ଲୋହିଆଙ୍କର ଗାନ୍ଧୀ ଖଦୀ ଉପରେ ପ୍ରତିକ୍ରିୟାରୁ ଏହା ସ୍ପଷ୍ଟ ହୁଏ । ଲୋହିଆଙ୍କ ମତରେ ଦେଶର ସ୍ଵାଧୀନତା ଓ ପ୍ରଗତି ପାଇଁ ଖଦୀଭଳି ଛୋଟିଆ ଛୋଟିଆ କାର୍ଯ୍ୟପନ୍ଥା ଯଥେଷ୍ଟ ନୁହେଁ । ଗାନ୍ଧୀଙ୍କ ମୃତ୍ୟୁପରେ ବି ଲୋହିଆ ଓ ଅନ୍ୟ ସମାଜବାଦୀଙ୍କ ଉକ୍ତ ମତଭେଦଟି ବଜାୟ ରହିଲା (୮) ।

 

ଗାନ୍ଧୀ ଆଦର୍ଶ ଅହିଂସା ସ୍ଥାନରେ ସମାଜବାଦୀମାନେ ଚାହିଁଲେ ସୀମିତ ହିଂସା, ଖଦୀ ଓ କୁଟୀର ଶିଳ୍ପ ବଦଳରେ ଆବଶ୍ୟକ ମଣିଲେ କ୍ଷୁଦ୍ର ଯାନ୍ତ୍ରିକ ଶିଳ୍ପକୁ । ସେମାନେ ବୁଝିପାରିଲେ ନାହିଁ ଯେ, ସୀମିତ ହିଂସାକୁ ସାମ୍ୟବାଦୀଙ୍କ ବ୍ୟାପକ ହିଂସାରେ ଏବଂ କ୍ଷୁଦ୍ର ଯାନ୍ତ୍ରିକ ଶିଳ୍ପକୁ ପାଶ୍ଚାତ୍ୟ ଆଦରଶ ଶିଳ୍ପ ବିପ୍ଳବରେ ପରିଣତ ହେବ ପାଇଁ ବେଶୀ ସମୟ ଲାଗେନାହିଁ । ଏମିତି ବି ଆରମ୍ଭ ସମୟରେ ହିଂସା ସୀମିତ ଓ ଯନ୍ତ୍ରଶିଳ୍ପ କ୍ଷୁଦ୍ର ହିଁ ରହିଥିବ । ତେଣୁ ଗାନ୍ଧୀବାଦ ଓ ପାଶ୍ଚାତ୍ୟ ‘ବିକାଶ’ ପଦ୍ଧତିରେ ମଝିରେ ଯେଉଁ ବିକଳ୍ପଟି ସେମାନେ ଖୋଜି ପାଇଲେ, ତାହା ମାର୍କସବାଦ ପରି ଗଢ଼ି ଉଠିଥିଲା । ପୁଞ୍ଜିବାଦର ଭିତ୍ତି ଉପରେ ଗାନ୍ଧୀ ଆଦର୍ଶର ପରିପନ୍ଥୀ, ଅଧା–ସମାଜବାଦୀଙ୍କୁ ଯେମିତି ସମାଜବାଦୀ କୁହାଯାଏନା, ଅଧା–ଗାନ୍ଧୀବାଦୀ କେବେ ଗାନ୍ଧୀବାଦୀ ହୋଇ ରହେନା । ଗୋଟାଏ ଶବ୍ଦରେ, କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ମାର୍କସବାଦୀ ଦୃଷ୍ଟିକୋଣରୁ ନା ସୋସିଆଲିଷ୍ଟ ହେଲା ନା ଗାନ୍ଧୀବାଦୀ ଦୃଷ୍ଟିରେ ସଚା କଂଗ୍ରେସୀ (ଗାନ୍ଧୀବାଦୀ) ହୋଇ ପାରିଲା, ବରଂ ଏକ ତ୍ରିଶଙ୍କୁ ଅବସ୍ଥାରେ ମଝିରେ ଝୁଲିରହିଥିବା ଥିଲା ତାର ନିୟତ । ପାଶ୍ଚାତ୍ୟ ‘ବିକାଶ ପଦ୍ଧତି ପ୍ରତି ବିତସ୍ପୃହତା, ଗାନ୍ଧୀ ଆଦର୍ଶ ପ୍ରତି ସଂଶୟ, ପୁଣି ଉଭୟ ଆଦର୍ଶରୁ କିଛି କିଛି ଗ୍ରହଣ କରିବାର ଆଗ୍ରହ ଥିଲା ଭାରତୀୟ ସମାଜବାଦୀ ଆନ୍ଦୋଳନର ଚରିତ୍ର । ଯେହେତୁ ଉଭୟ ଆଦର୍ଶ ପରସ୍ପର ବିରୋଧୀ ଥିଲେ, କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ମଧ୍ୟ କ୍ରମେ ଏକ ବିରୋଧାଭାସର ପ୍ରତୀକ ହୋଇ ପଡ଼ିଲା ।

 

ପ୍ରଶ୍ନଉଠେ, ଏତେ ବଡ଼ ଆନ୍ଦୋଳନ ଏହି ବିରୋଧାଭାସ କାହିଁକି ?

 

ଆଜି ଏକବିଂଶ ଶତାବ୍ଦୀ ଆରମ୍ଭ ହେବାକୁ ବସିଲାଣି, ପାଶ୍ଚାତ୍ୟ ‘ବିକାଶ’ ପଦ୍ଧତିର ବିଶିଷ୍ଟ ଅଧିବକ୍ତାମାନେ ମଧ୍ୟ ସ୍ଵୀକାର କଲେଣି ଯେ, ଏହା ଧ୍ଵଂସାଭିମୁଖୀ । ତଥାପି ଅନେକେ ଏକଥା ମାନିବାକୁ ନାରାଜ । ତଥାପି ସେମାନେ ବିଶ୍ଵାସ କରନ୍ତି, ବ୍ୟାପକ ଶିଳ୍ପୀକରଣ ନାମରେ ହେଉ ଅଥବା ପରମାଣୁ ବୋମା ଉଦ୍ଭାବନର ଆଳରେ ହେଉ, ପାଶ୍ଚାତ୍ୟ ‘ବିକାଶ’ ପଦ୍ଧତି ଆମକୁ ବିକାଶର ପ୍ରସାଦ ବାଣ୍ଟିବାକୁ ପ୍ରତିଶ୍ରୁତିବଦ୍ଧ । ତଥାପି ସେମାନେ ଜାଣିନାହାନ୍ତି ଯେ, ବିକାଶ ଆଳରେ ସେମାନେ ଉପଭୋକ୍ତାବାଦର ଜାଲରେ, ଧ୍ଵଂସର କବଳରେ ହିଁ ପଡ଼ିଛନ୍ତି, ଅନେକ ବୁଦ୍ଧିଜୀବୀ ମଧ୍ୟ ଏଭଳି ଭ୍ରମ ଧାରଣାର ବଶବର୍ତ୍ତୀ । ଏମିତି ଦୁସ୍ଥିତିରେ ଷାଠିଏ ବର୍ଷ ତଳେ ସମାଜବାଦୀ ଆନ୍ଦୋଳନ ଯେ ସାମାନ୍ୟ ପାଶ୍ଚାତ୍ୟ ମୋହାଗ୍ରସ୍ତ ହେବ—ଏଥିରେ ଅସ୍ଵାଭାବିକତା କିଛି ନାହିଁ । ଆରମ୍ଭରୁ ବିକାଶର ପରଶ ସହ ଶିଳ୍ପ ବିପ୍ଳବ, ପୁଞ୍ଜିଲଗାଣ, ପ୍ରକୃତିର ନିୟନ୍ତ୍ରଣ ଆଦିକୁ ଏମିତି ଯୋଡ଼ି ଦିଆଯାଇଛି ଯେ, ଏଗୁଡ଼ିକରୁ ଦୂରେଇ ଯିବାକୁ କହି ଗାନ୍ଧୀ ଆଦର୍ଶ ବିକାଶ ପଥରେ ସତେଅବା ଏକ ବାଧା ସୃଷ୍ଟି କରୁଛି । ଏଭଳି ସ୍ଥିତିରେ ଗାନ୍ଧୀ ଦର୍ଶନର ପୂର୍ଣ୍ଣ ସମର୍ଥନ କ’ଣ କମ୍‍ କଷ୍ଟକର ? ଅତି କମରେ ଅଧା–ସମର୍ଥକ କରି ସମାଜବାଦୀ ଯଦି ସେହି ଆଦର୍ଶକୁ ତିଷ୍ଠି ରହିବାରେ ସାହାଯ୍ୟ କରିଛନ୍ତି ତାହା ବି କଣ କମ୍‍ କଥା ?

 

ଆଜି ଯୁଗ ବଦଳିଛି । ପରିବେଶର ସଂରକ୍ଷଣ ପାଇଁ, ମୁଖ୍ୟତଃ ଭାଷଣରେ ହେଉ ପଛେ, ପରିବେଶ-ବିଜ୍ଞାନୀ ବାହାରିଛନ୍ତି; ତଥାକଥିତ ବିକଶିତ ରାଷ୍ଟ୍ରରୁ ପ୍ରଚଳିତ ‘ବିକାଶ ପଦ୍ଧତିରେ ବିରୋଧୀ ସ୍ଵର ଶୁଣାଗଲାଣି, ‘ବିକାଶ’ର ଅବଗୁଣ ସବୁ ‘ନର୍ମଦା’ ‘ଭୋପାଳକାଣ୍ଡ ‘ ନାଁରେ ପ୍ରତିଭାତ ହେଉଛି । ଏହି ପରିସ୍ଥତିରେ ସମାଜବାଦୀ ଆଜି ତାଙ୍କର ପାର୍ଟି ନ ଥାଉ ପଛେ, ଆଉ ଅଧା-ଗାନ୍ଧୀବାଦୀ ରହିନାହାନ୍ତି; ଗାନ୍ଧୀ ଆଦର୍ଶ ସହ ସେମାନଙ୍କର ପ୍ରାୟ ଏକ ଆତ୍ମିକ ମିଳନ ଘଟିସାରିଛି-। ପାଶ୍ଚାତ୍ୟ ବିକାଶ ପଦ୍ଧତି ଏକବିଂଶ ଶତାବ୍ଦୀକୁ ଆମନ୍ତ୍ରଣ କଲାବେଳେ, ଗାନ୍ଧୀବାଦୀ ଧାରାରେ ଖଦୀ ସାଙ୍ଗରେ ସେମାନେ ଅଷ୍ଟାଦଶ ଶତାବ୍ଦୀକୁ, ସମ୍ଭବ ହେଲେ ଶିଳ୍ପ ବିପ୍ଳବର ବହୁତ ପଛକୁ ଫେରିଯିବାକୁ ବ୍ୟାକୁଳ (୯) । କାରଣ ସେମାନେ ଜାଣନ୍ତି, ମାନବ ଜାତି ପାଇଁ ତାହା ହିଁ ପ୍ରକୃତ ବିକାଶ, ଆଧ୍ୟାତ୍ମିକ ଶାନ୍ତିର ଆଶ୍ରୟସ୍ଥଳୀ, ଆଜିର ଏହି ବିଷମତା ପୂର୍ଣ୍ଣ, ବିଷମୟ ମାନବିକତା ଶୂନ୍ୟ ସମାଜ ତୁଳନାରେ ତାହା ଅଧିକ ଶ୍ରେଣୀମୁକ୍ତ ଓ ଶୋଷଣବିହୀନ ।

 

ପାଦଟୀକା :

 

୧.

ଲୋହିଆ, ରାମ ମନୋହର, Indias Path to Socialism, ( ବିରେନ୍ଦ୍ର ଗ୍ରୋଭର ସଂପାଦିତ Political Thinkers of India, ରାମ ମନୋହର ଲୋହିଆ ବିଶେଷାଙ୍କ ନବମ ଖଣ୍ଡ, ଦିଲ୍ଲୀ ୧୯୯୦ ପୃ ୨୩୩ ।

 

 

୨.

ତତ୍ରୌବ, ପୃ ୨୩୨ ।

 

 

୩.

ସିହ୍ନା, ସଚିଦାନନ୍ଦ । The Consumerist Culture, ଦିଲ୍ଲୀ, ୧୯୮୩, ଦ୍ରଷ୍ଟବ୍ୟ ।

 

 

୪.

ଲୋହିଆ, ରାମ ମନୋହର, Rs. 25,000 A Day, ହାଇଦ୍ରାବାଦ, ୧୯୬୩ ଦ୍ରଷ୍ଟବ୍ୟ-

 

 

୫.

ସିହ୍ନା, ସଚିଦାନନ୍ଦ, The Consumerist Culture.

 

 

୬.

ଲୋହିଆ, Marx, Gandhi and Socialisim, ହାଇଦ୍ରାବାଦ, ୧୯୬୩ ପୃ ୧ ।

 

 

୭.

ନାରାୟଣ ଜୟପ୍ରକାଶ, My Picture of Socialism, (ବୀରେନ୍ଦ୍ର ଗ୍ରୋଭର ସମ୍ପାଦିତ Political Thinkers of India, ଜୟପ୍ରକାଶ ନାରାୟଣ ବିଶେଷାଙ୍କ ଅଷ୍ଟମ ଖଣ୍ଡ, ଦିଲ୍ଲୀ, ୧୯୯୦) ପୃ ୨୦ ।

 

 

୮.

ଲୋହିଆ, ରାମ ମନୋହର, Anecdotes about Mahatma Gandhi, (ବୀରେନ୍ଦ୍ର ମୋହନ ସଂପାଦିତ… ନବମ ଖଣ୍ଡ), ପୃ ୪୧୭-୪୧୮ ।

 

 

୯.

ପଟ୍ଟନାୟକ, କିଶନ, ବିକଳ୍ପ ବିଚାର, ବରଗଡ଼, ଚତୁର୍ଥ ସଂଖ୍ୟା, ୧୯୯୩ର ସମ୍ପାଦକୀୟ ଦ୍ରଷ୍ଟବ୍ୟ, ପୃ ୮-୧୦ ।

☆☆☆

 

ସମାଜବାଦୀ ଆନ୍ଦୋଳନ

ଶ୍ରୀ ପ୍ରଦୀପ୍ତ କିଶୋର ଦାସ

 

ସମାଜବାଦୀ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିବାକୁ ଗଲେ ମନରେ ପ୍ରଥମ ପ୍ରଶ୍ନ ଉଠେ–କେଉଁ ଆନ୍ଦୋଳନକୁ ସମାଜବାଦୀ ବୋଲି ବିଚାର କରିବା ?

 

ସମାଜବାଦୀ ସମାଜ ଅର୍ଥାତ ଏକ ଶ୍ରେଣୀହୀନ ଶୋଷଣ ହୀନ ସମସମାଜ ପ୍ରତିଷ୍ଠା ନିମନ୍ତେ ପ୍ରଚଳିତ ଶ୍ରେଣୀ-ଭିତ୍ତିକ ବ୍ୟବସ୍ଥା ତଥା ସାମନ୍ତବାଦୀ-ପୁଞ୍ଜିବାଦୀ ଶକ୍ତି ବିରୁଦ୍ଧରେ ଯେଉଁ ସଂଗ୍ରାମ ଚାଲିଆସିଛି ତାହା କ୍ରମେ ମୁଖ୍ୟତଃ ଦୁଇଟି ଧାରାରେ ବିଭକ୍ତ ହୋଇଯାଇଛି । ନୂତନ ସମାଜର ସ୍ୱରୂପ, ବିପ୍ଳବର ପନ୍ଥା ଓ ପଦ୍ଧତି ଇତ୍ୟାଦି ବିଷୟରେ ବିବାଦ ସୃଷ୍ଟି ହୋଇଛି । ଏହି ଆଦର୍ଶଗତ ଦ୍ଵନ୍ଦ୍ୱରେ ଯେଉଁମାନେ ଗୋଟିଏ ଧାରାରେ ଅନୁଗାମୀ ସେମାନେ ବିଶ୍ଵାସ କରନ୍ତି ସମାଜର ବୈପ୍ଳବିକ ପରିବର୍ତ୍ତନ ପାଇଁ ସର୍ବହରାର ଅଧିନାୟକବାଦ ବା ଡିକ୍ଟେଟରପିସ୍ ଅନିବାର୍ଯ୍ୟ-। ଏହି ଅଧିନାୟକତ୍ଵ କାର୍ଯ୍ୟତଃ ସର୍ବହରାର ଏକମାତ୍ର ଦଳ ବୋଲି ଦାବି କରୁଥିବା କମ୍ୟୁନିଷ୍ଟ ପାର୍ଟିର ରାଜନୈତିକ ଓ ଅର୍ଥନୈତିକ ଏକାଧିପତ୍ୟରେ ପରିଣତ ହୋଇଯିବାର ଦେଖାହାଇଛି-। ଅନ୍ୟ ଧାରର ଅନୁଗାମୀମାନଙ୍କର ବିଶ୍ଵାସ-ଗଣତନ୍ତ୍ର ଓ ନାଗରିକ ସ୍ଵାଧୀନତାର ଭିତ୍ତି ଉପରେ ହିଁ ନୂତନ ସମାଜର ପ୍ରତିଷ୍ଠା ସମ୍ଭବପର । ବିପ୍ଳବର ପନ୍ଥା ଓ ପଦ୍ଧତି ସମ୍ବନ୍ଧରେ ମଧ୍ୟ ଦୁଇ ପକ୍ଷରେ ଭିନ୍ନ ମତ ରହିଛି ।

 

ଏହି ଦୁଇ ପ୍ରକାର ଆନ୍ଦୋଳନ ମଧ୍ୟରୁ ପ୍ରଥମଟି କମ୍ୟୁନିଷ୍ଟ ଆନ୍ଦୋଳନ ଭାବରେ ପରିଚିତ, ଯାହାର ଆଦର୍ଶ କମ୍ୟୁନିଜମ ବା ବୈଜ୍ଞାନିକ ସମାଜବାଦ ବୋଲି କୁହାଯାଏ । ଦ୍ଵିତୀୟଟି ସମାଜବାଦୀ ଆନ୍ଦୋଳନ ଭାବରେ ପରିଚିତ । ଯାହାର ଆଦର୍ଶ ଗଣତାନ୍ତ୍ରିକ ସମାଜବାଦ । ଏଠାରେ ଶେଷୋକ୍ତ ଆନ୍ଦୋଳନର ସୃଷ୍ଟି, ଗତି ଓ ସ୍ୱରୂପ ସମ୍ପର୍କରେ ସୂଚନା ଦିଆଯାଇଛି ।

 

ଭାରତୀୟ ସମାଜବାଦୀ ଆନ୍ଦୋଳନର ଉଦ୍ଭବ ଜାତୀୟ ମୁକ୍ତି ସଂଗ୍ରାମ ମଧ୍ୟରୁ । ବ୍ରିଟିଶ ଶାସନ ବିରୁଦ୍ଧରେ ଏହି ଲଢ଼ାଇର ମୁଖ୍ୟ ସଞ୍ଚାଳକ ଥିଲା ଭାରତୀୟ ଜାତୀୟ କଂଗ୍ରେସ, ଯାହାର ନେତୃତ୍ଵ ଥିଲା ମହାତ୍ମାଗାନ୍ଧୀଙ୍କ ହାତରେ । ୧୯୩୦-୩୧ ଓ ୧୯୩୨-୩୩ ଅସହଯୋଗ ଆନ୍ଦୋଳନ ଦେଶରେ ସଂଗ୍ରାମୀ ଯୁବଗୋଷ୍ଠୀ ସୃଷ୍ଟି । ଆନ୍ଦୋଳାନ ବନ୍ଦ ହେବା ପରେ ପରେ ସେମାନଙ୍କ ଭିତରେ ଯେଉଁ ଆଶ୍ଵସ୍ତି ଓ ବ୍ୟାକୁଳତାର ଉଦ୍ରେକ ହେଲା ତାହାର ମଧ୍ୟରୁ ଜନ୍ମ ନେଲା ସମାଜବାଦୀ ଆନ୍ଦୋଳନ ।

 

ଏହା ପୂର୍ବରୁ ଋଷିଆର ୧୯୧୭ ନଭେମ୍ବର ବିପ୍ଳବ, ଯାହା ‘ମହାନ୍’ ଅକ୍ଟୋବର ବିପ୍ଳବ’ ନାମରେ ଖ୍ୟାତ, ତାହା ସାରା ପୃଥିବୀରେ ଆଲୋଡ଼ନ ସୃଷ୍ଟି କରିଥାଏ । ସେଠାରେ ଜାର୍‍ଶାସନ ଓ ରାଜତନ୍ତ୍ରର ବିଲୋପ ପାଇଥାଏ । ସାମନ୍ତବାଦୀ ପୁଞ୍ଜିବାଦୀ ଗୋଷ୍ଠୀ କ୍ଷମତାଚ୍ୟୁତ ହୋଇଥାନ୍ତି । କମ୍ୟୁନିଷ୍ଟ (ବଲ୍‍ଶେଭିକ) ପାଟି ଲେନିନଙ୍କ ପରେ ଷ୍ଟାଲିନଙ୍କ ନେତୃତ୍ଵରେ ନିରଙ୍କୁଶ କ୍ଷମତାର ଅଧିକାରୀ ହୋଇଥାଏ । ମାର୍କସ ଓ ଏଙ୍ଗେଲସ ‘କମ୍ୟୁନିଷ୍ଟ ଇସ୍ତାହାର’ ଯେଉଁ ବିପ୍ଳବର କଳ୍ପନା କରିଥିଲେ ତାହା ପ୍ରଥମ କରି ଏକ ବାସ୍ତବ ରୂପ ନେଇଛି; ତାହାହିଁ ସାରା ବିଶ୍ଵର ଦୃଷ୍ଟି ଆକର୍ଷଣ କରିଥାଏ ।

 

ଭାରତରେ ଏହି ଘଟଣା ମନ୍ତ୍ରରେ ପ୍ରଭାବ ପଡ଼ିଥାଏ ଏବଂ ମାର୍କସ୍‍ବାଦ ପ୍ରତି ସ୍ଵତଃସ୍ପୂର୍ତ୍ତ ଆଗ୍ରହ ହୋଇଥାଏ । ଏହି ପରିସ୍ଥିତିରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ଗଠନ ହୁଏ । ତାହାହିଁ ହେଲା ପରବର୍ତ୍ତୀ ୪୩ ବର୍ଷ ବ୍ୟାପୀ ସମାଜବାଦୀ ଆନ୍ଦୋଳନର ଆଦି-ପ୍ରବର୍ତ୍ତକ । ଜୟପ୍ରକାଶ ନାରାୟଣ, ଆଚାର୍ଯ୍ୟ ନରେନ୍ଦ୍ର ଦେବ, ୟୁସୁଫ ମେହେରାଲି, ମିନୁମସାନି, ଅଚ୍ୟୁତ ପଟ୍ଟବର୍ଦ୍ଧନ, ନବକୃଷ୍ଣ ଚୌଧୁରୀ ଡକ୍ଟର ରାମ ମନୋହର ଲୋହିଆ, ଇ.ଏମ.ଏସ. ନମ୍ବୁଦିରିପାଦ, ଅଶୋକ ମେହେତା, ଏନ.ଜି.ଗୋରେ ପ୍ରମୁଖ ନେତାମାନଙ୍କୁ ଏହାର ପ୍ରାଣପ୍ରତିଷ୍ଠାତା ବୋଲି ବିଚାର କରାଯାଏ । ତତ୍‍କାଳୀନ ଓଡ଼ିଶା ପ୍ରଦେଶରେ ଏହି ଦିଗରେ କାର୍ଯ୍ୟ ଏହା ପୂର୍ବରୁ ହୋଇଥିଲା ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ, ପ୍ରାଣନାଥ ପଟ୍ଟନାୟକ, ଦିବାକର ପଟ୍ଟନାୟକ, ଗତିକୃଷ୍ଣ ସ୍ଵାଇଁ, ସୁରେନ୍ଦ୍ରନାଥ ଦ୍ଵିବେଦୀଙ୍କ ନେତୃତ୍ଵରେ ।

 

ଜାତୀୟତା ଓ ସମାଜବାଦୀ—ଏହି ଦୁଇଟି ବିଚାରକୁ ପ୍ରଥମରୁ ହିଁ ସମାଜବାଦୀ ଆନ୍ଦୋଳନର ମୌଳିକ ଆଧାର ରୂପେ ଗ୍ରହଣ କରଯାଇଥିଲା । ଭାରତରେ ଏକ ସମାଜବାଦୀ ଗଣରାଜ୍ୟ ପ୍ରତିଷ୍ଠା କରିବା ଥିଲା ଅନ୍ତିମ ଲକ୍ଷ୍ୟ । ସେଥିପାଇଁ ଲୋଡ଼ା ଶ୍ରେଣୀ ସଂଗଠନ ଓ ଶ୍ରେଣୀ ସଂଘର୍ଷ । ମାର୍କସବାଦୀ ଦର୍ଶନରୁ ଏହି ବିଚାର ଗ୍ରହଣ କରଯାଇଥିଲା । ଏହି ଗଣଶକ୍ତି ଦ୍ଵାରା ସ୍ଵାଧିନତା ସଂଗ୍ରାମକୁ ବଳିଷ୍ଠ ସାଲିସହୀନ କରିବା ଥିଲା ତାତ୍‍କାଳିକ ଲକ୍ଷ୍ୟ । ଜନତାର ଅର୍ଥନୈତିକ ସ୍ଵାଧୀନତା ପାଇଁ ପ୍ରଥମେ ଆବଶ୍ୟକ ରାଜନୈତିକ ମୁକ୍ତି ।

 

ଭାରତରେ ଏହି ଆନ୍ଦୋଳନ ଜାତୀୟତାକୁ ସର୍ବଦା ଅଗ୍ରାଧିକାର ଦେଇଆସିଛି, ତାହାହିଁ ଏହାର ଚରିତ୍ର ଓ ସ୍ଵରୂପକୁ ପ୍ରଭାବିତ କରି ଆସିଛି । କୌଣସି ବାହ୍ୟଚାପରୁ ମୁକ୍ତ ରହି ଏହି ଆନ୍ଦୋଳନର ବିକାଶ ବାସ୍ତବ ପରିସ୍ଥିତି ଅନୁସାରେ ସ୍ଵାଭାବିକ ଭାବରେ ହୋଇଆସିଛି ।

 

ସମାଜବାଦ—ଏକ ଆନ୍ତର୍ଜାତୀୟ ବିଚାର ଓ ଦର୍ଶନ, ଯାହାର ଭୌଗୋଳିକ ପରିସୀମା ନାହିଁ ବୋଲି ଧରାଯାଏ । ତେଣୁ ଏହି ଆନ୍ତର୍ଜାତୀୟତା ପ୍ରତି ଅନୁରକ୍ତି ବା ଅଙ୍ଗୀକାର ରହିବା ଆବଶ୍ୟକ, କିନ୍ତୁ ଜାତୀୟତାକୁ ବଳି ଦେଇ ଆନ୍ତର୍ଜାତୀୟ ଆନୁଗତ୍ୟ ସ୍ଵୀକାର କରିବା ସମାଜବାଦ ପ୍ରତି ହାନିକାରକ । ଏହି ନୀତିକୁ ଗ୍ରହଣ କରିଥିବାରୁ ସମାଜବାଦୀ ଆନ୍ଦୋଳନ ସର୍ବଦା ଭାରତୀୟ ଜନତାର ସ୍ଵାର୍ଥ ସହିତ ଜଡ଼ିତ ହୋଇ ଆସିଛି; ଏହି ଆଦର୍ଶ ଦୃଷ୍ଟିରୁ ସମାଜବାଦୀ ଆନ୍ତର୍ଜାତୀୟ ଅନୁଷ୍ଠାନର ସହଯୋଗ ମାତ୍ର ହୋଇଛି ସଭ୍ୟ ହୋଇ ନାହିଁ ।

 

କମ୍ୟୁନିଷ୍ଟ ପାର୍ଟି ଆନ୍ତର୍ଜାତୀୟତାକୁ ଜାତୀୟତା ଅପେକ୍ଷା ଅଗ୍ରାଧିକାର ଦେଇ ଆସିଥିବାରୁ ସମୟ ସମୟରେ ଜାତୀୟବାଦୀ ଧାରାର ବିପରୀତ ଦିଗରେ ଯାଇଛି । ଆନ୍ତର୍ଜାତୀୟ ଆନୁଗତ୍ୟ ଦୃଷ୍ଟିରୁ ଏହାକୁ ୧୯୪୨ ଅଗଷ୍ଟ ଆନ୍ଦୋଳନର ବିରୋଧ କରିବାକୁ ପଡ଼ିଛି, ସ୍ଵାଧୀନତା ପରେ ମଧ୍ୟ ଏହି କାରଣରୁ ଭାରତ-କମ୍ୟୁନିଷ୍ଟ ଚୀନ ବିବାଦ ବେଳେ ଏହା ଜାତୀୟବାଦୀ ଚିନ୍ତାଠାରୁ ଦୂରେଇ ଯାଇଛି ।

 

ଯେଉଁ ଲକ୍ଷ୍ୟ ଓ ଆଦର୍ଶ ଧରି କଂଗ୍ରେସ ସୋସାଲିଷ୍ଟ ପାର୍ଟିଯାତ୍ରା ଆରମ୍ଭ କରିଥିଲା, ତାହା ସେହି ଯାତ୍ରା ପଥରୁ ବିଚ୍ୟୁତ ହୋଇନାହିଁ । କଂଗ୍ରେସ ଅଙ୍ଗ ଭାବରେ ପ୍ରାୟ ଚଉଦ ବର୍ଷ ରହି କାର୍ଯ୍ୟ କରିବା ଭିତରେ ନିଜର ଦାୟିତ୍ଵ ତୁଲାଇ ଆସିଛି ।

 

ଶ୍ରମିକ ଓ କୃଷକମାନଙ୍କୁ ବିଶେଷ କରି କୃଷକମାନଙ୍କୁ ସଂଗଠିତ କରିବାରେ ଏହା ବହୁ ପରିମାଣରେ କୃତକାର୍ଯ୍ୟ ହୋଇ ପାରିଥିଲା । ଜମିଦାରୀ ଜୁଲମ ବିରୁଦ୍ଧରେ ଲଢ଼ାଇ ତୀବ୍ର ହୋଇଥିଲା; ଦେଶୀୟ ରାଜ୍ୟ ବା ଗଡ଼ଜାତର ପ୍ରଜା ଆନ୍ଦୋଳନ ବ୍ୟାପକ ହୋଇଥିଲା । ଏହି ସବୁଥିରେ ଏହା ଏକ ବିଶିଷ୍ଟ ଭୂମିକା ଗ୍ରହଣ କରିଥିଲା ।

 

୧୯୪୨ ଅଗଷ୍ଟ ଆନ୍ଦୋଳନ ଏହାର କାର୍ଯ୍ୟଥିଲା ସବୁଠାରୁ ଉଲ୍ଲେଖ ଯୋଗ୍ୟ । କଂଗ୍ରେସର ‘ଭାରତ ଛାଡ଼’ ପ୍ରସ୍ତାବ ପରେ ଗାନ୍ଧିଜୀ ଏବଂ କଂଗ୍ରେସର ଜାତୀୟ ଓ ପ୍ରାଦେଶିକ ନେତାମାନେ ଗିରଫ ହୋଇଗଲେ । ଆନ୍ଦୋଳନ ଆରମ୍ଭ ପୂର୍ବରୁ ତାହା ନେତୃଶୂନ୍ୟ ହୋଇ ଯାଇଥାନ୍ତା । ଯଦି କଂଗ୍ରେସ ସୋସିଆଲିଷ୍ଟ ନେତୃମଣ୍ଡଳୀ ଏହି ପରିସ୍ଥିତ ଲାଗି ପୂର୍ବରୁ ପ୍ରସ୍ତୁତି ନଥାନ୍ତେ ତେବେ ହୁଏତ ଅଗଷ୍ଟକ୍ରାନ୍ତ ସମ୍ଭବପର ହୋଇ ନଥାନ୍ତା । କିମ୍ବା ଗାନ୍ଧିଜୀଙ୍କର ‘ସରକାରକୁ ଅଚଳ କର ‘ ଆହ୍ଵାନ ନିରର୍ଥକ ହୋଇ ଯାଇଥାନ୍ତା । ଜୟପ୍ରକାଶ–ଲୋହିଆଙ୍କର ଆଜାଦ ଦସ୍ତା ଗଠନ ସାତାରା ଓ ବାଲିଆରେ ସମାନ୍ତରାଳ ସରକାର ପ୍ରତିଷ୍ଠା ଇତ୍ୟାଦି ସେତେବେଳର ଅନେକ ଘଟଣା ଇତିହାସର ବସ୍ତୁ ହୋଇଯାଇଛି ।

 

ଅଗଷ୍ଟ ବିପ୍ଳବ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜାଦହିନ୍ଦ୍ ଫୌଜର ଅଭୂତପୂର୍ବ କାର୍ଯ୍ୟ ଏବଂ ଯୁଦ୍ଧୋତ୍ତର ବିଲାତରେ ଶ୍ରମିକ ଦଳର ବିଜୟ–ଏହି ତିନିଗୋଟି ଘଟଣା ଭାରତର ସ୍ଵାଧୀନତାକୁ ତ୍ଵରାନ୍ୱିତ କରିଛି ।

 

ଆରମ୍ଭ ଅବସ୍ଥାରେ କମ୍ୟୁନିଷ୍ଟମାନେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ଯୋଗଦେଇ କାର୍ଯ୍ୟ କରୁଥିଲେ । ମାର୍କସବାଦ ଓ ସେତେବେଳେ ସୋଭିଏତ୍ ରୁଷିଆ ପ୍ରତି ଆଭିମୁଖ୍ୟ କମ୍ୟୁନିଷ୍ଟ ଓ ଅଣକମ୍ୟୁନିଷ୍ଟ ସମାଜବାଦୀ ଉଭୟଙ୍କର ଦୃଷ୍ଟି ପ୍ରାୟ ସମାନ ଥିଲା । ପରେ ସେମାନେ ପରସ୍ପରଠାରୁ ଦୂରେଇ ଗଲେ । ଶେଷରେ ସ୍ଵାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟରେ ସେମାନେ ପରସ୍ପର ବିରୋଧୀ ଶିବିରରେ ରହିଲେ; ତାହାର ସୂଚନା ଆଗରୁ ଦିଆଯାଇଛି ।

 

ଗାନ୍ଧୀ ଦର୍ଶନର ପ୍ରଭାବ

 

ଗାନ୍ଧିଜୀଙ୍କରସତ୍ୟ ଓ ଅହିଂସା ସ୍ଵାଧୀନତା ଆନ୍ଦୋଳନ ଆଧାର ବୋଲି ଯରାଯାଉଥିଲା-। ସମାଜବାଦୀମାନେ ଏହି ଆନ୍ଦୋଳନର ଅଙ୍ଗ ଭାବରେ ରହିଥିବା ବେଳେ ମାର୍କସବାଦୀ ଚିନ୍ତା ଓ ଗାନ୍ଧୀବାଦୀ ପନ୍ଥା–ଏହି ଦୁଇଟି ଆପାତ-ବିରୋଧୀ ବିଷୟରେ ସମ୍ମୁଖୀନ ହୋଇଥିଲେ-। ଅବଶ୍ୟ ମୁକ୍ତି ସଂଗ୍ରାମର ପ୍ରାଥମିକତା ହେତୁ ଏହା ବିଶେଷ ସମସ୍ୟା ସୃଷ୍ଟି କରି ନଥିଲା । କିନ୍ତୁ ବାସ୍ତବତା ଦୃଷ୍ଟିରୁ ଅହିଂସାତ୍ମକ ପନ୍ଥାରେ ଶ୍ରମିକ ଓ କୃଷକ ଆନ୍ଦୋଳନ କରିବାକୁ ପଡ଼ୁଥିଲା । ସୁତରାଂ ଶ୍ରେଣୀ–ସଂଗ୍ରାମ ଓ ଅହିଂସାର ଏକ ସମନ୍ଵୟ କାର୍ଯ୍ୟତଃ ସୃଷ୍ଟି ହୋଇଥିଲା ।

 

ଗାନ୍ଧିଜୀ ଅହିଂସା ବ୍ରତ ଭାବରେ ଗ୍ରହଣ କରିଥିଲେ; ସମାଜବାଦୀମାନଙ୍କ ପାଇଁ ଏହାଥିଲା ଏକ ରଣନୀତି ମାତ୍ର । କିନ୍ତୁ କ୍ରମେ ତାହା ସବୁ ଆନ୍ଦୋଳନର ପନ୍ଥା ହୋଇଗଲା । କଂଗ୍ରେସ ଛାଡ଼ିବା ପରେ ସମାଜବାଦୀମାନେ ସତ୍ୟାଗ୍ରହ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଏକମାତ୍ର ପନ୍ଥାରୂପେ ଗ୍ରହଣ କଲେ । କେବଳ ସମାଜବାଦୀମାନେ ନୁହଁନ୍ତି । କମ୍ୟୁନିଷ୍ଟମାନେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଊଣାଅଧିକେ ଏହି ପନ୍ଥାର ଆଶ୍ରୟ ନେଇ ଆସିଛନ୍ତି । କମ୍ୟୁନିଷ୍ଟ ପାର୍ଟି ହିଂସାତ୍ମକ ପନ୍ଥା ଛାଡ଼ିବା ପରେ ନକ୍ସଲପନ୍ଥୀମାନଙ୍କର ଉଭବ ହୋଇଛି ।

 

‘ଲକ୍ଷ୍ୟ ଓ ପନ୍ଥୀ’ ସମାଜବାଦୀ ଆଦର୍ଶକୁ ପ୍ରଭାବିତ କରିଛି । ମାର୍କସବାଦୀ ଚିନ୍ତା ଅନୁସାରେ–‘ଲକ୍ଷ୍ୟହିଁ’ ପନ୍ଥାର ଯଥାର୍ଥତା ପ୍ରତିପ୍ରଦାନ କରେ । ଏହାର ଅର୍ଥ ହେଲା ଏକ ମହତ୍ ବା ସାଧୁ ଲକ୍ଷ୍ୟ ହାସଲ କରିବା ପାଇଁ ସାଧୁ ଅସାଧୁ ସବୁ ଉପାୟ ଅବଲମ୍ବନ କରାଯାଇପାରେ । କିନ୍ତୁ ଗାନ୍ଧୀ କହନ୍ତି–ଲକ୍ଷ୍ୟ ଓ ପନ୍ଥା ଗୋଟିଏ ମୁଦ୍ରାର ଦୁଇପଟ । ପନ୍ଥା ମହତ୍ ନ ହେଲେ ମହତ୍ ଲକ୍ଷ୍ୟ ସାଧିତ ହୋଇପାରିବ ନାହିଁ । ମାର୍କସବାଦୀ ଦୃଷ୍ଟି କୋଣର ଆଶ୍ରୟ ନେଇ ଯୁଦ୍ଧ ପରେ ପୂର୍ବ ଇଉରୋପୀୟ ସଂଖ୍ୟାଲଘୁ କମ୍ୟୁନିଷ୍ଟ ପାର୍ଟିମାନେ ଗଣତାନ୍ତ୍ରିକ ଓ ସମାଜବାଦୀ ଦଳମାନଙ୍କ ସହିତ ମିତ୍ରତାର ଅଭିନୟ କରି ସୋଭିଏତ୍ ରୁଷର ଛତ୍ରଛାୟାତଳେ ଦଳମାନଙ୍କ ନିପାତ କରି ଶାସନ କ୍ଷମତା ଦଖଲ କରିଥିଲେ । ସେଥିଲାଗି ପରେ କମ୍ୟୁନିଷ୍ଟ ବ୍ୟବସ୍ଥା ବିରୁଦ୍ଧରେ ବିଦ୍ରୋହ ହେଲା ।

 

କ୍ଷମତାର ବିକେନ୍ଦ୍ରୀକରଣ

 

ରାଜନୈତିକ ଓ ଅର୍ଥନୈତିକ କ୍ଷମତାର ବିକେନ୍ଦ୍ରୀକରଣ ଚିନ୍ତାଧାରା ଗାନ୍ଧୀ ଦର୍ଶନର ଅନ୍ୟ ଏକ ସିଦ୍ଧାନ୍ତ । ମନୁଷ୍ୟ ସମାଜର ମାନସିକ ବିକାଶ ପାଇଁ ଏହା ଆବଶ୍ୟକ । ଏହାହିଁ ପରବର୍ତ୍ତୀ କାଳରେ ସମାଜବାଦୀ ଆଦର୍ଶର ଏକ ବିଶିଷ୍ଟ ଅଙ୍ଗ ହୋଇଯାଇଛି । ଗାନ୍ଧିଜୀଙ୍କର ‘ଗ୍ରାମସ୍ଵରାଜ’ ଚିନ୍ତା ମଧ୍ୟରୁ ସମାଜବାଦୀମାନେ ଖୌଖମ୍ବା ରାଷ୍ଟ୍ରର କଳ୍ପନା କରିଛନ୍ତି ଏବଂ ରାଷ୍ଟ୍ର କ୍ଷମତାର ବିକେନ୍ଦ୍ରୀକରଣ ଚାହିଁଛନ୍ତି ।

 

ଅର୍ଥନୀତି କ୍ଷେତ୍ରରେ ସେମାନେ ଉଦ୍ୟୋଗର ଜାତୀୟକରଣ ସୀମିତ ନ ରହି ତାହାର ସମାଜୀକରଣ ଚାହିଁଛନ୍ତି । କେବଳ ଜାତୀୟକରଣଦ୍ଵାରା ରାଷ୍ଟ୍ରାୟତ୍ତ ସଂସ୍ଥାରେ କର୍ତ୍ତୃତ୍ଵ କେନ୍ଦ୍ରୀଭୂତ ହୁଏ । ଅମଲାତାନ୍ତ୍ରିକ ବ୍ୟବସ୍ଥାର ପ୍ରଚଳନ ହୁଏ । କିନ୍ତୁ ସମାଜୀକରଣ ପଦ୍ଧତି ଅନୁସାରେ ଶ୍ରମିକମାନଙ୍କ ହାତକୁ ପରିଚାଳନାର ମୁଖ୍ୟ ଦାୟିତ୍ଵ ଚାଲିଯାଏ ।

 

ମାର୍କସବାଦୀ ଦର୍ଶନ ଦୃଷ୍ଟିରୁ ମଧ୍ୟ ବିଚାର କାଲେ, ବିକେନ୍ଦ୍ରୀକରଣ ଏହାର ପରିପନ୍ଥୀ ନୁହେଁ । ମାର୍କସ୍‍ଙ୍କ ମତ ଅନୁସାରେ ସମାଜବାଦର ଅନ୍ତିମ-ବିକାଶ ଅବସ୍ଥାରେ ରାଷ୍ଟ୍ରଶକ୍ତିର ଆବଶ୍ୟକତା ରହିବା ନାହିଁ । କାରଣ ରାଷ୍ଟ୍ର ହେଉଛି ଏକ ଶ୍ରେଣୀର ଅନ୍ୟ ଶ୍ରେଣୀ ଉପରେ ଆଧିପତ୍ୟର ଆୟୁଧ । ଶ୍ରେଣୀହୀନ ସମାଜରେ ଏହି ଆୟୁଧର ଆବଶ୍ୟକତା ରହିବା ନାହିଁ ଏବଂ ରାଷ୍ଟ୍ରର ବିଲୟ ହେବ । ଗାନ୍ଧୀମାର୍ଗରେ ଯାଇ ଏପରି ଲକ୍ଷ୍ୟରେ ପହଞ୍ଚିବା ସମ୍ଭବ, ଯାହା କ୍ଷମତାର କେନ୍ଦ୍ରୀକରଣ ଦ୍ଵାରା ଅସମ୍ଭବ । କାରଣ ତାହା ଦ୍ଵାରା ଦଳ ଓ ରାଷ୍ଟ୍ରର ବିଲୟ ହେବା ପରିବର୍ତ୍ତେ କ୍ରମେ ତାହା ସର୍ବଶକ୍ତିମାନ ହୋଇଯାଏ ।

 

ସ୍ଵାଧୀନତା ପରେ କଂଗ୍ରେସ ସୋସାଲିଷ୍ଟ କଂଗ୍ରେସଠାରୁ ଅଲଗା ହୋଇ ସୋସାଲିଷ୍ଟପାର୍ଟି ନାମରେ ଏକ ସ୍ଵାଧୀନ ସଙ୍ଗଠନ ଭାବରେ କାର୍ଯ୍ୟ କଲା ଏବଂ ଏହାର ଦୃଷ୍ଟିକୋଣ, ଗଠନବିଧି, କାର୍ଯ୍ୟକ୍ରମ ଓ କାର୍ଯ୍ୟ ପଦ୍ଧତିରେ ମଧ୍ୟ କେତେକ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଲା ।

 

ପ୍ରଥମତଃ, ସମାଜବାଦୀ ଆନ୍ଦୋଳନର ସ୍ୱରୂପ ଅଧିକ ସ୍ପଷ୍ଟ କରିବା ପାଇଁ ଏହାର ଲକ୍ଷ୍ୟ କେବଳ ‘ସମାଜବାଦ’ ପରିବର୍ତ୍ତେ ‘ ଗଣତାନ୍ତ୍ରିକ ସମାଜବାଦ’ ରଖାଗଲା

 

ଦ୍ଵିତୀୟତଃ, ଆନ୍ଦୋଳନର ପନ୍ଥା କେବଳ ଶାନ୍ତିପୂର୍ଣ୍ଣ ହେବ ବୋଲି ଘୋଷଣା କରାଗଲା-

 

ତୃତୀୟତଃ, ଦଳର ସଦସ୍ୟତାକୁ ମୁକ୍ତ କରି ଦିଆଗଲା । ପୂର୍ବରୁ କେବଳ ମନୋନୀତ କର୍ମୀ ବା କ୍ୟାଡ଼ରମାନେ ଦଳର ସଭ୍ୟ ହୋଇପାରୁଥିଲେ । ଆନ୍ଦୋଳନକୁ ପ୍ରସାରିତ ଓ ଗଣଭିତ୍ତିକ କରିବା ନିମନ୍ତେ ଦେଅଳର ଆଦର୍ଶ ଓ ଶୃଙ୍ଖଳାରେ ଆସ୍ଥା ରଖିଥିବା ପ୍ରତ୍ୟେକ ସାବାଳକ ଲୋକ ସଭ୍ୟ ହେବାପାଇଁ ଦ୍ଵାର ଉନ୍ମୁକ୍ତ କରାଗଲା ।

 

ଚତୁର୍ଥ ଏବଂ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ହେଲା କଂଗ୍ରେସ ପ୍ରତି ଦଳର ଆଭିମୁଖ୍ୟ ସମ୍ପର୍କରେ । ୧୯୭୪ ଠାରୁ କଂଗ୍ରେସ କେନ୍ଦ୍ର ଓ ପ୍ରଦେଶରେ କ୍ଷମତାକୁ ଆସିଲା । ସ୍ଵାଧୀନତା ପୂର୍ବରୁ ଏହା ବିଭିନ୍ନ ମତରେ ଏକ ମଞ୍ଚ ଭାବରେ ରହିଥିଲା । କିନ୍ତୁ ପରେ ତାହା ଏକ ଦଳରେ ପରିଣତ ହୋଇଗଲା । ଏହାର ଚରିତ୍ର ଓ କାର୍ଯ୍ୟ ଦୃଷ୍ଟିରୁ ଏହାକୁ ଏକ ସ୍ଥିତାବସ୍ଥାବାଦୀ ଓ ସମାଜବାଦୀ–ବିରୋଧୀ ଦଳ ଭାବରେ ବିଚାର କରି ସୋସାଲିଷ୍ଟ ପାର୍ଟି ଏହାର ବିରୋଧ କଲା । କଂଗ୍ରେସର ଏକ ବିକଳ୍ପ ଶକ୍ତି ଭାବରେ ଠିଆ ହେବାକୁ ଏହା ଉଦ୍ୟମ କଲା ।

 

୧୯୫୫ରେ ସୋସାଲିଷ୍ଟ ପାର୍ଟିର ବିଭାଜନ ପୂର୍ବରୁ ସଙ୍ଗଠନ ଓ ଜନସମର୍ଥନ ଦୃଷ୍ଟିରୁ ଏହା କଂଗ୍ରେସର ଏକ ବଳିଷ୍ଠ ପ୍ରତିପକ୍ଷ ଭାବରେ ପ୍ରତିଷ୍ଠିତ ହୋଇଥିଲା । ଶ୍ରମିକ, କୃଷକ ଓ ଯୁବସମାଜ ଉପରେ ଏହାର ପ୍ରଭାବ ବୁଦ୍ଧିପାଇଥିଲା । ହିନ୍ଦ୍ ମଜଦୁର ସଭା ଓ ହିନ୍ଦ୍ କିଷାନ ପଞ୍ଚାୟତ ମାଧ୍ୟମରେ ଶ୍ରମିକ ଓ କୃଷକ ଶ୍ରେଣୀର ସଙ୍ଗଠନ ବ୍ୟାପକ ହୋଇଥିଲା । ଏମାନଙ୍କ ଆନ୍ଦୋଳନ ଓ ସଂଘର୍ଷର ପ୍ରଭାବ ମଧ୍ୟ ସରକାର ଉପରେ ପଡ଼ିଥିଲା । ଅବଶ୍ୟ କମ୍ୟୁନିଷ୍ଟ ପାର୍ଟି ଏହି କ୍ଷେତ୍ରରେ ମୁଖ୍ୟ ପ୍ରତିଦ୍ଵନ୍ଦୀ ଭାବରେ କାର୍ଯ୍ୟ କରୁଥିଲେ ମଧ୍ୟ ପରସ୍ପର ସଂଘର୍ଷର ଅବକାଶ ନଥିଲା, ବରଂ କାର୍ଯ୍ୟତଃ ପରସ୍ପରର ପରିପୂରକ ହୋଇଯାଇଥିଲେ । ଚାଷୀ ଆନ୍ଦୋଳନର ଚାପରେ ବିଭିନ୍ନ ରାଜ୍ୟର କଂଗ୍ରେସ ସରକାରମାନେ ଭୂସଂସ୍କାର ଆଇନମାନ କରିଥିଲେ ।

 

ସଂସଦୀୟ ଗଣତନ୍ତ୍ର ଓ ନିର୍ବାଚନ

 

ସମ୍ବିଧାନ ଅନୁସାରେ ଭାରତରେ ସଂସଦୀୟ ଗଣତନ୍ତ୍ର ପ୍ରତିଷ୍ଠା ହେବା ଫଳରେ ସମାଜବାଦୀମାନେ ଆନ୍ଦୋଳନର ଆଚରଣ ଓ ଆଭିମୁଖ୍ୟରେ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଲା । ଅନ୍ୟ ବାମପନ୍ଥୀ ଦଳମାନେ ମଧ୍ୟ ଏହାର ପ୍ରଭାବରୁ ମୁକ୍ତ ରହିପାରିଲେ ନାହିଁ-। ସାବାଳକ ଭୋଟ ଜରିଆରେ ନିର୍ବାଚନ ହେଲା; ଏହା ସେମାନଙ୍କ ଆଗରେ ଏକ ନୂତନ ଆହ୍ଵାନ ଭାବରେ ଛାଡ଼ିହେଲା । କ୍ଷମତା ଦଖଲ ପାଇଁ ନିର୍ବାଚନ ହେଲା ଏକମାତ୍ର ଆୟୁଧ । ସଂସଦୀୟ କ୍ଷେତ୍ର ବାହାରେ ଗଣ ସଙ୍ଗଠନ ଓ ସଂଘର୍ଷ ଉପରେ ସମାନ ଗୁରୁତ୍ଵ ଦିଆଯାଇଥିଲେ ମଧ୍ୟ କାର୍ଯ୍ୟ ଓ ବିଚାରରେ ନିର୍ବାଚନ ରାଜନୀତିର ପ୍ରାଧାନ୍ୟ ବେଶୀ ରହିଲା । କ୍ରମେ ଦଳ ନିର୍ବାଚନ-ଆଭିମୁଖୀ ହୋଇଗଲା । ନିର୍ବାଚନ ଶକ୍ତି ପରୀକ୍ଷାରେ ସର୍ବପ୍ରଧାନ କ୍ଷେତ୍ର ହୋଇଗଲା ।

 

୧୯୫୧-୫୨ରେ କେନ୍ଦ୍ର ଓ ରାଜ୍ୟ ଯେଉଁ ସାଧାରଣ ନିର୍ବାଚନ ହେଲା ସେଥିରେ ଦଳର ପ୍ରସାର ଏବଂ ଶକ୍ତି ପରୀକ୍ଷା ଦୃଷ୍ଟିରୁ ସୋସାଲିଷ୍ଟ ପାର୍ଟି ବହୁସଂଖ୍ୟାକ ପ୍ରାର୍ଥୀ ଠିଆକଲା । କଂଗ୍ରେସ ପଛକୁ ଏହାର ପ୍ରାର୍ଥୀ ସଂଖ୍ୟା ଥିଲା ସବୁଠାରୁ ବେଶୀ । ଲୋକସଭା ଆସନ ପାଇଁ କଂଗ୍ରେସ ୪୭୮ ପ୍ରାର୍ଥୀ ଛିଡ଼ା କରିଥିବାବେଳେ ସୋସାଲିଷ୍ଟ ପାର୍ଟି ୨୫୫ ପ୍ରାର୍ଥୀ ଛିଡ଼ାକଲା । ସେହିପରି ବିଧାନସଭାମାନଙ୍କ ପାଇଁ ଯଥାକ୍ରମେ ୩୨୫୦ ଓ ୧୮୦୫ ପ୍ରାର୍ଥୀ ଛିଡ଼ାହେଲେ । ଫଳାଫଳରୁ ଦେଖାଗଲା କଂଗ୍ରେସ ପ୍ରାୟ ୪କୋଟି ଭୋଟ ପାଇଥିବା ସ୍ଥଳେ ପାର୍ଟି କେନ୍ଦ୍ର ଓ ରାଜ୍ୟରେ ଯଥାକ୍ରମେ ୧ କୋଟି ୧ ଲକ୍ଷ ଏବଂ ୧ କୋଟି ୧୧ ଲକ୍ଷ ଭୋଟ ପାଇଲା । ନିର୍ବାଚନରେ ଦ୍ଵିତୀୟ ବୃହତ୍ତମ ଦଳ ହୋଇ ମଧ୍ୟ ଭୋଟ ତୁଳନାରେ ସ୍ଥାନ ବହୁତ କମ୍ ପାଇଲା ।

 

ଅଧାରୁ କମ୍ ଭୋଟ ପାଇ ମଧ୍ୟ କଂଗ୍ରେସ ପ୍ରାୟ ଦ୍ଵି-ତୃତୀୟାଂଶ ସ୍ଥାନ ପାଇପାରିଲା । ଆନୁପାତିକ ଭୋଟ ବ୍ୟବସ୍ଥାରୁ ପ୍ରଚଳନ ଥିଲେ ଫଳ ଅନ୍ୟ ପ୍ରକାର ହୋଇଥାନ୍ତା । କଂଗ୍ରେସ ବିରୁଦ୍ଧରେ ଏକାଧିକ ପ୍ରାର୍ଥୀ ପ୍ରତିଦ୍ଵନ୍ଦିତା କରିବାଦ୍ଵାରା କଂଗ୍ରେସ ବିରୋଧୀ ଭୋଟର ବିଭାଜନ ହେବାରୁ କଂଗ୍ରେସ ଏହି ସୁଯୋଗ, ପାଇଲା । ଏହି ନିର୍ବାଚନରେ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳ ମିଶାଇ ମୋଟରେ ୭୭ଗୋଟି ଦଳ ପ୍ରତିଦ୍ଵନ୍ଦତା କରୁଥିଲେ ।

 

ନିର୍ବାଚନ ଫଳାଫଳର ପ୍ରତିକ୍ରିୟା

 

ସାଧାରଣ ନିର୍ବାଚନ ପରେ ଓ ତାହାର ପ୍ରତିକ୍ରିୟା ସ୍ୱରୂପ ଦୁଇ ପ୍ରକାର ପରସ୍ପର–ବିରୋଧୀ ଚିନ୍ତାର ଉଦ୍ରେକ ହେଲା । ନିର୍ବାଚନର ଗଣିତ ସୂଚନା ଦେଲା ଯେ ବିଖଣ୍ଡିତ ରାଜନୀତିକ ସ୍ଥିତିରୁ ଶାସକ ଦଳର ଫାଇଦା ହେଉଛି । ସୋସାଲିଷ୍ଟ ପାର୍ଟି କଂଗ୍ରେସର ବିକଳ୍ପ ଭାବରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ରାଜନୈତିକ ଏକୀକରଣର ଆଶ୍ରୟ ନେବାକୁ ହେବ । କଂଗ୍ରେସ, କମ୍ୟୁନିଷ୍ଟ ଓ ସମ୍ପ୍ରଦାୟବାଦୀଙ୍କ ସହିତ ସହିତ ହାତ ନ ମିଳାଇବା ପାର୍ଟିର ନୀତି ହୋଇଥିବାରୁ କେବଳ ସମଧର୍ମୀ ଦଳମାନଙ୍କ ମିଳନ ସମ୍ଭବପର । ଅନ୍ୟ ସେପରି କୌଣସି ଉଲ୍ଲେଖଯୋଗ୍ୟ ଦଳ ନଥିଲେ ଯେଉଁମାନେ ଗଣତନ୍ତ୍ର ଓ ସମାଜବାଦ ଆଦର୍ଶ ଗ୍ରହଣ କରିଥିଲେ । ତେଣୁ ନିକଟତମ ଦଳ ଆଚାର୍ଯ୍ୟ କୃପ ଲାନୀଙ୍କ କିସାନ ମଜଦୁର ପ୍ରଜା ପାର୍ଟି ସହିତ ମିଶ୍ରିତ ହୋଇ ପ୍ରଜା ସୋସିଆଲିଷ୍ଟ ପାର୍ଟି ଗଢ଼ାଗଲା । ପ୍ରଜା ପାର୍ଟି ଏକ ସମାଜବାଦୀ ଦଳ ନ ହୋଇଥିଲେ ମଧ୍ୟ ଏହାର ନେତାମାନେ ମୁଖ୍ୟତଃ ଗାନ୍ଧୀବାଦୀ ହୋଇଥିବାରୁ ବ୍ୟବହାରିକ ଦୃଷ୍ଟିରୁ ଉଭୟର ମିଳନ ଯଥାର୍ଥ ବିଚାର କରାଗଲା ।

 

ଅପର ପକ୍ଷରେ ନିର୍ବାଚନ ଫଳାଫଳର ଏକ ବିପରୀତ ପ୍ରତିକ୍ରିୟା କେତେକଙ୍କ ମନରେ ଜାତ ହେଲା । ପରାଜୟଜନିତ ନୌରାଶ୍ୟରୁ ଏହାର ଉଦ୍ଭବ ବୋଲି କୁହାଯାଇପାରେ । ତାହାହେଲା କଂଗ୍ରେସ ସହିତ ସହଯୋଗ କରିବ । ପ୍ରଥମେ ଜବାହାରଲାଲ ନେହେରୁ ସହଯୋଗ ପାଇଁ ଆହ୍ଵାନ ଦେଲେ । ସେଥିରେ ତାଙ୍କର କେତେଦୂର ଆନ୍ତରିକତା ଥିଲା ତାହା ପରେ ପ୍ରମାଣିତ ହୋଇଗଲା । କଂଗ୍ରେସ ତୁଙ୍ଗ ନେତାମାନଙ୍କ ମଧ୍ୟରୁ ଜବାହାରଲାଲ ବରାବର ସମାଜବାଦ କଥା କହି ଆସୁଥିଲେ, ଯଦିଓ ସେ କେବେ ସମାଜବାଦୀ ଆନ୍ଦୋଳନରେ ଯୋଗ ଦେଇନଥିଲେ ।

 

ଏହି ଆହ୍ଵାନ କ୍ରମେ ଜୟପ୍ରକାଶ ନାରାୟଣ ଏକ ୧୪ ଦଫା ସମ୍ବଳିତ ସର୍ବନିମ୍ନ କାର୍ଯ୍ୟକ୍ରମ ଉପରେ ସହଯୋଗ ପାଇଁ କଥାବାର୍ତ୍ତା କଲେ । ସେ କାର୍ଯ୍ୟକ୍ରମ ନେହେରୁ ବା କଂଗ୍ରେସ ଗ୍ରହଣ କଲାନାହିଁ, କଥାବାର୍ତ୍ତା ବିଫଳ ହେଲା । କିନ୍ତୁ ସୋସାଲିଷ୍ଟ ପାର୍ଟି ତଥା ସମଗ୍ର ସମାଜବାଦୀ ଆନ୍ଦୋଳନ ପାଇଁ ଏହା ହାନିକାରକ ହେଲା । କଂଗ୍ରେସ ବିରୋଧୀ ନୀତିର ଏହା ବିପରୀତ ଆଚରଣ । ଡକ୍ଟର ଲୋହିଆ ପ୍ରମୁଖ ଦଳର କେତେକ ବିଶିଷ୍ଟ ନେତା ଏହି କଥାବାର୍ତ୍ତାର ତୀବ୍ର ସମାଲୋଚନା କଲେ । ନେତୃମଣ୍ଡଳୀରେ ମତ ଭେଦର ସୂତ୍ରପାତ ହେଲା ।

 

ପରବର୍ତ୍ତୀ ସମୟରେ ୧୯୫୫ରେ ପ୍ରଜାସୋସାଲିଷ୍ଟ ପାର୍ଟିର ବିଭାଜନ ହେଲା, ଲୋହିଆ ଅଲଗା ଦଳ ଗଢ଼ିଲେ । ଦଳ ଭାଙ୍ଗିବାର ତାତ୍କାଳୀନ କାରଣ ଥିଲା, ତ୍ରି ବାଙ୍କୁଡ଼–କୋଚିନ (ବର୍ତ୍ତମାନ କେରଳ) ରାଜ୍ୟର ପ୍ରଜା ସୋସାଲିଷ୍ଟ ସରକାର ଅମଳରେ ଗୁଳିକାଣ୍ଡ ଘଟଣା । କିନ୍ତୁ ମତାନ୍ତର ଉପରେ ଓ ମନୋମାଳିନ୍ୟର ପ୍ରଥମ ସୂତ୍ରପାତ ହୋଇଥିଲା । କଂଗ୍ରେସ ସହିତ ସହଯୋଗ କରିବାର ଆବଶ୍ୟକତା ଉପରେ ଅଶୋକ ମେହେତା ଏକ ନୂତନ ତତ୍ତ୍ଵର ବୟାନ ଆରମ୍ଭ କରି ଦେଇଥିଲେ । ଅନଗ୍ରସର ଅର୍ଥନୀତିରେ ଦେଶର ସମୂହ ବିକାଶ ଲାଗି ଶାସକ ଦଳ ସହିତ ସହଯୋଗ କରିବାକୁ ହେବ । ତାହାହିଁ ଥିଲା ଏହି ନୀତିର ଯୁକ୍ତି ।

 

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୧୯୭୦ ପର୍ଯ୍ୟନ୍ତ ସୋସାଲିଷ୍ଟ ପାର୍ଟିର ଅଧିକାଂଶ ନେତା ଓ ସଭ୍ୟମାନେ କଂଗ୍ରେସ ବିରୋଧୀ ଥିଲେ ଏବଂ ପାର୍ଟିର ଘୋଷିତ ନୀତି ନିରବଚ୍ଛିନ୍ନ ଭାବରେ କଂଗ୍ରେସ ବିରୋଧୀ ରହିଥିଲା । ଇନ୍ଦିରାଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସ ଦଳର ବିଭାଜନ ପରେ ଶାସନ କଂଗ୍ରେସ ଦଳ ସହିତ ସହଯୋଗ ପାଇଁ ୧୯୭୦ରେ ନୀତିଗତ ଭାବରେ ନିଷ୍ପତି ହୋଇଥିଲା । ତାହା ମଧ୍ୟ ଅଳ୍ପକ୍ଷଣସ୍ଥାୟୀ ହୋଇଥିଲା । ପରେ ୧୯୭୭ ରେ ଜନତାପାର୍ଟିରେ ସୋସାଲିଷ୍ଟ ପାର୍ଟି ବିଲୀନ ହେବା ପର୍ଯ୍ୟନ୍ତ ଏହାର ନୀତି ପୂର୍ବାପେକ୍ଷା ଅଧିକ କଂଗ୍ରେସ ବିରୋଧୀ ହୋଇଥିଲା ।

 

୧୯୫୫ରେ କଂଗ୍ରେସ ଆଭାଡ଼ିଠାରେ ଯେଉଁ ନିଷ୍ପତ୍ତି ନେଲା ତାହା ସମାଜବାଦୀ ଆନ୍ଦୋଳନ ପାଇଁ ଅନ୍ୟ ଏକ ପ୍ରତିବନ୍ଧକ ସୃଷ୍ଟିକଲା । “ସମାଜବାଦୀ ଢାଞ୍ଚାର ସମାଜ ଗଠନ କଂଗ୍ରେସର ଲକ୍ଷ୍ୟ ବୋଲି ଘୋଷଣା କରାଗଲା । ଫଳରେ ପ୍ରଚାର ଦୃଷ୍ଟିରୁ ଏହା ପ୍ରଥମ କରି ଏକ ପ୍ରତିଦ୍ଵନ୍ଦୀ ସମାଜବାଦୀ ଦଳ ହୋଇଗଲା । ପରମ୍ପରା, ପ୍ରଶିକ୍ଷଣ ଓ ଆଚରଣ ବିନା କେବଳ ପ୍ରସ୍ତାବ ପାଶ୍ କରି କଂଗ୍ରେସ ଦଳ ହଠାତ୍ ସମାଜବାଦୀଦଳ ହୋଇଯିବା ଏକ ବିଚିତ୍ର ଘଟଣା । ଏକ ଦୁର୍ନୀତିଗ୍ରସ୍ତ ଦଳ, ଯେ କି କଳାଧନ ଓ କ୍ଷମତାର ଅପପ୍ରୟୋଗ କରି ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନଷ୍ଟ କରିଛି ତାହା ସମାଜବାଦୀ ଦଳ ବୋଲି ଦାବି କରିବା ଫଳରେ ସମାଜବାଦ ପ୍ରତି ଶ୍ରଦ୍ଧା ପରିବର୍ତ୍ତେ କ୍ରମେ ଘୃଣା ସୃଷ୍ଟି ହୋଇଛି । ପ୍ରସ୍ତାବ ପରେ କଂଗ୍ରେସର ଆଚରଣରେ କୌଣସି ପରିବର୍ତ୍ତନ ଆସିନଥିଲା ।

 

ସମାଜବାଦ ଏକ ଜୀବନ-ଦର୍ଶନ, ତାହା କେତେକ ଅର୍ଥନୈତିକ କାର୍ଯ୍ୟକ୍ରମ ଭିତରେ ସୀମିତ ନୁହେଁ । କିନ୍ତୁ ଅର୍ଥ, କ୍ଷମତା ଓ ପ୍ରଚାର ଯନ୍ତ୍ରର ଅଧିକାରୀ କଂଗ୍ରେସ ପ୍ରଚାର ମାଧ୍ୟମରେ ଯେଉଁ ବୁଦ୍ଧି ଭେଦ ଆରମ୍ଭ କରିଦେଲା ତାହା ସମାଜବାଦୀ ଆନ୍ଦୋଳନର ସବୁଠାରୁ ବଡ଼ ବାଧକ ହୋଇଗଲା । ପ୍ରଥମ ସଧାରଣ ନିର୍ବାଚନରେ ସମାଜବାଦୀ ଶକ୍ତିର ପ୍ରଥମ ପରିଚୟ ପାଇ କଂଗ୍ରେସ ଭିତରେ କେତେକ ପରିମାଣରେ ଆତଙ୍କ ସୃଷ୍ଟି ହୋଇଥିଲା । ପ୍ରଜା ସୋସାଲିଷ୍ଟ ପାର୍ଟି ଗଠନ ପରେ ତାହା ବଢ଼ି ଯାଇଥିଲା । ତେଣୁ ପରବର୍ତ୍ତୀ ନିର୍ବାଚନ ପୂର୍ବରୁ ଏହି ରାଜନୈତିକ ନିଷ୍ପତ୍ତି ଏକ ଚତୁର ପଦକ୍ଷେପ ବୋଲି କୁହାଯାଇପାରେ ।

 

ଘଟଣାବଳୀର ସାମୂହିକ ପରିଣାମ ସମାଜବାଦୀ ଆନ୍ଦୋଳନ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥିଲା । ୧୯୭୫ ସାଧାରଣ ନିର୍ବାଚନ ଏକ ବର୍ଦ୍ଧିଷ୍ଣୁ ଆନ୍ଦୋଳନ କ୍ଷୟିଷ୍ଣୁ ଅବସ୍ଥାରେ ପହଞ୍ଚି ଯାଇଥାଏ । ଦଳର ବିଭାଜନ ଓ ଜୟପ୍ରକାଶ ନାରାୟଣଙ୍କର ଦଳଗତ ରାଜନୀତିରୁ ବିଦାୟ ପରେ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ଦେହାନ୍ତ ସମଗ୍ର ସମାଜବାଦୀ ଆନ୍ଦୋଳନ ପାଇଁ ଏକ ଦୁର୍ଦ୍ଦିନ ଆଣିଦେଲା । ଏଥିସହିତ ଦୁଇ ସମାଜବାଦୀ ଗୋଷ୍ଠୀ ନିର୍ବାଚନରେ ପରସ୍ପର ବିରୋଧରେ ପ୍ରତିଦ୍ଵନ୍ଦିତା ମଧ୍ୟ କଲେ ।

 

ଏହା ସତ୍ତ୍ୱେ ୧୯୫୭ ଓ ୧୯୬୨ ନିର୍ବାଚନରେ ଦୁଇ ସମାଜବାଦୀ ଗୋଷ୍ଠୀ ଆଶାନୁରୂପ ସଫଳତା ପାଇନଥିଲେ ମଧ୍ୟ ୧୯୫୨ ନିର୍ବାଚନ ତୁଳନାରେ କେନ୍ଦ୍ର ଓ ରାଜ୍ୟ ସ୍ତରରେ ବେଶୀ ସ୍ଥାନ ପାଇଥିଲେ । ଏପରିକି ୧୯୬୨ ସାଧାରଣ ନିର୍ବାଚନ ପରେ ଅଶୋକ ମେହତା ସଦଳବଳେ କଂଗ୍ରେସରେ ଯୋଗଦେବ ପରେ ମଧ୍ୟ ସୋସାଲିଷ୍ଟମାନେ ପୂର୍ବପେକ୍ଷା ଭଲ କରିପାରିଥିଲେ । ଅବଶ୍ୟ ସେତେବେଳେ କଂଗ୍ରେସ ବିରୁଦ୍ଧରେ ମିଳିତ ଅଭିଯାନ ଏଥିରେ ସାହାଯ୍ୟ କରିଥିଲା । ଦୁଇ ସମାଜବାଦୀ ଗୋଷ୍ଠୀରୁ ଅନେକ ନେତା ଦଳତ୍ୟାଗ କରିଥିଲେ ମଧ୍ୟ ଦଳର ତଳ ସ୍ତରରେ ସେତେବେଳେ ତାହାର ବିଶେଷ ପ୍ରଭାବ ପଡ଼ି ନଥିଲା ଏବଂ ସେମାନଙ୍କର କଂଗ୍ରେସ ବିରୋଧୀ ମନୋଭାବ ଊଣା ଅଧିକେ ଅପରିବର୍ତ୍ତିତ ରହିଥିଲା ।

 

କିନ୍ତୁ ସମାଜବାଦୀ ଆନ୍ଦୋଳନ ଯେଉଁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଲା ସେଥିରେ ଜାତୀୟ ସ୍ତରରେ ଏପରିକି ରାଜ୍ୟ ସ୍ତରରେ ମଧ୍ୟ କୌଣସି ସୋସାଲିଷ୍ଟ ପାର୍ଟି କଂଗ୍ରେସର ବିକଳ୍ପ ଭାବରେ ଏକାକୀ କ୍ଷମତା ହାସଲ କରିବା ଆଶା ସୋସାଲିଷ୍ଟମାନଙ୍କ ମନରୁ ଓ ଜନସାଧାରଣ ମାନସରୁ ମଧ୍ୟ ଅପସରିଗଲା । ସେମାନେ କେବଳ ଏକ ବିରୋଧୀ ଦଳର ଭୂମିକା ମଧ୍ୟରେ ସୀମିତ ରହିଗଲେ ।

 

ଜବାହରଲାଲ ନେହେରୁଙ୍କ ଅମଳରୁ ଦଳବଦଳକୁ କଂଗ୍ରେସ ଫାଇଦା ଲାଗି ବ୍ୟବହାର କରିବା ଆରମ୍ଭ ହେଲା ଏବଂ ଶ୍ରୀମତୀ ଇନ୍ଦିରାଗାନ୍ଧୀଙ୍କ ସମୟରେ ତାହାର ବିକାଶ ହେଲା । ଏହା ମୁଖ୍ୟତଃ ସୋସାଲିଷ୍ଟମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ସେମାନେ ହିଁ ତାହାର ଶିକାର ହେଲେ । ସମାଜବାଦୀମାନେ ଏକ ବିକଳ୍ପ ଶକ୍ତି ହେବାର ସମ୍ଭାବନା ଚାଲିଯିବା ପରେ ଦେଶରେ ଅନେକ ସମସ୍ୟା ସୃଷ୍ଟି ହୋଇଛି ନଚେତ ଇତିହାସର ଗତି ବଦଳି ଯାଇଥାନ୍ତି ।

 

କଂଗ୍ରେସ ନିରରଚ୍ଛିନ୍ନ ଭାବରେ କେନ୍ଦ୍ର ଓ ରାଜ୍ୟରେ କ୍ଷମତାରେ ରହିବା ଫଳରେ କେବଳ ସମାଜବାଦ ନୁହେଁ, ଗଣତନ୍ତ୍ର ମଧ୍ୟ ବିପନ୍ନ ହେଉଛି ବୋଲି ବିଚାର କରାଗଲା । କୌଣସି ଗୋଟିଏ ଦଳ ତାହାକୁ ହଟାଇବା ସମ୍ଭବପର ନ ହେବାରୁ ୧୯୬୨ ନିର୍ବାଚନ ପରେ ‘ଅଣକଂଗ୍ରେସବାଦ’ ଚିନ୍ତାଧାରାର ଉତ୍ପତ୍ତି ହେଲା । ଡକ୍ଟର ଲୋହିଆ ଓ ସମାଜବାଦୀମାନେ ଏହି ମତର ଅଗ୍ରଣୀ ହେଲେ । ଫଳରେ ଏକ ନକରାତ୍ମକ ରାଜନୀତି ଆରମ୍ଭ ହେଲା । ନୀତି ଓ ଆଦର୍ଶ ଦୂରରେ ରଖି ବିଭିନ୍ନ ଦଳ ସହିତ ମେଣ୍ଟ ବା ବୁଝାମଣା କରାଗଲା । ୧୯୬୭ରେ ଏହାର ସଦ୍ୟଫଳ ମିଳିଲା, କେନ୍ଦ୍ରରେ ନହେଲେ ମଧ୍ୟ ୯ ଗୋଟି ରାଜ୍ୟର କଂଗ୍ରେସ ପରାସ୍ତ ହେଲା ଏବଂ ଅଣକଂଗ୍ରେସୀ ଦଳମାନଙ୍କର ମିଳିତ ସରକାର ହେଲା । ଆଦର୍ଶବିହୀନ ସୁବିଧାବାଦୀ ମେଣ୍ଟ ପରବର୍ତ୍ତୀ କାଳରେ କେବଳ ସମାଜବାଦୀ ଆନ୍ଦୋଳନ ନୁହେଁ, ସମଗ୍ର ରାଜନୀତି ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଛି ।

 

୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଶ୍ରୀମତୀ ଇନ୍ଦିରାଗାନ୍ଧୀ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କାଲେ । ଜୟପ୍ରକାଶଙ୍କ ନେତୃତ୍ଵରେ ଆନ୍ଦୋଳନ ହେଲା ଏବଂ ସେଥିରେ ଛାତ୍ର ଯୁବକ ସମାଜ ସମେତ ସମାଜବାଦୀ ଓ ଅନ୍ୟ ଗଣତନ୍ତ୍ର ପ୍ରେମୀନାମେ ଭାଗନେଲେ । ତାଙ୍କର ସଂପୂର୍ଣ୍ଣ କ୍ରାନ୍ତିର ଆହ୍ଵାନ ଏକ ନୂତନ ଉନ୍ମାଦନା ସୃଷ୍ଟି କଲା । ସଂପୂର୍ଣ୍ଣ କାନ୍ତି ବସ୍ତୁତଃ ସମାଜବାଦୀ ବିପ୍ଳବର ଅନ୍ୟ ନାମ ଥିଲା । ସମାଜବାଦୀ ଓ ଅନ୍ୟମାନଙ୍କୁ ନେଇ ଜନତାପାର୍ଟି ଗଠନ କରାଗଲା । କଂଗ୍ରେସ ବିରୋଧୀ ହାଉଆ ବହି ଏହି ଦଳ କେନ୍ଦ୍ରରେ ପ୍ରଥମ ଅଣ-କଂଗ୍ରେସୀ ସରକାର ରୂପେ ପ୍ରତିଷ୍ଠିତ ହେଲା ଏବଂ ବିଭିନ୍ନ ରାଜ୍ୟରେ ମଧ୍ୟ ଶାସନର ପରିବର୍ତ୍ତନ ହେଲା । କିନ୍ତୁ ଜନତାପାର୍ଟି ଗାନ୍ଧୀବାଦୀ ସମାଜବାଦୀ ନୀତିକୁ ପ୍ରସ୍ତାବରେ ଗ୍ରହଣ କରିଥିଲେ ମଧ୍ୟ ତାହା ସମାଜବାଦ ବା ସଂପୂର୍ଣ୍ଣ କ୍ରାନ୍ତିର ଆୟୁଧ ହୋଇ ପାରିଲା ନାହିଁ । ଏହି ପ୍ରୟୋଗ ବିଫଳ ହେଲା । ଆଦର୍ଶଗତ ଭିତ୍ତି ଦୃଷ୍ଟିରୁ ବିଚାର କଲେ ଏହା ଥିଲା ବିଭିନ୍ନ ମତର ଏକ ସାମ୍ମୁଖ୍ୟ । ତେଣୁ ଏହି ସୁବିଧାବାଦୀ ମିଳନ ଭାଙ୍ଗି ଯିବା ସ୍ଵାଭାବିକ ।

 

ଜୟପ୍ରକାଶ ନାରାୟଣଙ୍କ ଏହି ଅଭିନବ ଉଦ୍ୟମର ଯେ ତତ୍‍କାଳିକ ଆବଶ୍ୟକତା ଥିଲା ଏଥିରେ ସନ୍ଦେହ ନାହିଁ, କିନ୍ତୁ ସେଥିରେ ସମାଜବାଦୀମାନେ ନିଜର ସ୍ଵତନ୍ତ୍ର ସତ୍ତା ସବୁଦିନ ପାଇଁ ବିଲୀନ କରିଦେବ ସମାଜବାଦୀ ଆନ୍ଦୋଳନ ଦୃଷ୍ଟିରୁ ଯଥାର୍ଥ ହୋଇ ନାହିଁ ବୋଲି ପରବର୍ତ୍ତୀ ଘଟଣାବଳି ପ୍ରମାଣିତ କରି ଦେଇଛି । ବର୍ତ୍ତମାନ ସମାଜବାଦର କୌଣସି ଦଳ ବା ସଙ୍ଗଠନ ନାହିଁ ଏବଂ ଅପର ପକ୍ଷରେ ବିଭିନ୍ନ ପ୍ରତିଦ୍ଵନ୍ଦୀ ଦଳ ଭିତରେ ରହି ସେମାନେ ପରସ୍ପରର ବିରୋଧୀ ଭୂମିକାରେ କାର୍ଯ୍ୟ କରୁଛନ୍ତି । କଂଗ୍ରେସଠାରୁ ଆରମ୍ଭ କରି ଜନତାପାର୍ଟି ଉଦ୍ଭୂତ ବିଭିନ୍ନ ଦଳ ସମାଜବାଦୀ ଆଦର୍ଶର ଦ୍ଵାହି ଦେଉଛନ୍ତି, ସତ, କିନ୍ତୁ ସମାଜବାଦୀ ଚେତନା ଓ ବିଶ୍ଵାସର ଏବଂ ସର୍ବୋପରି ସମାଜବାଦୀ ମୂଲ୍ୟବୋଧର ଅବକ୍ଷୟ ଘଟିଛି । କମ୍ୟୁନିଷ୍ଟ ଆଦର୍ଶବାଦର ବିଫଳତା ପରେ ସାରା ପୃଥିବୀରେ ପୁଞ୍ଜିବାଦର ନୂତନ ଅଭିଯାନ ଆରମ୍ଭ ହୋଇଛି । ଏହି ଆମନ୍ତ୍ରଣାତ୍ମକ ଅଭିଯାନରେ ଭାରତର ଅର୍ଥନୀତି ଓ ସ୍ଵାଧିକାର ବିପନ୍ନ । କେବଳ ଏକ ବଳିଷ୍ଠ ସମାଜବାଦୀ ଶକ୍ତି ଓ କାର୍ଯ୍ୟକ୍ରମ ହିଁ ଏହାର ମୁକାବିଲା କରିପାରେ ।

 

ଗଣତାନ୍ତ୍ରିକ ପଦ୍ଧତିରେ ସମାଜର ପରିବର୍ତ୍ତନ କରିବା ପାଇଁ ଶାସନ କ୍ଷେତ୍ରରେ ଯେଉଁ କେତେକ ମୌଳିକ କାର୍ଯ୍ୟକ୍ରମ ଆବଶ୍ୟକ ସେ ସମ୍ପର୍କରେ ପ୍ରଜା ସୋସାଲିଷ୍ଟ ଓ ସୋସାଲିଷ୍ଟ ପାର୍ଟିର ନିର୍ବାଚନ ଇସ୍ତାହାରମାନଙ୍କରେ ନିର୍ଦ୍ଦିଷ୍ଟ ଭାବରେ ଦିଆଯାଇଥିଲା । ଏହି ସବୁ ବ୍ୟବସ୍ଥାର ଅଧିବକ୍ତା ଭାବରେ ଦଳର ବ୍ୟବସ୍ଥାପକମାନେ ସଂସଦୀୟ କ୍ଷେତ୍ରରେ ଯେପରି ଅନବରତ କାର୍ଯ୍ୟକରି ଆସିଥିଲେ, ବାହାରେ ମଧ୍ୟ ସମାଜବାଦୀ କାର୍ଯ୍ୟକର୍ତ୍ତାମାନେ ସେହି ବିଚାରର ପରିପ୍ରଚାର କରି ଆସିଥିଲେ । ଚାଳିଶି ବର୍ଷ ପୂର୍ବେ ଯେଉଁ ଦିଗ୍‍ଦର୍ଶନ ସମାଜବାଦୀ ଆନ୍ଦୋଳନ ଦେଇଥିଲା ଏବେ ମଧ୍ୟ ତାହାର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ।

 

ଅବିଭକ୍ତ ସମାଜବାଦୀ ଆନ୍ଦୋଳାନ ପ୍ରଥମ ସାଧାରଣ ନିର୍ବାଚନ ସମୟରେ ଯେଉଁ ଇସ୍ତାହାର ଦେଇଥିଲା ପରେ ସେଥିରେ କେତେକ ସଂଶୋଧନ ଓ ପରିବର୍ତ୍ତନ କରାଗଲେ ମଧ୍ୟ ସେଥିରେ କୌଣସି ମୌଳିକ ପରିବର୍ତ୍ତନ କରାଯାଇନାହିଁ ।

 

ସମାଜବାଦର ମୂଳଭିତ୍ତି ସ୍ୱରୂପ ପ୍ରଥମେ ଆର୍ଥିକ ବ୍ୟବସ୍ଥାମନ ପୁଞ୍ଜିବାଦୀ ନିୟନ୍ତ୍ରଣରୁ ମୁକ୍ତ କରିବାକୁ ହେବ ଯେପରିକି ରାଷ୍ଟ୍ର ଜନତାର ହିତ ପାଇଁ ଯୋଜନାବଦ୍ଧ ଭାବରେ ତାହାର ଉପଯୋଗ କରି ପାରିବ । ସେଥିପାଇଁ ବ୍ୟାଙ୍କ ଓ ବୀମା, ଖଣି, ଲୁଗା ଓ ଲୁହା କାରଖାନା କରିବା ଆଦି ମୁଖ୍ୟଶିଳ୍ପ, ପରିବହନ ଓ ବହିର୍ବାଣିଜ୍ୟ ଇତ୍ୟାଦିର ଜାତୀୟକରଣ କରିବା କଥା କୁହାଯାଇଥିଲା । ଜାତୀୟକରଣ ଏହାର ପ୍ରଥମ ସୋପାନ, ସମାଜୀକରଣ ହେଲା ଅନ୍ତିମ ଲକ୍ଷ୍ୟ । ଉଦ୍ୟୋଗର ଦକ୍ଷ ବୃଦ୍ଧି କରିବା ପାଇଁ ଓ ଏହାକୁ ଅମଲାତାନ୍ତ୍ରିକ କବଳରୁ ରକ୍ଷା କରିବାକୁ ଶ୍ରମଜୀବୀମାନଙ୍କୁ ପରିଚାଳନାର ମୁଖ୍ୟ ଅଂଶୀଦାର କରିବା ଆବଶ୍ୟକ । ଔଦ୍ୟୋଗିକ ଗଣତନ୍ତ୍ରର ଏହା ଅନ୍ତିମ ରୂପ ।

 

ସେହିପରି ଉତ୍ପାଦନର ଅନ୍ୟତମ ଲକ୍ଷ୍ୟରୂପେ (ଏବଂ ଭାରତ ଭଳି ଦେଶରେ ପ୍ରଧାନତମ) ଜନସାଧାରଣକୁ ସାମନ୍ତବାଦୀ ବନ୍ଧନରୁ ମୁକ୍ତ କରିବା, ଉତ୍ପାଦନ ବୃଦ୍ଧି ଓ ନ୍ୟାୟପୂର୍ଣ୍ଣ ବଣ୍ଟନ ନିମନ୍ତେ ମଧ୍ୟ ସ୍ଵତ୍ଵାଧିକାରୀ ପ୍ରଥାର ବିଲୋପ ସଙ୍ଗେ ସଙ୍ଗେ ଭୂମିର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ, ଭୂମିର ବଣ୍ଟନ ପୁନର୍ବଣ୍ଟନ ଓ ସମବାୟ ଚାଷ ବ୍ୟବସ୍ଥାର ପ୍ରଚଳନକୁ ମୁଖ୍ୟ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରଯାଇଥିଲା ।

 

ସମତା ଓ ସାମାଜିକ ନ୍ୟାୟ ଦୃଷ୍ଟିରୁ ଆୟର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ ଉପରେ ଗୁରୁତ୍ଵ ଦିଆ ଯାଇଥିଲା । ଆୟ ଭିତରେ ବ୍ୟବଧାନ କ୍ରମେ ଯେତେଦୂର ସମ୍ଭବ ଦୂର କରିବା ଏହାର ଲକ୍ଷ୍ୟ-। ପରେ ବ୍ୟୟର ସର୍ବୋଚ୍ଚ ସୀମାଧାର୍ଯ୍ୟ କଥା କୁହାଗଲା । ବୈଷମ୍ୟ ଦୂର କରିବା ସଙ୍ଗେ ସଙ୍ଗେ କଳାଧନର ପ୍ରଭାବ ହଟାଇବା ପାଇଁ ଉଭୟର ଅବଶ୍ୟକତା ରହିଛି ।

 

ଭଷ୍ଟାଚାର, ବିଶେଷତଃ ଉଚ୍ଚ ସ୍ତରର ଦୁର୍ନୀତି ସାଧାରଣ ଜୀବନକୁ କଳୁଷିତ କରିବା ସହିତ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିପନ୍ନ କରିଆସିଛି । ଏହା ରୋକିବା ପାଇଁ ଆରମ୍ଭରୁ ସୋସାଲିଷ୍ଟମାନେ ସଚେତନ ଥିଲେ । ସେଥିପାଇଁ ସ୍କାଣ୍ଡିନେଭିଆ ଅଞ୍ଚଳର ଦେଶମାନଙ୍କର ‘ଅମ୍ବୁସ୍‍ମାନ’ ବ୍ୟବସ୍ତା ପରି କ୍ଷମତାସଂପନ୍ନ ଦୁର୍ନୀତି-ନିବାରଣ ସଂସ୍ଥା ଗଢ଼ିବା ଏକ ବିଶିଷ୍ଟ କାର୍ଯ୍ୟକ୍ରମ ଭାବରେ ସ୍ଥାନ ପାଇଥିଲା ।

 

କ୍ଷୁଦ୍ର ଓ କୁଟୀର ଶିଳ୍ପର ସଂରକ୍ଷଣ ଓ ପରିବର୍ଦ୍ଧନ ଉପରେ ଗୁରୁତ୍ଵ ଦିଆଯାଇଥିଲା । ବୃହତ୍ ଶିଳ୍ପର ପ୍ରଭାବ ଓ ପ୍ରତିଯୋଗିତାରୁ ଏହି କ୍ଷେତ୍ରକୁ ରକ୍ଷା କରିବା ନିମନ୍ତେ ଉଭୟର କର୍ମ ପରିସର ନିର୍ଦ୍ଧାରଣ କରିବାକୁ ହେବ । କର୍ମନିଯୁକ୍ତି ଓ ବିପୁଳ ଜଣ ସଂବଳର ଉପଯୋଗ ସମାଜବାଦୀ କାର୍ଯ୍ୟକ୍ରମ ଅନ୍ୟତମ ଉଲ୍ଲେଖଯୋଗ୍ୟ ବିଷୟ ।

 

ଅନଗ୍ରସର ଜାତି ଓ ଗୋଷ୍ଠୀ ପାଇଁ ସଂରକ୍ଷଣ ବ୍ୟବସ୍ଥା ସାମାଜିକ ନ୍ୟାୟ ଓ ସମାଜର ସମବିକାଶ ଲାଗି ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ଭାବରେ ପରେ ଗ୍ରହଣ କରାଗଲା । ଡାକ୍ତର ଲୋହିଆ ଏହାର ପ୍ରାଧାନ୍ୟ ପ୍ରବକ୍ତା ଥିଲେ । ହରିଜନ ଓ ଆଦିବାସୀମାନଙ୍କ ବ୍ୟତୀତ ଅନ୍ୟ ଯେଉଁ ଅନୁନ୍ନତ ଶ୍ରେଣୀ ରହିଲେ ସେମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ ।

 

ବୈଦେଶିକ ନୀତିର ଦୁଇଟି ମୁଖ୍ୟ ବିଷୟ ଥିଲା । ପ୍ରଥମଟି ହେଉଛି ତତ୍‍କାଳୀନ ରୁଷ ଓ ଆମେରିକା ଶିବିରଠାରୁ ଅଲଗା ଏକ ସକ୍ରିୟ ବିଶ୍ଵଶକ୍ତି ସୃଷ୍ଟି କରିବା ପାଇଁ ଭାରତ ଅଗ୍ରଣୀ ହେବ । ଦ୍ଵିତୀୟଟି ହେଲା ପଡ଼ୋଶୀ ଦେଶମାନଙ୍କ ସହିତ ବନ୍ଧୁତା ଦୃଢ଼ କରିବା । ସମସ୍ତ ପ୍ରକାର ଉପନିବେଶ ବାଦର ବିରୋଧ, ନ୍ୟାୟ, ଗଣତନ୍ତ୍ର ଓ ମାନବ ଅଧିକାରର ସୁରକ୍ଷା ବୈଦେଶିକ ନୀତିର ମୁଖ୍ୟ ବସ୍ତ୍ର ଭାବରେ ରହିବ । ଏହି ନୀତିର ପ୍ରୟୋଗ ଭାରତରେ ସମାଜବାଦୀ ଆନ୍ଦୋଳନ ସର୍ବଦା କରିଆସିଛି । ଉଦାହରଣ ସ୍ୱରୂପ କମ୍ୟୁନିଷ୍ଟ ଚୀନର ମିଳିତ ଜାତିସଂଘର ସଭ୍ୟପଦ ପାଇଁ ଦାବି କରିବା ସଙ୍ଗେ ସଙ୍ଗେ ତିବ୍ବତର ସ୍ଵାଧୀନତା ପାଇଁ ଦାବି କରିଛି । ଆମେରିକାରେ ନିଗ୍ରୋମାନଙ୍କ ନାଗରିକ ଅଧିକାର ଆନ୍ଦୋଳନକୁ ସମର୍ଥନ କରିବା ସହିତ ହଙ୍ଗେରୀ ଓ ଚେକୋ-ସ୍ଲୋଭାକିଆ ଉପରେ ରୁଷ ଆମନ୍ତ୍ରଣର ବିରୋଧ କରିଛି ।

 

ଏହି କାର୍ଯ୍ୟକ୍ରର୍ମ ମଧ୍ୟରୁ କେତେକ ବିଭିନ୍ନ ସମୟରେ କାର୍ଯ୍ୟକାରୀ କରାଯାଇଥିଲେ ମଧ୍ୟ ତାହା ଏପରି ଭାବରେ କରାଯାଇଛି ଯାହା ସମାଜବାଦ ଦିଗରେ ଆଗେଇ ଯିବା ପାଇଁ ସହାୟକ ହୋଇନାହିଁ । ଭାରତକୁ ସମ୍ବିଧାନରେ ଏକ ସମାଜବାଦୀ ରାଷ୍ଟ୍ର ଭାବରେ ଘୋଷଣା କରାଯାଇଛି ସତ, ସମସମାଜର ପ୍ରତିଷ୍ଠା ଦୃଷ୍ଟିରୁ କୌଣସି ମୌଳିକ ପଦକ୍ଷେପ ଏ ପର୍ଯ୍ୟନ୍ତ ନିଆଯାଇ ନାହିଁ ।

☆☆☆

 

Unknown

ବିପ୍ଳବର କେତୋଟି ତାତ୍ତ୍ଵିକ ପ୍ରଶ୍ନ

ଶ୍ରୀ ମନୋରଞ୍ଜନ ମହାନ୍ତି

 

୧୯୭୭ ମେ-ଜୁନରେ ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲା ଶିଲିଗୁଡ଼ି ସବ୍‍ଡ଼ିଭିଜନର ନକ୍ସଲବାଡ଼ୀ ଗ୍ରାମରେ ଭୂମିହୀନ ଭାଗଚାଷୀମାନେ ଜମିଦାରଙ୍କ ଜମି ଅଧିକାର କରିବାକୁ ପୁଲିସ ଉପରେ ଅତ୍ୟାଚାର କରିଥିଲା । ସେବେଠାରୁ ଭାରତରେ କୃଷି ବିପ୍ଳବର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଆନ୍ଧ୍ରର ଶ୍ରୀକାକୁଲମରେ ୧୯୬୮ରୁ ୧୯୭୨ ଯାଏ ଏକ ସଶସ୍ତ୍ର ଆନ୍ଦୋଳନ ଚାଲିଥିଲା । ଆରମ୍ଭରେ ଶହ ଶହ ଲୋକ ପ୍ରତ୍ୟେକ କାର୍ଯ୍ୟରେ ଭାଗ ନେଉଥିଲେ, କିନ୍ତୁ ପୁଲିସ ଅତ୍ୟାଚାର ବୃଦ୍ଧି ପାଇବାରୁ ଗୁପ୍ତରେ ଛୋଟ ଦଳ ପାଇଁ “ଶ୍ରେଣୀ ଶତ୍ରୁକୁ ନିଧନ” କରିବା ଦେଖାଦେଲା । ତାହା ଫଳରେ ସାଧାରଣ ଲୋକ ଆଉ ସମର୍ଥନ ଦେଲେ ନାହିଁ । ସରକାର ଆନ୍ଦୋଳନକୁ ପ୍ରାୟ ଧ୍ଵଂସ କରିବାରେ ସଫଳ ହେଲେ ।

 

ନିର୍ବାଚନ ରାଜନୀତିର ବହିଷ୍କାର ଓ ସଶସ୍ତ୍ର ଆନ୍ଦୋଳନ ନକ୍‍ସଲପନ୍ଥୀ ରାଜନୀତିର ମୂଳ ରଣନୀତି ଥିଲା । ଭାରତର ଶାସନ ଗୋଷ୍ଠୀକୁ ଅର୍ଦ୍ଧ ସାମନ୍ତବାଦୀ ଓ ଅର୍ଦ୍ଧ ଉପନିବେଶବାଦୀ ବୋଲି ଆଖ୍ୟା ଦେଇ ତାଙ୍କ ବିରୁଦ୍ଧରେ ଗଣସାମ୍ମୁଖ୍ୟ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟଥିଲା । ସେଇ ଆଭିମୁଖ୍ୟ ନେଇ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ନକ୍ସଲପନ୍ଥୀମାନେ ୧୯୬୬-୬୯ରେ ଅଲଗା ହୋଇଗଲେ । କିନ୍ତୁ ସେମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେବାରୁ କେବଳ ଗୋଟିଏ ଗୋଷ୍ଠୀ ଚାରୁ ମଜୁମଦାରଙ୍କ ସଭାପତିତ୍ଵରେ ମାର୍କସବାଦୀ ଲେନିନବାଦୀ କମ୍ୟୁନିଷ୍ଟ ପାର୍ଟି (CIP-ML) ଗଠନ କାଲେ ଏପ୍ରିଲ ୨୨, ୧୯୬୯ରେ । ତା’ପରେ ମଧ୍ୟ ସେଇ ପାର୍ଟିରେ “ଶସ୍ତ୍ର ନିଧନ”ର ପଦ୍ଧତି ଉପରେ ମତଭେଦ ହେଲା ଏବଂ ଧୀରେ ଧୀରେ ଏ ପାର୍ଟି ବହୁ ଗୋଷ୍ଠୀରେ ବିଭକ୍ତ ହେଲା । ୧୯୭୫-୭୭ରେ ସବୁ ପ୍ରକାର ନକ୍ସଲପନ୍ଥୀଙ୍କ ଉପରେ ଆପାତସ୍ଥିତ ନିୟମ ଲାଗୁ କରାଯାଇ ହାଜତରେ ରଖାଗଲା ଏବଂ ବହୁ ଷଡ଼ଯନ୍ତ୍ର ମୋକଦ୍ଦମା (Conspiracy Case)ରେ ସେମାନଙ୍କୁ ଅଭିଯୁକ୍ତ କରାଗଲା । ୧୯୭୭ରେ ଜନତା ସରକାର କ୍ଷମତାକୁ ଆସିଲା ପରେ ଅନେକ ନକ୍ସଲପନ୍ଥୀଙ୍କୁ ମୁକ୍ତ କରି ଦେଇଥିଲେ ।

 

ନବମ ଶତକରେ ନକ୍ସଲପନ୍ଥୀ ଆନ୍ଦୋଳନରେ ଦୁଇଟି ମୁଖ୍ୟଧାରା ହେଲା ଆନ୍ଧ୍ରର ତେଲେଙ୍ଗାନା ଅଞ୍ଚଳରେ ପିପୁଲ୍‍ସ ୱାର ଗ୍ରୁପ ନିର୍ବାଚନରେ ଭାଗ ନିଅନ୍ତି ନାହିଁ । ସଶସ୍ତ୍ର ଆନ୍ଦୋଳନ କରି ସରକାର ଓ ଜମିଦାରଙ୍କର ମୁକାବିଲା କରନ୍ତି । ସରକାର ସବୁ ପ୍ରକାର ଶକ୍ତି ଖଟାଇ ସେମାନଙ୍କୁ ମୂଳପୋଛ କରିବାକୁ ଲାଗିଛନ୍ତି । “ମୁକାବିଲା ମୃତ୍ୟୁ” ବା ମୁହାଁମୁହିଁ ଲଢ଼େଇରେ ମରିଥିବା ଦେଖାଇ ଶହ ଶହ ଆଦିବାସୀ, ଦଳିତ ଏବଂ ଅନ୍ୟାନ୍ୟ କର୍ମୀଙ୍କୁ ପୁଲିସ ହତ୍ୟା କରିଛି । ସେମାନେ ବି ପୁଲିସକୁ ଆକ୍ରମଣ କରିଛନ୍ତି । ଅଫିସର ଓ ରାଜନୈତିକ ନେତାଙ୍କୁ ଅପହରଣ କରି ପିପୁଲ୍‍ସ ୱାର ଗ୍ରୁପ ନିଜ ନେତାଙ୍କୁ ମୁକ୍ତ କରିବାକୁ ଅନେକଥର ସଫଳ ହୋଇଥିବାର ଦାବି କରିଛି । ତେଲେଙ୍ଗାନା ଅଞ୍ଚଳରେ ଏବେ ବି ତାଙ୍କର ଜନ-ସମର୍ଥନ ରହିଥିବାର ସୂଚନା ମିଳେ । କିନ୍ତୁ ଦଳରେ ବିଭାଜନ ଘଟିଛି ଏବଂ ପ୍ରସିଦ୍ଧି ନେତା କୋଣ୍ଡାପଲ୍ଲୀ ସିତାରାମାୟାଙ୍କୁ ସରକାର ବନ୍ଦୀ କରିଛନ୍ତି । ମାର୍କସବାଦୀ କମ୍ୟୁନିଷ୍ଟ ସେଣ୍ଟର, ପାର୍ଟି ଏକତା ଏହି ଦୁଇଟି ଛୋଟ ଦଳ ସହିତ ସେମାନେ ମିଶି ତାଙ୍କର ବିପ୍ଳବ ରାଜନୀତି ଚଳାଇଛନ୍ତି ।

 

ବିହାରରେ ବିନୋଦ ମିଶ୍ରଙ୍କ ନେତୃତ୍ଵରେ ଲିବରେସନ (ମୁକ୍ତି) ଦଳର ଏକ ଅଙ୍ଗ ହେଲା-। ଭାରତୀୟ ଗଣସାମ୍ମୁଖ୍ୟ ବା ଆଇ,ପି,ଏଫ । ଏହାର ଅଧ୍ୟକ୍ଷ ହେଲେ ଶ୍ରୀ ନାଗଭୂଷଣ ପଟ୍ଟନାୟକ-। ଆଇ,ପି,ଏଫ ନିର୍ବାଚନ ଭାଗ ନେଇଛି । ବିହାର ବିଧାନସଭା ଏବଂ କେନ୍ଦ୍ରରେ ଲୋକସଭାରେ ତା’ର ପ୍ରତିନିଧି ନିର୍ବାଚିତ ହୋଇ ଆସିଛନ୍ତି । କଂଗ୍ରେସ ବିରୋଧୀ ଆନ୍ଦୋଳନରେ ଏହି ସାମ୍ମୁଖ୍ୟ ସାମିଲ ହୋଇଛି । ସାମ୍ପ୍ରଦାୟିକତା ବିରୋଧୀ ଆନ୍ଦୋଳନରେ ମଧ୍ୟ ସକ୍ରିୟ ରହିଛି ।

 

ଆଉ ଗୋଟିଏ ଧାରା ହେଲା ସ୍ଵର୍ଗତ ନାଗିରେଡ଼ୀଙ୍କ ସହକର୍ମୀମାନେ ପୁଣି ଏକତ୍ରିତ ହୋଇ UCCRI ସହିତ ମିଶି ୧୯୯୩ ମଧ୍ୟଭାଗରେ ଏକ ନୂତନ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ତାଙ୍କର ମୁଖପତ୍ର “ଜବଶକ୍ତି” ଏହି ନାମରେ ଏମାନେ ପରିଚିତ ।

 

ବିପ୍ଳବ ରାଜନୀତିରେ ଏତେ ବର୍ଷ ଅଭିଜ୍ଞତାରୁ ପ୍ରଶ୍ନ ଉଠେ, କାହିଁକି ଭାରତର ରାଜନୀତିରେ ବିପ୍ଳବବାଦୀମାନେ ଏବେ ବି ଏକ କ୍ଷୁଦ୍ର ଶକ୍ତି ? ଖାଲି କ’ଣ ରଣନୀତିରେ ଅଭାବ ଥିବାରୁ ସେମାନେ ଦୁର୍ବଳ ନାଁ ମୂଳତତ୍ତ୍ଵର ବୁଝାମଣାରେ କୌଣସି ପ୍ରଶ୍ନ ରହିଛି ? ତାହାକୁ ଆଖି ଆଗରେ ରଖି ଆମେ କେତୋଟି ତାତ୍ତ୍ୱିକ ପ୍ରଶ୍ନ ବିଚାରକୁ ନେବା ।

 

ବିପ୍ଳବ କ’ଣ ?

 

ଗଲା କିଛିବର୍ଷ ଭିତରେ ବିପ୍ଳବ ଉପରେ ଅନେକ ନୂତନ ଚର୍ଚ୍ଚା ଚାଲିଛି । ୧୯୮୮ ରେ ବ୍ରିଟିଶ ଗୌରବ କ୍ରାନ୍ତି (Glorious Revolution)ର ତୃତୀୟ ଶତବାର୍ଷିକ ପାଳନ କରଯାଇଥିଲା । ଗଣତନ୍ତ୍ରଠାରୁ ଲୋକ ପ୍ରତିନିଧିମାନଙ୍କୁ ସଂସଦ କ୍ଷମତାହାସଲ କରିବାକୁ ପକ୍ରିୟା ୟୁରୋପରେ ଏହିବିପ୍ଳବଠାରୁ ତ୍ଵରାନ୍ୱିତ ହୋଇଥିଲା । ୧୯୮୯ରେ ମହାନ ଫରାସୀ ବିପ୍ଳବର ଦ୍ଵିତୀୟ ଶତାବ୍ଦୀ ପୂରଣ ବିଶ୍ଵସାରା ପାଳିତ ହୋଇଥିଲା । “ସ୍ଵାଧୀନତା,ସମତା ଓ ଭ୍ରାତୃତ୍ଵ”ର ଧ୍ୱନି ଯୋଗୁ ବିଶ୍ଵଇତିହାସ ଉପରେ ଏହାର ପ୍ରଭାବ ଖୁବ୍ ବେଶୀ । କିନ୍ତୁ ସେଇ ବର୍ଷ ଚୀନ ରାଜଧାନୀ ପେଇଚିଂରେ ଥିଏନଆନମେନ୍ ପ୍ରାଙ୍ଗଣରେ ଯୁବାଛାତ୍ରଙ୍କ ଗଣତନ୍ତ୍ରବାଦୀ ପ୍ରଦର୍ଶନ ଉପରେ ସରକାରଙ୍କର ଯେଉଁ ନିର୍ମମ ଅତ୍ୟାଚାର ତାହା ଯୋଗୁ ଚୀନ ବିପ୍ଳବର ୪୦ତମ ବାର୍ଷିକୀ ପାଳନର ଆଉ ପ୍ରାଧାନ୍ୟ ରହିଲା ନାହିଁ । ତା’ପରେ ପୂର୍ବ ୟୁରୋପରେ କମ୍ୟୁନିଷ୍ଟ ପାର୍ଟି ସରକାରମାନଙ୍କର ପତନ ହେଲା । ଜର୍ମାନୀର ଏକୀକରଣ ହେଲା । ୧୯୯୧ରେ ସୋଭିଏତ ୟୁନିଅନ ଭୁଷୁଡ଼ି ପଡ଼ିଲା ଏବଂ ୟେଲତ୍‍ସିନଙ୍କ ନେତୃତ୍ଵରେ କମ୍ୟୁନିଷ୍ଟ ବିରୋଧୀ ଶାସନ ଆରମ୍ଭ ହେଲା ।

 

ଏହି ପରିସ୍ଥିତିରେ ବିପ୍ଳବ କ’ଣ, ତା ସମ୍ପର୍କରେ ଅନେକ ଚର୍ଚ୍ଚା । ଚାଲିଲା । ଏ ଯେଉଁ କମ୍ୟୁନିଷ୍ଟ ପାର୍ଟି ଶାସନର ପତନ, ଏହା ବିପ୍ଳବ କି ନୁହେଁ, ସେ ବିଷୟରେ ତର୍କ ଚାଲିଲା । କେତେକ କହିଲେ ଏକତ୍ରବାଦକୁ ପରାସ୍ତ କରାଗଲା । ଆଉ କେତେକ କହିଲେ ଏଗୁଡ଼ିକ ପ୍ରତି ବିପ୍ଳବ (Counter-revolution) । ସେ ପ୍ରଶ୍ନର ପୁଙ୍ଖାନୁପୁଙ୍ଖ ଆଲୋଚନା ଏଠାରେ କରିହେବ ନାହିଁ । ସୋଭିଏତ ଓ ପୂର୍ବ ୟୁରୋପରେ ସମାଜବାଦ ନଥିଲା । ଏକ କେନ୍ଦ୍ରୀଭୂତ ଏକଛତ୍ରବାଦୀ ଅମଲାତନ୍ତ୍ର ଥିଲା । ତେବେ ବି ଏ ଯେଉଁ ଘଟଣା ତାହାକୁ କ୍ରାନ୍ତି ବୋଲି କହି ହେବନାହିଁ । କାରଣ ସାମାଜିକ ପରିବର୍ତ୍ତନର ଆଭିମୁଖ୍ୟ ସଂକୀର୍ଣ୍ଣ ଥିଲା । ଅବଶ୍ୟ ଶାସନତତ୍ଵ ବଦଳିଲା ଏବଂ ସମାଜରେ ଉଦାରବାଦୀ ନୀତି ପ୍ରଚଳିତ ହେଲା । କିନ୍ତୁ ଶାସନ ବଦଳିବାର ଆଭିମୁଖ୍ୟ ଓ ସମାଜ ପରିବର୍ତ୍ତନ ଲକ୍ଷ୍ୟ ପ୍ରଗତିଶୀଳ ନଥିଲା ।

 

ଏହି ଅନୁଭୂତିକୁ ଆଖିରେ ବିପ୍ଳବ କ’ଣ, ତାର ଲକ୍ଷ୍ୟ ଓ ଉପାୟମାନ କ’ଣ ସେ ବିଷୟରେ ଯତ୍ନର ସହିତ ଆଲୋଚନା କରାଯିବା ଉଚିତ୍ ।

 

ବୈପ୍ଳବିକ ପରିବର୍ତ୍ତନର ବିଭିନ୍ନ ଦିଗ

 

ଲେନିନ କହିଛନ୍ତି ହାସଲ କରି ଶୋଷିତ ଶ୍ରେଣୀ ନୂଆ ବ୍ୟବସ୍ଥା ଗଠନ କରିବା ହେଲା ବିପ୍ଳବ । ଏହାକୁ ଦୁଇଟି ଅର୍ଥରେ ବୁଝା ଯାଇଛି । ଗୋଟିଏ ହେଲା ଶାସକ ଶ୍ରେଣୀର ସୈନ୍ୟବାହିନୀ, ପୁଲିସ, ଅମଲାତନ୍ତ୍ରକୁ କ୍ଷମତାଚ୍ୟୁତ କରି ଶୋଷିତ ଶ୍ରେଣୀ ନିଜର ସୈନ୍ୟ ଇତ୍ୟାଦିଦ୍ଵାରା ନୂଆ ରାଜ୍ୟ ବ୍ୟବସ୍ଥାକୁ ଓ ଶାସନ କଳ ପ୍ରତିଷ୍ଠା କରିବା । ବାସ୍ତବରେ ଏଇ ଅନୁସାରେ ସୋଭିଏତ ୟୁନିଅନ, ପୂର୍ବ ୟୁରୋପ, ଚୀନ ଇତ୍ୟାଦିରେ ବିପ୍ଳବ ପରବର୍ତ୍ତୀ ବ୍ୟବସ୍ଥା ଗଢ଼ାଯାଇଥିଲା । ଅର୍ଥାତ ମୂଳତଃ ରାଜନୈତିକ କ୍ଷମତା ହସ୍ତାନ୍ତର କରାଗଲା । କମ୍ୟୁନିଷ୍ଟ ପାର୍ଟି ତାର ସୈନ୍ୟବାହିନୀ ଜରିଆରେ ନୂଆ ଶାସନ ବସାଇଲା । ଅବଶ୍ୟ ଲୋକ ସମର୍ଥନ ଏବଂ ଆନ୍ଦୋଳନ ଜରିଆରେ ଚୀନ ଓ ଅନ୍ୟାନ୍ୟ ଅନେକ ଦେଶରେ ବିପ୍ଳବୀ ଦଳ କ୍ଷମତା ହାସଲ କଲେ-

 

କିନ୍ତୁ ରାଜନୈତିକ କ୍ଷମତା ହାସଲ ବିପ୍ଳବର ଏକ ମାତ୍ର ଲକ୍ଷ୍ୟ ନୁହେଁ । ତେଣୁ ଲେନିନଙ୍କ ଭକ୍ତିର ଅନ୍ୟ ଏକ ତାତ୍ପର୍ଯ୍ୟ ହେଲା ରାଜନୈତିକ କ୍ଷମତା ହାସଲ ସଙ୍ଗେ ସଙ୍ଗେ ଅର୍ଥନୀତି, ସଂସ୍କୃତି ଓ ସମାଜର ଜନବାଦୀ ପରିବର୍ତ୍ତନ ହେଲେ ଯାଇ ବିପ୍ଳବ ସଫଳ ହେଲା ବୋଲି ବୁଝିବାକୁ ହେବ । ରାଜନୈତିକ କ୍ଷମତା ହାସଲ କରିସାର ଅର୍ଥନୀତିର ସାଧାରଣତଃ ପରିବର୍ତ୍ତନ ଅଣାଯାଏ । ଜମିଦାରୀ ବିଲୋପ, ଶିଳ୍ପ ଜାତୀୟ କରଣ, ସାମୂହିକ କୃଷି ବ୍ୟବସ୍ଥା ଇତ୍ୟାଦି ତା’ର ପ୍ରମାଣ । ରାଜନୈତିକ ଓ ଅର୍ଥନୈତିକ ପରିବର୍ତ୍ତନ ଯଥେଷ୍ଟ ନୁହେଁ । ସାଂସ୍କୃତିକ ଓ ସାମାଜିକ ପରିବର୍ତ୍ତନ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ସେଇଥିପାଇଁ ସାଂସ୍କୃତିକ ବିପ୍ଳବ ଦ୍ଵାରା ସମାଜରେ ଜନବାଦୀ ଚେତନା ଓ ଆଭିମୁଖ୍ୟରେ ସୃଷ୍ଟି ବିପ୍ଳବର ଏକ ପ୍ରଧାନ ଅଙ୍ଗ । ସମାଜରେ ଶ୍ରେଣୀ–ବିଭେଦ ସଙ୍ଗେ ସଙ୍ଗେ ଆହୁରି ଅନେକ ପ୍ରକାର ବିଭେଦ ଓ ଶୋଷଣ ରହିଛି । ଉଚ୍ଚ ଜାତିଙ୍କ ଦ୍ଵାରା ତଳ ଜାତି ବିଶେଷ କରି ଦଳିତ ବା ହରିଜନଙ୍କର ନିଷ୍ପେଷଣ ଏକ ଗୋଷ୍ଠୀ ଦ୍ଵାରା ଅନ୍ୟ ଗୋଷ୍ଠୀ (ଆଦିବାସୀ ହେଉ ବା ଅନ୍ୟ କୌଣସି ଦୁର୍ବଳଶ୍ରେଣୀ ହେଉ)ର ଅଥବା ପୁରୁଷଦ୍ଵାରା ନାରୀର ଦମନ କେତୋଟି ଦୃଷ୍ଟାନ୍ତ । ଏହି ସବୁ ପ୍ରକାଏ ବିଭେଦ ଓ ଶୋଷଣର ସମାପ୍ତି ନ ହେଲେ ବିପ୍ଳବ ସଂପୂର୍ଣ୍ଣ ହୁଏ ନାହିଁ ।

 

ମାର୍କସବାଦୀ ଚିନ୍ତା ଭିତ୍ତିରେ ଯେଉଁ ବିପ୍ଳବୀ ସଂଗଠନମାନେ ବିଂଶ ଶତାବ୍ଦୀରେ ବାହାରୁଚନ୍ତି, ପ୍ରାୟ ସମସ୍ତେ ଏହି କ୍ଷେତ୍ରରେ ଭୁଲ କରିଛନ୍ତି । ଭାରତରେ କମ୍ୟୁନିଷ୍ଟମାନେ (ନକସଲୀପନ୍ଥୀଙ୍କ ସମେତ) ସେଥିରୁ ବାଦ ଯିବେନାହିଁ । ସେମାନେ ବିପ୍ଳବକୁ ମୁଖ୍ୟତଃ ରାଜନୈତିକ କ୍ଷମତା ହାସଲ ବୋଲି ଧରିଛନ୍ତି । ସେଥିରେ ଅର୍ଥନୀତିକୁ ଯୋଡ଼ିଛନ୍ତି । କିନ୍ତୁ ସାଂସ୍କୃତିକ ଓ ସାମାଜିକ ପରିବର୍ତ୍ତନ ଉପରେ ନିଜର ଦେଇନାହାନ୍ତି । ଦ୍ଵିତୀୟତଃ, ସେମାନେ କେବଳ ଶ୍ରେଣୀ ସଂଘର୍ଷର ରାଜନୀତିକୁ ବୁଝିଛନ୍ତି । ଶ୍ରେଣୀ ସଂଘର୍ଷକୁ ଜାତିପ୍ରଥା ପ୍ରଶ୍ନ, ନାରୀ ପୁରୁଷ ବିଭେଦ ପ୍ରଶ୍ନ ଏବଂ ଧର୍ମ ବିଭେଦ ଇତ୍ୟାଦି ସାଂସ୍କୃତିକ ପ୍ରଶ୍ନ ସହିତ ଯୋଡ଼ି ପାରିନାହାନ୍ତି । ସେଇଥିପାଇଁ ସାମାଜିକ ବିଶ୍ଳେଷଣ ଓ ଆନ୍ଦୋଳନର ରଣନୀତିରେ ଏବେ ବି ବହୁ ଦୁର୍ବଳତା ରହିଯାଇଛି । ଆନ୍ଦୋଳନର ଆରମ୍ଭରୁ ଏବଂ ସଂଗଠନର ଦୈନନ୍ଦିନ କାର୍ଯ୍ୟକ୍ରମରେ ଯେ ଏହି ସବୁ ପ୍ରଶ୍ନର ଚର୍ଚ୍ଚା କରି ବିକଳ୍ପକୁ କାର୍ଯ୍ୟରେ ପ୍ରଦର୍ଶନ କରିବା ଆବଶ୍ୟକ ତାହା ଏ ଯାଏ ବିପ୍ଳବୀମାନେ ହୃଦୟଙ୍ଗମ କରିନାହାନ୍ତି । “ରାଜନୈତିକ କ୍ଷମତା ତାହାକୁ ଆସିଲେ ସବୁ କିଛି କରିବା” ‘‘ସମାଜବାଦ ଆସିଲେ ସବୁ ସାମାଜିକ ପ୍ରଶ୍ନ ସମାଧାନ ହୋଇଯିବ”–ଏଇ ଭୁଲ୍‍ ମନୋବୃତ୍ତି ଏବେ ବି ରହିଛି । ଅବଶ୍ୟ ସାମାଜିକ ପରିବର୍ତ୍ତନ ତଥା ବିପ୍ଳବର ବିଭିନ୍ନ ସ୍ତର ରହିଛି । ପ୍ରତ୍ୟେକ ସ୍ତରରେ ନିର୍ଦ୍ଦିଷ୍ଟ ପ୍ରକାର କାର୍ଯ୍ୟକ୍ରମ ହାସଲ କରି ହେବ । କିନ୍ତୁ ସେଇ ନିର୍ଦ୍ଦିଷ୍ଟ ସ୍ତରରେ ମଧ୍ୟ ଏହି ବହୁମୁଖୀ ମୁକ୍ତିର ପରିପ୍ରେକ୍ଷୀକୁ ସାମନାରେ ରଖିବାକୁ ହେବ । ସାମନ୍ତବାଦକୁ ଧ୍ଵଂସ କରିବା ଖାଲି ଏକ ରାଜନୈତିକ କାମ ନୁହେଁ । ପାରମ୍ପରିକ ଅର୍ଥରେ ଦେଖିଲେ ବି ବହୁମୁଖ୍ୟ ଶୋଷଣ-ବ୍ୟବସ୍ଥାକୁ ବୁଝିବାରେ ସାମନ୍ତବାଦ ଓ ପୁଞ୍ଜିବାଦ ଶବ୍ଦାବଳୀ ଯଥେଷ୍ଟ ହୋଇ ନପାରେ । ତେବେ ଶ୍ରେଣୀ ବ୍ୟବସ୍ଥା ଯେ ସମାଜର ଏକ ସାମଗ୍ରିକ ଚିତ୍ର ଦିଏ ଏବଂ ଶ୍ରେଣୀ-ବିଭକ୍ତ ସମାଜକୁ ନ ବଦଳାଇଲେ ଯେ ଅନ୍ୟ କାର୍ଯ୍ୟକ୍ରମ ସଫଳ ହେବା ସମ୍ଭବ ନୁହେଁ ତାହା ଇତିହାସରୁ ସ୍ପଷ୍ଟ ।

 

ବିପ୍ଳବ ବହୁମୁଖୀ ମୁକ୍ତିର ଏକ ପର୍ଯ୍ୟାୟ । ନିଷ୍ପେଷିତ ଜନତାର ମୁକ୍ତି, ସ୍ଵାଧୀନତା ହାସଲ ଏ ସବୁ ପ୍ରକାର ବିଭେଦ ଭିତରେ ଯୋଗସୂତ୍ର ସ୍ଥାପନ କରି ତାହା ବିରୁଦ୍ଧରେ ସଂଗ୍ରାମ କରେ । ଓଡ଼ିଶାର ଜଣେ ଭୂମିହୀନ ଦଳିତ ମହିଳା ପାଇଁ ଖାଲି ଭୂମି ବଣ୍ଟନ ଯଥେଷ୍ଟ ନୁହେଁ । ଜାତି ପ୍ରଥାକୁ ଓଲଟାଇ ତାକୁ ସାମାଜିକ ନ୍ୟାୟ ଓ ସମ୍ମାନ ଦେବା, ନାରୀ ହିସାବରେ ଯେଉଁ ସବୁ ସୁଯୋଗ ଅଧିକାରରୁ ସେ ବଞ୍ଚିତା ତାହା ଯୋଗାଇ ଦେବା ଏବଂ ଅନଗ୍ରସର ଓଡ଼ିଶାର ଜଣେ ଅଧିବାସୀ ଭାବେ ସେ ଯେଉଁ ଭାବରେ ସର୍ବ ଭାରତୀୟ ପୁଞ୍ଜିବାଦୀ ବିକାଶଧାରାର ଶିକାରୀ, ତା ବିରୁଦ୍ଧରେ ଲଢ଼ିବା—ଏ ସବୁ ଗୁରୁତ୍ଵ ପୂର୍ଣ୍ଣ । ଭୂମି ନଥିବା ମଧ୍ୟ ଏ ସବୁର ଫଳ । ଏହି ବିବିଧ ଅନ୍ୟାୟର ପରସ୍ପର ସହିତ ସଂପର୍କ ଆବିଷ୍କାର କରି ପ୍ରତ୍ୟେକ କ୍ଷେତ୍ରରେ ମୁକ୍ତି ପାଇଁ ଉଦ୍ୟମ କରିବା ଏବଂ ସେମାନଙ୍କୁ ସଂଯୁକ୍ତ କରିବା ହେଲା ବିପ୍ଳବର କାର୍ଯ୍ୟକ୍ରମ ।

 

ମୁକ୍ତି ଏବଂ ସ୍ଵାଧୀନତା ଯଦି ବିପ୍ଳବର ମୂଳ ହୁଏ, ତେବେ ରାଜଶକ୍ତିର ସଞ୍ଚାଳନ ମଧ୍ୟ ସେହି ଅନୁସାରେ କରାଯିବା ଆବଶ୍ୟକ । ନିଷ୍ପୋଷିତ ଜନତାର ଦଳ କ୍ଷମତା ହାସଲ କଲାପରେ ଯେଉଁ ଶାସନ ବ୍ୟବସ୍ଥା ସ୍ଥାପନ କରେ, ତାହା ସେହି ଜନତାର ଗଣତନ୍ତ୍ର ହୋଇଥାଏ । ସେଥିପାଇଁ ସୋଭିଏତ ୟୁନିଅନ ପ୍ରତିଷ୍ଠା ହେଲାପରେ ତାହାକୁ “ସର୍ବହରାର ଏକଛତ୍ରବାଦ” ଆଖ୍ୟା ଦିଆଯାଇଥିଲା । ଚୀନରେ ୧୯୪୯ ପରେ “ଜନତାର ଗଣତାନ୍ତ୍ରିକ ଏକଛତ୍ରବାଦ” ପ୍ରତିଷ୍ଠା ଘୋଷିତ ହୋଇଥିଲା । ଏହାର ଅର୍ଥ ନୁହେଁ ଯେ ୧୯୧୭ (ରୁଷବିପ୍ଳବ) ୧୯୨୨ (ସୋଭିଏତ ୟୁନିଅନ ଗଠନ)ରେ ସର୍ବହରା କ୍ଷମତା ହାସଲ କରି ତାର ଅଧିକାର ସବୁ କ୍ଷେତ୍ରରେ ସାବ୍ୟସ୍ତ କଲା-। ସେହିପରି ଚୀନରେ ଶ୍ରମିକ, ଚାଷୀ, ମଧ୍ୟମଶ୍ରେଣୀ ଓ ରାଷ୍ଟ୍ରୀୟ ପୁଞ୍ଜିପତିମାନେ ଯେ ସାଙ୍ଗେ ସାଙ୍ଗେ ଗଣତନ୍ତ୍ର ହାସଲ କଲେ ଓ ଜୀବନରେ ତାହା ଚରିତାର୍ଥ ହେଲା, ତାହା ନୁହେଁ । ତା’ର ଅର୍ଥ ହେଲା ଶୋଷିତ ଶ୍ରେଣୀର ରାଜନୈତିକ ଦଳ ଯେଉଁ କ୍ଷମତା ଲାଭକଲେ ତା’ପରେ ଏହି ପ୍ରକାର ଗଣତନ୍ତ୍ର ଜନତା ହାସଲ କରିବାର ସମ୍ଭାବନାର ଏକ ଭିତ୍ତି ସୃଷ୍ଟି ହେଲା । ଏହି ସମ୍ଭାବନାକୁ ବାସ୍ତବରେ ଚରିତାର୍ଥ କରିବା ପାଇଁ ବହୁବର୍ଷ କାର୍ଯ୍ୟକ୍ରମ ଲୋଡ଼ା । ବିଶେଷକରି ଗଣତାନ୍ତ୍ରିକ ଧାରାରେ ଲୋକମାନଙ୍କୁ ଶାସନ ପ୍ରଣାଳୀରେ ଭାଗୀଦାର କରିବା, ମାନବିକ ଅଧିକାର ଓ ଅନ୍ୟାନ୍ୟ ଗଣତାନ୍ତ୍ରିକ ଅଧିକାର ହାସଲ କରି ଶ୍ରମିକ ଓ ଚାଷୀ ଓ ସେମାନଙ୍କର ସହଯୋଗୀ ବୁଦ୍ଧିଜୀବୀ କିପରି ଗଣତନ୍ତ୍ରର ବାସ୍ତବ ଜୀବନରେ କାର୍ଯ୍ୟକାରୀ କରିବେ, ତାହା ଗୁରୁତ୍ଵପୂର୍ଣ୍ଣ । କିଭଳି ଅର୍ଥନୈତିକ, ସାଂସ୍କୃତିତ ଓ ସାମାଜିକ ପରିବର୍ତ୍ତନ ଫଳରେ ଏହି ବିପ୍ଳବର ଲକ୍ଷ୍ୟ ସାଧନ ହେବ ଏବଂ ଜନତାର ଗଣତନ୍ତ୍ର ସୃଷ୍ଟି କରିବା ଦିଗରେ ଦେଶ ଆଗେଇବ ତାହା ଦେଖିବାକୁ ହେବ-। କାରଣ ବିପ୍ଳବର ବିରୋଧୀ ବା ଶୋଷକ ଶ୍ରେଣୀଙ୍କ ପାଇଁ ହେଲା ଏହି ରାଷ୍ଟ୍ର “ଏକଛତ୍ରବାଦ” । କିନ୍ତୁ ବିପ୍ଳବୀ ଶ୍ରେଣୀମାନଙ୍କ ପାଇଁ ଏହା ଗଣତନ୍ତ୍ର । ସେମାନଙ୍କର ବିଭିନ୍ନ ସଙ୍ଗଠନ ଓ ପରସ୍ପର ସହିତ ମତାନ୍ତର ଥିବା ରାଜନୈତିକ ଦଳ ମଧ୍ୟ ଏ ବିପ୍ଳବାତ୍ତର ସମାଜରେ ରହିପାରିବେ ।

 

କିନ୍ତୁ କମ୍ୟୁନିଷ୍ଟ ସରକାରମାନେ “ସମ୍ଭାବନା” ଟିକୁ ପ୍ରତିଷ୍ଠିତ ବା ଚରିତାର୍ଥ ହୋଇସାରିଛି ବୋଲି ଭାବି ନେଇଛନ୍ତି । ସୋଭିଏତ ୟୁନିଅନର ଅଧଃପତନର ମୂଳ କାରଣ ହେଲା ଗଣତନ୍ତ୍ର ଗଠନ କରିବାରେ ହେଲା । ସର୍ବହରା ନାଁରେ କମ୍ୟୁନିଷ୍ଟ ଦଳ ଓ ତା’ର ନେତାମାନେ ବା କୌଣସି ଜଣେ ନେତା ସବୁ କ୍ଷମତା ଠୁଳ କରି ଦେଶ ଚଳାଇ ସବୁ ପ୍ରକାର ବିରୋଧୀକୁ ନିଶ୍ଚିହ୍ନ କରିଦେଲେ-। ତେଣୁ ବିପ୍ଳବକୁ ଯଦି ଆମେ ମୁକ୍ତିର ପ୍ରବାହ ବୋଲି ମାନିବା ଗଣତନ୍ତ୍ରକୁ କାର୍ଯ୍ୟକାରୀ ବସ୍ତୁବାଦର ଏକ ମୌଳିକ ସୂତ୍ର କାର୍ଯ୍ୟକାରୀ ହେବ । ତା’ ହେଲା ଆତ୍ମ-ସଂଶୋଧନ ତତ୍ତ୍ୱ । କାର୍ଯ୍ୟ କ୍ଷେତ୍ରରେ ଆମର ଭାବନା ନୀତିର ସତ୍ୟତା ଓ ଉପଯୋଗିତା ପରୀକ୍ଷା କରି ଆଗେଇବା । ସେଥିପାଇଁ ଗଣତନ୍ତ୍ର ବିରୋଧୀ ମତକୁ ସମ୍ମାନ, ସହନଶୀଳତା ବିପ୍ଳବକୁ ଆଗେଇବା ପାଇଁ ସଂଘର୍ଷର ଅଙ୍ଗ ହେବା ଅତ୍ୟନ୍ତ ଦରକାର ।

 

ହିଂସାର ସମସ୍ୟା

 

ବିପ୍ଳବକୁ ହିଂସା ଜରିଆରେ ସମାଜର ଆମୂଳଚୂଳ ପରିବର୍ତ୍ତନ ବୋଲି ବ୍ୟାଖ୍ୟା କରାଯାଏ । କିନ୍ତୁ ଏ ତତ୍ତ୍ଵଟି ସମ୍ବନ୍ଧରେ ଅନେକ ଭୁଲବୁଝାମଣା ରହିଛି ।

 

ହିଂସା ବା Violenceର ଅର୍ଥ ହେଲା ମାନବିକ ମୂଲ୍ୟବୋଧର ମୌଳିକ ଲଙ୍ଘନ । ମଣିଷକୁ ସମ୍ମାନ ନଦେଇ ତାକୁ ଆଘାତ କରିବା, ହତ୍ୟା କରିବା, ଧନସମ୍ପତ୍ତି ଲୁଟ କରିବା, ସାଂସ୍କୃତିକ କ୍ଷେତ୍ରରେ ଭଙ୍ଗାରୁଜା କରିବା ହେଲା ହିଂସା । ଏ ପ୍ରତ୍ୟେକ କ୍ଷେତ୍ରରେ ମାନବ-ସଭ୍ୟତା ବର୍ତ୍ତମାନ ଯାହାକୁ ମାନିବାକୁ ମୂଲ୍ୟ ବୋଲି ଧରିଛି, ତାହାର ଲଙ୍ଘନ କରାଯାଏ । ଅବଶ୍ୟ ଏହାର ଅନେକ ଦିଗ ଓ ବିଭିନ୍ନ ଦୃଷ୍ଟାନ୍ତ ରହିଛି, ତାହା ବିଶଦଭାବେ ଏଠାରେ ବିଚାର କରି ହେବନାହିଁ ।

 

ତେବେ ଗୋଟିଏ କଥା ସ୍ପଷ୍ଟ ଯେ ମାନବବାଦୀ, ଗଣତନ୍ତ୍ରବାଦୀ ବିପ୍ଳବୀମାନେ ହିଂସାକୁ ତାଙ୍କର ଧର୍ମ ରୂପେ ଗ୍ରହଣ କରିପାରିବେ ନାହିଁ । କାରଣ ମାନବିକ ମୂଲ୍ୟକୁ ଚରିତାର୍ଥ କରିବା ପାଇଁ ବିପ୍ଳବ କରାଯାଇଥାଏ । ଶୋଷଣରୁ ମୁକ୍ତକରି ମଣିଷକୁ ଏକ ସମତା ଓ ସ୍ଵାଧିକାରସମ୍ପନ୍ନ ସମାଜରେ ବଞ୍ଚିବାର ସୁଯୋଗ ଦେବା ବିପ୍ଳବର ଲକ୍ଷ୍ୟ । ଯେଉଁ ଶ୍ରେଣୀ ଓ ଜାତି ବ୍ୟବସ୍ଥା ଦ୍ଵାରା ମଣିଷକୁ ଶୋଷଣଗ୍ରସ୍ତ ହେବାକୁ ପଡ଼ିଥାଏ, ତାହା ମାନବିକ ମୂଲ୍ୟବୋଧକୁ ଲଙ୍ଘନ କରିଥାଏ । ତେଣୁ ବିପ୍ଳବୀ ଚାହେଁ ସେ ଲଙ୍ଘନ ବନ୍ଦ ହେଉ ଏବଂ ନୂଆ ସାମାଜିକ ବ୍ୟବସ୍ଥାକୁ ପ୍ରତିଷ୍ଠା ହେଉ, ଯାହା ଫଳରେ ମାନବିକ ମୂଲ୍ୟବୋଧ ଚରିତାର୍ଥ ହେବ, ତେଣୁ ମାନବ ସଭ୍ୟତାର ମୌଳିକ ମୂଲ୍ୟବୋଧକୁ ବାସ୍ତବରେ କାର୍ଯ୍ୟ କରିବା ବିପ୍ଳବୀର ଧର୍ମ, ହିଂସା ଓ ସହିଂସ ଉପାୟରେ ଲଙ୍ଘନ ତାର ଧର୍ମ ନୁହେଁ ।

 

କିନ୍ତୁ ସମାଜରେ ଯେଉଁ ଶ୍ରେଣୀ ବ୍ୟବସ୍ଥା ରହିଛି, ତା’ ଦ୍ଵାରା ଦୈନନ୍ଦିନ ଜୀବନରେ ଶୋଷିତ ଶ୍ରେଣୀ ଯଥା ଚାଷୀ, ଭୂମିହୀନ, ଇତ୍ୟାଦି ମୌଳିକ ମାନବିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଦଳିତ ବା ହରିଜନ, ଆଦିବାସୀମାନେ ଉଚ୍ଚ ଜାତିଙ୍କ ଦ୍ଵାରା ନିସ୍ପେଷିତ ହୋଇ ରହିଛନ୍ତି-। ପୁରୁଷକୈନ୍ଦ୍ରୀକ ବ୍ୟବସ୍ଥାର ଶିକାର ହୋଇଛି ନାରୀ । ଏହା ହେଲା ବ୍ୟବସ୍ଥାଗତ ହିଂସା ବା ଅତ୍ୟାଚାର । ଏଥିସଙ୍ଗେ ସଙ୍ଗେ ରାଜ୍ୟ ଓ ଶାସନ ବ୍ୟବସ୍ଥାରେ ମାତ୍ର କେତେକ ଲୋକଙ୍କ ହାତରେ କ୍ଷମତା ରହିଛି । ଆଉ ଅନେକ ପ୍ରାୟ ଅସହାୟ । ଯଦି ଚାଷୀ ବା ଆଦିବାସୀ କେହି ସେ ବ୍ୟବସ୍ଥାର ପରିବର୍ତ୍ତନ ଦାବି କଲେ, ତେବେ ଶାସକମାନେ କହନ୍ତି ଯେ ଆଇନଗତଭାବେ ଧୀରେ ଧୀରେ ପରିବର୍ତ୍ତନ ହେଉଛି । ସେଥିରେ ସନ୍ତୁଷ୍ଟ ହେବ ଉଚିତ । ତାହା ହେଉଛି ଉଦାରବାଦୀ ଗଣତନ୍ତ୍ରର ଆଭିମୁଖ୍ୟ । ସେଥିରେ ସନ୍ତୁଷ୍ଟ ନହୋଇ ଯଦି ଶୋଷିତ ଗୋଷ୍ଠୀ ଆହୁରି ଦାବି ଉପସ୍ଥିତ କଲେ, ତେବେ ପୁଲିସ ଓ ସଶସ୍ତ୍ରବାହିନୀ ଏପରିକି ସୈନ୍ୟ ଲଗାଇ ରାଷ୍ଟ୍ର ସେ ଆନ୍ଦୋଳନକୁ ଦବାଇବାକୁ ଚେଷ୍ଟା କରେ । ତେଣୁ ଦେଖିବା କଥା ଯେ ସମାଜର ଶ୍ରେଣୀ ଓ ଜାତି ବ୍ୟବସ୍ଥା ଏବଂ ରାଷ୍ଟ୍ରର ଶାସନ ପ୍ରଣାଳୀରେ ହିଂସା ଜଡ଼ିତ ।

 

ତେଣୁ ସେ ବ୍ୟବସ୍ଥାଗତ ହିଂସାର ସମ୍ମୁଖୀନ ହେବାପାଇଁ ବିପ୍ଳବୀଙ୍କୁ ପ୍ରତିହିଂସାର ଆଶ୍ରୟ ନେବାକୁ ପଡ଼େ । କିନ୍ତୁ, ତେବେ ହିଂସାକୁ ବିପ୍ଳବୀ ନିଜର ଧର୍ମ ବା ଆଦର୍ଶ ବୋଲି ମାନିବା ଭୁଲ । ଶୋଷକ ଶ୍ରେଣୀ ହିଂସା ଉପରେ ପ୍ରତିଷ୍ଠିତ, ତେଣୁ ବିପ୍ଳବୀକୁ ମଧ୍ୟ ବାସ୍ତବତଃ ପ୍ରତିପାଦିତ କରିବାକୁ ହେବ ଯେ ସେ ହିଂସାଧର୍ମୀ ନୁହେଁ । ତା’ ସଙ୍ଗେ ସଙ୍ଗେ ମନେରଖିବାକୁ ହେବ ଯେ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜରିଆରେ ଏକ ହିଂସ୍ର ଶତ୍ରୁ ବା ଶୋଷକ ଦଳର ସମ୍ମୁଖୀନ ହେବ ସମ୍ଭବ ତେବେ ତାହା ହିଁ ଶ୍ରେୟସ୍କର । ମହାତ୍ମା ଗାନ୍ଧୀ ତାହା ହିଁ ପ୍ରତିପାଦିତ କରିଛନ୍ତି । ବିରାଟ ଜନଶକ୍ତିକୁ ଉଦ୍ଦୀପ୍ତ କରି ଅସହୋଯୋଗ ଗଣଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ସତ୍ୟାଗ୍ରହ ଏବଂ ଭାରତଛାଡ଼ ଗଣ-ଆନ୍ଦୋଳନଦ୍ଵାରା ବ୍ରିଟିଶ ସାମ୍ରାଜ୍ୟବାଦର ମୁକାବିଲା କରଯାଇଥିଲା । ଅବଶ୍ୟ ଭଗତ ସିଂହ ପ୍ରଭୃତିଙ୍କ ବୈପ୍ଳବିକ ରାଜନୀତି, ସୁଭାଷ ବୋଷଙ୍କ ଆଜାଦ ହିନ୍ଦ ଫୌଜର ରଣନୀତି ତଥା ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ନୂଆ ଆନ୍ତର୍ଦେଶିକ ପରିସ୍ଥିତିର ମଧ୍ୟ ଭାରତର ସ୍ଵାଧୀନତା ଆନ୍ଦୋଳନ ଉପରେ ବେଶ୍ ପ୍ରଭାବ ପଡ଼ିଥିଲା ।

 

“ବିପ୍ଳବ ଏକ ନୈଶଭୋଜୀ ନୁହେଁ ।” “ ଧ୍ଵଂସ ନ ହେଲେ ସୃଷ୍ଟି ହୁଏନା” “ଜନତାର ନିଜର ସେନାବାହିନୀ ନ ଥିଲେ ଜନତାର ଆଦୌ କିଛି ନାହିଁ କହିଲେ ଚଳେ ।” ‘ବନ୍ଧୁ କର ବାରେଲରୁ ରାଜନୈତିକ କ୍ଷମତା ଉତ୍ପନ୍ନ ହୁଏ ।” ଏହି ସବୁ ଭକ୍ତି ମାଓ ଚ୍ଚ ତୁଙ୍ଗଙ୍କ ଲେଖାରୁ ଉଦ୍ଧାର କରାଯାଏ । ତାହାକୁ ଭିତ୍ତିକରି ନକ୍ସଲପନ୍ଥୀ ଆନ୍ଦୋଳନର ଏକ ପର୍ଯ୍ୟାୟରେ (୧୯୬୮-୬୯) ଚାରୁ ମଜୁମୁଦାର କହିଥିବାରୁ ଶୁଣାଯାଏ ଯେ ‘ଯେପର୍ଯ୍ୟନ୍ତ ଶ୍ରେଣୀ ଶତ୍ରୁ ରକ୍ତରେ ତୁମେ ହାତ ନ ବୁଡ଼ାଇଛ ସେ ପର୍ଯ୍ୟନ୍ତ ତୁମେ ପ୍ରକୃତ ବିପ୍ଳବୀ ନୁହଁ । ସେଇ ଭାବନା ଧରି ‘ଶ୍ରେଣୀ ଶତ୍ରୁ ନିଧନ’କୁ କେତେକ ନକ୍ସଲପନ୍ଥୀ ଏକ ପ୍ରାଧାନ୍ୟ ବୈପ୍ଳବିକ ରାଜନୈତିକ କାର୍ଯ୍ୟ ବୋଲି ଗ୍ରହଣ କରିଥିଲେ ।

 

କିନ୍ତୁ ମାଓଙ୍କର ସେହି ଉକ୍ତିଗୁଡ଼ିକର ସଙ୍ଗତିହୀନ ଅପ୍ରାସଙ୍ଗିକ ଉଦ୍ଧୃତିମନ ବହୁତ ଭୁଲ ବୁଝାମଣା ସୃଷ୍ଟି କରିଛି । ଚୀନ ବିପ୍ଳବରେ ଗରିଲା ଯୁଦ୍ଧ ଏକ ବ୍ୟାପକ ରାଜନୈତିକ ରଣନୀତିର ଏକ ଅଙ୍ଗ ଥିଲା । ଯୁକ୍ତ ଫ୍ରଣ୍ଟରେ ସ୍ଥାନୀୟ ଶାସନ କରିବା, ଜମିଦାର ବିରୁଦ୍ଧରେ ବଡ଼ ଚାଷୀ, ଛୋଟ ଚାଷୀ । ଭୂମିହୀନ ଓ ମଧ୍ୟବିତ୍ତ ଶ୍ରେଣୀଙ୍କୁ ଏକଯୁଟ କରିବାଠାରୁ ଆରମ୍ଭ କରି ଜାତୀୟବାଦୀ ସାହିତ୍ୟ ଓ କାଳର କ୍ଷେତ୍ରରେ କାମ କରିବା ପର୍ଯ୍ୟନ୍ତ ସବୁ କିଛି ଏହି ବୈପ୍ଳବିକ ରଣନୀତିର ଅନ୍ତର୍ଭୁକ୍ତ ଥିଲା । ମାଓଙ୍କ ଉକ୍ତିର ପୂରା ବାକ୍ୟ ହେଲା, “ବନ୍ଧୁ କର ବାରେଲରୁ ରାଜନୈତିକ କ୍ଷମତା ଉତ୍ପନ୍ନ ହୁଏ, ଏକଥା ସତ୍ୟ । କିନ୍ତୁ ଆମର ନୀତି ହେଲା ଯେ, ବନ୍ଧୁକ ସବୁବେଳେ ଆମ ରାଜନୈତିକ ଦଳଦ୍ଵାରା ପରିଚାଳିତ ହେବ । ଦଳ କେବେହେଲେ ବନ୍ଧୁକଦ୍ଵାରା ପରିଚାଳିତ ହେବ ନାହିଁ ।’ ତେଣୁ ସହିସ ଉପାୟରେ ସବୁବେଳେ ନିୟନ୍ତ୍ରଣ କରାଯିବା ଆବଶ୍ୟକ । ବିପ୍ଳବୀକୁ କେବଳ ସେତିକି ହିଂସା ପ୍ରୟୋଗ କରିବାକୁ ବାଧ୍ୟ ହେବାକୁ ପଡ଼େ । ଯେତିକି ଏକ ପରିସ୍ଥିତିରେ ନିତାନ୍ତ ଅପରିହାର୍ଯ୍ୟ ଶତ୍ରୁର ହିଂସାର ପ୍ରତିରୋଧ ପାଇଁ ଯେତିକି କମ୍ ମାତ୍ରାରେ ଆବଶ୍ୟକ । ତାହା ହିଁ ବୈପ୍ଳବିକ ହିଂସା ଯାହା ଶତ୍ରୁ ପକ୍ଷରେ ଆମନ୍ତ୍ରଣକାରୀ ହିଂସାର ଏକ ପ୍ରତ୍ୟୁତ୍ତର ।

 

ହିଂସା ଯୋଗୁ ସଂଗଠନରେ ନେତୃତ୍ଵର ଆଧିପତ୍ୟ ସୃଷ୍ଟି ହୋଇଥାଏ । ହିଂସାଜନକ ବିପ୍ଳବ ପରେ ଯେଉଁ ସଙ୍ଗଠନ କ୍ଷମତାସୀନ ହୁଏ ତାହା ହିଂସାବଳରେ ନିଜର କ୍ଷମତାକୁ ବଜାୟ ରଖିବାକୁ ଲାଗିଥାଏ । ତା ଫଳରେ କ୍ଷମତାର କେନ୍ଦ୍ରୀକରଣ ହୁଏ । ଏବଂ ବିପ୍ଳବର ମୂଳ ସନ୍ଦେଶ ଗଣତନ୍ତ୍ର, ମୁକ୍ତି, ସ୍ଵାଧୀକାର ବାସ୍ତବରେ ଲୋକଙ୍କୁ ମିଳେ ନାହିଁ । ଏହି ଯୁକ୍ତି ଖୁବ୍ ପ୍ରାଞ୍ଚଳ ଭାବରେ ଲୋକନାୟକ ଜୟ ପ୍ରକାଶ ନାରାୟଣ ତାଙ୍କର ବିଭିନ୍ନ ଲେଖାରେ ଦର୍ଶାଇଛନ୍ତି । ଇତିହାସରେ ସୋଭିଏତ୍ ୟୁନିଅନର ଇତିହାସ ମଧ୍ୟ ଯୁକ୍ତିର ଯଥାର୍ଥତା ପାଇଁ ବହୁ ପ୍ରମାଣ ଯୋଗାଇଛି । ତେଣୁ ବୈପ୍ଳବିକ ହିଂସାର ପ୍ରୟୋଗକୁ ସ୍ଵୀକାର କଲେ ମଧ୍ୟ କି ପ୍ରକାର ଜନବାଦୀ ଆନ୍ଦୋଳନ କଲେ ଗଣତନ୍ତ୍ର ସମ୍ଭବ ହେବ ଏବଂ ବିପ୍ଳବୋତ୍ତର ସମାଜରେ ସ୍ଵାଧିକାର ଚରିତାର୍ଥ ହେବ, ସେ ଦିଗରେ ସତର୍କ ରହିବାକୁ ହେବ ।

 

ବିପ୍ଳବ ରାଜନୀତି ହିଂସା ବିପ୍ଳବର ଧର୍ମ ଓ ତେଣୁ ଅବଶ୍ୟମ୍ଭାବୀ ବୋଲି ଧରିଲା ଭୁଲ । ବିପ୍ଳବ ରାଜନୀତିର ଏକ ବ୍ୟାପକ ରୂପରେଖ ରହିଛି । ଟ୍ରେଡ଼୍ ୟୁନିଅନ ଓ ନିର୍ବାଚନ ଲଢ଼ିବାଠାରୁ ଆରମ୍ଭ କରି ଗଣ ପ୍ରଦର୍ଶନ, ଘେରାଉ, ଆଇନ ଅମାନ୍ୟ, ବିଭିନ୍ନ ପ୍ରକାର ସତ୍ୟାଗ୍ରହ ଏବଂ ଆବଶ୍ୟକ ଥିଲେ ସଶସ୍ତ୍ର ଗଣ ଆନ୍ଦୋଳନ ପର୍ଯ୍ୟନ୍ତ ସବୁ କିଛି ବିପ୍ଳବ ରାଜନୀତିର ଅନ୍ତର୍ଭୁକ୍ତ । ଏଥିରୁ ଯେ କୌଣସିଟି କ୍ଷେତ୍ରରେ କାମ କରି ମଧ୍ୟ ଜଣେ ବିପ୍ଳବରୁ ଦୂରେଇ ଯିବ, ଯଦି ସେ କାର୍ଯ୍ୟ ପଛରେ ଜନ ସମର୍ଥନ ନାହିଁ ଏବଂ ଯଦି ଗଣମୁକ୍ତ ପାଇଁ ପରିସ୍ଥିତି ସୃଷ୍ଟି କରୁ ନାହିଁ । ନିର୍ବାଚନ ରାଜନୀତି ଓ ଟ୍ରେଡ଼ ୟୁନିଅନ କାମ ସ୍ଥିତାବସ୍ଥାକୁ ସୁଦୃଢ଼ କରିପାରେ; ସଶସ୍ତ୍ର ବିପ୍ଳବର ଯଦି ଜନାଧାର ନଥାଏ ତେବେ ତାହା ମଧ୍ୟ ସନ୍ତ୍ରାସବାଦୀ ହିଂସାରେ ପରିଣତ ହୋଇପାରେ ।

 

ଏହି ତାତ୍ତ୍ଵିକ ପ୍ରଶ୍ନଗୁଡ଼ିକ ବିଚାରକୁ ନେଲେ ବିପ୍ଳବୀମାନେ ବିପ୍ଳବର ପୂର୍ଣ୍ଣାଙ୍ଗ ଅର୍ଥ, ରାଜନୀତିକ ଆଭିମୁଖ୍ୟ ଏବଂ ସେଥିରେ ହିଂସାର ସ୍ଥାନ କେଉଁଠି, ସେହିସବୁ ବିଷୟରେ ବୋଧହୁଏ ଏକ ସୁଚିନ୍ତିତ ସିଦ୍ଧାନ୍ତରେ ଯାଇ ପହଞ୍ଚି ପାରିବେ ।

☆☆☆

 

ସର୍ବୋଦୟ-ସିଡ଼ି, ସେତୁ ଓ ବିକଳ୍ପ

ଶ୍ରୀ ରବୀନ୍ଦ୍ର ନାଥ ସାହୁ

 

ବିଶ୍ଵ ଇତିହାସରେ ପ୍ରତ୍ୟେକଟି ଗୁରୁତ୍ଵପୂର୍ଣ୍ଣ ଘଟଣା ଓ ପ୍ରତ୍ୟେକଟି ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତିତ୍ଵର ଦୁଇଥର ଆବିର୍ଭାବ ହୋଇଥାଏ–ହିଗେଲ୍‍ଙ୍କର ଏହି ଉକ୍ତିକୁ ଉଦ୍ଧାର କରିସାରି କାର୍ଲମାର୍କସ ଶ୍ଳେଷାତ୍ମକ ନିଜର ମନ୍ତବ୍ୟ ଦେଉଛନ୍ତି, “ ହିଗେଲ୍ ଏତକ ଯୋଡ଼ିବାକୁ ଭୁଲିଗଲେ ଯେ ସେମାନଙ୍କର ଆବିର୍ଭାବ ପ୍ରଥମ ଥର ହୁଏ ଏକ ଦୁଃଖାନ୍ତକ ନାଟକ ରୂପେ, ଆଉ ଦ୍ଵିତୀୟ ଥର ହୁଏ ଏକ ପ୍ରହସନ ରୂପେ ।” (୧) ଇତିହାସର ବିଡ଼ମ୍ବନା, ମାର୍କସଙ୍କର ଏହି ମହାକାବ୍ୟ ଆଜି ମାର୍କସବାଦ ଓ ମାର୍କସ୍‍ଙ୍କ ପ୍ରତି ମଧ୍ୟ ପ୍ରଯୋଜ୍ୟ । ଗାନ୍ଧୀବାଦ ଓ ଗାନ୍ଧିଜୀଙ୍କ ପ୍ରତି ମଧ୍ୟ ସମପରିମାଣରେ ପ୍ରଯୁଜ୍ୟ । ବିପ୍ଳବର ଇତିହାସକୁ ଉନବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଅବଦାନ ଥିଲା ମାର୍କସ ଦର୍ଶନ ଏବଂ ବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଅବଦାନ ଥିଲା ଗାନ୍ଧୀ ଦର୍ଶନ । ମାତ୍ର ଆଜି ଏ ଦର୍ଶନମାନଙ୍କୁ ଭିତ୍ତିକରି ଗଢ଼ି ଉଠିଥିବା ସାମ୍ୟବାଦ ବିପ୍ଳବୀ ଓ ସର୍ବୋଦୟ ଆନ୍ଦୋଳନ ଖାଲି ଶୋଚନୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ନାହାନ୍ତି, ଉଭୟେ ଦୁଃଖାନ୍ତକ ନାଟକ ପର୍ଯ୍ୟାୟ ଅତିକ୍ରମ କରି ପ୍ରହସନ ପର୍ଯ୍ୟାୟରେ ଉପନୀତ ହୋଇଛନ୍ତି ।

 

ଆର: ଯେ: ଡୋରିୟସ୍ କହିଲା ପରି ଦୁଃଖାନ୍ତକ ନାଟକ ‘Stops history’ ଯବନିକା ପତନ ସଙ୍ଗେ ସଙ୍ଗେ ଦର୍ଶକ ଅନୁଭବ କରେ ସତେ କି ତା’ ନିଜ ଭିତରେ ଓ ଚାରିପାଖରେ ସମୟର ଟିକ୍ ଟିକ୍ ଶବ୍ଦ ହଠାତ୍ ଶବ୍ଦ ହୋଇଗଲା । ସେ ନିଜ ଭିତରେ ଚାହିଁବା ଆରମ୍ଭ କରେ । ଗ୍ରୀକ୍‍ମାନେ ଦୁଃଖାନ୍ତକ ନାଟକକୁ ମହାନାଟକ ଆଖ୍ୟା ଦେଇଥିଲେ । କାରଣ ଏହା ବୀରତ୍ଵର ପରାକାଷ୍ଠା ଯେପରି ଦର୍ଶାଉଥିଲା ସେହିପରି ବୀରମାନଙ୍କର ମାନବୀୟ ଭୁଲ୍‍କୁ ମଧ୍ୟ ଉନ୍ମୋଚିତ କରୁଥିଲା । ଦର୍ଶକକୁ ସେହି ମହାନ୍ ଜୀବନର ମହାନ୍‍ଗାଥା ଯେପରି ଉଦ୍‍ବୁଦ୍ଧ କରୁଥିଲା, ତାକୁ ଆତ୍ମବିଶ୍ଲେଷଣ ଓ ଆତ୍ମସମୀକ୍ଷାରେ ମଧ୍ୟ ସାହିତ୍ୟ କରୁଥିଲା । ଏହି ପ୍ରକ୍ରିୟାରେ ସଙ୍ଗଠିତ ହେଉଥିଲା ତା’ର ଆତ୍ମ-ବିରେଚନ (Catharsis) । ଭୁଲ୍‍କୁ ସ୍ଵୀକାର କରିବା, ଭୁଲ୍‍ରୁ ଶିଖିବା ଓ ଭୁଲ୍‍କୁ ଅତିକ୍ରମ କରିବା ପାଇଁ ଅଭିକ୍ରମ ଦେଖାଇବା—ଏହା ହିଁ ଦୁଃଖାନ୍ତକ ନାଟକରୁ ଶିକ୍ଷା । ଭୁଲ୍ କରିବା, ନିଜ ଭୁଲକୁ ଆଖି ବୁଜିଦେବା ଓ ସେଥିପାଇଁ କେବଳ ପରମୁଣ୍ଡରେ ଆଠାବୋଳି ଆତ୍ମ-ସନ୍ତୋଷ ଲାଭ କରିବା ପ୍ରହସନୀୟ ଚରିତ୍ରମାନଙ୍କର ଲକ୍ଷଣ । ଲେନିନ୍‍ଙ୍କର ରହସ୍ୟଜନକ ମୃତ୍ୟୁ ଏବଂ ଗାନ୍ଧିଜୀଙ୍କ ଦୁଃଖଦ ନିଧନ ଉଭୟ ଥିଲା ଅପ୍ରତ୍ୟାଶିତ ଏବଂ ଉଭୟ ଥିଲା ମାର୍କସ ଦର୍ଶନ ଓ ଗାନ୍ଧୀ ଦର୍ଶନର ଦୁଃଖାନ୍ତକ ପର୍ଯ୍ୟାୟ । କାରଣ ସେତେବେଳେ ଏ ଦୁଇ ଦର୍ଶନ ଏନ୍ତୁଡ଼ିଶାଳ ସୁଦ୍ଧା ପାରହୋଇ ନ ଥିଲେ । ସ୍ତାଲିନ୍‍ଙ୍କର ଶତ୍ରୁ ସଂହାର ଲୀଳା ଏବଂ ବିନୋବାଜୀଙ୍କର ତୋଫାନୀ ଯାତ୍ରା ସହିତ ଆରମ୍ଭ ହେଲା ଏ ଉଭୟ ଦର୍ଶନ ପ୍ରହସନ ପର୍ଯ୍ୟାୟ । ଏ ଉଭୟ ପ୍ରହସନର ଅଶ୍ଳୀଳତମ ଓ ଶେଷ ଦୃଶ୍ୟରେ ଥିଲା ଯଥାକ୍ରମେ ବ୍ରେଜନେଭ୍-ଗୋର୍ବାଚୋଭଙ୍କ ସଂସ୍କାରବାଦୀ ଭୂମିକା ଏବଂ ବିନୋବା ଜୟପ୍ରକାଶଙ୍କର ‘ଜରୁରୀ-ପରିସ୍ଥିତି’ କାଳୀନ ଭୂମିକା । ଏବେ ବ୍ରେଜନେଭଗୋର୍ବାଚୋଭ ଅଥବା ବିନୋବା-ଜୟପ୍ରକାଶ ମଧ୍ୟ ରଙ୍ଗମଞ୍ଚରୁ ଅନ୍ତର୍ହିତ । ସର୍ବନ୍ତ୍ର କେବଳ କିଛି ଅନ୍ଧ ଭକ୍ତି ନିଜ ନିଜ ଦର୍ଶନର ସତେ କି ହିଂସଗୀତ କୀର୍ତ୍ତନ କରିବାରେ ବ୍ୟସ୍ତ । ଊନବିଂଶ ଶତାବ୍ଦୀ ଫ୍ରାନ୍‍ସର ଅନ୍ୟତମ ଚିନ୍ତାନାୟକ ରେନାଁ କହିଥିଲେ ଯେ ଯେତେବେଳେ ଗୋଟିଏ ବିରାଟ ବ୍ୟକ୍ତିତ୍ଵକୁ ନିୟତ ଧ୍ଵଂସ କରିପାରେ ନାହିଁ, ସେତେବେଳେ ପ୍ରତିଶୋଧପରାୟଣ ହୋଇ ସେ ଧରାପୃଷ୍ଠକୁ ତାଙ୍କର କିଛି ଭକ୍ତି ପଠାଇଦିଏ । ମାର୍କସ ଓ ଗାନ୍ଧୀଙ୍କ କ୍ଷେତ୍ରରେ ଏହା ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହୋଇଛି ।

 

ସର୍ବୋଦୟ ଆନ୍ଦୋଳନର ଆଲୋଚନା ଆରମ୍ଭରେ ମାର୍କସୀୟ ଆନ୍ଦୋଳନ ସହ ତା’ର ଏକତ୍ର ଏହି ମୂଲ୍ୟାୟନ କରାଯିବାର କାରଣ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ,ଯାହାଙ୍କର ସ୍ମୃତିରେ ଏହି ସଙ୍କଳନଟି ଉତ୍ସର୍ଗୀକୃତ । ସେ ଏକଦା କେବଳ ସର୍ବୋଦୟ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ନଥିଲେ, ବିଭିନ୍ନ ପ୍ରଗତିଶୀଳ ଆନ୍ଦୋଳନ ଭିତରେ ବିଶେଷ କରି ସର୍ବୋଦାୟ ଆନ୍ଦୋଳନ ଏବଂ ସାମ୍ୟବାଦୀ ଆନ୍ଦୋଳନ ଭିତରେ ସେତୁ ପ୍ରତିଷ୍ଠା ପାଇଁ ଅବିରାମ ପ୍ରଚେଷ୍ଟା କରିଥିଲେ । ତାଙ୍କ ଜୀବନର ସେହି ଅପୂର୍ଣ୍ଣ ସ୍ଵପ୍ନକୁ ଆଖି ଆଗରେ ରଖି ସର୍ବୋଦୟ ଆନ୍ଦୋଳନର କ୍ରମବିବର୍ତ୍ତନ ଓ ଏହାର ସମନ୍ଵୟଧର୍ମୀ ଭୂମିକା ସମ୍ପର୍କରେ ଆଲୋଚନା କରିବା ଏ ପ୍ରବନ୍ଧନ ମୁଖ୍ୟ ଉଦ୍ଦେଶ୍ୟ ।

 

ସର୍ବୋଦୟ ଆନ୍ଦୋଳନକୁ ଉଭୟ ‘ସର୍ବୋଦୟ’ ଶବ୍ଦ ଓ ‘ସର୍ବୋଦୟ’ ସଂପ୍ରତ୍ୟୟ ଗାନ୍ଧିଜୀଙ୍କର ଅବଦାନ । ଆଫ୍ରିକା ରହଣି ବେଳେ ଗାନ୍ଧିଜୀ ରସ୍କିନଙ୍କର Unto This Last ପୁସ୍ତକ ଦ୍ଵାରା ଗଭୀର ଭାରେ ପ୍ରଭାବିତ ହୋଇଥିଲେ । ପ୍ଲାଟୋଙ୍କର Apology ମଧ୍ୟ ଗାନ୍ଧିଜୀଙ୍କୁ ଗଭୀର ଭାରେ ଅନୁପ୍ରାଣିତ କରିଥିଲା । ପ୍ଲାଟୋ ତାଙ୍କ ପୁସ୍ତକରେ ସାକ୍ରେଟିସଙ୍କ ମୁଖରେ ମନୁଷ୍ୟ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କର୍ତ୍ତବ୍ୟଗୁଡ଼ିକୁ ବାସ୍ତବ କାର୍ଯ୍ୟରେ ରୂପାୟିତ କରିବାକୁ ହେଲେ ମନୁଷ୍ୟକୁ କଣ କରିବାକୁ ହେବ ତାହା ରସ୍ତ୍ରିନ୍ ତାଙ୍କ ବହିରେ ଆଲୋଚନା କରିଥିଲେ । ରସ୍କିନ୍ ମଧ୍ୟ ପୁସ୍ତକରେ ଅର୍ଥ-କୈନ୍ଦ୍ରିକ ଅର୍ଥନୀତି ସ୍ଥାନରେ ମାନବ କୈନ୍ଦ୍ରିକ ଅର୍ଥନୀତିର ପ୍ରଚଳନ ଉପରେ ଗୁରୁତ୍ଵ ଦେଇଥିଲେ । ଗାନ୍ଧିଜୀ ଏହି ପୁସ୍ତକର ଏକ ସଂକ୍ଷିପ୍ତ ସଂସ୍କରଣ ଗୁଜରାତୀ ଭାଷାରେ ପ୍ରକାଶ କରିଥିଲେ ଓ ତା’ର ଶୀର୍ଷକ ଥିଲା ‘ସର୍ବୋଦୟ’ । ଏହି ଅନୁଦିତ ପୁସ୍ତକର ଶେଷ ଅଧ୍ୟାୟରେ ଗାନ୍ଧିଜୀ ଭାରତୀୟଙ୍କର ଜାତୀୟ ଚରିତ୍ରରେ ରୂପାନ୍ତର ନ ଆସିଲେ ବାସ୍ତବ ସ୍ଵରାଜ ପ୍ରାପ୍ତି ସୁଦୂରପରାହତ ହେବ ବୋଲି ଚେତାଇ ଦେଇଥିଲେ । ଦେଶରୁ ଅନୈକ୍ୟ, ଅନୈତିକତା ତଥା ଅଜ୍ଞତା ଦୂର ହୋଇଗଲେ ଗୋଟିଏ ବି ଗୁଳି ନ ଫୁଟାଇ ବ୍ରିଟିଶ ଶାସନକୁ ଏ ଦେଶରୁ ତଡ଼ିଦେଇ ହେବ ଏବଂ ସତ୍ୟକୁ ଜୀବନର ଚାଳିବାଶକ୍ତି ବୋଲି ଗ୍ରହଣକଲେ ପ୍ରକୃତ ଓ ସ୍ଥାୟୀ ସ୍ଵରାଜ ମିଳିବ ବୋଲି ସେ ଉପସଂହାରରେ କହିଛନ୍ତି (୨) ଗାନ୍ଧିଜୀ ତାଙ୍କର ବିଭିନ୍ନ ରଚନାରେ ସର୍ବୋଦାୟ ସମାଜର ଚିତ୍ର ଆଙ୍କିଛନ୍ତି । ସତ୍ୟ, ଅହିଂସା ବିକେନ୍ଦ୍ରିତ ରାଜନୀତି ଓ ବିକେନ୍ଦ୍ରିତ ଅର୍ଥନୀତିକୁ ଭିତ୍ତି କରିଥିବା ଏବଂ ସତ୍ୟାଗ୍ରହକୁ ଅସ୍ତ୍ରରୂପେ ଗ୍ରହଣ କରିଥିବା ସହଭୋଗୀ ଗୋଷ୍ଠୀ ସମାଜ (Communiitaraian Society) କୁ ସେ ‘ଗ୍ରାମରାଜ’ କହୁଥିଲେ । ଏହି ଗ୍ରାମରାଜ ପ୍ରତିଷ୍ଠା ହେଲେହିଁ ସମାଜର ସବୁସ୍ତରର ମଣିଷଙ୍କର ବିକାଶ ସାଧିତ ହେବ ବା ଅନ୍ୟ ଭାଷାରେ, ‘ସର୍ବୋଦୟ’ ସମାଜ ପ୍ରତିଷ୍ଠିତ ହେବ ବୋଲି ସେ ସ୍ଵପ୍ନ ଦେଖୁଥିଲେ । ରାଜନୈତିକ ସ୍ଵରାଜ ପ୍ରାପ୍ତିପରେ ଗ୍ରାମରାଜ ପ୍ରତିଷ୍ଠା ପାଇଁ ଗ୍ରାମସ୍ଵରାଜ ଆନ୍ଦୋଳନ ଚଳାଇବା ଗାନ୍ଧିଜୀଙ୍କର ସ୍ଵପ୍ନ ଥିଲା । ମାତ୍ର ଏହି ସ୍ଵପ୍ନକୁ ରୂପ ଦେବା ପୂର୍ବରୁ ତାଙ୍କର ଦେହାନ୍ତ ହେଲା । ତାଙ୍କ ମୃତ୍ୟୁର ୩ ବର୍ଷରେ ତାଙ୍କର ଆଧ୍ୟାତ୍ମିକ ଉତ୍ତରାଧିକାରୀ ରୂପେ ପରିଚିତ ବିନୋବାଜୀଙ୍କ ଉପରେ ‘ଗ୍ରାମରାଜ’ ପରିକଳ୍ପନାକୁ ରୂପ ଦେବାର ଉତ୍ତର ଦାୟିତ୍ଵ ପଡ଼ିଲା । ସତ୍ୟ ଓ ଅହିଂସାକୁ ଭିତ୍ତିକରି ଗୋଟିଏ ଦେଶର ସ୍ଵାଧୀନତା ସଂଗ୍ରାମ ଚଳାଯିବା ଯେପରି ବିଶ୍ଵଇତିହାସରେ ଅଦ୍ଭୁତପୂର୍ବ ଥିଲା, ସେହିପରି ଗୋଟିଏ ଦେଶର ଅର୍ଥନୀତି ଅଥବା ରାଜନୀତି କ୍ଷେତ୍ରରେ ରୂପାନ୍ତର ଆଣିବା ପାଇଁ ସେ ସବୁର ପ୍ରୟୋଗ ମଧ୍ୟ ଥିଲା ଅନ୍ୟ ଓ ପ୍ରଥମ ।

 

ସର୍ବୋଦୟ ଆନ୍ଦୋଳନ ଆରମ୍ଭ ହୋଇଥିଲା ଭୂଦାନ ଆନ୍ଦୋଳନ ରୂପେ ୧୯୫୧ରେ । ଆନ୍ଧ୍ରର ତେଲେଙ୍ଗାନାରେ ୧୯୪୬ରୁ କମ୍ୟୁନିଷ୍ଟଙ୍କ ନେତୃତ୍ଵରେ ଚାଲିଥିବା ସଶସ୍ତ୍ର କୃଷକ ବିଦ୍ରୋହ ସେତେବେଳକୁ ଅଷ୍ଟଗାମୀ । ଏହି ବିପ୍ଳବୀଙ୍କୁ ଜବତ କରିବାକୁ ନେହେରୁ ସରକାର ଠୁଳ କରିଥିବା ପ୍ରକାଣ୍ଡ ସୈନ୍ୟବାହିନୀକୁ ମୁକାବିଲା କରି ନ ପରି ଆନ୍ଦୋଳନ ବନ୍ଦ କରିଦେବା ପାଇଁ କେନ୍ଦ୍ରୀୟ କମ୍ୟୁନିଷ୍ଟ ପାର୍ଟି ପ୍ରାଦେଶିକ ଦଳକୁ ନିର୍ଦ୍ଦେଶ ଦେଇସାରିଥାଏ । ଏପରିକି ପ୍ରାଦେଶିକ ଦଳ ମଧ୍ୟରେ ଏକ ସଂଖ୍ୟାଲଘୁଗୋଷ୍ଠୀ ଏହା ଚଳାଇ ରଖିବା ପାଇଁ ଅଡ଼ିବସିବାରୁ ସେପରି କଲେ କେନ୍ଦ୍ରୀୟଦଳ ସେ ଆନ୍ଦୋଳନ ସହ ଦଳର କୋଣସି ସମ୍ପର୍କ ନାହିଁ ବୋଲି ଘୋଷଣା କରିବାକୁ ଧମକ ଦେଇଥାଏ (୩) । ସଦ୍ୟ ଉପଲବ୍ଧ ଭେଜାଲ ସ୍ଵରାଜ ଓ ତାକୁ ମୁକାବିଲା କରିବାରେ ବିଫଳ ହେଉଥିବା ସଶସ୍ତ୍ର ବିଦ୍ରୋହ ଉଭୟ ଯେତେବେଳେ ଜନସାଧାରଣଙ୍କ ମଧ୍ୟରେ ହତାଶା ଆଣିଦେଇଥିଲା, ସେତେବେଳେ ବିନୋବାଜୀ ସେହି ତେଲେଙ୍ଗାନାରୁ ଆରମ୍ଭ କଲେ ତାଙ୍କର ଭୂଦାନଯଜ୍ଞ ଆନ୍ଦୋଳନ-। ଗ୍ରାମର ଭୂମିବାନ୍ ଲୋକ ସ୍ଵେଚ୍ଛାକୃତ ଭାବେ ଭୂମିହୀନ ପଡ଼ୋଶୀଙ୍କୁ ଭୂମିଦାନ କଲେ-। ବିନୋବାଜୀ କେବଳ ବଡ଼ ବଡ଼ ଜମିମାଲିକଙ୍କୁ ଭୂଦାନ ପାଇଁ ନିବେଦନ କଲେ ନାହିଁ-। ଛୋଟଚାଷୀଙ୍କୁ ମଧ୍ୟ ଏଥିପାଇଁ ଆହ୍ଵାନ ଦେଲେ । କାରଣ କେବଳ ପାଇବା ଲାଳସାକୁ ଭିତ୍ତିକରି ଦରିଦ୍ର ଜନସାଧାରଣଙ୍କୁ ଏକତାବଦ୍ଧ କରାଗଲେ ବିପ୍ଳବପରେ ଡକାୟତଙ୍କ ଭାଗବଣ୍ଟରା ବେଳେ ହେଉଥିବା ରକ୍ତାକ୍ତ ଖଣ୍ଡଯୁଦ୍ଧପରି ଗରିବଙ୍କ ଭିତରେ ଯୁଦ୍ଧ ଅବଶ୍ୟମ୍ଭାବୀ । ବାସ୍ତବ ଆଧ୍ୟାତ୍ମିକ ଏକତା ଆଣିବା ପାଇଁ ମୂଳରୁ ପରସ୍ପର ବାଣ୍ଟି ଖାଇବା ମନୋବୃତ୍ତି ସେମାନଙ୍କ ଭିତରେ ଜାଗ୍ରତ କରାଯିବା ଉଚିତ୍ । ଭୂଦାନ ଯଜ୍ଞକୁ ‘ଦାରିଦ୍ର ବଣ୍ଟନ ମେଳା’ ବୋଲି ବ୍ୟଙ୍ଗ କରୁଥିବା ତାଙ୍କର ବିରୋଧୀମାନଙ୍କୁ ବିନୋବାଜୀଙ୍କର ଉତ୍ତର ଥିଲା, ‘ଦୁଃଖ ବାଣ୍ଟିଲେ କମେ, ସୁଖ ବାଣ୍ଟିଲେ ବଢ଼େ-।’ ଯେତେବେଳେ ବାଣ୍ଟିବା ପାଇଁ ସୁଖ ନାହିଁ, କେବଳ ଦୁଃଖ ଅଛି ପ୍ରଥମେ ସେହି ଦୁଃଖକୁ ବାଣ୍ଟିବାକୁ ପଡ଼ିବ । ସାମ୍ୟ-ପ୍ରତିଷ୍ଠାର ଏହାହିଁ ପ୍ରଥମ ପାହାଚ । ୧୯୫୨ରୁ ନିଚ୍ଛୁକ ଭୂଦାନ ସଂଗ୍ରହ ବନ୍ଦକରି ବିନୋବାଜୀ ଗ୍ରାମଦାନରେ ମନୋନିବେଶ କଲେ । ପ୍ରଚଳିତ ସମାଜ ବ୍ୟବସ୍ଥା ଓ ଗାନ୍ଧୀ-ପ୍ରଦର୍ଶିତ ‘ଗ୍ରାମରାଜ’ର ଏକ ମଧ୍ୟବର୍ତ୍ତୀ ପର୍ଯ୍ୟାୟ ରୂପେ ଏହାର ପରିକଳ୍ପନା କରଯାଇଥିଲା ।

 

ଗ୍ରାମଦାନୀ ଗ୍ରାମରେ ଗ୍ରାମର ସମସ୍ତ ସାବାଳକଙ୍କୁ ନେଇ ‘ଗ୍ରାମସଭା’ ଗଢ଼ାଯାଏ ଗ୍ରାମର ପ୍ରତ୍ୟେକ ଜମିମାଲିକ ନିଜ ଜମିର ୨୦ ଭାଗରୁ ଏକଭାଗ ଜମି ଗ୍ରାମର ଭୂମିହୀନଙ୍କ ପାଇଁ ଗ୍ରାମସଭାକୁ ଦାନ କରନ୍ତି । ଗ୍ରାମର ପ୍ରତ୍ୟେକ କୃଷକ ନିଜ ଉତ୍ପାଦନର ୪୦ ଭାଗରୁ ଏକଭାଗ ଓ ବେତନଭୋଗୀ ମାସକରେ ଦିନକରେ ରୋଜଗାର ଦେଇ ‘ଗ୍ରାମ-ପାଣ୍ଠି’ ଗଢ଼ନ୍ତି । ଏଥିରୁ ଗ୍ରାମର ନିଜସ୍ଵ ବ୍ୟାଙ୍କ କାମ ଦରେ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବ୍ୟବସ୍ଥା ହେଲା ଜମିର ମାଲିକାନା ଗ୍ରାମସଭା ହାତରେ ରହେ । କେବଳ ଜମିର ଦଖଲ, ଉତ୍ପାଦନ ଓ ଉତ୍ତରାଧିକାରୀ ଦାବି ଚାଷୀ ହାତରେ ରହେ-। ଗ୍ରାମସଭାର ବିନାନୁମତିରେ ଜମିର ସ୍ଵତାଧିକାର ହସ୍ତାନ୍ତରୀକାରଣ ନିଷିଦ୍ଧ ହୋଇଥାଏ-। ବିଭିନ୍ନ ଆଳରେ ହସ୍ତାନ୍ତର ହୋଇଯାଉ ଥିବା ଗରିବ ଲୋକଙ୍କ ଜମିର ସୁରକ୍ଷା ଏହାର ଉଦ୍ଦେଶ୍ୟ ହୋଇଥିଲେ ମଧ୍ୟ ଗ୍ରାମରାଜମୂଳକ ସମାଜବାଦର ପ୍ରୟୋଗ ଦିଗରେ ଏହା ଏକ ପ୍ରାଥମିକ ପଦକ୍ଷେପ ।

 

ଉତ୍ତରପ୍ରଦେଶର ମଙ୍ଗରୋଠ୍ ଭାରତର ପ୍ରଥମ ଓ କଟକ ଜିଲ୍ଲାର ମାନପୁର ଓଡ଼ିଶାର ପ୍ରଥମ ଗାମଦାନୀ ଗ୍ରାମ ଥିଲା । ବିଭିନ୍ନ ରାଜ୍ୟରେ ସରକାରମାନେ ଭୂଦାନ ଓ ଗ୍ରାମଦାନ ଆଇନ ପ୍ରଣୟନ କାରୀ ଭୂଦାନରେ ଗୃହୀତ ଜମି ଓ ଗ୍ରାମସଭାର କ୍ଷମତାକୁ ଆଇନଗତ ସ୍ଵୀକାର ଦେଇଛନ୍ତି-। ଭୂଦାନ ଯଜ୍ଞ ସମିତି ପରି ଅର୍ଦ୍ଧ ସରକାରୀ ସଂସ୍ଥା ଏ ଆଇନ ସମୂହକୁ କାର୍ଯ୍ୟକାରୀ କରିବାର ଦାୟିତ୍ଵ ଗ୍ରହଣ କରିଛନ୍ତି ।

 

ଓଡ଼ିଶାର ତତ୍କାଳୀନ କୋରାପୁଟ ଜିଲ୍ଲା ଏକଦା ବିନୋବାଜୀଙ୍କ ପ୍ରବର୍ତ୍ତିତ ସର୍ବୋଦୟ ଆନ୍ଦୋଳନର ଶ୍ରେଷ୍ଠ ପରୀକ୍ଷାସ୍ଥଳୀ ରୂପେ ସ୍ଵୀକୃତ ହୋଇଥିଲା । ଭାରତର ବିଭିନ୍ନ କୋଣରୁ ବହୁ ପ୍ରତିଭାଶାଳୀ ଯୁବ ଇଞ୍ଜିନିୟର, କୃଷିବିତ, ସମାଜବିଜ୍ଞାନୀ ଓ ବୁଦ୍ଧିଜୀବୀ ଏଥରେ ଅଂଶ ଗ୍ରହଣ କରିଥିଲେ । ଏପରିକି ବୈପାରିଗୁଡ଼ା ବ୍ଳକର ପ୍ରଶାସନ ସୁଦ୍ଧା ସର୍ବୋଦୟବାଲାଙ୍କ ହାତକୁ ଆସିଥିଲା-। ସଦ୍ୟ ଅକ୍ସଫୋର୍ଡ଼ରୁ ପାଠ ପଢ଼ି ଫେରିଥିବା ଶ୍ରୀନାଗେନ୍ ପରିଖ୍ ଏହାର ପରିଚାଳନା ନେତୃତ୍ଵ ନେଇଥିଲେ । ସାରା ଭାରତରେ ଯେତେବେଳେ ସମବାୟ ଆନ୍ଦୋଳନ ଶୋଚନୀୟ ଭାବେ ବିଫଳ ହେଉଥିଲା, ସେତେବେଳେ କୋରାପୁଟରେ ସମବାୟ ଖାଉଟି ଷ୍ଟୋର ଓ ଶ୍ରମ ସମବାୟ ଖୁବ୍ ସଫଳତାର ସହିତ ଚାଲିଥିଲା । ସାହୁକାର, ଶୁଣ୍ଢି ଓ ସରକାରୀ କର୍ମଚାରୀମାନଙ୍କର ଶୋଷଣକୁ ଯେପରି ଆନ୍ଦୋଳନ ମାଧ୍ୟମରେ ସଫଳତାର ସହିତ ପ୍ରତିରୋଧ କରାଯାଇ ପାରିଥିଲା, କୁଟୀର ଶିଳ୍ପ, ବନଜାତ ଦ୍ରବ୍ୟର ମାର୍କେଟିଙ୍ଗ, ଋଣଦାନ ସମିତି ଇତ୍ୟାଦି ସଙ୍ଗଠନ କରାଯାଇ ସାହୁକାରଙ୍କର ଶୋଷଣମୂଳକ ଅର୍ଥନିତୀର ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇପାରିଥିଲା । ପରବର୍ତ୍ତୀ କାଳରେ ଉତ୍କଳ ସର୍ବୋଦୟ ମଣ୍ଡଳର ଏକ ସହୋଯୋଗୀ ସଂଗଠନ ନଗଜୀବନ ମଣ୍ଡଳର କର୍ମୀମାନେ, ‘ବନ୍ଧାଭୂମି’ ଚଷିଯାଅ, ଋଣସବୁ ମେଢ଼ି ଦିଅ’ ପରି ଆନ୍ଦୋଳନାତ୍ମକ ପଦକ୍ଷେପ ମାଧ୍ୟମରେ ସାହୁକାରମାନଙ୍କର କବଳରୁ ଗରୀବ ଚାଷୀଙ୍କ ଜମି ମୁକୁଳା ଯାଇ ପାରିଥିଲେ ଓ ବେଆଇନ୍‍ଭାବେ ଆଦାୟ କରାଯାଉଥିବା ବିଭିନ୍ନ ଋଣ ବୁଡ଼ାଇ ଦିଆଯାଉଥିଲା । ବିଭିନ୍ନ ଆନ୍ଦୋଳନରେ ଆଦିବାସୀ ମରିଛନ୍ତି, କର୍ମୀ ଓ ଗ୍ରାମବାସୀ ଶତାଧିକ ମିଛ କେସ୍‍ ରେ ପଡ଼ିଛନ୍ତି ଓ ଅନେକବାର ଜେଲ ବରଣ କରିଛନ୍ତି-। ଗ୍ରାମପାଣ୍ଠିରୁ କେସ୍‍ ଲଢ଼ା ହୋଇଛି, ସତ୍ୟାଗ୍ରହ ସମୟରେ ବିବଦମାନ ଜମି ପଡ଼ିଆ ପଡ଼ି ରହିବାରୁ ଶ୍ରମଜୀବୀ ଗ୍ରାମବାସୀଙ୍କୁ ଭରଣ ପୋଷଣ ପାଇଁ ଗ୍ରାମପାଣ୍ଠିରୁ ସାହାଯ୍ୟ ମିଳିଛି-। ଗ୍ରାମଦାନୀ ଅଞ୍ଚଳରେ ଓ ସହରମାନଙ୍କରେ ସଙ୍ଗଠିତ କରାଯାଇଥିବା ‘ଶାନ୍ତିସେନା’ ସତ୍ୟାଗ୍ରହ ପରିଚାଳନା କରିବା ସଙ୍ଗେ ସଙ୍ଗେ ସମ୍ପ୍ରଦାୟିକ ଓ ଜାତିଆଣ ଗଣ୍ଡଗୋଳମାନ ଶାନ୍ତିପୂର୍ଣ୍ଣ ଭାବେ ତୁଟାଇଛନ୍ତି-। କେବଳ କୋରାପୁଟ ଭଳି ଆଦିବାସୀ ବହୁଳ ଅଞ୍ଚଳ ନୁହେଁ, ବହୁ ଅଣ-ଆଦିବାସୀ ଗ୍ରାମଦାନୀ ଅଞ୍ଚଳରେ ମଧ୍ୟ ଯେତେବେଳେ କିଛି ସଘନ କାର୍ଯ୍ୟ କରାଯାଇଛି । ସେଠାରେ ଲୋକଙ୍କ ଭିତରେ ଏକତା, ସହଯୋଗ ଓ ସହଯୋଗ ମନୋବୃତ୍ତି ବଢ଼ିଥିବାରୁ ଦେଖାଯାଇଛି । ଢେଙ୍କାନାଳ ଜିଲ୍ଲାର ବାବନ୍ଧ ଅଞ୍ଚଳରେ ଥିବା ଏକ ଗ୍ରାମଦାନୀ ଗ୍ରାମରେ ଏ ଲେଖକ ସେହିପରି ଲୋକ ଜାଗରଣର ଚିତ୍ର ଷାଠିଏ ଦଶକରେ ଦେଖିଛି । ସେହି ଗ୍ରାମର ଅଳ୍ପ କେତେ ମାଇଲ ଭିତରେ ଓଡ଼ିଶା ହାଇକୋର୍ଟର ଦୁଇଜଣ ପୂର୍ବତନ ବିଚାରପତିଙ୍କ ଘର । ଗାଁଟି ଆଖପାଖ ଗାଁମାନଙ୍କରୁ ଉଠି ଆସିଥିବା ମୁଖ୍ୟତଃ ଗୋପାଳ ଓ ହରିଜନ ପରିବାରଙ୍କୁ ନେଇ ଗଢ଼ି ଉଠିଥିଲା ବୋଧହୁଏ ଚତୁର୍ଥ ଦଶକରେ । ଭଲଜମି ଅଧିକାର କରିବାକୁ ନିଜ ନିଜ ଭିତରେ ପ୍ରତିଯୋଗିତା ପ୍ରାୟ ପ୍ରତି ଘରେ ଗୋଟିଏ ମକଦ୍ଦମା ପଶିଥିଲା । ମାତ୍ର ଗ୍ରାମଦାନ ହେବା ପରେ ଗାଁ କଳି ଗାଁରେ ତୁଟିଲା । ଗାଁରେ ଆସିଥିବା ଏକତା ହେତୁ ପ୍ରାୟ ଦୁଇମାଇଲ ଦୂରରୁ ଗାଁ ପର୍ଯ୍ୟନ୍ତ ଗ୍ରାମବାସୀ ଗୋଟିଏ ମାହାର ଖୋଳି ଆଣିଥିଲେ, ବାହାରୁ କୌଣସି ସାହାଯ୍ୟ ନ ନେଇ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ବସାଇଥିଲେ ଓ ଗ୍ରାମର ଗୋଟିଏ ପିଲାକୁ ଗ୍ରାମପାଣ୍ଠିରୁ ସାହାଯ୍ୟ ଦେଇ ବାଣୀବିହାରରେ ସ୍ନାତକୋତ୍ତର ଶିକ୍ଷା ଦିଆଯାଉଥିଲା । ପାଳି କରି ଜଙ୍ଗଲ ଜଗୁଥିଲେ । ଗ୍ରାମର ଏକ ଫଳ ବଗିଚା ସୃଷ୍ଟି କରିଥିଲେ । ଏହାଛଡ଼ା ଖଦୀ ଓ ତୈଳ ଉତ୍ପାଦନ ପାଇଁ ସେଠାରେ କୁଟୀରଶିଳ୍ପ ମଧ୍ୟ ଗଢ଼ି ଉଠିଥିଲା ।

 

ସଘନ କାର୍ଯ୍ୟ ଥିଲା ସମୁଦ୍ରମନ୍ଥନ । ଏଥିରୁ ଉଭୟ ଅମୃତ ଓ ବିଷର ଆବିର୍ଭାବ ହୋଇଥିଲା । ସହଯୋଗ ମନୋବୃତ୍ତି ହେତୁ ଗାଁରେ ବିଭିନ୍ନ ନିର୍ମାଣାତ୍ମକ କାର୍ଯ୍ୟ ଯେପରି ସଫଳ ହୋଇପାରିଲା, ସେହିପରି ଗରିବ ଲୋକ ନିଜ ଅଧିକାର ସମ୍ପର୍କରେ ସଚେତନ ହେଲେ ଓ ସେମାନଙ୍କର ଶ୍ରେଣୀଚେତନା ମଧ୍ୟ ଜାଗ୍ରତ ହେଲା । ବିଭିନ୍ନ ବେସରକାରୀ ଓ ସରକାରୀ ନ୍ୟସ୍ତସ୍ଵାର୍ଥ ଶୋଷକ ଗୋଷ୍ଠୀଙ୍କର ପ୍ରତିରୋଧ କରିବା ପାଇଁ ସେମାନେ ଆଗଭର ହେଲେ । ଏ ସବୁରୁ ସୃଷ୍ଟି ହେବାକୁ ଯାଉଥିବା ବିସ୍ଫୋରଣକୁ ଶାନ୍ତିପୂର୍ଣ୍ଣ ଉପାୟରେ ପରିଚାଳିତ କରିବାକୁ ବହୁ ସ୍ଥାନରେ କର୍ମୀକୁଳ ସତ୍ୟାଗ୍ରହ ସଂଗଠନ କଲେ । ମାତ୍ର ନେତୃବୃନ୍ଦ ଏଥିପାଇଁ ପ୍ରସ୍ତୁତି ନଥିଲେ । କଂଗ୍ରେସ ସରକାର ଏପରିକି କଂଗ୍ରେସ ଦଳ ମଧ୍ୟ ସର୍ବୋଦୟ ଆନ୍ଦୋଳନରେ ଏକ ସହଯୋଗୀ ସଂସ୍ଥା ହୋଇ ପାରିବ ବୋଲି ଆନ୍ଦୋଳନ ଆରମ୍ଭ ହେବ ପୂର୍ବରୁ ବିନୋବାଜୀ ଆଶା ପ୍ରକାଶ କରିଥିଲେ । ସରକାର, କଂଗ୍ରେସ ଦଳ, ସର୍ବୋଦୟ ଓ ବିଭିନ୍ନ ସମାଜବାଦୀ ଦଳ ସମସ୍ତେ ଗାନ୍ଧିଜୀ ଭକ୍ତମାନଙ୍କ ଦ୍ଵାରା ପରିଚାଳିତ । ଏ ଚାରୋଟି ଗାନ୍ଧୀ ଆନ୍ଦୋଳନର ଚାରୋଟି ସାମ୍ମୁଖ୍ୟ ଓ ଏମାନେ ଏକତ୍ର କାମ ନକଲେ ‘ମୃତ୍ୟୁର୍ଧାବତି’ ପଞ୍ଚମଃ’–ମୃତ୍ୟୁ ହିଁ ପଞ୍ଚମ ସାମ୍ମୁଖ୍ୟ ରୂପେ ଦେଶକୁ କରାୟତ୍ତ କରିବା ବୋଲି ସେ ସତର୍କବାଣୀ ଶୁଣାଇଥିଲେ (୪) । ସର୍ବୋଦୟ ଆନ୍ଦୋଳନ ଆରମ୍ଭ ହୋଇଯିବାପରେ ଏ ଆନ୍ଦୋଳନକୁ ସେ ପୋଡ଼ୁ ଚାଷ ସହ ତୁଳନା କରି ଏହାର ପୋଡ଼ୁଅଂଶ ସର୍ବୋଦୟ ବାଲାଏ ଓ ଚାଷ କାମ ସରକାର କରିବେ ବୋଲି ଆଶା ପୋଷଣ କଲେ । ଶେଷରେ ଯେତେବେଳେ ସର୍ବୋଦୟ ଆନ୍ଦୋଳନ ପୂରାପୂରି ସରକାରୀ ଅନୁକମ୍ପା ଉପରେ ନିର୍ଭରଶୀଳ ହୋଇଗଲା B.D.Oମାନଙ୍କୁ Bhoodan Development Officer ଓ S. D. O.ମାନଙ୍କୁ Sarvodaya Development Officer ବୋଲି ନିଃସଂକୋଚରେ ସମ୍ବୋଧନ କରିବାକୁ ଲାଗିଲେ । ସର୍ବୋଦୟ ଆନ୍ଦୋଳନ ସରକାରଙ୍କୁ କୌଣସି ପ୍ରକାର ଲଜ୍ଜାକର ପରିସ୍ଥିତିରେ ପକାଇବା ଆନ୍ଦୋଳନ ପାଇଁ କ୍ଷତିକାରକ ବୋଲି ନେତାଏ ‘ଉଗ୍ରପନ୍ଥୀ’ କର୍ମୀଙ୍କୁ ବୁଝାଇବାକୁ ଲାଗିଲେ । କୋରାପୁଟରେ ଆନ୍ଦୋଳନାତ୍ମକ କାର୍ଯ୍ୟ କରୁଥିବା କର୍ମୀଏ ଅଥବା ତାମିଲନାଡ଼ୁରେ ମିନାକ୍ଷୀ ମନ୍ଦିରର ଅନ୍ୟାୟ ଅର୍ଜିତ ଜମିକୁ ଭୂମିହୀନ ଚାଷୀଙ୍କ ଦ୍ଵାରା ଚଷାଉଥିବା ଜଗନ୍ନାଥଙ୍କ ପରି ସର୍ବୋଦୟର ସର୍ବଭାରତୀୟ ନେତାଏ ବିନୋବାଜୀ ଓ ପ୍ରାଦେଶିକ ନେତୃତ୍ଵବୃନ୍ଦ କୋପଦୃଷ୍ଟିରେ ପଡ଼ିଲେ । ଗୁରୁବାଦ ପରମ୍ପରାରେ ବିଶ୍ଵାସ କରୁଥିବା କର୍ମୀକୁଳ ‘ବାବା’ଙ୍କୁ ସନ୍ତୁଷ୍ଟ କରିବା ନିମିତ୍ତ ଆନ୍ଦୋଳନରୁ କ୍ଷାନ୍ତ ହେଲେ । ଅପରପକ୍ଷରେ ବିଭିନ୍ନ ପ୍ରଗତିଶୀଳ ଦଳ ଓ ଆନ୍ଦୋଳନ ସର୍ବୋଦୟବାଲାଙ୍କୁ ସନ୍ଦେହ ଚକ୍ଷୁରେ ଦେଖିଲେ । ବିନୋବାଜୀଙ୍କୁ ‘ସରକାରୀ ବାବା’ ଓ ସର୍ବୋଦୟଙ୍କୁ ‘ମଠ-କଂଗ୍ରେସ’ ବୋଲି ଥଟ୍ଟା କରାଗଲା । ଅବଶ୍ୟ ଏସବୁ ସତ୍ତ୍ୱେ ସର୍ବୋଦୟ ନେତୃତ୍ଵ ଅଥବା କର୍ମୀଙ୍କର ବ୍ୟକ୍ତିଗତ ଚରିତ୍ରବତ୍ତା, ସାଧୁତା ଅଥବା ଆନ୍ତରିକତାକୁ ପ୍ରାୟତଃ କେହି ସନ୍ଦେଶ ଦୃଷ୍ଟିରେ ଦେଖୁ ନଥିଲେ । ସରକାରଙ୍କ ସହ ସହଯୋଗ-ସଂଘର୍ଷମୂଳକ ସମ୍ପର୍କ ପରିବର୍ତ୍ତେ କେବଳ ସହଯୋଗୀ ସମ୍ପର୍କ ରଖି କାର୍ଯ୍ୟ କରାଯିବା ଉଚିତ ବୋଲି ବିନୋବାଜୀ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ଯେଉଁ ନୀତି ନିର୍ଦ୍ଧାରଣ କରିଦେଲେ ତାହା ଶେଷଯାଏ ସମଗ୍ର ନେତୃତ୍ଵ ଓ ଆନ୍ଦୋଳନକୁ ବିଭ୍ରାନ୍ତ କଲା । ପରବର୍ତ୍ତୀ କାଳରେ ଏହି ବିଭ୍ରାନ୍ତ କିପରି ଆନ୍ଦୋଳନକୁ ଦୁଇଟି ଭୁଲ ଦିଗରେ ଓ ଭୁଲ ମାର୍ଗରେ ଗତି କରାଇଲା ତାହା ପରେ ଆଲୋଚିତ ହେବ । ତେବେ ସରକାର, ଶାସକଦଳ ଏକ ବିଚିତ୍ର ଶାନ୍ତିପୂର୍ଣ୍ଣ ପନ୍ଥା ବିନୋବାଜୀ ଉଦ୍ଭାବନ କାଲେ । ଏହାକୁ ‘ତୋଫାନୀ’ ଆନ୍ଦୋଳନ କୁହାଗଲା । କୁହାଗଲା ‘ନମୁନା’ ଦ୍ଵାରା ବିପ୍ଳବ ହୁଏ ନାହିଁ । ବିପ୍ଳବ ପାଇଁ ଆଗେ ଗୋଟିଏ ବ୍ୟାପକ ହାୱା ବା ତୋଫାନ ସୃଷ୍ଟି କରିବାକୁ ପଡ଼ିବ । ଏଣୁ କର୍ମୀ ଓ ନେତା ଆଉ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂପୂର୍ଣ୍ଣ ଶକ୍ତି ନିୟୋଜିତ କରିବା ପରିବର୍ତ୍ତେ ଗ୍ରାମଦାନ ପାଇଁ କେବଳ ଲୋକଙ୍କର ଲିଖିତ ପ୍ରତିଶ୍ରୁତି ସଂଗ୍ରହ କରି ଗ୍ରାମକୁ ଗ୍ରାମ, ଜିଲ୍ଲାରୁ ଜିଲ୍ଲା ଓ ପ୍ରଦେଶରୁ ପ୍ରଦେଶ ବୁଲିବାକୁ ଲାଗିଲେ । ଗୋଟିଏ ଗ୍ରାମର ଶତକଡ଼ା ୭୫ ଭାଗ ପରିବାର ଓ ଶତକଡ଼ା ୫୧ ଭାଗ ଜମି ଯଦି ଗ୍ରାମଦାନର ଅନ୍ତର୍ଭୁକ୍ତ ହେବାକୁ ପ୍ରତିଶ୍ରୁତି ମିଳିବ ଓ ସେହି ମର୍ମରେ ଗ୍ରାମବାସୀ ‘ଗ୍ରାମଦାନ’ ସଙ୍କଳ୍ପପତ୍ର’ରେ ଦସ୍ତଖତ କରିଲେ ସେ ଗ୍ରାମଟି ଗ୍ରାମଦାନ ବୋଲି ଘୋଷିତ ହୋଇଗଲା-। ତାପରେ କର୍ମୀ ସେଟାକୁ ଛତା, କମ୍ବଳ ଉଠାଇ ଚାଲିଲେ ପରବର୍ତ୍ତୀ ଗ୍ରାମକୁ । ଜିଲ୍ଲାଦାନ, ପ୍ରଦେଶଦାନ ଇତ୍ୟାଦି ସାରି ଅତି ଶୀଘ୍ର ଭାରତ ଦାନର ଲକ୍ଷ୍ୟ ରଖାଯାଇଥିବାରୁ କମରୁ କମ୍ ସମୟ ମଧ୍ୟରେ ଅଧିକରୁ ଅଧିକ ଗ୍ରାମଦାନ ସଂଗ୍ରହ ପାଇଁ କର୍ମୀଙ୍କୁ ଭିତରେ ପ୍ରତିଯୋଗୀତାକୁ ନେତୃତ୍ଵ ଉତ୍ସାହିତ କଲେ । ଫଳରେ ତୋଫାନ ପ୍ରହସନ ଅଚିରେ ବ୍ୟଭିଚାରରେ ପରିଣତ ହୋଇଗଲା । ନେତାଙ୍କର ସୁନାପୁଅ ହେବ ପାଇଁ ଅନେକ ସ୍ଥାନରେ କର୍ମୀମାନେ ଏକ ଲୋକର ବାଁହାତ–ଡାହାଣହାତ ଉଭୟର ଟିପଚିହ୍ନ ନେଇ ସଂକଳ୍ପପତ୍ରମାନ ପୂରଣ କରି ଚାଲିଲେ-। ବିବେକବାନ କର୍ମୀ ପଛରେ ପଡ଼ିଗଲେ । ଅଯୋଗ୍ୟ ବୋଲି ନେତୃତ୍ଵ ଦ୍ଵାରା ନିନ୍ଦିତ ହେଲେ-। ଏକଦା ରାଜ୍ୟର କ୍ଷେତ୍ରଫଳ ଅପେକ୍ଷା ସେଠାରେ ଅଧିକ ପରିମାଣର କମ୍ପୋଷ୍ଟ ଖାତ ଖୋଲାଇବାର କୃତିତ୍ଵ ଅର୍ଜନ କରିଥିବା ବିହାର ଉପରୋକ୍ତ ପ୍ରକ୍ରିୟା ଅବଲମ୍ବନ କରି ଭାରତର ପ୍ରଥମ ପ୍ରଦେଶଦାନୀ ରାଜ୍ୟ ବୋଲି ଘୋଷିତ ହେବାର ଗୌରବ ଅର୍ଜନ କଲା-। ୧୯୬୭ ଫେବୃୟାରୀ ୨୨ ତାରିଖ ଦିନ ବୋନୋବାଜୀଙ୍କ ହାତରେ ‘ବିହାରଦାନ ହୋଇଗଲା-। ଧର୍ମତଃ ଏହାପରେ ଓଡ଼ିଶାର ପାଳି ପଡ଼ିବା ଉଚିତ । କୋରାପୁଟ ଆଡ଼େ ସମସ୍ତଙ୍କ ‘ଆଖି ପଡ଼ିଲା-। ମାତ୍ର କୋରାପୁଟ ସର୍ବୋଦୟ କର୍ମୀ–ଏପରିକି ଯାଜପୁର ଅଞ୍ଚଳରୁ ଯାଇଥିବା କର୍ମୀମାନେ ସୁଦ୍ଧା-ଲୋକଙ୍କ ଭିତରେ ମାଟି କାମୁଡି ପଡ଼ି କମ କରିବା ଅଭ୍ୟାସ ହେତୁ ନିର୍ବୋଧ କୋରାପୁଟିଆ ପାଲଟି ଯାଇଥିଲେ । ନେତାଙ୍କଠାରୁ ଯେତେ ଛାଟ ଖାଇଲେ ମଧ୍ୟ ସେମାନେ ଆଉ ଅଧିକ ଦଉଡ଼ି ପାରିଲେ ନାହିଁ । ତୋଫାନୀ ହାୱା ସୃଷ୍ଟିରେ କୋରାପୁଟ କର୍ମୀ ପଛରେ ପଡ଼ିଗଲେ-। ବୁଦ୍ଧିର ତୋଫାନ ବିହାରରୁ ସୁଧା ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାକୁ ବହୁଥିଲା । ୧୯୬୯ ସେପ୍ଟେମ୍ବର ବିନୋବାଜୀ ମଧ୍ୟ ଆସି ସେଠାରେ ଆଉ ଘେରାଏ ବୁଲି ଦେଇଗଲେ । ତାପରେ ପରେ ମୟୂରଭଞ୍ଜ ମଧ୍ୟ ବିନୋବାଜୀଙ୍କୁ ଦାନ ହୋଇଗଲା । ବାସ୍ତବରେ ଯଦି ଜରୁରୀ ପରିସ୍ଥିତି ଆସି ନ ଥାଆନ୍ତା କିମ୍ବା ବିନୋବାଜୀ ଓ ଜେପିଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖା ନ ଯାଇଆଥାନ୍ତା, ତେବେ ହୁଏତ ଏ ଶତାବ୍ଦୀ ଶେଷ ହେବ ପୂର୍ବରୁ ‘ପୃଥିବୀଦାନ’ ସରିଯାଇଥାଆନ୍ତା ।

 

ତୋଫାନ ଯାତ୍ରାରେ କର୍ମୀଙ୍କୁ ବ୍ୟସ୍ତ ରଖିବାକୁ ବିଭିନ୍ନ ଗ୍ରାମଦାନୀ କ୍ଷେତ୍ରରେ ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀମାନଙ୍କ ବିରୁଦ୍ଧରେ ମୁଣ୍ଡ ଟେକୁଥିବା ଜନଅସନ୍ତୋଷକୁ ବ୍ୟବହାର କରିବାର ଅପ୍ରୀତିକର ପରିସ୍ଥିତିରୁ ଅବଶ୍ୟ କର୍ମୀଙ୍କୁ ଓ ଅନୁଷ୍ଠାନକୁ ମିଳିଲା, ମାତ୍ର ଜିଲ୍ଲାଦାନ ସରି ଓଡ଼ିଶା ଦାନ ପାଇଁ ପ୍ରସ୍ତୁତି ଚାଲିବାର ବହୁ ଆଗରୁ ଓଡ଼ିଶାର ପ୍ରଥମ ଗ୍ରାମଦାନ ଗାଁର ଲୋକ ତାଙ୍କ ଏକଦା ଗ୍ରାମଥିବା କଥା ଭୁଲିଯାଇ ସାରିଥିଲେ । ବିନୋବାଜୀ ଓ ଜେ.ପି.ଙ୍କ ନିକଟରେ ସତ୍ୟ, ଅହିଂସା, ଗ୍ରାମରାଜ ଇତ୍ୟାଦି ପ୍ରତିଷ୍ଠାର ଶପଥ ନେବାର ବିହାର ଯେପରି ସମଗ୍ର ଭାରତରେ ଅଗ୍ରଣୀ ଥିଲା, ସେହି ଶପଥ ନେବାର ଅଳ୍ପ କେଇଟା ବର୍ଷ ଭିତରେ ଦୁର୍ନୀତି, ଅସତ୍ୟ, ହିଂସା ଇତ୍ୟାଦିରେ ତାହା ସମଗ୍ର ଭାରତରେ ଅଗ୍ରଣୀ ବୋଲି ମଧ୍ୟ ପ୍ରମାଣ କଲା । ବିନୋବାଜୀଙ୍କ ତୋଫାନୀ ଆନ୍ଦୋଳନ ଯେ ତୋଫାନରେ ଉଡ଼ିଯାଇଛି ତାହା ସେଥିରେ ପ୍ରମାଣିତ ହେଲା ।

 

୧୯୭୪ରେ ସେଠାରେ ଆରମ୍ଭ ହୋଇଥିବା ଜେ.ପି.ଙ୍କର ‘ସଂପୂର୍ଣ୍ଣ ବିପ୍ଳବ’ ମଧ୍ୟ ଯେ ସଂପୂର୍ଣ୍ଣ ବିଫଳତାର ପର୍ଯ୍ୟବେସିତ ହୋଇଛି ତାହା ମଧ୍ୟ ପରବର୍ତ୍ତୀ କାଳର ବିହାର ଅବସ୍ଥା ପ୍ରମାଣ କଲା । ବିନୋବାଜୀ ଓ ଜେ.ପି.ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ‘ବିହାର ଦାନ’ କରିଥିବା ବିହାର ହିଁ ଅବଶେଷରେ ହେଲା ସର୍ବୋଦୟ ଆନ୍ଦୋଳନର ୱାଟର୍‍ଲୁ ।

 

ଗାନ୍ଧୀ-ପ୍ରଦର୍ଶିତ ସତ୍ୟାଗ୍ରହକୁ ଏଡ଼ାଇବା ପାଇଁ ଚେଷ୍ଟା କରି ଗ୍ରାମଦାନ ସଂଗ୍ରହ ହିଁ ‘ତୋଫାନ’ ପର୍ଯ୍ୟାୟର ଅସଲ ସତ୍ୟାଗ୍ରହ ବୋଲି ବ୍ୟାଖ୍ୟା କରାଗଲା । ସତ୍ୟାଗ୍ରହ ନାମରେ ଏହି ଅନାଗ୍ରହକୁ ଉତ୍ସାହିତ କରିଥିବା ସ୍ଵୟଂ ଜେ.ପି. ୧୯୭୪ରେ ଇନ୍ଦିରାଙ୍କ କୁଶାସନ ବିରୁଦ୍ଧରେ ହଠାତ୍ ସତ୍ୟାଗ୍ରହର ଡାକରା ଦେଲେ । ମାତ୍ର ଇନ୍ଦିରା ଓ ଇନ୍ଦିରା ସମର୍ଥନ ସର୍ବୋଦୟ ପନ୍ଥୀଙ୍କ ଉପରେ ତାଙ୍କର କ୍ରୋଧ ଏପରି ଚରମ ସୀମାରେ ପହଞ୍ଚି ଯାଇଥିଲା ଯେ କ୍ରୋଧାନ୍ଧ ଜେ.ପି. ଅନାଗ୍ରହରୁ ସିଧା ଦୁରାଗ୍ରହ ନିକଟରେ ପହଞ୍ଚିଗଲେ । ସେ ଯେଉଁମାନେ ସାଥିକରି ଇନ୍ଦିରାଙ୍କ ବିରୁଦ୍ଧରେ ଲଢ଼ିବାକୁ ବାହାରିଲେ, ସେମାନଙ୍କ ଭିତରୁ ଅଧିକାଂଶ ଇନ୍ଦିରାଙ୍କ ପରି ସମପରିମାଣରେ ଦୁର୍ନୀତି ଗ୍ରସ୍ତ ଏକଛତ୍ରବାଦୀ ଓ ପ୍ରାରିବାରିକ ଶାସନରେ ବିଶ୍ଵାସୀ ଥିଲେ ।

 

ସ୍ଵତନ୍ତ୍ର ଦଳ ଓ ଜନସଂଘ ନେତାଙ୍କର ଗାଡ଼ି ଯେତେବେଳେ ଅଚଳ ପ୍ରାୟ ସେମାନେ ମଧ୍ୟ ଜେ.ପି.ଙ୍କ ଚଳନ୍ତା ଗାଡ଼ିକୁ ଡିଆଁ ମାରିଲେ । ଏଇ ଓଡ଼ିଶାରେ ଏଇଭଳି ନେତାମାନଙ୍କର ସମାବେଶ ଦେଖି ଏ ଲେଖକ ପରି କିଛି ଯୁବବନ୍ଧୁ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କ ସମ୍ମୁଖରେ ପ୍ରତିବାଦ ଜଣାନ୍ତେ ଶ୍ରୀ ଚୌଧୁରୀ ବିରକ୍ତ ହୋଇ କହିଲେ, “ଯାହାର କିଛି କାମ କରିବାର ଇଚ୍ଛା ନ ଥାଏ ସିଏ, ଏହିଭଳି ଟିକିନିକି କଥାକୁ ଦେଖେ । ବର୍ତ୍ତମାନ କାମର ବେଳ । Ideologicai hair-splittingର ବେଳ ନୁହେଁ ।” କିଛି ଗୋଟିଏ ଶୀଘ୍ର ହୋଇଯାଉ, ଏଥିଜନୀତ ବ୍ୟସ୍ତତା ଓ ୧୯୭୪ର ଅଦ୍ଭୁତପୂର୍ବ ଜନ ଉଦବେଳନ ଜନିତ ଅତ୍ୟୁତ୍ସାହ ହେତୁ ଜେ.ପି ଓ ନବବାବୁଙ୍କ ପରି ସାଧୁ, ପଣ୍ଡିତ ରାଜନୀତିଜ୍ଞ ସୁଦ୍ଧା ଗୁଡ଼ିଏ କଳଙ୍କିତ ରାଜନୀତିଜୀବୀଙ୍କୁ ହଟାଇ ତାଙ୍କ ସ୍ଥାନରେ ଆଉ ଗୁଡ଼ିଏ କଳଙ୍କିତ ରାଜନୀତିଜୀବୀଙ୍କୁ ବସାଇଦେଲେ ଓ ତା’ ଦ୍ଵାରା ଦେଶରେ ସଂପୂର୍ଣ୍ଣ ବିପ୍ଳବ ହୋଇଯିବ ବୋଲି ଆଶା ପ୍ରକାଶ କଲେ । ଇନ୍ଦିରାଙ୍କ ବଂଶାନୁକ୍ରମିକ ଓ ଏକଛତ୍ରବାଦୀ ଶାସନକୁ ଚଳାଇ ରଖିବା ବିନୋବାଜୀଙ୍କ ଜରୁରୀ ପରିସ୍ଥିତି କାଳୀନ ଆଶୀର୍ବାଦ ଯେପରି ଅନେକାଂଶରେ ଦାୟୀ, ଆଜି ବି.ଜେ.ପି ଅଥବା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପରି ଉଗ୍ର ସାମ୍ପ୍ରଦାୟିକ ସଂସ୍ଥାମାନଙ୍କର ଉତ୍‍ଥାନ ପଛରେ ଜରୁରୀ ପରିସ୍ଥିତି ବେଳେ ସେମାନଙ୍କ ପ୍ରତି ଜେ.ପି. ଅଥବା ନବବାବୁଙ୍କ ପରି ଗାନ୍ଧୀବାଦୀଙ୍କ ପୃଷ୍ଠପୋଷକତା ଓ ସାର୍ଟିଫିକେଟ ସେହିପରି ଦାୟୀ, ଏହା ଅବଶ୍ୟ ସ୍ଵୀକାର କରିବାକୁ ହେବ । ସ୍ଵାଧୀନତା ପରେ କଂଗ୍ରେସକୁ ଭାଙ୍ଗି ତାକୁ ଲୋକ ସେବକସଙ୍ଘ ନାମ ଦେଇ ଦେଶ ପୁନର୍ଗଠନ କାମରେ ନିୟୋଜିତ କରିବାପାଇଁ ଗାନ୍ଧିଜୀ ସୃଷ୍ଟି ନିର୍ଦ୍ଦେଶ ଦେଇ ଯାଇଥିଲେ ମଧ୍ୟ ତାକୁ କ୍ଷମତା ବ୍ୟବସାୟରେ ଏକ ଲାଭଦାୟକ ଟ୍ରେଡ଼ମାର୍କ ରୂପେ ବ୍ୟବହାର କରାଗଲା । ଗାନ୍ଧିଜୀଙ୍କ କଂଗ୍ରେସର ମୂଳଭିତ୍ତି ନୈତିକତା ଥିବାବେଳେ ନେହେରୁଙ୍କୁ କଂଗ୍ରେସର ମୂଳଭିତ୍ତି ଥିଲା ସୁବିଧାବାଦ । ଅଥବା ସ୍ଵାଧୀନତା ପରବର୍ତ୍ତୀ କଂଗ୍ରେସ ଗାନ୍ଧିଜୀଙ୍କ ଗଠିତ ସେହି କଂଗ୍ରେସ ଓ କଂଗ୍ରେସ ଗଠିତ ସରକାର ଗାନ୍ଧିଜୀଙ୍କ ସେହି ସହକର୍ମୀମାନଙ୍କ ଦ୍ଵାରା ଗଠିତ ସରକାର ବୋଲି ବିନୋବାଜୀ ଭୂଦାନ ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ କହି ଆସୁଛନ୍ତି । ଜୟପ୍ରକାଶ ମୁଖ୍ୟତଃ ପୂର୍ବତନ କଂଗ୍ରେସ ସରକାର ଓ ଦଳରେ ଥିବା ଲୋକଙ୍କୁ ନେଇ ଜନତାଦଳ ଗଢ଼ିବା ଦ୍ଵାରା ମଧ୍ୟ ପ୍ରମାଣ କରିଦେଲେ ଯେ ସେ କଂଗ୍ରେସ ସରକାର ବିରୋଧୀ ହେଲେ ମଧ୍ୟ କଂଗ୍ରେସ ସଂସ୍କୃତିର ବିରୋଧୀ ନୁହନ୍ତି । ଅଥଚ ଅପରପକ୍ଷରେ ଉଭୟେ ବାରମ୍ବାର କହି ଆସିଛନ୍ତି ଯେ ଦେଶର ସ୍ଵାଧୀନତା ଆସି ଦିଲ୍ଲୀରେ ଅଟକି ଯାଇଛି । ଗ୍ରାମଯାଏ ପହଞ୍ଚିପାରି ନାହିଁ । ଦେଶର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଗଢ଼ଣ ନ ବଦଳିଲେ କେବଳ ସରକାର ବଦଳି କରି କୌଣସି ନୈପ୍ଳବିକ ପରିବର୍ତ୍ତନ ଆଣିହେବ ନାହିଁ । ଗାନ୍ଧୀ ଆନ୍ଦୋଳନ ଓ ନେହେରୁ ସରକାର ମଧ୍ୟରେ ଏକ ଐକ୍ୟ-ବିରୋଧୀ (Untiy and Struggle) ସମ୍ପର୍କ ସ୍ଥାପନ ପାଇଁ ଏହିଭଳି ପରସ୍ପର ବିରୋଧୀ ଦୃଷ୍ଟିକୋଣ ଗ୍ରହଣ କରାଯାଇଛି ବୋଲି ନେତୃବର୍ଗ ଧାରଣା ସୃଷ୍ଟି କଲେ । ଏପରିକି ଇଂରେଜ ସରକାର ଏକ ବହିରାଗତ ସରକାର ହୋଇଥିଲେ ମଧ୍ୟ ତା’ କ୍ଷେତ୍ରରେ ଗାନ୍ଧିଜୀ କେବଳ ବିରୋଧ ନୁହେଁ ଐକ୍ୟ-ବିରୋଧୀ ଯୁଦ୍ଧ କୌଶଳ ଅବଲମ୍ବନ କରିଥିଲେ ବୋଲି ବୁଝାଇ ଦିଆଗଲା, ମାତ୍ର ଗାନ୍ଧିଜୀ ଅବଲମ୍ବନ କରିଥିବା ସଂଗ୍ରାମମୂଳକ ସତ୍ୟାଗ୍ରହ ଅସ୍ତ୍ରକୁ ବିନୋବାଜୀ ପରିତ୍ୟାଗ କଲେ । ‘ତୋଫାନୀ’ ଆନ୍ଦୋଳନ ବେଳେ କେବଳ ଗ୍ରାମଦାନ ସଂଗ୍ରହ ହିଁ ସତ୍ୟାଗ୍ରହ ବୋଲି ବୁଝାଇ ଦିଆଗଲା । ଜନତାଦଳ ସରକାରଙ୍କୁ ଆସିବା ପରେ ଜେ.ପି ପନ୍ଥୀଙ୍କର ମଧ୍ୟ ସେମାନଙ୍କ ସହ କାର୍ଯ୍ୟତଃ କେବଳ ଐକ୍ୟଭିତ୍ତିକ ସମ୍ପର୍କ ରହିଲା । ସେମାନଙ୍କ ବିରୁଦ୍ଧରେ ଅଭିମାନସୂଚକ ମନ୍ତବ୍ୟମାନ ଦେବା, ବେଳେ ବେଳେ ସେମାନଙ୍କୁ ମୌଖିକ ସତର୍କବାଣୀ ଶୁଣାଇବା ଇତ୍ୟାଦିରେ ସେମାନଙ୍କ ପ୍ରତି ଜେ.ପି ପନ୍ଥୀଙ୍କର ବିରୋଧରେ ସୀମାବଦ୍ଧ ରହିଲା । ଫଳରେ ନେହେରୁଙ୍କ କଂଗ୍ରେସକୁ ବିନୋବାଜୀ ଓ ସ୍ଵସ୍ପଷ୍ଟ ଜନତା ଦଳକୁ ଜେ.ପି ବିପ୍ଳବର ସେତୁ କରିବାର ସ୍ଵପ୍ନ ଦିବାସ୍ଵପ୍ନ ବୋଲି ପ୍ରମାଣିତ ହେଲା । ବରଂ ନେହେରୁ କଂଗ୍ରେସ ସୁବିଧାବାଦୀ ସଂସ୍କୃତିରେ ପରିପୁଷ୍ଟ ଉଭୟ କଂଗ୍ରେସ ଓ ଜନତା ସେମାନଙ୍କର ‘ଆଚାର୍ଯ୍ୟ’ମାନଙ୍କୁ ସିଡ଼ି ରୂପେ ବ୍ୟବହାର କଲେ । କାମ ସରିଗଲା ପରେ ସେମାନଙ୍କୁ ହେୟଜ୍ଞାନ କଲେ । ଅତି ଦୟନୀୟଭାବେ ସେମାନଙ୍କର ନ୍ୟୁନତମଦାବିକୁ ମଧ୍ୟ ପ୍ରତ୍ୟାଖ୍ୟାନ କଲେ । ୧୯୭୭ରେ ବିନୋବାଜୀ ଗୋହତ୍ୟା ବନ୍ଦ ନିମିତ୍ତ ଆମରଣ ଅନଶନର ଧମକ ଦେଲେ ଓ ତାଙ୍କ ଆଶ୍ରମରୁ ପ୍ରକାଶିତ ‘ମୈତ୍ରୀ’ ପତ୍ରିକାରେ ଏହା ପ୍ରକାଶିତ ହେଲା । ସେଯାଏ ବିନୋବାଜୀଙ୍କ ‘ଅନୁଶାସନ ପର୍ବ’ ଆଶୀର୍ବାଣୀକୁ ଢାଲ ରୂପେ ବ୍ୟବହାର କରୁଥିବା କଂଗ୍ରେସ ସରକାର ‘ମୈତ୍ରୀ’ ପତ୍ରିକାର ସେହି ସଂଖ୍ୟାକୁ ବାଜ୍ୟାପ୍ତ କଲେ । ସେହି ଜରୁରୀ ପରିସ୍ଥିତି ଭିତରେ ପାଳିତ ହେଉଥିବା ଭୂଦାନ ରଜତ ଜୟନ୍ତୀ ସୁଦ୍ଧା ଭୂଦାନରେ ମିଳିଥିବା ସମସ୍ତ ଭୂଦାନ ଜମି ଭୂମିହୀନଙ୍କ ମଧ୍ୟରେ ବଣ୍ଟାଇ ଦେବାପାଇଁ ବିନୋବାଜୀ କରିଥିବା ଅନୁରୋଧକୁ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଖାତିର କଲେ ନାହିଁ । ଏହି ପରିପ୍ରେକ୍ଷୀରେ ବିନୋବାଜୀ ୧୯୭୫ ଡିସେମ୍ବରରେ ଅନୁଶାସନର ବ୍ୟାଖ୍ୟା କରିବାକୁ ଯାଇ ଯାହା କହିଥିଲେ, ତାହା ପ୍ରଣିଧାନ ଯୋଗ୍ୟ । ‘‘ଭାରତରେ ଅନୁଶାସନ ମାର୍ଗ ଦର୍ଶନରେ ପ୍ରଜାମାନେ ଚଳିବେ । ଯଦି ପ୍ରଜାମାନଙ୍କ ଭିତରେ ଶାନ୍ତି ରହିବ—ଏଥିରେ କୌଣସି ଆଶଙ୍କା ରହିନପାରେ । ଏହି ମାର୍ଗ ଦର୍ଶନ ଆଚାର୍ଯ୍ୟମାନେ ଦେବେ । ତାଙ୍କର ଅନୁଶାସନ, ତାଙ୍କର ବିରୋଧୀ ଯଦି ସରକାର କରିବେ, ତେବେ ତାଙ୍କ ଆଗକୁ ସତ୍ୟାଗ୍ରହର ପ୍ରସଙ୍ଗ ଆସିବ । ବାବାର ପୁରା ବିଶ୍ଵାସ–ଏଠାରେ ଶାସନ ଏପରି କୌଣସି କାମ କରିବ ନାହିଁ । ଯାହାକି ଆଚାର୍ଯ୍ୟଙ୍କ ଅନୁଶାସନର ବିରୁଦ୍ଧାଚରଣ କରିବ । ଏ କାରଣରୁ ଏ ଉଦ୍ଦେଶ୍ୟ ନେଇ ସତ୍ୟାଗ୍ରହ କରିବାର ଅବସର ନାହିଁ (୫) ।" କଂଗ୍ରେସ ସରକାର ଜରୁରୀ ପରିସ୍ଥିତି ବେଳେ ‘ଆଚାର୍ଯ୍ୟ’ଙ୍କ ଆଶୀର୍ବାଦକୁ ପୁଞ୍ଜି କଲେ, ଅଥଚ ତାଙ୍କର ‘ଅନୁଶାସନକୁ’ ମାନିଲେ ନାହିଁ । ତାଙ୍କର ଅନୁଶାସନକୁ ନ ମାନିଲେ ସରକାରଙ୍କୁ ସତ୍ୟାଗ୍ରହର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ବିନୋବାଜୀ ଦେଇଥିବା ଧମକ ବିନୋବାଜୀଙ୍କ ଜୀବଦ୍ଦଶାରେ ମଧ୍ୟ କେବେ କାର୍ଯ୍ୟକାରୀ ହେଲା ନାହିଁ । ସେହିପରି ଅପର ପକ୍ଷରେ ରାଜଘାଟରେ ଶପଥ କରାଇ ସେମାନଙ୍କ ମାଧ୍ୟମରେ ସଂପୂର୍ଣ୍ଣ କ୍ରାନ୍ତି କରିବାର ସ୍ଵପ୍ନ ଦେଖିଥିବା ଜେ.ପି.ଙ୍କୁ ମଧ୍ୟ ଜନତାଦଳ ତାଙ୍କରି ଜୀବଦ୍ଦଶାରେ ବେଖାତିରି କଲା । ନିର୍ବାଚନ ସଂସ୍କାର, ବିଶେଷ କରି ନିର୍ବାଚିତ ପ୍ରତିନିଧିଙ୍କୁ ଫେରାଇ ଆଣିବାର ଅଧିକାର (recall)କୁ ପ୍ରଚଳିତ କରାଇବା ଉପରେ ଜେ.ପି. ଖୁବ୍ ଗୁରୁତ୍ଵ ଦେଉଥିଲେ ମଧ୍ୟ ତାକୁ ବେଖାତିରି କରାଗଲା । ତାଙ୍କର ନ୍ୟୁନତମ ଆଶା ମଧ୍ୟ କିପରି ଜନତା ଦଳରେ ଥିବା ତାଙ୍କର ପ୍ରିୟତମ ଶିଷ୍ୟମାନେ ପୂରଣ କଲେ ନାହିଁ, ତାର ଉଦାହରଣ ସେ ମୃତ୍ୟୁ ଶଯ୍ୟାରୁ ଦେଇଥିଲେ । ବିହାରରେ ୧୯୭୬ ଯେଉଁ ଜନତା ସରକାର ଗଢ଼ାଗଲା ସେଥିରେ ତାଙ୍କର ଏକାଧିକ ପୂର୍ବତନ ସୋସାଲିଷ୍ଟ ଶିଷ୍ୟ ମନ୍ତ୍ରୀ ହୋଇଥିଲେ । ପୂର୍ବତନ କଂଗ୍ରେସ ସରକାର କେତୋଟି ପ୍ରଗତିଶୀଳ ଆଇନ ପ୍ରଣୟନ କରିଥିଲେ ଅଥଚ ତାଙ୍କର ଆନ୍ତରିକତା ଅଭାବରୁ ସେ ସବୁ କାର୍ଯ୍ୟକାରୀ ହେଉନଥିଲା । ନୂଆ ପ୍ରଗତିଶୀଳ ଆଇନ କିଛି କାର୍ଯ୍ୟକାରୀ ହେବା ଦୂରର କଥା, ସେହି ପୁରୁଣା ଆଇନରୁ କେତୋଟି କାର୍ଯ୍ୟକାରୀ କରିବା ପାଇଁ ଜେ.ପି. ତାଙ୍କର ସେହି ପୂର୍ବତନ ଶିଷ୍ୟଙ୍କୁ ଅନୁରୋଧ କରି ମଧ୍ୟ ବିଫଳ ହୋଇଥିଲେ କ୍ଷୋଭ ପ୍ରକାଶ କରିଥିଲେ । ରୁଷର ଅହଂଙ୍କାର ପରି ଭୟଙ୍କର ଅହଂକାର ଆଉ ଜଗତରେ ନାହିଁ ବୋଲି ପୁରାଣ, ଶାସ୍ତ୍ର ପ୍ରମାଣିତ କରିଛି । ଜୀବନରେ କିଛି ତ୍ୟାଗ କରିଥିବା ଓ ବ୍ୟକ୍ତିଗତ ଜୀବନରେ ସାଧୁତା, ସଚ୍ଚୋଟତା ଇତ୍ୟାଦି ବଜାୟ ରଖି ପାରିଥିବାର ଅହଂକାର ବିନୋବାଜୀ ଏବଂ ଉଭୟ ଶିବିରର କିଛି ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଏତେ ପ୍ରବଳ ଭାବେ ଘାରିଥିଲା ଯେ ଇନ୍ଦିରା କଂଗ୍ରେସ ଓ ଜରୁରୀପରିସ୍ଥିତି ବେଳେ ତାଙ୍କର ଅନ୍ୟତମ ଗୋଡ଼ାଣିଆ ସି.ପି ଆଇ ପରି ନୈତିକ ଦେବାଳିଆ ଦଳ ଆତ୍ମ ସମାଲୋଚନା କରିଥିଲେ ମଧ୍ୟ ବିନୋବାଜୀ ଅଥବା ସର୍ବୋଦୟ ପରିଷଦ ଅଥବା ସର୍ବ ସେବାସଂଘ କଂଗ୍ରେସ ଅଥବା ଜନତାଦଳର ସିଡ଼ି ହୋଇଥିବା ଭୁଲ ପାଇଁ ଆତ୍ମସମାଲୋଚନା କରି ନାହାନ୍ତି । ସେଥିପାଇଁ ସେମାନଙ୍କର କୌଣସି ଆତ୍ମଗ୍ଳାନି ଥିବାର ମଧ୍ୟ ସୂଚନା ମିଳିଲା ନାହିଁ । ଜରୁରୀ ପରିସ୍ଥିତି ପରେ ନିଷ୍ପକ୍ଷତା, ‘ଅନିଦ୍ରାବ୍ରତ’ ଇତ୍ୟାଦିର ଦ୍ଵାହି ଦେଇ ସର୍ବୋଦୟ ପରିଷଦ କଂଗ୍ରେସ ସରକାରଙ୍କର ଗୋଡ଼ାଣିଆ ହୋଇ ରହିଲେ । ‘ସତ୍ୟାଗ୍ରହ’ର ଦ୍ଵାହି ଦେଇ ସର୍ବସେବା ସଂଘ କେବଳ କଂଗ୍ରେସର ଗୋଇ ଖୋଳିଲେ ଓ ଜନତାଦଳକୁ ନୈତିକ ସମର୍ଥନ ଦେଇ ଚାଲିଲେ । ଏବେ ମଧ୍ୟ ସରକାରର କେତେକ ନିଦ୍ଦିଷ୍ଟ କାର୍ଯ୍ୟକ୍ରମ (ଯଥା ନିଶାନିବାରଣ, ବହୁ ରାଷ୍ଟ୍ରୀୟ କମ୍ପାନୀଙ୍କ ପ୍ରତି ଉଦାର ମନୋଭାବ ପୋଷଣ)କୁ ସର୍ବ ସେବାସଂଘ ବା ସର୍ବୋଦୟ ମଣ୍ଡଳ ବିରୋଧ କରୁଥିଲେ ମଧ୍ୟ ଜନତା ଦଳଠାରୁ ନୀତିଗତି ସମର୍ଥନ ପ୍ରତ୍ୟାହାର କରିନାହିଁ ।

 

୧୯୭୬ରେ ଇନ୍ଦିରା ସରକାରଙ୍କ ଘୋଷିତ ‘ଜରୁରୀ ପରିସ୍ଥିତି’ ଅନେକ ଦୃଷ୍ଟିରୁ ଥିଲା ସର୍ବୋଦାୟ ଆନ୍ଦୋଳନର ଏକ ଦେହଳୀ ପ୍ରଦୀପ । ଚୌକାଠ ଉପରେ ଥୁଆ ହୋଇଥିବା ଦୀପ ଯେପରି ଘରର ଉଭୟ ଭିତର ଓ ବାହାରକୁ ଆଲୋକିତ କରିଥାଏ, ସେହିପରି ‘ଜରୁରୀ ପରିସ୍ଥିତି’ର ଅବ୍ୟବହିତ ପୂର୍ବରୁ ଏବଂ ପରେ ସର୍ବୋଦୟ ଆନ୍ଦୋଳାନ ଭିତରେ ଯେଉଁ ପରିସ୍ଥିତି ସୃଷ୍ଟି ହେଲା, ତାହା ଏ ଆନ୍ଦୋଳନ, ଏହା ଆଗରେ ଥିବା ଦର୍ଶନ ଏବଂ ଏହା ପଛରେ ଥିବା ସଙ୍ଗଠନର ଭିତର, ବାହାର ଆଲୋକିତ କରି ଦେଖାଇଦେଲା ।

 

ପ୍ରଥମତଃ, ଏକ ବୈପ୍ଳବିକ ଆନ୍ଦୋଳନ ପଛରେ ଥିବା ଦର୍ଶନରେ ସ୍ପଷ୍ଟତା ଏବଂ ସଙ୍ଗତ ନଥିଲେ କିଭଳି ବିଭ୍ରାଟ ସୃଷ୍ଟି ହୁଏ, ତାହା ଏହି ସମୟରେ ପ୍ରମାଣିତ ହେଲା । ସତ୍ୟାନୁସନ୍ଧାନ ମାର୍ଗରେ “ମୋର ଲେଖାଗୁଡ଼ିକ ମଧ୍ୟରେ ସର୍ବଦା ସାମଞ୍ଜସ୍ୟ ରକ୍ଷା କରିବାକୁ ମୁଁ ଆଦୌ ଚିନ୍ତିତ ନୁହେଁ” ବୋଲି ଗାନ୍ଧୀଜି କହୁଥିଲେ (୬) । ସ୍ଵାଧୀନତା ଆନ୍ଦୋଳନରେ ବ୍ୟସ୍ତରହି ସେ ନିଜର ଦର୍ଶନକୁ ବିଧିବଦ୍ଧ ରୂପେ ଦେଇ ପାରୁନାହାନ୍ତି ବୋଲି ମଧ୍ୟ କହୁଥିଲେ । ମାତ୍ର ପରବର୍ତ୍ତୀ କାଳରେ ମଧ୍ୟ ସେ ଦିଗରେ କୌଣସି ପ୍ରଚେଷ୍ଟା ହୋଇନାହିଁ । ‘ମୋର କୌଣସି ଦୁଇଟି ଲେଖା ମଧ୍ୟରେ କେହି ଯଦି କୌଣସି ଅସାମଞ୍ଜସ୍ୟ ବା ପରସ୍ପର ବିରୁଦ୍ଧଭାବ ଲକ୍ଷ୍ୟ କରନ୍ତି......ତାହାହେଲେ ସେହି ଏକା ବିଷୟରେ ସମୟର କ୍ରମଅନୁସାରେ ସେ ମୋର ପରବର୍ତ୍ତୀ ଲେଖାଟିକୁ ବାଛିଲେ ଠିକ୍ ହେବ (୭) ।’ ନିଜର ବକ୍ତବ୍ୟ ଅନେକ ସମୟରେ ବିରୋଧୀ ହେଉଥିବା ବିଷୟରେ ସଚେତନ ହୋଇ ଗାନ୍ଧିଜୀ ଏପରି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ମାତ୍ର ତାଙ୍କ ନିଧନରେ ୪୫ ବର୍ଷ ବିତିଯାଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା ଉପରେ ତାଙ୍କର ସର୍ବଶେଷ ମତ କଣ–ତାହା ଏକତ୍ର କୌଣସି ସ୍ଥାନରେ ସଂକଳିତ ହୋଇଥିବା ଏ ଲେଖକ ଜାଣେ ନାହିଁ । ଗାନ୍ଧିଜୀଙ୍କର ଯେଉଁ ଉକ୍ତି ଯାହାକୁ ଯେତେବେଳେ ସୁହାଇଲା ସେ ତାକୁ ବ୍ୟବହାର କଲା । ସତ୍ୟ, ଅହିଂସା, ସତ୍ୟାଗ୍ରହ ଇତ୍ୟାଦି ସଂପ୍ରତ୍ୟୟଗୁଡ଼ିକ ଜ୍ଞାନ ମୀମାଂସା ଦୃଷ୍ଟିରୁ ଦେଖିଲେ ଏବେ ବି ଅତ୍ୟନ୍ତ ଅସ୍ପଷ୍ଟ । ଜରୁରୀ ପରିସ୍ଥିତିର ଅବ୍ୟବହିତ ପୂର୍ବରୁ ବିନୋବାଜୀ ଓ ଜେ.ପି.ଙ୍କ ପରି ଗାନ୍ଧୀ–ପରମ୍ପରାର ଦୁଇ ଯୋଗ୍ୟତମ ଦାୟାଦ ଏହି ସଂପ୍ରତ୍ୟଗୁଡ଼ିକ ଯେପରି ବ୍ୟବହାର କଲ ସେଥିରୁ ଦାର୍ଶନିକ ଅସ୍ପଷ୍ଟତା ଏକ ଆନ୍ଦୋଳନ ପାଇଁ କିପରି ଶୋଚନୀୟ ବିପର୍ଯ୍ୟୟ ଆଣିପରେ, ତାହା ପ୍ରମାଣିତ ହେଲା । ତେବେ ଗାନ୍ଧିଜୀ ନିଜ ଦର୍ଶନର ବିଭିନ୍ନ ସଂପ୍ରତ୍ୟଗୁଡ଼ିକୁ ଭାଷାରେ ସ୍ପଷ୍ଟ କରି ନଥିଲେ ମଧ୍ୟ ବାରମ୍ବାର ପ୍ରୟୋଗ ମାଧ୍ୟମରେ ସେ ସବୁରି ତାତ୍ତ୍ଵିକ ସଂଜ୍ଞା ତଥା ପ୍ରାୟୋଗିକ ସୀମା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରି ଦେଇଥିଲେ । ମାତ୍ର ବିନୋବାଜୀଙ୍କ ଅମଳରେ ସେହି ସଂପ୍ରତ୍ୟୟଗୁଡ଼ିକର ବ୍ୟାଖ୍ୟା ପରି ପ୍ରୟୋଗ ମଧ୍ୟ କୁହେଳିକାରେ ଆଚ୍ଛନ୍ନ ହୋଇଗଲା । ଗ୍ରାମଦାନ ସଂଗ୍ରହ ହିଁ ସତ୍ୟାଗ୍ରହ ଏହିଭଳି ଏକ ବ୍ୟାଖ୍ୟା ଓ ପ୍ରୟୋଗର ଦୃଷ୍ଟାନ୍ତ ତାଙ୍କର ରହସ୍ୟବାଦୀ, ଉଚ୍ଛ୍ଵାସଧର୍ମୀ ଶବ୍ଦକ୍ରୀଡ଼ା ସଂପ୍ରତ୍ୟୟଗୁଡ଼ିକ ସୁନ୍ଦର ଉଦ୍ଧୃତି-ଯୋଗ୍ୟ ସୁକ୍ତିରେ ପରିଣତ କରେ । ମାତ୍ର କାର୍ଯ୍ୟକ୍ଷେତ୍ରରେ ସେସବୁରୁ ମାର୍ଗଦର୍ଶନ ଖୋଜିବସିଲେ ଅନେକ ସମୟରେ ଭୂଆଁ ବୁଲିବାକୁ ପଡ଼େ ।

 

ଦର୍ଶନ ପରି ଆନ୍ଦୋଳନ କ୍ଷେତ୍ରରେ ମଧ୍ୟ କର୍ମୀ ସମ୍ମୁଖୀନ ହେଉଥିବା ବିଭିନ୍ନ କୌଶଳ ଗତ ଓ ବ୍ୟାବହାରିକ ସମସ୍ୟା ଉପରେ ସ୍ପଷ୍ଟ ଦିଗଦର୍ଶକ ନଥିଲା, ପ୍ରତିଷ୍ଠିତ ସରକାର ସହିତ ଆନ୍ଦୋଳନର ସମ୍ପର୍କ ଐକ୍ୟଗତ ହେବକି ବିରୋଧାତ୍ମକ ହେବକି ଐକ୍ୟ-ବିରୋଧୀ ମୂଳକ ଦ୍ଵନ୍ଦ୍ୱାତ୍ମକ ସେ ସମ୍ପର୍କରେ ସ୍ପଷ୍ଟ ଆଲୋଚନା କେବେ ହୋଇନାହିଁ । ‘ଅନିଦ୍ରାବ୍ରତ’,’ ନିଷ୍ପକ୍ଷତା’ ଇତ୍ୟାଦିର ଦ୍ଵାହିଦିଆଯାଇ ସରକାରରେ ଥିବା ଦଳର ସମସ୍ତ ଅନ୍ୟାୟ ଅନୀତ ପ୍ରତି ଆଖିବୁଜି ଦିଆଯାଇଛି । କର୍ମୀଙ୍କୁ ‘ନିଧ୍ଵମୁକ୍ତ’ ଓ ‘ସଂସ୍ଥାମୁକ୍ତ’ ହୋଇ ଲୋକ ଆଧାରିତ ପନ୍ଥାରେ ଚଳିବାକୁ ନିର୍ଦ୍ଦେଶ ଦିଆଯାଇଛି, ମାତ୍ର ତୋଫାନ ଯାତ୍ରା ନାଁରେ କର୍ମୀଙ୍କୁ ଲୋକଙ୍କ ଭିତରେ ସଘନକାର୍ଯ୍ୟ କରିବାରୁ ବଞ୍ଚିତ କରି ତାଙ୍କୁ ଲୋକ ଆଧାରିତ ହେବାକୁ କହିବା ଏକ ଅନ୍ୟାୟ ନିର୍ଦ୍ଦେଶ ଥିଲା । ଫଳରେ ଅନେକ କର୍ମୀ ‘ନିଧି’ ପାଇବାର ଅସତମାର୍ଗ ଅବଲମ୍ବନ କଲେ ଅଥବା ନିଜ ସଂସ୍ଥାଠାରୁ ମୁକ୍ତ ହୋଇ ଯାଇ ନିଧି ଲୋଭରେ ବାହ୍ୟସଂସ୍ଥାମାନଙ୍କର ଦାସତ୍ଵ ବରଣ କଲେ । ଅବଶ୍ୟ ଯେଉଁ ଅଞ୍ଚଳରେ କର୍ମୀମାନେ ଲୋକଙ୍କ ସୁଖ ଦୁଃଖରେ ଭାଗୀ ହୋଇ ଶେଷ ପର୍ଯ୍ୟନ୍ତ ସେମାନଙ୍କ ଭିତରେ କିଛି ସଘନ କାର୍ଯ୍ୟ କରିଛନ୍ତି, ସେମାନଙ୍କୁ ଲୋକେ ନିଜର ଅତି ଦୁର୍ଦ୍ଦିନରେ ମଧ୍ୟ ଚଳାଇବା ଦାୟିତ୍ଵ ନେଇଛନ୍ତି । ‘ସଂଶୟାତ୍ମା ବିନଶ୍ୟତି’ । କାର୍ଯ୍ୟ କ୍ଷେତ୍ରରେ କୌଣସି ଦୃଢ଼, ସ୍ପଷ୍ଟ ସିଦ୍ଧାନ୍ତରେ ଅଭାବ ଓ ଇତିସ୍ତତଃଭାବ ହେତୁ ବାରମ୍ବାର ‘ପେଟ ପୂରି ନାହିଁ କିନ୍ତୁ ଜାତି ଯାଇଛି’ ଅବସ୍ଥା ସୃଷ୍ଟି ହୋଇଛି । କ୍ଷମତା ରାଜନୀତିରେ ସର୍ବୋଦାୟ ସଙ୍ଗଠନର ଭୂମିକା ବିଶେଷ ଭାବେ ଏହା ପ୍ରମାଣ କରିଛି । ସର୍ବୋଦୟ ଲୋକ ସ୍ଵୟଂ କ୍ଷମତାକୁ ଯିବା ପାପ ବୋଲି ମଣିଛନ୍ତି । କିନ୍ତୁ କ୍ଷମତାକୁ ଯିବାପାଇଁ ବ୍ୟାକୁଳ ବିଭିନ୍ନ ଦଳ ଓ ବ୍ୟକ୍ତିଙ୍କ ପାଇଁ ନିଃସଙ୍କୋଚରେ ନିଜକୁ ସିଡ଼ି କରି ଦେଇଛନ୍ତି । କିଞ୍ଚିତ ରାଜାନୁଗ୍ରହ ପାଇଁ ଭୀଷ୍ମ ଦ୍ରୋଣଙ୍କ କୁଶାସନ ବିରୁଦ୍ଧରେ ଆଖି କାନ ବନ୍ଦ କରି ଦେଇଛନ୍ତି । ନିର୍ବାଚନ ସମୟରେ ‘ଭଲ ଲୋକ’ ଦେଖି ଭୋଟ ଦେବାପାଇଁ ଓ ପ୍ରାର୍ଥୀକୁ ‘ସର୍ବସମ୍ମତ’ କିମ୍ବା ‘ସର୍ବାନୁମତି’ କ୍ରମେ ବାଛିବା ପାଇଁ ନିବେଦନ କରାଯାଇଛି । ମାତ୍ର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ, ବିଶେଷ କରି ନିର୍ଦ୍ଦିଷ୍ଟ ଗ୍ରାମଦାନୀ ଅଞ୍ଚଳରେ ଛିଡ଼ା ହୋଇଥିବା ବ୍ୟକ୍ତି ଓ ଦଳ ଭିତରୁ କିଏ ତ୍ୟାଜ୍ୟ, କିଏ ବରଣୀୟ ସେ ସମ୍ପର୍କରେ ସ୍ଥାନୀୟ ସର୍ବୋଦୟ ସଙ୍ଗଠନର କୌଣସି ସ୍ଵାଧୀନ ସ୍ପଷ୍ଟ ମତ ନଥିଲା । ଥିଲେ ମଧ୍ୟ ପ୍ରକାଶ କରିବାର ଅଧିକାର ନଥିଲା । କୌଣସି ନିର୍ଦ୍ଦିଷ୍ଟ ଗ୍ରାମଦାନୀ ଅଞ୍ଚଳର ଲୋକ ସାମୂହିକ ଭାବେ ଭୋଟଦାନରୁ ବିରତ ରହିବାକୁ ଚାହିଁବାରୁ ତାହା ‘ଦେଶଦ୍ରୋହ’ ସଙ୍ଗେ ସମାନ ହୋଇଯିବ ବୋଲି ଭୟ ଦେଖାଇ ସେମାନଙ୍କୁ ସେଥିରୁ ବିରତି କରାଗଲା । ‘ରାଜନୀତି’ ସ୍ଥାନରେ ‘ଲୋକନୀତି’ ପ୍ରଚଳିତ ସର୍ବୋଦୟର ଲକ୍ଷ୍ୟ କୁହାଯାଇଥିଲେ ମଧ୍ୟ ‘ଲୋକନୀତି’ର କୌଣସି ମଡ଼େଲେ ସୃଷ୍ଟିକୁ କୌଣସିଠାରେ ଉତ୍ସାହିତ କରାଗଲା ନାହିଁ । ବରଂ ଭୋଟଜୀବୀ ଦଳମାନଙ୍କର ‘ରାଜନୀତିରେ’ କେବଳ ତୃତୀୟଶଶ୍ରେଣୀ ଅଂଶୀଦାର ହୋଇ ରହିବା ହିଁ ସତେକି ଲୋକନୀତି ଏହିପରି ବୋଧ ହେଉଥିଲା । ଏହା ପରିବର୍ତ୍ତେ ପ୍ରତ୍ୟକ୍ଷ ରାଜନୀତିରେ ସର୍ବୋଦୟ ବାଲାଏ ଭାଗ ନେଇଥିଲେ ନିଜେ ଆତ୍ମ-ସମ୍ମାନ ରକ୍ଷା କରିବାରେ ଅଧିକ ସଫଳ ହେବ ସଙ୍ଗେ ସଙ୍ଗେ ଶାସକଦଳ ପାଖରେ ଆନ୍ଦୋଳନକୁ ସବୁ କଥାରେ ନତଜାନୁ କରାଇବାରେ ଲାଞ୍ଛନାରୁ ମଧ୍ୟ କେତେକାଂଶରେ ନିଷ୍କୃତ ମିଳିଥାଆନ୍ତି । ସଂସଦୀୟ ଗଣତନ୍ତ୍ରର ପଞ୍ଜରା ଭିତରେ ସର୍ବୋଦୟ ଆନ୍ଦୋଳନକୁ ଗଢ଼ିତୋଳିବା ଓ ଶେଷରେ ତାକୁ ତା’ର ବିକଳ୍ପ ରୂପେ ଥୋଇବା ସର୍ବୋଦୟ ଆନ୍ଦୋଳନ ର ଅନ୍ତିମ ଲକ୍ଷ୍ୟ ବୋଲି କୁହାଯାଉଥିଲା । ସେପରି ସ୍ଥଳେ ନିଜ ଆନ୍ଦୋଳନ ପାଇଁ ସଂସଦ ନିକଟରେ ବାରମ୍ବାର ଅନୁଗ୍ରହ ପ୍ରାର୍ଥୀ ହେବା ପରିବର୍ତ୍ତେ ତାକୁ ଏହି ଆନ୍ଦୋଳନର ଏକ ଅସ୍ତ୍ରରୂପେ ବ୍ୟବହାର କରିଥିଲେ ଆନ୍ଦୋଳନ ଅଧିକ ଶକ୍ତିଶାଳୀ ହୋଇପାରି ଥାଆନ୍ତା । ୧୯୭୪ରେ ଜୟପ୍ରକାଶ ଏହି ବିଷୟକୁ ନେଇ ସଙ୍ଗଠନ ଭିତରେ ଏକ ବିତର୍କ ଆରମ୍ଭ କରିଥିଲେ, ସର୍ବୋଦୟ ଆନ୍ଦୋଳନର ଆହୁରି ଅଧିକ ସଂଖ୍ୟାରେ କର୍ମୀ ହୁଏତ ତାଙ୍କ ସହିତ ଆସିଥାଆନ୍ତେ । ୧୯୭୪ରେ ଜେ.ପି. ଯେପରି ଅଦ୍ଭୁତପୂର୍ବ ଜନସମର୍ଥନ ପାଇଥିଲେ, ତା’ର ସୁଯୋଗ ନେଇ ନିଜର ନିଷ୍ଠାପର ସଚ୍ଚୋଟ କର୍ମୀକୁଳ, ନିରପେକ୍ଷ ବୃଦ୍ଧିଜୀବୀ ଓ ଯୁବଛାତ୍ରବାହିନୀଦ୍ଵାରା ସେ ଇନ୍ଦିରାଙ୍କୁ ହଟାଇବା ଏପରି କିଛି ବିଚିତ୍ର କଥା ହୋଇ ନ ଥାଆନ୍ତା । ଯଦି ବି ତାହା ଏହି ବାହିନୀ ପାଖରେ ସମ୍ଭବ ହୋଇ ନ ଥାଆନ୍ତା ତଥାପି ଏହି ବାହିନୀର ଇନ୍ଦିରା ସରକାର ବିରୁଦ୍ଧରେ ଲଢ଼େଇ ଏକ ସାତ୍ତ୍ଵିକ ଲଢ଼େଇ ହୋଇପାରି ଥାଆନ୍ତା । ଲୋକଙ୍କର ରାଜନୈତିକ ଶିକ୍ଷା କ୍ଷେତ୍ରରେ ଏକ ସ୍ପଷ୍ଟ ଉତ୍ତରଣ ସମ୍ଭବ ହୋଇପାରି ଥାଆନ୍ତା । ଦେଶ ଓ ଆନ୍ଦୋଳନର ବୃହତ୍ତମ ସ୍ଵାର୍ଥ ପାଇଁ କ୍ଷମତାରେ ଥିବା ଦଳ ସହ ସିଧାସିଧି ମୂଳଚାଲ କରି ହୋଇ ଥାଆନ୍ତା । ମାତ୍ର ଗୁଡ଼ିଏ ପରସ୍ପର ବିରୋଧୀ ନୀତିହୀନ ଦଳ ଓ ବ୍ୟକ୍ତି ଜେ.ପି ଙ୍କୁ ବସ୍ତୁତଃ ଶିଖଣ୍ଡୀ ରୂପେ ବ୍ୟବହାର କଲେ । ଦେଶରେ ଦେଖା ଦେଇଥିବା ସେହି ଅନନ୍ୟ ଜନଚେତନାକୁ କେତେକ କ୍ଷମତାସର୍ବସ୍ଵ ଦଳ ଓ ବ୍ୟକ୍ତିଙ୍କ ଲୋଭ ଯଜ୍ଞରେ ଆହୁତି ଦିଆଗଲା । ଜେ.ପି. ଅମର ହୋଇଗଲେ । ଅଥଚ ସର୍ବୋଦୟ ଆନ୍ଦୋଳନ, ସଙ୍ଗଠନ ଓ କର୍ମୀକୁଳ ହଠାତ୍ ଇତିହାସରେ ଅନ୍ଧକାର ଗହ୍ଵରକୁ ଠେଲି ହୋଇଗଲେ ।

 

୧୯୯୧ରେ ଗଢ଼ାଯାଇଥିବା ଲୋକ ସ୍ଵରାଜ୍ୟ ସଂଘ ସର୍ବୋଦୟ ଆନ୍ଦୋଳନର ଆଉ ଏକ ମାଇଲଖୁଣ୍ଟ ରୂପେ ଧରାଯାଇପାରେ । ଜେ.ପି ପନ୍ଥୀ ସର୍ବୋଦୟ ସେବକ ଏବଂ କିଛି ସର୍ବଭାରତୀୟସ୍ତରର ସୁପରିଚିତ ଗାନ୍ଧୀବାଦୀ ବୃଦ୍ଧିଜୀବୀଙ୍କୁ ନେଇ ଏହି ସଂଘ ଗଢ଼ାଯାଇଛି । ଶ୍ରୀଯୁକ୍ତ ମନମୋହନ ଚୌଧୁରୀ ଏହାର ସଭାପତି ଅଛନ୍ତି । ବିନୋବା ପନ୍ଥୀ ସର୍ବୋଦୟ ଯେପରି ନିଜ ନୀତି ଓ କାର୍ଯ୍ୟପନ୍ଥାରେ ସଙ୍ଗତ ଓ ସାମଞ୍ଜ୍ୟସ ରକ୍ଷା ନାମରେ ଏକ ପ୍ରବାହହୀନ ପୋଖରୀରେ ପରିଣତ ହୋଇଛି ସେହିପରି ଜେ.ପି. ପନ୍ଥୀ ସର୍ବୋଦୟ ସେହିପରି ଉତ୍ତରଣ ନାମରେ ଅତୀତ ସହ ସଂପୂର୍ଣ୍ଣ ସମ୍ପର୍କ ତ୍ୟାଗ କରି ଅଦିନ ବଢ଼ିପାଣି ପରି ଅପନ୍ତରାରେ ମାଡ଼ି ନିଃଶେଷ ହୋଇଯାଇଛି । ସତ୍ୟାଗ୍ରହକୁ ଏକଦା ଶୀତଳ ଭଣ୍ଡାରରେ ରଖି ଦେଇ ସତୁରୀ ଦଶକରେ ସତ୍ୟାଗ୍ରହ ନାମରେ ପୁରା ଦୁରାଗ୍ରହ ସର୍ବସେବା ସଂଘ ଯେପରି ଲମ୍ଫ ଦେଇଥିଲା ସେହିପରି ଏକଦା ‘ଗ୍ରାମଦାନ’ କୁ ସର୍ବରୋଗହର ଔଷଧ ବୋଲି ଦାବି କରି ଏବେ ତାକୁ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରାଯାଉଛି । ଲୋକସ୍ଵରାଜ ସଂଘର ସମ୍ବିଧାନରେ ସର୍ବୋଦୟ, ଗ୍ରାମସ୍ଵରାଜ୍ୟ ଲୋକନୀତି ଇତ୍ୟାଦିର, ପ୍ରତିଷ୍ଠା ଲୋକସ୍ଵରାଜ ସଂଘର ଲକ୍ଷ୍ୟ ବୋଲି କୁହାଯାଇଥିଲେ ମଧ୍ୟ ‘ଗ୍ରାମଦାନର ନାମୋଲ୍ଲେଖ ସୁଦ୍ଧା ନାହିଁ । ନିଜ କାର୍ଯ୍ୟ କଳାପର କେନ୍ଦ୍ରବିନ୍ଦୁ ରୂପେ ଯାହାକୁ ଏକଦା ଗ୍ରହଣ କରଯାଇଥିଲା ତାହାକୁ ସମୂଳେ କାହିଁକି ତ୍ୟାଗ କରିବା ଆବଶ୍ୟକ ପଡ଼ିଲା ତାହାର କିଞ୍ଚିତ ଆଲୋଚନା କରାଯିବ ଉଚିତ ଥିଲା । ବାସ୍ତବରେ ଘରପୋଡ଼ିରୁ କୁଟାଖିଅ ଗୋଟା ଗଲା ପରି ଜରୁରୀ ପରିସ୍ଥିତି ପରେ ଗ୍ରାମଦନ ଗ୍ରାମ ଭିତରୁ ଯେତିକି ସକ୍ରିୟ ଥିଲେ ସେମାନଙ୍କୁ ଆଧାର କରି ଓ ଅତୀତର ଭୁଲ (ଏବଂ ଠିକ୍)ରୁ ଶିକ୍ଷା କରି ଗ୍ରାମଦାନ-ଆନ୍ଦୋଳନକୁ ପୁନର୍ଜୀବନ ଦିଆଯିବା ଆବଶ୍ୟକ ଥିଲା । ଅତୀତରେ ‘ତୋଫାନ’ ଆନ୍ଦୋଳନ ନାଁରେ ଯେପରି ଗ୍ରାମଦାନ ଗ୍ରାମମାନଙ୍କର ସଙ୍ଗଠନ କାମକୁ ହେଳା କରାଯାଇ ସରକାରୀ ଦଳ, ସରକାରୀ କଳ ତଥା କିଛି ସର୍ବୋଦୟ ପ୍ରେମୀ ବ୍ୟକ୍ତି ବିଶେଷଙ୍କୁ ଧରି ବିପ୍ଳବ କରାଯାଉଥିଲା ଏବେ ସେହିପରି ଗ୍ରାମଦାନକୁ ପୁରା ପ୍ରତ୍ୟାଖ୍ୟାନ କର, ବିରୋଧୀଦଳମାନଙ୍କରୁ ସାଉଁଟା ହୋଇଥିବା ଅଥବା ନିରପେକ୍ଷ ଥିବା କିଛି ବ୍ୟକ୍ତି ବିଶେଷକୁ ଧରି ପୁନଶ୍ଚ ବିପ୍ଳବ ପାଇଁ ଯେପରି ଅଣ୍ଟାଭିଡ଼ା ଯାଉଛି ତା’ର ଫଳଶ୍ରୁତି ପୂର୍ବପରି ଦୟନୀୟ ହେବ ଏହା ଲୋକସ୍ଵରାଜ ସଂଘ ଗଢ଼ା ହେବା ଦିନରୁ ସ୍ପଷ୍ଟ ହୋଇଗଲାଣି । ରାଷ୍ଟ୍ରୀୟ ଅଥବା ପ୍ରାଦେଶିକ ରାଜନୀତି କ୍ଷେତ୍ରରେ ଏହା କୌଣସି ତରଙ୍ଗ ସୃଷ୍ଟି କରିଥିବା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଥିବା ଜନସାଧାରଣ ଅନୁଭବ କରିପାରିନାହାନ୍ତି, ନିଜର କ୍ଷେତ୍ର ଏବଂ ନିଜର ସୈନ୍ୟବଳକୁ ପୃଷ୍ଟ ନ କରିବା ଯାଏ କେବଳ କିଛି ବ୍ୟକ୍ତି ବିଶେଷଙ୍କର ସାମୟିକ ସହଯୋଗ ଓ ସଦିଚ୍ଛାକୁ ନେଇ କୌଣସି ମୌଳିକ ପରିବର୍ତ୍ତନ–କାମୀ ଛିଡ଼ା କରାଯାଇପାରିବ ନାହିଁ । ଏହି କ୍ଷେତ୍ର ଏବଂ କର୍ମୀକୁଳ ପ୍ରାୟ ଲୁପ୍ତ ହୋଇଯାଇଥିବାରୁ ସଂଘର କାର୍ଯ୍ୟ କୌଣସି ମୂଳଭୂତ ଆଦର୍ଶକୁ କାର୍ଯ୍ୟକାରୀ କରିବା ଦିଗରେ ଠୁଳିଭୂତ ହେବା ପରିବର୍ତ୍ତେ ବହୁ ରାଷ୍ଟ୍ରୀୟ କମ୍ପାନୀ ଅନୁପ୍ରବେଶ, ନିଶାନିବାରଣ, ଇତ୍ୟାଦି ପରି ଗୁଡ଼ିଏ ବିଚ୍ଛିନ୍ନ ସମସ୍ୟାକୁ ଧରି ଆନ୍ଦୋଳନ କରିବାରେ ନିଜର ସମସ୍ତ ଶକ୍ତି ବ୍ୟବହାର କରୁଛି-

 

ଆଦର୍ଶ ଓ ଆନ୍ଦୋଳନ ପରି ସଂଗଠନ କ୍ଷେତ୍ରରେ ମଧ୍ୟ ତତ୍ତ୍ଵ ଓ ପ୍ରୟୋଗ ପରସ୍ପର ବିରୋଧୀ ଥିଲେ । ସିଦ୍ଧାନ୍ତ ଉପରୁ ଲଦି ଦିଆନଯାଇ ତଳୁ ଗଢ଼ି ଉଠିବା ଉଚିତ, ଏହା ଗ୍ରାମଦାନୀ ଗ୍ରାମମାନଙ୍କୁ ଶୁଣାଉଥିବା ସଙ୍ଗଠନରେ ସବୁ ସିଦ୍ଧାନ୍ତ ସେବାଗ୍ରାମରୁ, ବାରଣାସୀରୁ ଅଥବା କଟକର ଥୋରିଆସାହିରୁ ଗ୍ରାମକୁ ବହିଯାଉଥିଲା ସିନା, କେବେ ଗ୍ରାମରୁ ଉପରକୁ ଗଢ଼ି ଉଠୁ ନ ଥିଲା । ‘ବାବା’ଙ୍କ ବାଣୀ ବା ଖିଆଲ ଆପ୍ତବାକ୍ୟ ରୂପେ ସବୁ ସ୍ତରରେ ଗୃହୀତ ହେଉଥିଲା । ଉପରୁ ଆସିଥିବା ସେହି ବାଣୀ ରାଜ୍ୟ ସ୍ତରରେ ଆଦେଶରେ ପରିଣତ ହୋଇଯାଉଥିଲା । ଆଦେଶ ଓ ଅଭିମାନ—ଏହି ଦୁଇଟି ଅସ୍ତ୍ରକୁ ଅବଲମ୍ବନ କରି ନେତୃବୃନ୍ଦ ସର୍ବୋଦୟ ଆନ୍ଦୋଳନର ସମସ୍ତ କାର୍ଯ୍ୟ ଗୁରୁ ପରମ୍ପରା କ୍ରମେ ଚଳାଇ ଆସିଛନ୍ତି । ଏଣୁ ଏଠାରେ ନେତୃତ୍ଵର ବିକାଶ ହୋଇନାହିଁ । କର୍ମୀ କର୍ମଚାରୀ ହୋଇଯାଇଛନ୍ତି । ନୀରବରେ ସେମାନେ କର୍ତ୍ତୃପକ୍ଷଙ୍କର ସମସ୍ତ ଖିଆଲ ଓ ଆଦେଶ ମାନି ନେଇଛନ୍ତି କିମ୍ବା ନୀରବରେ ଅନୁଷ୍ଠାନ ଛାଡ଼ି ଚାଲିଯାଇଛନ୍ତି ।

 

ଘର କଳି ଘରେ ତୁଟାଅ ବୋଲି ଗ୍ରାମବାସୀଙ୍କୁ ଉପଦେଶ ଦେଉ ଥିଲେ ମଧ୍ୟ ବିନୋବା ପନ୍ଥୀ ଓ ଜେ. ପି. ପନ୍ଥୀ ନିଜ ଘରଭଳି ନିଜଘର ଭିତରେ ଏଯାଏ ତୁଟାଇ ପାରିଲେ ନାହିଁ । ବରଂ ସେ ଦିଗରେ କୌଣସି ଚେଷ୍ଟା କରିବା ଅପେକ୍ଷା ଥାନା, କୋର୍ଟର ଆଶ୍ରୟ ନେବା ଶ୍ରେୟସ୍କର ମଣିଛନ୍ତି । ଅହିଂସା ଓ ସତ୍ୟକୁ ଅସ୍ତ୍ର କରିବାପାଇଁ ଏବଂ ‘ବିଶ୍ଵମେବ ଏକ ନୀଡ଼ମ୍’ ତତ୍ତ୍ଵରେ ଅନୁପ୍ରାଣିତ ହେବା ପାଇଁ ବିଶ୍ଵବାସୀଙ୍କୁ ବୁଝାଉଥିବା ଏହି ଗାନ୍ଧୀବାଦୀମାନେ ନିଜ ଘର ସଜାଡ଼ିବାରେ ସୁଦ୍ଧା ଏହି ତତ୍ତ୍ଵଗୁଡ଼ିକର ପ୍ରୟୋଗ କରିପାରିନାହାନ୍ତି । ଏ ସବୁକୁ ପ୍ରୟୋଗ କରି ସାରାବିଶ୍ଵର ସମସ୍ୟା ସମାଧାନ କରିବାରେ ଯେ ସେମାନଙ୍କର ଆନ୍ତରିକତା ରହିଛି, ଏହା କିଏ କିପରି ବିଶ୍ଵାସ କରିବ ? ଆଜି ଉଭୟ ପକ୍ଷର ସଂଗଠନ କର୍ମୀଶୂନ୍ୟ । କର୍ମକ୍ଷେତ୍ର ଧ୍ୱସ୍ତ ବିଧ୍ଵସ୍ତ । ଅଥଚ ସର୍ବୋଦୟ ନେତୃବୃନ୍ଦ ନିଶାନିବାରଣଠାରୁ ବହୁରାଷ୍ଟ୍ରୀୟ କମ୍ପାନୀ ବିତାଡ଼ନ ପର୍ଯ୍ୟନ୍ତ ଦୁନିଆ ଯାକର ଯାବତୀୟ ସମସ୍ୟା ବିରୁଦ୍ଧରେ ଲଢ଼ିବା ପାଇଁ ଅଣ୍ଟାଭିଡ଼ି ପ୍ରସ୍ତୁତ । ଅନେକ ସମୟରେ ଏହା ଡନ୍ କିଝୋଟର ଯୁଦ୍ଧଯାତ୍ରା ପରି ବୋଧ ହେଉଛି ।

 

ଅତୀତର ଅଭିଜ୍ଞତାକୁ ଗ୍ରାମଦାନୀ ଗ୍ରାମମାନଙ୍କର ପୁନର୍ବିନ୍ୟାସ ସର୍ବାଗ୍ରେ ଆବଶ୍ୟକ । ଏଥିପାଇଁ ଆତ୍ମସମୀକ୍ଷା ଏବଂ ଆତ୍ମ-ସମାଲୋଚନା କରିବାକୁ ପ୍ରସ୍ତୁତ ଉଭୟ ଶିବିରର କର୍ମୀ ଓ ନେତୃବୃନ୍ଦ ପୁଣି ଏକତାବଦ୍ଧ ହେବା ଉଚିତ । ଆଜି ଗାନ୍ଧୀବାଦ ପରି ବିଶ୍ଵବ୍ୟାପୀ ସମାଜବାଦୀ ଓ ସାମ୍ୟବାଦୀ ଆନ୍ଦୋଳନରେ ମଧ୍ୟ ଭଟ୍ଟା ପଡ଼ି ଯାଇଛି । ଋଢ଼ିବାଦ, ବକ୍ତବ୍ୟ-ଆଚରଣ ଭିତରେ ପାର୍ଥକ୍ୟ ତଥା ପ୍ରତିକ୍ରିୟାଶୀଳ ଶକ୍ତିମାନଙ୍କର ତତ୍ପରତା ଏଥିପାଇଁ ଦାୟୀ । ପୂର୍ବ ଅଭିଜ୍ଞତାକୁ ଭିତ୍ତିକରି ଅନ୍ତତଃ ଏତିକି କୁହାଯାଇପାରେ ଯେ ବିଭିନ୍ନ ପ୍ରଗତିଶୀଳ ଦଳ ଓ ଆନ୍ଦୋଳନମାନଙ୍କୁ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଉପରେ ଏକତାବଦ୍ଧ କରିବାପାଇଁ ସର୍ବୋଦୟ ଆନ୍ଦୋଳନ ହିଁ ସେତୁର କାର୍ଯ୍ୟ କରିପାରେ ।

 

ସର୍ବୋଦୟ ଓ ସାମାଜବାଦୀଙ୍କ ଭିତରେ ବୁଝାବଣା ଗାନ୍ଧୀ ଆନ୍ଦୋଳନ ଭିତରୁ କଂଗ୍ରେସ ସମାଜବାଦୀମାନଙ୍କର ଜନ୍ମ ସମୟରୁ ଆରମ୍ଭ ହୋଇଛି । ଜେ. ପି. ବିନୋବାଜୀ ଆନ୍ଦୋଳନରେ ଯୋଗଦେବା ପରେ ଏହା ଆହୁରି ବଳବତ୍ତର ହୋଇଛି । ସମାଜବାଦ ଓ ସର୍ବୋଦୟ ମଧ୍ୟରେ ଥିବା ବିଭିନ୍ନ ସାଧାରଣ ଭୂମି ଏବଂ ସମାଜବାଦରୁ ସର୍ବୋଦୟକୁ ଉର୍ଦ୍ଧ୍ଵାୟନର ସମ୍ଭାବନା ସମ୍ପର୍କରେ ଜେ.ପି. ସମାଜବାଦୀ ଦଳ ଛାଡ଼ିବା ସମୟରେ ସମାଜବାଦୀ ବନ୍ଧୁମାନଙ୍କୁ ଲେଖିଥିବା ଏକ ଦୀର୍ଘ ପାତ୍ର From Socialism to Sarvodaya ରେ ଆଲୋଚନା କରିଛନ୍ତି । ସର୍ବୋଦୟ ଓ ସାମ୍ୟବାଦ ମଧ୍ୟରେ ବୁଝାବଣା ପାଇଁ ଗାନ୍ଧୀ ଓ ଲେନିନ୍‍ଙ୍କ ଜୀବଦ୍ଦଶାରେ ପ୍ରଚେଷ୍ଟା ହୋଇଥିଲା । ମାତ୍ର ପରସ୍ପର ପ୍ରତି ଅବିଶ୍ଵାସ ଓ ସନ୍ଦେହର ବାତାବରଣ ଭିତରେ ଏଥିରେ ବିଶେଷ ଅଗ୍ରଗତି ହୋଇପାରି ନଥିଲା । ସୋଭିଏତ୍ ସରକାର ଗାନ୍ଧୀ, ରୋମଁ । ରୋଲାଁ, ଆନାତୋଲ୍ ଫ୍ରାନସ ଇତ୍ୟାଦିଙ୍କ ପରି ବିଶ୍ଵବିଶ୍ରୁତ ମାନବବାଦୀମାନଙ୍କର ନାମ ବ୍ୟବହାର କରି କେବଳ ସେଥିରୁ ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଥିଲା ବୋଲି ଅନେକ ସମୟରେ ରୋଲାଙ୍କ ପରି ସୋଭିଏତ୍ ସରକାରଙ୍କର ଦୃଢ଼ ସମର୍ଥକ ମଧ୍ୟ ଅନୁଭବ କରୁଥିଲେ (୮) । ସେହିପରି ନିଜକୁ ପୁରୁଣା ସାମ୍ୟବାଦୀ ବୋଲି କହି ଗାନ୍ଧିଜୀ ଯେତେବେଳେ ସାମ୍ୟବାଦୀଙ୍କ ଆଡ଼କୁ ହସ୍ତ ପ୍ରସାରଣ କରିଛନ୍ତି, ସେମାନେ ମଧ୍ୟ ତାକୁ ମୃତ୍ୟୁର ଆଲିଙ୍ଗନ ଭାବି ପ୍ରତ୍ୟାଖ୍ୟାନ କରିଛନ୍ତି (୯) । ପରବର୍ତ୍ତୀ କାଳରେ ୧୯୭୫ରେ ବିନୋବାଜୀ ସର୍ବୋଦୟ ଆନ୍ଦୋଳନ ପ୍ରତି ବିଭିନ୍ନ ରାଜନୈତିକ ଦଳର ସମର୍ଥନ ଲାଭ କରିବା ନିମିତ୍ତ ମହୀଶୂରର ଏଲୱାଲ୍‍ଠାରେ ଡାକିଥିବା ସମ୍ମିଳନୀରେ ଅବିଭକ୍ତ କମ୍ୟୁନିଷ୍ଟ ପାର୍ଟିର ପ୍ରତିଧ୍ୱନି ଶ୍ରୀନମ୍ବୁଦ୍ରିପାଦ ସର୍ବୋଦୟ ଆନ୍ଦୋଳନ ପ୍ରତି ତାଙ୍କର ନୈତିକ ସମର୍ଥନ ଜଣାଇଥିଲେ । ବାସ୍ତବରେ କଂଗ୍ରେସଶାସିତ ଓଡ଼ିଶାରେ ଶ୍ରୀହରେକୃଷ୍ଣ ମହତାବ ଯେତେବେଳେ ସର୍ବୋଦୟ ଆନ୍ଦୋଳନକୁ ପଙ୍ଗୁ କରିବା ପାଇଁ କୋରାପୁଟ ଓ ଅନ୍ୟାନ୍ୟ ସ୍ଥାନରେ ଦମନଲୀଳା ଓ ଆତଙ୍କରାଜ ଚଳାଇଥିଲେ, ସର୍ବୋଦୟ ଆନ୍ଦୋଳନକୁ ସ୍ଵାଗତ କରିଥିଲେ ଓ ତା’ର ସ୍ଵଚ୍ଛନ୍ଦ କାର୍ଯ୍ୟକାରିତା ପାଇଁ ଆଇନ ମଧ୍ୟ ପ୍ରଣୟନ କରିଥିଲେ । ଗାନ୍ଧୀ ଶତବାର୍ଷିକୀବେଳେ ନମ୍ବ୍ରୁଦିପାଦ, ହିରେନ୍ ମୁଖାର୍ଜୀ, ମୋହିତ୍ ସେନ୍, ଏସ୍. ଜି. ସର୍ ଦେଶାଇ ଇତ୍ୟାଦି ଗାନ୍ଧିଜୀଙ୍କ ପ୍ରତି ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଭିଏତ୍‍ନାମର ମହାନ୍ ବିପ୍ଳବୀ ହୋ-ଚି-ମିନ୍ ତାଙ୍କର ଭାରତ ଭ୍ରମଣ ସମୟରେ ନିଜକୁ ଗାନ୍ଧୀ ଭକ୍ତ ବୋଲି ମନ୍ତବ୍ୟ ଦେଇ ଗାନ୍ଧିଜୀଙ୍କ ପ୍ରତି ନିଜର ଶ୍ରଦ୍ଧା ନିବେଦନ କରିଥିଲେ (୧୦) ।

 

ମାର୍କସୀୟ ଓ ଗାନ୍ଧୀ ଆନ୍ଦୋଳନ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୁଝାବଣା ପ୍ରତିଷ୍ଠା କରିବାକୁ ସର୍ବାଧିକ ଏକକ ପ୍ରଚେଷ୍ଟା କରିଥିବା ଦୁଇଟି ଉଜ୍ଜ୍ଵଳ ବ୍ୟକ୍ତିତ୍ଵର ସ୍ମୃତି ଏବେ ସ୍ଵତଃ ମାନସପଟରେ ଜାଗରୂକ ହୁଏ; ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ଵବିଶୃତ ଫରାସୀ ସାହିତ୍ୟିକ ତଥା ଦାର୍ଶନିକ ରୋମାଁରୋଲାଁ ଏବଂ ଭାରତରେ ସମାଜବାଦୀ ଆନ୍ଦୋଳନର ବସ୍ତୁତଃ ଆଦ୍ୟ ପ୍ରତିଷ୍ଠାତା ଶ୍ରୀ ନବକୃଷ୍ଣ ଚୌଧୁରୀ ମାର୍କସ ଓ ଗାନ୍ଧୀଙ୍କ ଭାବଧାରା ଭିତରେ ସେତୁ ନିରମାନ କରିବାକୁ ନିଜର ମୃତ୍ୟୁ ଅବଧି ଅବିରାମ ପ୍ରଚେଷ୍ଟା କରିଛନ୍ତି । World Committee for the struggle against War and Fascismର ରୋମାଁ ରୋଲାଁ ଥିଲେ ସଭାପତି । ଗାନ୍ଧୀବାଦୀ ଓ ମାର୍କସବାଦୀମାନଙ୍କୁ ସେ ଫାସିବାଭ-ବିରୋଧୀ ଯୁଦ୍ଧରେ ଗୋଟିଏ ମଞ୍ଚରେ ଏକଯୁଟ କରିବା ପାଇଁ ଆପ୍ରାଣ ପ୍ରଚେଷ୍ଟା କରିଥିଲେ । ମାର୍କସବାଦୀ ଓ ଗାନ୍ଧୀବାଦ ଭିତରେ ବୁଝାବଣା ଆଣିବାକୁ ତାଙ୍କର ପ୍ରଚେଷ୍ଟା ନିଆଁ ଓ ପାଣି ଭିତରେ ସହାବସ୍ଥାନ ପାଇଁ ପ୍ରଚେଷ୍ଟା ପରି ଏକ ଅସାଧ୍ୟ ଓ ବୃଥା ପ୍ରଚେଷ୍ଟା ବୋଲି ଅନେକ ଚିତ୍ରଣ କରୁଥିବାରୁ ସେ ବ୍ୟଥିତ ହୋଇଥିଲେ । ସମକାଳୀନ ଫ୍ରାନସରେ ସମାଜବାଦୀ, ସାମ୍ୟବାଦୀ, ରାଡ଼ିକାଲ ଗଣତନ୍ତ୍ରବାଦୀ ଏବଂ ପ୍ରଗତିଶୀଳ ଖ୍ରୀଷ୍ଟିଆନ ଦଳଙ୍କୁ ଫ୍ୟାସିବାଦ ବିରୁଦ୍ଧରେ କିପରି ଏକଯୁଟ କରାଯାଇ ପାରିଛି ସେ ତା’ର ଦୃଷ୍ଟାନ୍ତ ଦେଇଥିଲେ । ୧୯୩୫ରେ ସେ ସୁଭାଷଚନ୍ଦ୍ର ବୋଷଙ୍କୁ ଏକ ପତ୍ରରେ ଲେଖିଥିଲେ “ସଙ୍ଗଠିତ ଅହିଂସା ଓ ଶୃଙ୍ଖଳିତ ବୈପ୍ଲବିକ ହିଂସା ମିତ୍ରବାହିନୀ ରୂପେ କାର୍ଯ୍ୟ କରିବା ଉଚିତ । ପ୍ରତ୍ୟେକ ନିଜର ନିଜସ୍ଵ ଯୁଦ୍ଧ କୌଶଳ ଉପରେ ନିର୍ଭର କରିପାରନ୍ତି । ମାତ୍ର ଯୁଦ୍ଧ, ଫ୍ୟାସିବାଦ, ସାମରିକ ତଥା ଶିଳ୍ପଗତ ପୁଞ୍ଜିବାଦ, ସାମ୍ରାଜ୍ୟବାଦ ଓ ସାମାଜିକ ବୈଷମ୍ୟପରି ମାନବଜାତିର ସାଧାରଣ ଶତ୍ରୁମାନଙ୍କ ବିରୁଦ୍ଧରେ ଏକତ୍ର ସଂଗ୍ରାମ କରିବାକୁ ସେମାନଙ୍କ ଭିତରେ ସମନ୍ଵୟ ପ୍ରତିଷ୍ଠା ହେବା ଉଚିତ (୧୧)-। ସେ ସମୟର ଜଣେ ଜଣାଶୁଣା ସାମ୍ୟବାଦୀ ରବୀନ୍ଦ୍ରନାଥଙ୍କ ପୁତୁରା ସୌମେନ୍ଦ୍ରନାଥ ଠାକୁରଙ୍କୁ ଚେତାଇ ଦେଇ ରୋଲାଁ ଲେଖିଥିଲେ “ଗାନ୍ଧୀଙ୍କର ଅହିଂସା ଓ ବିପ୍ଳବୀମାନଙ୍କର ହିଂସା ଭିତରେ ଦୂରତ୍ଵ ଯଥେଷ୍ଟ କମ୍ । ଚିରଦିନ ସାଲିସ କରି ଆସୁଥିବା ଓ ପ୍ରତିକ୍ରିୟାଶୀଳ ତଥା ଅତ୍ୟାଚାରୀ ଶାସକଙ୍କ ମହଯୁଦବାହିନୀରୂପେ କାର୍ଯ୍ୟ କରୁଥିବା ‘ଶାନ୍ତିପ୍ରେମୀ’ଙ୍କର ଦାସତ୍ଵପୂର୍ଣ୍ଣ ଉଦାସୀନତା ଏବଂ ବୀରତ୍ଵପୂର୍ଣ୍ଣ ଅସହଯୋଗ ଭିତରେ ଏହି ଦୃଷ୍ଟିରୁ ଦୂରତା ଯଥେଷ୍ଟ ବେଶୀ (୧୨)-।’’ ରୋଲାଁଙ୍କର ଏହି ଉକ୍ତି ଲେନିନଙ୍କର ଏକ ସମଧର୍ମୀ ଉକ୍ତି ସହ ତୁଳନୀୟ । ଲେନିନ କହିଥିଲେ, “ନିର୍ବୋଧ ଜଡ଼ବାଦ ଅପେକ୍ଷା ପ୍ରଜ୍ଞାଯୁକ୍ତ ଭାବବାଦ ପ୍ରଜ୍ଞାଯୁକ୍ତ ଜଡ଼ବାଦର ଅଧିକ ନିକଟବର୍ତ୍ତୀ (୧୩) ।” ଇତିହାସର ବିଡ଼ମ୍ବନା ସ୍ତାଲିନ୍, ସୁଭାଷ ବୋଷ, ରୋମାନ୍ କ୍ୟାଥଲିକ୍ ଚର୍ଚ୍ଚ ସମସ୍ତେ କୌଣସି ନା କୌଣସି ସ୍ତରରେ ଫ୍ୟାସିବାଦ ଓ ନାଜିବାଦ ସହିତ ପଛେ ବୁଝାବଣା କରିଛନ୍ତି, ମାତ୍ର ଗାନ୍ଧୀବାଦ ସହ ଏହା ଅସମ୍ଭବ ବୋଲି ମାନେ କରିଛନ୍ତି । ସେହିପରି ପରବର୍ତ୍ତୀ କାଳରେ ଗାନ୍ଧୀବାଦୀ ମାନେ ସ୍ଵତନ୍ତ୍ରଦଳ, ଜନସଂଘ, ରାଷ୍ଟ୍ରୀୟସ୍ଵୟଂ ସେବକ ସଂଘ ପ୍ରତିକ୍ରିୟାଶୀଳ ତଥା ସାମ୍ପଦାୟିକ ଶକ୍ତିମାନଙ୍କ ସହ ପଛେ ହାତ ମିଳାଇଛନ୍ତି କିନ୍ତୁ ସାମ୍ୟବାଦୀଙ୍କଠାରୁ ଏଡ଼େଇ ହୋଇ ରହିଛନ୍ତି । ଭଗତ ସିଂ ଫାଶୀ ପାଇବା ବେଳେ ଗାନ୍ଧିଜୀ ଯେପରି ସେଥିରେ ହସ୍ତକ୍ଷେପ କରିବାକୁ କୁଣ୍ଠାବୋଧ କରି ନୀରବ ରହିଛନ୍ତି, ନାଗଭୂଷଣଙ୍କ ଫାଶୀ ଆଦେଶ ପ୍ରତ୍ୟାହାର କରିନେବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିବା ପାଇଁ ବିନୋବାଜୀଙ୍କୁ କରାଯାଇଥିବା ଅନୁରୋଧ ମଧ୍ୟ ସେ ରଖି ନାହାନ୍ତି ।

 

ଶ୍ରୀ ନବକୃଷ୍ଣ ଚୌଧୁରୀ ରୋଲାଁଙ୍କ ପରି ନିଜର ବ୍ୟକ୍ତିଗତ ଜୀବନଚର୍ଯ୍ୟାରେ ଗାନ୍ଧୀଦର୍ଶନକୁ ଗ୍ରହଣ କରିଥିଲେ । ରୋଲାଁଙ୍କ ପରି ସେ ମଧ୍ୟ ଘୋଷଣା କରିଥିଲେ ଯେ ମୃତ୍ୟୁ ଅବଧି ସେ ବ୍ୟକ୍ତିଗତ ଜୀବନରେ ଅହିଂସକ ରହିବେ, ମାତ୍ର ରୋଲାଁଙ୍କ ପରି ତାଙ୍କର ମଧ୍ୟ ହୃଦବୋଧ ହୋଇଥିଲା ଯେ ଅନେକ ଜଟିଳ ଜାତୀୟ ଓ ଆନ୍ତର୍ଜାତୀୟ ସମସ୍ୟା ରହିଛି, ଯେଉଁଠାରେ ଏକ ତୁରନ୍ତ ପଦକ୍ଷେପ ଜରୁରୀ । ସେଠାରେ ହିଂସା-ଅହିଂସା ଏକ ଗୌଣ ପ୍ରଶ୍ନ ହେବା ଉଚିତ । ସେ ଗାନ୍ଧୀ ଏବଂ ମାଓଙ୍କ ଭାବଧାରା ଭିତରେ ଏକ ସାଧାରଣ ସୂତ୍ର ଖୋଜିଥିଲେ । ପ୍ରଥମେ ଗାନ୍ଧୀ ଶତବାର୍ଷିକୀ ବେଳେ ସେ ଏ ସମ୍ପର୍କରେ ଗବେଷଣା କରିଥିଲେ ଓ ଜରୁରୀ ପରିସ୍ଥିତି ବେଳେ ଏ ସମ୍ପର୍କରେ ଲେଖା ଲେଖି କରିବା କଥା ମଧ୍ୟ ଚିନ୍ତା କରିଥିଲେ (୧୪) । ମାତ୍ର ଲେଖାଲେଖି ପ୍ରତି ବିମୁଖତା ହେତୁ ଶେଷପର୍ଯ୍ୟନ୍ତ ସେ ପୁସ୍ତକ କାମ ଆଉ ଆରମ୍ଭ ହୋଇ ପାରିଲା ନାହିଁ । ତେବେ ମୃତ୍ୟୁ ପର୍ଯ୍ୟନ୍ତ ସେ ଏକ ପକ୍ଷରେ ଗାନ୍ଧିବାଦୀ ଓ ଅପର ପକ୍ଷରେ ନକ୍‍ସଲପନ୍ଥୀ, ସୋସାଲିଷ୍ଟ ଇଉନିଟି ସେଣ୍ଟର ଇତ୍ୟାଦି ମାକ୍‍ର୍ସବାଦୀ ସଙ୍ଗଠନମାନଙ୍କୁ ବିଭିନ୍ନ ଜନ ଆନ୍ଦୋଳନ ଏବଂ ନାଗରିକ ସ୍ଵାଧୀକାର ସମିତ ପରି ସାଧାରଣ ମଞ୍ଚରେ ଏକାଠି କରିବାକୁ ଚେଷ୍ଟା କରିଥିଲେ ।

 

ଗାନ୍ଧୀ ଦର୍ଶନ ଓ ମାର୍କସ୍ ଦର୍ଶନ ମଧ୍ୟରେ କେବଳ କାର୍ଯ୍ୟକ୍ରମଭିତ୍ତିକ ବୁଝାବଣା ପାଇଁ ରୋଲାଁ ବା ନବବାବୁ, ଚେଷ୍ଟା କରି ନାହାନ୍ତି । ଉଭୟ ଭିତରେ ଦାର୍ଶନିକ ଯୋଗସୂତ୍ର ମଧ୍ୟ ଖୋଜିବାର ପ୍ରଚେଷ୍ଟା କରିଛନ୍ତି । ରୋଲାଁ ଗାନ୍ଧୀ ଓ ଲେନିନଙ୍କ ଭାବଧାରା ମଧ୍ୟରେ ତଥା ନବବାବୁ ଗାନ୍ଧୀ ଓ ମାଓଙ୍କ ଭାବଧାରା ମଧ୍ୟରେ ସମନ୍ଵୟର ସୂତ୍ର ଖୋଜିବା ପାଇଁ ଚେଷ୍ଟିତ ହୋଇଛନ୍ତି । ମାର୍କସ ଓ ଗାନ୍ଧୀ ଉଭୟ ଲକ୍ଷ୍ୟ ଅପେକ୍ଷା ପନ୍ଥା ଉପରେ ଅଧିକ ଗୁରୁତ୍ଵ ପ୍ରଦାନ କରିଛନ୍ତି । ମାର୍କସ ପନ୍ଥା ବା ପଦ୍ଧତିର ସଠିକତା ଉପରେ ଗୁରୁତ୍ଵ ଦେଇଥିବା ବେଳେ ଗାନ୍ଧିଜୀ ତାହାର ସାତ୍ତ୍ଵିକତା ଉପରେ ଗୁରୁତ୍ଵ ପ୍ରଦାନ କରିଛନ୍ତି । ଏହି ପଦ୍ଧତିର ସଠିକତା ହେତୁ ଜଡ଼ବାଦୀ ମାର୍କସ୍ ଭାବବାଦୀ ହିଗେଲଙ୍କୁ ଜଡ଼ବାଦୀ ପୟର ବାଖଙ୍କ ଅପେକ୍ଷା ମଧ୍ୟ ଉଚ୍ଚ ଆସନ ଦେଇଛନ୍ତି । ଅହିଂସକ ଗାନ୍ଧୀ ମୋହଗ୍ରସ୍ତ ଅର୍ଜ୍ଜୁନଙ୍କ ଅପେକ୍ଷା ବୀରତ୍ଵପୂର୍ଣ୍ଣ ହିଂସାର ପ୍ରଚାରକ କୃଷ୍ଣଙ୍କୁ ଉଚ୍ଚତର ସ୍ଥାନ ଦେଇଛନ୍ତି । ଭାବବାଦ ବନାମ ଜଡ଼ବାଦ, ବ୍ୟକ୍ତି ନିଷ୍ଠତା ବନାମ ବସ୍ତୁନିଷ୍ଠତା ଅଥବା ଅହିଂସା ବନାମ ହିଂସା—ଏଭଳି ବିତର୍କ ବେଳେ ଋଢ଼ିବାଦ (dogma) ଓ ରାଜନୈତିକ ମୌଳବାଦରେ ପର୍ଯ୍ୟବେସିତ ହୋଇଛି । ମାର୍କସ ଓ ଗାନ୍ଧୀ ଉଭୟେ ନିଜର ଅତ୍ୟୁତ୍ସାହୀ ଭକ୍ତମାନଙ୍କ ହାତରେ ତାଙ୍କ ଦର୍ଶନର ଏ ଦୁର୍ଦ୍ଦଶା ଘଟିବାର ଆଶଙ୍କା କରିଥିଲେ । ସେଥିପାଇଁ ସେମାନେ ସତର୍କବାଣୀ ମଧ୍ୟ ଶୁଣାଇଥିଲେ । ମାର୍କସ୍ ଦର୍ଶନର ଅନ୍ୟତମ ପ୍ରଣେତା ଓ ବ୍ୟାଖ୍ୟାକାର ଏଙ୍ଗେଲସ୍ କହିଥିଲେ “ମାର୍କସୀୟ ଦର୍ଶନ ଏକ ଋଢ଼ିବାଦ ନୁହେଁ । ଏହା କର୍ମକ୍ଷେତ୍ରରେ କେବଳ ଏକ ଦିଗ୍‍ବାରେଣୀ ହୋଇପାରେ ।” ଗାନ୍ଧିଜୀ ବାରମ୍ବାର ତାଙ୍କର ଶିଷ୍ୟମାନଙ୍କୁ ସତର୍କ କରି ଦେଉଥିଲେ, ‘ମୋର ଇଚ୍ଛା ଏବଂ ମୋର ଅନୁରୋଧ ଯେ, ମୋର ଲେଖାକୁ କେହି ଯେମିତି ବେଦରଗାର ବୋଲି ନ ମାନନ୍ତି । ସେଥିରେ ପ୍ରଦର୍ଶିତ ପ୍ରୟୋଗଗୁଡ଼ିକୁ ଦୃଷ୍ଟାନ୍ତରୂପେ ଗ୍ରହଣ କରି ସମସ୍ତେ ନିଜ ନିଜର ପ୍ରୟୋଗ ଯଥା-ଶକ୍ତି ଓ ଯଥା-ମତି ଚଳନ୍ତୁ ।” ଆଜି ଏଣୁ କରି ମାର୍କସ୍‍ବାଦ ଅଥବା ଗାନ୍ଧୀବାଦ ନୁହେଁ, ମାର୍କସବୋଧ ଏବଂ ଗାନ୍ଧୀବୋଧ ହିଁ ସମୟର ଆହ୍ୱାନ । ପରିପୂର୍ଣ୍ଣ ‘ବୈଜ୍ଞାନିକ’ ସତ୍ୟର ସନ୍ଧାନ ପାଇଯିବାର ଅହମିକା ହେଉଛି ମାର୍କସ୍‍ବାଦ, ଏହି ପରିପୂର୍ଣ୍ଣତାର ଏକ ନମ୍ର ଅଥଚ ଅବିରାମ ଅନ୍ଵେଷଣ ହିଁ ମାର୍କସବୋଧ-। ଏଙ୍ଗେଲସ୍ ଏ ସମ୍ପର୍କରେ ସୂଚାଇ ଦେବାକୁ ଯାଇ କହିଥିଲେ, “ଠିକ୍ ଯେପରି ମାନବ ସମାଜ ଏକ ପରିପୂର୍ଣ୍ଣ ତଥା ପରମ ଆଦର୍ଶ ଅବସ୍ଥାରେ ଉପନୀତ ହେବା ଅସମ୍ଭବ ଓ ତନ୍ମଧ୍ୟରେ ଏକ ପରିପୂର୍ଣ୍ଣ ତଥା ସିଦ୍ଧାନ୍ତରେ ପହଞ୍ଚିପାରୁଥିବା ଜ୍ଞାନର ସ୍ଥିତ ମଧ୍ୟ ଅସମ୍ଭବ, ସେହିପରି ଇତିହାସ କ୍ଷେତ୍ରରେ ଏଭଳି ପରମ ପୂର୍ଣ୍ଣତା ଅସମ୍ଭବ । ଏକ ପରିପୂର୍ଣ୍ଣ ସମାଜ, ଏକ ପରିପୂର୍ଣ୍ଣ ରାଷ୍ଟ୍ର କେବଳ କଳ୍ପନା ବିଳାସ (୧୫)” । ଗାନ୍ଧିଜୀଙ୍କ ସତ୍ୟ ଯେପରି ଥିଲା ଏକ ଉଦାର କଳ୍ପନା । ଗାନ୍ଧୀଙ୍କୁ ମାପକାଠି କରି ସତ୍ୟକୁ ମାପିବା ଗାନ୍ଧୀବାଦ । ସତ୍ୟକୁ ମାପକାଠି କରିବା ଗାନ୍ଧୀବୋଧ—ଏହା ସ୍ଵୟଂ ଗାନ୍ଧୀଙ୍କ ସ୍ପଷ୍ଟ କରି ଦେଇଛନ୍ତି । ନିଜ ଆତ୍ମକଥାର ପ୍ରସ୍ତାବନାରେ ସେ କହୁଛନ୍ତି, “ମୋଭଳି ଅନେକଙ୍କର ସର୍ବନାଶ ହେଉ ପଛେ, ମାତ୍ର ସତ୍ୟର ଜୟ ହେଉ । ଅଳ୍ପାତ୍ମାକୁ ମାପିବା ପାଇଁ ସତ୍ୟର ମାପ-କାଠି କେବେ ଛୋଟ ନ ହେଉ (୧୭) ।”

 

ଆଜିର ପରିସ୍ଥିତିକୁ ମୁକାବିଲା କରିବା ଦିଗରେ ମାର୍କସବାଦ, ଅଥବା ଗାନ୍ଧୀବାଦ ଯେ ଅପର୍ଯ୍ୟାପ୍ତ ତାହା ଆମର ସମାସାମୟିକ ଇତିହାସ ପ୍ରମାଣ କରିସାରିଛି । ଗାନ୍ଧୀ ଅଥବା ମାର୍କସଙ୍କୁ ‘ବାଦ’ର ଖୁଆଡ଼ ରୂପେ ବ୍ୟବହାର ନ କରି ‘ବୋଧି’ ର ପଥିକୃତ୍‍ ରୂପେ ବ୍ୟବହାର କରିବାକୁ ହେବ-। ସତ୍ୟର ନିର୍ମମ, ନିରନ୍ତର ଯାତ୍ରାପଥରେ ଆବଶ୍ୟକ ପଡ଼ିଲେ ମାକ୍‍ର୍ସ ଓ ଗାନ୍ଧୀଙ୍କୁ ଅତିକ୍ରମ କରିଯିବାକୁ ହେବ । ଅଭିଯାତ୍ରୀ ଭିତରେ ଏହି ସାହସ ଓ ଏହି ପ୍ରତ୍ୟୟ ଭରିଦେବା ହିଁ ଥିଲା ସର୍ବୋଦୟ ଦର୍ଶନର ମୂଳଲକ୍ଷ୍ୟ । ଧର୍ମଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସର୍ବତ୍ର ଯେତେବେଳେ ସଂକୀର୍ଣ୍ଣ ଋଢ଼ିବାଦ ଓ ମୌଳବାଦ ସତ୍ୟକୁ ଏକ ସ୍ଥାଣୁ ଅଚଳାୟତନରେ ପରିଣତ କରିବାକୁ ଉଦ୍ୟତ, ସେତେବେଳେ ସତ୍ୟକୁ ଏକ ଚଳମାନ ଯାତ୍ରା ବୋଲି ଏକଦା ଜଗତ ଆଗରେ ଅଭିହିତ କରିଥିବା ସର୍ବୋଦୟ ଦର୍ଶନ ପୁନଶ୍ଚ ନିଜର ସେହି ଆହ୍ୱାନକୁ ଗ୍ରହଣ କରି ନେଇଯାଇପାରିବ, ଏହାହିଁ ମୁମୂର୍ଷୁ ସର୍ବୋଦୟ ଆନ୍ଦୋଳନ ଭିତରେ ଲୁକ୍କାୟିତ ରହିଥିବା ଏକ ବିକଳ୍ପ ସମ୍ଭାବନା ।

 

ଟିପପଣୀ

 

୧.

Karl Marx, The Eighteenth Brumaire of Louis Bonaparte (selected works of Marx and Engels, Moscow, 1976, Vol, I, P.398)

 

 

୨.

M.K Gandhi, Unto This Last: A Paraphrase (Navijivan, Ahmedabada, 1956, P. 64-68)

 

 

୩.

D.V Rao, Telengana Armed struggle and the path of Indian Revolution (prolertarian path Publication, Calcutta, 1974, P.46)

 

 

୪.

K.G. Mashruwala, Gandhi and Marx, see Vinoba’s introduction (Navijivan, Ahmedabad, 1951. P. 32)

 

 

୫.

୨୫ ଡିସେମ୍ବର, ୧୯୭୫ରେ ବିନୋବାଜୀ ଏକ-ବର୍ଷ ବ୍ୟାପି ପାଳନ କରିଥିବା ମୌନବ୍ରତ ଭାଙ୍ଗିବା ଅବସରରେ ଦେଇଥିବା ଭାଷଣର ଓଡ଼ିଆ ଭାଷାନ୍ତର (ସର୍ବୋଦୟ ସାଧନା, ଓଡ଼ିଶା ଭୂ-ଦାନ ଯଜ୍ଞ ସମିତି, ଭୁବନେଶ୍ୱର, ୧୯୭୬ ପୃ ୭)

 

 

୬.

ହରିଜନ, ତା ୨୯-୪-୧୯୩୩ ପୃ ୨

 

 

୭.

ତତ୍ରୈବ

 

 

୮.

Romain Rolland and Gandhi correspondence (publications Division, N.Delhi, 1976, P. 38)

 

 

୯.

Hiren Mukherjee, A Unique Leader–an essay on The mahatma : A Marxist Symposium (Peoples publishing House, Delhi, 1969, P. 74)

 

 

୧୦.

ତତ୍ରୈବ, ପୃ ୮୭

 

 

୧୧.

Romain Rolland ତତ୍ରୈବ ପୃ ୩୨୭

 

 

୧୨.

ତତ୍ରୈବ, ପୃ ୨୮୧

 

 

୧୩.

F. jameson, Marxism and Form (Princeton, N.J,1971) ପୁସ୍ତକ ଆରମ୍ଭରେ ଏକ ଏପିଗ୍ରାଫ୍ ରୂପେ ଉଦ୍ଧୃତ ।

 

 

୧୪.

ସର୍ବୋଦୟ (ନବକୃଷ୍ଣ ଚୌଧୁରୀ ସ୍ମୃତି ବିଶେଷାଙ୍କ) ପୃ ୨୦୩ରେ ମୁଦ୍ରିତ ସ୍ଵର୍ଗତ ଚୌଧୁରୀଙ୍କର ଚିତ୍ର ଦ୍ରଷ୍ଟବ୍ୟ ।

 

 

୧୫.

F. Engles, Feurbach and End of Classical German Philosophy (selected) Work of Marx and Engles, Vol. P. 339)

 

 

୧୬.

ଗାନ୍ଧିଜୀ, ଆତ୍ମକଥା ଅଥବା ସତ୍ୟର ପ୍ରୟୋଗ (ଗାନ୍ଧୀ ରଚନାବଳୀ, ପ୍ରଥମ ଖଣ୍ଡ, ଗାନ୍ଧୀ ସ୍ମାରକ ନିଧି, କଟକ, ୧୯୭୦, ପୃ ୧୩)

☆☆☆

 

Unknown

ସଂହତି ଓ ସଂଗ୍ରାମ

ଶ୍ରୀ ଚିତ୍ତରଞ୍ଜନ ଦାସ

 

ଭାରତବର୍ଷ ଆମ ସାଂପ୍ରତିକ ପୃଥିବୀରେ ଏପରି ଗୋଟିଏ ଦେଶ, ଯେଉଁଠାରେ ଅଳପ ମଣିଷଙ୍କ ପାଖରେ ଅଧିକ ରହିଛି ଓ ଅଧିକ ମଣିଷଙ୍କ ପାଖରେ ଅଳପ ରହିଛି । ଅଧିକ ଧନସମ୍ପତ୍ତି ରହିଛି, ଅଧିକ କ୍ଷମତା ରହିଛି, ଅଧିକ ସମ୍ଭାବନା ରହିଛି । ସେମାନେ ଆପଣାକୁ ଭାଗ୍ୟବାନ ବୋଲି କହୁଛନ୍ତି । ଅଧିକ ମଣିଷ ଭାଗ୍ୟହୀନ ହୋଇ ରହିଛନ୍ତି । ସାରା ଦେଶରେ ଅଧିକମାନେ ହିଁ ଅଳ୍ପବଳ ହୋଇ ରହିଛନ୍ତି, କାରଣ ଅଳପ ମଣିଷ ପ୍ରାୟ ସବୁଯାକ ବଳକୁ ଆପଣାର ଅକ୍ତିଆରରେ ରଖିଛନ୍ତି ଏବଂ ପ୍ରବଳରୁ ପ୍ରବଳତର ହେବାକୁ ଇଚ୍ଛା କରୁଛନ୍ତି । ଭାରତ ବର୍ଷରେ ବଡ଼ ମାଛମାନେ ସାନମାଛ ମାନଙ୍କୁ ଗିଳି ପକାଉଛନ୍ତି । ଏହି ବଡ଼ ମାଛମାନେ ସାଧାରଣତଃ ବଡ଼ ଘରେ ଜନ୍ମ ହୋଇଛନ୍ତି, ବଡ଼ ଜାତିରେ ଜନ୍ମ ହୋଇଛନ୍ତି, ବଡ଼ ପାଠମାନଙ୍କୁ ପଢ଼ିଛନ୍ତି, ବଡ଼ ବଡ଼ ଚାକିରି କରିଛନ୍ତି, ବଡ଼ କ୍ଷମତାରେ ଅଛନ୍ତି । ସାଧାରଣତଃ ଏହି ବଡ଼ମାନେ ହିଁ ଏହି ଦେଶରେ ଜାତୀୟ ସଂହତିର କଥା କହୁଛନ୍ତି । ଜାତୀୟ ସଂହତି ବିନା ଦେଶ ଘୋର ବିପଦର ସମ୍ମୁଖୀନ ହେବ ବୋଲି ସେମାନେ ଏଡ଼େ ପାଟିକରି କହୁଛନ୍ତି । ଦେଶର ସରକାରରେ ଏହି ବଡ଼ମାନେ ହିଁ ଅଧିକତର ସଂଖ୍ୟାରେ ଅଛନ୍ତି ଓ ବଡ଼ ବଡ଼ ଶାସ୍ତ୍ରକୁ ନିଜ ହାତରେ ଧରିଛନ୍ତି । ସରକାର ସତେ ଅବା କୌଣସି ପ୍ରମାଦରେ ପଡ଼ିଥିବା ପରି ଜାତୀୟ ସଂହତିର ପ୍ରଚାର କରୁଛନ୍ତି ।

 

ଭାରତ ବର୍ଷର ବାହାରୁ ଯେତେ ଯେତେ ବିଦେଶୀ ଆସି ଏହି ଭୂମିକୁ ଜୟ କରିଛନ୍ତି ଓ ଏହି ଭୂମିର ଶାସକ ହୋଇଛନ୍ତି, ସେମାନେ କେହି ଏକାବେଳେକେ ସଂପୂର୍ଣ୍ଣ ଭାରତବର୍ଷକୁ ଗୋଟାଏ ଯୁଦ୍ଧରେ ଜୟ କରି ନାହାନ୍ତି । ଗ୍ରୀକ ବୀର ଆଲୋକଜାଣ୍ଡର ମଧ୍ୟ ଏହି ଭୂମିରେ ପ୍ରବେଶ କରିଥିବା ସମୟରେ ଏକାବେଳେକେ ଗୋଟିଏ ଯୁଦ୍ଧ କ୍ଷେତ୍ରରେ ସମଗ୍ର ଦେଶ ଉପରେ ରାଜତ୍ଵ କରୁଥିବା ଜଣେ ରାଜାର ସମ୍ମୁଖୀନ ହୋଇନଥିଲେ । ତା’ର ଆହୁରି ପୂର୍ବରୁ ଆର୍ଯ୍ୟମାନେ ମଧ୍ୟ ସିନ୍ଧୁ ଓ ଗଙ୍ଗାର ଅବବାହିକାରେ ବସତି ସ୍ଥାପନ ଓ ରାଜ୍ୟ ଗଠନ କରିବା ପରେ ପରସ୍ପର ଉପରେ ଆଧିପତ୍ୟ ନିମନ୍ତେ ଯୁଦ୍ଧ କରୁଥିଲେ । ଦୁଇ ହିନ୍ଦୁ ରାଜା କଳହ କରିବାକୁ ହିଁ ସେମାନଙ୍କ ମଧ୍ୟରୁ ଜଣେ ଅତି ହିଂସାରେ ବାହାରୁ ଜଣେ ମୁସଲମାନ ସେନାପତିଙ୍କୁ ନିଜର ସହାୟକ ରୂପେ ଡାକି ଆଣିଥିଲେ ଏବଂ ନିଜ ଶତ୍ରୁ ଉପରେ ପ୍ରତିଶୋଧ ନେଇଥିଲେ । ବାବର ଭାରତ ଆକ୍ରମଣ କଲାବେଳେ ଆଦୌ କୌଣସି ଭାରତ ସମ୍ରାଟଙ୍କର ସାମନା କରି ନଥିଲେ । ଇଂରେଜମାନେ ଭାରତବର୍ଷରେ ଆସି ଶାସନ ପ୍ରତିଷ୍ଠା କରିବା ପର୍ଯ୍ୟନ୍ତ ମଧ୍ୟ ସେହି ଅଭିନୟଟି ଅଭିନୀତ ହେବାରେ ଲାଗିଥିଲା । ଖଣ୍ଡରାଜ୍ୟମାନେ ରହିଥିଲେ, ସାନ ଓ ବଡ଼ ରାଜମାନେ ରହିଥିଲେ । ଭାରତ ବୋଇଲେ ଏବେ ଆମେ ଯେଉଁ ଦେଶଟିକୁ ବୁଝୁଛୁ ସେତେବେଳେ ସେହି ଦେଶ କେଉଁଠି ହେଲେ ନଥିଲା । ଭାରତୀୟ ବୋଲି କହିଲେ ଏବେ ଆମେ ଯେଉଁ ଏକତାତ୍ମକ ଓ ରାଜନୀତିକ ବ୍ୟଞ୍ଜନା ଦେଇ କଥାଟିକୁ ବୁଝୁଛୁ, ସେହି ଭାରତୀୟମାନେ ଆଦୌ କେଉଁଠାରେ ହେଲେ ନଥିଲେ । ହିମାଳୟଠାରୁ ତିନି ସମୁଦ୍ରକୁ ବାଡ଼ ଦେଇ ଭୂମିଟିଏ ରହିଥିଲା ସତ, ମାତ୍ର ଦେଶ ନଥିଲା କୌଣସି ଜାତି ମଧ୍ୟ ନଥିଲା ।

 

ସାଂପ୍ରତିକ ଅର୍ଥରେ ‘ଜାତି’ ଶବ୍ଦଟି ଇଉରୋପରୁ ଭାରତବର୍ଷକୁ ଆସିଛି ଏବଂ ଇଉରୋପରେ ମଧ୍ୟ ମନ୍ୟୁଷମାନେ ସାମୂହିକ ଭାବରେ ଆପଣାକୁ ଗୋଟିଏ ଜାତି ବୋଲି ଅନୁଭବ କରିବାର ଓ ପରିଚିତ କରାଇବାର ରୀତିଟି ଆଦୌ ଖୁବ୍‍ ବେଶୀ ପୁରାତନ ନୁହେଁ । ପ୍ରତିଦ୍ଵନ୍ଦୀ ଅନ୍ୟ ଇଉରୋପୀୟ ବାଣିଜ୍ୟିକ କମ୍ପାନୀମାନଙ୍କୁ ଯୁଦ୍ଧରେ ଓ ପ୍ରତିପତ୍ତିରେ ପରାସ୍ତ କରି ପ୍ରଥମେ ଇଂଲଣ୍ଡର ରାଜା ନୁହନ୍ତି, ଇଷ୍ଟ ଇଣ୍ଡିଆ କମ୍ପାନୀ ହିଁ ଭାରତ ବର୍ଷ ନାମକ ଏକ ଭୂଖଣ୍ଡରେ ଆପଣାଲାଗି ଏକ ବାଣିଜ୍ୟ ମାହାଲର ସ୍ଥାପନା କରିଥିଲା ଓ ସେହି ମାହାଲ କ୍ରମେ ଏକ ଉପନିବେଶରେ ପରିଣତ ହେଲା । ପ୍ରାୟ ଶହେ ବର୍ଷର କମ୍ପାନୀ ଶାସନ ପରେ ଇଂଲଣ୍ଡର ସରକାର ଭାରତ ବର୍ଷର ଶାସନକୁ ନିଜ ହାତକୁ ନେଲେ । ଫରାସୀ ଓ ପର୍ତ୍ତୁଗୀଜ୍‍ କେତେଟା କୁନି କୁନି ମାହାଲକୁ ଛାଡ଼ି ଦେଲେ ଏହି ଭୂଖଣ୍ଡଟି ଶାସନଗତ ଗୋଟିଏ ଏକକ ରୂପେ ଇଂରେଜମାନଙ୍କର ଶାସନ ଖାତାକୁ ଆସିଥିଲା । ସେତେବେଳେ ସିଂହଳ ଓ ବ୍ରହ୍ମଦେଶ ଏହି ଭାରତବର୍ଷ ନାମରେ ଅଭିହିତ ଖଣ୍ଡ ଏକକରେ ଅନ୍ତର୍ଭୁକ୍ତ ହୋଇ ରହିଥିଲେ । କୌଣସି ସାଂସ୍କୃତିକ କାରଣରୁ ନୁହେଁ ଅଥବା ସଂପୃକ୍ତ ସେହି ଖଣ୍ଡଦ୍ଵୟ ଅଲଗା ହୋଇଯିବାକୁ ଦାବି କରିଥିବାରୁ ନୁହେଁ, ମୁଖ୍ୟତଃ ଶାସନଗତ ସୁବିଧା ହେତୁ ସେଗୁଡ଼ିକୁ ପରେ ଭାରତ ବର୍ଷରୁ ଅଲଗା କରି ନିଆଗଲା । ଭରାତବର୍ଷ ଏକ ସ୍ଵତନ୍ତ୍ର ଏକକ ରୂପେ ଶାସିତ ହେଲା ।

 

୧୯୫୭ର ସିପାହୀ ବିଦ୍ରୋହ ସମୟରେ ଏବଂ ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ନାମକ ଅନୁଷ୍ଠାନର ସ୍ଥାପନା ସମୟରେ ମଧ୍ୟ ବ୍ରହ୍ମଦେଶ ଏବଂ ସିଂହଳ ଭାରତ ସହିତ ଗୁନ୍ଥାହୋଇ ରହିଥିଲେ । କ୍ରମେ ଜାତୀୟ କଂଗ୍ରେସର ରାଜନୀତିକ ଆଭିମୁଖ୍ୟ ବଦଳି ଆସୁଥିବା ସଙ୍ଗେ ସଙ୍ଗେ ଓ ଆମ ମାନଚିତ୍ରରୁ ବ୍ରହ୍ମଦେଶ ଏବଂ ସିଂହଳକୁ କାଢ଼ି ନିଆଯିବା ପରେ ଯେତେବେଳେ ଲୋକମାନ୍ୟ ତିଳକ ସ୍ଵାଧୀନତା ହିଁ ଆମର ଜନ୍ମଗତ ଅଧିକାର ବୋଲି କହିଥିଲେ, ସେତେବେଳେ ଯାଇ ସଂଗ୍ରାମ ସଚେତନ ଭାରତବର୍ଷ ଆପଣାକୁ ଏକ ଅଖଣ୍ଡ ଭୂମି ଓ ଜାତି ବୋଲି ଅନୁଭବ କରିବାର ଯଥାର୍ଥ ଖୋରାକ ହୁଏତ ପାଇଥିବ । ଜାତି କହିଲେ ପାରମ୍ପରିକ ଭାରତୀୟ ସମୂହରେ ସଂପୂର୍ଣ୍ଣ ଭାବରେ ଏକ ଅନ୍ୟ କଥାକୁ ବୁଝାଇ ଆସିଥିଲା, ଆଦିମ ଆର୍ଯ୍ୟ ଭାରତର ଚାରି ଜାତି କାଳକ୍ରମେ ଚାରିହଜାର ବା ତତୋଽଧିକ ଜାତିରେ ବିଭକ୍ତ ହୋଇ ରହିଥିଲେ । ସେମାନେ ଉଚ୍ଚନୀଚ୍ଚ ଭେଦରେ ପରସ୍ପରଠାରୁ ଅଲଗା ହୋଇ ରହି ଆସିଥିଲେ । ସେହି ଭେଦର ସମର୍ଥନରେ ଶାସ୍ତ୍ରମାନ ଲେଖାଯାଇଥିଲା, ସଂପ୍ରଦାୟମାନେ ସ୍ଵକୀୟ ଶିବିରମାନନଙ୍କରେ ସତେଅବା କେଡ଼େ ସୁପ୍ରତିଷ୍ଠିତ ଭାବରେ ଖାପଖାଇ ରହି ଯାଇଥିଲେ । ଜାତି ଅନୁସାରେ ଧର୍ମାଚାର, ଜାତି ଅନୁସାରେ ଠାକୁର, ଜାତି ଅନୁସାରେ ବିଧି ଓ ରୀତି ଜାତି ଅନୁସାରେ ପରସ୍ପର ମଧ୍ୟରେ ଏକ ସର୍ବସ୍ଵୀକୃତ ଦୂରତା–ସମ୍ଭବତଃ ଏହିଗୁଡ଼ିକହିଁ ସମଗ୍ରତଃ ଏକ ଅଚଳପ୍ରାୟ ସମାଜରେ ତଥାପି ସଚଳତାର ଏକ ପ୍ରତୀତି ଆଣି ଦେଉଥିଲେ । ଆଧୁନିକ ଭାରତବର୍ଷରେ ମଧ୍ୟ, ଯେତେବେଳେ ଜାତି କହିଲେ ନିଜ ନିଜର Caste କୁ ନବୁଝି ସମସ୍ତଙ୍କୁ ଏକତ୍ର ଗୋଟିଏ ନିୟତରେ ବାନ୍ଧି ରଖିଥିବା nationକୁ ବୁଝିବା ନିମନ୍ତେ ଏକ ବୃହତ୍ତର ଆହ୍ଵାନ ଆମ ଦୂଆରେ ଆସି କର ପିଟିବାରେ ଲାଗିଛ, ସେତେବେଳେ ମଧ୍ୟ ଦେଶର ଦ୍ଵୀପମାନେ ପ୍ରାୟ ଧର୍ମତଃ casteଗୁଡ଼ାକୁ ହିଁ nationର ବ୍ୟଞ୍ଜନା ଦେଇ ଦେଖିବାର ସେହି ପୁରୁଣା ନିଶାରେ ଲଟରପଟର ହେବାରେ ଲାଗିଛନ୍ତି । ସାଧାରଣ ମଣିଷମାନଙ୍କର ତୁଳନାରେ ଦ୍ଵୀପଗୁଡ଼ିକର ନେତାମାନେ ସମ୍ଭବତଃ ଅଧିକ ଲଟରପଟର ହେଉଛନ୍ତି-

 

ଭାରତବର୍ଷରେ ନିରନ୍ତର ସାମନ୍ତ ହୋଇ ରହି ଆସିଥିବା ବ୍ୟକ୍ତି ଓ ବର୍ଗମାନେ ନିଜକୁ ଚିରକାଳ ଅଧିକ ସଂସ୍କୃତିସମ୍ପନ୍ନ ଓ ତେଣୁ ଅପେକ୍ଷାକୃତ ଭାବରେ ଅଧିକ ଅଧିକାରସମ୍ପନ୍ନ ବୋଲି ଭାବି ଆସିଛନ୍ତି । ଦେଶଟା ଗୋଟାସୁଦ୍ଧା ସେହିମାନଙ୍କର ବୋଲି ଆପଣାର ସଂସ୍କାର ତଥା ଆଚରଣରେ ପ୍ରତିପାଦିତ କରିବାର ଚେଷ୍ଟା କରି ଆସିଛନ୍ତି । ସେମାନେ କହି ଆସିଛନ୍ତି ଓ କହୁଛନ୍ତି ଯେ, ଭାରତୀୟ ଜାତି ଆବହମାନ କାଳରୁ ରହି ଆସିଛି । ସେମାନେ ସତେଅବା ସ୍ଵର୍ଗ ରାଜ୍ୟରୁ ପବିତ୍ର ପ୍ରମାଣ ମାନ ଦୁହିଁଆଣି ଆପଣା ମତର ପକ୍ଷରେ ନିଜର ଦେଉଛନ୍ତି । ପବିତ୍ର ଶାସ୍ତ୍ରମାନଙ୍କରୁ ଉଦ୍ଧୃତିମାନ ଆଣି ବାଢ଼ି ଦେଉଛନ୍ତି । ବେଦ, ପୁରାଣ, ଉପନିଷଦ ଏବଂ ପ୍ରଶସ୍ତିମନ୍ତ୍ର ଗୁଡ଼ିକରୁ ସେମାନେ ଭାରତ ବର୍ଷ ଚିରକାଳ ଗୋଟିଏ ହୋଇ ରହିଥିଲା ବୋଲି ଆମ ମନରେ ପ୍ରତ୍ୟୟ ଆଣିଦେବା ଲାଗି ଚେଷ୍ଟା କରୁଛନ୍ତି । ଆପଣାର ଯୁକ୍ତିଗୁଡ଼ିକୁ ସେମାନେ ପ୍ରାୟ ଏକ ଆଧ୍ୟାତ୍ମିକ ସ୍ତରକୁ ଉତ୍ତୋଳିତ କରିନେଇ ସେଥିରେ କଦାପି କୌଣସି ତ୍ରୁଟି ନାହିଁ ବୋଲି ଜିଦ୍ କରି କହୁଛନ୍ତି ।

 

ସତକଥା ହେଉଛି ଭାରତବର୍ଷ ପ୍ରାୟ ଆବହମାନ କାଳରୁ ଏକାବେଳେକେ ଦୁଇଖଣ୍ଡ ହୋଇ ରହି ଆସିଛି । ଗୋଟିଏ ହେଉଛି ବିଚାରର ସ୍ତର, କଳ୍ପନାର ସ୍ତର, ଆଉ ଗୋଟିଏ ହେଉଛି ସମାଜର ସ୍ତର, ବାସ୍ତବ ସମ୍ବନ୍ଧଗୁଡ଼ିକର ସ୍ତର । ଏହି ଦେଶର ମୁନି, ଋଷି ଓ ମନୀଷୀମାନେ ଭାବନାରେ ଡେଣାରେ ବସି କଳ୍ପନାର ଉଲ୍ଲାସ କଠଉମାନ ପିନ୍ଧି କେତେ କୁଆଡ଼େ ମାଡ଼ି ଯାଇଛନ୍ତି, ଏକାବେଳେକେ ବ୍ରହ୍ମ ପର୍ଯ୍ୟନ୍ତ ଚହଟି ଯାଇଛନ୍ତି । ଏହି ମୁନି ଓ ମନୀଷୀମାନେ ସାଧାରଣତଃ ନଶ୍ଵର ସଂସାରକୁ ତ୍ୟାଗ କରି, ଅର୍ଥାତ୍ ସଂସାର କଦାପି ବଦଳିବା ନାହିଁ ବୋଲି ଏକ ନକାରାତ୍ମକତାକୁ ଆଶ୍ରୟ କରି ଅରଣ୍ୟକୁ ବାହାରି ଯାଇଛନ୍ତି ଓ ପ୍ରକାରେ ମୁକ୍ତିଲାଭ କରିଛନ୍ତି । ଭାରତବର୍ଷର ପୁରାଣମାନେ ଅପହଞ୍ଚ କୌଣସି ଦୂର ରାଜ୍ୟରେ ଚିର ସ୍ଵର୍ଗ, ଚିର ସତ୍ୟ ଏବଂ ଚିର ସୁଖର କଳ୍ପନା କରିଛନ୍ତି । ତେଣୁ ମୋକ୍ଷ କହିଲେ ପ୍ରଧାନତଃ ଏକ ପଳାୟନକୁ ବୁଝାଇଛି । ତପସ୍ୟା କହିଲେ ଏକ ଉପେକ୍ଷାକୁ ବୁଝାଇ ଆସିଛି ।

 

ଏବଂ ଲୋକାଜୀବନର ତଥା ଲୋକ ସମ୍ବନ୍ଧର ପୃଥିବୀଟି ଭାରତବର୍ଷରେ ସଂହିତାଗୁଡ଼ିକ ଅନୁସାରେ ଚାଲିଛି । ଜାତିଭେଦ ଓ ଉଚ୍ଚନୀଚ୍ଚ ଅନୁସାରେ, କର୍ମବାଦର ମିଛ ବିଶ୍ଵାସ ଅନୁସାରେ ଚାଲିଛି । ଏଥିରେ ଯାବତୀୟ ନିର୍ମମତା ଓ ଅମାନୁଷିକତାକୁ ପ୍ରଶୟ ଦିଆଯାଇଛି । ମନୁଷ୍ୟକୃତ ଅନ୍ୟାୟ ଏବଂ ଦୂରତାଗୁଡ଼ିକୁ ଭାଗ୍ୟର ବିଧାନ ବୋଲି ଘୋଷଣା କରାଯାଇଛି । ବ୍ରହ୍ମ ଏବଂ ସତ୍ୟ ଶାସ୍ତ୍ରସ୍ଥ ସମ୍ପତ୍ତି ହୋଇ ରହିଛନ୍ତି । ଜଗତକୁ ମିଥ୍ୟା ବା ମାୟା ବୋଲି କହି ମନ୍ୟୁଷର ଯାବତୀୟ ଶୁଭ ବୁଦ୍ଧିକୁ ସତେଇବା ହସରେ ଉଡ଼ାଇ ଦିଆଯାଇଛି । ଶାସ୍ତ୍ରଗୁଡ଼ାକର ଜୀବନ ସହିତ ଆଦୌ କୌଣସି ସଂପର୍କ ରହି ନାହିଁ । ଅଳପ ମଣିଷ ଅନେକ ମଣିଷଙ୍କୁ ପରିକର କରି ରଖିଛନ୍ତି । ଶାସ୍ତ୍ରରେ ସତ୍ୟକୁ ଅଥବା ଭଗବାନଙ୍କୁ ମାଲିକ କରି ବସାଇ ଦିଆଯାଇଥିବା ପରି ନିତ୍ୟ ସମ୍ବନ୍ଧର ଏହି ସଂସାରରେ ରାଜା ଓ ସାମନ୍ତମାନଙ୍କୁ ଠାକୁରଙ୍କ ପରି ସ୍ଵୀକାର କରି ନିଆଯାଇଛି । ଏକ ସମୂହ କହିଲେ ଯେ ପ୍ରକୃତରେ ସବୁ ମଣିଷକୁ ବୁଝାଏ, ଭାରତ ବର୍ଷର ସମାଜ ବ୍ୟବସ୍ଥାରେ ଏହି ଅସଲ କଥାଟିକୁ କେବେହେଲେ ସ୍ଵୀକାର କରାଯାଇ ନାହିଁ । ସବୁରି ଭିତରେ ବ୍ରହ୍ମ ଅଛନ୍ତି, ସବୁ ମଣିଷର ଚେତା ରହିଛି, ଏଗୁଡ଼ାକ କଥା ହୋଇ ପଣ୍ଡିତମାନଙ୍କର ଏବଂ ଭାଗ୍ୟବାନମାନଙ୍କର ଉଲ୍ଲାସବର୍ଦ୍ଧନ ନିମନ୍ତେ ପେଡ଼ୀର ନିର୍ମାଲ୍ୟ ହୋଇ ରହିଛି । ଭାରତବର୍ଷର ସମ୍ବିଧାନ ଏବେ ଯେପରି କେତେ କେତେ ଉଚ୍ଚ କେତେ କଥା କେଡ଼େ ସମ୍ବ୍ରମରେ ଲେଖାହୋଇ ରହିଛି ଅଥଚ ଦୀର୍ଘ ପ୍ରାୟ ପଚାଶବର୍ଷ ପରେ ମଧ୍ୟ ଏହା ଲୋକଜୀବନକୁ ଭେଦିପାରୁ ନାହିଁ, ଏହାକୁ ଆମେ ପ୍ରାୟ ସେହିପରି ଗୋଟିଏ ବ୍ୟାପାର ବୋଲି ଜାଣିବା । ଏହି ଦେଶରେ ସଂସ୍କୃତି ବୋଲି ଯାହାକିଛି ରହିଛି, ତାହା ଏବେ ମଧ୍ୟ ସେହିପରି ସଦର-ମଫସଲର ନ୍ୟାୟରେ ଦୁଇଭଳି ହୋଇ ରହିଛି ।

 

ବିଦେଶୀ ଆଧିପତ୍ୟର ବୋଝଟି ବିଷୟରେ ଭାରତର ଅଧିବାସୀମାନେ ଯେତିକି ସଚେତନ ହେଲେ ଏବଂ ସେହି ବୋଝଟିକୁ ଦୂର କରିଦେବା ନିମନ୍ତେ ସେମାନେ ଯେତିକି ସକ୍ରିୟ ଭାବରେ ସଜ ହୋଇ ବାହାରିଲେ, ସେମାନେ ସେତିକି ସଚଳ ଭାବରେ ଆପଣାକୁ ଗୋଟିଏ ପକ୍ଷ, ଗୋଟିଏ ସମୂହ ଅର୍ଥାତ୍ ଗୋଟିଏ ଜାତି ରୂପେ ଅନୁଭବ କରିବାକୁ ଆରମ୍ଭ କଲେ । ସେବେ ତାକୁ ଜାତୀୟ ଜାଗରଣ ବୋଲି କୁହାଗଲା, ସେହି ସଂଗ୍ରାମଟି ଏକ ଜାତୀୟ ସଂଗ୍ରାମ ବୋଲି ଅନୁଭୂତ ହେଲା । ସାହିତ୍ୟରେ ଜାତୀୟତାର ଯୁଗ ଆସିଲା, ନେତୃତ୍ଵକୁ ଜାତୀୟ ନେତୃତ୍ଵ ବୋଲି କୁହାଗଲା । ଇଂରେଜ ଶାସନ ସମସ୍ତ ଭାରତବର୍ଷକୁ ମାଲିକ ହୋଇ ମାଡ଼ି ବସିଥିଲା, ତେଣୁ ସମଗ୍ର ଭାରତ ବର୍ଷକୁ ଉଦବେଳିତ କରି ଜାତୀୟ ସଂଗ୍ରାମ ଆପଣାକୁ ମୂର୍ତ୍ତକରି ଆଣିଲା । ସ୍ଥାନୀୟତା ଭୁଲି ହୋଇଗଲା, ଆଞ୍ଚଳିକତା ଭୁଲି ହୋଇଗଲା, ଯାବତୀୟ ତାତ୍କାଳିକତା ବି ଭୁଲି ହୋଇଗଲା । ଅନ୍ତତଃ ଯେଉଁମାନେ ସଂଗ୍ରାମ ଭିତରେ ସାମିଲ ହେବାକୁ ଆସିଲେ, ଏକ ସ୍ଵାଧୀନ ଭାରତର, ଭବିଷ୍ୟର ଏକ ଅନ୍ୟ ଭାରତର ସ୍ଵପ୍ନ ଦେଖିଲେ ଏବଂ ସେହି ସ୍ଵପ୍ନଦ୍ଵାରା ଉଦ୍‍ବୁଦ୍ଧ ହେଲେ, ସେମାନେ ସେଗୁଡ଼ିକୁ ଭୁଲିଗଲେ । ସେମାନେ ଭାରତମାତାର ଉପାସନା କଲେ, ଭାରତୀୟତାକୁ ସବାବଡ଼ ଧର୍ମ ବୋଲି ମାନିଲେ ଓ ସେହି ଧର୍ମରେ ଦୀକ୍ଷା ନେଲେ । ସେହି ଦୀକ୍ଷା ଏକ ଅପୂର୍ବ ସଂହତି ଆଣି ଦେଇଥିଲ ।

 

ପାଶ୍ଚାତ୍ୟ ସହିତ ପ୍ରାଚ୍ୟ ଭାରତବର୍ଷର ସମ୍ପର୍କ ସ୍ଥାପିତ ହେବାଦ୍ୱାରା ହିଁ ଏହି ନୂତନ ସଂକ୍ରମଣ ସମ୍ଭବ ହୋଇଥିଲା । ଆଧୁନିକ ଭାରତର ଜାତୀୟ ନିର୍ମାତାମାନେ, ରାଜା ରାମମୋହନଙ୍କ ଠାରୁ ସ୍ଵାମୀ ବିବେକାନନ୍ଦ, ରବୀନ୍ଦ୍ରନାଥ ଓ ମହାତ୍ମାଗାନ୍ଧୀଙ୍କ ଲଗାଏତ ଶ୍ରୀ ଅରବିନ୍ଦଙ୍କ ପର୍ଯ୍ୟନ୍ତ ପାଶ୍ଚାତ୍ୟ ନୂଆ ଗବାକ୍ଷଟିର ପ୍ରତ୍ୟକ୍ଷ ସମ୍ପର୍କରେ ଆସିଥିଲେ । ଇଉରୋପର ସ୍ଵାଧୀନ ଓ ସଂହତ ଦେଶ ଏବଂ ସଭ୍ୟତାଗୁଡ଼ିକ ସହିତ ସେମାନେ ପରାଧୀନ ଭାରତବର୍ଷକୁ ତୁଳନା କରି ଦେଖିବାକୁ ସମର୍ଥ ହୋଇଥିଲେ; ସତେଅବା ସେହିଠାରୁ ଆଖି ନେଇ ସେମାନେ ଭାରତବର୍ଷର ନୂଆ ନିୟତିଗୁଡ଼ିକୁ ଦେଖି ପାରିଥିଲେ । ଏବଂ ଏହି ପ୍ରକ୍ରିୟାରେ ଶାଶ୍ଵତ ଭାରତବର୍ଷ ଭିତରେ ଲୁକାୟିତ ହୋଇ ରହିଥିବା ଚିରନ୍ତନ ମୂଲ୍ୟପ୍ରେରଣା ଗୁଡ଼ିକୁ ମଧ୍ୟ ସେମାନେ ଆବିଷ୍କାର କରିଥିଲେ । ପ୍ରଥମ କରି ଏକ ନୂତନ ସମ୍ଭାବନାମୟ ଭାରତର ଚିତ୍ର ଏଠି ସମ୍ମତ ସମସ୍ତଙ୍କୁ ଆଲୋଡ଼ିତ କରି ଧରିଥିଲା, ଏକ ଅଭିନବ ମାର୍ଗରେ ଏଠି ସ୍ଵାଧୀନତା ଲାଗି ସଂଗ୍ରାମଟିଏ ଲଢ଼ାଗଲା । ଭାରତବର୍ଷ ସ୍ଵାଧୀନ ହେଲା ।

 

ବିଦେଶୀ ଶାସନ ହଟିଯିବା ପରେ ଭାରତବର୍ଷକୁ କିପରି କେଉଁସବୁ ଧାରାରେ ନୂଆ କରି ଗଢ଼ାଯିବ, ଏ ଦେଶରେ ସ୍ଵାଧୀନତାର ସଂଗ୍ରାମ ଲଢ଼ା ହେବାବେଳେ ମଧ୍ୟ ସେହିସବୁ ଚିତ୍ରର ଉଦବୋଧନ ଦିଆଯାଉଥିଲା । ଆମେ କିପରି ଛାଞ୍ଚରେ ଦେଶକୁ ଗଢ଼ିବା, କ’ଣସବୁର ଥାପନା ପାଇଁ କେଉଁ ସବୁକୁ ଭାଙ୍ଗିବା, ସଂଗ୍ରାମକାଳୀନ ରାଜନୀତି ଦେଶବାସୀଙ୍କ ସମ୍ମୁଖରେ ସତତ ସେହି କଥାଗୁଡ଼ିକୁ ସ୍ପଷ୍ଟ କରି ଦେଉଥିଲା ।

 

ସେହି ଆକଳନଗୁଡ଼ିକୁ ଆଖି ଆଗରେ ରଖି ସମଗ୍ର ଭାରତବର୍ଷ ନିମନ୍ତେ ନୂଆ ସମ୍ବିଧାନଟିଏ ଲେଖାହେଲା । ସେହି ମୁତାବକ ଦେଶରେ ନିର୍ବାଚନ ହେଲା, ନୂଆ ସରକାର ବସିଲା-। ସମସ୍ତେ ନ୍ୟାୟତଃ ବହୁତ କିଛି ନୂଆ ଘଟିବ ବୋଲି ଅପେକ୍ଷା କରି ରହିଥିଲେ, ସଂପୃକ୍ତ ବିଭିନ୍ନ ସାମାଜିକ ସ୍ତରର ଲୋକମାନେ ସେହି ନ ଆଗୁଡ଼ିକର ଦାବି ଅନୁସାରେ ନିଜକୁ ଅନୁକୂଳିତ କରି ନେବାଲାଗି ମନେ ମନେ ନିଜକୁ ପ୍ରସ୍ତୁତ ମଧ୍ୟ କରି ନେଉଥିଲେ । ସେହି ଅନୁକୂଳତାର ପବନରେ ଦେଶରୁ ରାଜାମାନେ ଲୋପ ପାଇଲେ, ଜମିଦାରମାନେ ଲୋପ ପାଇଲେ । ସେମାନେ ନାଗରିକ ହେଲେ । ଏକ ନୂତନ ପରିଚୟ ଏବଂ ନୂତନ ଗୌରବର ଅଧିକାର ଲାଭ କଲେ, ଭାରତ ଭିତରୁ ସିନା ଖଣ୍ଡେ ପାକିସ୍ତାନ ହୋଇ ତେଣେ ବାହାରିଗଲା; ତଥାପି ଯେତିକି ରହିଲା, ସେଥିରେ ସବୁ ଧର୍ମ ରହିଥିଲେ, ସବୁ ଭାଷା ରହିଥିଲେ, ଏହି ଦେଶର ବିଚିତ୍ର ସଂସ୍କୃତି ମାନେ ରହିଥିଲେ । ତେଣୁ ଆମେ ଆମରି ବୋଲି କହି ପାରିବାଭଳି ଭାରତବର୍ଷରେ କେତେ କ’ଣ ସମ୍ଭବ କରି ଦେଖାଦେଇ ପାରିବୁ ବୋଲି ଏକ ସକାରାତ୍ମକ ସଂକଳ୍ପ ସ୍ଵାଧୀନତା ଲାଭର ସେହି ପ୍ରଥମ କାଳରେ ଆମକୁ ପ୍ରତ୍ୟୟ ଦେଇ ରଖିଥିଲା ।

 

ସର୍ବୋପରି ସଂହତି ଉପରେ ପର୍ଯ୍ୟବେସିତ ହୋଇ ହିଁ ଭାରତରେ ଜାତୀୟ ସ୍ଵାଧୀନତା ସଂଗ୍ରାମ ଲଢ଼ା ଯାଇଥିଲା । ସଂଗ୍ରାମରେ ଯୋଗ ଦେଇ ନାନାବିଧ କଷ୍ଟ ଓ ଦଣ୍ଡକୁ ବରଣ କରି ନେଇଥିବା ଯୋଦ୍ଧାମାନେ ସମସ୍ତେ ମୂଳତଃ ସେହି ସଂହତି ଉପରେ ଦୃଢ଼ ବିଶ୍ଵାସ ରଖି ହିଁ ସାଧାରଣ କ୍ଷେତ୍ରକୁ ବାହାର ଆସିଥିଲେ । ବହୁ ଧର୍ମ, ବହୁ ଭାଷା ଏବଂ ବହୁ ବିବିଧତା ସତ୍ତ୍ୱେ ଭାରତବର୍ଷ ଗୋଟିଏ ଦେଶ, ଗୋଟିଏ ସଂସ୍କୃତି ଓ ତେଣୁ ଗୋଟିଏ ଜାତି, ସ୍ଵାଧୀନତା-ସଂଗ୍ରାମର ନେତୃତ୍ଵ ଲୋକମାନଙ୍କୁ ଏହିପରି ଏକ ରାଜନୀତିକ ସମ୍ମୁଖ ଦୃଷ୍ଟିରେ ଉଦ୍‍ବୁଦ୍ଧ କରି ରଖିଥିଲା । ସ୍ଵାଧୀନତା ଲାଭକୁ ଆପଣାର ଏକମାତ୍ର ଲକ୍ଷ୍ୟରୂପେ ଗ୍ରହଣ କରିଥିବା ଓ ଭାରତବାସୀଙ୍କୁ କ୍ରମେ ସେହି ସ୍ଵାଧୀନତାର ନିକଟବର୍ତ୍ତୀ କରାଇ ଆଣୁଥିବା ଭାରତୀୟ ଜାତୀୟ କଂଗ୍ରେସରେ ସେତେବେଳେ ହିନ୍ଦୁ, ମୁସଲମାନ, ଶିଖ ଓ ଖ୍ରୀଷ୍ଟିଆନ ସମସ୍ତେ ଥିଲେ, ମାତ୍ର ସେହି ଅନୁଷ୍ଠାନ ଭିତରେ ସେମାନେ ଆଦୌ ନିଜ ନିଜ ଧର୍ମର ପ୍ରତିଧ୍ଵନିତ୍ଵ କରୁନଥିଲେ, ସେମାନେ ଭାରତୀୟତାର ପ୍ରତିଧ୍ଵନିତ୍ଵ କରୁଥିଲେ, ରାଜନୀତିକ ସ୍ଵାଧୀନତା ନିମନ୍ତେ ସେତେବେଳେ ଭାରତବାସୀଙ୍କ ମନରେ ଉଜ୍ଜୀବିତ ହୋଇ ରହିଥିବା ସର୍ବଭାରତୀୟ ଆକାଂକ୍ଷାର ପ୍ରତିଧ୍ଵନିତ୍ଵ ହିଁ କରୁଥିଲେ ।

 

ସଂଗ୍ରାମର ସେହି ଯୁଗରେ ସାମ୍ପ୍ରାଦାୟିକ ରାଜନୀତିକ ଦଳମାନେ ଅବଶ୍ୟ ରହିଥିଲେ ସତ, ମାତ୍ର ସେମାନେ ସଂଗ୍ରାମ ଭିତରେ ନ ଥିଲେ । ସେତେବେଳେ ହିନ୍ଦୁ ମହାସଭା ଥିଲା, ମୁସଲିମ୍ ଲିଗ୍ ଥିଲା ଆଙ୍ଗ୍ଲୋଇଣ୍ଡିଆନମାନଙ୍କର ଏକ ସ୍ଵତନ୍ତ୍ର ସଂସ୍ଥା ରହିଥିଲା । ମାତ୍ର, ଏମାନେ କେହି ଭାରତବର୍ଷର ସ୍ଵାଧୀନତା ଚାହୁଁ ନଥିଲେ । ଭାରତବର୍ଷକୁ ସ୍ଵାଧୀନତା ଦେଇ ଯଦି ବ୍ରିଟିଶ୍‍ ସରକାର ଏହି ଦେଶରୁ ବିଦାୟ ନେଇ ଯିବାକୁ କେବେ ନିଷ୍ପତ୍ତି କରନ୍ତି, ତେବେ ସେହି ନୂଆ ଭାରତରେ ଯେପରି ଗୋଟିଏ ଗୋଟିଏ ସମ୍ପ୍ରଦାୟ ହିସାବରେ ସେମାନଙ୍କର ସ୍ଵାର୍ଥ ସୁରକ୍ଷିତ ହୋଇ ରହିବ, ଭାରତ ଛାଡ଼ି ଯିବା ପୂର୍ବରୁ ସରକାର ବାହାଦୂର ସେହି ବିଷୟରେ ଅବଶ୍ୟ ବ୍ୟବସ୍ଥା କରି ଯିବେ ବୋଲି ଏହି ସଂଗଠନମାନେ ଦାବି କରୁଥିଲେ । ଅର୍ଥାତ୍, ସେମାନଙ୍କର ଖଣ୍ଡ ସ୍ଵାର୍ଥଗୁଡ଼ିକ ନିମନ୍ତେ ଯଥେଷ୍ଟ ଭରସା ନ ମିଳିବା ପର୍ଯ୍ୟନ୍ତ ବ୍ରିଟିଶ ସରକାର ଭରତବର୍ଷରେ ରହନ୍ତୁ ବୋଲି ସେମାନେ ଇଚ୍ଛା ରଖିଥିଲେ । ବ୍ରିଟିଶ ସରକାର ନାନା ଅରାଜନୀତିକ ଓ ଚତୁର ଉପାୟରେ ସେହି ସଂଗଠନ ଓ ଦଳଗୁଡ଼ିକର ପୃଷ୍ଠପୋଷକତା କରୁଥିଲେ । ଖଣ୍ଡ ସ୍ଵାର୍ଥମାନେ ରାଜୀ ନ ହେବା ପର୍ଯ୍ୟନ୍ତ ଭାରତବର୍ଷର ସ୍ଵାଧୀନତା ଲାଗି ସମ୍ମତି ଦେବା ସମ୍ଭବ ହେବନାହିଁ ବୋଲି ସଫେଇ ଦେଉଥିଲେ । ସ୍ଵାଧୀନତା ପ୍ରାପ୍ତି ପଥରେ ସେମାନେ ପ୍ରତିବନ୍ଧକ ଭଳି କାର୍ଯ୍ୟ କରୁଥିଲେ ।

 

ରାଜନୀତିକ ସ୍ଵାଧୀନତା ତଥାପି ଆସିଲା । ଭାରତବର୍ଷ ସ୍ଵାଧୀନତା ଲାଭ କରିବା ସଙ୍ଗେ ସଙ୍ଗେ ସମଗ୍ର ଏସିଆ ଏବଂ ଆଫ୍ରିକାର ଦେଶମାନଙ୍କ ଲାଗି ସତେଅବା ଏକ ନୂଆ ଯୁଗର ଆଗମାନ ଘଟିଲା । ତାହା କ୍ରମେ ସାରା ପୃଥିବୀର ରାଜନୀତିକ ବ୍ୟାସାର୍ଦ୍ଧକୁ ବଦଳାଇ ଦେଲା । ଉପନିବେଶବାଦର ଅବସାନ ଘଟିଲା । ବାହାରୁ କୋଟି କୋଟି ମଣିଷଙ୍କର ନଜର ଭାରତବର୍ଷ ଉପରେ ପଡ଼ିଥିଲା । ଭାରତବର୍ଷ ଯେଉଁ ଅଭିନବ ଅସ୍ତ୍ରର ପ୍ରୟୋଗ କରି ନିଜଲାଗି ସ୍ଵାଧୀନତା ହାସଲ କରିଥିଲା, ତାହାହିଁ ପୃଥିବୀ ଯାକକୁ ଚକିତ କରି ଦେଇଥିଲା । ସ୍ଵାଧୀନ ଭାରତବର୍ଷ ମଧ୍ୟ ଆପଣାର ଏକ ଅଭିନବ ପନ୍ଥାରେ ନିଜର ପରବର୍ତ୍ତୀ ପରିବର୍ତ୍ତନ ଏବଂ ନବଗଠନଗୁଡ଼ିକ ସମ୍ଭବ କରାଇବ, ରାଜନୀତିକ ବୁଦ୍ଧି ତଥା ଦୃଷ୍ଟିର କ୍ଷେତ୍ରରେ ସତ୍ୟ ଓ ସାଧୁତାକୁ ହିଁ ସର୍ବପ୍ରଧାନ ଅବଲମ୍ବନ ରୂପେ ଗ୍ରହଣ କରିବ, ପୃଥିବୀରେ ସଚେତନ ସମସ୍ତେ ସତେଅବା ତାହାହିଁ ଆଶା କରୁଥିଲେ । ସେତେବେଳେ ଭାରତବର୍ଷ ଦୁଇଟା ଦେଶରେ ପରିଣତ ହୋଇ ଯାଇଥାଏ ଏବଂ ଭାରତକୁ ବିଭାଜନଜନିତ ଆନୁଷଙ୍ଗିକ ଯାବତୀୟ ଦୁର୍ଗତିର ସମ୍ମୁଖୀନ ହେବାକୁ ପଡ଼ୁଥାଏ । ଘରଟିକୁ ଗଢ଼ିବା ଅପେକ୍ଷା ସତେଅବା ତାହାକୁ ସକଳ ଅର୍ଥରେ ଗୋଟିଏ ଘର ପରି ସମ୍ଭାଳି ରଖିବା ହିଁ ଭାରତବର୍ଷର ନୂଆ ସରକାରଙ୍କ ଲାଗି ସର୍ବପ୍ରଧାନ ଚିନ୍ତାରେ ପରିଣତ ହୋଇ ରହିଥାଏ । ତଥାପି, ଏହି ଖଣ୍ଡିଆ ଭାରତବର୍ଷ ଉପରେ ପୃଥିବୀର ପ୍ରତ୍ୟାଶା ଆଦୌ କମ୍ ହୋଇ ରହିନଥାଏ । ପାକିସ୍ତାନଠାରୁ ସେପରି କୌଣସି ପ୍ରତ୍ୟାଶା କରାଯିବାର ଆଦୌ କୌଣସି ରାଜନୀତିକ ହେତୁ ନ ଥିଲା । ତେଣୁ ସବୁଯାକ ପ୍ରତ୍ୟାଶା କେବଳ ଏ ପାଖର ଏହି ଖଣ୍ଡଟି ଉପରେ ରହିଥିଲା ।

 

ରାଜନୀତିକ ସ୍ଵାଧୀନତାକୁ ଛଅ ମାସ ନ ହେଉଣୁ ସାଂପ୍ରଦାୟିକତା ହାତରେ ଗାନ୍ଧିଜୀଙ୍କର ହତ୍ୟା ହେଲା । ମହାତ୍ମା ଗାନ୍ଧୀ ଜାତୀୟ ସ୍ଵାଧୀନତାର ସଂଗ୍ରାମରେ ସେନାପତି ହୋଇ ରହିଥିଲେ ଏବଂ ସ୍ଵାଧୀନ ଭାରତବର୍ଷର ବିବେକରୂପେ ତାଙ୍କୁ ସମଗ୍ର ଭାରତ ନୁହେଁ, ସମଗ୍ର ଜଗତ ଚାହିଁ ବସିଥିଲା । ଭାରତବର୍ଷ ସ୍ଵାଧୀନତା ଲାଭ କଲାପରେ ସାମ୍ପ୍ରଦାୟିକତାବାଦ ଯେ ତଥାପି ବଞ୍ଚି ରହିଛି । ଗାନ୍ଧୀ ହତ୍ୟାରୁ ତାହାର ପ୍ରଥମ ଚେତାବନୀ ମିଳିଗଲା । ମହାତ୍ମାଗାନ୍ଧୀ କଂଗ୍ରେସ ସଂଗଠନର ମଧ୍ୟ ବିବେକ ହୋଇ ରହି ଆସିଥିଲେ ତାଙ୍କର ତିରୋଧାନ ପରେ କଂଗ୍ରେସରୂପୀ ନୌକାରେ କାଣ୍ଡାରି ହେବାଲାଗି ସତେଅବା ଆଉ କେହିହେଲେ ରହିଲେ ନାହିଁ । ଯେଉଁମାନେ ଥିଲେ, ସେମାନେ ସତେଅବା ଆପଣାକୁ ହିଁ ସବାଆଗରେ ଅଥବା ସର୍ବଶୀର୍ଷରେ ରହିଥିବା ପର୍ଯ୍ୟନ୍ତ ଭାରତବର୍ଷର ଭାଗ୍ୟ ସୁରକ୍ଷିତ ରହିବ ବୋଲି ସେମାନେ ସତେଅବା ପ୍ରତ୍ୟେକ ଭାବୁଥିଲେ । ପ୍ରାୟ ପ୍ରତ୍ୟେକେ ଭାରତବର୍ଷକୁ ପଛରେ, ସାତ ପଛରେ ରଖି ରାଜନୀତି ଭିତରେ ଆସନସ୍ଥ ହୋଇ ରହିଥିଲେ । ସେମାନେ ଆମ ସମସ୍ତଙ୍କର ହିତାକାଂକ୍ଷୀ ଅବଶ୍ୟ ଥିଲେ, ମାତ୍ର ହିତାକାଂକ୍ଷାର ଯାବତୀୟ ସ୍ଵପ୍ନ ଭିତରେ ସେମାନେ ନିଜେ ସବା ଆଗରେ ରହିଥିଲେ । ଗାନ୍ଧିଜୀଙ୍କ ସମୟରେ ସେହି ଗୋଟାଏ କଂଗ୍ରେସ ଭିତରେ କେତେ ଭଳି ଦାନ୍ତର ଓ କେତେଭଳି ଧାତୁର ନେତା ଏକତ୍ର ରହିଥିଲେ । ଗାନ୍ଧିଜୀଙ୍କର ନେତୃତ୍ଵ ଏବଂ ସମଗ୍ର ପ୍ରଭାବଶାଳୀତାର ବାହୁ ବିସ୍ତାର କରି ସମସ୍ତଙ୍କୁ ଗୋଟିଏ ପିତୃତ୍ଵର ଲଗାମ ଭିତରେ ରଖିଥିବାରୁ ଏବଂ ଭାରତବର୍ଷର ରାଜନୀତିକ ସ୍ଵାଧୀନତା ଲାଭ ହିଁ ସମସ୍ତଙ୍କ ପାଇଁ ଆଶୁ କାର୍ଯ୍ୟକ୍ରମ ହୋଇ ରହିଥିବାରୁ ସେହି ଦାନ୍ତଗୁଡ଼ିକ ସ୍ଵାଧୀନତା ସଂଗ୍ରାମ ସମୟରେ ଅଲଗା ଅଲଗା ହୋଇ ଜିଣିବା ଲାଗି ସମ୍ଭବତଃ କୌଣସି ଅବସର ପାଉନଥିଲେ । ଗାନ୍ଧିଜୀ ବାଟରୁ ହଟିଯିବାପରେ ଯାଇ ସେପରି ଏକ ଅବସର ଉପଲବ୍ଧ ହୋଇଥିଲା ।

 

ରାଜନୀତିକ ସ୍ଵାଧୀନତା ଆସିବା ପରେ ମହାତ୍ମା ଗାନ୍ଧୀ ଏକ ରାଜନୀତିକ ସଂଗଠନ ଭାବରେ କଂଗ୍ରେସର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ ଓ ତାହାକୁ ଭାଙ୍ଗିଦେବାର ପରାମର୍ଶ ଦେଇଥିଲେ । ରାଜନୀତି ସ୍ଵାଧୀନତା ଭାରତବାସୀ ମାତ୍ରକେ ସମସ୍ତଙ୍କର କାମ୍ୟ ଥିଲା । ସେହି ସ୍ଵାଧୀନତା ଆସିଯିବା ପରେ ଏଣିକି ବିଭିନ୍ନ ଅର୍ଥନୈତିକ ସ୍ଵାର୍ଥକୁ ଭିତ୍ତି କରି ଦଳମାନ ଗଢ଼ାଯିବା ଉଚିତ ବୋଲି ସେ ମତ ଦେଲେ । ରାଜନୀତିକ ସ୍ଵାଧୀନତା ପାଇଁ ଏକ ରାଜନୀତିକ ସଂଗ୍ରାମର ପ୍ରୟୋଜନ ରହିଥିଲା । ଏଣିକି ଯେଉଁ ଦ୍ଵିତୀୟ ସଂଗ୍ରାମ ଅର୍ଥାତ୍ ବିପ୍ଳବଟି ହେବ, ଗାନ୍ଧିଜୀ ତାହାକୁ ସାମାଜିକ ଏବଂ ଅର୍ଥନୈତିକ ବିପ୍ଳବ ବୋଲି କହିଥିଲେ । ରାଜନୀତିକ ବିପ୍ଳବଠାରୁ ଏହି ଦ୍ଵିତୀୟ ସୋପାନର ବିପ୍ଲପଟି ଅଧିକ କଷ୍ଟସାଧ୍ୟ ହେବ ବୋଲି ସେ କହୁଥିଲେ । ଭରତୀୟ ସମାଜରେ ଏବଂ ଅର୍ଥନୀତିରେ ଯେଉଁସବୁ ପୁରୁଣା ରକ୍ଷଣଶୀଳତା ଏବଂ ଅନିଚ୍ଛା କାଳକାଳରୁ ରହିଆସିଛି । ସେଗୁଡ଼ିକୁ ଭାଙ୍ଗିବାକୁ ହେବ ଏବଂ ତାହାରି ଦ୍ଵାରା ହିଁ ଭାରତବର୍ଷରେ ଗଣତନ୍ତ୍ର ତଥା ସମାନ ନ୍ୟାୟର ଏକ ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତ କରାଯାଇ ପାରିବ ବୋଲି ଗାନ୍ଧିଜୀ ଯୁକ୍ତି ବାଢ଼ିଥିଲେ ।

 

ଦେଶବାସୀଙ୍କୁ ଏହି ବୃହତ୍ତର ପରିବର୍ତ୍ତନ ଓ ନିର୍ମାଣର ନୂତନ ଚେତନାରେ ଜୁଆଇ ଆଣିବା ନିମନ୍ତେ ଗାନ୍ଧିଜୀ କଂଗ୍ରେସକୁ ଏକ ଲୋକସେବକ ସଂଘରେ ପରିଣତ ହୋଇଯିବାକୁ ପରାମର୍ଶ ଦେଇଥିଲେ । ଲୋକସେବକ ସଂଘର ଗଠନ ତଥା କାର୍ଯ୍ୟକ୍ରମ ସମ୍ବନ୍ଧରେ ସେ ଏକ ପ୍ରାଥମିକ ଚିଠା ମଧ୍ୟ ପ୍ରସ୍ତୁତ କରିଥିଲେ । ବିଭିନ୍ନ ରାଜନୀତିକ ଦଳର ସାଧୁତା ବା ଆସାଧୁତାକୁ ହୃଦୟଙ୍ଗମ କରି ସେହି ଅନୁସାରେ ଭାରତବର୍ଷର ଜନଗଣ ଯେପରି ଦେଶର ଅନୁରୂପ ଶାସନ ନିମନ୍ତେ ଆପଣାର ପ୍ରତିନିଧିମାନଙ୍କୁ ବାଛି ପାରିବେ । ସେଥିଲାଗି ଏକ ରାଜନୀତି ସଚେତନତା ତଥା ସକ୍ରିୟତା ସେମାନଙ୍କ ଠାରେ ରହିବା ଉଚିତ ବୋଲି ଗାନ୍ଧିଜୀ ହୃଦୟଙ୍ଗମ କରିଥିଲେ । ସେହି ସଚେତନତା ସୃଷ୍ଟି କରିବା ନିମନ୍ତେ ଲୋକସେବକ ସଂଘର କର୍ମୀମାନେ ଭାରତର ସାତଲକ୍ଷ ଗାଆଁରେ କାର୍ଯ୍ୟ କରିବେ ବୋଲି ତାଙ୍କର କଳ୍ପନା ରହିଥିଲା । କଂଗ୍ରେସର ଶିବିର ତାଙ୍କର ସେହି ଅନୁରୋଧ ରକ୍ଷା କରି ନଥିଲା । ନେତାମାନେ ଏକ ଆପାତ ବିଜୟ ପରେ ସତେ ଅବା କ୍ଳାନ୍ତ ହୋଇ ପଡ଼ିଥିଲେ ଓ ଆସନଗୁଡ଼ିକରେ ଯାଇ ବସିପଡ଼ିବାକୁ ବ୍ୟଗ୍ର ହୋଇ ରହିଥିଲେ । ଆସନ ଅର୍ଥାତ୍ କ୍ଷମତା କ୍ଷମତା ଲାଭ ଦ୍ଵାରା ହିଁ ସେମାନେ ସ୍ଵାଧୀନତା ନିମନ୍ତେ ଏକ ରାଜନୀତିକ ସଂଗ୍ରାମ କରିଥିବାଜନିତ କ୍ଳାନ୍ତିକୁ ମେଣ୍ଟାଇବାର ସ୍ଵପ୍ନ ଦେଖୁଥିଲେ । ତେଣୁ ସ୍ଵାଧୀନ ଦେଶ ଆପଣାର ଗୁଳାରେ ଯେପରି ଆଗକୁ ଆଗକୁ ଚାଲିପାରିବ, ସେଥିଲାଗି ବହୁ ଉଚ୍ଚସ୍ଵପ୍ନକୁ ଗର୍ଭରେ ଧରି ଭାରତବର୍ଷ ପାଇଁ ସମ୍ବିଧାନଟିଏ ଗଢ଼ାହେଲା । ସେହି ସମ୍ବିଧାନକୁ କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ରରେ ଶାସନ ବସିଲା ଓ ଉପରୁ ଦେଶକୁ ନୂଆକରି ଗଢ଼ିବାର ମସୁଧାମାନ ହେଲା ।

 

ଗାନ୍ଧିଜୀଙ୍କର ଚିଠାରେ ଦେଶକୁ ତଳଆଡ଼ୁ ଗଢ଼ି ଆଣିବାର ଓ ତାହାରି ମାଧ୍ୟମରେ ଲୋକଶକ୍ତିକୁ ମଜବୁତ କରିବାର ଯୋଜନାମାନ ରହିଥିଲା । ସ୍ଵାଧୀନ ଭାରତ ବର୍ଷରେ ପ୍ରଧାନତଃ ଉପରୁ ଯେଉଁ ଶାସନ ଚାଲିଲା, ତଦ୍ଦ୍ଵାରା ରାଜଶକ୍ତି ହିଁ ଅଧିକରୁ ଅଧିକ ବଳ ପାଇଲା । ଲୋକମାନଙ୍କ ଉପରୁ ଅନୁକମ୍ପା କିମ୍ବା ହିତୈଷ୍ଣିତା ଦେଖାଇ କେହି କଦାପି ଲୋକଶକ୍ତିର ବୃଦ୍ଧିରେ ଯଥାର୍ଥ ସହାୟତା କରି ପାରିବ ନାହିଁ । ବିଶେଷତଃ, ଅଶିକ୍ଷା, ଦାରିଦ୍ର୍ୟ ଏବଂ ଦୃଶ୍ୟ ତଥା ଅଦୃଶ୍ୟ ବହୁ ଅସମାନତା କାଳ-କାଳରୁ ସାମୂହିକ ଜୀବନକୁ ମାଡ଼ି ବସିଥିବାର ଗୋଟିଏ ଦେଶରେ ରାଜଶକ୍ତି ଯେତିକି ବିପୂଳ ଏବଂ ବହୁଳ ହେଉଥିବ, ଉପରଟାକୁ ନ୍ୟସ୍ତସ୍ଵାର୍ଥମାନେ ସେତିକି ସେତିକି ଅଧିକ ପ୍ରବଳ ଭାବରେ ମାଡ଼ି ବସିବାର ପ୍ରଶୟ ମଧ୍ୟ ପାଇବାରେ ଲାଗିଥିବେ ।

 

ଅଳ୍ପମାନେ ଅଧିକଙ୍କ ଉପରେ ସେତିକି ଅଧିକ ପରାକ୍ରମ ଦେଖାଉଥିବ ଏବଂ ଶାସନ ଓ ଶାସିତମାନଙ୍କ ମଧ୍ୟରେ ଖାଇଗୁଡ଼ିକ ସେତିକି ବଢ଼ିବାରେ ଲାଗିଥିବେ ଏବଂ ଅନିଷ୍ଟ ସାଧନ କରୁଥିବେ । ସ୍ଵାଧୀନତାର ବିଗତ ପ୍ରାୟ ପାଞ୍ଚ ଦଶକରେ ଭାରତବର୍ଷରେ ପ୍ରଧାନତଃ ତାହାହିଁ ହୋଇଛି । ମୂଳଟି ଦୂର୍ବଳ ହୋଇ ରହିଯାଇଛି । ତେଣୁ ଅଗମାନେ, ଉପରମାନେ ଓ ଉତ୍ତମମାନେ ଅଧିକ ଉପଦ୍ରବୀ ଏବଂ ଅବିବେକୀ ହୋଇଛନ୍ତି । ସଂହତି ଭାଙ୍ଗି ଭାଙ୍ଗି ଯାଇଛି ।

 

ଭାରତବର୍ଷ ସ୍ଵାଧୀନ ହେବାପରେ ଏହି ଦେଶର ଅଧିବାସୀମାନଙ୍କ ନିମନ୍ତେ ସବାଆଗ କାମସବୁ କରାଯିବ, ସ୍ଵାର୍ଥନତାର ସଂଗ୍ରାମ ଲଢ଼ା ହେବାବେଳେ ସଂଗ୍ରାମର ନେତାମାନେ କେଡ଼େ ଉତ୍ସାହରେ ସେସବୁ କଥା କହୁଥିଲେ । ଭାରତବର୍ଷରୁ ଦାରିଦ୍ର୍ୟ ଦୂର ହୋଇଯିବ, ଅଶିକ୍ଷା ଯିବ, ସବୁ ପିଲା ପାଠ ପଢ଼ିବେ, ସମସ୍ତେ କାମ ପାଇବେ, ଭାରତବର୍ଷର ଗ୍ରାମଗୁଡ଼ିକରେ ଜୀବିକା-ଅର୍ଜନର ସଂସ୍ଥାଗୁଡ଼ିକୁ ସୁଦୃଢ଼ କରାଯିବ, ଯାହା ଫଳରେ କି ଗ୍ରାମବାସୀମାନେ ଉଦ୍‍ବାସ୍ତୁ ହୋଇ ସହରକୁ ଆସିବାକୁ ବାଧ୍ୟ ହେବେ ନାହିଁ, ଭାରତୀୟ ବୃହତ ପରମ୍ପରାକୁ ଭାଙ୍ଗିଯିବାକୁ ନ ଦେଇ ଦେଶରେ ଯଥାସମ୍ଭବ ଅଧିକ ବିକେନ୍ଦ୍ରୀକରଣକୁ ବାଟା ଛାଡ଼ିଦେବା ହିଁ ରାଷ୍ଟ୍ରର ନୀତି ହୋଇ ରହିବ । ଉପନିବେଶ ଅମଳର ଗୋଲାମ ବନାଉଥିବା ଶିକ୍ଷାର ଲୋପ ହେବ, ଶିକ୍ଷାର ଆଭିମୁଖ୍ୟ ଏବଂ ଆବେଦନ ସଂପୂର୍ଣ୍ଣ ଭାବରେ ବଦଳିଯିବ, ଏହିପରି କେତେ କେତେ କଥା । ଭୂମି ସଂସ୍କାରକୁ ସର୍ବାଗ୍ରସ୍ଥାନ ଦିଆଯିବ, ଅର୍ଥାତ୍‍ ଜମିକୁ ପ୍ରକୃତରେ ଚାଷ କରି ଫଳ ଫଳାଉଥିବା ଲୋକ ହିଁ ଜମିର ଅଧିକାରୀ ହେବ, —ଭାରତୀୟ ଜାତୀୟ କଂଗ୍ରେସ ଏହି କଥାଟିକକୁ ସ୍ଵାଧୀନତା ପାଇବାର ବହୁ ବର୍ଷ ପୂର୍ବରୁ ଘୋଷଣା କରି ଦେଇଥିଲା । ମୋଟ କଥା ହେଉଛି, ଭାରତବର୍ଷରେ ସମସ୍ତେ ଆପଣାକୁ ଗୋଟିଏ ଦେଶ, ଗୋଟିଏ ଜାତି ଓ ଗୋଟିଏ ସମୂହ ବୋଲି ଅନୁଭବ କରିବେ । କେହି କାହାରିକୁ ଶୋଷଣ କରିବେ ନାହିଁ, ନ୍ୟାୟ ପାଇବା ସମସ୍ତଙ୍କର ସହଜ ପହୁଞ୍ଚ ଭିତରେ ରହିବ । ଜାତିଭେଦ ଉଠିଯିବ, ବଡ଼ ସାନ ରହିବ ନାହିଁ, ଅସମାନତାଗୁଡ଼ିକୁ ଯଥାସମ୍ଭବ ଲୋପ କରି ଦିଆଯିବ । ସମସ୍ତେ ମନ୍ୟୁଷର ସମ୍ମାନ ଲାଭ କରିବେ:—ଦିଲ୍ଲୀର ରାଜପ୍ରାସାଦ ଓ ଦରିଦ୍ର ମନ୍ୟୁଷର ଦୀନ କୁଟୀର ସ୍ଵାଧୀନ ଭାରତବର୍ଷରେ ଗୋଟାଏ ଦିନପାଇଁ ମଧ୍ୟ କଦାପି ପରସ୍ପରର ପାଖାପାଖି ହୋଇ ରହିବେ ନାହିଁ ବୋଲି ମହାତ୍ମାଗାନ୍ଧୀ ସ୍ଵାଧୀନତା ଆସିବା ପୂର୍ବରୁ ଘୋଷଣା କରିଥିଲେ । ସ୍ଵାଧୀନ ଭାରତର ଶାସକମାନଙ୍କ ଉପରେ ପ୍ରକୃତରେ ବହୁତ ଭରସା ରଖିଥିଲେ ।

 

ସମାନ ଅଧିକାର, ସମାନ ସୁଯୋଗ, ସାମାନ କର୍ତ୍ତବ୍ୟ, ସମାନ ସମ୍ଭାବନା ଓ ସମସ୍ତଙ୍କ ଲାଗି ସର୍ବନିମ୍ନ ଆବଶ୍ୟକତାଗୁଡ଼ିକର ପରିପୂର୍ତ୍ତି, —ଯେକୌଣସି ଦେଶରେ ଏହିଗୁଡ଼ିକୁ ହିଁ ଅସଲ ସଂହତି ପ୍ରତିଷ୍ଠିତ ହୋଇ ରହିବାର କେତୋଟି ସନ୍ତକ ଏବଂ ନିଦର୍ଶନ ବୋଲି କୁହାଯିବ । ପୃଥିବୀର ଯେଉଁସବୁ ଦେଶରେ ଏଗୁଡ଼ିକ ଲାଗି ସବାଆଗ ଜାଗାଛାଡ଼ି ଦିଆଯାଇଛି, ସେହିସବୁ ଦେଶରେ ସଂହତି ରହିଛି, ପାରସ୍ପରିକ ଆସ୍ଥା ରହିଛି, ସେହି ଦେଶମାନଙ୍କରେ ଜାତୀୟ ଜୀବନ ଏକ ଦୃଢ଼ ମୂଳଦୂଆ ଉପରେ ଛିଡ଼ା ହୋଇ ରହିପାରିଛି । ଯଥାର୍ଥ ଗଣତନ୍ତ୍ର ସେସବୁ ଦେଶରେ ସମ୍ଭବ ହୋଇ ପାରିଛି । ସାମୂହିକ ଜୀବନରେ ଏକ ନୂତନ ନୈତିକତା ସମ୍ଭବ ହୋଇଛି, ଯାହାକୁ ଏକାଧିକ ଅର୍ଥରେ ଏକ ଯଥାର୍ଥ ମାନବିକତା ବୋଲି କୁହାଯାଇ ପାରିବ । ରାଜନୀତିକ ସ୍ଵାଧୀନତା ଆସିବା ପରେ ଯେଉଁସବୁ ଦେଶରେ ଦେଶର ସବୁ ମଣିଷଙ୍କୁ ନଜରରେ ରଖି ଆବଶ୍ୟକ ଅର୍ଥନୈତିକ ଏବଂ ସାମାଜିକ ପରିବର୍ତ୍ତନ ଲାଗି ବାଟ ଛାଡ଼ି ଦିଆଯାଇଛି, ସେହିସବୁ ଦେଶରେ ରାଷ୍ଟ୍ରୀୟତା କ୍ରମଶଃ ଏକ ପ୍ରଶସ୍ତତର ମାନବିକତାରେ ପରିଣତ ହେବା ନିମନ୍ତେ ଉତ୍ସାହ ଲାଭ କରିଛି । ଭାରତବର୍ଷରେ ସେହି ମୂଳ ଜିନିଷଗୁଡ଼ିକ ସମ୍ଭବ ହୋଇନାହିଁ, ସର୍ବମୂଳ ସାହାସଗୁଡ଼ିକୁ ଦେଖାଇବାରେ ଏବଂ ସର୍ବପ୍ରଥମ ପାହୁଣ୍ଡଗୁଡ଼ିକ ପାଇବାରେ ଭାରତ ବର୍ଷର ନେତୃତ୍ଵ ସତେଅବା କେଉଁ ଜିଦ୍‍ଧରି ବସିଥିବା ପରି ପାଶ୍ଚାତ୍‍ପଦ ହୋଇରହିଛି । ତେଣୁ, ଭାରତବର୍ଷରେ ଯାହା ଆଦୌ ହେବାର ନଥିଲା, ଅଧିକତଃ ସେହିଗୁଡ଼ାକ ହିଁ ଘଟିଛି, ଦିଗ୍‍ବଳୟଗୁଡ଼ିକୁ ବିଭ୍ରାନ୍ତ କରି ରଖିଛି ।

 

ସ୍ଵାଧୀନ ଭାରତବର୍ଷର ଅଭିବୃଦ୍ଧି—ଖାତାରେ ଗତ ପାଞ୍ଚ ଦଶକ ମଧ୍ୟରେ ଆଖିଦୃଶିଆ ବହୁତ କିଛି ଘଟିଛି ଓ ଘଟୁଛି ଏବଂ ସେଥିଲାଗି କୋଟି କୋଟି ଟଙ୍କା ଖରଚ ହୋଇଛି ଏବଂ ହେଉଛି-। ଦେଶର ସମୃଦ୍ଧି ବଢ଼ାଇବାର ନିଶାରେ ରାଷ୍ଟ୍ର ବିଦେଶରୁ ଅର୍ବୁଦ ପରିମାଣର ଟଙ୍କା କରଜ କରି ଆଣିବାକୁ ଆଦୌ କୁଣ୍ଠା ପ୍ରକାଶ କରିନାହିଁ । କୋଠାମାନେ ଦଶହଜାର ଗୁଣ ବଢ଼ିଛନ୍ତି, ରାସ୍ତାମାନେ ଲମ୍ବରୁ ଆହୁରି ଲମ୍ବ ହୋଇଛନ୍ତି, କଳକାରଖାନା ଭଳିକୁ ଭଳି ବସୁଛି; ବ୍ରିଟିଶ ଅମଳରେ ଯେଉଁସବୁ ଦ୍ରବ୍ୟ ବାହାରୁ ଦେଶକୁ ଆସୁଥିଲା, ଏବେ ଭାରତର ବୈଜ୍ଞାନିକମାନେ ତାହାକୁ ଦେଶରେ ତିଆରି କରି ପାରିଲେଣି । ଭାରତବର୍ଷକୁ ଏକ ଆଧୁନିକ ଦେଶରେ ପରିଣତ କରିବାଲାଗି କେତେ କେତେ ଯୋଜନା ଏବଂ ଗବେଷଣା ହେଉଛି । ଇସ୍କୁଲ ଓ କଲେଜମାନେ ସଂଖ୍ୟାରେ ବହୁଗୁଣିତ ହେଉଛନ୍ତି-। ଚାକିରି ବହୁଗୁଣିତ ହେଉଛି, ଚାକିରିଆମାନେ ଆଗ ଅପେକ୍ଷା ଅନେକ ଗୁଣ ଅଧିକ ଦରମା ପାଉଛନ୍ତି । ଯଥାସସମ୍ଭବ ଅଧିକରୁ ଅଧିକ ଅଞ୍ଚଳକୁ ସହରଗୁଡ଼ିକ ସହିତ ଗୁନ୍ଥି ଆଣିବାକୁ ଡାକତାର ବସିଲାଣି, ବିଜୁଳି ଆଲୁଅରେ ପ୍ରସାର ଘଟିଲାଣି, ବ୍ୟାଙ୍କମାନେ ଗାଆଁ ଭିତରେ ଯାଇ ପଶିଲେଣି । ଜନକଲ୍ୟାଣ ହିଁ ରାଷ୍ଟ୍ରର ସର୍ବମୁଖ୍ୟ ଧନ୍ଦା ହୋଇଛି । ଧନୀ ହେବାର ଆକାଙ୍‍କ୍ଷାମାନ ଅଧିକରୁ ଅଧିକ ସାର୍ବଜନୀନ ହେଲାଣି । ରେଡ଼ିଓ, ଟେଲିଭିଜନ ଓ ଟେଲିଫୋନର ମାଧ୍ୟମରେ ରାଷ୍ଟ୍ରୀୟ ଶାସନ ତଥା ପ୍ରଶାସନର ରଜ୍ଜୁଗୁଡ଼ିକ ସତେଅବା ଆମ ଘର ଭିତରେ ପଶି ଆମକୁ କେଡ଼େ ବିଚକ୍ଷଣ ଭାବରେ ବାନ୍ଧି ପକାଇଲେଣି । ଦେଶରେ ସରକାରଙ୍କ ଗୋଟାଏ ପ୍ରଚାର-ବିଭାଗ ରହିଛି, ଯାହାକି ଏହି ସରକାର ଏକାବେଳେକେ ଆମ ନିଜର ବୋଲି ଏକାଧିକ ଉପାଯରେ ଆମକୁ ଘନଘନ ପ୍ରତ୍ୟୟ ଆଣିଦେବାର ପ୍ରୟାସ କରୁଛି । ସରକାରୀ ଦଳ ସାଙ୍ଗକୁ ବିରୋଧୀ ଦଳମାନେ ରହିଛନ୍ତି, ଯେଉଁମାନେ କି ଦେଶରେ ଆମ ସମସ୍ତଙ୍କ ନିମନ୍ତେ ଗଣତନ୍ତ୍ରକୁ ବଞ୍ଚାଇ ରଖିଛନ୍ତି । ମୁଣ୍ଡ ସୁମାରି କରି ଭାରତବର୍ଷକୁ ପୃଥିବୀର ସର୍ବବୃହତ୍ ଗଣତନ୍ତ୍ର ବୋଲି କୁହାଯାଉଛି । ତଥାପି କେଉଁଠାରେ କଣ ଗଲତି ରହିଯାଇଛି । ତଥାପି କେଉଁଠି କ’ଣ ବିଗିଡ଼ି ଯାଇଛି । ସେର ଓ ମାଣମାନେ ଭରପୁର ହୋଇ ରହିଛନ୍ତି, ତଥାପି ଅସଲ ଉଜ୍ଜୀବନ ଏବଂ ଅସଲ ସଂହତିଗୁଡ଼ିକ ସମ୍ଭବ ହୋଇ ପାରୁନାହିଁ ।

 

ଏତେ ଏତେ ସମୃଦ୍ଧି ସତ୍ତ୍ୱେ ଦେଶରେ ମଣିଷ ମଣିଷ ଭିତରେ ବ୍ୟବଧାନ ବୃଦ୍ଧି ପାଇବାରେ ଲାଗିଛି । ସ୍ଵୟଂ ସରକାରଙ୍କ ସ୍ଵୀକାରୋକ୍ତି ଅନୁସାରେ ଭାରତ ବର୍ଷରେ ଧନୀ ଅଧିକ ଧନୀ ହେବାରେ ଲାଗିଛି ଏବଂ ଦରିଦ୍ର ଅଧିକ ଦରିଦ୍ର ହେଉଛି । ଅସହାୟ ମଣିଷ ଅଧିକ ଅସହାୟ ହୋଇଯାଉଛି । ସମୃଦ୍ଧିର ସୁଫଳ ସବୁ ମଣିଷଙ୍କ ପାଖରେ ପହଞ୍ଚି ପାରୁନାହିଁ । ଅଳପ ମଣିଷ ଅଧିକାଂଶ ସୁଫଳକୁ ନିଜପାଇଁ ଅଟକାଇ ରଖୁଛନ୍ତି ଏବଂ ତାହାକୁ ସର୍ବଜନଙ୍କର ସ୍ତରଯାଏ ଆସିବାକୁ ଦେଉନାହାନ୍ତି । ଯୋଜନାମାନେ ବାଟମାରଣା ହେଉଛନ୍ତି । କୃଷିରେ ଉତ୍ପାଦନ ବୃଦ୍ଧି ପାଉଛି । ତଥାପି ଖାଦ୍ୟାଭାବ ରହିଛି । ମଣିଷମାନେ ଅନାହାରରେ, ଅର୍ଦ୍ଧାହୀରରେ ମାରୁଛନ୍ତି । ପ୍ରତିବର୍ଷ ଏ ଦେଶରେ ହଜାର ହଜାର ଡାକ୍ତର ବାହାରୁଛନ୍ତି । ନୂଆ ଡାକ୍ତରଖାନାମାନ ବସୁଛି । ମାତ୍ର ଚିକିତ୍ସା ନପାଇ ମଣିଷମାନେ ପୋକମାଛି ପରି ମରୁଛନ୍ତି । ତାକୁ ଆଳ କରି ପ୍ରତିନିଧିସଭାମାନଙ୍କରେ ତୁମୂଳ ତର୍କଗୋଳ ହେଉଛି ଓ ରାଜନୀତିର ମଣ୍ଡୁକମାନେ ସେଥିରୁ ଫାଇଦାମାନ ଉଠାଉଛନ୍ତି ସତ, ମାତ୍ର ଅସହାୟ ମଣିଷମାନଙ୍କର ଅସହାୟତା ଦୂର ହେଉନାହିଁ । ଉପେକ୍ଷା ହିଁ ଉତ୍ତମମାନଙ୍କର ଧର୍ମ ହୋଇ ରହିଛି । ସରକାରୀ କାଗଜପତ୍ର ଯେତେ କୋଳାହଳ କରି ଯେଡ଼େ ଉତ୍ସାହରେ ଯାହା ମନ ତାହା କହୁ ପଛକେ, ଦାରିଦ୍ର୍ୟର ସୀମାରେଖା ତଳେ ଏହି ଦେଶରେ ଏବେ ମଧ୍ୟ କୋଟି କୋଟି ମଣିଷ ରହିଛନ୍ତି । ସେମାନଙ୍କୁ ଭଳି ଭଳି ଦୟା ଦେଖାଯାଉଛି ସତ, ମାତ୍ର ସେମାନଙ୍କୁ ସମକକ୍ଷ ସମାନ ଅଧିକାର ରହିଥିବା ମଣିଷ ହିସାବରେ ମୋତେ ସ୍ଵୀକାର କରାଯାଉନାହିଁ ।

 

ଦେଶରେ ନ୍ୟାୟାଳୟ ରହିଛି, ତଥାପି ସବୁ ମଣିଷଙ୍କୁ ନ୍ୟାୟର ଭରସା ମିଳୁ ନାହିଁ । ପୋଲିସ ରହିଛନ୍ତି, ତଥାପି ସବୁ ମଣିଷଙ୍କୁ ଆବଶ୍ୟକ ସୁରକ୍ଷାର ନିଶ୍ଚିନ୍ତ ଭରସା ମିଳୁ ନାହିଁ । ନିର୍ବାଚିତ ଲୋକପ୍ରତିନିଧିମାନେ ରହିଛନ୍ତି । ମାତ୍ର ଲୋକ ସାଧାରଣଙ୍କର ଆବାଦ ଉଚ୍ଚ ଥାନମାନଙ୍କରେ ଯାଇ ପହଞ୍ଚି ପାରୁନାହିଁ । ଦେଶର ସବୁଯାକ ଅଢ଼ା ସାମନ୍ତମାନଙ୍କ ହାତରେ ଯାଇ ରହିଛି । ସବୁଯାକ ଫେଶନ, ସବୁଯାକ ପ୍ରଦର୍ଶନ, ସବୁଯାକ ଗର୍ବ ଓ ଗାରିମା ସେହି ସାମନ୍ତମାନେ ହିଁ ଭୋଗ କରିବାରେ ଲାଗିଛନ୍ତି । ଦେଶରେ ଅମଲାତନ୍ତ୍ର ହିଁ ମଙ୍ଗରାଜଙ୍କ ଘରେ ଚମ୍ପାସାଆନ୍ତାଣୀ ହୋଇ ବସିଛି । ସ୍ଵାଧୀନ ଭାରତର ହାକିମମାନେ ଦେଶରେ ସେବକ ହୋଇ ରହିଥାଆନ୍ତେ । ମାତ୍ର, ସେଠି ସେହି ମଥାନଟାରେ ଯନ୍ତ୍ରଗୁଡ଼ାକୁ ଏପରି କୌଶଳ କରି ଖଞ୍ଜି ଦିଆଯାଇଛି ଯେ, ସେମାନେ ଆମରା ସେବକ ଓ ସହାୟକ ହେବା ଅପେକ୍ଷା ବରଂ ବାବୁ ହେବାରେ ହିଁ ଅଧିକ ଆତ୍ମପ୍ରସାଦ ଲାଭ କରୁଛନ୍ତି । ଏକ ଭାଗ୍ୟହୀନ ଦେଶରେ ସେମାନେ ସତେଅବା ଆପଣାକୁ ହିଁ ଏକମାତ୍ର ଭାଗ୍ୟବାନ୍ ଏବଂ ଭାଗ୍ୟଧର ବୋଲି ମଣୁଛନ୍ତି । ରାଜନୀତି ମହାପ୍ରଶସ୍ତମାନଙ୍କର ଆଖଡ଼ାରେ ପରିଣତ ହେଲାଣି । ମଣିଷମାନଙ୍କର ଚକ୍ଷୁରୁ ଯାବତୀୟ ଦୁଃଖଜନିତ ଅଶ୍ରୁର ମୋଚନ କରିବା ହିଁ ରାଜନୀତିର ଅସଲ ଧର୍ମ ବୋଲି ମହାତ୍ମା ଗାନ୍ଧୀ ଏକଦା ଭାରତବର୍ଷରେ କହିଥିଲେ । ଏବେ ରାଜନୀତି ମୂଳତଃ ଆପଣା ସ୍ଵାର୍ଥର ସିଦ୍ଧିକୁ ହିଁ ବୁଝାଉଛି । ଯେକୌଣସି ପ୍ରକାରେ କ୍ଷମତାରେ ରହିବା ହିଁ ବିଚରା ଆତ୍ମକାମୀ ଅଥର୍ବମାନଙ୍କର ଏକମାତ୍ର ଧର୍ମରେ ପରିଣତ ହୋଇଗଲାଣି । ବାମ ଓ ଡାହାଣ, ଉଭୟ ପକ୍ଷରେ ଅଧିକତର ସଂଖ୍ୟାରେ ଏହି ଆତ୍ମକାମୀମାନେ ରହିଛନ୍ତି । ସେମାନେ ସମସ୍ତେ ମିଶି ଗଣତନ୍ତ୍ରକୁ ଏକ ସାମନ୍ତବାଦୀ ଆଖଡ଼ାରେ ପରିଣତ କରି ଦେଇଛନ୍ତି । ଅସଲ ରାଜନୀତି ଯାଇ ଲଟାରେ ପଶିଲାଣି । ଏପରି ଏକ ପରିସ୍ଥିତିରେ ଦେଶରେ ସଂହତି କୁଆଡ଼ୁ କାହିଁକି ସମ୍ଭବ ହେବ ? ଯେଉଁ ଦେଶରେ ଉଚ୍ଚ ଓ ଉତ୍ତମମାନେ ଆପଣାକୁ ହିଁ ଅଧିକରୁ ଅଧିକ ପୃଷ୍ଟ ଓ ପୃଥୁଳ କରିବାକୁ ଧର୍ମ ପରି ଗ୍ରହଣ କରି ନେଇଥାନ୍ତି ଓ ଅଧିକ ସଂଖ୍ୟକ ମନୁଷ୍ୟ ଅସହାୟ ହୋଇ ରହିଥାଆନ୍ତି, ସେହି ଦେଶରେ ସଂହତି ଖୋଜି ଆମେ ଆଉ କାହା ଘରକୁ ଯିବା ? ସେହି ଦେଶରେ ଉପେକ୍ଷା ଓ ଆତ୍ମକାତରତା ହିଁ ରାଜା ହୋଇ ବସିଥାଆନ୍ତି ।

 

ଏହି ସନ୍ଦର୍ଭଟିକୁ ଅଧିକ ସ୍ପଷ୍ଟ କରି ଦେବାଲାଗି ଦେଶର ଶିକ୍ଷାକ୍ଷେତ୍ରକୁ ଆମେ ଏକ ଅନ୍ୟତମ ଉଦାହରଣରୂପେ ଗ୍ରହଣ କରି ପାରିବା । ଦେଶର ସବୁ ପିଲା ଆମ ସମ୍ବିଧାନର ସକଳ ପ୍ରତିଶ୍ରୁତି ସତ୍ତ୍ୱେ ପ୍ରାଥମିକ ଶିକ୍ଷାର ଅଧିକାର ଲାଭ କରି ପାରି ନାହାନ୍ତି । ଯେତିକି ପିଲାସ୍କୁଲକୁ ଆସୁଛନ୍ତି, ସେମାନେ ମଧ୍ୟ ଏକା ପାଠ ପଢ଼ି ନାହାନ୍ତି । ସତେଅବା ସତରଟା ସ୍ଵାର୍ଥକୁ ସନ୍ତୁଷ୍ଟ କରିବାର ମତଲବରେ ଦେଶରେ ସତରା ପ୍ରକାରର ପ୍ରାଥମିକ ଶିକ୍ଷା ଚାଲିଛି । ପ୍ଳେଟୋଙ୍କର ବିଚିତ୍ର କଳ୍ପନା ପରି ସୁନା ଘରର ପିଲାଏ ସୁନା ପାଠ ପଢ଼ୁଛନ୍ତି, ରୂପାଘରର ପିଲାଏ ରୂପାପାଠ ପଢ଼ୁଛନ୍ତି ଓ ପିତ୍ତଳ ଘରର ପିଲାଏ ପିତ୍ତଳ ପାଠ ପଢ଼ୁଛନ୍ତି । ଉଚ୍ଚରେ ଥିବା ଶିକ୍ଷା ଘରର ବାବୁମାନେ ସେହି ଉପରେ ଥାଇ ଦେଶର ପିଲାଙ୍କ ନିମନ୍ତେ ଏଭଳି ଏକ ଶିକ୍ଷାର ବ୍ୟବସ୍ଥା କରି ଦେଉଛନ୍ତି । ଯାହା ଫଳରେ ନଥିବା ଘରର ପିଲାମାନଙ୍କର ଅଧେ ଭାଗ ସ୍କୁଲରେ ମାତ୍ର କେତେ ବର୍ଷ ବସି ତା’ପରେ ଇସ୍କୁଲଛାଡ଼ି ପଳାଉଛନ୍ତି । ଆମ ଦେଶରେ ପଢ଼ା ଯାଉଥିବା ପାଠ ପିଲାର ପାରିପାର୍ଶ୍ଵିକ ଜୀବନରେ ଅଧିକାଂଶ ସ୍ଥଳରେ ହୁଏତ କୌଣସି କାମରେ ଲାଗୁ ନାହିଁ । ଶିକ୍ଷାର ଗୁଣାତ୍ମକ ଦୃଷ୍ଟିରୁ ଶିକ୍ଷା ବିଷୟରେ ସମ୍ଭବତଃ କିଛି ନ କହିବା ହିଁ ଭଲ ହେବ । ଚାକିରି ସହିତ ପାଠ ପଢ଼ିବାକୁ ଅତ୍ୟନ୍ତ ନିର୍ବୋଧ ଭାବରେ ଯୋଡ଼ି ଦିଆଯାଇ ଥିବାରୁ ପିଲାମାନେ ସତେ ଅବା ବାଧ୍ୟ ହୋଇ ପାଠପଢ଼ି ଗୋଟାଏ ଗୋଟାଏ ପ୍ରମାଣପତ୍ର ହାସଲ କରିବା ନିମନ୍ତେ ସ୍କୁଲକୁ ଆସୁଛନ୍ତି । ପାଠ ପଢ଼ିବା, ଶିକ୍ଷିତ ହେବା ଏବଂ ପରୀକ୍ଷାରେ ପାସ୍‍ କରିବା ନ୍ୟାୟତଃ ଏକ ପ୍ରହସନରେ ପରିଣତ ହୋଇଗଲାଣି । ଉପରେ ଶିକ୍ଷାର ସ୍ତିରସ୍ତାମାନଙ୍କରେ କେଡ଼େ କେଡ଼େ ବାବୁମାନେ ବସି ଯନ୍ତ୍ରଗୁଡ଼ାକୁ ଚଳାଉଛନ୍ତି ବୋଲି ହିଁ ଯାହା ଏହି ଦେଶରେ ଶିକ୍ଷା ଲାଗି କିଛି ବୋଲି ପ୍ରତୀତ ହେଉଛି ।

 

ଏହି ଦେଶଟା ଯେ ଅନୁରକ୍ତି ଏବଂ ଆନୁଗତ୍ୟର କ୍ଷେତ୍ରରେ ନାନା ଭାଗରେ ବିଭାଜିତ ହୋଇ ରହିଛି, ଆମ ବିଦ୍ୟାଳୟଗୁଡ଼ିକ ତାହାର ଚାକ୍ଷୁଶ ପ୍ରମାଣ ହୋଇ ରହିଛନ୍ତି । ଦେଶର ପ୍ରତ୍ୟେକ ଶିଶୁ ତା’ର ପ୍ରାଥମିକ ଶିକ୍ଷାର କାଳରୁ ହିଁ ତା’ର ସମବୟସୀ ଏହି ଦେଶର ସମସ୍ତଙ୍କ ସହିତ ଯେଉଁ ଏକାତ୍ମକତା ଅନୁଭବ କରୁଥାନ୍ତା, ତାହା ଭାରତବର୍ଷରେ ସମ୍ଭବ ହୋଇ ପାରୁନାହିଁ । ମୂଳରୁ ହିଁ ସେ ନାନା ସ୍ତରର ନାନା ଦେଶକୁ ଦେଖୁଛି । ସିଏ କେଉଁଠି ମାଧ୍ୟମରେ ପାଠ ପଢ଼ୁଛି; ଉତ୍ତମର ଶିକ୍ଷା ଲାଭ କରିବାର ଯାବତୀୟ ସରଞ୍ଜାମ ତା’ ଲାଗି ଖଞ୍ଜା ହୋଇ ରହିଛି । ଗେହ୍ଲା ହୋଇ, କଣ୍ଢେଇପରି ଦିଶି ସିଏ ପାଠ ବୋଲି ଯାହାକିଛି ପଢ଼ୁଛି, ତାହା ତାକୁ ତା’ ଅନ୍ତର ଭିତରୁ ଏହି ଦେଶର ନିୟତିଠାରୁ ବଡ଼ ନିର୍ମମ ଭାବରେ ଛିନ୍ନ କରି ନେଉଛି । ସେ ଏହି ଦେଶକୁ ସତେଅବା କେବଳ ଭୋଗ କରିବାକୁ ହିଁ ଏକ ବିଶେଷ ଘରେ ଜନ୍ମ ହୋଇଛି ବୋଲି ତା’ ଇସ୍କୁଲର hidden syllabus ଷଡ଼ଯନ୍ତ୍ର କଲାପରି ତା’ କାନ ପାଖରେ ମନ୍ତ୍ର ଫୁଙ୍କିବାରେ ଲାଗିଛି । ଅଙ୍ଗୀକାରବଦ୍ଧତାର କୌଣସି ପ୍ରଶ୍ନହିଁ କାହିଁକି ଉଠିବ ? ଆଉ କେଉଁଠି ଶିଶୁ ଗୋଟାଏ ଗୁହାଳରେ ଚରେ ଅନ୍ୟ ଅନେକ ପିଲାଙ୍କର ପଲି ଭିତରେ ଯାଇ ବସୁଛି । ତା’ ପାଇଁ ବିଜ୍ଞାନଗାର ନାହିଁ, ଶିକ୍ଷାକୁ ଆଗ୍ରହଯୁକ୍ତ କରିବାଲାଗି କୌଣସି ଆକର୍ଷଣ ନାହିଁ, ତା’ ଶିକ୍ଷକମାନେ ତାକୁ ସତେଅବା କେତେଟା ଘଣ୍ଟା ବାଡ଼ି ଧରି ଜଗିବା ନିମନ୍ତେ ଶିକ୍ଷକର ରୂପ ଧରି ଆସିଛନ୍ତି । ଶିକ୍ଷକ ଓ ଶିକ୍ଷାଳୟ ସମସ୍ତେ ମ୍ଳେଚ୍ଛ ଓ ପତିତ ପରି ଦିଶୁଛନ୍ତି । ସେଠାରେ ମଧ୍ୟ କୌଣସି ଅଙ୍ଗୀକାରବଦ୍ଧତା ନାହିଁ । ଅବହେଳା ହିଁ ମୀମାଂସକ ରୀତି ହୋଇରହିଛି । ତା’ ଶିକ୍ଷକମାନେ ସତେଅବା ତାକୁ ଅବଜ୍ଞା ହିଁ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ସ୍ଵୟଂ ଅବଜ୍ଞାର ଶିକାର ହୋଇ ଶିଶୁ ବଡ଼ ହୋଇ ଅବଜ୍ଞାକୁ ହିଁ ଜୀବନ ବଞ୍ଚିବାର ସାଧନରୂପେ ଗ୍ରହଣ କରି ନେଉଛି । ଏହି ସବୁ ପ୍ରକାରର ସବୁଯାକ ପିଲା ଯେଉଁ ଦେଶରେ ସାନରୁ ବଡ଼ ହେଉଛନ୍ତି । ସେହି ଦେଶର ସଂହତି ରକ୍ଷା କରିବାରେ ଏମାନେ କାହିଁକି କ’ଣ କରିବାକୁ ମନ କରିବେ ?

 

ସମତାରୁ ସଂହତି, ଦୂରତା ହେଉଛି ସଂହତି ସ୍ଥାପନର ପଥରେ ସବୁଠାରୁ ବଡ଼ ବାଧା । ମୁଁ ଯଦି ମୋ ଘରେ ପୂର୍ଣ୍ଣ ଭରସାର ସହିତ ରହି ନପାରିବି, ମୋତେ ଯଦି ସେଠାରେ ପାଦେ ପଦେ ଅବଜ୍ଞା ଓ ଅସମ୍ମାନ ଭୋଗ କରିବାକୁ ପଡ଼ୁଥିବ, ଯଦି ମୋତେ ମୋର ନିତ୍ୟ ଅତ୍ୟାବଶ୍ୟକତାଗୁଡ଼ିକରୁ ବଞ୍ଚିତ କରି ରଖାଯାଇଥିବ ଏବଂ ପ୍ରଧାନତଃ ଉତ୍ତମାନଙ୍କର ଦୟା ଉପରେ ନିର୍ଭର କରି ସେମାନଙ୍କର ଗୋଲାମୀ ଖଟିବା ପାଇଁ ମୁଁ ବାଧ୍ୟହୋଇ ରହିଥିବି, ତେବେ ସେହି ଘରରୁ ମୁଁ ମୋ’ ନିଜ ଘର ବୋଲି କାହିଁକି କହିବାକୁ ମନ କରିବି ? ଭାରତବର୍ଷକୁ ଆଜି ମାତ୍ର ଥୋକାଏ ମଣିଷ ଭୋଗ କରୁଛନ୍ତି ଓ ଅନ୍ୟ କୋଟି କୋଟି ମଣିଷ ଜଳକା ହୋଇ ଅନାଇ ରହିଛନ୍ତି । ଭାରତ ବର୍ଷର ସାମନ୍ତମାନେ ଅନ୍ତରୀକ୍ଷକୁ କୃତ୍ରିମ ଗ୍ରହମାନ ପଠାଇଲେଣି, କେତେ କେତେ ଦେଶକୁ ଅସ୍ତ୍ରଶସ୍ତ୍ର ରପ୍ତାନୀ କଲେଣି, ନିଜର ଦେଶକୁ ତାହାରିଦ୍ଵାରା ହିଁ ପୃଥିବୀରେ ଏକ ମହାନ୍ ଦେଶ ବୋଲି କୁହାଇ ପାରିବେ ବୋଲି ଦର୍ପିଷ୍ଠ ହୋଇ ବାହାରିଲେଣି, ଏଣେ ଆଇନ ଅନୁସାରେ ସେହିମାନଙ୍କ ଭଳି ନାଗରିକ ଓ ଭାରତୀୟ ହୋଇ ରହିଥିବା କୋଟି କୋଟି ମଣିଷ ନିରକ୍ଷର, ଅସହାୟ ଓ ନିରକ୍ଷ ହୋଇ ରହିଛନ୍ତି, ଭୋକ ସହୁଛନ୍ତି, ରାଗରେ ମରୁଛନ୍ତି । ସେମାନଙ୍କ ଘରକୁ ଏବେ ମଧ୍ୟ ସ୍ଵାଧୀନତା ଆସିନାହିଁ । ସତେଅବା ଯୁଗଯୁଗାନ୍ତ ପର୍ଯ୍ୟନ୍ତ ସେମାନଙ୍କ ଭାଗ୍ୟରେ ସେମାନେ ଏହିପରି ଭାବରେ ଅବଶ୍ୟ ରହିବେ ବୋଲି ଲେଖାହୋଇ ରହିଛି ।

 

ଦେଶରେ ଯାହାକିଛି ହେବ, ତାହା ଦେଶରେ ବାସ କରୁଥିବା ସବୁ ମଣିଷଙ୍କୁ ଆଖି ଆଗରେ ରଖି ହିଁ ହେବ । ସେଥିଲାଗି, ମଣିଷ ପରି ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ଗୁଡ଼ିକ ଯେପରି ସବୁ ମଣିଷଙ୍କ ପାଇଁ ଉପଲବ୍‍ଧ ହୋଇ ପାରିବ, ରାଷ୍ଟ୍ରରେ ସେଥିଲାଗି ସର୍ବପ୍ରଥମ ଅଗ୍ରାଧିକାର ପ୍ରଦାନ କରାଯିବ । ଅବଜ୍ଞା ନୁହେଁ, ସମ୍ବେଦନଶୀଳତା ହିଁ ଯାବତୀୟ ଜାତୀୟ ବିଚାରର ନିୟାମକ ହୋଇ ରହିବ । ସ୍ଵାଧୀନତା ଲାଭ କରିବା ପରେ ପ୍ରଥମେ ଭାରତବର୍ଷରେ ସମାଜବାଦର କଥା କୁହାଯାଉଥିଲା—ପ୍ରତ୍ୟେକ ମନୁଷ୍ୟକୁ ତାର ମନୁଷ୍ୟୋଚିତ ସମ୍ମାନ ସହିତ ଜୀବନ ବଞ୍ଚିବାକୁ ଦେଇ ତା’ ଅନ୍ତର୍ନିହିତ ଗୁଣଗୁଡ଼ିକର ପରିପୂର୍ଣ୍ଣ ବିକାଶ କରାଇ ଆଣିବାର କଥା ସ୍ଵାମୀ ବିବେକାନନ୍ଦଙ୍କଠାରୁ ଆରମ୍ଭ କରି ମହାତ୍ମାଗାନ୍ଧୀଙ୍କ ପର୍ଯ୍ୟନ୍ତ ସମସ୍ତେ କେଡ଼େ ନିର୍ଭର ଦେଇ କହିଥିଲେ । ସେ ସବୁକୁ ସତେଅବା କେଉଁ ଅବଜ୍ଞାର ରାକ୍ଷସ ଆସି ଗିଳି ପକାଇଲା । ସତେଅବା ଦେଶ ହୁଡ଼ିଯାଇ ଚତୁର ଏବଂ ଲମ୍ପଟମାନଙ୍କ ହାତରେ ପଡ଼ିଗଲା । ଯେଉଁମାନେ ତାହାର ପ୍ରତିବାଦ କରିଥାନ୍ତେ, ସେମାନେ ଭୀରୁ ହୋଇ ରହିଲେ । ଯେଉଁମାନେ ସେଥିଲାଗି ନେତୃତ୍ଵ ଦେଇଥାନ୍ତେ, ସେମାନେ ଭୋଗକୁ ହିଁ ଅଧିକ ମନକଲେ ଓ ଧୋକାଦେଲେ । ଏଥିରେ ଏହି ଦେଶରେ କେଉଁଠାରେ ଆଉ କି ସଂହତି ରହି ପାରିଥାନ୍ତା ! କପଟ ପ୍ରବଳ ହେଲା, ପ୍ରବଳମାନେ ପ୍ରବଳତର ହେଲେ । ପ୍ରତିନିଧିମାନେ ଯେଉଁମାନଙ୍କର ଆଦେଶପାତ୍ର ନେଇ କ୍ଷମତା ଭିତରକୁ ଯାଇଥିଲେ, ସେମାନେ ସେମାନଙ୍କୁ ପ୍ରତାରିତ କଲେ, ଉଦାସୀନ ହେଲେ, ନିର୍ମମ ହେଲେ, ସାମନ୍ତ ହୋଇ ରହିଲେ । ଅଳପ କେତେ ମଣିଷ ମାଲିକ ହୋଇ ସାହିତ୍ୟ କଲେ, ସଂସ୍କୃତି କଲେ, ଅତୀତ ଗୌରବର ଗବେଷଣା କଲେ ଏବଂ ବର୍ତ୍ତମାନକୁ ଆଖି ବୁଜିଦେଲେ, ନିର୍ମମ ହେଲେ । ଭାରତବର୍ଷର ମଉରସୀ ମାୟାବାଦଟା ସେମାନଙ୍କୁ ସତେଅବା ଏହିପରି ହୋଇ ରହିବା ପାଇଁ ଆବଶ୍ୟକ ତାତ୍ତ୍ଵିକ ମାଦକଟିଏ ଯୋଗାଇଦେଲା । ସଂହତି ବହି ହୋଇ ରହିଗଲା, ସରକାରୀ ପ୍ରଚାର ବିଭାଗର ଏକ ବିଶେଷ ପରିପାଟୀରେ ପରିଣତ ହେଲା । ମଣିଷମାନେ ଲାଞ୍ଛିତ ହୋଇ ରହିଲେ ।

 

ବିଫଳତାବୋଧରୁ ହିଁ ସବୁକିଛିକୁ ଭାଙ୍ଗି ପକାଇବାର ଏକ ଅଣଅଭିଳାଷ ଜନ୍ମ ନେଇଥାଏ । ବଞ୍ଚିତ ମଣିଷମାନେ ସେମାନଙ୍କୁ ବଞ୍ଚିତ କରାଯାଉଛି ବୋଲି ସଚେତନ ହେବା ମାତ୍ରକେ ସତେଅବା ସମଗ୍ର ଘରଟାରେ ନିଆଁ ଲଗାଇ ଦେବାକୁ ମନ କରନ୍ତି । ପିଲାମାନେ ରାଗିଗଲେ ଯେମିତି ନିଜର ଖେଳନାକୁ ଭାଙ୍ଗି ଦେବାପାଇଁ ଉଗ୍ର ହୋଇ ବାହାରନ୍ତି, ଇଏ ପ୍ରାୟ ସେହିପରି କଥାଟିଏ । ସେତେବେଳେ ସେମାନେ ବଡ଼ ଦୁର୍ବଳ ହୋଇ ପଡ଼ନ୍ତି, ସତେଅବା ହାତରୁ ନିଜର ବିଶ୍ଵାସର ଯଷ୍ଟିଟିକୁ ହରାଇ ବସନ୍ତି । ସେତେବେଳେ ଯେ କୌଣସି ପ୍ରରୋଚନା ଯଦି ସେମାନଙ୍କ ହାତରେ ମିଛ ଯଷ୍ଟିଟିଏ ଆଣି ଧରାଇ ଦେବାର ପ୍ରତୀତି ଦେଇ ଆସି ପହଞ୍ଚିଯାଏ, ସେତେବେଳେ ସେମାନେ ତାହାରି ଆଡ଼କୁ ଆଉଜି ପଡ଼ନ୍ତି । ତାହାରି ଦ୍ଵାରା ନ୍ୟାୟର ପ୍ରତିଷ୍ଠା ହୋଇ ପାରିବ କି ନାହିଁ ବୋଲି ଥିର ହୋଇ ନିଜ ବିବେକକୁ ପଚାରି ଉତ୍ତରଟିଏ ପାଇବା ପୂର୍ବରୁ, ଅନ୍ତତଃ ଅନ୍ୟାୟୀକୁ ପାନେ ଦିଆଯାଇ ପାରିବ ବୋଲି ସେମାନେ ଉଲ୍ଲସିତ ହୁଅନ୍ତି ଓ ଆଉଜି ପଡ଼ନ୍ତି । ପୃଥିବୀରେ ସମ୍ଭବତଃ ଯାବତୀୟ ସନ୍ତ୍ରାସବାଦର ଜନ୍ମ ଏହି ବିଫଳତାବୋଧରୁ ଏବଂ ଅନ୍ୟାୟକାରୀ କରୁଥିବା ଅନ୍ୟାୟର ପ୍ରତିଶୋଧ ନେବାଲାଗି ଏହିପରି ଭାବରେ ଆଉଜି ପଡ଼ିବାରୁ-। ଭାରତବର୍ଷରେ ଯାବତୀୟ ସନ୍ତ୍ରାସବାଦର ଅସଲ ମୂଲ୍ୟ ଏହିଠାରେ । କାଶ୍ମୀର ଓ ପଞ୍ଜାବଠାରୁ ଆରମ୍ଭ କରି ଧର୍ମଘଟକାରୀ ବାଇଆ ଛାତ୍ରମାନଙ୍କର ବସ୍‍ ପୋଡ଼ିବା ଓ ପଥର ଢେଲା ମାରିବା ପଛରେ ଅତିମାତ୍ରାରେ ଏହି ଅସହାୟତାବୋଧ ହିଁ ରହିଥାଏ ଓ ସଂପୃକ୍ତ ମଣିଷମାନଙ୍କୁ ଉଗ୍ରକରି ପକାଏ ।

 

ସେତେବେଳେ ମିଛ ନେତାମାନେ ପରିତ୍ରାଣକର୍ତ୍ତାର ମୁଖମାନ ପିନ୍ଧି ସେହି ପରିସ୍ଥିତିରୁ ଫାଇଦା ଉଠାଇବାକୁ ଆସନ୍ତି । ସେମାନେ ଧର୍ମର କଥା କହନ୍ତି, ଭାଷା ନାମରେ, ଜିଲ୍ଲା ନାମରେ, ଅଞ୍ଚଳ ନାମରେ ଯୁଦ୍ଧ କରିବା ନିମନ୍ତେ ଡାକରା ଦିଅନ୍ତି ଓ ସତେଅବା ଫରିସ୍ତାମାନେ ଆସି ପହଞ୍ଚିଗଲେ ବୋଲି ଭ୍ରମକରି ଅସହାୟ ଓ ବିରକ୍ତମାନେ ସେମାନଙ୍କ ସହିତ ସାମିଲ ହୋଇ ଯାଆନ୍ତି । ଭଗବାନ ସତକୁ ସତ ଥାଆନ୍ତୁ ବା ନଥାଆନ୍ତୁ, ମଣିଷମାନେ ହିଁ ସେମାନଙ୍କୁ ଭିନ୍ନ ଭିନ୍ନ ନାମ ଦେଇ ତାଙ୍କୁ ଥାପିକରି ରଖିଛନ୍ତି, ତାଙ୍କୁ କେନ୍ଦ୍ରକରି ସଂପ୍ରଦାୟମାନ ଗଢ଼ିଛନ୍ତି ଓ ତାଙ୍କ ନାମରେ ପାଟପଗଡ଼ି ବାନ୍ଧି ଆପଣାକୁ ହିଁ ସଂସାର ଯାକରେ ଏକମାତ୍ର ସାର ଓ ଏକମାତ୍ର ବୀର ବୋଲି ଦେଖାଇ ବାହାରିଛନ୍ତି । ଏହି ମନ୍ଦିର ଓ ମସ୍‍ଜିଦମାନେ ନଥିଲେ ମଧ୍ୟ ଭଗବାନ ରହିଥାନ୍ତେ, ସତ୍ୟ ରହିଥାନ୍ତା, ବାଟଟିଏ ଚାଲିବାଲାଗି ମନ କରୁଥିବା ମଣିଷ ନିମନ୍ତେ ବାଟଟିଏ ଅବଶ୍ୟ ରହିଥାନ୍ତା । ଯେଉଁ ସମାଜରେ ଯେତେ ଅଧିକ ବିଫଳତାବୋଧ ଓ ଅସହାୟତା, ମଣିଷ ଭିତରେ ଯେତେ ଅଧିକ ଦୂରତା, ମଣିଷ ପ୍ରତି ମଣିଷର ଯେତେ ଅବଜ୍ଞା, ବହୁସଂଖ୍ୟକଙ୍କୁ ବାଦ ଦେଇ ଗ୍ଲେହା ଅଳପମାନଙ୍କର ସବୁ ମାଡ଼ିବସି ସମସ୍ତଙ୍କଠାରୁ ବଡ଼ ହୋଇ ଦିଶିବେ ବୋଲି ଯେତେ ଅଧିକ ଆସନ୍ତି, ସେହି ସମାଜମାନଙ୍କରେହିଁ ଠାକୁରମାନଙ୍କୁ ନେଇ ରାଜନୀତିର ଲାଞ୍ଜଧରି ଅଧିକ ଉପନ୍ୟାସ ରଚନା କରାଯାଏ, ଠାକୁରମାନଙ୍କର ଜନ୍ମସ୍ଥାନ ଓ ମୃତ୍ୟୁସ୍ଥାନଗୁଡ଼ିକୁ ନେଇ ସେତେ ଅଧିକ ଗୋଳର ବରାଦ କରାଯାଏ । ଅସଲ ରାଜନୀତି ଚୂଳୀକୁ ଯାଏ । ଆମ ପୃଥିବୀରେ କାଳ କାଳ ଏପରି ହୋଇ ଆସିଛି । କାରଣ ଏବେ ମଧ୍ୟ ଅସହାୟ ମଣିଷମାନେ ଅଛନ୍ତି ଓ ସେମାନଙ୍କୁ ଏକ ସୁସ୍ଥ ସଂପୂର୍ଣ୍ଣ ସର୍ବନିମ୍ନ ଜୀବନ ପରିବେଶ ମଧ୍ୟକୁ ପ୍ରବେଶାଧିକାର ମିଳିପାରିବ ନାହିଁ । ଆଲ୍ଲା ଓ ରାମଲାଲାଙ୍କ ଭିତରେ ପୃଥିବୀ ବାହାରେ କେଉଁ ସ୍ଵପ୍ନରେ ଅଥବା ଏହି ପୃଥିବୀ ପୃଷ୍ଠରେ ଆଦୌ କୌଣସି କଳହ କେବେ ଲାଗୁନଥିଲେ ମଧ୍ୟ ରାଜନୀତି ରାଜ୍ୟର ଛନ୍ଦକାରମାନେ ସେମାନଙ୍କ ନାମରେ ଫୌଜଦାରୀ କରି ବାହାରିଛନ୍ତି । ଧର୍ମର କପଟପାଶ ପକାଇ ସେମାନେ ଅସହାୟମାନଙ୍କୁ ଅଧିକ ଅସହାୟ କରି ପକାଉଛନ୍ତି ଓ ଆପଣା ଆଡ଼କୁ କେଡ଼େ ବାଗରେ ଆଉଜାଇ ନେଉଛନ୍ତି ।

 

ଆମ ଦେଶରେ ପଢ଼ା ହେଉଥିବା ପାଟହ ଆମ ଜିଜ୍ଞାସା ପାଇଁ କୌଣସି କାମ ଦେଉନାହିଁ କିମ୍ବା ଆମ ବିବେକକୁ କି ପୋଷାଉନାହିଁ । ତେଣୁ ପିଲାମାନେ ବାଇଆ ହୋଇ କଲେଜମାନଙ୍କରେ ମହାଭାରତ ଭିଆଇ ପକାଉଛନ୍ତି । ପଙ୍ଖାଗୁଡ଼ାକୁ ମୋଡ଼ି ବଙ୍କା କରି ଦେଉଛନ୍ତି, ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କୁ ଘେରାଉ କରୁଛନ୍ତି । ଏହିଭଳି ଏକ ସ୍ଥିତିରେ ଯେ କୌଣସି ପ୍ରକାରେ କଲେଜର ନିର୍ବାଚନର ଜିତିବା ହିଁ ସେମାନଙ୍କର ସତେଅବା ସବାବଡ଼ ଶ୍ରେୟ ହୋଇ ରହିଛି । କେବଳ ସେହି ନିର୍ବାଚନ ସମୟରେ ହିଁ ସେମାନଙ୍କ ଭିତରେ ଯାହାକିଛି ଉତ୍ସାହ ରହିଥିବା ପରି ବୋଧ ହେଉଛି । କର୍ମଚାରୀମାନଙ୍କ ଭିତରେ, ଶ୍ରମିକମାନଙ୍କ ଭିତରେ, ଶିକ୍ଷକମାନଙ୍କ ଭିତରେ ଏବଂ ଉଚ୍ଚ ଅମଲାମାନଙ୍କ ଭିତରେ ମଧ୍ୟ ସେହି ଅସନ୍ତୋଷ ଓ ସେହି ପରାଜୟବୋଧ । ପରାଜୟବୋଧରୁ ହିଂସ୍ର ହେବାର ପ୍ରରୋଚନା, ସବୁକିଛିକୁ ଭାଙ୍ଗି ପକାଇବାର ଦୁଷ୍ଟ ଯାବତୀୟ ଅଭିପ୍ରାୟ । ସମସ୍ତେ ନିଜକୁ ବଞ୍ଚିତ ବୋଲି ଅନୁଭବ କରୁଛନ୍ତି, ଅସମ୍ମାନିତ ଓ ଅସମର୍ଥ ବୋଲି ଭାବୁଛନ୍ତି । ସମସ୍ତେ ଉପରକୁ ଅନାଉଛନ୍ତି, ଉପରେ ଥିବା ଆହୁରି ଅଧିକ ଭାଗ୍ୟବାନମାନଙ୍କୁ ଦେଖି ଆପଣାକୁ ଭାଗ୍ୟହୀନ ବୋଲି ମଣୁଛନ୍ତି ଏବଂ ତେଣୁ ଏହି ଘରଟାକୁ ଭାଙ୍ଗି ପକାଇଲେ ଯାଇ ଯଥାର୍ଥ ପ୍ରତିଶୋଧ ନିଆଯାଇ ପାରିବ ବୋଲି ସେମାନଙ୍କ ଭିତରେ ଥିବା ଅତୃପ୍ତିର ଦୁର୍ମନଟା ସେମାନଙ୍କୁ ନିରନ୍ତର ଉସ୍‍କାଇବାରେ ଲାଗିଛି ଏବଂ ଯେଉଁମାନେ ତଥାକଥିତ ସବା ଉପରେ ଅଛନ୍ତି, ସେମାନେ କ’ଣ ସୁଖରେ ଅଛନ୍ତି, ? ମ୍ଳେଚ୍ଛମାନଙ୍କର ଯେତେ ଉପରେ ଯେତେ ଯେତେ ପ୍ରାଚୁର୍ଯ୍ୟ ଓ ବାହୁବେଷ୍ଟନ ମଧ୍ୟରେ ରହିଥିଲେ ମଧ୍ୟ ସେମାନେ ବି ମ୍ଳେଚ୍ଛ ପରି ଦିଶୁଛନ୍ତି, ନିଜ ଭିତରେ ନିଜ ସ୍ଵାଧୀକାର ପ୍ରମତ୍ତତାର ନାତ ଖାଇବାରେ ଲାଗିଛନ୍ତି ।

 

ତେଣୁ, ଜାତୀୟ ସଂହତି ଯେଉଁ ଅସଲ କାରଣରୁ ଚାଲି ଗଲାପରି ଲାଗୁଛି, ସେହି କାରଣଗୁଡ଼ିକର କ୍ଷେତ୍ରରେ ହିଁ ଆମକୁ ତାହାର ପ୍ରତିକାର ଖୋଜିବାକୁ ପଡ଼ିବ । ଯେତେ ବାହୁସ୍ଫୋଟ ମାରି ସରକାରୀ ସିରସ୍ତାମାନେ ଯେତେ ଫୁଲେଇ ହୋଇ ପ୍ରଚାର କଲେ ଓ ସଂହତି ଲାଗି ଉଦବୋଧନ ଦେଲେ ମଧ୍ୟ ଅସଲ ପ୍ରତିକାର କଦାପି ସମ୍ଭବ ହେବ ନାହିଁ । ଆମେ ଯେଉଁମାନେ ଉପରେ ରହିଛୁ, ଅଧିକ ଭୁଞ୍ଜୁଛୁ ଏବଂ ଅଧିକ ମର୍ଯ୍ୟାଦା ପାଉଛୁ, ମୂଳତଃ ଆମେ ହିଁ ଯେ ଏହି ସଂହତି ତୁଟି ଯାଉଥିବାର ପ୍ରତ୍ୟକ୍ଷ ଅଥବା ପରୋକ୍ଷ କାରଣ ହୋଇ ରହିଛୁ, ସମ୍ଭବତଃ ଏହି ଅସଲ କଥାଟିକୁ ଲୋକମାନଙ୍କର ଧ୍ୟାନ ଭିତରୁ ବାହାରେ ବାହାରେ ରଖିବାର ଉଦ୍ଦେଶ୍ୟରେ ଆମେ ପ୍ରଚାରରେ ମାତିଛୁ । ଛାତିକୁ ଦୁଲୁକାଇ ଦେଲାପରି ଗୀତମାନେ ରଚନା କରି ରେଡ଼ିଓରେ ଗାଉଛୁ, ସଭାମାନଙ୍କରେ ସଂହତି ନାମରେ ମିଛ ପ୍ରେରଣାର ଅଟାଳିକାମାନ ଗଢ଼ି ଥୋଇଦେଉଛୁ, ଆମର ବର୍ତ୍ତମାନଟା ଏକାନ୍ତ ଶ୍ରୀହୀନ ହୋଇ ରହିଥିବାବେଳେ ଆମେ ପଣ୍ଡିତମାନଙ୍କୁ ଏକାଠି ବସାଇ ଅତୀତଶ୍ରୀର ଉଦବୋଧନ ଦିଆଉଛୁ । ବର୍ତ୍ତମାନର ସମ୍ମୁଖୀନ ହେବାପାଇଁ ତଥା ଏକ ପରିବର୍ତ୍ତିତ ଧାରାରେ ଭବିଷ୍ୟତକୁ ଗଢ଼ିବାଲାଗି ହିଁ ଅତୀତର ଯାହା ଯଥାର୍ଥ ତାତ୍ପର୍ଯ୍ୟ ରହିଛି । ଏହି ଦେଶରେ ଅତୀତରେ ସବୁ ମଣିଷଙ୍କୁ ଯଥାର୍ଥ ସ୍ଵୀକୃତି ଦେଇ କଦାପି କିଛି ଯାଇନାହିଁ, ବର୍ତ୍ତମାନର ଯାବତୀୟ ଗଢ଼ିବା ଏବଂ ଉପକୃତ ହେବାରେ ସବୁ ମଣିଷଙ୍କର କଥାକୁ ତଥାପି ବିଚାରକୁ ନିଆଯାଉନାହିଁ । ଏହି ବର୍ତ୍ତମାନକୁ ଅନ୍ୟ ଏକ ଧାରାରେ ଆଣି ପକାଇବାକୁ ହେବ, ଯେପରି ଭବିଷ୍ୟତରେ ଏହି ଦେଶରେ ସବୁ ମଣିଷଙ୍କୁ ସ୍ଵୀକୃତି ଓ ସମ୍ମାନ ମିଳିବ, ତେବେଯାଇ ସଂହତି ସମ୍ଭବ ହେବ । ଏକ ଅନ୍ୟ ସଂଗ୍ରାମ ଦ୍ଵାରା ହିଁ ସଂହତିର ପ୍ରତିଷ୍ଠା ହୋଇ ପାରିବ ।

 

ଅର୍ଥାତ୍, ଭାରତବର୍ଷରେ ଯେଉଁ ସଂଗ୍ରାମଟି ହେବା ଏପର୍ଯ୍ୟନ୍ତ ବାକି ରହିଛି, ସେହି ସଂଗ୍ରାମର ପ୍ରକ୍ରିୟାକୁ ତ୍ୱରାନିତ କରିବାକୁ ପଡ଼ିବ । ରାଜନୀତିକ ବିପ୍ଳବ ବା ପରିବର୍ତ୍ତନ ପରେ ଯେଉଁ ସାମାଜିକ ଓ ଅର୍ଥନୈତିକ ବିପ୍ଳବ ହେବା ତଥାପି ବାକି ରହିଛି, ତାହାରି ପ୍ରକ୍ରିୟାକୁ ଯଥାସମ୍ଭବ ଅଧିକ ତ୍ୱରାନିତ କରିବାକୁ ହେବ । ଭାରତୀୟ ଜାତୀୟ କଂଗ୍ରେସ ଜରିଆରେ ଆମେ ଭାରତବର୍ଷରେ ରାଜନୀତିକ ସ୍ଵାଧୀନତା ଲାଭ କରିଥିଲୁ । ଗୋଟିଏ ସଂଗଠନ ଦ୍ଵାରା ଦୁଇଟା ବିପ୍ଳବ ହୋଇପାରେ ନାହିଁ ବୋଲି ଇତିହାସକାରମାନେ ଅପବାଦ ଦେଇ ଆସିଛନ୍ତି । ଯେଉଁମାନଙ୍କର ନେତୃତ୍ଵରେ ରାଜନୀତିକ ବିପ୍ଳବ ହୋଇଥାଏ, କ୍ଷମତାର ହସ୍ତାନ୍ତର ପରେ ସେହିମାନେ କ୍ଷମତାସୀନ ହୁଅନ୍ତି, କ୍ଷମତାରେ ବାନ୍ଧି ହୋଇ ଯାଆନ୍ତି ଓ ତେଣୁ ଆଉ ଆଗକୁ ବାଟ କଢ଼ାଇ ନେଇ ପାରନ୍ତି ନାହିଁ । ସେମାନେ ସରକାର ଗଢ଼ନ୍ତି, ସରକାର ସବୁ କରିବ ବା କରିଦେବ ବୋଲି କହନ୍ତି, ମାତ୍ର ନିଜର ଗାଦୀଟିକୁ ସୁରକ୍ଷିତ କରି ରଖିବାର ସନ୍ତାପ ଭିତରେ ପଡ଼ିଯାଇ ସେମାନେ ବିପ୍ଳବାତ୍ମକ ପ୍ରକ୍ରିୟାଗୁଡ଼ିକୁ ଅଟକାଇ ରଖନ୍ତି । ତେଣୁ ଭାରତବର୍ଷର ସରକାର ଅଭିଳାଷିତ ସେହି ଦ୍ଵିତୀୟ ବିପ୍ଳବଟିକୁ କଦାପି କରିବେ ନାହିଁ, ଦେବାଳିଆ ହୋଇ ଭୁଷୁଡ଼ି ପଡ଼ିବା ପର୍ଯ୍ୟନ୍ତ ସମୟ ଗଡ଼ାଇବାରେ ଲାଗିଥିବେ । ଉପରୁ ଥାଇ ଦୟା ପ୍ରଦର୍ଶନ କରୁଥିବେ, କମିଶନ ବସାଉଥିବେ, ଆପଣାରମୂଳଭୂତ ଅସମର୍ଥତାଗୁଡ଼ିକୁ ସେମାନେ ଯଥାସମ୍ଭବ ଅଧିକ ପରିମାଣରେ ଘୋଡ଼ାଇ ରଖିବାକୁ ଚେଷ୍ଟା କରୁଥିବେ । ଏଣେ ଜନବିକାଶର ଅର୍ଥରାଶିକୁ ସାମନ୍ତମାନେ ମଝିରେ ଥାଇ ମାରି ନେଉଥିବେ, ଖାଇଗୁଡ଼ାକ ବଢ଼ିବାରେ ଲାଗିଥିବ, ସଂହତି ସୁଦୂରପରାହତ ହୋଇ ରହିଥିବ ।

 

ତେବେ ପ୍ରତ୍ୟାଶିତ ସାମାଜିକ ବିପ୍ଳବଟିରେ ନେତୃତ୍ଵ କିଏ ନେବ ? ଗତ ପଚାଶ ବର୍ଷ ଭିତରେ ଆମର ପୃଥିବୀ ଏତେ ବଦଳି ଗଲାଣି ଓ ତାହାର ଘଟଣାବଳୀ ସଂଗ୍ରାମର ପୁରୁଣା କୌଶଳ ଗୁଡ଼ିକର ଅସମର୍ଥତା ବିଷୟରେ ସଂପୃକ୍ତ ଆମ ସମସ୍ତଙ୍କର ଏତେ ପ୍ରକାରେ ମୋହଭଙ୍ଗ କରାଇ ସାରିଲାଣି ଯେ, ସେହିସବୁ ରୀତି ଅନୁସରଣ କଲେ ଆମେ କଦାପି ଅଧିକ ଦୂର ଅଗ୍ରସର ହୋଇ ପାରିବା ନାହିଁ । ପୁରୁଣା ମାର୍ଗଗୁଡ଼ାକ ଆମକୁ ପୁନର୍ବାର ସେହି ପୁରୁଣା ଖାତାଗୁଡ଼ାକରେ ନେଇ ପକାଇଦେବେ । ରାଜନୀତିକ ଦଳମାନେ ସଚରାଚର ସାମାଜିକ ବିପ୍ଳବର କଥା କହନ୍ତି, ମାତ୍ର ସାମାଜିକ ପରିବର୍ତ୍ତନ ଅପେକ୍ଷା ସେମାନେ ଅଧିକତର ପରିମାଣରେ ସ୍ଵୟଂ ରାଜନୀତିକ କ୍ଷମତାରେ ଆସି ବସିବାକୁ ହିଁ ଇଚ୍ଛା କରୁଥାନ୍ତି । ମଣିଷମାନଙ୍କୁ ଧୋକା ଦିଅନ୍ତି । କାଲିର ବିପ୍ଳବୀମାନେ ଆଜି ଗାଦୀରେ ବସି କେଡ଼େ ନିପାତନସିଦ୍ଧ ଭାବରେ ପ୍ରତିକ୍ରିୟାଶୀଳ ହୋଇ ଯାଆନ୍ତି । ପୃଥିବୀର ଇତିହାସରେ ଏହିଭଳି କେତେ ଥର ହୋଇଛି । ସୋଭିଏଟ୍‍ ରୁଷିଆ ଓ ତାହାଠାରୁ ବଳ ନେଇ ପୂର୍ବାଞ୍ଚଳ ଇଉରୋପରେ ଗତ ବହୁ ଦଶକ ହେଲା ପ୍ରତିଷ୍ଠିତ ହୋଇଥିବା ଜନବାଦୀ ରାଷ୍ଟ୍ରମାନଙ୍କୁ ଏବେ ଯେଉଁ ଦଶା ଭୋଗିବାକୁ ହେଲା, ତାହାକୁ ଆମେ ସେହି ନିୟମର ସଦ୍ୟତମ ଉଦାହରଣ ବୋଲି ଜାଣିବା । ସେହି ଦଶାପୃଥିବୀର ଜନମାନସକୁ ଏକ ଅଭିନବ ଶିକ୍ଷା ଦେଇଗଲା । ପୃଥିବୀ ଏବେ ମଧ୍ୟ ସେଥିଲାଗି ଯଥାର୍ଥ ବିକଳ୍ପଗୁଡ଼ିକୁ ଖୋଜୁଛି । ଆମେ ଭାରତ ବର୍ଷରେ ମଧ୍ୟ ସେହି ସବୁ ଘଟଣାରୁ ଶିକ୍ଷା କରିବା, ପୁରୁଣା ପ୍ରଲୋଭନର ଜାଲଗୁଡ଼ାକରେ ପଡ଼ିବାକୁ ଆମ ପୁରୁଣା ରାଜନୀତି ଗୁଣିଆମାନଙ୍କୁ ସିଧା ମନା କରିଦେବା ।

 

ଜନବିପ୍ଳବକୁ ଜନାଧାରିତ ହେବାକୁ ପଡ଼ିବ । ମହାତ୍ମା ଗାନ୍ଧୀଙ୍କର ଭାଷାରେ, ....The underdogs will have to earn their own salvation”–ବଞ୍ଚିତମାନଙ୍କୁ ଆପଣାର ମୁକ୍ତି ଆପେ ହାସଲ କରିବାକୁ ହେବ । (ହରିଜନ ୨୬ ।୧୦ ।୧୯୪୭, ପୃଷ୍ଠା–୩୮୫) ଅଚେତନ ଯଦି ଯଥାର୍ଥ ଭାବରେ ସଚେତନ ହୁଏ, ତେବେ ତାର ବାଟ ସେ ନିଜେ ପାଇଯିବ । ପୃଥିବୀର କୌଣସି ନ୍ୟସ୍ତସ୍ଵାର୍ଥ ଏକ ସଚେତନ ସମୂହର କଦାପି ପଥରୋଧ କରି ପାରିବ ନାହିଁ । ପୃଥିବୀରେ ପୂର୍ବରୁ ଯେଉଁ ବିପ୍ଳବମାନ ହୋଇଛି, ସେଗୁଡ଼ିକ ଅଚେତମାନଙ୍କ ‘ପାଇଁ’ ହୋଇଛି, ସେମାନଙ୍କ ‘ଦ୍ଵାରା’ କଚିତ୍ ହୋଇଛି । ଅଚେତମାନେ ଅଚେତନ ହୋଇ ରହିଛନ୍ତି, ସେମାନଙ୍କର ବହିରାଗତ ହିତୈଷୀମାନେ ସେମାନଙ୍କୁ ପଲଟଣ ପରି ବ୍ୟବହାର କରି ବିପ୍ଳବ କରିଛନ୍ତି । ବିପ୍ଳବରେ ବିଜୟ ହାସଲ କରି ଅଧିକତର ସ୍ଥଳରେ ସେମାନେ ସ୍ଵୟଂ ରାଜା ହୋଇ ବସିଛନ୍ତି, ପୁରୁଣା ଅନ୍ଧାରଗୁଡ଼ିକର ବିଲୋପ ହୋଇ ନୂଆ ଅନ୍ଧାରମାନେ ଥାନ ମାଡ଼ି ବସିଛନ୍ତି । ଉତ୍ପୀଡ଼ନର ନାଆଁଗୁଡ଼ାକ ଯାହା ବଦଳିଯାଇଛି; ସାମୟିକ ଭାବରେ ସେଗୁଡ଼ିକ ଭାରି ଆକର୍ଷକ ପରି ମନେ ହୋଇଛନ୍ତି ଏବଂ ମୋହଭଙ୍ଗ ହେବାଲାଗି ଆଦୌ ଖୁବ୍‍ ବେଶୀ ବିଳମ୍ୱ ଲାଗେ ନାହିଁ । ସେହି ମୋହଭଙ୍ଗ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରାଇଦେଇ ଏକଦା ଋଷିଆର ବୋରିସ ପାଷ୍ଟରନାକ୍ ତାଙ୍କର ଡକ୍ଟର ଜିଭାଗୋ ଉପନ୍ୟାସଟିକୁ ଲେଖିଥିଲେ । ଏହି ଶତାବ୍ଦୀର ଅଷ୍ଟମ ଦଶକରେ ଋଷିଆରେ ଯେଉଁ ସାମଗ୍ରିକ ମୋହଭଙ୍ଗ ଘଟିଲା ଏବଂ ସମଗ୍ର ପୃଥିବୀର ପୁରୁଣା ବିଶ୍ଵାସଗୁଡ଼ିକୁ ଭାଙ୍ଗି ଦେଇଗଲା, ସେଥିଲାଗି ସେହି ଉପନ୍ୟାସଟି ମଧ୍ୟ ଯେ ଏକ ସହାୟକ ପାବଚ୍ଛପରି କାର୍ଯ୍ୟ କରିଛି, ସେଥିରେ କେହି କଦାପି ଦ୍ଵିମତ ହେବେନାହିଁ ।

 

ପୁରୁଣା ରାଜନୀତି ମଣିଷମାନଙ୍କୁ ମିଛ ନୂତନତ୍ଵର ବାଣମାନ ମାରି ମୋହଗ୍ରସ୍ତ କରି ରଖିବାର ଫିକର କରି ଆସିଛି । ଭାରତବର୍ଷରେ ଆମେ ସେହି ପୁରୁଣାଗୁଡ଼ାକୁ ଆଦୌ ମନ କରିବା ନାହିଁ । ମଣିଷ ଯେତେବେଳେ ନିଜ ପଡ଼ି ରହିଥିବା ବେଡ଼ୀଗୁଡ଼ିକ ବିଷୟରେ ସଜ୍ଞାନ ଓ ସଚେତନ ହେବ, ସେତେବେଳେ ସଂଗ୍ରାମ କରି ବାହାରିବ ବେଡ଼ୀଗୁଡିକୁ କଦାପି ଭାଗ୍ୟ ବୋଲି ମାନିନେବ ନାହିଁ । ସେ ଆପଣା ଭିତରେ ପ୍ରଚ୍ଛନ୍ନ ହୋଇଥିବା ମନୁଷ୍ୟଟିକୁ ଆବିଷ୍କାର କରିବ, ଶକ୍ତିମାନ ହେବ ଏବଂ ପ୍ରତିକାର ଲୋଡ଼ି ବାହାରିବ । ଅସଲ ରାଜନୀତି ପ୍ରକୃତରେ ତାହାହିଁ କରୁଥାନ୍ତା । ତାହା ମନୁଷ୍ୟକୁ ତା’ର ଯଥାର୍ଥ ନିୟତିଗୁଡ଼ିକୁ ବିଷୟରେ ଜାଗରୂକ କରି ଆଣୁଥାନ୍ତା । ସ୍ଵାଧୀନ ଭାରତରେ ଏହି ଜାଗରୂକ କରି ଆଣିବା ହିଁ ତାଙ୍କ କଳ୍ପିତ ଲୋକସେବକ ସଂଘର କାର୍ଯ୍ୟ ହେବ ବୋଲି ମହାତ୍ମାଗାନ୍ଧୀ ବିଚାର କରିଥିଲେ । ଲୋକସେବକମାନେ ଗାଆଁମାନଙ୍କରେ ରହିଥାନ୍ତେ । ଗ୍ରାମବାସୀମାନଙ୍କରେ ପାଖେ ପାଖେ ରହିଥାଆନ୍ତେ । ସ୍ଵାଧୀନ ଭାରତର ନାଗରିକର ଯେତିକି ସଚେତନତା ସହିତ ଆପଣାର ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ଚିନ୍ତା କରିବା କଥା, ସେମାନେ ଜନସାଧାରଣଙ୍କ ପାଖରେ ସେହି ସଚେତନତା ଆଣି ଦେବାକୁ କାର୍ଯ୍ୟ କରିଥାନ୍ତେ । ଯେଉଁ ଜାତିବିଚାର, ଭାଗ୍ୟବାଦ ଏବଂ ଅନ୍ୟାନ୍ୟ ଅନ୍ତର୍ଗତ ଆଳସ୍ୟ-ପରାୟଣତା ଭାରତବର୍ଷର ମଣିଷମାନଙ୍କୁ ନିଷ୍କ୍ରିୟ ଓ ଉଦାସୀନ କରି ରଖିଛି, ସେମାନେ ଜନଗଣଙ୍କ ଭିତରେ ରହି ବଳିଷ୍ଠ ଭାବରେ ସେଗୁଡ଼ିକର ନିରାକରଣ କରାଇଥାନ୍ତେ । ନୂତନ ଲାଗି ଗ୍ରାମକୁ ଏକ କରାଇ ଆଣିଥାନ୍ତେ-। ଯାବତୀୟ ପୁରାତନ ଯେତେବେଳେ ସେହିସବୁ ନୂତନ ପ୍ରୟାସରେ ବାଧା ଦେବାକୁ ଆସିଥାନ୍ତା, ସେତେବେଳେ ଲୋକ ସେବକମାନେ ସବା ଆଗରେ ଛିଡ଼ା ହୋଇ ତାହାର ପ୍ରତିରୋଧ କରିଥାନ୍ତେ ଏବଂ ଏହିପରି ଭାବରେ ସେମାନେ ଗ୍ରାମବାସୀମାନଙ୍କୁ ମଧ୍ୟ ପ୍ରତିରୋଧ କରିବାର ଶକ୍ତି ଆଣିଦେଇଥାନ୍ତେ । ଏହି ପରିବର୍ତ୍ତନର ପ୍ରକ୍ରିୟାରେ ନ୍ୟସ୍ତ ସ୍ଵାର୍ଥମାନେ ଅବଶ୍ୟ ବାଧା ଦେଇଥାନ୍ତେ-। ଦେଶର ଭୋଗପକ୍ଷ ବାଧା ଦେଇଥାନ୍ତା, ସେହିମାନଙ୍କର ସ୍ଵାର୍ଥକୁ ଜବର କରି ରଖିବା ଲାଗି ଚେଷ୍ଟା କରୁଥିବା ଦେଶର ଶାସନ ବାଧା ଦେଇଥାନ୍ତା । ପୁରୁଣା ରାଜନୀତି ନୂଆ ଲୋକନୀତିକୁ ବାଧା ଦେଇଥାନ୍ତା । ତଥାକଥିତ ଶିକ୍ଷିତମାନେ ବାଧା ଦେଇଥାନ୍ତେ, ଚତୁରମାନେ ବାଧା ଦେଇଥାନ୍ତେ ଏବଂ ଜନଗଣ ତାହାର ପ୍ରତିରୋଧ କରିଥାନ୍ତେ ।

 

ଅହିଂସା ପ୍ରତିରୋଧ ହିଁ ଗାନ୍ଧିଜୀଙ୍କର ମତରେ ସାମାଜିକ ବିପ୍ଳବରେ ନୂତନର ଆକାଂକ୍ଷା ରଖିଥିବା, ଏକ ଅନ୍ୟ ଭାରତବର୍ଷର ଆକାଂକ୍ଷା ରଖିଥିବା ମନୁଷ୍ୟବାହିନୀ ଓ ସେମାନଙ୍କୁ ନେତୃତ୍ଵ ଦେଉଥିବା ଲୋକସେବକମାନଙ୍କର ଆୟୁଧ ହୋଇଥାନ୍ତା । ସେହି ଆୟୁଧକୁ ମହାତ୍ମାଗାନ୍ଧୀ ସତ୍ୟାଗ୍ରହ ବୋଲି କହିଥିଲେ । ପ୍ରଧାନତଃ ସେହି ଆୟୁଧବଳରେ ହିଁ ଭାରତବର୍ଷରୁ ଏଡ଼େ ବଡ଼ ବ୍ରିଟିଶ ସାମ୍ରାଜ୍ୟ ହଟି ଚାଲିଯାଇ ପାରିଲା । ଭାରତବର୍ଷର ଉଦୟକୁ କାମୁଡ଼ି ଧରିଥିବା ନ୍ୟସ୍ତସ୍ଵାର୍ଥମାନଙ୍କ ସହିତ ଆମର ଦ୍ଵିତୀୟ ସଂଗ୍ରାମରେ ମଧ୍ୟ ସେହି ସତ୍ୟାଗ୍ରହ ହିଁ ଅସ୍ତ୍ର ହୋଇଥାନ୍ତା-। ବର୍ତ୍ତମାନ ମଧ୍ୟ ଉଚିତ ନେତୃତ୍ଵ ମିଳିଲେ ଓ ଏକ ବିକଳ୍ପ ରାଜନୀତି ଲାଗି ଭିତ୍ତିକ୍ଷେତ୍ର ପ୍ରସ୍ତୁତ ହୋଇପାରିଲେ ସତ୍ୟାଗ୍ରହ ଏହି ଦେଶର ଦୀର୍ଘ ଇପ୍‍ସିତ ସାମାଜିକ ବିପ୍ଳବରେ ଆୟୁଧରୂପେ ବ୍ୟବହୃତ ହୋଇପାରିବ । ସ୍ଵାଧୀନ ଭାରତରେ ମଧ୍ୟ ଅନ୍ୟାୟୀମାନେ ରହିବେ । କ୍ଷମତାକାମୀ ଦୁର୍ନୀତିମାନେ ରହିବେ, ତେଣୁ ସ୍ଵାଧୀନ ଭାରତରେ ସତ୍ୟାଗ୍ରହର ଅବଶ୍ୟ ପ୍ରୟୋଜନ ରହିବ ବୋଲି ଗାନ୍ଧିଜୀ ପରାଧୀନ ଭାରତର ସଂଗ୍ରାମପର୍ବରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ମତ ବ୍ୟକ୍ତ କରିଥିଲେ-। ଅସଲ ଭାରତବର୍ଷକୁ ସମ୍ଭବ କରିବାକୁ ହେଲେ ଏବଂ ଏଠି ଅସଲ ସଂହତିର ଆବଶ୍ୟକ ଅନୁକୂଳତାଗୁଡ଼ିକୁ ସୃଷ୍ଟି କରିବାକୁ ହେଲେ ସେହି ସତ୍ୟାଗ୍ରହକୁ ଆୟୁଧ ରୂପେ ଗ୍ରହଣ କରିବାକୁ ହେବ । ଗାନ୍ଧିଜୀ ସର୍ବଦା ସବଳର ଅହିଂସା କଥା କହୁଥିଲେ । ସବଳର ଅହିଂସାରେ ଆସ୍ଥା ରଖିଥିବା ସେହି ବଳିଷ୍ଠ ବିଶ୍ଵାସୀମାନେ ହୁଏତ ଭାରତବର୍ଷର ଏହି ପରିସ୍ଥିତିରେ ପବନର ମୋଡ଼କୁ ବଦଳାଇ ଦେଇ ପାରିବେ, ଏକ ନୂତନ ରଚନାତ୍ମକତା ଆଡ଼କୁ ବାଟ ଫିଟାଇଦେଇ ପାରିବେ-

 

ସାମାଜିକ ବିପ୍ଳବରେ ଯେଉଁମାନେ ଅଗ୍ରଣୀ ହେବେ ଏବଂ ନେତୃତ୍ଵ ଦେବେ, ସେମାନେ ଯେ ନିଜର ଗୋଟିଏ ପେଶାରୂପେ ରାଜନୀତିକୁ ଗ୍ରହଣ କରିବେ, ତାହାର କୌଣସି କାରଣ ଆଦୌ ନାହିଁ । ମାତ୍ର ସାମୂହିକ ଜୀବନରେ ସେମାନେ ଯେଉଁ କ୍ଷେତ୍ରରେ ରହିଥାନ୍ତୁ ପଛକେ, ସେମାନେ ଏକ ନୂତନ ବିଶ୍ଵାସରେ ବିଶ୍ଵାସୀ ହୋଇଥିବେ, ସାହସୀ ହୋଇଥିବେ । ସେମାନେ ସମ୍ମୁଖକୁ ଦୃଷ୍ଟି ରଖି, ଏକ ଅନ୍ୟ ସମ୍ଭାବନା ଉପରେ ସବୁଠାରୁ ଅଧିକ ମହତ୍ତ୍ଵ ଦେଇ ଆପଣାର ଯାବତୀୟ କାର୍ଯ୍ୟ କରୁଥିବେ । କଳାକୁ କଳା ବୋଲି କହିବେ, କ୍ଷମତାସୀନ ବ୍ୟକ୍ତିମାନଙ୍କର ଯାବତୀୟ ହାସ୍ୟାସ୍ପଦତାକୁ ବୋଲି କହିବେ ଏବଂ ଏପରି କରିବାଦ୍ୱାରା ପ୍ରତିଷ୍ଠିତ ବ୍ୟବସ୍ଥା ସେମାନଙ୍କ ଲାଗି ଯେଉଁ ଶାସ୍ତିବିଧାନ କରିବ ସେମାନେ ତାହାକୁ ବରଣ କରିବେ । ଶାସ୍ତି ବରଣ କରିବେ, ମାତ୍ର ଅସତ୍ୟକୁ ମାନିବେ ନାହିଁ, ଅବିମୃଶ୍ୟକାରିତାକୁ ମାନିବେ ନାହିଁ । ସେମାନେ ଏକାବେଳେକେ ଏକ ଅଲଗା ପ୍ରକାରର ଶିକ୍ଷକ ହେବେ, ଅଲଗା ପ୍ରକାରର ଓକିଲ ହେବେ, ଅଲଗା ପ୍ରକାରର ଅମଲା ଏବଂ ଅଲଗା ପ୍ରକାରର ସମାଜସେବୀ ହେବେ, ରାଜନୀତି ଭିତରେ ରହିଥିଲେ ମଧ୍ୟ ସେମାନେ ଅନ୍ୟ ରାଜନୀତିକ ଲମ୍ପଟମାନଙ୍କ ଠାରୁ ଗୋଟାସୁଦ୍ଧା ବାରି ହୋଇ ପଡ଼ୁଥିବେ । ସେମାନେ ତୋଷାମତ କରିବେ ନାହିଁ, କୌଣସି ପ୍ରକାରର ପ୍ରବଞ୍ଚନାରେ କଦାପି ଅଂଶିଦାର ହେବେ ନାହିଁ । ଯଦି ସେମାନେ କୌଣସି ରାଜନୀତିକ ଦଳରେ ସଦସ୍ୟ ହୋଇଥିବେ, ତେବେ ସର୍ବଦା ଦଳଠାରୁ ସତ୍ୟକୁ ଊର୍ଦ୍ଧ୍ଵରେ ରଖିଥିବେ, ସତ୍ୟର ପ୍ରତିଷ୍ଠା ନିମନ୍ତେ ହୁଏତ ଦଳକୁ ବ୍ୟବହାର କରୁଥିବେ । ଅସତ୍ୟର ଦୁର୍ଗନ୍ଧ ପାଇବା ମାତ୍ରକେ ଦଳ ଭିତରେ ଥାଇ ମଧ୍ୟ ସେମାନେ ତାହାର ପ୍ରତିରୋଧ କରି ପାରୁଥିବେ, ଅର୍ଥାତ ଅସତ୍ୟକୁ ଅସତ୍ୟ ବୋଲି କହି ପାରୁଥିବେ ।

 

ଏଥିଲାଗି ଅମିତ ସାହସର ଆବଶ୍ୟକତା ରହିଛି, ସତ୍ୟରେ ସତକୁ ସତ ଆଗ୍ରହ ରଖିଥିବା ବ୍ୟକ୍ତି ସେହି ସାହସ ଉପରେ ହିଁ ସବୁଠାରୁ ଅଧିକ ପରିମାଣରେ ନିର୍ଭର କରି ପାରୁଥିବ । ବର୍ତ୍ତମାନ ଭାରତବର୍ଷରେ ଭୀରୁମାନେ ରାଜା ଆହୋଇ ବସିଛନ୍ତି । ଭୀରୁମାନେ ହିଂସ୍ର ହେଲେ ଏବଂ କ୍ଷମତାରେ ରହିଲେ ଯାହା ହୁଏ, ଭାରତବର୍ଷ ବର୍ତ୍ତମାନ ତାହାରି ସହସ୍ର ଉପଦ୍ରବକୁ ସହ୍ୟ କରିବାରେ ଲାଗିଛି । ଜଣେ ସାହସୀ । ସତ୍ୟାଗ୍ରାହୀ ହିଁ ଉପଦ୍ରବକୁ ଚୁନୌତି ଦେଇପାରିବ । ସେହିପରି ସତ୍ୟାଗ୍ରହୀମାନଙ୍କର ଏକ ଗୋଷ୍ଠୀ ହିଁ ଦେଶରେ ପୁନର୍ବାର ଏକ ସାମାଜିକ ବିପ୍ଳବର ମୂଳଦୂଆ ପକାଇ ପାରିବ । ଭାରତବର୍ଷରେ ଗତ କେତେବର୍ଷର ଉପଦ୍ରବୀମାନଙ୍କର ଅତ୍ୟାଚାର ଫଳରେ ବିଶ୍ଵାସଘରେ ଯେଉଁ ସଙ୍କଟରେ ସୃଷ୍ଟି ମନୁଷ୍ୟର ଅସଲ ପ୍ରତ୍ୟୟଗୁଡ଼ିକୁ ଅବଶ କରି ରଖିଛି, ସେହି ସଙ୍କଟର ସୃଷ୍ଟି ଅବସାନ ଘଟିବ । ଏହି ଦେଶରେ ମହାତ୍ମାଗାନ୍ଧୀ ଏକଦା ଯେଉଁ ଅନ୍ତର୍ଗତ ସାହସର ଦୃଷ୍ଟାନ୍ତ ଓ ପ୍ରତିକି ହୋଇ ରହିଥିଲେ, ସେହି ସାହସକୁହିଁ ପୁନରୁଜ୍ଜୀବିତ ହୋଇ ପୁରୋଭାଗକୁ ଆସିବାକୁ ପଡ଼ିବ । ମହାତ୍ମାଗାନ୍ଧୀଙ୍କ ପରେ ଗାନ୍ଧୀ ଅନୁଗାମୀମାନେ ସେହି ସାହସଟିକୁ ହରାଇ ବସିଲେ ବୋଲି ଆପେ ଉଚ୍ଛନ୍ନ ହେଲେ, ଏବଂ ସ୍ଵାଧୀନତା ପରେ ଦେଶକୁ ନେତୃତ୍ଵ ଦେବାର ଯୋଗ୍ୟ ହୋଇ ପାରିଲେ ନାହିଁ । ବହୁ ସାଲିଶ୍ ମଧ୍ୟରେ ଆପଣାର ଔଜ୍ଜ୍ୱଲ୍ୟ ହରାଇ ବସିଲେ । ବିଗତ କୋଡ଼ିଏବର୍ଷ ମଧ୍ୟରେ ଭାରତ ବାହାରେ ରହିଥିବା ପୃଥିବୀରେ ଯାହାସବୁ ଘଟିଆସୁଛି । ସେଥିରୁ ଏକାଧିକ ପ୍ରମାଣ ମିଳିଯାଉଛି ଯେ, ସାହସ ତଥାପି ବଞ୍ଚିରହିଛି, ସତ୍ୟାଗ୍ରହ ତଥାପି ଦନ୍ଥଡ଼ା ହୋଇ ଯାଇନାହିଁ, ଗାନ୍ଧୀ ସଂପୃକ୍ତ ସମସ୍ତଙ୍କ ସକାଶେ ଏବେ ମଧ୍ୟ ଏକ ଚାଲେଞ୍ଜ ହୋଇ ରହିଛନ୍ତି । ସ୍ଥିତାବସ୍ଥାକୁ ସ୍ଥାୟୀ କରି ରଖିବାକୁ କେତେ ମଣିଷ ସଂହତି ବୋଲି ମନେ କରିଥାନ୍ତି । ଯେଉଁମାନେ କ୍ଷମତାସୀନ ହୋଇ ରହିଥାନ୍ତି, କ୍ଷମତାର ରାଜନୀତି କରୁଥାନ୍ତି, ସେହିମାନେ ହିଁ ସ୍ଥିତାବସ୍ଥାକୁ ବଜାୟ ରଖିବାକୁ ସଂହତି ବୋଲି କହନ୍ତି । ଯଥାର୍ଥ ସଂହତି ନିମନ୍ତେ ଯେ ସେତେ ଉଦ୍ୟତ ଓ ଜାଗ୍ରତ ହୋଇ ରହିବାକୁ ପଡ଼େ, ଏବଂ ଆବଶ୍ୟକ ହେଲେ ଆୟୁଧ ଧରି ସଂଗ୍ରାମ କରିବାକୁ ପଡ଼େ, ସେମାନେ ସେକଥା ଆଦୌ ବୁଝି ପାରନ୍ତି ନାହିଁ । ବର୍ତ୍ତମାନର ଏହି ପୃଥିବୀକୁ ସବୁ ମଣିଷଙ୍କ ପାଇଁ ଏକ ସୁସ୍ଥ ଓ ମୁକ୍ତ ଘରରୂପେ ତିଆରି କରିବାକୁ ହେଲେ ଏଠି ବହୁ ସଂଗ୍ରାମର ଆବଶ୍ୟକତା ରହିଛି । ଅବଶ୍ୟ ଫରକ ଏତିକି ଯେ, ସେହି ସଂଗ୍ରାମ କଦାପି ପୁରୁଣା ଅସ୍ତ୍ରଗୁଡ଼ିକଦ୍ଵାରା ହେବନାହିଁ । ସେଥିଲାଗି ବିକଳ୍ପ ମନୁଷ୍ୟ ଆବଶ୍ୟକ ହେବ, ବିକଳ୍ପ ଅସ୍ତ୍ରଗୁଡ଼ିକ ମଧ୍ୟ ଆବଶ୍ୟକ ହେବ । ପୃଥିବୀର ଏକାଧିକ ମହାଦେଶର ସେହି ବିକଳ୍ପ ମନୁଷ୍ୟମାନେ ବାହାରିଲେଣି । ବିକଳ୍ପ ଅସ୍ତ୍ରମାନେ ମଧ୍ୟ ପଜା ହେଲେଣି । ଭାରତବର୍ଷ କଦାପି ସେହି ସଂଗ୍ରାମକୁ ଅଲଗା ହୋଇ ରହି ପାରିବନାହିଁ । ନ୍ୟସ୍ତସ୍ଵାର୍ଥମାନେ କେତେ ଗର୍ଜନ କରିବେ, କେତେ ଗଞ୍ଜଣା ଦେବେ, ପୁରୁଣା ଭୟପ୍ରଦର୍ଶନର ପୁଟୁଳାଗୁଡ଼ିକୁ ବାହାର କରି ବୋମା ଫିଙ୍ଗିବେ । ତଥାପି ପରବର୍ତ୍ତୀ ଭବିଷ୍ୟତଟିର ଗତିରୋଧ କରି ପାରିବେନାହିଁ ।

 

ପୁରୁଣା ଦୁର୍ଗଗୁଡ଼ିକ ଭୁଷୁଡ଼ି ପଡ଼ିବା ସଙ୍ଗେ ସଂହତିର ସେହି ପୁରୁଣା ପରିଭାଷାଗୁଡ଼ିକ ମଧ୍ୟ କ୍ରମେ ବଦଳି ଯାଉଛି । ଜାତୀୟତାର ସେହି ପୁରୁଣା ଧ୍ଵଂସଗୁଡ଼ାକ ନୂଆ ପୃଥିବୀ ଲାଗି ନିଜକୁ ସଜ କରୁଥିବା ମଣିଷର କାନକୁ ଯେ ଆଉ ଆଦୌ ଘେନାଇବ ନାହିଁ, ସେକଥା ପୃଥିବୀଯାକ କ୍ରମେ ଅଧିକରୁ ଅଧିକ ସ୍ପଷ୍ଟ ହେବାରେ ଲାଗିଛି । ଆଗାମୀ ପୃଥିବୀରେ ମଣିଷ ବ୍ୟକ୍ତି ହିଁ କେନ୍ଦ୍ରବିନ୍ଦୁ ହେବ; ଅର୍ଥାତ୍ ସମୂହମାନେ ଏବଂ ସରକାରମାନେ ସେହି ବ୍ୟକ୍ତିର ପରିପୂର୍ଣ୍ଣ ଉନ୍ମୀଳନ ନିମନ୍ତେ ପରିକର ହୋଇ ରହିବେ । ପୂର୍ଣ୍ଣ ଓ ସୁସ୍ଥ ବ୍ୟକ୍ତିମାନଙ୍କର ସମୂହ ବା ଦେଶକୁ ହିଁ ସୁସ୍ଥ ବୋଲି କୁହାଯିବ । ଏହି ମଣିଷ ପାଇଁ ଯାବତୀୟ ଯୋଜନା, ଯାବତୀୟ କଲ୍ୟାଣ ପ୍ରତିଷ୍ଠା, ମଣିଷଲାଗି ହିଁ ରାଷ୍ଟ୍ର ଓ ରାଷ୍ଟ୍ରର ନେତାମାନେ । ମଣିଷଲାଗି ହିଁ ରାଜନୀତି ଏବଂ ରାଜନୀତିକ କ୍ଷମତା । ମଣିଷକୁ କେନ୍ଦ୍ର କରି ହିଁ ଏହି ଧର୍ମମାନେ, ଏହି ଭାଷାମାନେ ଓ ଏହି ଯାବତୀୟ ମତବାଦମାନେ । ଏବଂ, ମଣିଷ କହିଲେ ସବୁ ମଣିଷ । ମଣିଷ ଆଦ୍ୟତଃ କେବଳ ମଣିଷ; ତାକୁ ସୁନା, ରୂପା ଓ ପିତଳର ଶ୍ରେଣୀ ବିଭାଗରେ ବାଣ୍ଟି ରଖିଥିବା ଅମଣିଷମାନେ ଆଗାମୀ ପୃଥିବୀରେ ମୋଟେ ତିଷ୍ଠି ରହି ପାରିବେ ନାହିଁ । ଯେଉଁମାନେ ସଂହତିକୁ ଜାତୀୟତାର ବାଡ଼ ଭିତରେ ଆବଦ୍ଧ କରି ରଖିବାକୁ ଇଚ୍ଛା କରନ୍ତି, ସେମାନେ ହୁଏତ ମଣିଷକୁ ହିଁ ଯଥାର୍ଥ କାମ୍ୟରୂପେ ଗ୍ରହଣ କରି ପାରନ୍ତିନାହିଁ । ହିଟଲରୁ ମଧ୍ୟ ଏକଦା ଜର୍ମାନମାନଙ୍କୁ ଗୋଟିଏ ଦେଶର ଅର୍ଗଳ ଭିତରେ କେଡ଼େ ଚମତ୍କାର ସନ୍ତର୍ପଣରେ ସଂହତି ଓ ବଶ୍ୟ କରି ରଖିଥିଲା । ମଣିଷକୁ ମଣିଷ ବୋଲି ସ୍ଵୀକାର କରିପାରିଲେ ତାହାରିଦ୍ଵାରା ହିଁ ଯଥାର୍ଥ ଜାତୀୟ ସଂହତି ଆସିବା । ବୈଜ୍ଞାନିକ ଦୃଷ୍ଟିର ଏହି ଯୁଗରେ ଜାତୀୟତାର ଯାବତୀୟ ଅବୈଜ୍ଞାନିକ ବାଡ଼କୁ ଡେଇଁଯାଇ ପାରିଲେ ଯାଇ ଆମେ ଯଥାର୍ଥ ସଂହତିକୁ ବୁଝିବାକୁ ସମର୍ଥ ହେବା, ଯଥାର୍ଥ ସଂହତି ପାଇଁ ଆପଣାକୁ ବଦଳାଇବାକୁ ସମର୍ଥ ହେବା; ଏବଂ, ସେଥିଲାଗି ଆବଶ୍ୟକ ସଂଗ୍ରାମଗୁଡ଼ିକୁ ଲଢ଼ିବାଲାଗି ମଧ୍ୟ ଭାରି ସହଜରେ ପ୍ରସ୍ତୁତ ହୋଇପାରିବା ।

☆☆☆

 

Unknown

ସହସ୍ର ଓ ବିପ୍ଳବ

ଶ୍ରୀ ଅନନ୍ତ ଗିରି

ସ୍ଵାଧୀନତା ପରେ ଭାରତବର୍ଷର ରାଜନୀତି ଓ ପ୍ରବଞ୍ଚିତ ବିପ୍ଳବ

 

ଭାରତବର୍ଷର ସ୍ଵାଧୀନତା ଆନ୍ଦୋଳନ ଦାସତ୍ଵର ବନ୍ଧନରୁ ଏକ ଦେଶକୁ ମୁକୁଳାଇବାକୁ କେବଳ ଏକ ଏକତରଫା ଓ ନକାରାତ୍ମକ ଆନ୍ଦୋଳନ ନଥିଲା । ଏହା ଏକ ସକାରାତ୍ମକ ମୁକ୍ତିରେ ପ୍ରୟାସ ମଧ୍ୟ ଥିଲା ଯେଉଁ ମୁକ୍ତିର ସ୍ଵପ୍ନ ଏକ ନୂତନ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ବ୍ୟବସ୍ଥା ସୃଷ୍ଟିକରିବାରେ ନିବିଷ୍ଟ ଥିଲା । ଏହି ସ୍ଵପ୍ନର ଦ୍ରଷ୍ଟା ଓ ସାଧକ ଥିଲେ ମହାତ୍ମାଗାନ୍ଧୀ । ମାତ୍ର ସ୍ଵାଧୀନତା ପରେ ଯେଉଁମାନେ କ୍ଷମତାକୁ ଆସିଲେ ସେମାନେ ସ୍ଵାଧୀନତା ପରେ ଯେ’ ଆହୁରି କେତେ ଦୁର୍ଗ ଜିଣିବାର ଅଛି, ହୃଦୟ ଜୟ କରିବାର ଅଛି, ସେକଥା ପାସୋରି ପକାଇଲେ । ଏମିତିକି କଂଗ୍ରେସ ଦଳ ଆପଣାର ସ୍ଵାଧୀନତା ପୂର୍ବର ସ୍ଵପ୍ନକୁ ଭୁଲି ଏବେ କେବଳ ବ୍ୟବସ୍ଥାଟିକୁ ଜଗିବାରେ ଆପଣାର କର୍ତ୍ତବ୍ୟକୁ ସୀମିତ କଲା । ଯେଉଁମାନେ ସ୍ଵାଧୀନତା ପୂର୍ବରୁ ଏହି ଦେଶରେ କେତେକ’ଣ କରିବେ ବୋଲି ଡିଣ୍ଡିମ ପିଟୁଥିଲେ ସ୍ଵାଧୀନତା ପରେ ସେମାନେ ଗାଦିରେ ବସିଲେ । ଯେଉଁ ପ୍ରାସାଦରେ ଆମର ସାହେବମାନେ ବସି କେତେଶହ ବର୍ଷଧରି ଆମର ଇଜତକୁ ଲୁଟୁଥିଲେ, ସେହି ପ୍ରାସାଦରେ ଆମର ନୂତନ ନାୟକମାନେ ଯାଇ ରହିଲେ । ଯେଉଁ ପ୍ରାସାଦକୁ ଗାନ୍ଧୀ ଜନସାଧାରଣମାନଙ୍କ ପାଇଁ ଏକ ଚିକିତ୍ସାଳୟରେ ପରିଣତ କରିବାକୁ ଚାହୁଁଥିଲେ ସେଠାରେ ଆମର ରାଷ୍ଟ୍ରପତି ରହିଲେ । ସ୍ଵାଧୀନ ଭାରତର ସ୍ଵପ୍ନଦର୍ଶୀ ପ୍ରଧାନମନ୍ତ୍ରୀ ମଧ୍ୟ ଏମିତି ଏକ ପ୍ରାସାଦରୁ ରହି ଆମ ଦେଶର ସଂପୂର୍ଣ୍ଣ ବିକାଶ ପାଇଁ ପ୍ରୟାସ କରୁଛନ୍ତି ବୋଲି କହି ବୁଲିଲେ ।

 

ସ୍ଵାଧୀନତା ପରଠାରୁ ଏପର୍ଯ୍ୟନ୍ତ ଆମର ରାଜନୀତିରେ ଯାହା ଘଟିଛି ସେ ବିଷୟରେ ଆମ ସମସ୍ତଙ୍କର ନିଶ୍ଚୟ ଆପଣାର ନିଜସ୍ଵ, ନିଜସ୍ଵ ମତ ରହିଛି । ରିକ୍ସାବାଲାଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ପଚାରିଲେ ଆମକୁ ଗୋଟିଏ ଉତ୍ତର ମିଳିବ ଯେ’ ସ୍ଵାଧୀନ ଭାରତର ରାଜନୀତି ଏକ ସ୍ଵପ୍ନଭଙ୍ଗର ରାଜନୀତି ଅଟେ । ସ୍ଵାଧୀନତା ପୂର୍ବରୁ ଆମେ ଯେଉଁ ଦେଖୁଥିଲୁଁ ଆମର ରାଜନୀତିଜ୍ଞମାନେ କ୍ଷମତା ପଛରେ ଗୋଡ଼ାଇ ଗୋଡ଼ାଇ ସେହି ସ୍ଵପ୍ନମାନଙ୍କୁ ଭାଙ୍ଗିରୁଜି ଚୁରମାର କରିଛନ୍ତି । ଆମର ରାଜନୀତି ପ୍ରକ୍ରିୟା ଏକ ସୁସ୍ଥ ଓ ସାବଲୀଳ ସମାଜ ଗଢ଼ିବା ନିମିତ୍ତ କାମ୍ୟ ବିପ୍ଳବକୁ ନାନାମତେ ପ୍ରବଞ୍ଚିତ କରି ରଖିଛି । ସ୍ଵାଧୀନତା ପ୍ରାପ୍ତିର ଦୁଇ ଦଶନ୍ଧି ଭିତରେ ଏହି ପ୍ରବଞ୍ଚିତ ବିପ୍ଳବର କାହାଣୀ ସମ୍ପର୍କରେ ଆମ ସମୟର ଜଣେ ମହାନ୍ ଚିନ୍ତାବିଦ୍ ଅନେକ ସ୍ପଷ୍ଟଭାବରେ ଆମକୁ ସୂଚାଇଛନ୍ତି । ଆପଣାର “Asian Drama”ପୁସ୍ତକରେ ସୁଇଡ଼େନର ଅର୍ଥନୀତି ବିଶାରିଦ ଶ୍ରୀଯୁକ୍ତ ଗୁନାର ମିରଡ଼ାଲ୍ ଆମର ସ୍ଵାଧୀନତାପର ରାଜନୀତି କିପରି ଆମର କାମ୍ୟ ସାମାଜିକ ଓ ଅର୍ଥନୈତିକ ବିପ୍ଳବର ଅଗ୍ରଗତିକୁ ରୋଧକରିଛି ସେ ସମ୍ପର୍କରେ ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି । ଶ୍ରୀଯୁକ୍ତ ମିର୍ଡାଲ ଏହାକୁ “Postponement of social and economic revolutions” ବୋଲି କହୁଛନ୍ତି (୧) । ଶ୍ରୀଯୁକ୍ତ ମିର୍ଡଲ୍‍ଙ୍କର ବିଚାରରେ ସ୍ଵାଧୀନତାପର ଭାରତବର୍ଷର ରାଜନୀତିରେ ଅନେକ ବଡ଼ ବଡ଼ ସ୍ଲୋଗାନ ଦିଆଯାଇଛି ମାତ୍ର ବାସ୍ତବ ଆଚରଣରେ ସମଗ୍ରତଃ ସ୍ଥିତାବସ୍ଥାକୁ ହିଁ ବଜାୟ ରଖାଯାଇଛି । “Radicalism in principle” ଓ “Conservatism in Practice” ଆମର ରାଜନୀତିର ମାର୍ଗଦର୍ଶକ ହୋଇ ଆସିଛି (୨) ।

 

ବିପ୍ଳବକୁ କ୍ଷମତାସୀନମାନେ ପ୍ରବଞ୍ଚିତ କରି ରଖିଥିବାବେଳେ ତଥାପି ସ୍ଵାଧୀନ ଭାରତରେ ଏକେ ସୁନ୍ଦର ସମାଜର ସ୍ଥାପନା ପାଇଁ ନାନା ପ୍ରୟାସ ହୋଇଆସିଛି । ଏହି ପ୍ରୟାସ ବିଭିନ୍ନ ରୂପ ନେଇଛି । କଂସମାନଙ୍କର ସକଳ ପଥରୋଧ ସତ୍ତ୍ୱେ ଗୋପପୁରରେ କୃଷ୍ଣମାନେ ବଢ଼ିଛନ୍ତି । ରାଜନୀତିର ଭାରତରେ ବ୍ୟବସ୍ଥାଗତ ରାଜନୈତିକ ପ୍ରକ୍ରିୟାରେ ଘଟିଥିବା ଓ ଘଟୁଥିବା ନାନା ସ୍ଵପ୍ନଭଙ୍ଗ ସାଧାରଣ ଜନତାଙ୍କୁ ଓ ସମ୍ବେଦନଶୀଳ ନାଗରିକମାନଙ୍କୁ ସଚେତନ କରାଇଛି ଯେ’ ଏକ ସୁନ୍ଦର ଓ ମର୍ଯ୍ୟାଦାପୂର୍ଣ୍ଣ ସମାଜ ଗଢ଼ିବାକୁ ହେଲେ କ୍ଷମତାଲିପ୍‍ସୁ ନେତା ଓ ସେମାନଙ୍କର ଅନୁସରଣ କରୁଥିବା କର୍ତ୍ତାମାନଙ୍କ ଉପରେ ଅସହାୟ ଭାବେ ନିର୍ଭର କରି କିଛି ଲାଭ ନାହିଁ । ଆମକୁ ନିଜେ କିଛି କରିବାକୁ ହେବ, ଆମକୁ ନିଜେ ସଂଗ୍ରାମ କରିବାକୁ ହେବ । ରାଜନୀତିର ଭାରତରେ ଆମେ କ୍ଷମତା ପଛରେ ଦୌଡ଼ିବାର ପାଲା ସହ ଏମିତି ଏକାଧିକ ଜନ-ଉଦ୍ୟମକୁ ମଧ୍ୟ ପ୍ରତ୍ୟକ୍ଷ କରିପାରିବା । ଏହି ଉଦ୍ୟମ ଭିତରେ ଉତ୍ତର ଭାରତର ପାର୍ବତ୍ୟ ଅଞ୍ଚଳରେ ଏକଦା ଘଟିଥିବା ଚିପକୋ ଆନ୍ଦୋଳନ ରହିଛି ଯେଉଁଥିରେ ଗ୍ରାମର ମହିଳାମାନେ କଣ୍ଟ୍ରାକ୍ଟର କବଳରୁ ଆପଣାର ଜୀବନ ଓ ଜଙ୍ଗଲକୁ ରକ୍ଷାକରିବାକୁ ସଂଗ୍ରାମ କରିଛନ୍ତି । ଉତ୍ତର ବଙ୍ଗଳାର ନକ୍‍ସଲ୍‍ପନ୍ଥୀ ଆନ୍ଦୋଳନ ମଧ୍ୟ ରହିଛି ଯେଉଁଥିରେ ବନବାସୀ ଓ ଭୂମିହୀନ କୃଷକମାନେ ଜମିଦାର ବିରୁଦ୍ଧରେ ଲଢ଼ିଛନ୍ତି, ଜମିଦାରର ମୁଣ୍ଡ କାଟିନେଇଛନ୍ତି ଓ ଏହି ସଂଘର୍ଷରେ ନିଜେ ମଧ୍ୟ ପ୍ରାଣବଳି ଦେଇଛନ୍ତି । କେରଳର ଜ୍ଞାନ, ବିଜ୍ଞାନ ଭିତ୍ତିକ ଜନ ଆନ୍ଦୋଳନମାନ ମଧ୍ୟ ଅଛି ଯେଉଁଥିରେ ସଂଶ୍ଳିଷ୍ଟ କର୍ମୀମାନେ ସୃଜନଶୀଲା ଲିଖନ ଓ ବିଜ୍ଞାନ-ଶିକ୍ଷା ମାଧ୍ୟମରେ ସମାଜର ଥିବା ସ୍ଥାଣୁତାକୁ ଦୂରକରି ଏକ ନୂତନ ସମ୍ଭାବନାର ଉଦ୍ୟମ କରିଛନ୍ତି । ରାଜନୀତିର ଭାରତରେ ଦଳିତମାନଙ୍କର ଆନ୍ଦୋଳନ ହୋଇଛି, ଅନୁନ୍ନତ ଶ୍ରେଣୀମାନଙ୍କର ମଧ୍ୟ ନାନା ଆନ୍ଦୋଳନ ସଂଗଠିତ ହୋଇଛି । ରାଜନୀତିର ଭାରତରେ ଏବେ ଏକ ସଦ୍ୟତମ ଉଦ୍ୟମ ହେଉଛି ତଥାକଥିତ ରାମ ମନ୍ଦିର ଆନ୍ଦୋଳନ । ଏହାଛଡ଼ା, ସ୍ଵାଧୀନ ଭାରତରେ ତଥାକଥିତ ସର୍ବଶକ୍ତିମାନ ରାଷ୍ଟ୍ରର ଶାସନରେ ଆପଣାକୁ ଅବହେଳିତ ଓ ପରାଧୀନ ମନେକରୁଥିବା ଅନେକ ପ୍ରଜାତି, ଅଞ୍ଚଳ, ଓ ଜନ ସମୁଦାୟ ରାଷ୍ଟ୍ରର ସର୍ବଗ୍ରାସୀ କର୍ତ୍ତୃତ୍ଵରୁ ଆପଣାକୁ ମୁକ୍ତିକରିବାକୁ ସଂଗ୍ରାମ କରୁଛନ୍ତି । ଆପଣାର ପ୍ରାନ୍ତୀୟ ଓ ସାଂସ୍କୃତିକ ସ୍ଵାତନ୍ତ୍ର୍ୟ ନିମିତ୍ତ ଏହି ସ୍ଵାତନ୍ତ୍ର୍ୟକାମୀ ଆନ୍ଦୋଳନମାନଙ୍କୁ ଆମେ ପଞ୍ଜାବ, ଜାମୁ କାଶ୍ମୀର, ଓ ଉତ୍ତରପୂର୍ବାଞ୍ଚଳରେ ଦେଖିପାରିବା । ରାଜନୀତିର ଭାରତରେ ଆମେ ଏହା ମଧ୍ୟ ସମକ୍ଷ କରୁଛୁ ଯେ ନାରୀମାନେ ଆଉ ପୁରୁଷର କ୍ରୀଡ଼ନକ ହୋଇ ରହିବାକୁ ଚାହୁଁ ନାହାନ୍ତି । ନାରୀମାନେ ଏବେ ଜଣେ ଜଣେ ମନୁଷ୍ୟ ହିସାବରେ ଆପଣାର ମର୍ଯ୍ୟାଦାକୁ ବଞ୍ଚାଇ ରଖିବାକୁ ସଂଗ୍ରାମ କଲେଣି । ନିକଟ ଅତୀତରେ ଘଟିଥିବା ଆନ୍ଧ୍ରପ୍ରଦେଶର ମଦ୍ୟବିରୋଧୀ ମହିଳା ଜନ-ଆନ୍ଦୋଳନକୁ ଆମେ ଏଠାରେ ସ୍ମରଣ କରିପାରିବା ।

 

ସାଂପ୍ରତିକ ଭାରତବର୍ଷରେ ଘଟୁଥିବା ଏମିତି ଅନେକ ଉଦ୍ୟମମାନଙ୍କୁ ଆମ ସମୟର ଜଣେ ପର୍ଯ୍ୟବେକ୍ଷକ ଓ ବର୍ଣ୍ଣନାକାର ଶ୍ରୀଯୁକ୍ତ V.S. Naipaul ସହସ୍ର ବିଦ୍ରୋହ ବା million mutinies ବୋଲି କହିଛନ୍ତି (୩) । ଏବେ ପ୍ରକାଶିତ ଆପଣାର “India : A Million Mutinies Now” ପୁସ୍ତକରେ ଶ୍ରୀଯୁକ୍ତ ନାଇପଲ ବାମକୁ ଏମିତି ଅନେକ ବିଦ୍ରୋହର ଏକ ଭିନ୍ନ ପ୍ରକାରର ବର୍ଣ୍ଣନା ପ୍ରଦାନ କରିଛନ୍ତି । ସେ ପନ୍ଦର ମାସ ଭାରତବର୍ଷର ନାନା ସ୍ଥାନ ବୁଲିଛନ୍ତି, ନଗରୀ ଓ ମହାନଗରୀମାନଙ୍କରେ ଅନେକଙ୍କୁ ଭେଟିଛନ୍ତି ଓ ସେହିମାନଙ୍କ ସହ କଥୋପକଥନରୁ ଏବେ ଘଟୁଥିବା ନାନା ବିଦ୍ରୋହମାନଙ୍କ ସମ୍ପର୍କରେ ନିଜେ ଅବହିତ ହୋଇଛନ୍ତି ଓ ଆମ ସମସ୍ତଙ୍କୁ ଅବହିତ କରାଇଛନ୍ତି । ଶ୍ରୀଯୁକ୍ତ ନାଇପଲ୍‍ ଏହି ବିଦ୍ରୋହମାନଙ୍କ ସହିତ ସଂଶ୍ଳିଷ୍ଟ ଓ ଏହାଦ୍ୱାରା ପ୍ରଭାବିତ ସାଧାରଣ ଓ ଅସାଧାରଣ ଅନେକଙ୍କର ଜୀବନ କାହାଣୀକୁ କଥୋପକଥନ ଓ ସଂଳାପ ମାଧ୍ୟମରେ ଆମ ନିକଟରେ ଉପସ୍ଥାପନା କରିଛନ୍ତି ଓ ସେଗୁଡ଼ିକ ମାଧ୍ୟମରେ ବିଦ୍ରୋହମାନଙ୍କୁ ଦେଖିବାକୁ ଓ ବୁଝିବାକୁ ଚେଷ୍ଟା କରିଛନ୍ତି । ଶ୍ରୀଯୁକ୍ତ ନାଇପଲ୍‍ଙ୍କର ସୃଜନଶୀଳ ବର୍ଣ୍ଣନାରେ ଇତିହାସ ଓ ଆତ୍ମ ଜୀବନୀ ମଧ୍ୟରେ ଥିବା ନାନା କୃତ୍ରିମ ବନ୍ଧନୀ ଭାଙ୍ଗିଯାଇଛି । ସାମାଜିକ ପରିବର୍ତ୍ତନ କେବଳ ସଂଖ୍ୟା ଓ ପରିସଂଖ୍ୟାନର ଚିତ୍ର ଓ ଟେବୁଲ୍‍ମାନଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ । ବ୍ୟକ୍ତିର ଆଚରଣ ଓ ଚେତନାରେ କିପରି ପରିବର୍ତ୍ତନ ଘଟୁଛି ଓ ଏହି ପରିବର୍ତ୍ତନ କିପରି ସମାଜରେ ଘଟୁଥିବା ବୃହତ୍‍ ପରିବର୍ତ୍ତନ ସହିତ interact କରୁଛି, ଏହା ଶ୍ରୀଯୁକ୍ତ ନାଇପଲଙ୍କ ବର୍ଣ୍ଣନାରୁ ଆମେ ଜାଣିବାକୁ ସମର୍ଥ ହେଉ । ଏବେ ଯାହାସବୁ ଘଟୁଛି ଏହା କଦାପି ଏକ ନୈବ୍ୟକ୍ତିକ ତରଙ୍ଗ ନୁହେଁ ଯେ କେତେବେଳେ କ’ଣ ସାମାଜିକ ଜୁଆର ଉଠୁଛି ତାହା ଆମେ ଜାଣିପାରିବା ନାହିଁ ଅଥବା ଏଥିରେ ପ୍ରଭାବିତ ପୁରୁଷ ଓ ନାରୀମାନେ କେବଳ କୁଟାଖିଅରୂପେ ଏହି ଜୁଆରରେ ଭାସିଯାଉଛନ୍ତି । ସମାଜରେ ଘଟୁଥିବା ନାନା ଉଦବେଳନକୁ ଆମେ ପ୍ରଥମତଃ ଏହି ଉଦବେଳନକୁ ସମ୍ଭବ କରାଉଥିବା ଓ ଏଥିରେ ପ୍ରଭାବିତ ହେଉଥିବା କର୍ତ୍ତା ଓ କର୍ମ ଉଭୟଙ୍କର ଜୀବନ ଭୂମିରେ ଦେଖିବା ଓ ଜୀବନକହାଣୀର ପରିପ୍ରେକ୍ଷୀରେ ହିଁ ବୁଝିବାକୁ ଉଦ୍ୟମ କରିବା । ଶ୍ରୀଯୁକ୍ତ ନାଇପଲ୍ ଜଣେ ତଥାକଥିତ ସମାଜଶାସ୍ତ୍ରୀ ନହୋଇଥିବାରୁ ଓ ଜଣେ ସୃଜନଶୀଳ କଥାକାର ହୋଇଥିବାରୁ ସମ୍ଭବତଃ ଆମକୁ ଏମିତି ଅନେକ ଜୀବନ ଭୂମିର ଚିତ୍ର ପ୍ରଦାନ କରିଛନ୍ତି । ଯେଉଁ ଚିତ୍ର ଆମେ ପାରମ୍ପରିକ ଗବେଷଣାରୁ ପାଉନାହୁଁ । ଅବଶ୍ୟ ସେ କେତେ କେତେ ଅନ୍ୟ କଥାକୁ ଉଲ୍ଲେଖ ହିଁ କରିନାହାନ୍ତି । ନାଇପଲ୍ ଭାରତର ଗାଆଁମାନଙ୍କୁ ଯାଇଛନ୍ତି ବୋଲି ମଧ୍ୟ ତାଙ୍କ ବହିରୁ ଜଣାପଡ଼ୁନାହିଁ । ମାତ୍ର ତଥାପି ସେ ପ୍ରଦାନ କରିଥିବା କେତେକ ଜୀବନକହାଣୀର ପରିପ୍ରେକ୍ଷୀରେ ଆମେ ସାଂପ୍ରତିକ ଭାରତରେ ଘଟୁଥିବା ନାନା ବିଦ୍ରୋହର ଏକ ସମ୍ୟକ୍‍ ପରିଚୟ ପାଇପାରିବା, ଏହି ବିଦ୍ରୋହମାନଙ୍କର ଏକ ସମ୍ୟକ୍‍ ଆଲୋଚନାପାଇଁ ମଧ୍ୟ ସାମଗ୍ରୀ ଯୋଗାଡ଼ କରିପାରିବା ।

 

ରାଜନୀତିର ଭାରତ ଓ ସହସ୍ର ବିଦ୍ରୋହ : ଶ୍ରୀଯୁକ୍ତ ନାଇପଲଙ୍କର ଚିତ୍ର

 

୧୯୬୭ ମସିହାର ଏପ୍ରିଲ ମାସରେ ପଶ୍ଚିମବଙ୍ଗର ନକ୍‍ସଲ୍‍ ବାଡ଼ି ନାମକ ଗ୍ରାମରେ ଚାଷୀମାନେ ଜମିଦାରଙ୍କଠାରୁ ଜମିଦାର ଅଧିକାର କରିନେଇଥିବା ନିଜ ନିଜର ଜମିକୁ ମୁକୁଳାଇବାକୁ ଲଢ଼ାଇ କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆସିଥିବା ପୋଲିସ୍‍ଦଳଟିକୁ ମଧ୍ୟ ଆନ୍ଦୋଳନକାରୀମାନେ ଧନୁଶର ଧରି ଘେରାଉ କରିନେଇଥିଲେ ଓ ଜଣେ ପୋଲିସ୍ ସବ୍‍ଇନ୍‍ସପେକ୍ଟରକୁ ତୀର ବିନ୍ଧି ମାରିଦେଇଥିଲେ । ଗ୍ରାମର ଚାଷୀମାନେ ଯେ’ ଜମିଦାର ବିରୁଦ୍ଧରେ ଧନୁ ଧରିପାରିଥିଲେ, ଏହା ଅନେକ ବିପ୍ଳବକାମୀ କମ୍ୟୁନିଷ୍ଟ ଓ ଅଣକମ୍ୟୁନିଷ୍ଟ ଯୁବକମାନଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରିଥିଲା ଓ ପ୍ରଭାବିତ କଲା । ଏହି ଘଟଣାଟି ତତ୍‍କ୍ଷଣାତ ପ୍ରସିଦ୍ଧ ନକ୍‍ସଲବାଡ଼ି ଆନ୍ଦୋଳନକୁ ଜନ୍ମଦେଲା । ଏହି ଆନ୍ଦୋଳନ ବଙ୍ଗଳାର ଶ୍ରୀଯୁକ୍ତ ଚାରୁ ମଜ୍‍ମୁଦାରଙ୍କ ନେତୃତ୍ଵରେ ଏକ ନୂତନ ମୋଡ଼ ନେଲା । ମଜ୍‍ମୁଦାରଙ୍କ ନିର୍ଦ୍ଦେଶରେ ନକ୍‍ସଲ୍ ପନ୍ଥୀମାନେ ଅତ୍ୟାଚାରୀ ଜମିଦାର ଓ ଅନ୍ୟମାନଙ୍କୁ ମାରିବାକୁ ଆରମ୍ଭ କଲେ । ସେତେବେଳେ ପଶ୍ଚିମବଙ୍ଗରେ କମ୍ୟୁନିଷ୍ଟଦଳ ମଧ୍ୟ ସରକାରୀ ଶାସନରେ ଏକ ଅଂଶୀଦାର ଥିଲା ।

 

ନକ୍‍ସଲ୍‍ ପନ୍ଥୀ ଆନ୍ଦୋଳନରେ ହତ୍ୟା-ଲୀଳା ଆରମ୍ଭ ହେବାପରେ ସବୁ ବିଗିଡ଼ିଗଲା । ସରକାର ଅଧିକ ନୃଶଂସ ହୋଇ ନକ୍‍ସଲ୍‍ ମନ୍ଥୀମାନଙ୍କୁ ଉତ୍ପାଟନ କଲେ । ଏଣେ ନକ୍‍ସଲ୍‍ ପନ୍ଥୀମାନେ ନାନାଗୋଷ୍ଠୀରେ ବିଭକ୍ତ ହୋଇ ପରସ୍ପରକୁ ମାରିବାକୁ ଆରମ୍ଭ କଲେ । ମାତ୍ର ପାଞ୍ଚବର୍ଷ ଭିତରେ ପୋଲିସ୍‍ର ନୃଶଂସ ହତ୍ୟା ଓ ନକ୍‍ସଲ ପନ୍ଥୀ ଗୋଷ୍ଠୀମାନଙ୍କର ପାରସ୍ପରିକ କଳହ ଫଳରେ ନକ୍‍ସଲ୍ ପନ୍ଥୀ ଆନ୍ଦୋଳନ ଅବଦମିତ ହୋଇସାରିଥିଲା (୪) । ମାତ୍ର ଏହି ଆନ୍ଦୋଳନର ବହ୍ନି ପୂରାପୂରି ନିର୍ବାପିତ ହୋଇପାରିନଥିଲା । ଆନ୍ଦୋଳନ ମୂଳରୁ ହିଁ ଦେଶର ଅନ୍ୟପ୍ରାନ୍ତକୁ ବ୍ୟାପିଯାଇଥିଲା । ଷାଠିଏ ଓ ସତୁରୀ ଦଶନ୍ଧିରେ ଏହା ଓଡ଼ିଶା ଓ ଆନ୍ଧ୍ରରେ ମଧ୍ୟ ଦେଖା ଦେଇଥିଲା । ଏବେ ମଧ୍ୟ ଏହା ବିହାର ଓ ଆନ୍ଧ୍ର ପ୍ରଦେଶରେ ନୂତନ ରୂପରେ କ୍ରିୟାଶୀଳ । ଆନ୍ଧ୍ରରେ ୧୯୮୦ରେ ପ୍ରତିଷ୍ଠିତ People’s War Group ଏବେ ଦେଶର ସବୁଠାରୁ କ୍ରିୟାଶୀଳ ନକ୍‍ସଲ୍‍ ପନ୍ଥୀଗୋଷ୍ଠୀ । ଏହା ଭୂମିହୀନ ଓ ଆଦିବାସୀମାନଙ୍କୁ ଭୂମିଦେବାକୁ ଜମିଦାର ଓ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରୁଛି । ବିହାରରେ ମଧ୍ୟ ଜମିପାଇଁ ନକ୍‍ସଲ୍ ପନ୍ଥୀମାନେ ସଂଗ୍ରାମ କରୁଛନ୍ତି । ବିହାର ଓ ଆନ୍ଧ୍ରପ୍ରଦେଶର ନକ୍‍ସଲ୍ ପନ୍ଥୀ ଆନ୍ଦୋଳନ ଏବେ ପଶ୍ଚିମବଙ୍ଗଳାରେ ଏକଦା ନିର୍ବାପିତ ହୋଇଥିବା ବହ୍ନିକି ଆପଣା ମଧ୍ୟରେ ଧାରଣ କରି ରଖିଛନ୍ତି ।

 

ସ୍ଵାଧୀନତାପର ଭାରତବର୍ଷର ରାଜନୀତିରେ ନକ୍‍ସଲ୍‍ପନ୍ଥୀ ଆନ୍ଦୋଳନ ହୁଏତ ସବୁଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ଘଟଣା ଥିଲା । ହିଂସାର ମାର୍ଗରେ ବିଶ୍ଵାସ କରୁନଥିବା ଲୋକମାନେ ମଧ୍ୟ ଏହାପ୍ରତି ସହାନୁଭୂତି ପ୍ରକାଶ କରିଥିଲେ । ନକ୍‍ସଲ୍‍ ପନ୍ଥୀ ଆନ୍ଦୋଳନ ଅନେକଙ୍କୁ ଘରଛଡ଼ା କରାଇଥିଲା । କେବଳ ପଶ୍ଚିମବଙ୍ଗଳାରେ ନୁହେଁ ଏପରିକି ଉତ୍ତରାଭାରତର ଏକ ଭିନ୍ନ ରାଜନୈତିକ ଜଳବାୟୁରେ ମଧ୍ୟ ଏହା ଅନେକଙ୍କୁ ଘରଛଡ଼ା କରାଇଥିଲା । ଉଦାହରଣସ୍ୱରୂପ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅନେକ ଛାତ୍ର ଏହି ସମୟରେ ଆପଣାର ପାଠ ଛାଡ଼ି ବିହାର ଓ ବଙ୍ଗଳାରେ ନକ୍‍ସଲ୍‍ ପନ୍ଥୀମାନଙ୍କ ସହିତ କାମ କରିଥିଲେ । ଯେଉଁମାନେ ସକ୍ରିୟଭାବରେ ଅସ୍ତ୍ର ଧରିପାରିନଥିଲେ, ସେମାନେ ଆପଣାର ବିଶ୍ୱବିଦ୍ୟାଳୟର ଚାକିରି ଓ ଶିକ୍ଷାଛାଡ଼ି ସ୍ଵେଚ୍ଛାସେବୀ ସଂସ୍ଥାମାନ ଗଢ଼ିଥିଲେ । ଏହି କ୍ଷେତ୍ରରେ ଆମେ ମଧ୍ୟପ୍ରଦେଶର ହୋସାଙ୍ଗାବାଦ ଜିଲ୍ଲାରେ ଗଢ଼ିଉଠିଥିବା କିଶୋର ଭାରତୀ ଓ ଏହାର ଅନ୍ୟତମ ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅନିଲ ସଦଗୋପାଳଙ୍କର ଉଦାହରଣକୁ ମନେପକାଇପାରିବା । ଶ୍ରୀଯୁକ୍ତ ସଦଗୋପାଳ ନକ୍‍ସଲ୍‍ ପନ୍ଥୀ ଆନ୍ଦୋଳନ ପ୍ରତି ସହାନୁଭୂତିଶୀଳ ଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଥିଲେ । ମାତ୍ର ଆପଣାର ଅଧ୍ୟାପନା ଛାଡ଼ି ହୋସାଙ୍ଗାବଦର ଗୋଟିଏ ଜମିଦାର-ଅତ୍ୟାଚାରିତ ଗାଆଁକୁ ଆସିଥିଲେ ଓ ସେଠାରେ ସେ କିଶୋର ଭାରତୀ ନାମକ ସ୍ଵେଚ୍ଛାସେବୀ ସଂସ୍ଥାଟିଏ ଗଢ଼ିଥିଲେ । ପରେ ଅର୍ଥାତ୍ ଦଶବର୍ଷ ପରେ, ୧୯୮୨ ମସିହାରେ ଏହି ସଂସ୍ଥା ‘ଏକଲବ୍ୟ’ ନାମରେ ପରିଚିତ ହେଲା । ଏବେ ସାରା ମଧ୍ୟପ୍ରଦେଶରେ ଏକଲବ୍ୟ ବିଜ୍ଞାନ ଶିକ୍ଷାକ୍ଷେତ୍ରରେ ଅନେକ ନୂଆ ନୂଆ ପଦକ୍ଷେପ ନେଉଛୁ । ଭାରତବର୍ଷର ଜନବିଜ୍ଞାନ ଆନ୍ଦୋଳନରେ ମଧ୍ୟ ଏକଲବ୍ୟ ଅନ୍ୟତମ ଅଗ୍ରଣୀ ସଂସ୍ଥା । ଏହି ସଂସ୍ଥାରେ କାମ କରୁଥିବା ଜଣେ ଭାଇଙ୍କ ସହିତ ମୋର ତିନିବର୍ଷତଳେ ଭୋପାଳରେ କଥାବାର୍ତ୍ତା ହୋଇଥିଲା । ଭାଇଜଣକ ଅନେକ ସ୍ପଷ୍ଟଭାବରେ କହୁଥିଲେ ଯେ’ ତାଙ୍କଭଳି ତରୁଣମାନଙ୍କ ନକ୍‍ସଲ୍‍ବାଦୀ ଆନ୍ଦୋଳନ ସବୁଠାରୁ ବଡ଼ ପ୍ରଭାବଶାଳୀ ଆନ୍ଦୋଳନ ନ ଥିଲା । ଏହାର ପ୍ରଭାବରେ ସେ ବିଶ୍ୱବିଦ୍ୟାଳୟର ଚାକିରି ଛାଡ଼ିଲେ ଓ କିଶୋର ଭାରତୀରେ ଯୋଗଦେଲେ ।

 

ଆପଣାର ପୁସ୍ତକରେ ଶ୍ରୀଯୁକ୍ତ ନାଇପଲ୍ ନକ୍‍ସଲ୍‍ପନ୍ଥୀ ଆନ୍ଦୋଳନରେ ଯୋଗଦେଇଥିବା ଜଣେ ଯୁବକଙ୍କ କଥା ଆମକୁ କହିଛନ୍ତି । ଯୁବକ ଜଣକ କଲିକତାର ଗୋଟିଏ ଭଦ୍ରଲୋକ ପରିବାରରୁ ଆସିଥିଲେ । ତାଙ୍କର ନାମ ଦୀପଞ୍ଜନ । ନକ୍‍ସଲ୍‍ ବାଡ଼ିରେ ବିପ୍ଳବ ଘଟିଥିବାବେଳେ ସେ କଲିକତାର ପ୍ରେସିଡ଼େନ୍‍ସି କଲେଜରେ ଛାତ୍ରମାନଙ୍କ ଭିତରେ ରାଜନୈତିକ କାମରେ ବ୍ୟସ୍ତଥିଲେ । ସିଏ ମଧ୍ୟ କଲିକତାର କେତୋଟି କାରଖାନାରେ ଶ୍ରମିକମାନଙ୍କ ସହିତ ଯୁନିୟନ୍ କାମରେ ବ୍ୟସ୍ତଥିଲେ । ନକ୍‍ସଲ୍‍ ବାଡ଼ିରେ ଘଟିଥିବା ବିପ୍ଳବ ତାଙ୍କର ହୃଦୟରେ ବିପ୍ଳବର ନୂତନ ବୀଜ ବପନ କରିଥିଲା । ସିଏ ଘରଛାଡ଼ିବାକୁ ବାହାରିଲେ, ଘରଛାଡ଼ି ସୁଦୂର ଗାଆଁକୁ ଯିବାକୁ ନିଷ୍ପତ୍ତି ନେଲେ ଯେଉଁଥିରେ ଚାଷୀମାନଙ୍କୁ ସିଏ ନିଜେ ଏହି ବିପ୍ଳବରେ କିଛି ସହାୟତା ପ୍ରଦାନ କରିପାରିବେ । ସେତେବେଳେ ସ୍ତ୍ରୀ ଆରତୀ ସେମାନଙ୍କର ପ୍ରଥମ ଶିଶୁକୁ ଗର୍ଭରେ ଧାରଣ କରିଥିଲେ । ଗର୍ଭବତୀ ସ୍ତ୍ରୀର ଅଶ୍ରୁଳ ନୟନକୁ ଭ୍ରୂକ୍ଷେପ ନକରି ଦୀପଞ୍ଜନ ଆପଣାର ବିପ୍ଳବ ପଥରେ ବାହାରିଲେ । ରାସ୍ତାରେ କିଛି ସାଥୀଙ୍କୁ ଧରି ସେ ଗୋଟିଏ ଗାଆଁରେ ପହଞ୍ଚିଲେ । ସେଦିନ ରାତିରେ ଗ୍ରାମବାସୀମାନଙ୍କ ସହିତ କଥାବାର୍ତ୍ତା ହେଲା । ଗୋଟିଏ କୁଡ଼ିଆଘରେ ଦୀପଞ୍ଜନ ଓ ତାଙ୍କର କଲିକତୀ ଭଦ୍ରଲୋକୀ କମ୍ରେଡ଼୍‍ମାନଙ୍କୁ ଖାଇବାକୁ ହେଲା । ସେଦିନ ସେମାନଙ୍କୁ କେବଳ ପଖାଳ ଖାଦ୍ୟରୂପେ ମିଳିଥିଲା । ତା’ସହିତ କୌଣସି ତରକାରୀ ନଥିଲା । ପୁଣି କୁଡ଼ିଆ ସମ୍ମୁଖରେ ଜହ୍ନ ଆଲୁଅରେ ଦଉଡ଼ିଆ ଖଟରେ ଶୋଇବାକୁ ହୋଇଥିଲା । ସକାଳେ ଆପଣାକୁ ମୁକ୍ତ କରିବାକୁ ଦୀପଞ୍ଜନପାଇଁ କଲିକତାର କୌଣସି ପରିଚିତ ଶୌଚାଳୟ ନଥିଲା । ଏହିସବୁ ଦୀପଞ୍ଜନପାଇଁ ପୁରା ଏକ ନୂତନ ଅନୁଭୂତି ଥିଲା । କହିବା ବାହୁଲ୍ୟ ଯେ, ଏହିସବୁ ଭିତରେ ବଞ୍ଚିବା ଦୀପଞ୍ଜନଙ୍କୁ କଷ୍ଟ ଲାଗୁଥିଲା । ମାତ୍ର ଏହିସବୁ ପରିସ୍ଥିତିସତ୍ତ୍ୱେ ଦୀପଞ୍ଜନ ଗାଆଁ ଗାଆଁ ବୁଲୁଥିଲେ ।

 

ଶ୍ରୀଯୁକ୍ତ ନାଇପଲ୍‍ଙ୍କ ସହିତ କଥୋପକଥନରେ ଦୀପଞ୍ଜନ କହନ୍ତି ଯେ, ସିଏ ନିଜେ ଯେତିକି ବ୍ୟଗ୍ରତା ଓ ଅସ୍ଥିରତାର ସହ ବିପ୍ଳବ ପଛରେ ଧାଉଁଥିଲେ ଗ୍ରାମବାସୀଙ୍କ ମଧ୍ୟରେ ସେତିକି ବ୍ୟଗ୍ରତା ଓ ଅସ୍ଥିରତା ନଥିଲା । ଗୋଟିଏ ଖଞ୍ଜାରେ ସିଏ, ରହିଥିବା କୁଡ଼ିଆର ମଣିଷ ଜଣକୁ କେତେଥର ଫୁସୁଲାଇଥିଲେ ଓ ଉସୁକାଇଥିଲେ ଗ୍ରାମର ଅତ୍ୟାଚାରୀ ଜମିଦାର ଜଣକୁ ହତ୍ୟା କରିବାକୁ । ଜଣେ ନୁହେଁ ସେହି ଗ୍ରାମର ଅନେକଙ୍କୁ ସେ ଜମିଦାର ଜଣଙ୍କୁ ନିଶ୍ଚିହ୍ନ କରିଦେବା କଥା କହିଥିଲେ । ମାତ୍ର ସେମାନେ କେହି ଏହା କରିନଥିଲେ ଯଦିଓ କଥାରେ ଅନେକଥର ହିଁ ଭରିଥିଲେ-। ଏହି ଗାଆଁରେ ଦୀପଞ୍ଜନକୁ ଲୁଚି ଲୁଚି ବୁଲିବାକୁ ହେଉଥିଲା, ଯଦି ଜମିଦାର ଜଣକ ତାଙ୍କର ଅବସ୍ଥିତି ସମ୍ପର୍କରେ ଟିକିଏ ଇସାରାବି ପାଇଥାଆନ୍ତା ସେ ନିଶ୍ଚୟ ତାଙ୍କୁ ନିଜେ ନିଶ୍ଚିହ୍ନ କରିଦେଇଥାଆନ୍ତା ଅଥବା ପୋଲିସ୍ ହାତରେ ଧରାଇ ଦେଇଥାଆନ୍ତା । ଏମିତି ଗାଆଁ ଗାଆଁ ବୁଲୁଥିବାବେଳେ କେବଳ ଜଣେ ଲୋକହିଁ ତାଙ୍କୁ ପଚାରିଥିଲେ ସିଏ ଘରକୁ କାହିଁକି ଫେରୁନାହାନ୍ତି ଓ କେବେ ଫେରିବେ । ବିପ୍ଳବ ପଛରେ ଧାଉଁଥିବା ଦୀପଞ୍ଜନଙ୍କୁ ଘରବାହୁଡ଼ାର ଏହି ପ୍ରଶ୍ନଟି ଅନେକ ଭଲ ଲାଗିଥିଲା ।

 

ଏମିତି ଭ୍ରାମ୍ୟମାଣ ଜୀବନରୁ ମାତ୍ର ଥରେ ସିଏ କଲିକତା ଫେରିଥିଲେ । ହିଁ କୌଣସି ଗୁରୁତ୍ଵପୂର୍ଣ୍ଣ ରାଜନୈତିକ କାର୍ଯ୍ୟହେତୁ ତାଙ୍କୁ କଲିକତା ଫେରିବାକୁ ହୋଇଥିଲା । ମାତ୍ର କିଛିଦିନପରେ ସେ ପୁଣି ବିପ୍ଳବକର୍ମକୁ ଫେରିଯାଇଥିଲେ । ୧୯୭୨ ମସିହା ବେଳକୁ ପୋଲିସ ଦୀପଞ୍ଜନ ଭଳି ବିପ୍ଳବୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଅଣନିଃଶ୍ଵାସୀ କରିପକାଇ ସାରିଥିଲା । ବିପ୍ଳବରେ ଝାସଦେଇ ଯେଉଁ ଯୁବକମାନେ ଆପଣା ଜୀବନରେ ଏଇ ନୂତନ ଅର୍ଥ ଅନୁଭବ କରିବାକୁ ଆସିଥିଲେ, ସେହି ଯୁବକମାନଙ୍କ ମଧ୍ୟରୁ ଅନେକଙ୍କୁ ପୋଲିସ୍ କୋର୍ଟରେ ହାଜିର ନକରାଇ ହାଜତ୍ ଭିତରେ ହିଁ ମାରିଦେଇଥିଲା । ଦୀପଞ୍ଜନ ଓ ତା’ର ସାଥୀମାନଙ୍କୁ ପଶ୍ଚିମବଙ୍ଗଳାର ଗୋଟିଏ ପୋଲିସ୍‍ଦଳ ବିହାରର ଗୋଟିଏ ଛୋଟ ସହରରୁ ଧରିଥିଲେ । ଦୀପଞ୍ଜନ ଶ୍ରୀଯୁକ୍ତ ନାଇପଲ୍‍ଙ୍କୁ କହନ୍ତି ଯେ, ଯଦି ବିହାରୀ ପୋଲିସ୍ ହସ୍ତକ୍ଷେପ କରିନଥାନ୍ତେ ତେବେ ସେହିଠାରେ ହିଁ ପଶ୍ଚିମବଙ୍ଗଳାର ରକ୍ତପିପାସୁ ପୋଲିସ୍‍ଦଳ ସେମାନଙ୍କର ଜୀବନର ହିସାବ ନିକାଶ ସାରିଦେଇଥାଆନ୍ତା । ମାତ୍ର ବିହାରୀ ପୋଲିସ୍‍ର କଡ଼ା ତାଗିଦା ଫଳରେ ଏମିତି ହେଲା ନାହିଁ । ସେମାନେ ବନ୍ଧାହୋଇ କଲିକତା ଆସିଲେ ।

 

କଲିକତା ଆସିବା ପରେ ଜେଲରେହିଁ ଦୀପଞ୍ଜନଙ୍କର ପତ୍ନୀ, ପିଲା, ଓ ପରିବାରର ଅନ୍ୟମାନଙ୍କ ସହିତ ସାକ୍ଷାତ ହେଲା । ଦୀପଞ୍ଜନ ଜେଲଭିତରେହିଁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ କରିବାକୁ ଲଣ୍ଡନ ବିଶ୍ଵବିଦ୍ୟାଳୟକୁ ଆବେଦନ କରିଥିଲେ ଓ ଏଥିରେ ସଫଳ ହୋଇଥିଲେ । ଡକ୍ଟରେଟ୍ କରିବାକୁ ବିଦେଶକୁ ଯିବେବୋଲି ତାଙ୍କୁ ଜେଲ୍‍ରୁ ମୁକ୍ତି କରିବାକୁ ସେ ସରକାରଙ୍କୁ ଅନୁରୋଧ କଲେ । ଏହାପରେ ପତ୍ନୀ ଆରତୀଙ୍କ ସହ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଦୁଇବର୍ଷ ରହି ୧୯୭୪ ମସିହାରେ ଡକ୍ଟରେଟ୍ ଡିଗ୍ରୀଟିଏ ଧରି କଲିକତା ପ୍ରତ୍ୟାବର୍ତ୍ତନ କଲେ । ଏହାପରେ ସେ କଲିକତାର କୌଣସି ଏକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ରୂପେ ଯୋଗଦେଲେ । ସେହିଠାରେହିଁ ସେ ଆଜିପର୍ଯ୍ୟନ୍ତ କାମ କରୁଛନ୍ତି ଓ ଏହି କଲେଜରେ ହିଁ ଦୀପଞ୍ଜନ ବାବୁଙ୍କର ଶ୍ରୀଯୁକ୍ତ ନାଇପଲ୍‍ଙ୍କ ସହିତ ପ୍ରଥମ କଥାବାର୍ତ୍ତା ହୋଇଥିଲା । ଏବେ ଦୀପଞ୍ଜନ କଲିକତାର ବସ୍ତିମାନଙ୍କରେ ଯାଇ ଅଶିକ୍ଷିତ ଲୋକମାନଙ୍କୁ ପାଠପଢ଼ାଉଛନ୍ତି । ପୂର୍ବର ବିପ୍ଳବାତ୍ମକ କାର୍ଯ୍ୟ ଓ ଏବେର ଜନଶିକ୍ଷାତ୍ମକ କାର୍ଯ୍ୟ ଭିତରେ ଦୀପଞ୍ଜନବାବୁ କୌଣସି ଫରକ ଦେଖନ୍ତି ନାହିଁ ।

 

ଦୀପଞ୍ଜନବାବୁଙ୍କ ଭଳି ବିଭିନ୍ନ ପ୍ରକାରର ଉଦବେଳନରେ ସଂଶ୍ଳିଷ୍ଟ ଅନେକଙ୍କ ସହିତ ଶ୍ରୀଯୁକ୍ତ ନାଇପଲ୍ କଥାବାର୍ତ୍ତା କରିଛନ୍ତି । ସେମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ମହାରାଷ୍ଟ୍ରର ଦଳିତ ପାନ୍ଥେର୍‍ ଦଳର ପ୍ରତିଷ୍ଠାତା ଓ କବି ନାମଦେବା ଧାସାଲ । ଯେଉଁଦିନ ବମ୍ବେ ମହାନଗରୀରେ ନାଇପଲ୍ ପହଞ୍ଚିଛନ୍ତି ସେହିଦିନ ହିଁ ସେ ରାସ୍ତାରେ ଅନେକଙ୍କୁ ଆମ୍ବେଦକର ଜିନ୍ଦାବାଦ୍ ଧ୍ୱନିଦେବାର ଶୁଣିଛନ୍ତି । ମହାରାଷ୍ଟ୍ରର ଦଳିତମାନଙ୍କର ବିକାଶ ଓ ଆତ୍ମ-ସମ୍ମାନର ପୁନଃ ପ୍ରତିଷ୍ଠାପାଇଁ ଶ୍ରୀଯୁକ୍ତ ଆମ୍ବେଦକର ଅନେକ କାମ କରିଛନ୍ତି, ମହାରାଷ୍ଟ୍ରର ଦଳିତମାନଙ୍କର ହୃଦୟରେ ଓ ଏବେ ସାରାଭାରତରେ ହରିଜନମାନଙ୍କ ହୃଦୟରେ ଆମ୍ବେଦକର ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି । ଦଳିତମାନେ ବ୍ରାହ୍ମପବାଦ ବିରୋଧରେ ଆନ୍ଦୋଳନ କରିଆସୁଛନ୍ତି ଓ ବମ୍ବେରେ ନାମଦେଓ ଧାସାଲ୍‍ଙ୍କ ଦ୍ଵାରା ପ୍ରତିଷ୍ଠିତ ପାନ୍ଥେର୍ ଆନ୍ଦୋଳନ ଏଥିରେ ଏକେ ମୁଖ୍ୟ ଭୂମିକା ନେଇଥିଲା । ନାମଦେବ ଶ୍ରୀଯୁକ୍ତ ନାଇପଲ୍‍ଙ୍କ ସହିତ କଥୋପକଥନରେ ଏହି ପ୍ରସଙ୍ଗରେ କହନ୍ତି । “ଗୋଟିଏ ସମୟ ଥିଲା ଯେତେବେଳେ ଆମ୍ଭେମାନେ ପଶୁରୂପେ ଗଣାହେଉଥିଲୁ ଓ ବ୍ୟବହୃତର ହେଉଥିଲୁ । ମାତ୍ର ଏବେ ଆମେ ମଣିଷରୂପେ ବଞ୍ଚିପାରୁଛୁ । ଏହିସବୁ ଆମ୍ବେଦକଙ୍କର ଅବଦାନ ହେତୁ ।”

 

ନାମଦେବ ଏକ ମାହାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ଗାଁରେ ପଢ଼ୁଥିବାବେଳେ ସବର୍ଣ୍ଣ ଓ ଦଳିତ ଭିତରେ ଥିବା ନାନା ସାମାଜିକ ତାଡ଼ନାର ସିଏ ଶିକାର ହୋଇଥିଲେ । ଅଠର ବର୍ଷ ବୟସରେ ସେ ଗାଁ ଛାଡ଼ି ବମ୍ବେରେ ପହଞ୍ଚିଥିଲେ । ବମ୍ବେରେ ସେ ଦଳିତମାନଙ୍କୁ ନେଇ ୧୯୭୨ରେ ଦଳିତ ପାନ୍ଥେର୍ ଦଳ ସ୍ଥାପନ କରିଥିଲେ । ନାମଦେବ ଆପଣାର ଦଳିତ ଜୀବନର ଅନୁନ୍ନତିକୁ ନେଇ କବିତା ଲେଖିବା ଆରମ୍ଭ କଲେ । ୧୯୭୨ ମସିହାରେ ରାଜନୈତିକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସେ ଟ୍ୟାକ୍‍ସି ଡ୍ରାଇଭର ରୂପେ କାର୍ଯ୍ୟକରୁଥିଲେ । ବମ୍ବେର କାନ୍ତିପୁର ନାମକ ଏକ ଇଲାକାରେ ରହୁଥିଲେ ଯାହା ସବୁପ୍ରକାରର ତଥାକଥିତ କୁକର୍ମ ଯଥା ବେଶ୍ୟାବୃତ୍ତି ଓ ହତ୍ୟାର ଆଡ଼ାସ୍ଥଳୀଥିଲା । ଗଣିକାମାନଙ୍କର ପାଇଁ ନାମଦେବଙ୍କର ଏକ ସ୍ଵତନ୍ତ୍ର ଆକର୍ଷଣ ଥିଲା ଓ ସେ ଶ୍ରୀଯୁକ୍ତ ନାଇପଲଙ୍କୁ କହନ୍ତି ଯେ’ ବିବାହପରେ ମଧ୍ୟ ସେ ଏହି ସଙ୍ଗ ପୂରାପୂରି ଛାଡ଼ିନାହାନ୍ତି । ନାମଦେବଙ୍କର ଏହି ବିଭିନ୍ନ ଅନୁନ୍ନତିର ଜୀବନ୍ତ ସ୍ଵାକ୍ଷର ବହନ କରିଥିବା ଗୋଲପିଥା କାବ୍ୟ ସଂକଳନ ତାଙ୍କୁ ମରାଠୀ କବିତାର ଏକ ନୂତନ ଧାରର ପ୍ରବର୍ତ୍ତକ ରୂପେ ପ୍ରତିଷ୍ଠିତ କରାଇଥିଲା, କେତେକ ସମୀକ୍ଷକଙ୍କ ପରେ ତୁକାରାମଙ୍କପରେ ନାମଦେବ ହିଁ ହେଇଛନ୍ତି ଦ୍ଵିତୀୟ କବି ଯିଏ ଜୀବନକୁ ଏତେ ସମ୍ବେଦନଶୀଳତାର ସହ ବର୍ଣ୍ଣନା କରିପାରିଛନ୍ତି, ଓ ଯେଉଁ ବର୍ଣ୍ଣପରେ ବିପ୍ଳବର ଏତେ କଣିକା ରହିଛି । “ମନ୍ଦିର ଅଭିମୁଖେ ପଥ” ନାମକ ଏକ ମରାଠୀ କବିତାରେ ନାମଦେବ ଲେଖିଛନ୍ତି—

 

ସୂର୍ଯ୍ୟ ଯେତେବେଳେ ଦୁର୍ବଳ ହୋଇଯାଇଥିଲେ

ଯେତେବେଳେ ସେ ରାତ୍ରିର ଆଲିଙ୍ଗନରେ

ଆପଣାର ସତ୍ତାକୁ ହରାଇଥିଲେ

ସେତେବେଳେ ମୁଁ ଜନ୍ମ ହୋଇଥିଲି ।

ମୁଁ ଯେଉଁଦିନ ଜନ୍ମହୋଇଥିଲି ସେହିଦିନ ହିଁ ଅନାଥ ହୋଇଥିଲି ।

ମୋତେ ଯିଏ ଜନ୍ମଦେଇଥିଲେ ସେହିଦିନ ସେ ଭଗବାନଙ୍କ ନିକଟକୁ ଚାଲିଯାଇଥିଲେ ।

ନିଜର ଫିଉଜ୍ ଉଡ଼ିଯାଇଥିବା ଗୋଟିଏ ବ୍ୟକ୍ତିରୂପେ ମୁଁ ବଢ଼ିଥିଲି

ମୁଁ ରାସ୍ତାକଡ଼ରୁ ମଇଳା ଖାଇଲି ଓ ବଢ଼ିଲି ।

ଏବେ ମୁଁ ( ମନ୍ଦିରକୁ ଯାଇଥିବା ଏହି ରାସ୍ତାରେ) ଭିକ ମାଗୁଛି ।

ମୋତେ ପାଞ୍ଚ ପଇସା ଦିଅ, ମୋତେ ପାଞ୍ଚ ପଇସା ଦିଅ ।

ଏହାର ପ୍ରତିବଦଳରେ ତୁମେ ପାଞ୍ଚୋଟି ଅଭିଶାପ ନିଅ,” (୫)

 

୧୯୫୬ ମସିହାରେ ଆମ୍ବେଦକର ଓ ତାଙ୍କର ଅନୁଗାମୀମାନେ ବୌଦ୍ଧଧର୍ମ ଗ୍ରହଣ କରିଥିଲେ । ଆମ୍ବେଦକର ଦଳିତମାନଙ୍କର ଉଦ୍ଧାର ପାଇଁ ଦଳିତମାନଙ୍କୁ ବ୍ରାହ୍ମଣମାନଙ୍କ ବିରୁଦ୍ଧରେ ଲଢ଼ିବାକୁ ଆହ୍ଵାନ ଦେଇଥିଲେ । ସେ ଉଭୟ କଂଗ୍ରେସ ଓ କମ୍ୟୁନିଷ୍ଟ ଦଳକୁ ଉଚ୍ଚଜାତିର ଲୋକମାନଙ୍କର ଏକ ହାତ ପିତୁଳା ବୋଲି ମାନୁଥିଲେ । ଦଳିତ ଆନ୍ଦୋଳନରେ ସଂଶ୍ଳିଷ୍ଟ ଆମ୍ବେଦକରଙ୍କର ଅନୁଗାମୀମାନେ ତେଣୁ ଉଭୟ କଂଗ୍ରେସ ଓ କମ୍ୟୁନିଷ୍ଟବାଲାଙ୍କୁ ସନ୍ଦେହ ଚକ୍ଷୁରେ ଦେଖନ୍ତି । ନାମଦେବଙ୍କର ପ୍ରତିଷ୍ଠିତ ଦଳିତ ପାନ୍ଥେର୍ ଆନ୍ଦୋଳନରେ କିଛି ନକ୍‍ସଲ୍‍ପନ୍ଥୀ ମଧ୍ୟ ପଶିଥିଲେ । ମାତ୍ର ଆମ୍ବେଦକରଙ୍କର କମ୍ୟୁନିଜମ୍-ବିଦ୍ଵେଷ ହେତୁ ଏହି ପ୍ରଶ୍ନ ଉପରେ ଦଳିତ ପାନ୍ଥେର ଦୁଇଭାଗରେ ବିଭକ୍ତ ହେଲା । ନାମଦେବ ମୂଳରୁ ଦଳିତ ଆନ୍ଦୋଳନକୁ ଏକ ବୃହତ୍ତର ବ୍ୟାଖ୍ୟା ପ୍ରଦାନ କରିବାକୁ ଆଗ୍ରହୀଥିଲେ, ଓ ଏଥିପାଇଁ ସେ ମଧ୍ୟ ସଂଗ୍ରାମଶୀଳ ଥିଲେ । ମାତ୍ର ଅନ୍ୟ ରକ୍ଷଣଶୀଳ ଆମ୍ବେଦକରପନ୍ଥୀମାନେ ନାମଦେବଙ୍କୁ ଏହି ପ୍ରସଙ୍ଗରେ ବିରୋଧ କଲେ, ଏହି ବିଷୟରେ ଶ୍ରୀଯୁକ୍ତ ନାଇପଲ୍‍ଙ୍କୁ ନାମଦେବ କହନ୍ତି “ଦଳିତ ବୋଇଲେ ଯେ’ ସବୁ ଶୋଷିତଙ୍କୁ ବୁଝାଏ, କେବଳ ଅନୁସୂଚିତ ହରିଜନମାନଙ୍କୁ ନୁହେଁ, ମୁଁ ଏମିତି ଏକ ବ୍ୟାଖ୍ୟା ପ୍ରଦାନ କରିବାକୁ ଚେଷ୍ଟାକରିଥିଲି । ତୁମକୁ ଯଦି ସମାଜର ଅସ୍ପୃଶ୍ୟତାକୁ ଭାଙ୍ଗିବାକୁ ହେବ ତେବେ ତୁମକୁ ସମାଜର ମୁଖଧାରାରେ ନିଶ୍ଚୟ ସାମିଲ୍ ହେବାକୁ ହେବ । ମାତ୍ର ଦଳିତମାନଙ୍କ ମଧ୍ୟରେ ଥିବା ପ୍ରତିକ୍ରିୟାଶୀଳ ଲୋକମାନେ ସମାଜର ମୁଖ୍ୟଧାରା ମଧ୍ୟରେ ପ୍ରବେଶ କରିବାକୁ ଚାହୁଁ ନଥିଲେ । ସେମାନଙ୍କର ଆଦର୍ଶ ଥିଲା ଯେ, ସାମ୍ପ୍ରଦାୟିକ ଭାବନାକୁ ଉତ୍ପାଟନ କରିବାକୁ ନିଜକୁ ସମ୍ପ୍ରଦାୟିକ ହେବାକୁ ହେବ-। ଏବଂ ଏହି ଲୋକମାନେ ହିଁ ମୋତେ ଦଳିତ ଆନ୍ଦୋଳନରେ ଏକ ସଂଖ୍ୟାଲଘୁ ସ୍ଵରରେ ପରିଣତ କରାଇଥିଲେ” । (୬)

 

ଆପଣାର ସଦ୍ୟତମ ପ୍ରକାଶିତ ଗ୍ରନ୍ଥ “Reinventing Revolution”ରେ ଶ୍ରୀମତୀ ଗେଲ୍ ଓମଭେଟ୍ (Gail Omvet) ଆମ୍ବେଦକର ଓ ଦଳିତ ଆନ୍ଦୋଳନ ସମ୍ପର୍କରେ ଅନେକ କଥା ଲେଖିଛନ୍ତି । ଶ୍ରୀମତୀ ଓମଭେଟ୍‍ଙ୍କର ବିଚାରରେ ଏବେ ଆମ୍ବେଦକର ବିପ୍ଳବ ସାରା ଦେଶରେ ସବୁଠାରୁ ବଡ଼ ପ୍ରଭାବଶାଳୀ ବିପ୍ଳବ ଅଟେ । ରାଜନୈତିକ ପ୍ରକ୍ରିୟାରେ ଦଳିତ ଓ ଅନ୍ୟ ଅନୁନ୍ନତ ଜାତିର ଆବିର୍ଭାବ ଫଳରେ ବ୍ରାହ୍ମଣବାଦ ବିରୋଧରେ ସଂଗ୍ରାମ ପ୍ରବଳତର ହେଉଛି । ଉଚ୍ଚଜାତିର ଲୋକମାନେ ଏହି ଦେଶର ଉଚ୍ଚପଦ ପଦବୀରେ ଶତକଡ଼ା ୯୦ ଭାଗ ସ୍ଥାନ ହାସଲ କରିଛନ୍ତି । ଏହି ପରିପେକ୍ଷିରେ ଅନୁନ୍ନତ ଜାତିମାନଙ୍କର ଆନ୍ଦୋଳନ ଏହି ସାମାଜିକ ବୈଷମ୍ୟକୁ ଭାଙ୍ଗିବାକୁ ଉଦ୍ୟମ କରୁଛି ବୋଲି ଶ୍ରୀଯୁକ୍ତା ଓମଭେଟ୍ ଯୁକ୍ତି ବାଢ଼ୁଛନ୍ତି ଶ୍ରୀଯୁକ୍ତା ଓମଭେଟଙ୍କ ବିଶ୍ଳେଷଣରେ, ପ୍ରଥମେ ବିପ୍ଳବ କହିଲେ କେବଳ ପୁଞ୍ଜିପତି ଓ ସର୍ବହରା ମଧ୍ୟରେ ସଂଘର୍ଷକୁ ବୁଝାଉଥିଲା ଅଥବା ଜମିଦାର ଓ ଭୂମିହୀନ ମଧ୍ୟରେ ଲଢ଼ିବାକୁ ବୁଝାଉଥିଲା । ମାତ୍ର ଦଳିତ ଆନ୍ଦୋଳନ ଓ ସ୍ଥାନ ସଂରକ୍ଷଣ ନିମିତ୍ତ ମଣ୍ଡଳ କମିଶନ୍ ଲାଗୁହେବାପରେ ଜାତିଗତ ଆନ୍ଦୋଳନ ଏବେ ଏକ ନୂତନ ବିପ୍ଳବାତ୍ମକ ଶକ୍ତିରୂପେ ଭାରତର ରାଜନୈତିକ ଆକାଶରେ ମୁଣ୍ଡ ଟେକିଛି । ନାମଦେବ ଧାସାଲ୍‍ଙ୍କ ସହିତ ଆମର ଏହି ପରିଚିତ ପର୍ବରେ ଆମେ ଶ୍ରୀଯୁକ୍ତା ଓମଭେଟ୍‍ଙ୍କର ଏହି ବକ୍ତବ୍ୟକୁ ମନେରଖିବା ଉଚିତ ଯେ’ ଦଳିତମାନଙ୍କ ପାଇଁ ଏକ ଆଦର୍ଶ ସମାଜର କଳ୍ପନା ରାମରାଜ୍ୟର କଳ୍ପନା ନଥିଲା, ମାତ୍ର ବଳୀସ୍ଥାନର କଳ୍ପନା ଥିଲା । ଦଳିତ ଆନ୍ଦୋଳନର ଅନ୍ୟତମ ପୁରୋଗାମୀ ଉନବିଂଶ ଶତାବ୍ଦୀର ମରାଠୀ ମହାତ୍ମା ଶ୍ରୀଯୁକ୍ତ ଫୁଲେ ଗୋଟିଏ ଆଦର୍ଶ ସମାଜର ଚିତ୍ର ପ୍ରଦାନ କରିବାକୁ ଯାଇ ବଳୀସ୍ଥାନର କଥା କହିଥିଲେ ଯେଉଁଥିରେ ମହାବଳୀ ବଳୀ ରାଜତ୍ଵ କରିବେ, ଯାହାକୁ ବ୍ରାହ୍ମଣ ବାମନ ପାଦରେ ପାତାଳପୁରକୁ ଚାପି ଦେଇଥିଲେ । ଏହି ବଳୀସ୍ଥାନ ଭୂମି ସହିତ ଯୋଡ଼ାହୋଇଥିବା କ୍ଷେତକାରୀ ଓ ଦଳିତମାନଙ୍କର ସମାଜ ହେବବୋଲି ଶ୍ରୀଯୁକ୍ତା ଓମଭେଟ୍ ବ୍ୟାଖ୍ୟା କରିଛନ୍ତି । ଏବେ ଏହି ବଳୀସ୍ଥାନର କଳ୍ପନା ମହାରାଷ୍ଟ୍ରର କୃଷକ ଆନ୍ଦୋଳନ କ୍ଷେତକାରୀ ସଂଗଠନ ସମ୍ମୁଖରେ ମଧ୍ୟ ଏକ ଆଦର୍ଶ ସମାଜର ଚିତ୍ରରୂପେ ଅନେକଙ୍କୁ ଉଦ୍‍ବୁଦ୍ଧ କରୁଛି ବୋଲି ଶ୍ରୀମତୀ ଓମଭେଟ୍ ଆମକୁ କହିଛନ୍ତି ।

 

ଓମଭେଟ୍‍ଙ୍କର ବିଚାରରେ ଭାରତବର୍ଷର ସ୍ଵାଧୀନତା ଆନ୍ଦୋଳନ ମୂଳରୁ ଏକ ବ୍ରାହ୍ମଣ-କୈନ୍ଦ୍ରିକ ଓ ବ୍ରାହ୍ମଣ-ନିୟନ୍ତ୍ରିତ ଆନ୍ଦୋଳନ ଥିଲା । ଶ୍ରୀମତୀ ଓମଭେଟ୍ ବ୍ରାହ୍ମଣ ବିରୋଧୀ ଆନ୍ଦୋଳନକୁ ସଂପୂର୍ଣ୍ଣ ଭାବରେ ସମର୍ଥନ କରିଛନ୍ତି । ମାତ୍ର ବିରୋଧୀ ଆନ୍ଦୋଳନ ବ୍ରାହ୍ମଣମାନଙ୍କୁ କେମିତି ପ୍ରଭାବିତ କରିଛି ଏହି ସମ୍ପର୍କରେ ଶ୍ରୀଯୁକ୍ତା ନାଇପଲ୍ ମାଡ଼୍ରାସର ଜଣେ ଚୁଟିଯୁକ୍ତ ବ୍ରାହ୍ମଣ ସହ କଥୋପକଥନରେ ଆମକୁ ସୂଚାଇଛନ୍ତି । ଏହି କଥୋପକଥନରେ ଆମକୁ ଶ୍ରୀଯୁକ୍ତା ନାଇପଲ୍ କହୁଛନ୍ତି ଯେ’ ତାମିଲନାଡ଼ୁର ବ୍ରାହ୍ମଣ-ବିରୋଧୀ ଆନ୍ଦୋଳନ ପ୍ରଧାନତଃ ଏକ ମଧ୍ୟବର୍ତ୍ତୀ ବର୍ଗର ଆନ୍ଦୋଳନ ଥିଲା । ଯେଉଁମାନେ ଦ୍ରାବିଡ଼ସ୍ଥାନ ପାଇଁ ଆନ୍ଦୋଳନ କରୁଥିଲେ ସେମାନେ ଅବଶ୍ୟ ଆଦି-ଦ୍ରାବିଡ଼ ଅର୍ଥାତ୍ ଆଦିବାସୀମାନଙ୍କୁ ସମାନ ଅତ୍ୟାଚାର କରୁଥିଲେ ସେମିତି ଏବର ତଥାକଥିତ ଅନୁନ୍ନତ ଶ୍ରେଣୀୟ ଲୋକମାନେ ହରିଜନ ଓ ଆଦିବାସୀମାନଙ୍କୁ ନାନାରୂପେ ଅତ୍ୟାଚାରିତ କରି ରଖିଛନ୍ତି । ନାଇପଲ୍‍ଙ୍କ ସହିତ କଥାବାର୍ତ୍ତା କରିଥିବା ବ୍ରାହ୍ମଣ ଜଣକ କହିଛନ୍ତି ଯେ’ ତାମିଲନାଡ଼ୁରେ ଡି. ଏମ୍. କେ. ସରକାର ପ୍ରତିଷ୍ଠା ହେବାପରେ ମନ୍ଦିରମାନଙ୍କୁ ସମାନ ପ୍ରବେଶ ନାଆଁରେ ଏହାର ସୌନ୍ଦର୍ଯ୍ୟକୁ ନଷ୍ଟକରି ଦିଆଗଲା ଓ ଏହାର ସମ୍ପତ୍ତିକୁ ଲୁଟିନିଆଗଲା, ସଦାନନ୍ଦ ଜଣେ ବ୍ରାହ୍ମଣ ଶ୍ରୀଯୁକ୍ତ ନାଇପଲଙ୍କୁ କହନ୍ତି, “ମନ୍ଦିରଗୁଡ଼ିକ ମୂଳତଃ ଏକ ସାମାଜିକ ଅନୁଷ୍ଠାନ ରୂପେ ହିଁ ସୃଷ୍ଟି ହୋଇଥିଲା । ପ୍ରତ୍ୟେକ ମନ୍ଦିରର ଧାନ ଅମାର ଥିଲା, ଆପଣାର ସ୍କୁଲ ଥିଲା, ଜଳାଶୟ ଥିଲା, ମନ୍ଦିରଗୁଡ଼ିକ ମଧ୍ୟ କଳାର ପୃଷ୍ଠପୋଷକ ଥିଲେ । ମାତ୍ର ଡି. ଏମ୍. କେ ଏହିସବୁ ବିଷୟରେ ଏକ ନିଷ୍ଠୁର ସମୀକରଣରେ ଉପନୀତ ହେଲେ ଯେ, “ଏହି ଅନୁଷ୍ଠାନମାନେ (ଅଣ-ବ୍ରାହ୍ମଣମାନଙ୍କୁ ଶୋଷଣ କରିବାର କେନ୍ଦ୍ର) ମନ୍ଦିରକୁ ଶୋଷଣର ପ୍ରତୀକରୂପେ ଉପସ୍ଥାପିତ କରାଗଲା ଏବଂ ଏହାପରେ ଏହାର ସମଗ୍ର ଅବୟବକୁ କୌଣସି ବାଛବିଚାର ନ ରଖି ଭାଙ୍ଗିରୁଜି ଦିଆଗଲା” (୯) ।

 

ଆପଣାର ପୁସ୍ତକରେ ଶ୍ରୀଯୁକ୍ତା ନାଇପଲ୍ ଏମିତି ଅନେକଙ୍କ ସହ କଥାବାର୍ତ୍ତା କରିଛନ୍ତି । ବମ୍ବେରେ ସେ ଉଭୟ ମୁସଲମାନ କଠୋରବାଦୀ ଓ ଶିବସେନାର ଅନୁଗାମୀମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ବମ୍ବେର ମୁସଲମାନ ବସ୍ତିରେ ଯେଉଁ ଦାରିଦ୍ର୍ୟ ଓ ଭୟ ରହିଛି ଓ ଯୁବକମାନେ ଯେପରି ଅପରାଧର ଜୀବନ ଭିତରକୁ ବାଧ୍ୟ ହୋଇ ପ୍ରବେଶ କରୁଛନ୍ତି, ଏହାର ଏକ ନିଖୁଣ ଚିତ୍ର ଶ୍ରୀଯୁକ୍ତ ନାଇପଲ୍‍ଙ୍କର ବର୍ଣ୍ଣନାରୁ ମିଳେ । ଏହି ବସ୍ତିମାନଙ୍କରେ ଟିକିଏ କଥାରେ ଅନ୍ୟର ତଣ୍ଟି କାଟିବା ଏକ ନୀତିଦିନିଆ ଘଟଣା ଅଟେ । ମାତ୍ର ଅପରାଧରେ ଲିପ୍ତଥିବା ମୁସଲମାନ ଭାଇମାନେ ମଧ୍ୟ ନିୟମିତ ନମାଜ ପଢ଼ନ୍ତି ଓ ଆପଣାର ସମୁଦାୟ ପାଇଁ ନାନା କଲ୍ୟାଣମୂଳକ କାର୍ଯ୍ୟରେ ନିଯୋଜିତ ଥାଆନ୍ତି । ବମ୍ବେର ଶିବସେନା ଅନୁଗାମୀମାନେ ମଧ୍ୟ ଗଣନାଥଙ୍କୁ ପୂଜା କରନ୍ତି । ମାତ୍ର କଥା ପଡ଼ିଲେ ମୁସଲମାନ ବସ୍ତିମାନଙ୍କୁ ଜାଳିଦେବାକୁ କେହି ଗଣେଶ ଭକ୍ତମାନେ ସଙ୍କୋଚ କରନ୍ତିନାହିଁ । ଜଣେ ଶିବସେନା ଅନୁଗାମୀ ଶ୍ରୀଯୁକ୍ତ ନାଇପଲ୍‍ଙ୍କୁ କହନ୍ତି ଯେ, “ଗଣେଶଙ୍କର ପୂଜା-ଅର୍ଚ୍ଚନା ତାଙ୍କୁ ଅଧିକ ଆତ୍ମା-ବିଶ୍ଵାସ ପ୍ରଦାନ କରିଥାଏ ।”

 

ଆପଣାର ପୁସ୍ତକର ଉପସଂହାରରେ ଶ୍ରୀଯୁକ୍ତ ନାଇପଲ୍ ଆମକୁ କହୁଛନ୍ତି ଯେ, ଏବେ ସାରାଭରତବର୍ଷରେ ଏକ ଜାଗୃତିର ଉଦବେଳନ ସୃଷ୍ଟି ହୋଇଛି । ଏହି ଉଦବେଳନକୁ ସେ ୧୯୬୨ ମସିହାରେ ବୁଝିପାରି ନଥିଲେ ଯେତେବେଳେ ସେ ପ୍ରଥମ ଥର ପାଇଁ ଭାରତକୁ ଆସିଥିଲେ ଓ ଯେଉଁ ଭ୍ରମଣକୁ ପର୍ଯ୍ୟବସିତ କରି ସେ ତାଙ୍କର “An Area of Darkness” ପୁସ୍ତକ ଲେଖିଥିଲେ । ଶ୍ରୀଯୁକ୍ତ ନାଇପଲ୍‍ଙ୍କ ଭାଷାରେ-“ସିପାହୀ ବିଦ୍ରୋହର ୧୩୦ ବର୍ଷପରେ.....ସ୍ଵାଧୀନତାର ମନ୍ତ୍ର ଏବେ ସର୍ବତ୍ର ନିନାଦିତ । ଭାରତବର୍ଷର ସ୍ଵାଧୀନତା ହାସଲ ଉପରେ ଥିବା ବଡ଼ବଡ଼ିଆମାନଙ୍କ ଦ୍ଵାରା ହୋଇଥିଲା, ମାତ୍ର ଏହା ଯେଉଁ ସ୍ଵାଧୀନତାକୁ ଜନ୍ମଦେଇଛି ଏହା ସମାଜର ତାଳସ୍ତରକୁ ମଧ୍ୟ ସ୍ପର୍ଶ କରିଛି । ଏବେ ସବୁଆଡ଼େ ଲୋକମାନେ ଆପଣାର ପରିଚୟ ଓ ଅଧିକାର ବିଷୟର ସଚେତନ [“Peaople everywhere have ideas now of who they are and what they are themselves”] (୧୦) । ସ୍ଵାଧୀନତାପରେ ଯେଉଁ ଅର୍ଥନୈତିକ ବିକାଶ ସମ୍ଭବ ହେଲା ତା’ଫଳରେ ଜାଗୃତିର ଏହି ପ୍ରକ୍ରିୟା ଅଧିକ ତ୍ୱରାନିତ ହେଲା; ଏହି ଜାଗୃତି ୧୯୬୨ ମସିହାରେ ଲୁକକାୟିତ ଥିଲ । ମାତ୍ର ଏବେ ଏହା ଅନେକ ସ୍ପଷ୍ଟରୂପେ ପ୍ରକାଶିତ । ମାତ୍ର ଭାରତବର୍ଷର ଦୁଃଖ ଓ ନିର୍ଯ୍ୟାନତାର ସ୍ଥିରୀକୃତ ସମାଜରେ ଏହି ଜାଗୃତି କେବଳ ଏକ release ରୂପେ ଆସିଲା ନାହିଁ । ମାନସିକତାର ଏହି ମୁକ୍ତି ପ୍ରତିଷ୍ଠିତ ବ୍ୟବସ୍ଥାକୁ ନ ଦୋହଲାଇ ଆସିପାରିନଥାନ୍ତା । ସ୍ଵାଧୀନତାର ସାଂପ୍ରତିକ ଜାଗରଣ ଏକ କ୍ରୋଧ ଓ ବିପ୍ଳବରୂପେ ରୂପନେବାକୁ ବାଧ୍ୟଥିଲା, ଖାସ୍‍ ସେଇଥିପାଇଁ ହୁଏତ ଭାରତ ହେଉଛି ସହସ୍ର କ୍ଷୁଦ୍ର କ୍ଷୁଦ୍ର ବିଦ୍ରୋହର ଦେଶ “India is now a country of a million little mutinies” । (୧୧)

 

ସାମ୍ପ୍ରତିକ ଭାରତବର୍ଷର ରାଜନୀତି ଓ ସହସ୍ର ବିପ୍ଳବ

 

ସାମ୍ପ୍ରତିକ ଭାରତବର୍ଷରେ ଘଟୁଥିବା ସହସ୍ର ବିପ୍ଳବକୁ ବୁଝିବାକୁ ହେଲେ ଆମେ କେତୋଟି ଆନ୍ଦୋଳନକୁ ଅଧିକ ଗଭୀରଭାବେ ବୁଝିବାକୁ ଚେଷ୍ଟା କରିପାରିବା । ଏଠାରେ ଆମେ ମୁଖ୍ୟତଃ ତିନୋଟି ଆନ୍ଦୋଳନକୁ ଆଲୋଚନା କରିବା । ସେଗୁଡ଼ିକ ହେଉଛନ୍ତି : କୃଷକ ଆନ୍ଦୋଳନ, ଜନବିଜ୍ଞାନ ଆନ୍ଦୋଳନ ଓ ମହିଳା ଜାଗୃତିର ଆନ୍ଦୋଳନ ।

 

କୃଷକ ଆନ୍ଦୋଳନ : କ୍ଷେତକାରୀ ସଂଗଠନରୁ ଭାରତୀୟ କିଷାନ୍ ଯୁନିୟନ୍ (୧୨)

 

୧୯୭୨ ମସିହାରେ ତାମିଲନାଡ଼ୁର ତାନାଭୁର୍ ଜିଲ୍ଲାରେ ଏକ ବଡ଼ ଧରଣର କୃଷକ ଆନ୍ଦୋଳନ ହୋଇଥିଲା । ଏଥିରେ କୃଷକମାନେ ଆପଣାର କୃଷିଜାତଦ୍ରବ୍ୟ ପାଇଁ ଅଧିକ ମୂଲ୍ୟ ଦେବାକୁ ଓ ସେମାନଙ୍କୁ ଦେବାକୁ ପଡ଼ୁଥିବା ନାନା ଟିକସକୁ କମାଇ ଦେବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ । ଆନ୍ଦୋଳନକାରୀମାନେ ଦୀର୍ଘ ଦୁଇଦିନ ସରକାରୀ ଅଫିସଗୁଡ଼ିକୁ ଅବରୁଦ୍ଧ କରି ରଖିଥିଲେ ଓ କୟାମ୍ବୁଟର୍ ସହରରେ ପ୍ରାୟ ତିରିଶ ହଜାର ବଳଦଗାଡ଼ି ଆଣି ରାସ୍ତା ଅବରୋଧ କରିଥିଲେ । ଏହି ଆନ୍ଦୋଳନ ତାମିଲନାଡ଼ୁର କୃଷକ ସଂଘ, ତାମିଲଗା ବ୍ୟବସାୟିକ ସଂଘ ଦ୍ଵାରା ଆୟୋଜିତ ହୋଇଥିଲା । ସେହି ବର୍ଷ ମଧ୍ୟ ଗୁଜୁରାଟର କୃଷକମାନେ ସମାଜ ପ୍ରକାରର ଦାବି ପୂରଣ ପାଇଁ ଗୁଜୁରାଟ କ୍ଷେତୁ ସମାଜ ନାମକ ଏକ ସଂଗଠନ ମାଧ୍ୟମରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ । ୧୯୭୨ରୁ ୧୯୭୪ ମସିହା ମଧ୍ୟରେ ପଞ୍ଜାବର କୃଷକମାନେ ମଧ୍ୟ ଜିମ୍ମିଦାରା ଯୁନିୟନ୍ ନାମକ ସଂସ୍ଥାଟିଏ ଗଢ଼ିଥିଲେ । ପଞ୍ଜାବର କୃଷକମାନେ ସେଠାରେ ସବୁଜ ବିପ୍ଳବ ପରେ ନୂଆ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେମାନେ ସରକାରୀ ଅଫିସରମାନଙ୍କ ଉପରେ ପାଣିଠାରୁ ଆରମ୍ଭ କରି ଋଣ ପର୍ଯ୍ୟନ୍ତ, ଏବଂ ଏପରିକି ନିଜ ନିଜର କୃଷିଜାତଦ୍ରବ୍ୟକୁ ବିକ୍ରୀକରିବା ପାଇଁ, ଅଧିକରୁ ଅଧିକ ନିର୍ଭର କରିବାକୁ ବାଧ୍ୟହେଲେ । ସେମାନଙ୍କର ଜୀବନ ଓ ଉତ୍ପାଦନ ପ୍ରକ୍ରିୟାରେ ସରକାରୀବାବୁମାନଙ୍କର କ୍ରମବର୍ଦ୍ଧମାନ ପ୍ରଭାବ ଓ ନିୟନ୍ତ୍ରଣରୁ ସେମାନେ ବୁଝିପାରିଲେ ଯେ, ସେମାନେ ଏବେ ଗୋଟିଏ ନୂଆ ପ୍ରକାରର ଦାସତ୍ଵରେ ବନ୍ଧାହେଉଛନ୍ତି । ଏହି ରାଜତ୍ଵ କେବଳ ଜମିଦାରର ରାଜତ୍ଵ ନୁହେଁ, ଏହା ବାବୁମାନଙ୍କର ରାଜତ୍ଵ, ନିଜ ଘରକୁ ଗହମ ଲେଭିରେ ଜିଣିବାକୁ ଆସୁଥିବା କିରାଣିରେ ରାଜତ୍ଵ । ଯାହାକୁ ଲାଞ୍ଚ ନଦେଲେ ସିଏ ନିଜେ ଫଳାଇଥିବା ଭଲ ଗହମକୁ ଖରାପ କହି ମଧ୍ୟ ଫେରାଇଦେବ । ଭାରତବର୍ଷରେ କୃଷକ ଆନ୍ଦୋଳନ ମାଧ୍ୟମରେ ଯେଉଁ ବିପ୍ଳବର ଜନ୍ମ ହେଲା ଏହା ସରକାର, ରାଷ୍ଟ୍ର ଓ ଏହାର ବାବୁମାନଙ୍କର ଗ୍ରାମ୍ୟ ଜୀବନରୁ ସବୁକିଛି ଅଳ୍ପଦାମରେ ଝାଡ଼ୁଝୁଡ଼ି ନେଇଯିବାର ପ୍ରକ୍ରିୟା ବିରୁଦ୍ଧରେ ଏକ ଆନ୍ଦୋଳନ ଥିଲା ।

 

ଏହି ଆନ୍ଦୋଳନ ମହାରାଷ୍ଟ୍ରରେ କ୍ଷେତକାରୀ ସଂଗଠନରୂପେ ୧୯୮୦ ମସିହାରେ ଜନ୍ମନେଲା । ବିଭିନ୍ନ ଜାତି, ଶ୍ରେଣୀ ଓ ଲିଙ୍ଗର ମଣିଷ, ମହିଳାକୁ ନେଇ ଭାରତୀୟ ଗ୍ରାମ ଜୀବନକୁ ସୁନ୍ଦର କରିବା ପାଇଁ କ୍ଷେତକାରୀ ସଂଗଠନ ହେଉଛି ଏକ ଅନନ୍ୟ ଉଦ୍ୟମ । ଏହି ଆନ୍ଦୋଳନର ପ୍ରଭାବଶାଳୀ ଓ ବହୁଚର୍ଚ୍ଚିତ ନେତା ହେଉଛନ୍ତି ଶ୍ରୀଯୁକ୍ତ ଶରତ ଯୋଷୀ, ଯିଏ ପୁନା ନିକଟରେ ଆପଣାର ପିଆଜ ଚାଷ ଆରମ୍ଭ କରିବା ପୂର୍ବରୁ ଜେନେଭାସ୍ଥିତ ଆନ୍ତର୍ଜାତିକ ଶ୍ରମ ସଂସ୍ଥାନର ଏକ ବରିଷ୍ଠ ଅଧିକାରୀ ଥିଲେ । ଶ୍ରୀଯୁକ୍ତ ଯୋଷୀଙ୍କର ନେତୃତ୍ଵରେ ପ୍ରଥମେ ମହାରାଷ୍ଟ୍ରର ପିଆଜ ଚାଷୀମାନେ ଅଧିକ ଦର ଓ କମ୍ ଟିକସ୍ ପାଇଁ ଆନ୍ଦୋଳନ କରିଥିଲେ । ଏହାପରେ ବିଦର୍ଭ ଅଞ୍ଚଳର କପା ଚାଷୀମାନେ ମଧ୍ୟ ଏହି ଆନ୍ଦୋଳନରେ ଯୋଗଦେଇଥିଲେ । ଏହି ଆନ୍ଦୋଳନରେ ଶରତ ଯୋଷୀ ଭାରତର କୃଷକମାନଙ୍କ ତରଫରୁ ଇଣ୍ଡିଆର ସରକାର, କିରାଣୀତନ୍ତ୍ର ଓ ରାଷ୍ଟ୍ର ବ୍ୟବସ୍ଥା ବିରୁଦ୍ଧରେ ଯୁଦ୍ଧଘୋଷଣା କଲେ । ଶ୍ରୀଯୁକ୍ତ ଯୋଷୀ କୃଷକମାନଙ୍କ ନିକଟରେ ଉପସ୍ଥାପନ କଲେ ଯେ, ସାଂପ୍ରତିକ ଭାରତବର୍ଷରେ ପ୍ରଧାନ ବିଭେଦ ହେଉଛି ଭାରତ ଓ India ମଧ୍ୟରେ । ଭାରତର ଗାଆଁମାନଙ୍କୁ ଇଣ୍ଡିଆର ବାବୁମାନେ ଦାସତ୍ଵର ବନ୍ଧନରେ ବାନ୍ଧି ରଖିଛନ୍ତି । ଏମାନେ ଭୂମିରେ ଫଳୁଥିବା ଶସ୍ୟର ଦାମ ନିୟନ୍ତ୍ରଣ କରୁଛନ୍ତି, ଗାଆଁକୁ କେତେ ପଇସା ଦିଆଯିବ ଓ ଏହି ପଇସା କିପରି ଖର୍ଚ୍ଚ ହେବ ଏହାର ନିଷ୍ପତ୍ତି ଏବେ ଇଣ୍ଡିଆର ହାତରେ । କ୍ଷେତକାରୀ ସଂଗଠନର ବିଚାରରେ ଇଣ୍ଡିଆର ଭାରତ ଉପରେ ଏହି ଶାସନ ଇଷ୍ଟଇଣ୍ଡିଆ କମ୍ପାନୀର ବିଦେଶୀ ଶାସନଠାରୁ ଗୁଣରେ ଭିନ୍ନ ନୁହେଁ । ଶ୍ରୀଯୁକ୍ତ ଯୋଷୀଙ୍କ ବିଚାରରେ ଭାରତର ବ୍ୟକ୍ତିପାଇଁ ଓ ଭୂମିଜୀବୀ ଭାରତୀୟମାନଙ୍କର ଶ୍ରମ ଓ ଉତ୍ପାଦନକୁ ଯଥାର୍ଥ ସମ୍ମାନ ଦେଉଥିବା ଏକ ଆଦର୍ଶ ବଳୀରାଜ୍ୟ ପ୍ରତିଷ୍ଠା ପାଇଁ ଆମ ସଭିଙ୍କୁ ସଂଗ୍ରାମଶୀଳ ହେବାକୁ ହେବ ।

 

ଦୟାଳୁ ଓ ପ୍ରଜାପ୍ରିୟ ଶାସକ ବଳୀ ଓ ତାଙ୍କର ବଳୀରାଜ୍ୟ ଭାରତବର୍ଷରେ ଅନେକଙ୍କୁ–ବିଶେଷକରି କେରଲ, ତାମିଲନାଡ଼ୁ ଓ ମହାରାଷ୍ଟ୍ରରେ–ଏକ ଆଦର୍ଶ ସମାଜର ପ୍ରତିଷ୍ଠାପାଇଁ ସ୍ଵପ୍ନାବିଷ୍ଟା କରାଇଛି । ମହାରାଷ୍ଟ୍ରର ଦଳିତ ସନ୍ଥ ଜ୍ୟୋତି ବା ଫୁଲେ ବଳୀରାଜ୍ୟର ସ୍ଥାପନା କଥା ମଧ୍ୟ କହିଥିଲେ । ଏବେବି’ କେରଳର ଅଗଣିତ ଜନତା ପ୍ରତିବର୍ଷ ମହାମହିମ ବଳୀଙ୍କର ପ୍ରତ୍ୟାବର୍ତ୍ତନ ପାଇଁ କେତେ ସରାଗରେ ଓ ନାମ ମହୋତ୍ସବ ଦିନ ଦୀପଟିଏ ଜାଳି ଅପେକ୍ଷା କରନ୍ତି, କ୍ଷେତକାରୀ ସଂଗଠନ ରାଜା ବଳୀଙ୍କୁ ଆଦର୍ଶରୂପେ ମାନି ଏକ ବଳୀରାଜ୍ୟ ସ୍ଥାପନ କରିବାର ସ୍ଵପ୍ନଦେଖେ ଯେଉଁଥିରେ ସ୍ଵପ୍ନାବିଷ୍ଟ ପୁରୁଷ ଓ ମହିଳାମାନେ ଗାଧାନ୍ତି “ଇଡ଼ା ପିଡ଼ା ତାଲ୍‍ନାର୍, ବଳୀରାଜା ୟେନାର ।” କ୍ଷେତକାରୀ ସଂଗଠନ ଏହି ବଳୀରାଜ୍ୟ ସ୍ଥାପନାରେ ଦଳିତ, ମଧ୍ୟମ ବର୍ଗର ଜାତି, ଉଚ୍ଚଜାତି ଓ ମହିଳା ସମସ୍ତଙ୍କୁ ଏକ ସୃଜନଶୀଳ ପ୍ରକ୍ରିୟାରେ ସଂଶ୍ଲିଷ୍ଟ କରିପାରିଛି । ଏହି ଉଦ୍ୟମରେ କ୍ଷେତକାରୀ ସଙ୍ଗଠନକୁ ଉଭୟ ରାମଭକ୍ତ ଓ ଶିବଭକ୍ତଙ୍କୁ ଟକକର ଦେବାକୁ ହୋଇଛି ଯେଉଁମାନେ ରାମ ଓ ଶିବଙ୍କ ନାଆଁରେ ଧର୍ମ, ଧର୍ମ ଓ ଜାତି, ଜାତି ଭିତରେ ବିଭେଦ ସୃଷ୍ଟି କରୁଛନ୍ତି-। ମହାରାଷ୍ଟ୍ରରେ କ୍ଷେତକାରୀ ସଂଗଠନ ଶିବସେନା ବିରୁଦ୍ଧରେ ସଂଗ୍ରାମ କରିଆସୁଛି-। ଏହି ସଂଗ୍ରାମରେ କ୍ଷେତକାରୀ ସଙ୍ଗଠନକୁ ମରାଠୀ ଓ ଭାରତୀୟ ସଂସ୍କୃତିର ଏକ ନୂତନ ଚିତ୍ର ଜନତାଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ହୋଇଛି । କ୍ଷେତକାରୀ ସଂଗଠନର ସଂସ୍କୃତିର ପୁନଃବାଖ୍ୟାରେ ଶିବାଜୀ ଜଣେ କୃଷକ ରାଜାରୂପେ ବର୍ଣ୍ଣିତ ହୁଅନ୍ତି ଯିଏ କୃଷକମାନଙ୍କର ଅଭ୍ୟୁତ୍‍ଥାନ ପାଇଁ ଅନେକ କାମ କରିଥିଲେ । ଠିକ୍ ସେହିପରି ଦଳିତ ସନ୍ଥ ଜ୍ୟୋତିକା ଫୁଲେ ଓ ଆମ୍ବେଦକର ମଧ୍ୟ କ୍ଷେତକାରୀ ସଂଗଠନ ପ୍ରଚାର କରୁଥିବା ଗ୍ରାମ-କୈନ୍ଦ୍ରିକ ଭାରତୀୟ ପରମ୍ପରାର ଆଦର୍ଶ ପୁରୁଷ ରୂପେ ଚିତ୍ରିତ ହୁଅନ୍ତି । ଏହି ସାଂସ୍କୃତିକ ପ୍ରୟାସ ଶିବସେନା ଭଳି ସାମ୍ପ୍ରଦାୟିକ ଶକ୍ତିକୁ ମୁକାବିଲା କରିବା ପାଇଁ କ୍ଷେତକାରୀ ସଙ୍ଗଠନକୁ ସାହାଯ୍ୟ କରେ । ଆଜିର ସାମ୍ପ୍ରଦାୟିକ ଶିକ୍ତିମାନେ ଆମର ସାଂସ୍କୃତିକ ପ୍ରତୀକ ଯଥା ରାମ, କୃଷ୍ଣଙ୍କୁ ନେଇ ରାଜନୀତି କରୁଛନ୍ତି । ଏହି ସାଂପ୍ରତିକ ଶକ୍ତିମାନଙ୍କର ମୁକାବିଲା କେବଳ ରାଜନୀତିଦ୍ଵାରା ହୋଇପାରିବ ନାହିଁ । ଏଥିପାଇଁ ଲୋକମାନଙ୍କୁ ମଧ୍ୟ ଏକ ବିକଳ୍ପ ସାଂସ୍କୃତିକ ଆନ୍ଦୋଳନରେ ସଂଶ୍ଳିଷ୍ଟ କରାଇବାକୁ ହେବ ଯେଉଁ ସାଂସ୍କୃତିକ ଆନ୍ଦୋଳନ ଲୋକମାନଙ୍କ ହୃଦୟରେ ପରିଚିତ ସାଂସ୍କୃତିକ ପ୍ରତୀକଗୁଡ଼ିକୁ ସତ୍ୟ, ଶିବ ଓ ସୁନ୍ଦରର ପ୍ରତୀକରୂପେ ଶ୍ରଦ୍ଧାକରିବାକୁ ଆବେଗ ସ୍ପଷ୍ଟ କରିବ ଓ ଲୋକମାନଙ୍କ ମଧ୍ୟରେ ଆମର ପରିଚିତ ପ୍ରତୀକ ଓ ଚିତ୍ରକଳ୍ପମାନଙ୍କର ସାଂପ୍ରତିକ ରାଜନୀତିକରଣକୁ ପ୍ରତିହିତ କରିବାକୁ ସାହସ ସଞ୍ଚାର କରିବ-

 

ସାରା ପୃଥିବୀରେ ଏବେ ସଂସ୍କୃତିକୁ ନେଇ ରାଜନୀତି କରିବାର ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହୋଇଛି । ଯାହାକୁ ସମୀକ୍ଷକମାନେ ସାଂସ୍କୃତିକ ରାଜନୀତି ବା “Cultural Politics” ବୋଲି କହିଥାନ୍ତି (୧୩) । ଏହି ରାଜନୀତିର ଦୁଇଟି ଦିଗ ରହିଛି—ଗୋଟିଏ ହେଉଛି ରକ୍ଷଣଶୀଳ ଦିଗ ଯେଉଁଥିରେ ସଂସ୍କୃତିକୁ ନେଇ ରାଜନୀତି କରୁଥିବା ନେତାମାନେ ସଂସ୍କୃତିକୁ ଆପଣାର କ୍ଷମତା ଲାଳସାର ଚରିତାର୍ଥ ପାଇଁ ଏକ ସମ୍ପତ୍ତି ଓ ଅସ୍ତ୍ରରୂପେ ବ୍ୟବହାର କରିଥାନ୍ତି; ଓ ଅନ୍ୟଟି ହେଉଛି ଏକ ରୂପାନ୍ତରକାରୀ ଦିଗ ଯେଉଁଥିରେ ସଂସ୍କୃତିରେ ଥିବା ସ୍ଵାଭାବିକ ସୌନ୍ଦର୍ଯ୍ୟ, ସୌଷ୍ଟବ ଓ ସର୍ବଜନହିତାୟ ସମ୍ଭାବନାକୁ ବାସ୍ତବତାରେ ପରିଣତ କରିବା ପାଇଁ ସମାଜସେବୀମାନେ ସାଧକ ହିସାବରେ ସଂସ୍କୃତିକୁ ନେଇ ରାଜନୀତି କରନ୍ତି । କହିବା ବାହୁଲ୍ୟ ଯେ ପ୍ରଥମ ପ୍ରକାରର ରାଜନୀତି ହେଉଛି ବିଭାଜନ ଓ ସ୍ଥିତାବସ୍ଥା ବଜାୟ ରଖିବାର ରାଜନୀତି, ଓ ଦ୍ଵିତୀୟ ପ୍ରକାରର ରାଜନୀତି ହେଉଛି ଏକ ସୁନ୍ଦର ସମାଜ ନିର୍ମାଣ କରିବାର ରାଜନୀତି, ରୂପାନ୍ତରୀକରଣର ରାଜନୀତି । କ୍ଷେତକାରୀ ସଂଗଠନ କ୍ଷମତା ରାଜନୀତି ମଧ୍ୟରେ ପ୍ରବେଶ କରୁଥିଲେ ମଧ୍ୟ ଏହା ଦ୍ଵିତୀୟ ପ୍ରକାରର ରାଜନୀତିରେ ଅଧିକ ପ୍ରୟାସୀ ବୋଲି ଆମକୁ ଏହା ସଂଗଠନର ଜଣେ ବିଦୁଷୀ ମହିଳା ଶ୍ରୀମତୀ ଗେଲ୍ ଓମଭେଟଙ୍କର ଆଲୋଚନାରୁ ଜଣାପଡ଼େ । ମହାରାଷ୍ଟ୍ରରେ ବି.ଜେ.ପି. ଓ ଶିବସେନାକୁ ହରାଇବା ପାଇଁ ଗଲା ନିର୍ବାଚନରେ କ୍ଷେତକାରୀ ସଂଗଠନ ଜନତାଦଳ ଟିକେଟରେ କେତେକ ଆସନରୁ ଲରହିଥିଲା । ବି.ଜେ.ପି.ର ସାଂପ୍ରତିକ ସାଂସ୍କୃତିକ ରାଜନୀତିରେ ମହାପ୍ରଭୁ ରାମଚନ୍ଦ୍ର ରାମଲାଲା ହୋଇଛନ୍ତି, ଯୁଗଯୁଗଧରି ପ୍ରଚଳିତ ଜୟ ସୀତାରାମ ଧ୍ୱନିରୁ ସୀତା କୁଆଡ଼େ ଉଭାଇ ଯାଇ ଏବେ କେବଳ “ଜୟ ଶ୍ରୀରାମ” ସ୍ଲୋଗାନ ଶୁଣିବାକୁ ମିଳୁଛି ଓ କାନ୍ଥ ବାଡ଼ରେ ପଢ଼ିବାକୁ ପଡ଼ୁଛି; “ଯୋ ରାମକୋ ଟକରାୟେଗା, ୱହ ମିଟଟମେଁ ମିଲ୍ ଜାୟେଗା” । ମାତ୍ର କ୍ଷେତକାରୀ ସଂଗଠନର ସଂସ୍କୃତିକ ରାଜନୀତିରେ ସୀତାଙ୍କର ଭକ୍ତିପୂତ ଅର୍ଚ୍ଚନା ହେଉଛି, ଯେଉଁ ସୀତା ଭୂମିକନ୍ୟା ଥିଲେ ଓ ଯିଏ ରାମଚନ୍ଦ୍ରଦ୍ଵାରା ବିତାଡ଼ିତ ହୋଇ ଓ ଅନେକ ଦୁଃଖକଷ୍ଟରେ ଥାଇ ମଧ୍ୟ ଲବ, କୁଶକୁ ପାଳନ କରିଥିଲେ ।

 

କ୍ଷେତକାରୀ ସଙ୍ଗଠନରେ ଭୂମିକନ୍ୟା ସୀତାଙ୍କର ଆରାଧନା କ୍ଷେତକାରୀ ସଂଗଠନକୁ ଏକ ଅନନ୍ୟ ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନରେ ପରିଣତ କରିଛି ଯେଉଁଥିରେ ଉଭୟେ ପୁରୁଷ ଓ ମହିଳା ସମାଜର ଚିରାଚରିତ କଷଣରୁ ନାରୀମାନଙ୍କୁ ମୁକ୍ତି ଦେବାକୁ ପ୍ରୟାସୀ । କ୍ଷେତକାରୀ ସଂଗଠନ ହେଉଛି ସମ୍ଭବତଃ ସାମ୍ପ୍ରତିକ ଭାରତର ଏକମାତ୍ର ଜନ ଆନ୍ଦୋଳନ ଯେଉଁଥିରେ ନାରୀମାନେ ଏତେ ସଂଖ୍ୟାରେ ଭାଗନେଇଛନ୍ତି । ୧୯୮୯ ମସିହାରେ ମହାରାଷ୍ଟ୍ରର ଚାନ୍ଦୱାହ ନାମକ ସ୍ଥାନରେ ଏକ ବଡ଼ ଧରଣର ଜନ ସମାବେଶ ହୋଇଥିଲା ଯେଉଁଥିରେ ଗ୍ରାମୀଣ ମହିଳାମାନେ ବହୁ ସଂଖ୍ୟାରେ ଭାଗନେଇଥିଲେ । ଏହି ସମାବେଶ କ୍ଷେତକାରୀ ସଂଗଠନ ନାରୀମାନଙ୍କ ସମସ୍ୟାପ୍ରତି ଅଧିକ ଜାଗ୍ରତ କରାଇଥିଲା । ଏହା କ୍ଷେତକାରୀ ସଂଗଠନର ମହିଳା ଶାଖା କ୍ଷେତକାରୀ ମହିଳା ଅଗଡ଼ିକୁ ମଧ୍ୟ ଅଧିକ କ୍ରିୟାଶୀଳ କରାଇଥିଲା । ଏହା ମହାରାଷ୍ଟ୍ରରେ ଲକ୍ଷ୍ମୀମୁକ୍ତି ଆନ୍ଦୋଳନକୁ ଜନ୍ମଦେଇଥିଲା, ଯେଉଁଥିରେ ମହିଳାମାନଙ୍କୁ ସେମାନଙ୍କର ସମ୍ପତ୍ତିର ସ୍ଵତ୍ୱ ପ୍ରଦାନ କରିବାକୁ ଏବଂ ପରିବାରର ସମ୍ପତ୍ତି ଉଭୟ ସ୍ଵାମୀ ଓ ସ୍ତ୍ରୀ ନାମରେ ପଟ୍ଟାକରି ଲକ୍ଷ୍ମୀମାନଙ୍କୁ ମୁକ୍ତି ପ୍ରଦାନ କରିବାକୁ ପ୍ରୟାସ କରାଯାଉଛି । ଏହି କ୍ଷେତ୍ରରେ ମହାରାଷ୍ଟ୍ରର ଜାଳଗାଓଁ ଜିଲ୍ଲାର ତାପ୍ତିନଦୀ ତଟରେ ଅବସ୍ଥିତ ଭିଣ୍ଟର୍‍ ନାମକ ଗ୍ରାମରେ ଏକ ପ୍ରଶଂସନୀୟ କାର୍ଯ୍ୟ ହୋଇଥିଲା । ଏହି ଗ୍ରାମରେ ଇନ୍ଦିରାବାଇ ପଟେଲ ନାମକ ଜଣେ ଭଦ୍ର ମହିଳାଙ୍କ ଉଦ୍ୟମ ଫଳରେ ଶହେ ଶତେଇଶ ଜଣ ପୁରୁଷ ଆପଣାର ସମ୍ପତ୍ତିର ଅଧାକୁ ନିଜ ନିଜର ସ୍ତ୍ରୀ ନାମରେ ନାମିତ କରିଥିଲେ । ଏହି ପ୍ରସଙ୍ଗରେ ସ୍ମରଣଯୋଗ୍ୟ ଯେ ଏହି ଗ୍ରାମର ପଞ୍ଚାୟତରେ କେବଳ ମହିଳାମାନେ ସଦସ୍ୟଥିଲେ ।

 

ଏହି କ୍ଷେତ୍ରରେ ମଧ୍ୟ ଆମେ ମହାରାଷ୍ଟ୍ରର ବାମପନ୍ଥୀ ଶ୍ରମିକ ଆନ୍ଦୋଳନ ଶ୍ରମିକ ମୁକ୍ତିଦଳର ମହିଳା ସଂଗଠନ ସ୍ତ୍ରୀ ମୁକ୍ତି ସଙ୍ଘର୍ଷର କାର୍ଯ୍ୟକ୍ରମ ବିଷୟରେ ଅବହିତ ହୋଇପାରିବା, ସ୍ତ୍ରୀ ମୁକ୍ତି ସଂଘର୍ଷର ଉଦ୍ୟମରେ ମରୁଡ଼ି ପ୍ରପୀଡ଼ିତ ଖାନାପୁର ତାଲୁକାରେ ଗ୍ରାମର କୃଷକମାନେ ଶୁଷ୍କ ହୋଇଯାଇଥିବା କୃଷ୍ଣାନଦୀ ବକ୍ଷରେ ୧୯୮୯ ମସିହାରେ ବନ୍ଧଟିଏ ନିର୍ମାଣ କରିଥିଲେ । ବାଲୱାର୍ଡ଼ ଓ ତାଣ୍ଡୁଲିୱାଡ଼ି ଗ୍ରାମରେ ଗ୍ରାମର ପୁରୁଷ ଓ ମହିଳାମାନେ ଏହି କ୍ଷୁଦ୍ର ବନ୍ଧଟି ନିର୍ମାଣ କରିଥିଲେ । ଏହି ଗ୍ରାମର ଲୋକମାନଙ୍କୁ ଶୁଖିଯିବା ନଦୀଶଯ୍ୟାରୁ ବାଲି ଉଠାଇ କଣ୍ଟ୍ରାକ୍ଟରଠାରୁ ଦୁଇ ପଇସା ରୋଜଗାର କରିବାକୁ ହେଉଥିଲା । ଯେତେବେଳେ ଗ୍ରାମର ମଣିଷମାନେ ପାଣି ଟୋପାଏ ପାଇଁ ହାହାକାର କରୁଥିଲେ ସେତେବେଳେ କଣ୍ଟ୍ରାକ୍ଟରମାନେ ଏହି ବିପର୍ଯ୍ୟୟରୁ ଲାଭ ଉଠାଇବାରେ ତତ୍ପର ଥିଲେ, ଅର୍ଥାତ୍ ବାଲିକୁ ଟ୍ରକରେ ଉଠାଇ ସହରକୁ ପଠାଇବାରେ ବ୍ୟସ୍ତ ଥିଲେ ସ୍ତ୍ରୀ ମୁକ୍ତି ସଂଘର୍ଷର କ୍ରିୟାଶୀଳ କର୍ମୀମାନେ ଥରେ ରାତିରେ ଏହି ବିଷୟରେ ଆଲୋଚନା କଲେ । ଏହି ଆଲୋଚନାରେ ସେମାନେ ବୁଝିପାରିଲେ ଯେ’ ନଦୀତଟରୁ ସବୁ ବାଲିକୁ ଉଠାଇଦେଲେ ଏହା ନିକଟସ୍ଥ ଭୂମିର ଜଳଧାରଣ କ୍ଷମତାକୁ ନଷ୍ଟକରିଦେବ । କଣ୍ଟ୍ରାକ୍ଟର ପାଖରୁ ଦୁଇ ପଇସା ପାଇବା ପାଇଁ ଗାଆଁରୁ ବାଲିସବୁକୁ ଦୂରକୁ ଫିଙ୍ଗି ନଦେଇ ସେମାନେ ବନ୍ଧଟିଏ ନିର୍ମାଣ କରିବା କଥା ଭାବିଲେ ଯାହା ଫଳରେ ଦୁଇଗାଆଁର ଲୋକମାନେ ପିଇବାପାଣି ମୁନ୍ଦିଏ ପାଇପାରିବେ, ଆପଣା ଚାଷଜମିରେ କିଛି ଶସ୍ୟ ମଧ୍ୟ ଫଳାଇ ପାରିବେ, ମାତ୍ର ଏହି ବନ୍ଧନିର୍ମାଣ ସେମାନେ ନିଜେ ହିଁ କରିବେ, ସରକାରଙ୍କୁ ଏଥିପାଇଁ ହାତପାତିବେ ନାହିଁ । ଏହି କଳ୍ପନାକୁ ସାକାର କରିବା ପାଇଁ ଗ୍ରାମବାସୀମାନେ ବମ୍ବେର ପ୍ରସିଦ୍ଧ ଇଞ୍ଜିନିୟର ଶ୍ରୀଯୁକ୍ତ କେ.ଆର୍ ଦାତେଙ୍କଠାରୁ ସହଯୋଗ ପାଇଲେ । ମାତ୍ର ସେମାନଙ୍କର ଏହି ଚେତନାତ୍ମକ ଉଦ୍ୟମରେ ସରକାର ଓ ଅମଲାତନ୍ତ୍ର ହିଁ ସବୁଠାରୁ ବଡ଼ ପ୍ରତିବନ୍ଧକ ଥିଲା । ସରକାର ଆଗରୁ ଧରିନେଇଥିଲେ ଯେ’ ବନ୍ଧ ନିର୍ମାଣ ଭଳି କାର୍ଯ୍ୟ ସରକାରଙ୍କ ପରମ୍ପରାଗତ ଅଧିକାର । ମାତ୍ର ଗ୍ରାମବାସୀମାନେ ଯେତେବେଳେ ନିଜର ବନ୍ଧ ନିର୍ମାଣ କରିବାକୁ ଆସିଲେ ସେତେବେଳେ ସରକାର ପ୍ରମାଦ ଗଣିଲେ । ହାକିମମାନେ ଲୋକମାନଙ୍କୁ ଅନେକ ଧମକଚମକ ଦେଲେ । ମାତ୍ର ଲୋକମାନଙ୍କର ବିକାଶ ପାଇଁ ସହାୟକ ରୂପେ କାର୍ଯ୍ୟକରିବାକୁ ଉଦ୍ଦିଷ୍ଟ ରାଷ୍ଟ୍ରର ସବୁପ୍ରକାର ପ୍ରତିବନ୍ଧକ ସତ୍ତ୍ୱେ ବନ୍ଧଟିଏ ନିର୍ମାଣହେଲା । ଗ୍ରାମବାସୀମାନେ ଏହି ବନ୍ଧଟିକୁ ସ୍ମୃତିବନ୍ଧ ବୋଲି ନାମ ଦେଇଥିଲେ । ୧୯୮୬ ମସିହାରେ ଗ୍ରାମବାସୀମାନେ ଜଳାଭାବ ସମସ୍ୟାର ସମାଧାନ ପାଇଁ ଏକ ଆନ୍ଦୋଳନ କରିଥିଲେ ଯେଉଁଥିରେ ସେମାନେ ମଧ୍ୟ ବଳୀଙ୍କୁ ଅର୍ଚ୍ଚନା କରି ଗାଇଥିଲେ; “ଇଡ଼ାପିଡ଼ା ଯାଭୋ” ବାଳିରାଜ ୟେଭୋ” (ଦୁଃଖ ଦୁର୍ଦ୍ଦିନ ଯିବ, ବାଲିରାଜ୍ୟ ଆସିବ) । ଏହି ଜନସମାବେଶରେ ଗ୍ରାମବାସୀମାନେ ବଳୀଙ୍କର ହତ୍ୟାକାରୀ ବାମନର କୁଶପୁତ୍ତଳିକା ଦାହ କରିଥିଲେ ଓ ବାମନର କୁଶପୁତ୍ତଳିକା ପୋଡ଼ିବା ଭିତରେ ହାକିମ ଓ ରାଷ୍ଟ୍ରର ଶୋଷଣକାରୀ ବ୍ୟବସ୍ଥାରେ ନିଆଁ ଲଗାଇ ଦେଇଥିଲେ ।

 

କ୍ଷେତକାରୀ ସଂଗଠନ ଗ୍ରାମରେ ଉତ୍ପାଦିତ ବସ୍ତ୍ରମାନଙ୍କ ପାଇଁ ଅଧିକ ମୂଲ୍ୟ ଦାବିକର । ଏଥିପାଇଁ ଅନେକ ସମୀକ୍ଷକ ଏହାକୁ କେବଳ ଅଧିକ ପଇସା ଚାହୁଁଥିବା ଏକ ଟ୍ରେଡ଼ ୟୁନିୟନରୂପେ ହସି ଉଡ଼ାଇ ଦେଇଥାଆନ୍ତି । ମାତ୍ର କ୍ଷେତକାରୀ ସଂଗଠନର ବିଚାରରେ ଗ୍ରାମରେ ଯାହା ଉତ୍ପନ୍ନ ହେଉଛି ସେଠାରୁ ବାହାର ଲୋକମାନେ ଏହାକୁ କମଦାମରେ ଖର୍ଦ୍ଦିକରି ଧନୀ ହେଉଛନ୍ତି, କୋଠା ପିଟୁଛନ୍ତି । ପୁଞ୍ଜିବାଦୀ ବ୍ୟବସ୍ଥାରେ ଯେଉଁ ଲାଭ ହେଉଛି, ଯେଉଁ ବଳକା ଧନ ସୃଷ୍ଟି ହେଉଛି ତାହା ମୂଳତଃ କୃଷିରୁ ହିଁ ସୃଷ୍ଟି ହେଉଛି ଅର୍ଥାତ୍ କୃଷକର ଶ୍ରମ ଓ ସାଧନାରୁ ହିଁ ପୁଞ୍ଜିବାଦୀ ବଳକା ବା Capitalist surplusର ସୃଷ୍ଟି । ଶ୍ରୀଯୁକ୍ତ ଶରଦ ଯୋଷୀଙ୍କ ମତରେ, ପାରମ୍ପରିକ ମାର୍କସବାଦୀମାନେ ଶୋଷଣର ଏହି ଦିଗପ୍ରତି ବିଶେଷ ଧ୍ୟାନ ଦେଇନାହାନ୍ତି, ସେମାନେ ବୁଝିପାରି ନାହାନ୍ତି ଯେ, କୃଷିରୁ ରକ୍ତ ନେଇ ଶିଳ୍ପ ବଡ଼ ହେଉଛି, ତେଣୁ ଏକ ଶୋଷଣ ବିହୀନ ସମାଜର ପ୍ରତିଷ୍ଠା ପାଇଁ ପ୍ରଥମେ କୃଷିରୁ ଶିଳ୍ପର ଏହି ରକ୍ତ ଓ ଜୀବନର ସବୁକିଛି ସାରାଂଶର ପ୍ରବାହକୁ ବନ୍ଦ କରିବାକୁ ହେବ । ଅର୍ଥନୀତିର ପରିଭାଷାରେ ଯାହାକୁ ପୁଞ୍ଜିବୃଦ୍ଧି ବା Capital accumulation କୁହାଯାଏ, ତାର ଏକ ନୂତନ ବ୍ୟାଖ୍ୟା ଶ୍ରୀଯୁକ୍ତ ଯୋଷୀ ପ୍ରଦାନ କରିଛନ୍ତି ଯେଉଁ ବ୍ୟାଖ୍ୟା କ୍ଷେତକାରୀ ସଂଗଠନର କର୍ମୀମାନଙ୍କ ସମ୍ମୁଖରେ ସଂଗ୍ରାମର ଏକ ନୂତନ ଦିଗ ଉପସ୍ଥାପନା କରିଛି । ଏହାଫଳରେ ଉତ୍ପାଦକମାନେ ସେମାନଙ୍କର ଶ୍ରମରୁ ଉଦ୍‍ବୃତ୍ତ ବଳକାକୁ ଆପଣାର ଜୀବନବଳୟ ମଧ୍ୟରେ ହିଁ ଧରିରଖିବାକୁ ସଂଗ୍ରାମ କରୁଛନ୍ତି । ଶ୍ରୀଯୁକ୍ତ ଯୋଷୀଙ୍କ ବିଚାରରେ କୃଷିରୁ ଶିଳ୍ପ ଓ ସହରୀ ସଭ୍ୟତା ଆଡ଼କୁ ଶ୍ରମ ଓ ଶସ୍ୟର ଏହି ଯେଉଁ ଶୋଷଣାତ୍ମକ ଧାରା ପ୍ରବାହିତ ହେଉଛି, ତାହା ସରକାର, ବଜାର, ଓ ଶାସନ ବ୍ୟବସ୍ଥାର ବଳପ୍ରୟୋଗଦ୍ୱାରା ସମ୍ଭବ ହେଉଛି, ଯାହାକୁ ଅନେକ ସ୍ପଷ୍ଟ ଭାଷାରେ ଶ୍ରୀଯୁକ୍ତ ଯୋଷୀ ଲୁଟ୍‍ତରାଜ ବୋଲି କହିଛନ୍ତି । କୃଷକ ଆନ୍ଦୋଳନ ହେଉଛି ଏହି ଲୁଟ୍‍ତରାଜ ବିରୋଧରେ ଏକ ଆନ୍ଦୋଳନ ।

 

କ୍ଷେତକାରୀ ସଂଗଠନର ଶୋଷଣ ଓ ସଂଗ୍ରାମର ଏହି ଯେଉଁ ନୂତନ ବ୍ୟାଖ୍ୟା, ଏହାକୁ ସାଂପ୍ରତିକ ଅନେକ ସମୀକ୍ଷକ ସମର୍ଥନ କରୁଥିବା ଭଳି ମନେହୁଏ । ବିଶ୍ଵ ଅର୍ଥନୀତିକ ବ୍ୟବସ୍ଥାର ଏବର ଜଣେ ବହୁ ପ୍ରଭାବଶାଳୀ ସମୀକ୍ଷକ ଶ୍ରୀଯୁକ୍ତ Immanuel Wallerstein କିଛି ବର୍ଷତଳେ ପ୍ରକାଶିତ ଆପଣାର ଏକ ପ୍ରବନ୍ଧରେ ଯୁକ୍ତି କରିଛନ୍ତି ଯେ, ସମାଜବାଦୀ ସଂଗ୍ରାମର ଏବେ ମୂଳ ଅଭିପ୍ରାୟ ହେବା ଉଚିତ କିପରି ଉତ୍ପାଦକମାନେ ସେମାନଙ୍କର ଶ୍ରମରୁ ଉଦ୍‍ବୃତ୍ତ ବଳକାକୁ ସେମାନଙ୍କ ନିକଟରେ ଅର୍ଥାତ୍ ସେମାନଙ୍କ ସମୁଦାୟ ମଧ୍ୟରେ ଧାରଣ କରି ରଖିପାରିବେ (୧୪) । ବିଶ୍ଵ ଅର୍ଥନୀତି ବ୍ୟବସ୍ଥାରେ ବସ୍ତ୍ରମାନଙ୍କର ଗତି ଓ ପ୍ରବାହର ଲମ୍ବାରାସ୍ତାରେ କିପରି ପ୍ରତ୍ୟେକ ମୋଡ଼ରେ ଉଦ୍‍ବୃତ୍ତ ବଳକାକୁ ସେହି ଭୂମିରେ ଧାରଣ କରି ହେବ, ଏଥିପ୍ରତି ମୁକ୍ତିଗାମୀ ଆନ୍ଦୋଳନମାନେ ଦୃଷ୍ଟିଦେବା ଆବଶ୍ୟକ । ଶ୍ରୀଯୁକ୍ତ Wallerstein ଙ୍କ ଭାଷାରେ : “I am thinking rather of attacking the blows of surplus at another Point, at the Point of their Production. Suppose that antisystemic movements concentrated their energies everywhere…on efforts defined as retaining most of the surplus created….. [Capitalists] spend a considerable amount of their worldwide poltical energy on the polities of pricing….The movements cannot afford their close links to the states, even to the regimes they have struggled to bring to power. Their concern must be how at each point on very long commodity chains a greater Percentage of the surplus can be retained” (୫) ।

 

ଏହି କ୍ଷେତ୍ରରେ ମଧ୍ୟ ବିକଳ୍ପ ବିକାଶରେ ବିଶ୍ଵାସ ରଖୁଥିବା କେତେକ ବୈଜ୍ଞାନିକଙ୍କ ବିଚାର ଆମେ ମନେରଖିବା ଯେଉଁମାନେ ଆମକୁ କହିଛନ୍ତି ଯେ, ଶିଳ୍ପ ବ୍ୟବସ୍ଥାର ପ୍ରକ୍ରିୟା ମୂଳତଃ ଏକ ଶକ୍ତି ଅପଚୟର ପ୍ରକ୍ରିୟା, ଏକ entropy ର ପ୍ରକ୍ରିୟା, ଯେଉଁଥିରୁ ଆପଣାକୁ ରକ୍ଷା କରିବାକୁ ଓ ନିଜକୁ ପ୍ରଜନନ ସମ୍ଭବ କରି ପାରିବାକୁ, ଶିଳ୍ପ ସର୍ବଦା କୃଷିଠାରୁ ଜୀବନଭିକ୍ଷା ମାଗୁଥାଏ (୧୬)-। କୃଷି ପ୍ରକ୍ରିୟାରେ entropy ର ହାର ଶିଳ୍ପ ପ୍ରକ୍ରିୟାର entropy ହାରଠାରୁ ଯଥେଷ୍ଟ କମ୍-। ଶିଳ୍ପ ବ୍ୟବସ୍ଥାରେ entropy ର ହାର ଏତେ ଅଧିକ ଯେ, କୃଷିଠାରୁ ଖାଦ୍ୟସାର ନନେଲେ ଶିଳ୍ପ ବ୍ୟବସ୍ଥା ବଞ୍ଚିପାରିବ ନାହିଁ । ଏହି ବିଚାରର ପ୍ରବକ୍ତା ହେଉଛନ୍ତି ଭାରତୀୟ ବିଜ୍ଞାନୀ ଶ୍ରୀଯୁକ୍ତ ସି. ଭି. ଶେଷାଦ୍ରୀ । ଶ୍ରୀଯୁକ୍ତ ଶେଷାଦ୍ରୀଙ୍କ ବିଚାରରେ କୃଷିରୁ ଶିଳ୍ପକୁ ଏହି ଏହି ଯେଉଁ ରକ୍ତପ୍ରବାହ ଏହାକୁ ରୋକିବାକୁ ହେଲେ ଆମକୁ ଏକ ବିକଳ୍ପ ବିକାଶ ପାଇଁ ପ୍ରୟାସୀ ହେବାକୁ ହେବ ଯେଉଁଥିରେ ଆମେ ଶକ୍ତି ଜାଗରଣର ନୂତନ ନିୟମ ଆବିଷ୍କାର କାରପାରିବା । ଏହି ଶକ୍ତି second law of thernodynamics ର ସବାକ୍ଷୟମାଣ ଶକ୍ତି ହେବ ନାହିଁ, ଏହା ସେହି ଶକ୍ତି ହେବ ଯାହା industrial mass ଉପରେ ଅଧିକ ନିର୍ଭର ନ କରି biomass ଉପରେ ଅଧିକ ନିର୍ଭରଶୀଳ ହେବ (୧୭) । ଏହି ଶକ୍ତି ଅବଶେଷକୁ ଖାଦ୍ୟାଂଶରେ ପରିଣତ କରି ପାରୁଥିବ-। ଏହି ଶକ୍ତି ଭାରତରୁ ଇଣ୍ଡିଆକୁ ଯେଉଁ ଶୋଷଣରଧାରା ପ୍ରବାହିତ ତାହାକୁ ରୋକିପାରିବ । ଭାରତର “ବହିଷ୍କୃତ” ସମାଜ ଆଡ଼କୁ ସମ୍ବଳ ଓ ଜୀବନସାରର ଯେଉଁ ଶୋଷଣାତ୍ମକ ଧାରା ପ୍ରବାହିତ, ତାହାକୁ ରୋକି ପାରିବ (୧୮) ।

 

ଭାରତର କୃଷକ ଆନ୍ଦୋଳନ ଉତ୍ତର ଭାରତରେ ଭାରତୀୟ କୃଷକ ୟୁନିୟନ୍ ବା ବି.ଜେ.ୟୁ. ନାମରେ ପରିଚିତ । ପଶ୍ଚିମ ଉତ୍ତରପ୍ରଦେଶ ଓ ହରିୟାନାରେ ବି.କେ.ୟୁ. ଏବେ ସବୁଠାରୁ ଅଧିକ କ୍ରିୟାଶୀଳ । ଉତ୍ତର ଭାରତରେ ବି.କେ.ୟୁ.ର ଅପ୍ରତିଦ୍ଵନ୍ଦୀ ନେତା ହେଉଛନ୍ତି ମହେନ୍ଦ୍ର ସିଂ ଟିକାୟତ । ଟିକାୟତଙ୍କର ବି.କେ.ୟୁ. ଜାଠମାନଙ୍କ ମଧ୍ୟରେ ଅଧିକ ପ୍ରଭାବଶାଳୀ-। ବି.କେ.ୟୁ. ମଧ୍ୟ କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟପାଇଁ ଏବଂ ବିଜୁଳି, ପାଣି ଆଦି ପାଇଁ ଦେବାକୁ ପଡ଼ୁଥିବା ଶୁଳ୍‍କକୁ କମାଇବାକୁ ଆନ୍ଦୋଳନ କରି ଆସୁଛି । ବି.କେ.ୟୁ. ଦଳିତ ଓ ମୁସଲମାନମାନଙ୍କୁ ମଧ୍ୟ ଏକଦା ଆପଣାର ଆନ୍ଦୋଳନରେ ସାମିଲ କରିବାକୁ ଆଗ୍ରହୀ ଥିଲା, ମାତ୍ର ଗଲା ନିର୍ବାଚନରେ ୧୯୯୧) ଟିକାୟତ ବି.ଜେ.ପି.ଙ୍କୁ ସମର୍ଥନ ଦେବାରୁ ଏହା ସଂଖ୍ୟାଲଘୁମାନଙ୍କୁ ସମ୍ଭବତଃ ପୂର୍ବଭଳି ଆକର୍ଷିତ କରିପାରୁନାହିଁ । ଅପରପକ୍ଷରେ ମହିଳା ଓ ଦଳିତମାନଙ୍କର ଏଥିରେ ଅଂଶଗ୍ରହଣ କ୍ଷେତକାରୀ ସଂଗଠନ ଭଳି ଆଖିଦୃଶିଆ ନୁହେଁ ।

 

ନାରୀ ଆନ୍ଦୋଳନ

 

ଭାରତବର୍ଷ ଏବେ ପୁରୁଷ-ପ୍ରଧାନ ସମାଜ । ଭାରତବର୍ଷର ରାଜନୀତି ଏକ ପୁରୁଷ-ପ୍ରପୀଡ଼ିତ ରାଜନୀତି ଅଟେ । ମାତ୍ର ଗଲା ଦୁଇ ଦଶନ୍ଧି ହେଲା ଏହି ପୁରୁଷ କୈନ୍ଦ୍ରିକ ରାଜନୀତି ମଧ୍ୟରେ ନାରୀମାନେ ପ୍ରବେଶ କରୁଛନ୍ତି । ନାରୀମାନେ ଯେଉଁପ୍ରକାର ଶୋଷଣ ଓ ଧର୍ଷଣର ଶରବ୍ୟ, ତାହା ପୁରୁଷମାନେ ସହୃଦୟତାର ସହ ହୃଦୟଙ୍ଗମ କରିବାକୁ ଚାହାନ୍ତି ନାହିଁ ବୋଲି ଜାଗ୍ରତ ମହିଳାମାନଙ୍କ ମଧ୍ୟରେ ଧାରଣା ଆସିଛି । ବାମପନ୍ଥୀ ଶାସନାଧୀନ ଉଭୟ ପଶ୍ଚିମବଙ୍ଗ ଓ କେରଳରେ ଅନେକ ଧର୍ଷଣକାଣ୍ଡ ଘଟିଥିଲେ ମଧ୍ୟ ଶାସନାଧୀନ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ଏହାକୁ ଏକ ମାମୁଲି ଘଟଣା ବୋଲି ଏଡ଼ାଇ ଦେଇଛି । ବାସ୍ତବରେ ୧୯୮୦ ଦଶନ୍ଧିରେ ମାୟାତ୍ୟାଗୀ ଭଳି ଧର୍ଷଣକାଣ୍ଡ ନାରୀ ଆନ୍ଦୋଳନକୁ ନୂତନ ଇନ୍ଧନ ପ୍ରଦାନ କରିଛି କାରଣ ନାରୀମାନେ ସ୍ଵଚକ୍ଷୁରେ ଦେଖିଛନ୍ତି ଯେ, ସେମାନଙ୍କର ଇଜ୍ଜତ ଲୁଟିଆ ନେଉଥିବାବେଳେ ଏପରିକି ବୈପ୍ଳବିକ ରାଜନୈତିକ ଦଳ ଓ ନେତାମାନେ ପାଟି ଫିଟାଇବାକୁ ଉଚିତ୍ ମଣୁନାହାନ୍ତି । ପ୍ରତ୍ୟେକ ପୁରୁଷ ଯେ’ ଜଣେ ସାମ୍ଭାବ୍ୟ ଧର୍ଷଣକାରୀ ଏମିତି ଧାରଣା କେତେକଙ୍କ ନାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଯେଉଁଥିପାଇଁ ପୁରୁଷମାନେ ବିଶେଷ କରି ପୁରୁଷ ନେତା ଓ କର୍ତ୍ତାମାନେ ଦାୟୀ ।

 

ଧର୍ଷଣଭଳି ଏକ ବ୍ୟାଧି ଓ ହୀନକର୍ମ ନାରୀ ଓ ପୁରୁଷମାନଙ୍କ ମଧ୍ୟରେ ଥିବା ଳିଙ୍ଗଗତ ସ୍ଵାର୍ଥର ଭିନ୍ନତାକୁ ନାରୀମାନଙ୍କ ନିକଟରେ ଅନେକ ସ୍ପଷ୍ଟ କରାଇଦେଇଛି । ମଦ୍ୟପାନ ସମସ୍ୟା ମଧ୍ୟ ଏମିତି ଏକ ଭିନ୍ନସ୍ଵାର୍ଥର ଜାଗୃତି ସୃଷ୍ଟି କରିଛି । ଏବେ ସାରା ଭାରତରେ ମଦ୍ୟପାନ ସମସ୍ୟା ବଢ଼ୁଛି । ସରକାରଙ୍କର ନିଲାମରେ ମଦ ଦୋକାନମାନ ଗାଁକୁ ଗାଁ ବ୍ୟାପିଯାଉଛି । ପୁରୁଷମାନେ ଏହି ମଦ ଦୋକାନରେ ଦିନସାରା କଷ୍ଟକରି କମାଇଥିବା ପଇସାକୁ ପାଞ୍ଚ ମିନିଟରେ ବୋତଲଟିଏ ପିଇ ସାରିଦେଉଛନ୍ତି । ନିଜର ପଇସା ସରିଗଲେ ସ୍ତ୍ରୀକୁ ପିଟି ତା’ର ଗହଣାଗାଣ୍ଠି ବିକି ମଦ କିଣୁଛନ୍ତି । ପୁରୁଷମାନଙ୍କର ମଦ୍ୟପାନ ଫଳରେ ସ୍ତ୍ରୀମାନଙ୍କୁ ଯେ କେବଳ ବିଧା, ଗୋଇଠା ଖାଇବାକୁ ହେଉଛି ତାହା ନୁହେଁ, ସେମାନଙ୍କୁ ପେଟରେ ଓଦାକନା ଜାକି, ଛିଣ୍ଡା ମସିଣା ଉପରେ ଲୁହାଭିଜା ଛାତି ଉପରେ ପିଲାମାନଙ୍କୁ ବିକଳରେ ଜାବୁଡ଼ିଧରି ଶୋଇବାକୁ ହେଉଛି । ଏହି ମଦ୍ୟପାନ ସମସ୍ୟା ସମ୍ପର୍କରେ ଭାରତବର୍ଷର କୌଣସି ରାଜନୈତିକ ଦଳମାନେ ଦେଶରେ କିଛି କରନ୍ତେ ବା କିପରି, “କାରଣ ସେମାନଙ୍କର ନେତାମାନେ ମଦ ବେପାରୀଙ୍କରଠାରୁ ପଇସା ଚାନ୍ଦା ଆଣି ନିର୍ବାଚନ ଲଢ଼ୁଛନ୍ତି । କେବଳ ଶ୍ରୀଯୁକ୍ତ ମୋରାରଜୀ ଦେଶାଇ ଆପଣାର ପ୍ରଧାନମନ୍ତ୍ରୀତ୍ଵ କାଳରେ ନିଶା ନିବାରଣ ପାଇଁ କିଛି କାମ କରିଥିଲେ ମାତ୍ର ଏଥିପାଇଁ ମଦ ବେପାରୀମାନେ ତାଙ୍କର ସରକାରଙ୍କୁ ଟଳାଇଦେଲେ । ତେଣୁ ମଦ୍ୟପାନ ସମସ୍ୟା ସମ୍ପର୍କରେ ସେମାନଙ୍କୁ ହିଁ ଯେ ନିଜେ କିଛି କରିବାକୁ ହେବ, ଏ କଥା ନାରୀମାନେ କ୍ରମଶଃ ଅନୁଭବ କଲେ । ଗଲା ଦୁଇବର୍ଷ ତଳେ ତାମିଲନାଡ଼ୁରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେବାପରେ ତାଙ୍କର ପ୍ରଥମ କାର୍ଯ୍ୟ ଥିଲା ସରକାରୀ ମଦ ଦୋକାନମାନଙ୍କୁ ସଂପୂର୍ଣ୍ଣଭାବେ ବନ୍ଦ କରିଦେବା । ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ କୁମାରୀ ଜୟଲଳିତାଙ୍କର ଏହି ପଦକ୍ଷେପ ତାଙ୍କୁ ନାରୀମାନଙ୍କ ହୃଦୟର ଅନେକ ନିକଟବର୍ତ୍ତୀ କରାଇପାରିଛି । ଏବେ କେନ୍ଦ୍ର ସରକାର ସୁଶ୍ରୀ ଜୟଲଳିତାଙ୍କର ସରକାରଙ୍କୁ ଭାଙ୍ଗିଦେବା ପାଇଁ ବାଟ ଖୋଜୁଛନ୍ତି । ମାସେ ତଳେ ମାନ୍ଦ୍ରାଜ ସହରରେ ବସରେ ଯାଉଥିବାବେଳେ ମୋ ପାଖରେ ବସିଥିବା ସହଯାତ୍ରୀଜଣଙ୍କୁ ମୁଁ ପଚାରିଲି, ଜୟଲଳିତାଙ୍କର ରାଜନୈତିକ ଭବିଷ୍ୟତ ବିଷୟରେ । ଭଦ୍ରବ୍ୟକ୍ତି ଜଣକ କହିଲେ ଯେ ଜୟଲଳିତାଙ୍କର ସରକାରଙ୍କୁ ଭାଙ୍ଗିଦେଲେ ମଧ୍ୟ ଜୟଲଳିତା ପରବର୍ତ୍ତୀ ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟଲାଭ କରିବେ, କାରଣ ତାଙ୍କ ପାର୍ଶ୍ଵରେ ତାମିଲନାଡ଼ୁର ମହିଳାମାନେ ଅଛନ୍ତି । ଏହି ବକ୍ତବ୍ୟରୁ ଆମେ ବୁଝିପାରିବା ଏବେ ନାରୀ ଭୋଟରମାନେ ନିଜର ସ୍ଵାର୍ଥକୁ ଆଖି ଆଗରେ ରଖି ଭୋଟ ଦେବାକୁ ଶିଖିଲେଣି । ଏହି କ୍ଷେତ୍ରରେ ପର୍ଯ୍ୟବେକ୍ଷକମାନେ ମତ ଦିଅନ୍ତି ଯେ, ଯଦି ନାରୀ ଭୋଟରମାନଙ୍କର ସ୍ଵତନ୍ତ୍ର ଜାଗରଣ ସାରା ଭାରତବର୍ଷରେ ଘଟେ ତେବେ ଏହା ଭାରତବର୍ଷର ବର୍ତ୍ତମାନ ରାଜନୀତିର ମୂଳଦୁଆକୁ ସଂପୂର୍ଣ୍ଣଭାବେ ଦୋହଲାଇ ଦେବ ।

 

ମଦ୍ୟପାନ ବିରୋଧୀ ଓ ମଦ୍ୟ ବିକ୍ରୀ ବିରୋଧୀ ଆନ୍ଦୋଳନ ଏହି ବର୍ଷେ ତଳେ (ଅଗଷ୍ଟ ୧୯୯୨) ଆନ୍ଧ୍ରରେ ଏକ ବୈପ୍ଳବିକ ତାତ୍ପର୍ଯ୍ୟ ଗ୍ରହଣ କରିଥିଲା । ଏହି ଆନ୍ଦୋଳନ ଗ୍ରାମରେ ମହିଳାମାନେ ହିଁ ଆରମ୍ଭ କରିଥିଲେ । ଏହି ଆନ୍ଦୋଳନ ପଲରେ ଏହି ବର୍ଷ ଅକ୍ଟୋବର ମାସରୁ (ଅକ୍ଟୋବର, ୧୯୯୩) ଆନ୍ଧ୍ରପ୍ରଦେଶ ସରକାର ସରକାରୀ ମଦ ଦୋକାନମାନ ସଂପୂର୍ଣ୍ଣରୂପେ ଉଠାଇଦେବେ ବୋଲି ଘୋଷଣା କରିଛନ୍ତି । ମଦବିକ୍ରୀ ବିରୋଧୀ ନାରୀ ଆନ୍ଦୋଳନ ନେଲୋର ଜିଲ୍ଲାର ସହରଠାରୁ ୮୦ କି.ମି. ଦୂରରେ ଅବସ୍ଥିତ ଦୁବାଗୁଣ୍ଟା ଗ୍ରାମରେଆରମ୍ଭ ହୋଇଥିଲା । ଏହି ଗ୍ରାମର ନବଶିକ୍ଷିତମାନେ ହିଁ ଏହି ଆନ୍ଦୋଳନର ସୂତ୍ରପାତ କରାଇଥିଲେ । ଭାରତ ସରକାରଙ୍କର ଜାତୀୟ ଶିକ୍ଷା ମିଶନର କାର୍ଯ୍ୟକ୍ରମ ଅନୁଯାୟୀ ନେଲୋର୍‍ ଜିଲ୍ଲାରେ ମଧ୍ୟ ଅଶିକ୍ଷିତମାନଙ୍କୁ ପ୍ରଥମେ ସାକ୍ଷର କରିବାକୁ ଦେଢ଼ବର୍ଷ ତଳେ, ଅର୍ଥାତ୍ ଜାନୁୟାରୀ ୧୯୯୧ ମସିହାରେ ଏକ ଜିଲ୍ଲାସ୍ତରୀୟ ଉଦ୍ୟମ ଆରମ୍ଭ ହୋଇଥିଲା । ଏହି ସାକ୍ଷରତା କାର୍ଯ୍ୟକ୍ରମ ମଧ୍ୟ ଦୁବାଗୁଣ୍ଟା ଗ୍ରାମରେ ଚାଲିଥିଲା । ସନ୍ଧ୍ୟାରେ ଗ୍ରାମର ଅଶିକ୍ଷିତ ପୁରୁଷ ଓ ମହିଳାମାନେ ସାକ୍ଷରତା କେନ୍ଦ୍ରକୁ ପଢ଼ିବାକୁ ଆସୁଥିଲେ । ଗ୍ରାମବାସୀମାନଙ୍କୁ ପଢ଼ାଇବାକୁ ଥରେ ଜଣେ ସରକାରୀ କର୍ମଚାରୀ ଆସିଥିଲେ । ଗ୍ରାମର କେତେଜଣ ଯୁବକ ଏହି କର୍ମଚାରୀଜଣଙ୍କୁ ଗାଳିଗୁଲଜ କଲେ ସିଏ କାହିଁକି ଆସି ଗ୍ରାମର ନାରୀମାନଙ୍କୁ ପାଠ ପଢ଼ାଇବା ନାଆଁରେ ସେମାନଙ୍କ ଝିଅବୋହୂଙ୍କ ପଛରେ ଲଟରପଟର ହେଉଛନ୍ତି । ଏହି ଘଟଣାଟି ଶିକ୍ଷାଗ୍ରହଣ ପାଇଁ ଆସିଥିବା ମା ଓ ଭଉଣୀମାନଙ୍କୁ ଅନେକ ବାଧିଲା । ସେମାନେ ସଂକଳ୍ପ ନେଲେ ଯେ, ସେମାନେ ପ୍ରତି ସନ୍ଧ୍ୟାରେ ନିଶ୍ଚୟ ଗ୍ରାମର ଶିକ୍ଷାକେନ୍ଦ୍ରକୁ ପଢ଼ିବାକୁ ଆସିବେ । ଏମିତି ପଢ଼ୁଥିବାବେଳେ ଥରେ ସେମାନେ ନିଜ ବହିରେ ଥିବା କାହାଣୀଟିଏ ପଢ଼ିଲେ । ଏହି କାହାଣୀଟିର ନାମ ସୀତା କଥା ଥିଲା, ଯାହା ଜଣେ ଅସହାୟା ନାରୀ ସୀତାମ୍ମାର ଦୁଃଖ, ହତାଶା ଓ ଆତ୍ମହତ୍ୟା ଉପରେ ପର୍ଯ୍ୟବେଶିତ ଥିଲା । ସୀତାମ୍ମାର ସ୍ଵାମୀ ଜଣେ ଭୟାନକ ମଦ୍ୟପ ଥିଲା । ସୀତାମ୍ମା ତାକୁ ସୁଧାରିବାକୁ ଅନେକ ଚେଷ୍ଟା କରିଥିଲା; ମାତ୍ର ଏଥିରେ ବିଫଳ ହୋଇ ସିଏ ଅନେକ ଭାଙ୍ଗିପଡ଼ିଥିଲା, ଶେଷରେ ସେ ନିଜର ଜୀବନ ନିଜେ ନେବାକୁ ବାଧ୍ୟ ହୋଇଥିଲା । ଏହି କାହାଣୀଟି ପଢ଼ୁଥିବା ବେଳେ ଦୁବାଗୁଣ୍ଟା ଗ୍ରାମର ଭଉଣୀମାନେ ସୀତାମ୍ମା ଭିତରେ ନିଜନିଜକୁ ଦେଖିପାରୁଥିଲେ, ସୀତାମ୍ମା ସହିତ ନିଜକୁ ଏକାତ୍ମ କରିଦେଇଥିଲେ ।

 

ଆତ୍ମ-ସମୀକ୍ଷା, ସାଂସ୍କୃତିକ ସମୀକ୍ଷା ଓ ପ୍ରଚଳିତ ରୁଗ୍‍ଣ ଜୀବନ ଢାଞ୍ଚାର ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିଥିବା ଆମ ସମୟର ବରେଣ୍ୟ ଦାର୍ଶନିକ ଯୁର୍ଗେନ୍‍ ହାବରମାସ୍ (Jurgen Habermas) କହନ୍ତି ଯେ, ଯେତେବେଳେ ଆମେ ଆମ ଜୀବନର ପ୍ରଶ୍ନମାନଙ୍କର ସମ୍ପର୍କରେ ଏକାଠି ବସି ପରସ୍ପର ସହିତ ଆଲୋଚନା କରୁ, ସେତେବେଳେ ସେହି ଆଲୋଚନା ଆମର ପରିଚିତ ଜୀବନର ଅସହାୟତା ଓ ପ୍ରଲୋଭନ ଭିତରେ ଥିବା ବିଭେଦ ଓ ଦାରିଦ୍ର୍ୟକୁ ଆମ ନିକଟରେ ଅନେକ ସ୍ପଷ୍ଟ କରିଦିଏ । ଏହି ଆଲୋଚନା ଆଲୋଚନାରତ ମଣିଷକୁ ନୈତିକତାର ଏକ ତୀକ୍ଷ୍‍ଣ ଦୃଷ୍ଟିପ୍ରଦାନ କରିଥାଏ, ଯେଉଁ ଦୃଷ୍ଟିର ତୀକ୍ଷ୍‍ଣତା ଓ ତେଜସ୍ଵିତାରେ ସମାଜର ପ୍ରଚଳିତ ଅନୁଷ୍ଠାନମାନେ ଅନ୍ୟାୟ ଓ ଶୋଷଣର ଏକ ଏକ ବନ୍ଦ ଜଉଘରରେ ପରିଣତ ହୁଅନ୍ତି । ନେଲୋର୍‍ ଜିଲ୍ଲାର ଦେବଗୁଣ୍ଟା ଗ୍ରାମର ଜନସଚେତନା କେନ୍ଦ୍ରରେ ସୀତା କଥା ପଢ଼ିବା ପରେ ସୀତାମ୍ମାର ଜୀବନ ବିଷୟରେ ଆଲୋଚନା କରୁଥିବା ଭଉଣୀମାନଙ୍କ ମଧ୍ୟରେ ଏକ ସମୀକ୍ଷକତ୍ମକ ଚେତନାର ଉଦୟ ହୋଇଥିଲା । ସେମାନେ ପ୍ରଶ୍ନ କରିଥିଲେ : “ସୀତାମ୍ମାର ମୃତ୍ୟୁ ପାଇଁ ଦାୟୀ କିଏ ?” ଉତ୍ତର ଖୋଜିବା ସେମାନଙ୍କ ପାଇଁ ଦୂରୂହ ନଥିଲା । କାରଣ ସେମାନେ ନିଜ ଜୀବନର ଅନୁଭୂତିରୁ ଜାଣିପାରିଲେ ଯେ, ସୀତାମ୍ମା ଓ ସୀତାମ୍ମା ଭଳି ସେମାନଙ୍କର ମୃତ୍ୟୁର କାରଣ ହେଉଛି ମଦ । ସେମାନେ ଗ୍ରାମରେ ମଦ କିପରି ଆଦୌ ପଶି ନପାରିବ ସେହି ବିଷୟରେ ସେମାନେ ଅନେକ ଭାବିଲେ । ଗ୍ରାମର ସରପଞ୍ଚ ଓ ପ୍ରମୁଖମାନଙ୍କୁ କାକୁତିମିନତି କଲେ ମଦଦୋକାନ ବନ୍ଦ କରିବାକୁ । ମାତ୍ର ଏଥିରେ ଗ୍ରାମର ଭୀମମାନେ ଆପଣାର ସ୍ଵାଭାବିକ ଅସାମର୍ଥ୍ୟ ପ୍ରକାଶ କଲେ । ସେଇଠି ଗ୍ରାମର ମହିଳାମାନେ ନିଜ ବାଟେ ନିଜେ ସ୍ଥିର କରିବାର ନିଷ୍ପତ୍ତି ନେଲେ । ଗ୍ରାମକୁ ଆସିଥିବା ମଦ ବୋଝେଇ ଟ୍ରକ୍‍କୁ ଗ୍ରାମଠାରୁ ଏକ ମାଇଲ ଦୂରରେ ଅଟକାଇଲେ । ଏହାପରେ ପୋଲିସ୍ ଆସିଲା-। ମାତ୍ର ତଥାପି ସାହାସିନୀ ଭଉଣୀମାନେ ଡରିଲେ ନାହିଁ । ସେମାନେ ଅପର ପକ୍ଷରେ ମଦ ବେପାରିକୁ ଧମକାଇଲେ ଯେ, ସିଏ ଯଦି ଟ୍ରକ୍ ଫେରାଇ ନ ନିଏ ତେବେ ସେମାନେ କଲେକ୍ଟରଙ୍କ ନିକଟରେ ଧାରଣା ଦେବେ । ଅପର ପକ୍ଷରେ ମଦ ବେପାରୀକୁ ସେମାନେ ଚାନ୍ଦାକରି କ୍ଷତିପୂରଣ ଦେବାକୁ ପ୍ରସ୍ତୁତ ଥିଲେ । ଏହାପରେ ଗ୍ରାମରୁ ମଦ ଦୋକାନ ଉଠିଗଲା ।

 

ଦୁବାଗୁଣ୍ଟା ଗ୍ରାମର ଜୀବନ ଅର୍ଚ୍ଚନାର ଏହି ସଂଗ୍ରାମ ନବସାକ୍ଷରମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତିକା “ଛଡ଼ୁଭୂ ୱେଲୁଗୁ” (ଜ୍ଞାନର ଆଲୋକ)ରେ “ଆଡ଼ାଇଲୁ କେମୈତେ (ଯଦି ନାରୀମାନେ ଏକତ୍ରିତ ହୁଅନ୍ତି) ଶୀର୍ଷକରେ ସ୍ଥାନ ପାଇଲା ଏଥିରେ ନାରୀମାନେ ଆପଣାର ସ୍ଵପ୍ନ ଓ ସଂଗ୍ରାମକୁ ନିମ୍ନମତେ ପ୍ରକାଶ କରିଥିଲେ :

 

“ଏହା ଏକ ଗପ ନୁହେଁ । ଏହା ହେଉଛି ମହିଳାମାନଙ୍କର ଏକ ସଫଳତା, ଯେଉଁମାନେ ସାନ୍ଧ୍ୟ ବିଦ୍ୟାଳୟରେ ପଢ଼ିଛନ୍ତି । ଆମ ଗ୍ରାମର ନାମ ହେଉଛି ଦୁବାଗୁଣ୍ଟା । ଆମେ ସମସ୍ତେ ଦିନମଜୁରିଆଣୀ । ଆମେ ଆମର କଠିନ ପରିଶ୍ରମଦ୍ଵାରା ମାଟିରୁ ସୁନା ଫଳାଉ । ମାତ୍ର ଏହି ସବୁର ମହତ୍ତ୍ଵ କ’ଣ ? ଆମର କଷ୍ଟୋପାର୍ଜିତ ପଇସା ସବୁ ମଦଭାଟିରେ ଗଡ଼ୁଛି । ମଦ ବୋତଲ କିଣିବାକୁ ଯେତେବେଳେ ସେମାନେ ଚାଉଳ, ଘିଅ, ଦହି, ବା ଘରର ଯାହାକିଛି ଆଖିରେ ପଡ଼ିଲା, ସବୁକୁ ବିକ୍ରୀକରି ଆପଣାର ତୃଷ୍ଣା ମେଣ୍ଟାଇଛନ୍ତି । ପିଇବାଛଡ଼ା ସେମାନେ ଆମକୁ ପିଟାମରା କରୁଛନ୍ତି, ଗାଳିଦେଉଛନ୍ତି, ଆମର ପିଲାଙ୍କ ଗାଲରେ ଶକ୍ତ ଚାପୁଡ଼ା ମାରୁଛନ୍ତି । ସେମାନେ ଆମର ଦୈନନ୍ଦିନ ଜୀବନକୁ ଦୁଃଖପୂର୍ଣ୍ଣ କରି ରଖିଛନ୍ତି । ଆମେ ସମସ୍ତେ ଅବଳା, ଆମେ କ’ଣ ବା କରିପାରନ୍ତୁ । ଏହାପରେ ଆମ ଗ୍ରାମରେ ସାନ୍ଧ୍ୟ ବିଦ୍ୟାଳୟ ଖୋଲିଲା । ଆମେ ସୀତାମ୍ମାର କାହାଣୀ ପଢ଼ିଲୁ । ଆମେ ଏକତ୍ରିତ ହେଲୁ ଏବଂ ଆମେ ଗ୍ରାମରୁ ମଦ ଦୋକାନରୁ ଉଠାଇଦେଲୁଁ ।“ (୨୧)

 

ଆନ୍ଧ୍ର ପ୍ରଦେଶର ମହିଳାମାନେ ଗାଆଁ ଗାଆଁରେ “ଆଡ଼ଉଲୁ ଏକମୈତେ” କାହାଣୀ ପଢ଼ିବାର ସୁଯୋଗ ପାଇଲେ । ଅନ୍ୟ ଗାଆଁରେ ମଧ୍ୟ ଆମର ଭଉଣୀମାନେ ଭାବିଲେ ଯଦି ଦୁବାଗୁଣ୍ଟାରେ ମଦ ଦୋକାନ ଉଠିପାରିଲା ତେବେ ନିଜ ଗାଆଁରେ କାହିଁକି ମଦ ଦୋକାନକୁ ଉଠାଇ ନ ହେବ ? ଏମିତି ଉଦ୍ୟମମାନ ପ୍ରଥମେ ନେଲ୍ଲୋର ଜିଲ୍ଲାର ପଡ଼ୋଶୀ ଜିଲ୍ଲା କର୍ଣ୍ଣୁଲରେ ଆରମ୍ଭ ହୋଇଥିଲା । କର୍ଣ୍ଣୁଲ ଜିଲ୍ଲାର ଶ୍ରୀଶାଇଲମ୍ ଇଲାକାରେ ମହିଳାମାନେ ମଦବିକ୍ରୀ ବିରୋଧୀ ଆନ୍ଦୋଳନ ଆରମ୍ଭ କଲେ । ଏହି ଅଞ୍ଚଳର ଏକ କୁଖ୍ୟାତ ଗୁଣ୍ଡା ଓ ଜମିଦାର ରାଜଶେଖର ରେଡ଼ୀର ମଦବେପାରୀଙ୍କ ସହିତ ହାତଥିଲା । ପୁଣି ରାଜଶେଖର ରେଡ଼ୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ କେ. ବିଜୟ ଭାସ୍କର ରେଡ଼ୀଙ୍କର ଦକ୍ଷିଣହସ୍ତ ବୋଲି ଲୋକେ ବିଶ୍ଵାସ କରୁଥିଲେ । ଏହି ଅଞ୍ଚଳରେ ଜନରବ ଥିଲା ଯେ, ଯିଏ ରାଜଶେଖର ରେଡ଼ୀ ବିରୋଧରେ ମୁହଁ ଖୋଲିବ ତାକୁ ରାଜଶେଖର ମାରି, ତାର ମାଂସକୁ ଟିକିଟିକି କରି ପୋଖରୀର ମାଛମାନଙ୍କୁ ଖାଇବାକୁ ଦେଇଦେବ-। ମାତ୍ର ଅକ୍ଷରଦ୍ଵୀପ କାର୍ଯ୍ୟକ୍ରମରେ ଦୁବାଗୁଣ୍ଟାର ସଂଗ୍ରାମ କାହାଣୀ ପଢ଼ିବାପରେ ଏହି ଅଞ୍ଚଳର ମହିଳାମାନେ ମଦ ନିଲାମ ରୋକିବାକୁ ନିଷ୍ପତ୍ତି ନେଲେ । ସେମାନେ ନିଲାମ ହେଉଥିବା ସ୍ଥାନରେ ଧାରଣା ଦେଲେ । ମାତ୍ର ଜିଲ୍ଲାଧିକାରୀ ଷଡ଼ଯନ୍ତ୍ର କରି ଖୋଲାଖୋଲି ନିଲାମ ନଦେଇ ଚୁପଚାପ୍ ବେପାରୀମାନଙ୍କୁ ମଦବିକ୍ରୀ ଠିକା ଦେଇଦେଲେ । ଏହାପରେ ଭଉଣୀମାନେ ମଦଦୋକାନ ସମ୍ମୁଖରେ ଧାରଣାଦେଲେ । ସେମାନେ ନିଷ୍ପତ୍ତି ନେଲେ ଯେ, ଯିଏ ମଦ ପିଇବାକୁ ଗାଆଁର ଭାଟିକୁ ଆସିବ, ସେମାନେ ତାକୁ ଧରି, ତା’ ବେକରେ ଚପଲର ହାର ଝୁଲାଇ, ତାକୁ ଲଣ୍ଡା କରି ଗଧ ପିଠିରେ ବସାଇବେ । ଏମିତି ପଦକ୍ଷେପ ନେଲାପରେ ଗ୍ରାମରେ ମଦ୍ୟପାନ କମିଲା-। ଏଣେ ରାଜଶେଖର ରେଡ଼ୀର ଦୁଃଶାସନମାନେ ସଂଗ୍ରାମରତ ଏହି ନାରୀମାନଙ୍କୁ ଦେଖିନେବାକୁ ଆସିଲେ । ମାତ୍ର ଏହି ଦ୍ରୋପଦୀମାନେ ଅସହାୟ ଭାବରେ କୃଷ୍ଣଙ୍କୁ ପ୍ରାର୍ଥନା କଲେ ନାହିଁ, ସେମାନେ ମଧ୍ୟ ଘରୁ ଲଙ୍କାଗୁଣ୍ଡ ଆଣି ବୀର ଦୁଃଶାସନମାନଙ୍କ ଆଖିକୁ ଛାଟିଲେ । ଘରୁ ଲାଠି ମଧ୍ୟ କାଢ଼ି ଆଣିଲେ-। ଏହି ସଂଗ୍ରାମରେ ଆନ୍ଧ୍ରର Progressive Women’s Organizationର ଉପ-ସଭାନେତ୍ରୀ କୁମାରୀ ସନ୍ଧ୍ୟା ନେତୃତ୍ଵ ନେଇଥିଲେ । ଦୁଃଶାସନମାନେ ସନ୍ଧ୍ୟାକୁ ବିବସନା କରିବାକୁ ଆସିଥିଲେ । ମାତ୍ର ସେମାନଙ୍କୁ ଲାଠିମାଡ଼ ଖାଇ ଫେରିଯିବାକୁ ହୋଇଥିଲା । (୨୨)

 

କର୍ଣ୍ଣୁଲର ଏହି ଆନ୍ଦୋଳନ ଅକ୍ଟୋବର ୧୯୯୨ରେ ହୋଇଥିଲା । ଏହାର ଠିକ୍ ମାସକପରେ ମୁଁ ହାଇଦ୍ରାବାଦକୁ ଯାଇଥିଲି । ସେତେବେଳେ ସାରା ଆନ୍ଧ୍ରପ୍ରଦେଶରେ ମଦବିରୋଧୀ ଆନ୍ଦୋଳନ ଏକ ବିରାଟ ଜନଆନ୍ଦୋଳନର ରୂପ ନେଇଥିଲା । ହାଇଦ୍ରାବାଦ୍ ସହରର ଅନେକ ଛାତ୍ରଛାତ୍ରୀ ମଧ୍ୟ ସହରର ନାନା ବସ୍ତିକୁ ଯାଇ ନାଟକ ଜରିଆରେ ମଦ୍ୟପାନର ଭୟାବହିତା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଉଥିଲେ । ସେମାନେ ବିପ୍ଳବୀ କବି ଗଦର୍‍ଙ୍କର ଗୀତା ଗାଉଥିଲେ । ଗଦର୍‍ ଯିଏ ଏକ କବିତାରେ ଗାଇଥିଲେ : “ଏ ଜଙ୍ଗଲ୍‍ ହମାରା, ଏ କ୍ଷେତ ହମାରୀ ମଗର୍ ଏ ପୋଲିସ୍ କୌନହେ, ଏ ଜମିଦାର କୌନ୍ ହେ”, ତାଙ୍କର ବୈପ୍ଳବିକ ସଙ୍ଗୀତ ସ୍ଵାଭାବିକ ରୀତିରେ ଆନ୍ଧ୍ରର ନିଶାନିବାରଣ ଆନ୍ଦୋଳନକୁ ଇନ୍ଧନ ଯେ ଗାଇଥିଲା ଓ ପ୍ରେରଣା ଦେଇଥିଲା ।

 

ଆନ୍ଧ୍ରପ୍ରଦେଶ ସରକାରଙ୍କର ସରକାରୀ ମଦଦୋକାନ ବନ୍ଦ ଘୋଷଣା ଯଦି ଯଥାର୍ଥରେ ବାସ୍ତବାୟିତ ହୁଏ ଓ ଏଠାକାର ନିଶାନିବାରଣ ଆନ୍ଦୋଳନ ଯଦି ସାରାଭରତରେ ବ୍ୟାପିଯାଏ ତେବେ ଏହା ଭାରତବର୍ଷର ରାଜନୀତିକୁ ଏକ ନୂତନ ମୋଡ଼ଦେବ । ଏହା ରାଜନୀତିରେ କଳାଧନର ପ୍ରଭାବକୁ ରୋକିବାବାରେ ସହାୟକ ହେବ । ବାସ୍ତବରେ ସ୍ଵାଧୀନତା ପର ଭାରତବର୍ଷର ମଦବିକ୍ରୀ ଓ ଏଥିରେ ସରକରାଙ୍କର ପ୍ରୋତ୍ସାହନ ରାଜନୀତିକୁ କଳୁଷିତ କରିଛି । ଏପରିକି ବ୍ରିଟିଶ୍ ସରକାରଙ୍କ ଅମଳରେ ମଦବିକ୍ରୀପାଇଁ ସରକାରୀ ପ୍ରୋତ୍ସାହନ ଏତେ ନଥିଲା ଯେତେ ସ୍ଵାଧୀନ ଭାରତରେ ମିଳିଛି ଓ ମିଳୁଛି (୨୩) । ସ୍ଵାଧୀନତାପରେ ସରକାର ପୂର୍ଣ୍ଣ ନିଶାନିବାରଣର ଲକ୍ଷ୍ୟ ରଖିଥିଲେ ମାତ୍ର କ୍ରମେ କ୍ରମେ ଏହି ଲକ୍ଷକୁ ମଦବେପାରୀମାନଙ୍କର ପାଦଚାଟି ମନ୍ତ୍ରୀ ହେଉଥିବା ନେତାମାନେ ଭୁଲିଗଲେ । ଏହି ସମ୍ପର୍କରେ ଏକ ଐତିହାସିକ ଓ ରାଜନୈତିକ ବିଶ୍ଳେଷଣ ଉପସ୍ଥାପନ କରିଥିବା ରାଜନୀତିବିଜ୍ଞାନୀ ଡି ନରସିଂହା ରେଡ଼ୀ ଓ ଅରୁଣ ପଟ୍ଟନାୟକଙ୍କ ମତରେ ୧୯୬୦ ଦଶନ୍ଧିରେ ହିଁ ନିଶାନିବାରଣର ଆଦର୍ଶକୁ ବଙ୍ଗୋପସାଗର ଓ ଭାରତ ମହାସାଗରକୁ ଫିଙ୍ଗିବାର ଉପକ୍ରମ ଆରମ୍ଭ ହେଲା (୨୪) । କେବଳ ଗୁଜୁରାଟକୁ ଛାଡ଼ି ଭାରତବର୍ଷର ଆଉ ସବୁ ପ୍ରଦେଶ ୧୯୬୦ ଦଶନ୍ଧିର ଶେଷବେଳକୁ ମଦବିକ୍ରୀ ଉପରେ ଥିବା କଟକଣାକୁ ଉଠାଇ ଦେଇଥିଲେ । ଏହା ଏକ ବିଡ଼ମ୍ବନା ଯେ, ଯେତେବେଳେ ସରକାରଙ୍କ ଦ୍ଵାରା ନିଯୁକ୍ତ ଟେକ୍‍ ଚାନ୍ଦ୍ କମିଶନ୍ ଆପଣାର ନିଶାନିବାରଣ ବିରୋଧୀ ରିପୋର୍ଟ ଉପସ୍ଥାପନା କରିଥିଲେ ସେତେବେଳେ ହିଁ ବାସ୍ତବ ସରକାରୀ ନୀତିରେ ନିଶା ଉପରେ ଥିବା ସବୁ ପ୍ରକାର ପ୍ରତିବନ୍ଧକକୁ ଉଠାଇଦିଆଯାଉଥିଲା । ମାତ୍ର ଏବେ ଆନ୍ଧ୍ରପ୍ରଦେଶର ମହିଳା ଓ ସଚେତନ ପୁରୁଷମାନେ ମଦବିକ୍ରୀ ପୂରାପୂରି ବନ୍ଦ କରିବାକୁ ସରକାରଙ୍କୁ ବାଧ୍ୟ କରିବାରେ ସଫଳ ହୋଇଛନ୍ତି ।

 

ଆନ୍ଧ୍ରପ୍ରଦେଶର ମହିଳାମାନଙ୍କ ଭିତରେ ଆମେ ଚେତନାର ଯେଉଁ ଜାଗରଣ ଦେଖିଲୁ ଏବେ ତାହାକୁ ଆମେ ସାରାଭାରତରେ ଅନେକ ଆଡ଼େ ଦେଖିପାରିବା । କେରଳର ସମୁଦ୍ର ଉପକୂଳରେ ମତ୍ସ୍ୟଜୀବୀ ମହିଳାମାନେ ସେମାନଙ୍କର ଇଲାକାରୁ ଯନ୍ତ୍ରଚାଳିତ ଟ୍ରଲିର ପ୍ରଚଳନକୁ ପୂରାପୂରି ବନ୍ଦ କରିବାକୁ ଆନ୍ଦୋଳନ କରିଛନ୍ତି । ସେମାନେ ଅନୁଭବ କରିଛନ୍ତି ଯେ’ ଯନ୍ତ୍ରଚାଳିତ ଟ୍ରଲିର ପ୍ରଚାଳନ ଫଳରେ କେବଳ ଯେ’ ସେମାନଙ୍କର ଆତ୍ମ-ନିର୍ଭରଶୀଳ ଜୀବନ ଉପରେ ପ୍ରହାର ପଡ଼ୁଛି ତାହା ନୁହେଁ, ଏହା ସମୁଦ୍ରର ସ୍ଵାଭାବିକ ସନ୍ତୁଳନକୁ ମଧ୍ୟ ନଷ୍ଟକରୁଛି । ଏହା ଫଳରେ ସମୁଦ୍ରର ଧର୍ଷଣ ଘଟୁଛି । କେରଳର ମତ୍ସ୍ୟଜୀବୀ ମହିଳାମାନେ ଆପଣାର ସମୁଦ୍ର ଉପକୂଳରୁ ଯନ୍ତ୍ରଚାଳିତ ଟ୍ରଲିଗୁଡ଼ିକର ଚାଳନାକୁ ବନ୍ଦ କରିବାରେ ସଫଳ ହୋଇଛନ୍ତି ।

 

ଜନବିଜ୍ଞାନ ଓ ଜ୍ଞାନ ବିଜ୍ଞାନ ଆନ୍ଦୋଳନ

 

ସ୍ଵାଧୀନତାପର ଭାରତବର୍ଷର ବିକାଶରେ ବିଜ୍ଞାନ ଓ ବୈଷୟିକ କୌଶଳକୁ ଅନେକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଦିଆଯାଇଛି । ବୈଜ୍ଞାନିକ, ଇଞ୍ଜିନିୟର, ଓ ଅର୍ଥନୀତି ବିଶାରଦମାନେ ଆମର ବିକାଶ-ସମ୍ବଳିତ ଯୋଜନା ପ୍ରସ୍ତୁତ କରିବାରେ ମୁଖ୍ୟନାୟକ ରୂପେ କାର୍ଯ୍ୟକରିଛନ୍ତି ମାତ୍ର ବୈଜ୍ଞାନିକମାନେ ଆପଣାର ବିଦ୍ୟାକୁ ନେଇ ସିନା ସମାଜଠାରୁ ଅଧିକ କ୍ଷମତା, ଅର୍ଥ, ଓ ସମ୍ମାନ ପାଇଛନ୍ତି, ମାତ୍ର ସେମାନେ ଆପଣାର ଜ୍ଞାନକୁ ଲୋକମାନଙ୍କ ସେବାରେ ବିନିଯୋଗ କରିବାରେ ସେତେବେଶୀ ଆଗ୍ରହ ପ୍ରକାଶ କରିନାହାନ୍ତି । ସମାଜର ଗେହ୍ଲାପୁଅ ହିସାବରେ ସେମାନେ କେବଳ ସରକାରଙ୍କୁ ତୋଷାମଦ କରିଛନ୍ତି । ଯାହାଫଳରେ ବିଜ୍ଞାନ କେବଳ ରାଷ୍ଟ୍ରର ଏକ ବ୍ୟାପାର ହୋଇ ରହିଛି । ରାଷ୍ଟ୍ରର ହର୍ତ୍ତାକର୍ତ୍ତା ଓ ସେମାନଙ୍କର ମଧ୍ୟବର୍ତ୍ତୀ ଶ୍ରେଣୀର ସମର୍ଥକମାନେ ବିଜ୍ଞାନକୁ ଏତେ କ୍ଷମତା ପ୍ରଦାନ କରିଛନ୍ତି ଯେ’ ବିଜ୍ଞାନ-ସମ୍ବନ୍ଧିତ ତର୍କ-ବିତର୍କରେ ଭାଗନେବା ସାଧାରଣ ଲୋକଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼ିଛି । ଉଦାହରଣ ସ୍ଵରୂପ, ଦେଶର ତଥାକଥିତ ସୁରକ୍ଷାପାଇଁ ନିର୍ଗତ ହେଉଥିବା ବୋମାମାନଙ୍କ ସମ୍ପର୍କରେ ଜାଣିବା ସାଧାରଣ ଲୋକଙ୍କ ପକ୍ଷେ ଏକ ଦୁରୂହ ବ୍ୟାପାର । ଖାସ୍ ସେଇଥିପାଇଁ ହୁଏତ ସମୀକ୍ଷକ ଆଶିଷ ନନ୍ଦୀ ଏହିପରି ଅବସ୍ଥାକୁ “Science as the Reason of the state” ବୋଲି ବର୍ଣ୍ଣନା କରିଛନ୍ତି (୨୫) ।

 

ମାତ୍ର ଏହି ପରିସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଏବେ ନାନା ବିଜ୍ଞାନ-ସମ୍ବନ୍ଧିତ ଜନ ଆନ୍ଦୋଳନ ଭାରତବର୍ଷରେ କ୍ରିୟାଶୀଳ ହେଉଛି । ବିଜ୍ଞାନ-ସମ୍ୱନ୍ଧିତ ସାମାଜିକ ଆନ୍ଦୋଳନ ସହିତ ସମ୍ପୃକ୍ତ ଅନୁଷ୍ଠାନ ଓ ବ୍ୟକ୍ତିମାନେ ବିଜ୍ଞାନକୁ ଜନାଭିମୁଖୀ ଓ ଲୋକପ୍ରିୟ କରିବାକୁ ଉଦ୍ୟମ କରନ୍ତି । ଏହି ଆନ୍ଦୋଳନରେ ମଧ୍ୟ କେତେକ ଗୋଷ୍ଠୀ ସଂଶ୍ଳିଷ୍ଟ ଅଛନ୍ତି ଯେଉଁମାନେ ଆଧୁନିକ ବିଜ୍ଞାନର ଭାୟାବହତାକୁ ଆମ ସମ୍ମୁଖରେ ଉନ୍ମୋଚିତ କରନ୍ତି ଓ ଏହିସ୍ଥାନରେ ଏକ ବିକଳ୍ପ ବିଜ୍ଞାନର ପ୍ରତିଷ୍ଠାପାଇଁ ଯୁକ୍ତି ବାଢ଼ନ୍ତି ଯାହା ଭାରତୀୟ ସଂସ୍କୃତି ସହିତ ଅଧିକ ମହତ୍ଵପୂର୍ଣ୍ଣଭାବେ ଖାପ୍ ଖାଇପାରିବ ।

 

ଏହି ଗୋଷ୍ଠୀମାନଙ୍କ ମଧ୍ୟରେ ମାନ୍ଦ୍ରାଜସ୍ଥିତ PPST ଅନୁଷ୍ଠାନ (Patriotic and People-Oriented Science and Technology) ଏବଂ ଅଧ୍ୟାପକ ସି.ଭି. ଶେଷାଦ୍ରୀଙ୍କର Murugappa cheltor Research Centre ପ୍ରମୁଖ ଅଟନ୍ତି । ଏହି ଦୁଇଟି ଗୋଷ୍ଠୀ ଆଧୁନିକ ବିଜ୍ଞାନ ଯେ ଆମ ଦେଶରେ ଏକ ବିଦେଶୀ ବିଜ୍ଞାନ ଯାହାର ଆମର ଭୂମି, ଅନୁଷ୍ଠାନ ଓ ସଂସ୍କୃତି ସହିତ କୌଣସି ମହତ୍ଵପୂର୍ଣ୍ଣ ସମ୍ପର୍କ ନାହିଁ ସେ ବିଷୟରେ ଜନସଚେତନା ସୃଷ୍ଟି କରିବାରେ ଚେଷ୍ଟାରତ । ଉଦାହରଣସ୍ଵରୂପ, ଭାରତବର୍ଷରେ ଆଧୁନିକ ଇଞ୍ଜିନିୟରିଂ ବିଭାଗର ପାରମ୍ପରିକ କାରିଗରୀ ବିଦ୍ୟା ଓ ଅନୁଷ୍ଠାନ ସହିତ କୌଣସି ସମ୍ପର୍କ ନାହିଁ । ଆମ ଭାରତର ପାରମ୍ପରିକ ବ୍ୟବସ୍ଥାରେ ଜାତି ଓ ବ୍ୟକ୍ତିର ଯେଉଁ ବୈଷୟିକ କୌଶଳ ରହିଛି ସେହି ଜାତି ଓ ବ୍ୟକ୍ତିର ଆଜି ଆଧୁନିକ ଶିଳ୍ପ ବ୍ୟବସ୍ଥାରେ କୌଣସି ସ୍ଥାନନାହିଁ । ଆମର ଆଧୁନିକ ଚିକିତ୍ସାବ୍ୟବସ୍ଥାର ପାରମ୍ପରିକ ଲୋକସ୍ଵାସ୍ଥ୍ୟ ପରମ୍ପରା ସହିତ କୌଣସି ସମ୍ପର୍କ ନାହିଁ ଯଦିଓ ଆମ ସମାଜର ଅଧିକାଂଶ ଲୋକ ଏବେବି ଏହି ଲୋକସ୍ଵାସ୍ଥ୍ୟ ପରମ୍ପରା ଉପରେ ନିର୍ଭରଶୀଳ ।

 

ବିଜ୍ଞାନ-ଆନ୍ଦୋଳନରେ ସଂଶ୍ଳିଷ୍ଟ ଅନ୍ୟ ଅନେକ ଗୋଷ୍ଠୀ ବିଜ୍ଞାନକୁ ଲୋକପ୍ରିୟ କରିବା ସଙ୍ଗେସଙ୍ଗେ ଏହାକୁ ଜନତାର ବିକାଶପାଇଁ ଏକ ମାଧ୍ୟମରୂପେ ବ୍ୟବହାର କରିବାକୁ ବଦ୍ଧପରିକର-। ଏମାନଙ୍କ ମଧ୍ୟରେ କେରଳର ବିଜ୍ଞାନ ଆନ୍ଦୋଳନ, କେରଳ ଶାସ୍ତ୍ର ସାହିତ୍ୟ ପରିଷଦ (କେ. ଏସ୍. ଏସ୍. ପି.) ସବୁଠାରୁ ଅଧିକ କ୍ରିୟାଶୀଳ ଗୋଷ୍ଠୀ ଅଟେ ଯିଏ ଆପଣାର ସ୍ଵଜନ ସାଧନାଦ୍ଵାରା ଏବେ ସାରା ଭାରତବର୍ଷରେ ଅନେକ ଅନୁଷ୍ଠାନ ଓ ଉଦ୍ୟମକୁ ଜନ୍ମଦେଇଛି ଓ ପ୍ରେରଣା ଯୋଗାଇ ଆସିଛି-। କେ. ଏସ୍. ଏସ୍. ପି. କେରଳର ରାଜଧାନୀ କ୍ରିଭାନ୍ଦ୍ରମରେ ୧୯୬୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା । କେତେଜଣ ଆଗ୍ରହୀ ବିଜ୍ଞାନ ଶିକ୍ଷକ ଏହି ସଂଗଠନଟି ଗଢ଼ିଥିଲେ ଓ ଏହି ସଂଗଠନର ଭୂମିରେ ଏକତ୍ରିତ ହୋଇ ଜନସାଧାରଣ ଓ ସ୍କୁଲ ପିଲାମାନଙ୍କ ପାଇଁ ପାଠ୍ୟପୁସ୍ତକ ଓ ଜନପ୍ରିୟ ବିଜ୍ଞାନ ପୁସ୍ତକ ରଚନା କରିଥିଲେ । ଲୋକପ୍ରିୟ ଓ ସାବଲୀଳ ବିଜ୍ଞାନ-ପୁସ୍ତକ ରଚନା କରିବାରେ ଖ୍ୟାତି ଅର୍ଜନ କଲାପରେ କ୍ରମେ କ୍ରମେ କେ. ଏସ୍. ଏସ୍. ପି. ଅନୁଭବ କଲା ଯେ’ ନିଜକୁ ଏକ ଜନ-ଆନ୍ଦୋଳନରୂପେ ଗଢ଼ିନତୋଳିଲେ ଖାଲି ପାଠ୍ୟପୁସ୍ତକ ଲେଖି ବିଶେଷ କିଛି ଲାଭ ନାହିଁ । ୧୯୭୮ ମସିହାରେ କେ.ଏସ୍‍. ଏସ୍‍.ପି “ସାମାଜିକ ବିପ୍ଳବ ପାଇଁ ବିଜ୍ଞାନ”କୁ ଆପଣାର ଲକ୍ଷ୍ୟରୂପେ ଗ୍ରହଣ କରିଥିଲା (୨୬) ବିଜ୍ଞାନ ମାଧ୍ୟମରେ ସମାଜରୁ କୁସଂସ୍କାର ଓ ଅନ୍ଧବିଶ୍ଵାସ ଦୂରକରିବା ସଙ୍ଗେସଙ୍ଗେ ବିଭିନ୍ନ ସାମାଜିକ ସମସ୍ୟାରେ ହସ୍ତକ୍ଷେପ କରିବାକୁ ପରିଷଦ ନିଷ୍ପତ୍ତି ନେଲା । ୧୯୮୦ରେ କେରଳ ନୀରବଉପତ୍ୟକା ବା Silent valley ଅଞ୍ଚଳରେ ଏକ ବଡ଼ ବନ୍ଧ ନିର୍ମାଣ କରାଯିବାର ଥିଲା ଯାହା କାର୍ଯ୍ୟକାରୀ ହୋଇଥିଲେ ଏକ ବିରାଟ ଅରଣ୍ୟ ଜଳମଗ୍ନ ହୋଇଯାଇଥାନ୍ତା ଓ ଏହା ପରିବେଶ ପାଇଁ ଅନେକ କ୍ଷତିକାରକ ହୋଇଥାନ୍ତା-। ସେତେବେଳର ମାର୍କସ୍‍ବାଦୀ କମ୍ୟୁନିଷ୍ଟ ପାର୍ଟିର ସରକାର ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଇବାରେ ଅତ୍ୟାଗ୍ରହୀ ଥିଲେ । ମାତ୍ର ପରିଷଦ ଏହି ପ୍ରକଳ୍ପର ପରିବେଶଗତ କ୍ଷତିକାରକ ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟିକଲା ଓ ଏକ ଜନ-ଆନ୍ଦୋଳନ ସୃଷ୍ଟିକଲା ଯାହାଫଳରେ ରାଜ୍ୟସରକାର ଏହି Silent valley Projectକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ । ଏହି ପରିବେଶଗତ ଆନ୍ଦୋଳନରେ ସଫଳତା ପରିଷଦକୁ ଅନ୍ୟ ସାମାଜିକ ସମସ୍ୟା ଯଥା ବିଦ୍ୟୁତଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା, ଓ ସାକ୍ଷରତା ଆଡ଼କୁ ଆକର୍ଷିତ କରିଥିଲା । ପରିଷଦ ଗାଆଁ ଗହଳରେ ଶକ୍ତିସଞ୍ଚୟପାଇଁ ପରିଷଦ ଚୁଲା ନାମକ ଏକ ଚୁଲା ପ୍ରଚଳନ କରିଥିଲା । କେରଳକୁ ସଂପୂର୍ଣ୍ଣ ସାକ୍ଷର କରିବା ନିମିତ୍ତ ପରିଷଦର ସହସ୍ର ସହସ୍ର ସ୍ଵେଚ୍ଛାସେବୀ କର୍ମୀ ଆଗ୍ରହୀ ଜନସାଧାରଣ ଓ ସରକାରଙ୍କର ସହଯୋଗରେ ଏକ ଆନ୍ଦୋଳନ କରିଥିଲେ ଯାହା କେରଳକୁ ୧୯୯୦ ମସିହାରେ ଏକ ପୂର୍ଣ୍ଣସାକ୍ଷର ରାଜ୍ୟରେ ପରିଣତ କରିଥିଲା । ଏହି ସବୁଥିରେ ଜନସଚେତନତା ସୃଷ୍ଟି କରିବାପାଇଁ ପରିଷଦ କଳାଯାତ୍ରାର ଆୟୋଜନ କରିଥାଏ ଯେଉଁଥିରେ ସଙ୍ଗୀତ ଓ ନାଟକ ଆଦି ମାଧ୍ୟମରେ ତାହା ଆପଣାର ଆଭିମୁଖ୍ୟକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନା କରିଥାଏ ଓ ଆନ୍ଦୋଳନରେ ସେମାନଙ୍କୁ ସଂଶ୍ଳିଷ୍ଟ କରିଥାଏ ।

 

ଏହି କେ. ଏସ୍. ଏସ୍. ପି.ର ଆନୁକୁଲ୍ୟରେ ୧୯୬୮ ମସିହାରେ ଏକ ସର୍ବଭାରତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା ଯେଉଁଥିରେ ଦେଶର ବହୁ ବିଜ୍ଞାନ ସଂଶ୍ଳିଷ୍ଟ ଗୋଷ୍ଠୀ ଭାଗ ନେଇଥିଲେ । ଏହି ସମ୍ମିଳନୀ ପରେ ଏକ ସର୍ବଭାରତୀୟ ଜନବିଜ୍ଞାନ ଆନ୍ଦୋଳନକୁ ଦୁଇଟି ସର୍ବଭାରତୀୟ ଯାତ୍ରା ବା ଜାଥା ଅନୁଷ୍ଠିତ ହୋଇଥିଲା । ୧୯୮୭ ମସିହାରେ ଭାରତୀୟ ଜନବିଜ୍ଞାନ ଜାଥା ଭାରତର ବିଭିନ୍ନ ପ୍ରାନ୍ତରୁ ବାହାରିଥିଲା ଓ ଏହା ଭୋପାଳର ସମ୍ମିଳିତ ହୋଇଥିଲା । ରାସ୍ତାରେ ସ୍ଵେଚ୍ଛାସେବୀ ଭାଇ, ଭଉଣୀମାନେ ଯାତ୍ରା କରୁଥିଲେ ଓ ଏହାରି ମାଧ୍ୟମରେ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଏକ ବିଜ୍ଞାନ-ସମ୍ମତ ଦୃଷ୍ଟିକୋଣ ଉପସ୍ଥାପନା କରୁଥିଲେ । ୧୯୯୦ ମସିହାରେ ଏହି ଜାଥା ଭାରତୀୟ ଜ୍ଞାନବିଜ୍ଞାନ ଜାଥାର ରୂପ ନେଇଥିଲା । ଏହି ଜ୍ଞାନ ବିଜ୍ଞାନ ଜାଥା ଫଳରେ ସାରା ଭାରତବର୍ଷରେ ସାକ୍ଷରତା ନିମିତ୍ତ ଆନ୍ଦୋଳନ ଏକ ସାମଗ୍ରିକ ସାମାଜିକ ଆନ୍ଦୋଳନର ରୂପ ନେଇଥିଲା ।

 

ଭାରତବର୍ଷର ଜନ ବିଜ୍ଞାନ ଆନ୍ଦୋଳନର ଅନ୍ୟ ଦୁଇଟି ମୁଖ୍ୟ ଗୋଷ୍ଠୀ ହେଉଛନ୍ତି, ମଧ୍ୟପ୍ରଦେଶର ଏକଲବ୍ୟ ଓ ଦିଲ୍ଲୀର ଦିଲ୍ଲୀ ବିଜ୍ଞାନ ଚକ୍ର (Delhi Science Forum ବା D.S.F.) (୨୭) ଏକଲବ୍ୟ ମଧ୍ୟପ୍ରଦେଶର ପ୍ରାଥମିକ ଶିକ୍ଷା ଓ ହାଇସ୍କୁଲ ସ୍ତରର ବିଜ୍ଞାନ ଶିକ୍ଷାରେ ଅନେକ ଅଭିନବ ଉଦ୍ଭାବନ ପ୍ରସ୍ତୁତ କରିଛି ଯାହାଫଳରେ ବିଜ୍ଞାନକୁ ଆପଣାର ପାରିପାର୍ଶ୍ଵିକ ଅନୁସାରେ ପିଲାମାନେ ଅତି ସହଜରେ ଶିଖିପାରିବେ । ଏହା ସାମାଜିକ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଅଭିନବ ଶୈଳୀରେ ପାଠ୍ୟ ପୁସ୍ତକ ରଚନା କରିଛି ଯେଉଁଥିରେ ବିଭିନ୍ନ ସାମାଜିକ ସମସ୍ୟାକୁ ପ୍ରଶ୍ନୋତ୍ତର ମାଧ୍ୟମରେ ବୁଝାଯାଉଛି । ଏଥିରେ କୌଣସି ଏକ ମତକୁ ଶେଷ ସିଦ୍ଧାନ୍ତ ରୂପେ ଉପସ୍ଥାପିତ କରାଯାଇନାହିଁ । ଏକ ସଂଳାପ ମାଧ୍ୟମରେ ବିଷୟର ଆଲୋଚନା କରାଯାଇଥାଏ । ପାଠ୍ୟ ପୁସ୍ତକରେ ଅନ୍ତର୍ନିହିତ ଏହି ସଂଳାପ ଶ୍ରେଣୀ କକ୍ଷରେ ଶିକ୍ଷକ ଓ ଛତ୍ର-ଛାତ୍ରୀଙ୍କ ମଧ୍ୟରେ ଆଦାନ ପ୍ରଦାନ ଓ ବାକ୍ୟାଳାପକୁ ଏକ ସହଜ ସଂଳାପରେ ପରିଣତ କରିଥାଏ । ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଏକଲବ୍ୟର କ୍ଷେତ୍ରବିକାଶକେନ୍ଦ୍ର ବା Field center ରହିଛି ଯେଉଁଥିରେ ସାମାଜିକ ସମସ୍ୟା ସମ୍ପର୍କରେ ଜନସଚେତନତା ସୃଷ୍ଟିକରିବାକୁ ଏକଲବ୍ୟ ଏକଲବ୍ୟ ବିଚାରମଞ୍ଚର ଆୟୋଜନ କରିଥାଏ ଏହା ସହିତ ଦେଶର ସାମ୍ପ୍ରଦାୟିକ ଉତ୍ତେଜନାପୂର୍ଣ୍ଣ ଜଳବାୟୁରେ ଧର୍ମ, ଓ ଜାତି, ଜାତି ମଧ୍ୟରେ ସଦ୍‍ଭାବ ସୃଷ୍ଟି କରିବାକୁ ଏକଲବ୍ୟ କବୀର ଭଜନ ମଣ୍ଡଳୀର ଆୟୋଜନ କରିଥାଏ । ଏକଲବ୍ୟର ଏହିସବୁ ସୃଜନଶୀଳ କାର୍ଯ୍ୟ ସରକାରଙ୍କର ଦେହରେ ଯାଏ ନାହିଁ । ଯଦିଓ ଏକଲବ୍ୟ ଓ କିଶୋରଭାରତୀ ଗଲା କୋଡ଼ିଏ ବର୍ଷହେଲା ମଧ୍ୟପ୍ରଦେଶରେ କ୍ରିୟାଶୀଳ, ଗଲା ବର୍ଷେତଳେ (୧୯୯୨ରେ) ମଧ୍ୟପ୍ରଦେଶର ଭାରତୀୟ ଜନତାପାର୍ଟି ସରକାର ଏହାକୁ ରୋକଠୋକ୍ ପେଡ଼ି ପୁଟୁଳା ବାନ୍ଧି ମଧ୍ୟପ୍ରଦେଶ ଛାଡ଼ିବାକୁ ହୁକୁମ୍‍ ଦେଇଥିଲେ । ମାତ୍ର ସେଠାରେ ରାଷ୍ଟ୍ରପତି ଶାସନ ଜାରିହେବାପରେ ଏହା ସମ୍ଭବ ହୋଇପାରିଲା ନାହିଁ ।

 

ଦିଲୀସ୍ଥିତ Delhi Science Forum ଏବେ ଆନ୍ତର୍ଜାତିକ ବାଣିଜ୍ୟ ଓ ସେଥିରେ ଥିବା Intellctual Property Rights ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଛି । D.S.F. ମତରେ ଭାରତ ଯଦି ଡ୍ରଙ୍କେଲ୍ ପ୍ରସ୍ତାବକୁ ମାନିନିଏ, ତେବେ ଏହା ଭାରତବର୍ଷରେ ବହୁରାଷ୍ଟ୍ରର କମ୍ପାନୀ ବା Multinational ମାନଙ୍କର ଏକ ନୂଆ ସାମ୍ରାଜ୍ୟବାଦ କରିବ । ଏହି ଆସନ୍ନ ଦୁର୍ବିପାକ (ଯାହାରୁ ଡି. ଏସ୍. ଏଫ୍.Gattastruphe ରୂପେ ଅବିହିତ କରିଥାଏ ସମ୍ପର୍କରେ ଡି.ଏସ୍‍.ଏଫ୍‍.ସରକାରଙ୍କର ନୀତି ନିର୍ମାଣ ଓ ଲୋକପ୍ରତିନିଧିମାନଙ୍କୁ ତଥ୍ୟ ଓ ଶିକ୍ଷାପ୍ରଦାନ କରିଥାଏ । ଏହାଛଡ଼ା ଡି.ଏସ୍. ଏଫ୍. ଅନୁନ୍ନତ ଓ ଆଦିବାସୀମାନଙ୍କର ଅର୍ଥନୈତିକ ବିକାଶ ପାଇଁ ମଧ୍ୟ ସେମାନଙ୍କୁ ଉପଯୁକ୍ତ ବୈଷୟିକ କୌଶଳ ପ୍ରଦାନ କରିଥାଏ । ଏହା ହିମାଚଳ ପ୍ରଦେଶର ମୋଚିମାନଙ୍କ ଅର୍ଥନୈତିକ ବିକାଶପାଇଁ ସେମାନଙ୍କୁ ଚମଡ଼ା ନିର୍ମାଣର ନୂତନ ଟେକ୍ନୋଲଜି ପ୍ରଦାନ କରିଛି ।)

 

ଉପସଂହାର : ସହସ୍ର ବିପ୍ଳବ ପାଇଁ ତ୍ୱରାନିତ ଉଦ୍ୟମ

 

ବିପ୍ଳବ ଏକ ବହୁ ପରିସରୀୟ ସତତ ଉଦ୍ୟମ । ଏହି ଉଦ୍ୟମରେ ଭାରତବର୍ଷର ବିଭିନ୍ନ ବ୍ୟବସ୍ଥା-ବିରୋଧୀ ଜନଆନ୍ଦୋଳନ ଏବେ ସଂଶ୍ଳିଷ୍ଟ । ଏହି ଉଦ୍ୟମରେ ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ମଧ୍ୟ ସଂଶ୍ଳିଷ୍ଟ । ଏହି ଅନୁଷ୍ଠାନମାନେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅଟନ୍ତି । ଯେଉଁଗୁଡ଼ିକୁ ଏବେ ବେସରକାରୀ ସଂଗଠନ ବା Non-Governmental Organization ବୋଲି କୁହାଯାଇଥାଏ । ଏହି ଅନୁଷ୍ଠାନମାନେ ଦେଶର ଗଳିକନ୍ଦିରେ ଲୋକମାନଙ୍କ ସହିତ ବିଭିନ୍ନ ସାମାଜିକ ସମସ୍ୟାର ସମାଧାନପାଇଁ କାମ କରୁଛନ୍ତି । ମଧ୍ୟବିତ୍ତ ଶ୍ରେଣୀର ଶିକ୍ଷିତ ଓ ସ୍ଵପ୍ନପ୍ରିୟ ଯୁବକମାନେ ଏହି ଅନୁଷ୍ଠାନରେ ବହୁସଂଖ୍ୟାରେ କାମ କରୁଛନ୍ତି । ଏହି ଶିକ୍ଷିତ ଯୁବକ-ଯୁବତୀମାନଙ୍କ ହୃଦୟରେ ବିପ୍ଳବର ବହ୍ନି ପ୍ରଜ୍ଜ୍ଵଳିତ । ଯଦିଓ ଏହି ବହ୍ନିକୁ ପ୍ରଶମିତ କରିବାକୁ ଏମାନେ ନକ୍‍ସଲ୍‍ ବାଡ଼ୀ ବିପ୍ଳବଭଳି ସଶସ୍ତ୍ର ବିପ୍ଳବରେ ଭାଗ ନେଇପାରୁ ନାହାନ୍ତି ତଥାପି ସରକାରୀ ଓ ଅନ୍ତରାଷ୍ଟ୍ରୀୟ ସାହାଯ୍ୟପ୍ରାପ୍ତ ଅନୁଷ୍ଠାନମାନଙ୍କ ଜରିଆରେ ଏମାନେ ନିଜ ପାଇଁ ଓ ସମାଜପାଇଁ କିଛି ସୃଜନଶୀଳ କାର୍ଯ୍ୟ କରିବାକୁ ଆଗ୍ରହୀ । ଆମର ଓଡ଼ିଶା ଭୂଇଁରେ ଅଗ୍ରଗାମୀ ଏମିତି ଏକ ସଂସ୍ଥା, ଯାହା କୋରାପୁଟର ଆଦିବାସୀମାନଙ୍କ ମଧ୍ୟରେ କାର୍ଯ୍ୟ କରୁଛି । ଆଦିବାସୀମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଓ ସେମାନଙ୍କୁ ସାହୁକାରମାନଙ୍କ କବଳରୁ ରକ୍ଷା କରିବାକୁ ଅଗ୍ରଗାମୀର କର୍ମୀମାନେ କ୍ରିୟାଶୀଳ । ଅଗ୍ରଗାମୀଭଳି ସ୍ଵେଚ୍ଛାସେବୀ ସଂସ୍ଥାମାନେ ସରକାରୀ ଓ ବେସରକାରୀ ଅର୍ଥଦାନ ଉପରେ ନିର୍ଭରଶୀଳ । ବହୁ ଅନ୍ତରାଷ୍ଟ୍ରୀୟ ସଂସ୍ଥା ଆଜିକାଲି ଅନୁନ୍ନନ ଅଞ୍ଚଳରେ ବିକାଶ ପାଇଁ ସ୍ଵେଚ୍ଛାସେବୀ ସଂଗଠନମାନଙ୍କୁ ଅନେକ ପଇସା ଢାଳି ଦେଉଛନ୍ତି-

 

ଭାରତବର୍ଷରେ ଏବେ ଯେଉଁ ସହସ୍ର ବିପ୍ଳବ ଘଟୁଛି, ତାହା ଭାରତବର୍ଷର କେନ୍ଦ୍ରୀୟ ବ୍ୟବସ୍ଥାର ଅସାମର୍ଥ୍ୟକୁ ସ୍ପଷ୍ଟ ପ୍ରତିପାଦିତ କରୁଛି । ଏବେ ବହୁ ଅଞ୍ଚଳରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ମୁଣ୍ଡ ଟେକୁଛି । କାଶ୍ମୀର ଓ ଉତ୍ତର ପୂର୍ବ ଅଞ୍ଚଳରେ କେତେ ଗୋଷ୍ଠୀ ଭାରତର ରାଷ୍ଟ୍ରୀୟ ସଙ୍ଗଠନକୁ ହୃଦୟରସହ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ରାଷ୍ଟ୍ରବାଦର ଅଫିମ ଖାଇଥିବା ନେତା ଓ ସେମାନଙ୍କର ଅନ୍ଧ ଅନୁଗାମୀମାନଙ୍କ ପାଇଁ ଏହି ଆନ୍ଦୋଳନକାରୀମାନେ କେବଳ ବିଚ୍ଛିନ୍ନତାବାଦୀ ଅଟନ୍ତି । ତେଣୁ ଏମାନଙ୍କୁ ଗୁଳିରେ ଉଡ଼ାଇଦେବା ଭଲ । ମାତ୍ର ଏହିସବୁ ପ୍ରାନ୍ତରେ ଭାରତୀୟ ସୈନ୍ୟମାନେ ସାଧାରଣ ଲୋକମାନଙ୍କ ଉପରେ ଯେଉଁ ଅତ୍ୟାଚାର କରୁଛନ୍ତି; ତାହା ଏକ ଲୋମହର୍ଷଣକାରୀ କାହାଣୀ ଅଟେ । ଏହି ଅତ୍ୟାଚାର ମୂଳ ଶିକାର ହେଉଛନ୍ତି ଅବଳା ଲଳନାମାନେ । ଏହିସବୁ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଆମକୁ ହୃଦୟଙ୍ଗମ କରାଇବା ଉଚିତ ଯେ, ସ୍ଵାଧୀନତାପର ଭାରତବର୍ଷର ମୌଳିକ ଅଭିଶାପ ହେଉଛି ଏହାର ଦୃଢ଼ ଓ ରୁକ୍ଷ କେନ୍ଦ୍ରୀକରଣ ବା Centralization । ରାଜନୀତିଠାରୁ ଶିକ୍ଷାନୀତି ପର୍ଯ୍ୟନ୍ତ ସବୁଥିରେ ଶେଷ ନିଷ୍ପତ୍ତିର କେନ୍ଦ୍ର ହେଉଛି ଦିଲ୍ଲୀ । ଏହାଫଳରେ ସାଧାରଣ ଜୀବନରେ ଅନେକ ହିଂସା ଉପୁଜୁଛି । ଲୋକମାନେ ବାଧ୍ୟ ହେଉଛନ୍ତି ଅନୁଭବ କରିବାକୁ ଯେ, ସେମାନଙ୍କର ନିଜ ଜୀବନ ଉପରେ ନିଷ୍ପତ୍ତି ନେବାର କୌଣସି ଅଧିକାର ନାହିଁ । ଏବେ ଅବଶ୍ୟ କ୍ଷମତା ବିକେନ୍ଦ୍ରୀକରଣର କଥା ସମସ୍ତେ କହୁଛନ୍ତି, ମାତ୍ର ଏଥିପାଇଁ ସମସ୍ତେ କାନ୍ଦୁଥିବା ବେଳେ କାହାରି ଆଖିରୁ ଲୁହ ବହୁନି । ସମ୍ଭବତଃ ଆମର ମାନସିକତା ଏମିତି ଯେ, ଆମେ କ୍ଷମତାର କେନ୍ଦ୍ରମାନଙ୍କରୁ ଆମର ବିହ୍ୱଳିତ ଦୃଷ୍ଟି ଆମ ନିଜ ମଧ୍ୟକୁ ପ୍ରସାରିତ କରିବାକୁ ଅସମର୍ଥ ।

 

ମାତ୍ର ଏକ ଯଥାର୍ଥ ବିପ୍ଳବର ସୂତ୍ରଧର ହେଉଛି ମଣିଷର ଅନ୍ତରାତ୍ମା । ଏହି ଅନ୍ତରାତ୍ମାର ସାଧନା ହିଁ ଏକ ସୁନ୍ଦର ସମାଜ ତିଆରି କରିଥାଏ । ଯେତେ ପର୍ଯ୍ୟନ୍ତ ମଣିଷ କେନ୍ଦ୍ରମାନଙ୍କ ନିକଟରେ ଭୃତ୍ୟ, ସେପର୍ଯ୍ୟନ୍ତ ସ୍ଵାଧୀନତା ଓ ସୁନ୍ଦର ସମାଜ ନିର୍ମାଣ ନିମିତ୍ତ ପ୍ରୟାସ ଅସଂପୂର୍ଣ୍ଣ ରହିଛି ବୋଲି ଭାବିବାକୁ ହେବ । ଗାନ୍ଧିଜୀଙ୍କର ବିଚାରରେ ଭାରତବର୍ଷର ଅନ୍ତରାତ୍ମା ଗାଁ ମଧ୍ୟରେ ହି ରହିଛି । ମାତ୍ର ରାଜନୀତିର ଯେଉଁ କେନ୍ଦ୍ରୀକରଣ ପ୍ରକ୍ରିୟା ଏହା ଆମର ଆତ୍ମାକୁ କ୍ଷମତାକେନ୍ଦ୍ରମାନଙ୍କର ଭୃତ୍ୟ କରାଇଛି, ସେହି କେନ୍ଦ୍ରୀକରଣ ପ୍ରକ୍ରିୟା ଆମର ଗାଁ’ମାନଙ୍କୁ ଦିଲ୍ଲୀ ଓ ଭୁବନେଶ୍ୱରର ବାଦଶାହାମାନଙ୍କ ପାଇଁ ଏକ ଉପନିବେଶ କରିଛି । ଭାରତବର୍ଷରେ ଅନୁଷ୍ଠିତ ଶତଶତ ପରିଚିତ ଓ ଅପରିଚିତ କ୍ଷୁଦ୍ର ଓ ବୃହତ୍ ବିପ୍ଳବ ବିଷୟରେ ପଢ଼ୁଥିବା ବେଳେ ଓ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଥିବାବେଳେ ଆମେ ଅଧିକରୁ ଅଧିକ ସଚେତନ ଭାବରେ ଭାରତବର୍ଷ ଲାଗି ଅପେକ୍ଷା କରି ରହିଥିବା ନୂତନ ବ୍ୟବସ୍ଥାଟିକୁ ନିଜ ସମ୍ମୁଖରେ ରଖି ବାଟ ଚାଲିବା, ପରସ୍ପର ସହିତ ସମ୍ମିଳିତ ହେବା ଓ ଏ ଦେଶର କ୍ଷୟକାରୀ ମୋଡ଼ଟିକୁ ବଦଳାଇ ଦେବା ।

 

[ଏହି ପ୍ରବନ୍ଧରୁ ପ୍ରସ୍ତୁତ କରିବାରେ ପ୍ରଫେସର ମନୋରଞ୍ଜନ ମହାନ୍ତି ମୋତେ ଅନେକ ସାହାଯ୍ୟ କରିଛନ୍ତି । ପ୍ରଫେସର ମହାନ୍ତି ମୋ ପାଖକୁ Gail Omvedtଙ୍କର ବହି Reinventing Revolution ମୋର ଅନୁରୋଧ କ୍ରମେ ଯଥାଶୀଘ୍ର ପଠାଇଛନ୍ତି । ପ୍ରଫେସର ମହାନ୍ତିଙ୍କୁ ମୁଁ ଏହି ଅବସରରେ କୃତଜ୍ଞତା ଜଣାଉଛି ।]

 

ଗ୍ରନ୍ଥ-ସୂଚନା ଓ ଟିପପଣୀ

 

୧.

Gunnar Myrdal, The Assian Drama : An Enquiry into the poverty of Nations (New Delhi : Kalyani Publishers, 1968).

 

 

୨.

ତତ୍ରୈବ ।

 

 

୩.

V.S Naipaul, India : A million Mutinies Now.

 

 

୪.

ଏହି ସଂସାରରେ ଦେଖନ୍ତୁ, Rabindra Ray, Naxalities and Their Idology (New Delhi : Oxford University Press, 1988) ।

 

 

୫.

ନାଇପଲଙ୍କର ପୂର୍ବସୂଚିତ ପୁସ୍ତକ, ପୃ.୯୬-୯୭ ।

 

 

୬.

ତତ୍ରୈବ, ପୃ. ୧୧୮ ।

 

 

୭.

ତତ୍ରୈବ, ପୃ. ୧୧୭ ।

 

 

୮.

Gail Omvedt, Reinventing Revolution (Ny : M.E. Shape, 1993).

 

 

୯.

ନାଇପଲଙ୍କର ପୂର୍ବସୂଚିତ ପୁସ୍ତକ, ପୃ. ୨୨୪ ।

 

 

୧୦.

ତତ୍ରୈବ, ପୃ. ୫୧୭ ।

 

 

୧୧.

ତତ୍ରୈବ ।

 

 

୧୨.

ଏହି ଭାଗରେ ବର୍ଣ୍ଣିତ ତଥ୍ୟ ପାଇଁ ମୁଁ ଶ୍ରୀମତୀ omvedtଙ୍କ ପୁସ୍ତକ ଉପରେ ପୂରା ନିର୍ଭର କରିଛି ।

 

 

୧୩.

ଏହି ସଂକ୍ରାନ୍ତରେ ଦେଖନ୍ତୁ, I. Angus and S. Jhally, (eds) Cultural politics in Contemporary America (Routledge, 1989).

 

 

୧୪.

Immanuel wallerstein, “Development: Lodestar or Illusion”, Economic and Political weekly, September 24, 1988.

 

 

୧୫.

ତତ୍ରୈବ ।

 

 

୧୬.

ଏହି ସଂପର୍କରେ ଦେଖନ୍ତୁ, Alf Hornborg, “ Machine Fetishism, Value and the Image of Unlimited Good : Towards and Thermodynamics of Imperialism”, Man (n.s)vol, 27 (1992) pp. 1-18.

 

 

୧୭.

C.V. Sheshadri, Development and Thermodynamics : A search for New Quality Markers”, Murugappa Chettiar Research Center, Mardas, February 1992.

 

 

୧୮.

ଏହି ସଂକ୍ରାନ୍ତରେ ଦେଖନ୍ତୁ, Sunil Sahasrabudhey, “Freedom from Degrading Laws of a Degrading Order”, (Varanasi: Gandhian Institute of Studies, 1988).

 

 

୧୯.

ଏହି ସଂକ୍ରାନ୍ତରେ ଦେଖନ୍ତୁ, M. Shatrughna, “Literacy and Attack in Andhra”, Economic and political weekely XXVII (48) : 2583-2584, November 28, 1992.

 

 

୨୦.

Jurgen Habermas, Moral Consciousness and Communicative Action (Cambridge : Polity Press, 1990) ଏହି ସଂକ୍ରାନ୍ତିରେ ମଧ୍ୟ ଦେଖନ୍ତୁ, ଅନନ୍ତ ଗିରି, “ଚେତନାର ଉତ୍ତରଣ : ସାଂପ୍ରତିକ ବିଶ୍ଵମୟତା ଓ ରାଷ୍ଟ୍ରୋତ୍ତର ଆନ୍ଦୋଳନ”, ଏଷଣା, ଡିସେମ୍ବର ୧୯୯୨ ।

 

 

୨୧.

M. Satrughnaଙ୍କର ପୂର୍ବସୂଚିତ ରଚନା, ପୃ. ୨୫୮୪ ।

 

 

୨୨.

Kancha llaiah, “Andhra pradesh’s Anti-Liquor Movement”, Economic and poltical weekly XXVII (45) : 2406-2408, November 7, 1992.

 

 

୨୩.

D. Narasimha Reddy and Arun patnaik, “Anti-Arrack Agitation of women in Andhra Pradesh”, Economic and poltical weekly XXVII (21) : 1059-1066, May 22, 1993.

 

 

୨୪.

ତତ୍ରୈବ ।

 

 

୨୫.

ଦେଖନ୍ତୁ, Ashish Nandi, Science, Hegemony and Violence : A Requism for Modernity (Delhi : Oxford Uniersity press, 1988).

 

 

୨୬.

Kerala Sastra Sahitya parishad, Science for Social Revolution (Trivandrum, 1983).

 

 

୨୭.

ମୁଁ ଏହି ବିଷୟରେ ମୋର ପ୍ରବନ୍ଧ “The Portait of a Discoursive Formation : Science as Social Activism and Cultural Criticism”ରେ ଆଲୋଚନା କରିଛୁ । ଏହା ନୂଆ ଦିଲ୍ଲୀସ୍ଥିତ National Institute of Science, Technology and Devlopment Studies ତରଫରୁ ଏକ working Paper ରୂପେ ପ୍ରକାଶିତ ।

 

 

୨୮.

ଏହି ସଂକ୍ରାନ୍ତରେ ଦେଖନ୍ତୁ, Rajani Kothari, “On the Non-Party Poltical Process : The NGOS, The state and World Capitalism” Lokayan Bulletin, 1986 ଏବଂ D.N. Dhanagare, “Action Groups and Social Transformation in India.” Lokayan Bulletin 6:5, 1988 : 37-57; ଏବଂ Anil Bhatt, Devlopment and social Justice : Micro Action by Weaker Sections (New Delhi : Sage, 1988).

☆☆☆

 

ପୃଷ୍ଠବନ୍ଧ

 

ସ୍ଵାଧୀନ ଭାରତର ପଚାଶବର୍ଷ ଗତ ହୋଇଯିବା ପରେ ବର୍ତ୍ତମାନ ଭାରତୀୟ ରାଜନୀତିରୁ ଧାତୁ, ବର୍ଗ ଓ ଧର୍ମ କେଉଁଠାରେ ଆସି ପହଞ୍ଚିଛି ? ଆଗକୁ କେଉଁଠି କ’ଣ ସୁରାଖ ପ୍ରକୃତରେ ଦିଶୁଅଛି କି ? ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ଭାରତରେ ଏବଂ ସ୍ଥାନୀୟ ଭାବରେ ଆମ ଓଡ଼ିଶା ରାଜ୍ୟରେ ରାଜନୀତିର ଉକ୍ତ ଅବଧିଟି ମଧ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । କ୍ଷମତାଦ୍ଵାରା ହିଁ ସବୁକିଛି ହାସଲ କରିବା କଦାପି ସମ୍ଭବ ହେବନାହିଁ ବୋଲି ଅନ୍ତର୍ଗତଭାବେ ବିଶ୍ଵାସ କରୁଥିଲେ ମଧ୍ୟ ସେ କ୍ଷମତା ଭିତରକୁ ଆସିଥିଲେ । କଂଗ୍ରେସଦଳ ପକ୍ଷରୁ ଓଡ଼ିଶାରେ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏକଦା ରାଜନୀତିରୁ ତାଙ୍କର ମୋହଭଙ୍ଗ ଘଟିବାରୁ ସେ ସର୍ବୋଦୟରେ ପ୍ରବେଶ କରିଥିଲେ ଏବଂ ଥରେ ନିଖିଳ ଭାରତୀୟ ସ୍ତରରେ ସର୍ବୋଦୟ ଆନ୍ଦୋଳନର ଆନୁଷ୍ଠାନିକ ସଭାପତି ମଧ୍ୟ ହୋଇଥିଲେ । ଏବଂ, ଆପଣା ସାଧାରଣ ଜୀବନର ଆଦିଯୌବନ କାଳରେ ସିଏ ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର ମଥା, ଆଖି, ହୃଦୟ ଓ ଆହୁରି କେତେ କ’ଣ ଭାବରେ କାର୍ଯ୍ୟ କରିଥିଲେ । ଅନେକଙ୍କୁ ଆଦର୍ଶର ବାସ୍ତବ ପ୍ରତିଷ୍ଠା ନିମନ୍ତେ ଘରୁ ବାହାରିକରି ଆଣିଥିଲେ । ରାଜନୀତିକ ସ୍ଵାଧୀନତା ଲାଗି ଦେଶରେ ହୋଇଥିବା ସଂଗ୍ରାମରେ ଜଣେ ବରିଷ୍ଠ ହୋଇ ଏକାବେଳେକେ ପୁରୋଭାଗରେ ରହିଥିଲେ ।

 

‘ରାଜନୀତିର ଭାରତ’ ବୋଲି ଗୋଟିଏ ପୁସ୍ତକ ପ୍ରସ୍ତୁତ କରି ଆମେ ଏ ବର୍ଷ ଶ୍ରୀଯୁକ୍ତ ଚୌଧୁରୀଙ୍କର ଜନ୍ମବାର୍ଷିକୀ ପାଳନ କରିବୁ ବୋଲି ଆମେ ୟୁନିର୍ଭସର ବନ୍ଧୁମାନେ ଏକାଠି ବସି ଚିନ୍ତା କଲୁ । ବିଗତ ପଚାଶବର୍ଷ ଭିତରେ ଭାରତର ରାଜନୀତି ଦେଶବାସୀ ତା’ଠାରୁ ଆଶା କରୁଥିବା ଭୂମିକାଟିକୁ ପ୍ରକୃତରେ କିପରି ଭାବରେ ଗ୍ରହଣ କରିଛି ? ବିଭିନ୍ନ ରାଜନୀତିକ ଆଦର୍ଶକୁ ଧ୍ୟେୟରୂପେ ରଖି ଦେଶର ରାଜନୀତିକ ଦଳଗୁଡ଼ିକ ସମ୍ମୁଖସ୍ଥ ସମସ୍ୟା, ଆହ୍ୱାନ ତଥା ସ୍ଵପ୍ନଗୁଡ଼ିକର ମୁଖ୍ୟତଃ କିଭଳି ଭାବରେ ସମ୍ମୁଖୀନ ହୋଇଛନ୍ତି ? ସ୍ଵାଧୀନତା ପୂର୍ବରୁ ଏହି ଦଳଗୁଡ଼ିକର ଘୋଷିତ ଯେଉଁସବୁ ଆଭିମୁଖ୍ୟ ରହିଥିଲା, ସେଗୁଡ଼ିକପ୍ରତି ସ୍ଵାଧୀନତା ପରେ ପ୍ରକୃତରେ କେତେଦୂର ସାଧୁତା ଆଚରଣ କରାଯାଇଛି ? ବିଶେଷତଃ, ରାଜନୀତିକ ସ୍ଵାଧୀନତା ହାସଲ ହେବାପରେ ଏହି ଦେଶରେ ପ୍ରତିଶ୍ରୁତି ଯେଉଁ ସାମାଜିକ ପରିବର୍ତ୍ତନଗୁଡ଼ିକ ଲାଗି ପ୍ରତୀକ୍ଷା କରାଯାଉଥିଲା, ଭାରତର ରାଜନୀତି ଓ ତାହାର ନେତାମାନେ ସେହି କ୍ଷେତ୍ରରେ କିଭଳି ସହାୟତା କରିଛନ୍ତି ? ଏହିପରି ଏକତ୍ର ଭାବରେ ଏକ ବିଶ୍ଳେଷଣାତ୍ମକ ଆଲୋଚନା କରାଗଲେ,

 

ସେଥିରୁ ଆଗାମୀ କେତେ ଦଶନ୍ଧିର ସତ୍ୟାନୁମାନଗୁଡ଼ିକ ନିମନ୍ତେ ଆମକୁ ସୁନିଶ୍ଚିତ ଭାବରେ ଏକାଧିକ ଅନ୍ତର୍ଦୃଷ୍ଟି ମିଳିଯାଇ ପାରିବ, ଯୋଜନାଟି ପଛରେ ଏହି ପ୍ରତ୍ୟାଶାଟି ରହିଥିଲା ।

 

ଆମେ ତା’ପରେ ବିଷୟଗୁଡ଼ିକର ଯୋଜନା କଲୁ । ଇପ୍‍ସିତ ବିଷୟଗୁଡ଼ିକ ଅନୁସାରେ ଅନୁରୂପ ଆଲୋଚକମାନଙ୍କୁ ଠାବ କରି ସେମାନଙ୍କ ପାଖକୁ ଚିଠି ଦେଲୁ । ଅତ୍ୟନ୍ତ ଆନନ୍ଦର କଥା ଯେ ସେମାନେ ସମସ୍ତେ ଆମର ଅନୁରୋଧକୁ ଇତିସୂଚକ ଅନୁସ୍ପନ୍ଦନ ଜଣାଇଲେ । ରଚନାଗୁଡ଼ିକ ଆସି ପହଞ୍ଚିବାକୁ ପ୍ରାୟ ତିନିମାସ ଲାଗିଲା । ଆମେ ମଧ୍ୟ ହାତରେ ପ୍ରାୟ ସେତିକି ସମୟ ରଖିଥିଲୁ-। ଯେଉଁମାନଙ୍କ ପାଖକୁ ପତ୍ର ଯାଇଥିଲା, ସେମାନଙ୍କ ମଧ୍ୟରୁ ତିନି ଚାରିଜଣ ପ୍ରତିଶ୍ରୁତି ଅନୁସାରେ ଲେଖାଗୁଡ଼ିକୁ ଲେଖି ପାରିଲେ ନାହିଁ ଓ ଆଉ କେତେଜଣ ଲେଖୁ ଲେଖୁ କିଞ୍ଚିତ୍‍ ଆଉ କୌଣସିଆଡ଼େ ଢଳିଗଲେ ସତ, ମାତ୍ର ଆମ ପାଖରେ ଯେତିକି ଲେଖା ଆସି ପହଞ୍ଚିଲା, ସେଥିରେ ଖୁସୀ ହେବାର ଯଥେଷ୍ଟ କାରଣ ଅବଶ୍ୟ ରହିଥିଲା । ଓଡ଼ିଶାରେ ରାଜନୀତି କରୁଥିବା ମଣିଷ ସମ୍ଭବତଃ ଆବଶ୍ୟକତାରୁ ବହୁତ ବେଶି ଓ ରାଜନୀତିରେ ଚରୁଥିବା ମଣିଷ ତାହାଠାରୁ ଆହୁରି ଅଧିକ । ରାଜନୀତିରେ ରହି ଆପଣାର ଧର୍ମ, ସିଦ୍ଧାନ୍ତ ଓ ସାଧନଗୁଡ଼ିକ ବିଷୟରେ ଚିନ୍ତା କରିବା, ଏକ ସମୁଚିତ ସିଂହାବଲୋକନ ଦ୍ଵାରା ଭୂମିଟି ଉପରେ କୌଣସି ଦୃଷ୍ଟିପାତ କରିପାରିବା, ଓଡ଼ିଶାରେ ସେହି ପରିମଳଟି ଏପର୍ଯ୍ୟନ୍ତ ପ୍ରବେଶ କରିପାରି ନାହିଁ ।

 

ରାଜନୀତିରେ ଦଳ ଥାଆନ୍ତି, ଆମ ଦେଶରେ ଏବେ ପଲମାନେ ରହିଛନ୍ତି । ଗୋଟିଏ ଗୋଟିଏ ରାଜନୀତିକ ଆଦର୍ଶ ଅର୍ଥାତ୍ ଭବିଷ୍ୟଦୃଷ୍ଟିକୁ ନେଇ ଦଳମାନେ ଗଢ଼ା ହୋଇଥାନ୍ତି । ଏବେ, ଭାରତବର୍ଷରେ ଦଳମାନଙ୍କର କୌଣସି ରାଜନୀତିକ ଆଦର୍ଶଗତ ବନ୍ଧନ ବା ବିଚାର ଥିଲାପରି ଆଦୌ ବୋଧ ହେଉନାହିଁ । ପଲଗୁଡ଼ିକ ଉପରେ ଜଣେ ଜଣେ ପଣ୍ଡା ରହିଛନ୍ତି । ସ୍ଥଳବିଶେଷରେ ଏକାଧିକ ପଣ୍ଡା ଅଛନ୍ତି । ସେହିମାନଙ୍କୁ ମାଣିଖୁଣ୍ଟି ପରି ବ୍ୟବହାର କରି ଏକକେନ୍ଦ୍ରୀ ଅଥବା ବହୁକେନ୍ଦ୍ରୀ ଶିବିରମାନେ ଦେଶରେ ରାଜନୀତି କରୁଛନ୍ତି । ଦକ୍ଷିଣ ବାମ ଆଦୌ କୌଣସି ବାରଣ ଅଥବା ବାଇସ ନାହିଁ । ଏପରିକି, ସର୍ବୋଦୟବାଲାଙ୍କୁ ମଧ୍ୟ ଯଦି ଏକ ଶିବିରବୋଲି ବିଚାର କରାଯାଏ, ସେଥିରେ ମଧ୍ୟ ଏହି ପଲତତ୍ତ୍ଵ କାର୍ଯ୍ୟକାରୀ ହୋଇ ରହିଛି । ଏକଦା ବିନୋବା ଓ ଜୟପ୍ରକାଶଙ୍କୁ ବାଉଁଶ କରି ଭାରତରେ ସର୍ବୋଦୟର ଯେଉଁ ଦୁଇ ବାଉଁଶରାଣୀ ଦଳ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଗାନ୍ଧୀଙ୍କର କେଳାମନ୍ତ୍ର ଦ୍ଵାରା ଦେଶର ଅଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ, ସେମାନଙ୍କର ମୁହଁ ଏବେ ମଧ୍ୟ ଦୁଇଆଡ଼କୁ ହୋଇ ରହିଛି । ଭାରତୀୟ ସମାଜବାଦୀ ଆନ୍ଦୋଳନ ବି ପ୍ରଧାନତଃ ପଣ୍ଡାମାନଙ୍କୁ ନିଠକରି ପର୍ଯ୍ୟାୟକ୍ରମେ ବହୁଭାଗ ହୋଇଯାଇଛି । ଆମ କମ୍ୟୁନିଷ୍ଟମାନେ ମୂଳରେ ଆମ ସୋସିଆଲିଷ୍ଟମାନଙ୍କ ସହିତ ଏକାଠି ରହିଥିଲେ । ଉଭା ଓ ପୋତା ଦୁଇ ବେଭାରରେ ଏକାଠି ରହିଥିଲେ । ବର୍ତ୍ତମାନ କମ୍ୟୁନିଷ୍ଟମାନେ କୁଆଡ଼େ କେତେ କେନା ବା କେତେ ସୂତାରେ ଯେ ବିଭକ୍ତ ହୋଇଗଲେଣି, ଆମ ସାଧାରଣମାନଙ୍କ ପକ୍ଷରେ ସେମାନଙ୍କ ଦଳଗୁଡ଼ିକର ନାମକୁ ମନେରଖିବା ବି କ୍ରମେ ବଡ଼ କଷ୍ଟକର ହେଲାଣି । କେବଳ ପଣ୍ଡାମାନଙ୍କର ନାମରୁ ଯାହା ସେମାନଙ୍କର ଅଲଗା ଦଳଗୁଡ଼ିକୁ କିଞ୍ଚିତ୍‍ ପରିମାଣରେ ବାରିପାରିବା ସମ୍ଭବ ହେଉଛି-! କଂଗ୍ରେସ ଓ ଜନତା, ଏହି ଦୁଇଦଳ ବିଷୟରେ କିଛି ନ କହିବା ହିଁ ହୁଏତ ଅଧିକ ଭଲ ହେବ-

 

ଏହି ଦୁଇଦଳ ସତେଅବା ଏକ ଗୃହବିବାଦର ଦୟନୀୟ ପରିଣାମ ପରି ଅନେକ ସମୟରେ ମନେ ହୋଇଥାନ୍ତା । ଭାରତୀୟ ଜାତୀୟ କଂଗ୍ରେସ କହିଲେ ଗତ ବହୁ ଦଶନ୍ଧି ଧରି ଯାହା ବୁଝାଇ ଆସିଥିଲା, ବର୍ତ୍ତମାନର କଂଗ୍ରେସ କହିଲେ ତାହାକୁ ଆଦୌ ବୁଝାଉନାହିଁ । ବର୍ତ୍ତମାନର କଂଗ୍ରେସ ସତେଅବା କିମ୍ଭୂତକିମାକାର ଡିକୁମାନଙ୍କ ଦ୍ଵାରା ବହୁଭାବେ ଧର୍ଷିତ ହୋଇ ରହିଥିବା ପରି ମନେହେଉଛି । କଂଗ୍ରେସର ଦୋକାନ ଓ ମସ୍‍ଜିଦମାନଙ୍କରେ ଗାନ୍ଧୀ ଫଟୋ ହୋଇ ଟଙ୍ଗାହୋଇ ରହିଛନ୍ତି; ସେକାଳକାଟର ନିଷ୍ଠାପର କଂଗ୍ରେସବାଲା ମଧ୍ୟ କାଁ ଭାଁ କେଉଁଠି ରହିଛନ୍ତି ସତ, ମାତ୍ର ସେମାନଙ୍କର ଆଉ କୌଣସି ବଳ ଦଳରେ କାଟୁକରୁନାହିଁ । ପୂରା ପ୍ରଫେସନାଲମାନେ ଷ୍ଟାଡ଼ିଅମଗୁଡ଼ାକୁ କାବୁକରି ବସିଛନ୍ତି । ଦେଶର ଜନତାଦଳର ଏକ ବିଚିତ୍ର ଜୀବନ-ଇତିହାସ ରହିଛି-। ଏମାନଙ୍କର ନେତାମାନେ ବାହୁବିଚିତ୍ର ରାଜନୀତିକ ଔରସରୁ ଆମ ଧରାଧାମରେ ଭୂମିଷ୍ଠ ହୋଇଛନ୍ତି । ଜନତାଦଳରୁ ମଧ୍ୟ କେତେ ଉପଦଳ ବାହାରିଲେଣି । ଏଥିମଧ୍ୟରୁ ପ୍ରାୟ ସବୁଗୁଡ଼ିକ ହେଉଛନ୍ତି ବ୍ୟକ୍ତିନିଷ୍ଠ, ବିଚାରନିଷ୍ଠ ହେବାକୁ କୌଣସି ବେଳ ନାହିଁ । ବିଚାର ସକାଶେ ବସିବା ମାତ୍ରକେ ମହାବ୍ୟକ୍ତିମାନଙ୍କର ଶିଙ୍ଗଗୁଡ଼ାକ ଆସି ପରସ୍ପର ସହିତ ବାଜିଯାଉଛନ୍ତି ଏବଂ ତେଣୁ, ସେମାନେ ଯେତିକି ଶୀଘ୍ର ପରସ୍ପର ସହିତ ଆସି ଗୁନ୍ଥି ହୋଇ ଯାଉଛନ୍ତି, ପରସ୍ପରଠାରୁ ପ୍ରାୟ ସେତିକି ଶୀଘ୍ର ଅଲଗା ମଧ୍ୟ ହୋଇଯାଉଛନ୍ତି ।

 

ରାଜନୀତିକ ଦଳଗୁଡ଼ିକର କୌଣସି ଭବିଷ୍ୟଦୃଷ୍ଟି ନାହିଁ, କାରଣ ସେମାନଙ୍କର କୌଣସି ବର୍ତ୍ତମାନ ଦୃଷ୍ଟି ମଧ୍ୟ ନାହିଁ । ସ୍ଵାଧୀନ ଭାରତରେ ମନୁଷ୍ୟମାନଙ୍କର ସବୁ ବର୍ଗକୁ ସ୍ପର୍ଶ କରିପାରିବା ଭଳି ଯେତେବେଳେ ପ୍ରାୟ କୌଣସି ଅର୍ଥନୈତିକ କିମ୍ବା ସାମାଜିକ ପରିବର୍ତ୍ତନ ହୋଇପାରି ନାହିଁ, ସେହି ସ୍ଥିତିରେ ଗୋଟିଏ ଭାରତବର୍ଷ ଆକାଂକ୍ଷା ଏବଂ ଉଦ୍ଦେଶ୍ୟରେ କ୍ଷେତ୍ରରେ ବହୁ ଭାରତବର୍ଷରେ ପରିଣତ ହୋଇ ରହିଛି । ସେହି ମୂଳ ବିଡ଼ମ୍ବନାଟି ହେତୁ ରାଜନୀତିରେ ମଧ୍ୟ ବିଚିତ୍ର ସ୍ଥାନୀୟତାମାନ ଆବିର୍ଭୂତ ହେଉଛନ୍ତି ଓ ନ୍ୟସ୍ତସ୍ଵାର୍ଥୀ ଉପାଦାନଗୁଡ଼ିକୁ ଫାଇଦା ଦେବାରେ ଲାଗିଛନ୍ତି । ଅସଲ କନ୍ଦଳଗୁଡ଼ିକ ଆର୍ଥିକ ରାଜନୀତିକ ଲକ୍ଷ୍ୟ କିମ୍ବା କାରଣଗୁଡ଼ିକୁ ନେଇ କ୍ଵଚିତ୍ ହେଉଛନ୍ତି ଭାଷା, ସ୍ଵତନ୍ତ୍ର ପ୍ରଦେଶ, ଧର୍ମ, ଚାକିରି, ସଂରକ୍ଷଣ—ପ୍ରଧାନତମ ରାଜନୀତିକ ତାମସାମାନ ଏହିଗୁଡ଼ିକୁ ନେଇ ଚାଲିଛି । ଆନ୍ତର୍ଜାତିକ ସନ୍ତ୍ରାସବାଦରୁ ଚରୁ ନେଇ ଭାରତବର୍ଷରେ ମଧ୍ୟ କାଶ୍ମୀରଠାରୁ ଆରମ୍ଭ କରି କଳାହାଣ୍ଡି ପର୍ଯ୍ୟନ୍ତ ବୃହତ୍ ଓ କୁନି ସନ୍ତ୍ରାସବାଦୀ କେତେ ଗୋଷ୍ଠୀ ବାହାରୁଛନ୍ତି ଓ ନାଆଁ ପକାଉଛନ୍ତି । ଦେଶର ବୃହଦ୍‍ଭାଗ ଜନତା ଦରିଦ୍ର, ନିରକ୍ଷର, ଭାଗ୍ୟବାଦୀ ଏବଂ ଭୀରୁ ହୋଇ ରହିଛନ୍ତି । ଉପରବାଲା ସେମାନଙ୍କୁ ଦୟା ଦେଖାଉଛନ୍ତି । କ୍ଷମତାରେ ଅଧ୍ୟୁଷିତ ସରକାରମାନେ ମଧ୍ୟ ପ୍ରଧାନତଃ ଦୟା ଦେଖାଉଛନ୍ତି ଓ ଲୋକୋପକାର କରୁଛନ୍ତି । ଅସଲ ସରକାରମାନେ ଯେ ସବୁ ମଣିଷଙ୍କର ସଚେତନ ନାଗରିକତାକୁ ସବୁଠାରୁ ବଡ଼ ଅବଲମ୍ବନ କରି ତାହାରି ଉପରେ ପ୍ରତିଷ୍ଠିତ ହୁଏ, ଭାରତୀୟ ରାଜନୀତିରେ ସେହି କଥାଟି ଅନୁଭୂତ ହେବାକୁ ସତେଅବା ଆହୁରି ବହୁତ ଧନ ବାକି ରହିଛି । ଭାରତୀୟ ସମାଜ ସେହି ପୁରାତନ ଓ ପାରମ୍ପରିକ କାଳରୁ ଗଡ଼ିଆସି ଏବେ ମଧ୍ୟ ସାମନ୍ତ ଏବଂ ଅବରମାନଙ୍କ ମଧ୍ୟରେ ବିଭାଜିତ ହୋଇ ରହିଛି । ମନୁଷ୍ୟର ମନୁଷ୍ୟ-ପରିଚୟକୁ ଅବମାନନା ପ୍ରଦର୍ଶନ କରୁଛି । ସବୁ ମଣିଷଙ୍କୁ ବିଚାରର ତରାଜୁ ଉପରେ ଗ୍ରହଣ କରିବାକୁ ତଥାପି ସାହସ କରିନାହିଁ । ଭାରତୀୟ ସାଧାରଣ ମଣିଷମାନଙ୍କର ନିରୀହ ଧର୍ମଭୀରୁତାରୁ ଫାଇଦା ଉଠାଇ ଅନେକ ସାମନ୍ତ ଏବେ ଯାଉଣୁ ଆସୁଣୁ ଧର୍ମ ଓ ଠାକୁରମାନଙ୍କର କଥା କହିଲେଣି, ଏପାଖର ଠାକୁରିଆମାନେ ସେପାଖର ଠାକୁରିଆମାନଙ୍କର ଦେଉଳ ଭାଙ୍ଗିବାକୁ ଭରିଲେଣି, ଭାଙ୍ଗିଲେଣି । ଭୋକ ପେଟର ଭୋକଠାରୁ ଆରମ୍ଭ କରି ଆତ୍ମାର ଭୋକ ପର୍ଯ୍ୟନ୍ତ ଯାବତୀୟ ପ୍ରକାରର ଭୋକ ଭୁଲାଇ ମଣିଷକୁ ମେଣ୍ଢାକରି ରଖିବାର ଅଶେଷବିଧ ଷଡ଼ଯନ୍ତ୍ର ଭାରତବର୍ଷର ରାଜନୀତିରେ ଚାଲିଛି । ସିଆଣିଆମାନେ ମାଲିକ ହୋଇ ବସିଛନ୍ତି ।

 

ଏହି ବିଭ୍ରାନ୍ତିକର ରାତି ଭିତରୁ ସମୟ ଅନୁସାରେ ବାଟଟିଏ ଅବଶ୍ୟ ବାହାରିବ । ବର୍ତ୍ତମାନର ନେତୃତ୍ଵ, ତାହା ଯେଉଁ ଦଳର ହୋଇଥାଉ ପଛକେ, ଏହି ଅସଲ କାର୍ଯ୍ୟଟିଲାଗି ହୁଏତ ଆଦୌ ସମର୍ଥ ହେବନାହିଁ । ରାଜନୀତିର ବାହାରେ ଥିବା ଶିକ୍ଷା, ଧର୍ମ ଏବଂ ସଂସ୍କୃତି ପ୍ରଭୃତି କ୍ଷେତ୍ରର ବର୍ତ୍ତମାନ ନେତୃତ୍ଵ ମଧ୍ୟ ସାଂପ୍ରତିକ ଆହ୍ୱାନଗୁଡ଼ିକର ଏକ ସମଗ୍ର ଜବାବ ଆଦୌ ଦେଇପାରିବ ନାହିଁ । ଆମ ଧର୍ମଗୁରୁ ଓ ଧର୍ମାଧୀଶମାନେ ଯେ ଦେଉଳ ଗଢ଼ିବାର ଗାରଠାରୁ ଆଦୌ ଅଧିକ ଦୂର ଯାଇପାରି ନାହାନ୍ତି, ସାଂପ୍ରତିକ ଭାରତବର୍ଷର ଘଟଣାବଳୀ ତାହାକୁ ଅତ୍ୟନ୍ତ ଶୋଚନୀୟ ଭାବରେ ପ୍ରମାଣ କରିଦେବାରେ ଲାଗିଛି । ତଥାକଥିତ ପରିବେଶବାଦୀମାନେ ଏହି କାର୍ଯ୍ୟଟିକୁ ତଥାପି ତୁଲାଇ ପାରିବେ ନାହିଁ । ହଁ, ଆପଣା ଆପଣାର ରାଜନୀତିକ ଅଥବା ଆଦର୍ଶଗତ ବ୍ୟୁହ ଭିତରେ ନିତାନ୍ତ ନିଷ୍କ୍ରିୟହୋଇ ବର୍ଷବର୍ଷ କଟାଇ ଆସିଥିବା ଆମର କେତେଜଣ ପୁରୁଣା ନେତା ସତେଅବା ପ୍ରଧାନତଃ ଆତ୍ମସଂରକ୍ଷଣ ପ୍ରୟୋଜନ ଦ୍ଵାରା ତାଡ଼ିତ ହୋଇ ଏଇଟା ବଞ୍ଚାଅ ଓ ସେଇଟାକୁ ବର୍ଜନ କର ବୋଲି କହି ମଝିରେ ମଝିରେ ଯେଉଁ ହୁଙ୍କାର ଶୁଣାଉଛନ୍ତି, ସେମାନଙ୍କ ଭିତରେ ମଧ୍ୟ ଆଉ କୌଣସି ବାରୁଦ ନାହିଁ । ସେମାନେ ଗତ ପଚାଶବର୍ଷ ମଧ୍ୟରେ କେତେ ନା କେତେ ତୁଠରେ କାଳଟାକୁ ପରାଭୂତ କରି ରଖିବାରେ ଭାରି ସାହାଯ୍ୟ କରିଆସିଛନ୍ତି । ସେମାନେ ପାରିବେ ନାହିଁ ।

 

ତଥାପି ଭାରତବର୍ଷ ବଦଳିବ । ବଦଳିଲେ ଯାଇ ବଞ୍ଚିବ । ପ୍ରଖ୍ୟାତ ଇତିହାସ-ସମୀକ୍ଷକ ଶ୍ରୀ ଆରନୋଲଡ଼ ଟଏନ୍‍ବୀ ଏକଦା କହିଥିଲେ ଯେ, ପୃଥିବୀରେ ଏକ ତୃତୀୟ ମହାଯୁଦ୍ଧ ଆରମ୍ଭ ହୋଇଗଲାଣି । ସେହି ମହାଯୁଦ୍ଧ ଦେଶ ଦେଶ ଭିତରେ ହେବନାହିଁ । ସେହି ଯୁଦ୍ଧରେ କୌଣସି ଯୁଦ୍ଧାସ୍ତ୍ରର ବ୍ୟବହାର ହେବନାହିଁ । ସେହି ଯୁଦ୍ଧ ପ୍ରତ୍ୟେକ ଦେଶରେ, ପ୍ରତ୍ୟେକ ପରିବାରରେ ଆରମ୍ଭ ହେବ । Every son shall raise his sword against his father,–ବାଇବେଲ୍‍ର ଏହି ଉକ୍ତିଟି ପରି ନୂଆ ପୁରୁଣା ବିରୋଧରେ ସର୍ବତ୍ର ଆସି ଉତ୍ତୋଳନ କରି ବାହାରିବ-। ଏକ ବୈଜ୍ଞାନିକ ଦୃଷ୍ଟିକୋଣ, ମାନବବୋଧର ସାହସ ଏବଂ, ଆଧ୍ୟାତ୍ମିକ ଅନ୍ୟ ସ୍ଵପ୍ନ ପୃଥିବୀର ସର୍ବତ୍ର ସହସ୍ର ବିପ୍ଳବ ହୋଇ ପ୍ରକଟ ହେବ । ଏବଂ ଭାରତବର୍ଷ ମଧ୍ୟ ସେଥିରେ ଯୋଗଦେବ-। ଏକାବେଳକେ ଏକ ନୂଆ ଗଣିତରେ ଆମର ପରବର୍ତ୍ତୀ ଭାଗ୍ୟର ଇପ୍‍ସିତ ବସ୍ତ୍ରଟି ବୁଣାହେବ-। ବିବର୍ତ୍ତନର ସିଡ଼ିରେ ପୃଥିବୀ ଆଉ ପାଦେ ଆଗକୁ ଖୋଜ ପକାଇବ । ଆମେ ସମସ୍ତେ ସେଇ ଅତିକ୍ରମଣ ଲାଗି ନିଜକୁ ପ୍ରସ୍ତୁତ କରିବା ।

 

୨୧ । ୧୧ । ୯୩

ଚିତ୍ତରଞ୍ଜନ ଦାସ

Image